ଯାଜପୁର ବିରଜା
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
କୁଳୁକୁଳୁ ନିନାଦରେ ବହିଯାଉଛି ପୁଣ୍ଯତୋୟା ବୈତରଣୀ ଯାଜପୁର ଜିଲ୍ଲାର ଭୂ ବକ୍ଷରେ । ସେହି ପୁଣ୍ୟ ବୈତରଣୀ ତଟ ଦେଶରେ ନବର ତୋଳି ବିରାଜମାନ କରିଛନ୍ତି ମାଆ ବିରଜା । ତାଙ୍କର ଅବସ୍ଥାନ ସେହି ମାଟିକୁ ବିରଜା କ୍ଷେତ୍ର ନାମରେ ନାମିତ କରି ବିଶ୍ବ ପ୍ରସିଦ୍ଧ କରାଇଛି । ଦ୍ବିଭୁଜା ସଂସ୍ଥିତା , ଏକ ହସ୍ତରେ ତ୍ରିଶୂଳ ଓ ଆରେକ କରେ ମହିଷାସୁରର ଲାଙ୍ଗୁଳ ଧାରରଣ କରି ପୂଜା ପାଉଛନ୍ତି ଦେବୀ ବିରଜା ; ମହିଷ ରୂପରେ ବିରାଜିତ ଦାନବ ଯାହା ଅନ୍ଯତ୍ର ଦୃଶ୍ଯମାନ ନୁହେଁ । ମାତାଙ୍କ ମସ୍ତକେ ଧାରିତ ମୁକୁଟ ମଧ୍ୟେ ଗଣପତି , ଶିବଲିଙ୍ଗ , ଯୋନି , ନାଗରାଜ , ଅର୍ଦ୍ଧଚନ୍ଦ୍ର ପରିଶୋଭିତ । ଉଡ୍ଡୀୟାନ ତନ୍ତ୍ରପୀଠ ଭାବରେ ଜଣା , ସମସ୍ତ ରଜୋଗୁଣର ଧୌତକାରୀ ହେତୁ ଏହା ବିରଜା କ୍ଷେତ୍ର ବୋଲି "ସ୍କନ୍ଦ ପୁରାଣ"(ଉତ୍କଳ ଖଣ୍ଡ)ରେ ବର୍ଣ୍ଣିତ । କିଛି ତନ୍ତ୍ର ଗ୍ରନ୍ଥାନୁସାରେଣ ଦକ୍ଷ ଯଜ୍ଞ କାଳେ ଅତ୍ର ମାତା ସତୀଙ୍କ ନାଭି ପାତିତ ହୋଇଥିଲା ; ନାଭିଦେଶେ ନାରୀମାନେ ପିନ୍ଧୁଥିବା ଓଡ଼ିଆଣୀ ବା କଟୀସୂତ୍ରାନୁସାରେ ଏ ପୀଠର ନାମକରଣ ଉଡ୍ଡୀୟାଣ ପୀଠ ହୋଇଛି । ଏ ପ୍ରଦେଶର ନାମ ବି ଓଡ୍ର ଅଟେ ।
ଶାସ୍ତ୍ର କହେ - "ରାମେଶ୍ବରୀ ସେତୁବନ୍ଧେ ବିମଳା ପୁରୁଷୋତ୍ତମେ / ବିରଜା ଓଡ୍ରଦେଶେ ଚ କାମାକ୍ଷା ନୀଳପର୍ବତେ ।" (ବ୍ରହ୍ମଯାମଳ) ତନ୍ତ୍ର ଚୁଡ଼ାମଣି କହେ - "ଉତ୍କଳେ ନାଭିଦେଶେଶ୍ଚ ବିରଜା କ୍ଷେତ୍ରମୁଚ୍ଯତେ ବିରଜା ଭୈରବୀ ୟତ୍ର ଯଜ୍ଞକୋଳସ୍ତୁ ଭୈରବଂ ।" ଆଦିଶଙ୍କର କୃତ ଶକ୍ତିପୀଠ ସ୍ତବରେ ଅଛି - "ଉଜ୍ଜୟିନ୍ଯା ମହାକାଳୀ ପୀଠିକାୟମ୍ ପୁରୁହୁତିକା / ଓଡ୍ଡ୍ଯାଣେ ଗିରିଜା ଦେବୀ ମାଣିକ୍ଯ ଦକ୍ଷବାଟିକେ ।" ଅତ୍ର ବର୍ଣ୍ଣିତ ଗିରିଜା ଦେବୀ ମାଆ ବିରଜା ଏହା ନିଃସନ୍ଦେହ । ବର୍ତ୍ତମାନର ମନ୍ଦିର ତ୍ରୟୋଦଶ ଶତାବ୍ଦୀର କିନ୍ତୁ ପୀଠ ଗୁପ୍ତଯୁଯର ବୋଲି ଗବେଷକଙ୍କ ମତ । ବିରଜା ମନ୍ଦିରଠୁ ଜଗନ୍ନାଥ ମନ୍ଦିର (ପୁରୁଷୋତ୍ତମ କ୍ଷେତ୍ର) ଯାଏଁ ବିରଜାମଣ୍ଡଳ ବୋଲି କଥିତ ।
ଏଠାରେ ମାଆଙ୍କର ଷୋଡ଼ଶ ଉପଚାର ପୂଜା ସହିତ ସିଂହଧ୍ବଜ ରଥରେ ଉପବେଶନ ପୂର୍ବକ ରଥଯାତ୍ରା କରାଯାଏ । ଏ ଦେବୀ ଉତ୍କଳ ଶ୍ରୌତ ବ୍ରାହ୍ମଣ ମାନଙ୍କ ଦ୍ବାରା ମହିଷାମର୍ଦ୍ଦିନୀ ଓ ବନଦୁର୍ଗା ରୂପରେ ପୂଜା ପାଇଥା'ନ୍ତି । ସାବିତ୍ରୀ ଅମାବାସ୍ୟା , ଦଶହରା , ପ୍ରଥମାଷ୍ଟମୀ , ରଜ ସଂକ୍ରାନ୍ତି , କୁମାରପୂର୍ଣ୍ଣିମା , ମାଘ ଅମାବାସ୍ଯା ( ବିରଜାଙ୍କ ଜନ୍ମୋତ୍ସବ) ଏଠାରେ ଯଥାରୀତି ପାଳନ କରାଯାଏ । ଆଶ୍ବିନ ଶୁକ୍ଳ ପ୍ରତିପଦ ଦିନ ରଥ ପ୍ରତିଷ୍ଠା ପର୍ବ ପାଳନ କରି ମହାପାର୍ବଣରେ ପରିକ୍ରମଣ କରାଯାଏ । ତା' ପୂର୍ବରୁ ଦେବୀଙ୍କ ରୌପ୍ୟ ଆଶାଦଣ୍ଡ ରଥ ମଣ୍ଡପକୁ ବିଜେ କରନ୍ତି ଓ ଗଣପତି - ଦଶଦିକ୍ପାଳଙ୍କ କଳସ ସ୍ଥାପନ ପୂର୍ବକ ପୂଜା କରାଯାଏ । ନଅଦିନ ବ୍ଯାପି ଏପରି ପରିକ୍ରମଣ ମନ୍ଦିର ଚାରିପାଖରେ କରାହୁଏ । ରଥର ଉଚ୍ଚତା ୪୫ ହାତ ୧୨ ଅଙ୍ଗୁଳି ଏବଂ ଏହାର ସାରଥି ବ୍ରହ୍ମା ଆଉ ରଥ ଦଉଡ଼ିର ନାମ ସ୍ବର୍ଣ୍ଣଚୂଡ଼ ଓ ଶଙ୍ଖଚୂଡ଼ । ବେନି ଅଶ୍ବ ଧାବମାନ ମୁଦ୍ରାରେ ସଜ୍ଜିତ ।
ବିରଜା କ୍ଷେତ୍ରର ସୁପରିଚିତ ସ୍ଥାନ ନାଭିଗୟା । ବାମନ ପୁରାଣ ଅନୁସାରେ ବ୍ରହ୍ମା ପାଞ୍ଚଟି ସ୍ଥାନରେ ଅଶ୍ବମେଧ ଯଜ୍ଞ କରିଥିଲେ - "ଉତ୍ତର ବେଦୀ କୁରୁକ୍ଷେତ୍ର (ହରିୟାଣା) , ପଶ୍ଚିମ ବେଦୀ ପୁଷ୍କର (ରାଜସ୍ଥାନ) , ଦକ୍ଷିଣ ବେଦୀ ବିରଜା ମଣ୍ଡଳ (ଉତ୍କଳ) , ପୂର୍ବ ବେଦୀ ଗୟା (ବିହାର) , ମଧ୍ଯ ବା ଅନ୍ତରବେଦୀ ପ୍ରୟାଗ ( ଆଲ୍ଲାବାଦ)" । ବାୟୁ ପୁରାଣ କହେ - ବିଷ୍ଣୁ ଭଗବାନ ଗୟାସୁରକୁ ପାଦତଳେ ସ୍ଥାପିବା ବେଳେ ତା' ନାଭି ବିରଜା ମଣ୍ଡଳରେ ପଡ଼ିଥିଲା ଓ ଆନ୍ଧ୍ରପ୍ରଦେଶର ପୀଠାପୁରମ୍ ଠାରେ ପଡ଼ିଥିଲା । ଅବିକା ବିରଜା ମନ୍ଦିର ପରିସର ମଧ୍ୟରେ ନାଭିଗୟା କୂପ ଅଛି । ଏଠି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ । ୨୦୪ ମସିହାରେ ମାଆ ବିରଜାଙ୍କ ବିଗ୍ରହ ବଦଳାଇ ଦିଆ ଯାଇଥିଲା ଓ ୨୮ ନଭେମ୍ବର ୨୦୦୪ରେ ପୁନଃ ମୂଳ ବିଗ୍ରହ ସ୍ଥାପନ କରାଯାଇଥିଲା ।
ବିରଜା କ୍ଷେତ୍ର ଏକ ଦର୍ଶନୀୟ ଐତିହ୍ଯ ପୀଠସ୍ଥଳୀ । ଅନେକ ଥର ମୁଁ ଯାଇଥିଲେ ହେଁ କେବଳ ଗୋଟିଏ ଥର ଦର୍ଶନର ସୌଭାଗ୍ୟ ଲାଭ କରିଥିଲି ମୋର ଜଣେ ଭଉଣୀଙ୍କ ସ୍ନେହ ମମତାର ସହଯୋଗରୁ । ବିରଜା ମନ୍ଦିର ପରିଦର୍ଶନ ବେଳେ ସଂଗ୍ରହ କରିଥିବା ଏଇ କିଛି ତଥ୍ୟର ଉପସ୍ଥାପନ ପୂର୍ବକ ଏହି କ୍ଷୁଦ୍ରାତିକ୍ଷୁଦ୍ର ନିବନ୍ଧଟି ଆପଣଙ୍କ ସାମ୍ନାରେ ଉପସ୍ଥାପନ କରିଛି । ପାଠକ ଶ୍ରେଷ୍ଠ ବିଚାରକ ମନେ କରି ଭେଟି ଦେଇଥିବା ମୋର ଆଲେଖ୍ଯ ପଠନ ପୂର୍ବକ ମତାମତ ପ୍ରଦାନ କଲେ ମୋର ମାନସପଟ୍ଟରେ ଆଗକୁ ନୂତନ ସୃଷ୍ଟିର ପ୍ରତିଛବି ସବୁ ପ୍ରତିଫଳିତ ହେବ ବୋଲି ଆଶା କରେ ।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
- Get link
- X
- Other Apps
Comments
Post a Comment