ଅନନ୍ତ ଚତୁର୍ଦ୍ଦଶୀ


                
         କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 
                ସମ୍ପାଦକ - ଉଦୟ ଭାନୁ 
************************************

          ଆମ ଓଡିଶା ପର୍ବପର୍ବାଣୀ ବହୁଳ ପ୍ରଦେଶ । ବାର ମାସରେ ତେର ପର୍ବ ନିଆରା ଢ଼ଙ୍ଗରେ ପାଳନ କରାଯାଏ। ବିଭିନ୍ନ ଓଷା ବ୍ରତ ବିଭିନ୍ନ ଧର୍ମୀୟ ଭାବନାକୁ ନେଇ ପରିଲକ୍ଷିତ ଆମର ଏଇ ଓଡ଼ିଶା ପ୍ରଦେଶର ମାଟିରେ । ହିନ୍ଦୁ, ମୁସ୍‌ଲିମ୍‌, ଶିଖ୍‌, ଖ୍ରୀଷ୍ଟିୟାନ୍‌ ; ସର୍ବ ପ୍ରକାର ଜନଜାତିରେ ପରିପୂର୍ଣ୍ଣ ଆମ ଭାରତବର୍ଷ । ଭାରତବର୍ଷର ବିଭିନ୍ନ ପ୍ରାନ୍ତରେ ପ୍ରଚଳିତ ପର୍ବପର୍ବାଣୀ ମଧ୍ଯରୁ ଓଡ଼ିଶାର ପର୍ବପର୍ବାଣୀ ଅନ୍ଯତମ ଓ ନିଆରା ବି। ବିଶେଷ କରି ଆମର ହିନ୍ଦୁ ସମ୍ପ୍ରଦାୟର ପର୍ବପର୍ବାଣୀ ବେଶ୍‌ ସମସ୍ତଙ୍କୁ ଆକୃଷ୍ଟ କରେ। ଯେତେ ପର୍ବପର୍ବାଣୀ ଅଛି ତନ୍ମଧ୍ୟୁ ଅନନ୍ତ ଚତୁର୍ଦ୍ଦଶୀ ଅନ୍ଯତମ।

       ଏହି ପର୍ବଟି ଏକ ନିଆରା ପର୍ବ। ଭାଦ୍ରବ ମାସର ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ଏ ପର୍ବଟି ପଡ଼େ । ମହାମୁନି କଶ୍ଯପ ଓ ଦକ୍ଷ ପୁତ୍ରୀ କଦ୍ରୁଙ୍କ ଔରସରୁ ଜନ୍ମ ଲାଭ କରିଥିଲେ ଶ୍ରୀମନ୍‌ ଅନନ୍ତ । ଅନନ୍ତଙ୍କୁ ପୁରାଣରେ ଶେଷ, ବାସୁକୀ ଓ ଶୋନସ ନାମରେ ଅଭିହିତ କରାଯାଇ ଭକ୍ତି ପୂର୍ବକ ସ୍ତବ ଗାନ କରାଯାଇଛି । ହରିବଂଶ ପୁରାଣ କହୁଛି ଯେ ଅନନ୍ତ ଜନ୍ମ ପରେ ନିଜ ମାତାଶ୍ରୀଙ୍କୁ ପରିତ୍ଯାଗ କରି ବାୟୁଭକ୍ଷ ବ୍ରତ ଅବଲମ୍ବନ କରିଥିଲେ । ଜିତେନ୍ଦ୍ରିୟ ରୂପେ ଅନନ୍ତ ଦେବ ଅନେକ ତୀର୍ଥ ପରିଭ୍ରମଣ ପୂର୍ବକ କଠୋର ତପସ୍ଯା କରିଥିଲେ । ଉଗ୍ର ତପସ୍ଯାରେ ପ୍ରୀତ ହୋଇ ପିତାମହ ବ୍ରହ୍ମଦେବ ତାଙ୍କୁ ଅଭୟ ଆଶିର୍ବାଦ ପ୍ରଦାନ କରିବା ସହ ସେ ବିଚଳିତ ଧରଣୀକୁ ଧାରଣ କରି ଭୂମଣ୍ଡଳକୁ ସ୍ଥିର କରିବା ନିମନ୍ତେ ଆଦେଶ ପ୍ରଦାନ କରିଥିଲେ । ସେହିଦିନ ଠାରୁ ଦେବ କାର୍ଯ୍ୟରେ ବ୍ରତି ବନି ଅନନ୍ତ ଦେବ ସ୍ବ-ଶୀରେ ଭୂବ ମଣ୍ଡଳକୁ ଧାରଣ କରିଛନ୍ତି । ଆମର ହିନ୍ଦୁ ମହଲେ ଅତୁଟ ବିଶ୍ବାସ ଅଛି । ତାହା ହେଉଛି  - ଯେତେବେଳେ ଅନନ୍ତ କଡ଼ ଲେଉଟାନ୍ତି ବା ଶୀର ଚାଳନ କରନ୍ତି ସେ ସମୟରେ ଭୂକମ୍ପ ବିତ୍ପାତ ଘଟେ । ଏହା କେତେଦୂର ଠିକ୍‌ ନା କେବଳ ହିନ୍ଦୁ ସମାଜରେ ଭକ୍ତି ପୂର୍ବକ ବିଶ୍ବାସଟିଏ ; ତାହା ଏବେ ବି ଅସ୍ପଷ୍ଟ । ଏହି ଅନନ୍ତ ଦେବଙ୍କୁ କୁଣ୍ଡଳୀ ଶଯ୍ୟା କରି କ୍ଷୀର ସମୁଦ୍ରରେ ଶ୍ରୀହରି ଯୋଗନିଦ୍ରାରତ ଥିବାର ବର୍ଣ୍ଣନା ସର୍ବତ୍ର ; ପୁରାଣଶାସ୍ତ୍ର ଓ ବେଦୋପନିଷଦରେ ଲିପିବଦ୍ଧ ଅଛି । ତ୍ରେତୟା ଯୁଗରେ ସୁମିତ୍ରା ନନ୍ଦନ ଲକ୍ଷ୍ମଣଙ୍କୁ ଶେଷ ନାଗର ଅବତାର ଭାବରେ କୁହାଯାଇଥିବା ବେଳେ ଦ୍ବାପରରେ କିନ୍ତୁ କୁହାଯାଇଅଛି ଯେ ବଳଭଦ୍ର ହେଉଛନ୍ତି ଅନନ୍ତ ନାଗର ଅବତାର । ପୁରାଣଶାସ୍ତ୍ରରେ ଅନନ୍ତଙ୍କ ବର୍ଣ୍ଣନା ବିଶେଷ ଭାବରେ ପରିଲକ୍ଷିତ ।

      ଭାଦ୍ରବ ମାସ ଶୁକ୍ଳ ଚତୁର୍ଦ୍ଦଶୀରେ ପଡ଼ୁଥିବା ଏହି ଅନନ୍ତ ବ୍ରତଟି ଧର୍ମୀୟ ଭାବନାକୁ ଉଜ୍ଜୀବିତ କରି ରଖିଛି । ନିଜର ସୁଖ ସୌହାର୍ଦ୍ଦ ପ୍ରାପ୍ତିର ବିଶ୍ବାସ ପୂର୍ବକ ଉଭୟ ସ୍ତ୍ରୀ ଓ ପୁରୁଷ ଏ ବ୍ରତକୁ ପାଳନ୍ତି । ନିଷ୍ଠା ସହକାରେ ଏ ବ୍ରତ ପାଳି ପାରିଲେ ଅନେକ ସୁଖ ଶାନ୍ତି ମିଳେ ବୋଲି ହିନ୍ଦୁ ସମାଜରେ ପ୍ରଗାଢ ବିଶ୍ବାସ ଭରପୁର ଅଛି । ଥରୁଟିଏ ଆରମ୍ଭ କଲେ ଚତୁର୍ଦ୍ଦଶ ବର୍ଷ ପର୍ଯ୍ଯନ୍ତ ନିଷ୍ଠାର ସହ ପାଳିବାକୁ ପଡେ । ଏଦିନ ବ୍ରତୀମାନେ ପ୍ରତ୍ଯୁଷରୁ ସ୍ନାନାଦି କର୍ମ ପରିସମାପନାନ୍ତେ ନୂତନ ବସ୍ତ୍ର ପରିଧାନ ପୂର୍ବକ ଶାଳଗ୍ରାମ ଶିଳା, ଧାତୁ ନିର୍ମିତ ଅନନ୍ତ ଗୋସେଇଁଙ୍କର ମୂର୍ତ୍ତି କିମ୍ବା ଅଭାବରେ କାଷ୍ଠ ଆସନରେ ଗୁବାକ୍ଷ ଗୋଟିଏ ସ୍ଥାପି ପ୍ରଭୁଙ୍କୁ ପୂଜା କରାଯାଏ । ବିଶେଷ ଦ୍ରଷ୍ଟବ୍ୟ - ଅନନ୍ତ ଗୋସେଇଁଙ୍କର ପ୍ରତିମାଟି ଚତୁର୍ଭୁଜ ବିଶିଷ୍ଟ ହେବା ଆବଶ୍ଯକ ଏବଂ ତାଙ୍କର ଶରୀର ଶୁକ୍ଳବର୍ଣ୍ଣ ଓ ବସ୍ତ୍ର ଶୁକ୍ଳବର୍ଣ୍ଣ ଅଟେ । ନାନା ରତ୍ନାଭୂଷଣ ସହିତ ସେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣକାରୀ ଅଟନ୍ତି । ବ୍ରତୀମାନେ ଦୌତ ବାସ ପରିହିତ ହୋଇ ପଦ୍ମ ମଣ୍ଡଳ ବା ଭଦ୍ର ମଣ୍ଡଳ ଉପରେ ଶାଳଗ୍ରାମ ମୂର୍ତ୍ତି ବା ଗୁବାକ୍ଷଟେ ଥାପି ଷୋଡଶ ଉପଚାରରେ ପୂଜନ କରିଥା'ନ୍ତି । ଏଠାରେ କେବଳ ଯେ ଅନନ୍ତ ନୁହନ୍ତି ; ଅଷ୍ଟକୁଳା ନାଗ ମାନଙ୍କୁ ବି ପୂଜା କରାଯାଏ । ପୁରୁଣା ବ୍ରତକୁ ବାହୁ ମୂଳରୁ ମୋଚନ କରି କଞ୍ଚା ଦୁଧରେ ପକାଇ ବିସର୍ଜନ କରି ସାରିବା ପରେ ନୂତନ ବ୍ରତ ଯାହା ଚୌଦ ଖିଅ ସୂତାରେ ଚୌଦ ଗଣ୍ଠି ପକାଇ ପ୍ରସ୍ତୁତ ହୋଇଥାଏ ; ତାହାକୁ ପୁନର୍ବାର ସ୍ତ୍ରୀ ମାନେ ବାମ କର ବାହୁମୂଳେ ଓ ପୁରୁଷ ମାନେ ଦକ୍ଷିଣ ହସ୍ତରେ ବାହୁ ମୂଳରେ ବନ୍ଧନ କରିଥାଆନ୍ତି ଏବଂ ଚନ୍ଦନ ଦ୍ବାରା ଅନନ୍ତ ପ୍ରତିମା ପ୍ରସ୍ତୁତ କରି ତାକୁ ଧୌତ କରି ସେହି ଉଦକକୁ ଭକ୍ତିରସ ସହିତ ପାନ କରିଥା'ନ୍ତି । ଏ ବ୍ରତ ଅତ୍ଯନ୍ତ ପୁଣ୍ଯପ୍ରଦ ବୋଲି ସର୍ବଜନାଦୃତ । ପାପାଚରଣ ନକରି ଧାର୍ମିକ ଜୀବନଚର୍ଯ୍ୟାର ଉପଦେଶ ଏ ବ୍ରତରେ ନିହିତ ଅଛି । 

         ଭବିଷ୍ଯ ପୁରାଣେ ଶ୍ରୀକୃଷ୍ଣ ଓ ଯୁଧିଷ୍ଠିର ସମ୍ବାଦେ ଏ ପ୍ରସଙ୍ଗ ବର୍ଣ୍ଣିତ । ଯୁଧିଷ୍ଠିର ଯେତେବେଳେ ହସ୍ତିନା ନଗରରେ ଶ୍ରୀକୃଷ୍ଣ ଭଗବାନଙ୍କୁ ପଚାରିଲେ -"ହେ ପରମେଶ୍ବର ! ତୁମ୍ଭର ତ ଅନେକ ପୂଜା ବିଧି ଓ ବ୍ରତମାନ ଅଛି  ; ତହିଁରେ ସର୍ବୋତ୍ତମ ବ୍ରତ କ'ଣ ମୋତେ କହି ମୋର ସନ୍ଦେହ ମୋଚନ କରନ୍ତୁ ।" ଶ୍ରୀକୃଷ୍ଣ ସ୍ବୟଂ ସ୍ବ-ଉତ୍ତରରେ ଧର୍ମାତ୍ମା ଯୁଧିଷ୍ଠିରଙ୍କୁ ଉପଦେଶ ଛଳରେ ତାଙ୍କର ସନ୍ଦେହ ଫେଡ଼ି ତାଙ୍କୁ କୃତକୁତ୍ଯ କରିଥିଲେ । ସେ କହିଥିଲେ ଅନନ୍ତ ବ୍ରତ ମୋର ଶ୍ରେଷ୍ଠ ବ୍ରତ । ଏ ବ୍ରତ ପରମ ଗୋପନୀୟ ଏବଂ ସ୍ତ୍ରୀ,। ପୁରୁଷ ଉଭୟଙ୍କର ଉତ୍ତମ ଗତି ପ୍ରଦାନ କରଇ। ଏ ବ୍ରତ ଭାଦ୍ରବ ମାସର ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଆରମ୍ଭ କରିବ ଓ ଚତୁର୍ଦ୍ଦଶ ବର୍ଷ ଯାଏଁ ନିଷ୍ଠାର ସହିତ ପାଳନ କରି ପାରିଲେ ପାପ ତାପ କ୍ଷୟ ହୋଇ ସର୍ବ ସୁଖ ପ୍ରାପ୍ତ ହୁଏ। ବୈକୁଣ୍ଠାଧିକାରୀ ବି ହୁଅନ୍ତି ମୋର ଏଇ ବ୍ରତଧାରୀମାନେ । ପୁନରାୟ ଯୁଧିଷ୍ଠିରଙ୍କ ପ୍ରଶ୍ନ ଥିଲା -" ହେ କେଶବ ! ଅନନ୍ତ କିଏ? କାହାକୁ ଆମେ ଅନନ୍ତ ବୋଲି କହିବା ମୋତେ ଅବଗତ କରାନ୍ତୁ ପ୍ରଭୋ।" ଶ୍ରୀକୃଷ୍ଣଙ୍କର ଉତ୍ତର ଥିଲା  - " ଅନନ୍ତ ସ୍ବୟଂ ମୁଁ । ମୁଁ ହିଁ ରବି, ଚନ୍ଦ୍ର ଏବଂ କାଳ ବି । ମୁଁ ହିଁ ନିମେଷ , ଦିବସ, ବିଭାବରୀ, ପକ୍ଷ, ମାସ, ଋତୁ, ବର୍ଷ, ଯୁଗ,। କଳ୍ପ ଓ ବ୍ଯବସ୍ଥା । ମୁଁ ହିଁ ସେହି କାଳ ଯିଏ ଭବଭାରା ତାରଣାର୍ଥେ ଜନ୍ମ । ଦାନବ ବଂଶ ନିପାତାର୍ଥେ ବାସୁଦେବ ବଂଶେ ଶଙ୍ଖ,ଚକ୍ର,ଗଦା, ପଦ୍ମ ଧାରଣକାରୀ ଶ୍ରୀକୃଷ୍ଣ ମୁଁ ଜନ୍ମ ନେଇଛି ଅନନ୍ତ । ମୁଁ ହିଁ ବ୍ରହ୍ମା, ମୁଁ ଶିବ ଏବଂ ବିଷ୍ଣୁରୂପ । ମୁଁ ହିଁ ଶେଷ ଯିଏ ଭୂମଣ୍ଡଳକୁ ଶୀରରେ ଧାରଣ କରିଛି । ମୁଁ ସର୍ବବ୍ଯାପୀ ; ମହାକାୟ ମୁଁ ଯେ ବିଶ୍ବରୂପ ଅଟେ । ଜଗତ ପ୍ରାଣୀଙ୍କର କ୍ଷୟର କାରଣ ବି ମୁଁ ହିଁ  ଅଟେ । ତୁମ୍ଭେ ଯେଉଁ ରୂପ ଦେଖୁଛ ମୋର ସେ କେବଳ ପ୍ରତ୍ଯୟ ନିମିତ୍ତ ଅବତାର ଅଟେ। ପରମ ଯୋଗୀମାନେ ମୋତେ ଧ୍ଯାନ କରି ମଧ୍ଯ ପାଆନ୍ତି ନାହିଁ । ମୋର କୌଣସି ରୂପ ନାହିଁ କହିଲେ ଚଳେ : ମୁଁ ଅରୂପ ଅଟଇ ।"

        ପୁନରାୟ ଶ୍ରୀକୃଷ୍ଣ କହୁଅଛନ୍ତି ଯୁଧିଷ୍ଠିରଙ୍କୁ ଚାହିଁ - "ନିଦ୍ରାର ଅବତାର ଯେ ହୋଇଲେ ଚତୁର୍ଦ୍ଦଶ ମନୁ ବି ମୁଁ  ; ମୁଁ ଅଷ୍ଟବସୁ ଆଉ ଦ୍ବାଦଶାଦିତ୍ଯ ଓ ଏକାଦଶ ରୁଦ୍ର । ମୁଁ ସପ୍ତଋଷି, ସାଗର, ପର୍ବତ, ଦ୍ରୁମ, ନକ୍ଷତ୍ର, ଦିଗ, ପୃଥ୍ବୀ, ପାତାଳ ଏବଂ ଚତୁର୍ଦ୍ଦଶ ଭୁବନ ବୋଲି ଜାଣି ନିଅନ୍ତୁ ଧର୍ମାବତାର।" ଶ୍ରୀକୃଷ୍ଣ କହିଲେ ପୁନର୍ବାର ତାଙ୍କୁ ଏକ ଛୋଟ ଶ୍ଳୋକରେ  -
"ମା କୁରୁକ୍ଷାତ୍ର ସନ୍ଦେହଂ ସୋ€ହଂ ପାର୍ଥ ନ ସଂଶୟ।"

ଅର୍ଥାତ୍‌ - ହେ ପାର୍ଥ ! ଏ ସମସ୍ତ ମୁଁ ହିଁ ; ଏହା ନିଃସନ୍ଦେହ । ଯୁଧିଷ୍ଠିର ପଚାରନ୍ତି ଶ୍ରୀକୃଷ୍ଣ ମୁଖ ଦର୍ଶନେ -" ହେ ପରମେଶ୍ବର ! ଏସବୁ ଆପଣ କହିଲେ ଆଉ ମୁଁ ଶୁଣି  ସନ୍ତୋଷତା ପ୍ରାପ୍ତ କଲି । ଏ ବ୍ରତ କିଏ ଓ କେବେ ପୂର୍ବେ ଆଦ୍ଯରେ ମର୍ତ୍ତ୍ୟରେ ପ୍ରଚାର କଲା ଓ ଏହାର ବିଧି କିପରି ମୋତେ କହିବା ହୁଅନ୍ତୁ । ଏ ବ୍ରତ କେମନ୍ତ ପ୍ରକାରେ ପାଳନ ମତେ କହି ପାରିବେ କି ପ୍ରଭୁ ?" ଯୁଧିଷ୍ଠିରଙ୍କୁ ଶ୍ରୀକୃଷ୍ଣ ଜ୍ଞାତ କରାଇଲେ ଏ ବ୍ରତ ବିଧାନକୁ । 

        "ସତ୍ଯ ଯୁଗରେ ବଶିଷ୍ଠ ଗୋତ୍ରରେ ସୁମନ୍ତ ନାମରେ ଜଣେ ବ୍ରାହ୍ମଣ ଥିଲେ। ତାଙ୍କର ପତ୍ନୀ ଥିଲେ ଭୃଗୁ କନ୍ଯା ଦୀକ୍ଷା । ଉଭୟଙ୍କ ମିଳନରୁ ଏକ କନ୍ଯା ଜାତ ହୋଇଥିଲା ଯାହାର ନାମ ଥିଲା ସୁଶୀଳା । ଏକଦିନେ ଜ୍ବର ରୋଗରେ ପୀଡ଼ିତ ହୋଇ ବ୍ରାହ୍ମଣ ପତ୍ନୀ ଦୀକ୍ଷା ଦେହତ୍ୟାଗ କରିବା ହେତୁ ବ୍ରାହ୍ମଣ ସୁମନ୍ତ ଧର୍ମପୁତ୍ରଙ୍କ କନ୍ଯାକୁ ଦ୍ବିତୀୟ ବିବାହ କରିଲେ । ଧର୍ମପୁତ୍ରଙ୍କ ସେହି କନ୍ଯାଙ୍କର ନାମ ଥିଲା କର୍କଶା । ସିଏ ସ୍ବଭାବରେ ମୁଖରା ଓ କ୍ଳିହୁଡ଼ି ଥିଲା। ସପତଣୀର କନ୍ଯା ସୁଶୀଳାକୁ ସେ ଆଦୌ ସହ୍ଯ କରିପାରୁ ନଥିଲା । ବୟଃପ୍ରାପ୍ତ ହୋଇବାରୁ ସୁଶୀଳାର ବିବାହ କୌଣ୍ଡିନ୍ୟ ନାମକ ଜଣେ ବ୍ରାହ୍ମଣ ଯୁବକ ସହିତ ସମ୍ପନ୍ନ ହେଲା । କିନ୍ତୁ  ଜାମାତାକୁ ଯୌତୁକ ନଦେବାକୁ ସ୍ଥିର କରି ଘରର ସର୍ବ ସାମଗ୍ରୀ ସାଥିରେ ଧରି କର୍କଶା ପିତ୍ରାଳୟ ଗମନ କରିଲା । ମାତ୍ର ଗଣ୍ଡେ ତଣ୍ଡୁଳ ଯୌତୁକ ସ୍ବରୂପରେ ଦେଇ ସୁମନ୍ତ ବ୍ରାହ୍ମଣ ଝିଅ ଜ୍ବଇଁକୁ ବିଦାୟ ଦେଲେ । ସେଠାରୁ ବିଦାୟ ନେଇ ଗଲାବେଳେ ଝିଅ ଜ୍ବଇଁ ପଥରେ ଦେଖିଲେ କି ନଦୀ ତଟେ ମହିଳାଗଣ ରକ୍ତ ପାଟବାସ ପରିଧାନ ପୂର୍ବକ ଏହି ଅନନ୍ତ ବ୍ରତକୁ ପାଳନ କରୁଥିଲେ । ସେହି ନଦୀର ନାମ ଥିଲା ଫଲ୍‌ଗୁ । ସେଦିନ ଥିଲା ଭାଦ୍ରବ ମାସ ଶୁକ୍ଳ ଚତୁର୍ଦ୍ଦଶୀ ତିଥି । ସେହି ଫଲ୍‌ଗୁ ନଦୀ ତଟରେ ଟିକେ ସମୟ ଅଟକି ଯାଇ ସୁଶୀଳା ସେହି ବ୍ରତଧାରୀ ସ୍ତ୍ରୀ-ଲୋକ ମାନଙ୍କୁ ପୁଚ୍ଛିଲା କି " ଆପଣମାନେ ଏଠି କେଉଁ ବ୍ରତକୁ ଏତେ ଭାବାତ୍ମକ ହୋଇ ପାଳନ କରୁଅଛନ୍ତି ?" ସ୍ତ୍ରୀ ଲୋକମାନେ ଉତ୍ତରରେ ପ୍ରକାଶ କଲେ "ଅନନ୍ତ ବ୍ରତ ଏ ।" କେମିତି କେଉଁ ବିଧି ବିଧାନରେ ଏ ବ୍ରତ କରୁଛ ଓ ଏହି ବ୍ରତର ଆରାଧ୍ଯ କିଏ ଯଦି ମତେ ଅବଗତ କରାଇ ପାରନ୍ତେ ତେବେ ଏସନେକ ମୁଁ ମଧ୍ୟ କରନ୍ତି " ବୋଲି ସୁଶୀଳା କହିଲା । 
     ବ୍ରତଧାରୀ ମହିଳାମାନେ ବତାଇ ଦେଲେ ବ୍ରତର ବିଧିବିଧାନମାନ ସୁଶୀଳାଙ୍କୁ । କହିଲେ -" ଉତ୍ତମ ଶାରଦ ଉଆ ଚାଉଳ ଦି' ପୋଷ ଚୂର୍ଣ୍ଣ କରି ଦୁଇଟି ପୁପ(ପିଠା) ପ୍ରସ୍ତୁତ କରିବ ନାରାୟଣଙ୍କ ନାମ ସ୍ମରଣ ପୂର୍ବକ । ସେ ପୁପକୁ ଏ ବ୍ରତର ପୂଜା କାର୍ଯ୍ୟରେ ଲଗାଇବ ଏବଂ  ପୂଜାନ୍ତେ ସେ ପୁପରୁ ଗୋଟିଏ ବ୍ରାହ୍ମଣ ହସ୍ତରେ ଦେବ । ଅନ୍ଯଟିକୁ ଆପଣ ଭୋଜନ କରିବାକୁ ହେବ । ନଦୀ ତୀରେ ପୂଜା କରି ଅନନ୍ତଙ୍କ କଥା କହି ଶ୍ରବଣ କରିବ  l ଷୋଡଶୋପଚାର କିମ୍ବା ପଞ୍ଚୋପଚାରରେ ପୂଜା ବିଧେୟ । ତହିଁ ଉତ୍ତାରୁ କୁଙ୍କୁମାକ୍ତ ଚତୁର୍ଦ୍ଦଶ ଗ୍ରନ୍ଥି ଯୁକ୍ତ କରି ଏକ ବ୍ରତ ଚତୁର୍ଦ୍ଦଶ ଖିଅ ସୂତ୍ରରେ ପ୍ରସ୍ତୁତ କରିବ । ଏ ବ୍ରତ କିନ୍ତୁ ବହୁ ସଯତ୍ନେ ହେବା ଜରୁରୀ ଅଟେ । ପୁରୁଷମାନେ ଦକ୍ଷିଣ ବାହୁରେ ଓ ସ୍ତୀ ମାନେ ବାମ ବାହୁମୂଳେ ବାନ୍ଧିବେ । ଏପରି ଚୁଦ ବରଷ ବ୍ରତର ବିଧି ଅଟେ ।"ସେମାନେ ଏକ ଶ୍ଳୋକ ପାଠ କରି ବତାଇ ଦେଲେ  । 
            
             ଅନନ୍ତ ସଂସାର ମହାସମୁଦ୍ରେ
             ମଗ୍ନଂ ସନଭୁଦ୍ଧର ବାସୁଦେବ
             ଅନନ୍ତ ରୂପେ ବିନିଯୋଜୟ ତ୍ବଂ
             ଅନନ୍ତ ରୂପାୟ ନମୋନମସ୍ତେ ।।

ସେମାନେ କହିଲେ "ଏ ଶ୍ଳୋକ ପାଠ କରି ଅନନ୍ତଙ୍କୁ ପ୍ରାର୍ଥନା କରିବ ଯେ - ହେ ଅନନ୍ତ  !!! ଏ ସଂସାର ମହାସମୁଦ୍ରରୁ ମୋତେ ଉଦ୍ଧାର କରି ମୋକ୍ଷ ପ୍ରଦାନ କରନ୍ତୁ । ଏହା କହି ସଭକ୍ତି ପ୍ରଣିପାତ କରିବା ହେବେ ।" ପୁନରାୟ ଶ୍ଳୋକଟିଏ ପ୍ରତିପାଦନ କରି ଡ଼ୋର ବାନ୍ଧିବାକୁ ବତାଇ ଦେଲେ  -

"ବଧ୍ନୌୟାଦ୍‌ ଡ଼ୋରକଂ ଦେବ୍ଯାଦାଚାର୍ଯ୍ଯାୟଚ ଦକ୍ଷିଣାଂ ।
ଦେୟଂ ସମ୍ପୂଜ୍ଯ ଭୁୟୋଽପି ଚାଳନ୍ତଂ ବିଶ୍ବରୂପିଣଂ ।।"

"ଏହି ମନ୍ତ୍ର ପାଠ ପୂର୍ବକ ବାହୁମୂଳେ ବ୍ରତ ଡ଼ୋରୀ ବାନ୍ଧି ବ୍ରାହ୍ମଣାଚାର୍ଯ୍ଯ ମହାଶୟଙ୍କୁ ଦକ୍ଷିଣା ଦେବ । ବିଶ୍ବରୂପ ଅନନ୍ତ ମହାପ୍ରଭୁଙ୍କୁ ପୂଜା କରି ବ୍ରତ ବାନ୍ଧିବ । ବ୍ରାହ୍ମଣଙ୍କୁ ଅସନ୍ତୋଷ କରିବେନି ।" ବିନା ଦକ୍ଷିଣାରେ ଦାନ ବା ବ୍ରତ ନିଷ୍ଫଳ । ଦାତା ଓ ଗ୍ରହୀତା ଉଭୟଙ୍କର ସନ୍ତୋଷତାରେ ଦକ୍ଷିଣା ଦିଆଯାଏ । ଜଣଙ୍କର ଅସନ୍ତୋଷ ରହିଲେ ଦକ୍ଷିଣା ଦେବାର ମୂଲ୍ଯ କିଛି ନଥାଏ । ଶାସ୍ତରେ ଅଛି -

"ବ୍ରତେନ ଦୀକ୍ଷା ମାପ୍ନୋତି, ଦୀକ୍ଷାୟାଂ ମାପ୍ନୋତି ଦକ୍ଷିଣା 
ଦକ୍ଷିଣାଂ ଶ୍ରଦ୍ଧା ମାପ୍ନୋତି, ଶ୍ରଦ୍ଧୟା ସୁଖ ମୁପ୍‌ମାପ୍‌ସ୍ଯତେ ।"

ଅର୍ଥାତ୍‌ - ବ୍ରତ କଲେ ବା ଦାନ, ପୂଜାଦି କର୍ମ ଓ ଭୋଜନାନ୍ତେ ଦକ୍ଷିଣା ଦେବା ବ୍ରାହ୍ମଣଙ୍କୁ ବିଧେୟ । ବିନା ଦକ୍ଷିଣାରେ ପୁଣ୍ୟ ଫଳ ପ୍ରାପ୍ତ ହୁଏ ନାହିଁ । ଯେ କୌଣସି  କାର୍ଯ୍ୟ କରିବାକୁ ହେଲେ ଦୀକ୍ଷା ଗ୍ରହଣ କରିବାକୁ ପଡ଼େ । ଦୀକ୍ଷାରେ ଦକ୍ଷିଣା ବି ଦାନ ଦେବାକୁ ପଡ଼େ । ଦକ୍ଷିଣା ଦେଲାବେଳେ ଦାତା ଓ ଗ୍ରହୀତା ଉଭୟେ ସନ୍ତୋଷ ଥିବା ଦରକାର ।

      ଉଦାହରଣ ସ୍ୱରୂପ ଦାତା ମନେକର ଗ୍ରହୀତାକୁ ଦକ୍ଷିଣା ପ୍ରଦାନ କରୁଛି । ଯଦି ତା' ମନରେ ପ୍ରଶ୍ନ ଉଠେ କି ଏତେ ଦକ୍ଷିଣା ନେଇ ଚାଲିଗଲେ ବ୍ରାହ୍ମଣ ମହାଶୟ !! ତେବେ ସେଇଠି ସବୁକିଛି ସରିଗଲା । ଦକ୍ଷିଣା ପ୍ରଦାନର ପୁଣ୍ୟ ମିଳିବା ବଦଳରେ ଅଜସ୍ର ପାପ ଅର୍ଜନ । ପୁନରାୟ ବିପରିତ ହେଲା -ଯଦି ଗ୍ରହିତା ଦକ୍ଷିଣା ଗ୍ରହଣ କଲାବେଳେ ଅସନ୍ତୋଷ ରହିଲା ତ ତେବେ ଦକ୍ଷିଣାର ମୂଲ୍ଯ ନାହିଁ । ଯଦି ତା' ମନକୁ ଆସେ -ଆଉ କିଛି ଦେଇଥଲେ ଭଲ ହୋଇଥା'ନ୍ତା  ; ତେବେ ଏଠି ବି ଦାତାର ପୁଣ୍ୟ ପ୍ରାପ୍ତି ହୁଏନି । ତେଣୁ ଉଭୟ ପକ୍ଷ ଖୁସି ରହି ପାରିଲେ ଦକ୍ଷିଣାର ମୂଲ୍ଯ ରହେ ଏବଂ ଦାତାର ମଙ୍ଗଳ ହୋଇ ପାରେ । ତେଣୁ ଶ୍ରଦ୍ଧା ସହକାରେ ଦକ୍ଷିଣା ପ୍ରଦାନ କରା ଯାଏ । ଶ୍ରଦ୍ଧା ଥିଲେ ହିଁ ତ ଖୁସି ଥାଏ ।

        ସେହି ମହିଳାମାନେ ପୁନର୍ବାର ସୁଶୀଳାକୁ ଚେତାଇ ଦିଅନ୍ତି କି ଏ ଅନନ୍ତ ବ୍ରତ  ; ଏହାକୁ ପାଳନ କଲାବେଳେ ତାମ୍ବୁଳ , ମୈଥୁନ ଯେ ପତି ସହବାସ, ଶୟନ ଏମାନ ତ୍ଯାଗ କରିବାକୁ ହିଁ ହେବ । ଏ ସବୁ ବ୍ରତର ବିଧାନ ; ଗୃହକୁ ଯାଇ ଏହିପରି ଭାବରେ ତୁମ୍ଭେ ଏ ବ୍ରତଟିକୁ ପାଳନ କରି ପାରିବ । ସୁଶୀଳା ତା'ର ପତି ପରମେଶ୍ବରଙ୍କ ସହିତ ଗୃହକୁ ଗମନ କଲା ଏବଂ ସେମାନଙ୍କ କହିବା ମୁତାବକ ତାଙ୍କ ଠାରୁ ଶିକ୍ଷା କରି ଏ ବ୍ରତ କରିଲେ । ଫଳତଃ କୌଣ୍ଡିନ୍ୟଙ୍କର ଗୃହ ଧନରତ୍ନ ଓ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହୋଇପଡ଼ିଲା । ଦିନେ କୌଣ୍ଡିନ୍ୟଙ୍କର ଦୃଷ୍ଟି ପଡ଼ିଗଲା ଭାର୍ଯ୍ୟା ସୁଶୀଳାଙ୍କ ବାହୁମୂଳେ ବନ୍ଧା ହୋଇଥିବା ବ୍ରତଟି ଉପରେ । ପ୍ରଶ୍ନ କଲେ ସୁଶୀଳାକୁ କୌଣ୍ଡିନ୍ୟ - "ଏ ତୁମ୍ଭର କି?" ସୁଶୀଳା ଉତ୍ତର ଦେଲା - "ହଁ ଇଏ ମୋର ,ସ୍ବାମୀ  । ଯେଉଁ ପ୍ରସାଦରୁ ଆମର ଏଇ ଅଚଳାଚଳ ସମ୍ପତି  ; ଇଏ ସେହି ଅନନ୍ତ ବ୍ରତ ।"

      ସୁଶୀଳାର ବଚନ ଶ୍ରବଣ ମାତ୍ରକେ ଅହେତୁକ ରୋଷ କଲା ସେହି କୌଣ୍ଡିନ୍ୟ ବ୍ରାହ୍ମଣ । ବୋଇଲା - "ଅନନ୍ତ କିଏ ମୁଁ ଜାଣେନା । ତୁମେ କେମିତି  ମୋ ଅଜ୍ଞାତେ ଏ ବ୍ରତ ପାଳ ?" ଏମନ୍ତ କ୍ରୋଧର ବଶୀଭୁତ ହୋଇ ବ୍ରତକୁ ଭାର୍ଯ୍ୟା ସୁଶୀଳାର ବାହୁ ମୂଳରୁ ଭିଡି ଛିଣ୍ଡାଇ ନେଇ ଜ୍ବଳନ୍ତାଗ୍ନିରେ ନିକ୍ଷେପ କଲା କୌଣ୍ଡିନ୍ୟ  l 

       ସୁଶୀଳା ଇତସ୍ତତଃ ହୋଇ ବେଗେ ଧାଇଁ ଯାଇ "କି କର୍ମ କଲ" କହି ପ୍ରଜ୍ବଳିତାଗ୍ନିରୁ ବ୍ରତ ତୋଳି ଆଣି ଦୁଧ ଭାଣ୍ଡରେ ପକାଇଲା । ପତିଙ୍କୁ ସୁଶୀଳା ଖେଦୋକ୍ତି ପ୍ରକାଶ କରି କହିଲା -" ଦେବଦେବେଶ ମହାପ୍ରଭୁ ଅନନ୍ତ ଦେବତା ; ତାଙ୍କୁ ସେବି ମୁଁ ଏ ବ୍ରତାଚରଣ କରିଥିଲି ସ୍ବାମୀ । ତୁମ୍ଭେ ତାହାକୁ ଅବଜ୍ଞା କରିଲ ; ବିଷ୍ଣୁ ଦ୍ରୋହୀ ହେଲେ ଆପଣ ।" ଏହି ଅବଜ୍ଞାରୁ ବ୍ରାହ୍ମଣ ବନିଗଲା ଭିକ୍ଷୁକ । ସକଳ ସମ୍ପତ୍ତି ତା'ର  ଚୋର ଘେନିଗଲେ , ମୂଷିକମାନେ ହରଣ କରିନେଲେ ଦ୍ରବ୍ଯ, ଯାହାକୁ ଯାହା ଦେଲେ ସେ ଆଉ ଫେରାଇ ଦେଲା ନାହିଁ , ବନ୍ଧୁମାନେ କଳହ କରି ଚାଲିଲେ, ମିତ୍ରମାନେ ଅମିତ୍ର ବନିଗଲେ ଏବଂ କୌଣସି ବି ଲୋକ ତା' ସଙ୍ଗେ କଥୋପକଥନ କଲେ ନାହିଁ । ଅନନ୍ତଙ୍କର କୋପର କୁପ୍ରଭାବରୁ ଏସବୁ । ସେତେବେଳେ ସୁଶୀଳା ପତିଙ୍କୁ ବହୁ ଭର୍ତ୍ସନା କଲା। କ୍ରୋଧ ପରବେଶ ହୋଇ କହିଲା -" ଭୋ ସ୍ବାମୀ ! ତୁମ୍ଭେ ବାଇ ହୋଇଲ। ତୁମ୍ଭର ଶ୍ରୀକ୍ଷୟ ଯାଇ ତୁମ୍ଭେ ଶ୍ରୀହୀନ ହୋଇଗଲ।" କୌଣ୍ଡିନ୍ୟ ମାନସେ ଖେଳିଗଲା ବିଷାଦର ଛାୟା । ଅନନ୍ତଙ୍କୁ ଦେଖିବାର ବିଚାର ପୂର୍ବକ ସେ କଲେ ନିରଶନ ବ୍ରତ ଏବଂ ହରିଙ୍କୁ ଆତ୍ମା ନିବେଦନ କରି ତାଙ୍କରି ଶରଣାପନ୍ନ ହେଲେ । ଖୋଜିବା ପାଇଁ ଅନନ୍ତଙ୍କୁ ସେ ଜନ ବର୍ଜିତ ବନସ୍ତରେ ଘୁରି ବୁଲିଲେ । ଅନେକଙ୍କୁ ଯଥା - ଆମ୍ରତରୁ, ଗୋ-ବତ୍ସା, ବୃଷଭ, ବେନି ପୁଷ୍କରିଣୀ ଆଦିଙ୍କୁ ଅନନ୍ତଙ୍କ ବିଷୟରେ ପଚାରି ବୁଝିଲା । ସମସ୍ତେ ରୋକ୍‌ଠୋକ୍‌ ମନା କରିଦେଲେ ଆମେ ଅନନ୍ତଙ୍କୁ ଦେଖିନାହୁଁ  ; ଅନନ୍ତ କିଏ ଆମେ ଜାଣୁନା  ।

        ପରିଶେଷରେ ଉପାୟ ଶୂନ୍ଯ ହୋଇ କୌଣ୍ଡିନ୍ୟ ବ୍ରାହ୍ମଣ ବିଷାଦ ଚିତ୍ତରେ ଅନନ୍ତଙ୍କୁ ସ୍ମରଣ କଲା । "ହେ ନାଥ ! ମୋତେ ଏବେ ଆପଣ ସୁରକ୍ଷା ପ୍ରଦାନନ୍ତୁ" କହି ମୂର୍ଚ୍ଛିତ ହୋଇ ଭୂମି ଉପରେ ପତିତ ହେଲା । ପ୍ରଭୁ ତ ପରମ ଦୟାଳୁ  ; ଭକ୍ତ ଦୁଃଖରେ ସେ ମ୍ରିୟମାଣ ହୋଇ ପଡ଼ିଲେ । ସିଂହାସନ ତେଜି ଉପନୀତ ହୋଇଗଲେ ତତ୍‌କ୍ଷଣାତ୍‌ କ୍ଷୀଣ ଶରୀର ଯୁକ୍ତ ମୂର୍ଚ୍ଛିତ କୌଣ୍ଡିନ୍ୟ ସମୀପେ ଜନୈକ ବୃଦ୍ଧ ବ୍ରାହ୍ମଣ ରୂପରେ । ସ୍ବଳ୍ପହାସ୍ଯେ ବୋଲିଲେ ସେହି ବୃଦ୍ଧ ବ୍ରାହ୍ମଣ - "ଉଠ,ଉଠ ବିପ୍ରବର ; ଖେଦ ପରିତ୍ଯାଗି ଆନନ୍ଦତା ପ୍ରାପ୍ତ କର । ହେ ବିପ୍ର ! ଭକ୍ତାନୁଗ୍ରହକାରୀ ଶ୍ରୀମାନ୍‌ ଅନନ୍ତ ଦେବଙ୍କୁ ଦର୍ଶନ କରାଇବି ମୁଁ ଆପଣଙ୍କୁ । ତାଙ୍କ ଡ଼ାକରାରେ ମୂର୍ଚ୍ଛା ଭଙ୍ଗ ହେଲା କୌଣ୍ଡିନ୍ୟର । କୌଣ୍ଡିନ୍ୟର କର ଧରି ବୃଦ୍ଧ ବ୍ରାହ୍ମଣ ନେଇଗଲେ ତାଙ୍କୁ ଏକ ଗିରି ଗୁହା ମଧ୍ଯକୁ । ସେଠାରେ ଶ୍ରୀମନ୍‌ ଅନନ୍ତ ଦେବ ସିଂହାସନରେ ଶଙ୍ଖ,ଚକ୍ର ଓ ଗଦା, ପଦ୍ମ ହସ୍ତରେ ବିରାଜି ଅଛନ୍ତି ଏବଂ ଦିବ୍ଯ ନାରୀମାନେ ଚତୁଃପାର୍ଶ୍ୱରେ ବେଢ଼ି ଅଛନ୍ତି । ଗରୁଡ଼ ସ୍ତବ ପାଠ କରୁଛି ସେହି ଅନନ୍ତଙ୍କ ସାମ୍ନାରେ ବେନି କର ସଂଯୋଗରେ । ପଞ୍ଚଜନ୍ଯ ଶଙ୍ଖ , ସୁଦର୍ଶନ ଚକ୍ର ,କୌମାଦକୀ ଗଦା ଏବଂ  ଦିବ୍ଯରୂପା ପଦ୍ମ ଧାରଣକାରୀ, ନାନା ଭୂଷଣେ ଭୂଷିତ ଶ୍ରୀ ଅନନ୍ତ ବିଶ୍ବରୂପୀଙ୍କୁ ସ୍ବ-ନେତ୍ରେ ଦେଖି କୌଣ୍ଡିନ୍ୟ ଦଣ୍ଡ ପରି ଭୂମିରେ ପତିତ ହେଲା । ଭାବ ବିହ୍ବଳିତ ହୋଇ ଅପରାଧ କ୍ଷମାପନ ପାଇଁ ନିବେଦନ ପୂର୍ବକ ବହୁ ସ୍ତୁତି ବଖାଣିଲା କୌଣ୍ଡିନ୍ୟ ।

"ପାପୋହଂ ପାପ କର୍ମାହଂ ପାପାତ୍ମା ପାପସମ୍ଭବଃ ।
ତ୍ରାହିମାଂ ପୁଣ୍ଡରୀକାକ୍ଷ ସର୍ବପାପହରୋ ହରି ।।
ଅଦ୍ଯମେ ସଫଳଂ ଜନ୍ମ ଜୀବିତଂ ଚ ସୁଜୀବିତଂ ।
ଯତ୍ତବାଘ ଯୁଗାବ୍‌ଜେ ଚ ମୁର୍ଦ୍ଧା ମେ ଭ୍ରମରୀୟତେ ।।
ଜାନତାଽଜାନତା ବାପି ଯେ ଅରାଧଃ କୃତୋମୟା ।
ତତ୍‌କ୍ଷମସ୍ବ ଜଗନ୍ନାଥ  ତ୍ବଦ୍ରବ୍ରତଂ ପ୍ରକାରୋମ୍ଯହଂ।।
ତତ୍ଯ ପ୍ରସନ୍ନୋ ଭଗବାନ୍‌ ସର୍ବଭୂତାନ୍ତବସ୍ଥିତଃ ।
ଉବାଚତଂ ମହାଭାଗଂ କୌଣ୍ଡିନ୍ୟ ଭକ୍ତବତ୍ସଳ  ।""

ଅର୍ଥେ :- ମୁଁ ମହାପାପୀ ; ମୋର ସର୍ବ ପାତକ ହର ହେ ହରି । ଆଜି ମୋ ଜନ୍ମ ଏବଂ ଜୀବନ ସାଫଲ୍ଯ ମଣ୍ଡିତ ହୋଇଛି ; ଯେହେତୁ ତୁମ୍ଭ ପାଦପଦ୍ମରେ ମୋ ମସ୍ତକ ଅବସ୍ଥିତ ହେଲା । ହେ ଜଗତର ନାଥ ଜଗନ୍ନାଥ  ! ମୋତେ ରକ୍ଷାକର ଏବଂ  ମୋ କୃତାପରାଧ କ୍ଷମା କର । ବ୍ରାହ୍ମଣ କୌଣ୍ଡିନ୍ୟର ସ୍ତୁତିରେ ସନ୍ତୋଷତା ପାଇ ଭଗବନ୍‌ ଅନନ୍ତ କହିଲେ - "ବରଂ ବୃରୁଷ୍ମ ବିପ୍ରେନ୍ଦ୍ର ଯଂ ବର ମନମେଚ୍ଛସି ।"
ଅର୍ଥାତ୍‌ -ହେ ବିପ୍ର ! ତୁମ୍ଭର ଇପ୍ସିତ ବର ପ୍ରାର୍ଥନା କର । ଏହା ଶୁଣି କୌଣ୍ଡିନ୍ୟ ଦୁଇଟି ଦୁର୍ଲଭ ବର ପ୍ରାର୍ଥନା କରିଲା । ଭଗବନ୍‌ ବିଷ୍ଣୁ  ତାହା ପ୍ରଦାନିଲେ । ଗୋଟିଏ ବର ହେଲା -ଦାରିଦ୍ର୍ୟତା ନିବାରଣ ଏବଂ  ଆନଟି ହେଲା ବିଷ୍ଣୁଲୋକ ପ୍ରାପ୍ତି । 

      କୌଣ୍ଡିନ୍ୟ ପୁଚ୍ଛିଲା ପ୍ରଭୁଙ୍କୁ -" ଯଦି ମୋ'ଠାରେ ପ୍ରସନ୍ନ ଆପଣ, ତେବେ ପଥରେ ଭେଟିଥିବା ଆମ୍ରତରୁ, ଗୋରୁ, ବୃଷ, ପୁଷ୍କରିଣୀ ଏମାନେ କିଏ ମୋତେ ଅବଗତ କରାନ୍ତୁ । ସେ ଗଧ ଓ ହସ୍ତୀ କିଏ ମୁଁ ଜାଣିବାକୁ ଇଚ୍ଛୁକ  ।" ଅନନ୍ତ ବୁଝାଇ ଦେଲେ ସ୍ପଷ୍ଟ ଭାବରେ ତାଙ୍କୁ । ସେ କହିଲେ -" ବାଟରେ ଭେଟିଥିବା ଚୂତ ବୃକ୍ଷ ପୂର୍ବ ଜନ୍ମରେ ଗୋଦାବରୀ ନଦୀ କୂଳର ବାସିନ୍ଦା ବିଦ୍ଯାପତି ଯିଏ କି ସର୍ବ ବିଦ୍ଯାରେ ପାରଙ୍ଗମ । ତା' ନିକଟକୁ ଶିଷ୍ଯ ଆଗତ ହେଲେ ମନରେ ଗର୍ବ କରି ବିଦ୍ଯା ଶିକ୍ଷା ଦିଏ ନାହିଁ । ଏ ଦୋଷ କାରଣରୁ ସେ ଜଙ୍ଗଲ ଗର୍ଭରେ ଚୂତ ବୃକ୍ଷଟିଏ ହୋଇ ଜନ୍ମ ନେଲା ଏବଂ ତା'ଫଳ କେହି ଭକ୍ଷିଲେନି । ପୂର୍ବ ଜନ୍ମରେ ଗୋରୁ ଭୂମି ଦାନ ଦେବାକୁ କହି ନଦେବା ହେତୁ ବଣରେ ବିତାଉଛି ବର୍ତ୍ତମାନର ଗୋ-ଜୀବନଟିଏ । ତାହାର ଦୁଗ୍ଧ ଅପେୟ ହୋଇଅଛି ।"

        ପୁଣି କହିଲେ ଅନନ୍ତ  -"ତୁମ୍ଭେ ଦେଖିଥିବା ବୃଷଭଟି ପୂର୍ବ ଜନ୍ମେ ସେବକଟି ଥିଲା ଯାହାର ନାମ କର୍ମଚୌର । ଆପଣାର ପ୍ରଭୁକୁ ସେ ଠକିଥିବା ପାତକାନୁସାରେଣ ବୃଷ ଜନ୍ମ ନିକାଞ୍ଚ ଜଙ୍ଗଲେ । ହେ ବିପ୍ର ! ତୁମ୍ଭେ ଦେଖିଥିବା ବେନି ପୁଷ୍କରିଣୀ ପୂର୍ବ ଜନ୍ମରେ ଥିଲେ ବେନି ସପତଣୀ। ପରସଫରର ବିବାଦ ମାରି ପକାଇଲା ଆପଣାର ପତିକୁ। ସେହି ପାତକ ଭୋଗ ରୂପରେ ନିକାଞ୍ଚନ ବଣ ବକ୍ଷରେ ଦିହେଁ ପୁଷ୍କରିଣୀ ହୋଇ ଅବସ୍ଥାନ କଲେ । ତାଙ୍କ ନୀର ହୋଇଗଲା ସବୁରି ପାଇଁ ଅପେୟ । ପୂର୍ବ ଜନ୍ମରେ ହସ୍ତୀ ଗର୍ବୀ ଥିବାରୁ ହାତୀ ଏବଂ ଗର୍ଦ୍ଦଭ କ୍ରୋଧୀ ଥିବାରୁ ଗଧ ଜନ୍ମ ନେଇ ରହିଲା । ଯେବେ ତାଙ୍କ ପୁତ୍ର ପୌତ୍ରାଦିମାନେ ମୋର ଏ ଅନନ୍ତ ବ୍ରତ ପାଳିବେ ସେ ପାତକରୁ ମୁକ୍ତ ହୋଇ ପାରିବେ । ହେ ବିପ୍ର ! ତୁମ୍ଭେ ଗୃହକୁ ପ୍ରତ୍ଯାବର୍ତ୍ତନ କରି ମୋର ଏ ବ୍ରତ ପାଳନ କର । ପୁନର୍ବାର ସମ୍ପତ୍ତି ପ୍ରାପ୍ତ ହେବ ; ଏଥିରେ ତିଳେ ସନ୍ଦେହ ନାହିଁ । ବିପୁଳ ସମ୍ପଦ ଭୋଗି ଅନ୍ତଃକାଳେ ମୋ ପୁରେ ଅବସ୍ଥାନ କରିବ।" ଏ ବର ପ୍ରଦାନାନ୍ତେ ଅନ୍ତର୍ଦ୍ଧାନ ହୋଇଗଲେ ଅନନ୍ତ ଦେବ ।

     କୌଣ୍ଡିନ୍ୟ  ପୁନଃ ଅନନ୍ତ ବ୍ରତ ପାଳନ କରି ନିଜର ହୃତ ବୈଭବ ଫେରି ପାଇଥିଲେ । ଏପରିକି ବିଦ୍ଯାଦାନ କରିନଥିବା ବିଦ୍ଯାପତି , ଭୂମି ଦାନ କରି ନଥିବା ଧେନୁ, ଆପଣା ପ୍ରଭୁକୁ ଠକିଥିବା ସେବକ କର୍ମଚୌର , ଗର୍ବୀ ହସ୍ତୀ, ପତିହନ୍ତା ସପତଣୀ ବେନି ପୁଷ୍କରିଣୀ, କ୍ରୋଧୀ ଗର୍ଦ୍ଦଭ ଏମାନେ ସରବେ ଅନନ୍ତ ବ୍ରତକୁ ପାଳନ। କରି ଅଭିଶାପରୁ ମୋଚନ ହୋଇଥିଲେ ବୋଲି ଆଖ୍ଯାୟିକାରେ ବର୍ଣ୍ଣନା କରାଯାଇଛି । ତେଣୁ ଶ୍ରଦ୍ଧାଳୁ ମାନେ ସତ୍ଯ ନିଷ୍ଠା ଓ ଭକ୍ତି ନିଷ୍ଠାରେ ଏ ବ୍ରତକୁ ପାଳନ କରନ୍ତି । ଶ୍ରୀକୃଷ୍ଣ  ଯୁଧିଷ୍ଠିରଙ୍କୁ ଏସବୁ କହିସାରି କହିଲେ - " ଯେ ଜନ ଏ ବ୍ରତ କଥା ଶୁଣେ ବା ପଢ଼େ, ତା'ର ବ୍ରହ୍ମହତ୍ୟା ପାପ କ୍ଷୟ ଯାଇ ପରମପଦ ପ୍ରାପ୍ତ ହୁଏ । ତୁମ୍ଭ ସମ୍ମୁଖରେ ଏ ବ୍ରତ ବିଧାନ ଉପସ୍ଥାପନ କଲି ; ତୁମ୍ଭେ ଏହାକୁ ଚଉଦ ବରଷ ଯାଏଁ କରି ସ୍ବ-ଦୁଃଖ ନିବାରଣ କର ଏବଂ ପରକାଳରେ ମୋହର ପରମପଦ ପ୍ରାପ୍ତ କର ।"

         ଭାରତରେ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରୁ ଅନନ୍ତଙ୍କ ପୂଜା କରାଯାଉଥିବା ପତ୍ନତାତ୍ତ୍ବିକ ଅନୁସନ୍ଧାନରୁ ଜଣା ପଡ଼ିଥାଏ । ଭୁବନେଶ୍ବରର ବିନ୍ଦୁ ସାଗର କୂଳରେ ଅନନ୍ତ ବାସୁଦେବଙ୍କ ମନ୍ଦିର ଥିବା ବେଳେ ଶ୍ରୀମନ୍ଦିର (ପୁରୀ)ରେ ମଧ୍ୟ ଅନନ୍ତ ପୂଜିତ ହୋଇଥାଆନ୍ତି । ଅନନ୍ତ ଚତୁର୍ଦ୍ଦଶୀରେ ଅତ୍ର ସ୍ବତନ୍ତ୍ର ନୀତି ଭୋଗ ବନ୍ଦାପନାଦି କରାଯାଇଥାଏ । ସେ ଯାହା ବି ହେଉ , ଏ ପୁରାଣ ବର୍ଣ୍ଣିତ କଥନ ସତ୍ଯ ହେଉ ଅବା ମିଥ୍ଯା  ; ଲୋକମାନଙ୍କୁ ଦେଇ ପାରୁଛି ଉଚିତ୍ ଶିକ୍ଷା । ଅନ୍ଯାୟ ଓ ଅଧର୍ମ ରାସ୍ତାରୁ ବିରତ ହେବାକୁ ଏଇ ଭଳି ଭୟଭୀତ ବାର୍ତ୍ତା କିଛିକାଂଶରେ ସତ୍ଯ, ନ୍ଯାୟ ଓ ଧର୍ମକୁ ଉଜ୍ଜୀବିତ ତ କରି ପାରିଛି ନା ; ସେତିକି ଯଥେଷ୍ଟ । ବ୍ରତ ହେଉ କି ଧର୍ମ ଗାଥା ହେଉ ; ଜନ ସମାଜରେ ମଙ୍ଗଳ ମଞ୍ଜି ବୁଣିବାରେ ସହାୟକ ହୋଇ ପାରୁଛି ଯେତେବେଳେ ଆଖି ବୁଜି ବିଶ୍ବାସ କରିବା ହିଁ  ଉଚିତ୍‌ ହେବ । 
         "ବ୍ରତ" ଶବ୍ଦ ସଂସ୍କୃତ "ବୃ" ଧାତୁରୁ ନିଷ୍ପନ୍ନ । ଏହାର ଅର୍ଥ ବରଣ କରିବା , ପ୍ରାର୍ଥନା କରିବା । ସ୍ବର୍ଗୀୟ ସୁଖ, ଧନାଦି କାମନାରେ ନିୟମିତ ବା ସଂକଳ୍ପିତ ଧର୍ମ ଅନୁଷ୍ଠାନ ବା ଉପବାସାଦିକୁ "ବ୍ରତ" ବୋଲି ଅଭିଧାନ ମାନଙ୍କରେ ଉଲ୍ଲେଖ କରାଯାଇଛି । କାମନା ପୂରଣ ଉଦ୍ଦେଶ୍ଯରେ ଆଚରଣ ଏବଂ ଖାଦ୍ଯପେୟରେ ଶୁଦ୍ଧ ଓ ସଂଯତ ରହି ନିର୍ଦ୍ଧିଷ୍ଟ ତିଥି, ବାର, ଯୋଗ, ସପ୍ତାହ, ମାସ ବା କାଳରେ କୌଣସି ଠାକୁର ଓ ଠାକୁରାଣୀଙ୍କର ଆନୁକୂଲ୍ୟ ଲାଭ ଓ ସନ୍ତୋଷ ବିଧାନ ଅର୍ଥେ ସଂକଳ୍ପବଦ୍ଧ ହୋଇ ନିର୍ଦ୍ଧାରିତ ନିୟମାନୁଯାୟୀ ଏକ ପ୍ରକାରର ଧର୍ମକୃତ୍ଯକୁ କୁହାଯାଏ "ବ୍ରତ"। ବ୍ରତ ପାଳନରେ ନିରାହାର ରହିବା ଅପରିହାର୍ଯ୍ୟ ନୁହେଁ । କେତେକ ବ୍ରତରେ ଲଘୁ ଓ ଯଜ୍ଞୋପଯୋଗୀ ଖାଦ୍ଯ ଗ୍ରହଣର ବ୍ଯବସ୍ଥା ଅଛି ।

       ବ୍ରତଗୁଡ଼ିକ ସାଧାରଣତଃ ସ୍ମୃତି ବା ଧର୍ମଶାସ୍ତ୍ରାନୁମୋଦିତ ପ୍ରଣାଳୀରେ ପାଳିତ ହୁଏ । ଏଥିରେ ସଂକଳ୍ପ, ଇଷ୍ଟପୂଜା,କଥା ଶ୍ରବଣ ଅନିବାର୍ଯ୍ୟ ଅଙ୍ଗ ଭାବରେ ଥାଏ । ଏହା ପୁରୁଷ ଜନ ଏବଂ ସ୍ତ୍ରୀ ଜନ ଉଭୟ ପାଳି ପାରିବେ । କେତେକ ବ୍ରତ ସଂସ୍କୃତର ପୁରାଣରୁ ଗୃହୀତ । ଭବିଷ୍ଯୋତ୍ତର ପୁରାଣରୁ "ଅନନ୍ତ ବ୍ରତ", "ଋଷି ପଞ୍ଚମୀ ବ୍ରତ","କୁକ୍କୁଟୀ ବ୍ରତ", "ଲକ୍ଷ୍ମୀ ନାରାୟଣ ବ୍ରତ","ପୌଷ ରବିବାର ବ୍ରତ", "ଅସିତାଷ୍ଠମୀ ବ୍ରତ" ଆନୀତ ହୋଇ ପାରିଛି । ପଦ୍ମ ପୁରାଣରୁ "ସୁଦଶା ବ୍ରତ", "ଗୁରୁ ପଞ୍ଚମୀ ବ୍ରତ" ଆସିଥିବାର ସୂଚନା ମିଳୁଥିବା ବେଳେ ଶିବ ପୁରାଣରୁ "ସୋମନାଥ ବ୍ରତ", ଶାମ୍ବ ପୁରାଣରୁ "ଦୁର୍ଗା ଅଷ୍ଟମୀ ବ୍ରତ", କାଳିକା ପୁରାଣରୁ "ମହାକାଳୀ ବ୍ରତ", ମହାଭାରତରୁ "ସାବିତ୍ରୀ ବ୍ରତ" ଆଦି ଆସିଥିବାର ଉଲ୍ଲେଖ ରହିଛି । କେତେକ ବିଦ୍ବାନ ମତ ଦ୍ଯନ୍ତି ଯେ କେତେକ ବ୍ରତମାନ ଲୌକିକ ଧର୍ମରୁ ଗୃହିତ ହୋଇ କ୍ରମେ ପୁରାଣ ମାନଙ୍କରେ ସ୍ଥାନିତ ହୋଇ ପାରିଛି । ଆଉ କିଛି ସୁଜ୍ଞ ଜନ ବ୍ରତାଚାରକୁ ବ୍ରାତ୍ଯ ସଂସ୍କୃତିର ଅବଦାନ ଅବଦାନ ବୋଲି ଯୁକ୍ତି ପ୍ରତିପାଦନ କରନ୍ତି । କିନ୍ତୁ  ଏ ମତ ଏଯାଏଁ  ପ୍ରତିଷ୍ଠିତ ହେଇ ପାରିନି । 

        ଲୋକ ମୁଖରେ ପ୍ରଚଳିତ ଓ ପରବର୍ତ୍ତୀ ସମୟେ ପୋଥିରୁ ସଂଗୃହୀତ ଗଦ୍ଯ ବା ପଦ୍ଯ -ବଦ୍ଧ ଓଷା କଥା ଗୁଡ଼ିକରେ ଅଲୌକିକ ଓ ଲୌକିକ ସୂତ୍ରର ପ୍ରମାଣ ମିଳେ । ଯଥା - "କେଦାର ବ୍ରତ"ରେ ଅଛି -

"ଚକୁଳିଆ ପଣ୍ଡାର ଦୁଇଟି ଝିଅ ସ୍ବର୍ଗରୁ କେଦାର ମା' ବ୍ରତ ମଞ୍ଚେ ଆଣିଲେ ,
ସେହିଦିନ ଠାରୁ ଏ ବ୍ରତ ମନୁଷ୍ଯମାନେ ପାଳିଲେ ।।"

"ନିଶା ମଙ୍ଗଳବାର" ବ୍ରତ କଥାରେ ରାଜାଙ୍କ ପ୍ରଶ୍ନର ଉତ୍ତର ସାଧବାଣୀ ଦେଇ କହିଛି -

"ମୁଁ ଆଶ୍ବିନ ମଙ୍ଗଳବାର ଢ଼ିଙ୍କିଶାଳ ଲିପାପୋଛା କରି ଶ୍ରୀ ସର୍ବମଙ୍ଗଳାଙ୍କ ଓଷା କରଇ ।"
"ଚଇତି ମଙ୍ଗଳବାର" ଓଷା କଥାରେ ଅଛି -
"ଚଇତି ମଙ୍ଗଳବାର କେହି ନକରନ୍ତି । ସ୍ବର୍ଗର ନିତେଇ ଧୋବଣୀ କରେ । ମଞ୍ଚପୁରେ ଚଇତି ହାଡ଼ିଆଣୀ କରଇ । ରାଜା ଚଇତି ହାଡ଼ିଆଣୀ ଠାରୁ ଓଷା ବିଧି ଶୁଣି ରାଣୀ ମାନଙ୍କୁ ଓଷା କରାଇଲେ ଏବଂ ଫଳତଃ ପୁତ୍ରଲାଭ କଲେ ।"

        ଆର୍ଯ୍ୟମାନଙ୍କ ବସତି ପୂର୍ବୁ ଓଡ଼ିଶାର ଆଦିମ ଜନଗୋଷ୍ଠୀରେ ଏଗୁଡ଼ାକ ପ୍ରଚଳନ ଥିବାର ବିଶ୍ବାସ ଅଛି । ବହୁ ବ୍ରତର ପୌରହିତ୍ଯ ପାଇଁ ବ୍ରାହ୍ମଣ ମାନଙ୍କର ଅନାବଶ୍ୟକ । କଥା ପାଠ, କଥନ ମଧ୍ୟ ଏ ବ୍ରତ ପାଳନ ଅନ୍ତର୍ଗତ ଅଟେ । ତା'ଛଡ଼ା ବୈଜ୍ଞାନିକ ଦୃଷ୍ଟି କୋଣରୁ ସମୟ ବ୍ଯବଧାନରେ ଲଘୁ ଖାଦ୍ଯ ଭୋଜନ ସ୍ବାସ୍ଥ୍ୟଗତ ସମସ୍ଯା ବି ଉପୁଜାଏନି ।

          ସବୁ ବ୍ରତ ମଧ୍ୟରୁ ଏ ଅନନ୍ତ ବ୍ରତ କିନ୍ତୁ ନିଆରା ଅଟଇ। ଏ ବ୍ରତ ଭଗବାନ୍‌ ବିଷ୍ଣୁଙ୍କ ଉଦ୍ଦେଶ୍ଯରେ ଉତ୍ସର୍ଗୀକୃତ । ଏ ବ୍ରତରେ ଉହ୍ଯ ବାର୍ତ୍ତାଟିଏ - ରାଜ୍ଯ ଫେରି ପାଇବାକୁ ଚଉଦ ବର୍ଷ ବ୍ରତ ପାଳନର ପରାମର୍ଶ ଶ୍ରୀକୃଷ୍ଣଙ୍କ ଠାରୁ ଯୁଧିଷ୍ଠିରଙ୍କୁ ପ୍ରାପତ ବୋଲି ପୁରାଣ ବର୍ଣ୍ଣିତ । ଏ ବ୍ରତରେ ଚଉଦ ସଂଖ୍ଯାର ବିଶେଷ  ଗୁରୁତ୍ବ ଅଛି । ବ୍ରତୀମାନେ ଚଉଦ ପ୍ରକାରର ଫୁଲ,ଚଉଦ ପ୍ରକାରର ଫଳ, ପତ୍ର, ପନିପରିବା ଇତ୍ଯାଦି ଏହି ପୂଜା କାର୍ଯ୍ୟରେ ବ୍ଯବହାର କରନ୍ତି । ସୂତ୍ର ପ୍ରସ୍ତୁତ ଏକ ବ୍ରତରେ ବ୍ରତୀ ଚଉଦ ଗୋଟି ଗ୍ରନ୍ଥି କରି ପୂଜା ଶେଷେ ପୟୋମୃତରେ ଧୌତ ବା ଶୋଧନ କରି ବାହୁ ମୂଳରେ ବାନ୍ଧିଥା'ନ୍ତି । ପୂଜାର ଚଉଦ ଦିନ ପରେ ବ୍ରତ ଓହ୍ଲାଇ ବିସର୍ଜନ କରିଦିଅନ୍ତି ।

          ଆମ ଓଡିଶା ପରମ୍ପରା ଓ ଧର୍ମୀୟ ଭାବନାର ଓଡ଼ିଶା । ଅନନ୍ତ ବ୍ରତର ବର୍ଣ୍ଣିତ ବିଷୟ ସମାଜ ମଙ୍ଗଳ କରି ପାରୁଥିଲେ ଏ ବ୍ରତକୁ ସମସ୍ତେ ପାଳନ କରିବା ଯଥୋଚିତ ହେବ ବୋଲି ମୋର ଆଶା ଓ ବିଶ୍ବାସ ।।

 
ଭାଟପଡ଼ା,ନିରାକାରପୁର,କଣାସ,ପୁରୀ 







Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା