ହୃଦୟ ହଜେଇ ଖୁସିରେ କାନ୍ଦୁଛି

              କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି   


ଏକା ଥିଲି ଯେବେ ମୁଁ ଭଲରେ ଥିଲି 
କାହିଁ ମୁଁ ପ୍ରିୟା ତୋତେ ଭଲପାଇଲି ।
ଭଲପାଇ ନିଜେ ନିଜକୁ ଠକିଛି
ହୃଦୟ ହଜେଇ ଖୁସିରେ କାନ୍ଦୁଛି । ୧

ହୃଦୟ ଦେଇ ମୁଁ କରିଥିଲି ପ୍ରେମ
ତା' ପ୍ରେମ ତ ମୋ' ପାଇଁ ହେଲା ସପନ । 
ପ୍ରେମ କରି ନିଜେ ନିଜଠୁ ହାରିଛି
ହୃଦୟ ହଜେଇ ଖୁସିରେ କାନ୍ଦୁଛି । ୨

ଦେଖାଇଲୁ କେତେ ତୁ ମିଠା ସପନ
ଦିବସେ ପ୍ରେୟସୀ ମୁଁ ଦେଖିଲି ଜହ୍ନ । 
ମିଛ ଜହ୍ନ ଦେଖି ବହୁତ କାନ୍ଦିଛି
ହୃଦୟ ହଜେଇ ଖୁସିରେ କାନ୍ଦୁଛି । ୩

ସାତ ଜନମକୁ ସାଥୀ ହେବୁ ବୋଲି 
ଦେଇଥିଲୁ କଥା ଗଲୁ କି ତୁ ଭୁଲି !!!
ଭାବି ତୋର କଥା ଲୁହ ମୁଁ ଢ଼ାଳୁଛି
ହୃଦୟ ହଜେଇ ଖୁସିରେ କାନ୍ଦୁଛି । ୪

ଅଧାବାଟେ ମୋର ହାତ ଛାଡ଼ିଦେଲୁ
ବଞ୍ଚି ଥାଉ ଥାଉ ମାରିଦେଇ ଗଲୁ ।
ଥିଲା କେଉଁ ଅପରାଧ କହିବୁକି ?
ହୃଦୟ ହଜେଇ ଖୁସିରେ କାନ୍ଦୁଛି । ୫

ଶୋଇଛି ମୁଁ ଦୁଃଖ କୋକେଇ ଉପରେ
ଜଳୁଛି ଆଜି ମୁଁ ବିରହ ଜୁଇରେ । 
ବିରହ ସଙ୍ଗୀତ ଆଜି ମୁଁ ଗାଉଛି
ହୃଦୟ ହଜେଇ ଖୁସିରେ କାନ୍ଦୁଛି । ୬

ବାସର ରାତିରେ ପୁଷ୍ପ ଖଟିଆରେ
ବସିଥିବୁ ପ୍ରିୟା କାନ୍ତ ଅପେକ୍ଷାରେ । 
ଏଠି ମୁଁ ମୃତ୍ୟୁର ପ୍ରତୀକ୍ଷାରେ ଅଛି
ହୃଦୟ ହଜେଇ ଖୁସିରେ କାନ୍ଦୁଛି । ୭

ତୁ ଶୋଇଥିବୁ ଲୋ ଗୋଲାପ ଶଯ୍ଯାରେ
ମୁଇଁ ଶୋଇଥିବି ଚ଼ିରା ମସିଣାରେ ।
ହସୁଥିବୁ ତୁ ମୁଁ ନିରବ ରହିଛି
ହୃଦୟ ହଜେଇ ଖୁସିରେ କାନ୍ଦୁଛି । ୮

ତୁଇ ବସିଥିବୁ ପଲଙ୍କ ଉପରେ
ମୁଇଁ ଶୋଇଥିବି କାଠ କୋକେଇରେ । 
ଆଜିଠୁ ରଖିଛି କୋକେଇ ସାଇତି
ହୃଦୟ ହଜେଇ ଖୁସିରେ କାନ୍ଦୁଛି । ୯

ଚ଼ାଲିଗଲୁ ଟିକେ ଭାବିଲୁ ନାହିଁ 
ତୋ' ବିନା ମୋର ଆଉ କେହି ତ ନାହିଁ ।
ଏକା ଥିଲି ମୁଁ ଆଜି ବି ଏକା ଅଛି
ହୃଦୟ ହଜେଇ ଖୁସିରେ କାନ୍ଦୁଛି । ୧୦

ଭଲପାଉଥିଲି ପାଉଛି ଆଜି ବି 
ଜୀବ ଥିବା ଯାଏଁ ଭଲପାଉଥିବି ।
ଭୁଲି ନାହିଁ ବୋଲି ଲୁହ ମୋ' ଝରୁଛି
ହୃଦୟ ହଜେଇ ଖୁସିରେ କାନ୍ଦୁଛି । ୧୧

ଆଖିର ଲୁହକୁ ଓଠରେ ପିଇବି
ଜିଇଁ ଜିଇଁ ପଛେ ନିତି ମରୁଥିବି । 
ମରି ମରି ପରା ଏବେ ବି ବଞ୍ଚିଛି 
ହୃଦୟ ହଜେଇ ଖୁସିରେ କାନ୍ଦୁଛି । ୧୨

ଲୁହ ପିଇ ପିଇ ତୋ' ସୁଖ ଦେଖିବି
ତୋ' ସୁଖ ଦେଖି ମୁଁ ଖୁସିରେ କାନ୍ଦିବି । 
ଶେଷ ଇଛା ମୋର ଏତିକି ରହିଛି 
ହୃଦୟ ହଜେଇ ଖୁସିରେ କାନ୍ଦୁଛି । ୧୩

ଦୋଷ ଥିଲେ ମୋର କ୍ଷମା କରିଦେବୁ
ମା' ମଙ୍ଗଳା ତୋତେ ସାହା ହୋଇଥା'ନ୍ତୁ ।
ବିଦାୟ ଦେ' ପ୍ରିୟା ଏବେ ମୁଁ ଯାଉଛି 
ହୃଦୟ ହଜେଇ ଖୁସିରେ କାନ୍ଦୁଛି । ୧୪

     ଭାଟପଡ଼ା,ନିରାକାରପୁର,କଣାସ,ପୁରୀ 

Comments

Popular posts from this blog

ମମତାମୟୀ ମାଆ

ଯାଜପୁର ବିରଜା