ବିଘ୍ନ ବିନାଶାୟ - ଶ୍ରୀ ଗଣେଶ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ହିନ୍ଦୁ ଲୋକକଥା ଅନୁସାରେ ତେତିଶ କୋଟି ଦେବାଦେବୀ , ତନ୍ମଧ୍ୟରୁ ଗଣେଶ ଅନ୍ଯତମ । ସବୁଠାରୁ ଅଧିକ ପୂଜିତ ହେଉଥିବା ଦେବତା ଶ୍ରୀ ଗଣେଶ । ସେ ଶିବ ଓ ପାର୍ବତୀଙ୍କର କନିଷ୍ଠ ପୁତ୍ର ତଥା କାର୍ତ୍ତିକେୟଙ୍କର ଅନୁଜ । କାର୍ତ୍ତିକେୟଙ୍କ ବାହନ ମୟୁର ହୋଇଥିବା ବେଳେ ଗଣେଶଙ୍କର ବାହନ ମୂଷିକ । ଗଣେଶଙ୍କର ପ୍ରତିମୂର୍ତ୍ତି ଭାରତ ଓ ନେପାଳରେ ସର୍ବତ୍ର ପରିଦୃଷ୍ଟ । ହିନ୍ଦୁଗଣ ଜାତି , ଭାଷା , ବର୍ଣ୍ଣ ନିର୍ବିଶେଷରେ ଗଣେଶଙ୍କୁ ପୂଜା କରିଥା'ନ୍ତି । ଏତତ୍ ବ୍ଯତିତ ଜୈନ , ବୁଦ୍ଧ ଏବଂ ଅଣଭାରତୀୟମାନେ ବି ଗଣେଶଙ୍କ ଆରାଧନା କରନ୍ତି । ଶାସ୍ତ୍ରରେ ଦ୍ବାତ୍ରିଂଶ ପ୍ରକାର ଗଣେଶଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି । ଅନେକ ବିଶେଷତ୍ୱ ମଧ୍ଯରୁ ଗଣେଶଙ୍କ ଗଜ ମସ୍ତକ ହେତୁ ସେ ସହଜରେ ଚିହ୍ନା ପଡ଼ନ୍ତି । ବିଘ୍ନ ବିନାଶକ ହେତୁ ସେ ବିଘ୍ନେଶ୍ବର ନାମରେ ପୂଜିତ । କଳା , ବିଜ୍ଞାନର ଆଉ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷକ ଭାବେ ସେ ପରିଚିତ । ପ୍ରତ୍ଯେକ ଶୁଭକାର୍ଯ୍ଯ , ପୂଜା , ଲେଖାପଢ଼ା ଓ ଧାର୍ମିକ କ୍ରିୟା ଆରମ୍ଭରେ ଗଣେଶଙ୍କ ଆବାହନ କରାଯାଏ । ଅଗ୍ରପୂଜ୍ଯ ଭାବରେ ସର୍ବତ୍ର ସେ ଆରାଧିତ ହୁଅନ୍ତି "ଓଁ ଗଣପତୟେ ନମଃ" , କିମ୍ବା "ଗଣେଶାୟ ନମଃ" ମନ୍ତ୍ରରେ । ଶାସ୍ତ୍ରରେ ବୈଦିକ ମନ୍ତ୍ର :- "ଗଣନାଂତ୍ବା ଗଣପତିଗୁଁ ହବାମହେ ପ୍ରିୟାଣାତ୍ବାଂ ପିୟପତିଗୁଁ ହବାମହେ ନିଧିନାଂତ୍ବା ନିଧିପତିଗୁଁ ହବାମହେ ବସୋମମ" ।
ଗଣେଶଙ୍କର ଶସ୍ତ୍ର ହେଉଛି ପରଶୁ , ପାଶ , ଅଙ୍କୁଶ ; ରିଦ୍ଧି ଓ ସିଦ୍ଧି ନାମରେ ବେନି ପତ୍ନୀ । କେହି କେହି ବୁଦ୍ଧିଙ୍କୁ ମଧ୍ଯ ଗଣେଶଙ୍କ ପତ୍ନୀ ବୋଲି କହନ୍ତି । ତାଙ୍କର ପରିଚୟ "ଗଣେଶ ପୁରାଣ" , "ମୁଦ୍ଗଲ ପୁରାଣ"ରେ ଲୀଳାଖେଳା ସହ ବିଶଦ ବର୍ଣ୍ଣିତ ଅଛି । ତୀର୍ଥକ୍ଷେତ୍ର ତାଙ୍କର ଅଷ୍ଟବିନାୟକ । ଶିବ ପୁରାଣ କହେ ଦେବୀ ପାର୍ବତୀ ସ୍ବଦେହରେ ଲଗାଇଥିବା ହଳଦୀ ମଳୁକୁଟିରୁ ଏକ ମୂର୍ତ୍ତି ଗଢ଼ି ତାକୁ ଜୀବନ୍ଯାସ ଦେଇଥିଲେ । ଦ୍ବାର ପ୍ରଦେଶରେ ତାକୁ ଜଗାଇ ତପରେ ଲିପ୍ତ ରହିଲେ ପାର୍ବତୀ ; କାହାକୁ ଭିତରକୁ ଆସିବାକୁ ମନା କରିବାକୁ ନିର୍ଦ୍ଦେଶ ଦେଇଥିଲେ । କେହି କେହି କହନ୍ତି ପାର୍ବତୀ ସ୍ନାନ କରିବାକୁ ଯିବାରୁ ତାଙ୍କୁ ଦ୍ବାରଦେଶରେ ଜଗୁଆଳି କରି କାହାକୁ ଭିତରକୁ ନ ଛାଡ଼ିବା ପାଇଁ କହିଥିଲେ । ଠିକ୍ ସେ ସମୟରେ ମହାଦେବ ନିଜ ଆଳୟକୁ ଫେରି ଭିତରକୁ ପ୍ରବେଶ କରନ୍ତେ , ସେ ନିଜ ପିତାଙ୍କୁ ଚିହ୍ନି ନପାରି ଭିତରକୁ ଯିବାକୁ ବାରଣ କଲେ । ମହାଦେବ ଅନେକ ବୁଝାଇବା ପରେ ବି ସେ ବୁଝିଲେ ନାହିଁ । ଶିବ କ୍ରୋଧ ସମ୍ବରଣ କରି ନପାରି ଗଣେଶଙ୍କର ଶିର ଛେଦନ କଲେ । ପରେ ପାର୍ବତୀଙ୍କ ନିକଟରୁ ଏହାଙ୍କ ପରିଚୟ ପାଇ ଫେରି ଆସି ଦେଖନ୍ତେ ତ ମୁଣ୍ଡ ବିହୀନ ଗଣ୍ଡିଟି ପଡ଼ିଛି । ମହାଦେବ ମୁଣ୍ଡ ଖୋଜି ନପାଇ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇଥିବା ହସ୍ତୀ ମସ୍ତକ ଆନୟନ ନିମନ୍ତେ ନନ୍ଦୀ , ଭୃଙ୍ଗୀଙ୍କୁ ନିର୍ଦ୍ଦେଶ ଦିଅନ୍ତେ ନନ୍ଦୀ , ଭୃଙ୍ଗୀ ବହୁ ଖୋଜାଖୋଜି କରି ଉତ୍ତରମୁଖା ଶୟନରତ ହସ୍ତୀର ମସ୍ତକ କାଟି ଧରି ଆସିବାରୁ ମହାଦେବ ତାହାକୁ ଗଣ୍ଡିରେ ଯୋଡ଼ି ଜୀବନଦାନ ଦେଲେ । ସେହିଦିନଠୁ ଗଣେଶ ପରିଚିତ ହେଲେ ଗଜାନନ ନାମରେ ଏବଂ ସେ ହେରେ ପ୍ରମଥ ଗଣର ସେନାପତି । ପୌରାଣିକ ଆଖ୍ୟାନରେ ସେ ବ୍ଯାସୋକ୍ତ ମହାଭାରତର ଲେଖକ । ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି ହେଉଛି ଗଣପତିଙ୍କର ଅର୍ଚ୍ଚନାର ମୁଖ୍ୟ ଦିବସ ; ସର୍ପକୁ ଯଜ୍ଞୋପବୀତ କରି ଧାରଣ କରିଛନ୍ତି ସେ ।
ଶାସ୍ତ୍ରରେ କୁହାଯାଇଛି ମଣିଷ ଓ ହାତୀର ଆୟୁ ୧୨୦ ବର୍ଷ ; ଉଭୟଙ୍କ ଗୁଣକୁ ଏକତ୍ର କରେ ମଣିଷ ସଫଳ ହେବ । ତେଣୁ ଗଣେଶ ନିଜେ ଏହି ରୂପ ଧାରଣ କରିଛନ୍ତି । 'ଗ'ର ଅର୍ଥ ମୋକ୍ଷ୍ଯ ପ୍ରାପ୍ତ୍ଯାର୍ଥେ ସମାଧିସ୍ଥ ଯୋଗୀ , 'ଜ'ର ଅର୍ଥ ଜୀବନ ପ୍ରତି ସାଂସାରିକ ଦୃଷ୍ଟିକୋଣ । ଅର୍ଥାତ ସଂସାର ଭିତରେ ମୋକ୍ଷ୍ଯ ପ୍ରାପ୍ତ କରାଇପାରନ୍ତି ଗଜାନନ । ତାଙ୍କର ଆଉ ଏକ ନାମ ବିନାୟକ ; ଯାହାର ଅର୍ଥ ବିଶେଷ ନାୟକ । ଏହାର ଅନ୍ତର୍ନିହିତ ଅର୍ଥ ହେଉଛି ଯେବେ ପ୍ରିୟ ବଚନ ବା ପ୍ରାର୍ଥନା ଦ୍ବାରା ଗଣେଶଙ୍କୁ ସନ୍ତୁଷ୍ଟ କରଯାଏ , ତେବେ ସେ ଭକ୍ତର ରାସ୍ତାରେ ଥିବା ସର୍ବ ବାଧା ପ୍ରଶମନ କରାଇଥା'ନ୍ତି । ବଡ଼ ପେଟ ହେତୁ ସେ ଲମ୍ବୋଦର ନାମରେ ଖ୍ଯାତ । ବାସ୍ତବରେ ଯିଏ ସମସ୍ତ ଉତ୍ତମ ବିଦ୍ଯା ଗ୍ରହଣ କରିପାରନ୍ତି ଓ ସାଇତି ପାରନ୍ତି ସେ ହିଁ ଲମ୍ବୋଦର । ଗଣେଶ ସ୍ବୟଂ ପାର୍ବତୀଙ୍କ ନୁପୂରର ଶବ୍ଦ ଶ୍ରବଣ କରି ସଙ୍ଗୀତ ଶିଖୁଥିଲେ ଏବଂ ଶିବଙ୍କ ଡମରୁକ ଶବ୍ଦରୁ ଚାରିବେଦକୁ ଆୟତାଧୀନ କରି ପାରୁଥିଲେ । ତାଙ୍କର ଏ ବିଶାଳ ବିଦ୍ଯାର ଭଣ୍ଡାର ତାଙ୍କ ପେଟ । ସୁମୁଖ , ବଘ୍ନହର୍ତ୍ତା ବା ବିଘ୍ନହର ବା ବିଘ୍ନେଶ୍ବର , ଧୂମ୍ରକେତୁ , ଗଣାଧ୍ଯକ୍ଷ , ଲାଲଚନ୍ଦ୍ର , ଏକଦନ୍ତ , ବ୍ରହ୍ମଣସ୍ପିତି , ମୟୁରେଶ୍ବର , ବକ୍ରତୁଣ୍ଡ , ଶୂପକର୍ଣ୍ଣ ଆଦି ଅନେକ ନାମରେ ସେ ନାମିତ ।
ଗଣେଶ ଆଦିଦେବ ଭାବରେ ପରିଚିତ ; ସବୁ ଯୁଗରେ ସେ ଅବତାର ନେଇଥିବାର କୁହାଯାଏ । ସତ୍ଯ ଯୁଗରେ ଋଷି କଶ୍ୟପ ଓ ଅଦିତିଙ୍କ ଘରେ ମହଙ୍କତ ବିନାୟକ ରୂପେ ଭୂମିଷ୍ଠ ହୋଇ ଦେବାନ୍ତକ ଓ ନରାନ୍ତକ ନାମ୍ନୀ ରାକ୍ଷସ ବଧ କରିଥିଲେ । ତ୍ରେତୟାରେ ଭାଦ୍ର ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଉମାଙ୍କ ଗର୍ଭରୁ ଜାତ ହୋଇ ଜନ୍ମି ସିନ୍ଧୁ ନାମକ ରାକ୍ଷସର ବଧର କାରଣ ହେବା ସହ ବ୍ରହ୍ମାଙ୍କ ପୁତ୍ରି ରିଦ୍ଧି ଓ ସିଦ୍ଧିଙ୍କୁ ବିବାହ କରିଥିବାର ପୁରାଣରୁ ପ୍ରାପ୍ତ । ଦ୍ବାପରରେ ପାର୍ବତୀ ପୁତ୍ର ଭାବରେ ଜନ୍ମ ହୋଇଥିଲେ । ଭବିଷ୍ଯ ପୁରାଣ କହେ କଳି ଯୁଗରେ ଗଣେଶ ଧୂମ୍ରକେତୁ ରୂପରେ ଅବତାରୀ । ପଦ୍ମ ପୁରାଣ , ଲିଙ୍ଗ ପୁରାଣ , ବ୍ରହ୍ମବୈବର୍ତ୍ତ ପୁରାଣ , ସ୍କନ୍ଦ ପୁରାଣ , ଶିବ ପୁରାଣ ଆଦିରେ ବେଶ୍ ସୁନ୍ଦର ଭାବରେ ଗଣେଶଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି । ପାର୍ବତୀଙ୍କ ପୁତ୍ର ରୂପେ ପ୍ରକଟ ହେଲେ ହେଁ ସେ ବରେଣ୍ଯ ଓ ପୁଷ୍ପିକାଙ୍କ ପୁତ୍ର ରୂପେ ପରିଚିତ ହୋଇଥିଲେ । ନିଜ ପିତା ବରେଣ୍ଯଙ୍କୁ ସେ ଯେଉଁ ଉପଦେଶ ଦାନ କରିଥିଲେ ତାହା ଅତ୍ଯନ୍ତ ମୂଲ୍ଯବାନ ; ଏହି ଉପଦେଶ "ଗଣେଶ ଗୀତା" ନାମରେ ପ୍ରସିଦ୍ଧ । କାମ , କ୍ରୋଧ , ଲୋଭ , ମୋହ , ମଦ , ମାତ୍ସର୍ଯ୍ଯ , ମମତା ଓ ଅହଂ ଆଦିର ବିନାଶକ ବିନାୟକ ; ମାନସ ଦୁଷ୍ଟ ପ୍ରବୃତ୍ତିର ବିନାଶକ ସେ । ଶ୍ରୀ ତତ୍ତ୍ବନିଧି , ମନ୍ତ୍ର ମହୋଦଧି , ମନ୍ତ୍ର ରତ୍ନାକର , ରୂପ ମଣ୍ଡନ , ଶିଳ୍ପରତ୍ନ , ମନ୍ତ୍ର ମହାର୍ଣ୍ଣବ , ଅଂଶୁମଦ୍ଭେଦାଗମ , ଉତ୍ତର କାମିକାଗମ , ସୁପ୍ରଭେଦାଗମ ଆଦି ଗ୍ରନ୍ଥ ମାନଙ୍କରେ ଗଣେଶଙ୍କର ରୂପ ଗୁଣର ବର୍ଣ୍ଣନା ପାଇପାରିବେ । କେଉଁଠି ଷୋଡ଼ଶ ଭୂଜା , କେଉଁଠି ଅଷ୍ଟଭୂଜା ତ ଆଉ କେଉଁଠି ଚତୁର୍ଭୂଜା ଓ ଷଡ଼ଭୂଜା ବୋଲି ପ୍ରମାଣ ମିଳେ । ସେହିପରି କେଉଁଠି ଶରୀରର ରଙ୍ଗ ସୁନା ପରି ଉଜ୍ଜ୍ୱଳ , କେଉଁଠି ଲାଲ୍ , କେଉଁଠି ଧବଳ ତ କେଉଁଠି ଧୂମ୍ରବର୍ଣ୍ଣ । ହେରମ୍ବ ଗଣପତିଙ୍କ ବାହନ ସିଂହ , ମୟୁରେଶ ଗଣପତିଙ୍କ ବାହନ ମୟୁର ; କିନ୍ତୁ ଅନକ ସ୍ଥାନରେ ମୂଷିକ । କଳିରେ ସେ ନେବେ ଧୂମ୍ରକେତୁ ଅବତାର ଏବଂ ତାଙ୍କର ବାହନ ହେବ ଅଶ୍ୱ ବୋଲି ପୁରାଣ କହେ। ସେ କେଉଁଠି ପଞ୍ଚମୁଖ ତ କେଉଁଠି ଏକମୁଖ ।
ବାଲ୍ଯରେ ଗଣେଶ ମାତା ପାର୍ବତୀଙ୍କ ଠାରୁ ସ୍ତନ୍ଯପାନ କରିବାକୁ ଭଲ ପାଉଥିଲେ ଏବଂ କାର୍ତ୍ତିକେୟ ଏହାର ସୁଯୋଗ ପାଉ ନଥିଲେ ; ଏହା ଦେଖି ଶିବ ତାଙ୍କୁ କୌତୁକରେ ଲମ୍ବୋଦର ବୋଲି ସମ୍ବୋଧନ କରୁଥିବାର ବ୍ରହ୍ମ ପୁରାଣରେ ବର୍ଣ୍ଣିତ l ଶ୍ରୀମନ୍ଦିରର ଭିତର ବେଢ଼ାରେ ପଶ୍ଚିମ ଦ୍ବାରର ଦକ୍ଷିଣକୁ ଭଣ୍ଡ ଗଣେଶ ମନ୍ଦିର ଅଛି । ଭଣ୍ଡ ଗଣେଶ ହେଉଛନ୍ତି ଗଣେଶଙ୍କର ଏକ ସ୍ବରୂପ ; ଶ୍ରୀମନ୍ଦିର ସତ୍ତ୍ୱଲିପି ଦ୍ବିତୀୟ ଭାଗରେ ଏହି ମନ୍ଦିରର ନାମ ଉଲ୍ଲେଖ ଅଛି "କାଞ୍ଚି ଗଣେଶ" । ଏହି ବିଗ୍ରହ କାଞ୍ଚି ଶିଳ୍ପକଳାର ଏକ ନିଦର୍ଶନ । ଶକ୍ତିଙ୍କ ଭଗରେ ଶୁଣ୍ଢ ଭର୍ତ୍ତି କରି ରହିଥିବା ଯୋଗୁଁ ଏହି ଗଣେଶଙ୍କୁ ଭଣ୍ଡ ଗଣେଶ କହନ୍ତି । ଏହାଙ୍କର ଶୁଣ୍ଢ ବମକୁ ମୋଡ଼ି ହୋଇ ରହିଥିବାରୁ ଏହାଙ୍କୁ ଇଦାମପୁରୀ ବା ବାମାବର୍ତ୍ତ ଗଣେଶ କହନ୍ତି । ଏ ଗଣେଶ ବିଭିନ୍ନ ନାମ ଯଥା ଉଚ୍ଛିଷ୍ଟ ଗଣେଶ , କାମଦ ଗଣେଶ , ତାନ୍ତ୍ରିକ ଗଣେଶ , ଶକ୍ତି ଗଣେଶ ବା ଶକ୍ତି ବିନାୟକରେ ପରିଚିତ । ଭଣ୍ଡ ଗଣେଶ କଳା ମୁଗୁନି ପ୍ରସ୍ତରରେ ନିର୍ମିତ ଏବଂ ଅର୍ଦ୍ଧପର୍ଯ୍ଯାଙ୍କାସନରେ ସିଂହାସନାସୀନ ; ଅର୍ଥାତ୍ ସେ ଦକ୍ଷିଣ ପଦ ଭାଙ୍ଗି ବାମ ପାଦ ଲମ୍ବାଇ ଉପବେଶିତ । ସେ ଚତୁର୍ଭୂଜା ଓ ଉପର ଡାହାଣ ହାତରେ ଏକ ଭଗ୍ନଦନ୍ତ ଆଉ ତଳ ଡାହାଣ ହାତରେ ଅକ୍ଷମାଳା ଏବଂ ଉପର ବାମ ହାତରେ ପରଶୁ ଧାରଣ କରିବା ସହିତ ତୟଳ ବାମ ହାତରେ ସିଦ୍ଧିଦେବୀଙ୍କୁ ଆଲିଙ୍ଗନ କରି ଲିଙ୍ଗ ମର୍ଦ୍ଦନ କରିଛନ୍ତି । ସୂର୍ଯ୍ଯ ବଂଶର ଗଜପତି ପୁରୁଷୋତ୍ତମ ଦେବଙ୍କ ଦ୍ବାରା ରଚିତ "ମୁକ୍ତି ଚିନ୍ତାମଣି"ରେ ଭଣ୍ଡ ଗଣେଶଙ୍କ ସ୍ବରୂପ ବର୍ଣ୍ଣନା ପୂର୍ବକ ଉଲ୍ଲେଖ ରହିଛି ଯେ :-
"ମହାକାୟଧରଂ ଦେବଂ ବିଘ୍ନେଶ ! ବିଘ୍ନ ନାଶକମ୍ ।
ପରଶୁ ମାଳିକା ହସ୍ତଂ ନିଜ ଲିଙ୍ଗାଗ୍ରମର୍ଦ୍ଦକମ୍ ।।
କ୍ରୋଡ଼େ ସିଦ୍ଧି ମହାଦେବୀମାଲିଙ୍ଗ୍ଯ ବପୁରାୟତମ୍ ।
ଉଦ୍ଦଣ୍ଡ ବିଗ୍ରହଂ ବନ୍ଦେ ଶୁଣ୍ଢିନଂ ସିଦ୍ଧି ଦାୟକମ୍ ।।"
କେତେ ଲେଖକ ଭଣ୍ଡ ଗଣେଶଙ୍କ ରୂପକୁ ଭିନ୍ନ ଭିନ୍ନ ରୂପ ଦେଇଥା'ନ୍ତି । ଡକ୍ଟର ଭାସ୍କର ମିଶ୍ରଙ୍କ ମତରେ ଭଣ୍ଡ ଗଣେଶଙ୍କ ହାତରେ ପଦ୍ମ , ଡାଳିମ୍ବ , ବୀଣା , କିଛି ଧାନ ଏବଂ ଅକ୍ଷମାଳା ପରିଶୋଭିତ । ଏହି ଗଣେଶଙ୍କ ବାମ ଜାନୁରେ ଉପବେଶିତ ଦେବୀ ମୂର୍ତ୍ତିଙ୍କ ଜନନେନ୍ଦ୍ରିୟରେ ଗଣେଶଙ୍କ ବାମାବର୍ତ୍ତ ଶୁଣ୍ଢ ପ୍ରବେଶିଛି । ଏ ଦେବୀ ମୂର୍ତ୍ତି କିଏ ବୋଲି ଅନେକ ମତ ପରିଲକ୍ଷିତ । କେହି ଏହାକୁ ଗଣେଶଙ୍କ ଶକ୍ତି ସିଦ୍ଧିଦେବୀ କହୁଥିବା ବେଳେ କେହି ଏହାଙ୍କୁ ବିଘ୍ନେଶ୍ବରୀ ପ୍ରତ୍ଯାଙ୍ଗନା କହନ୍ ତି । ଆଉ କେହି ଏହାକୁ କାମଦା କହନ୍ତି ; କେହି କେହି ପାର୍ବତୀ (ଦୁର୍ଗା) ବି କହନ୍ତି । ଭଣ୍ଡ ଗଣେଶ ଜନୈକ ତାନ୍ତ୍ରିକ ଦେବତା ଓ ଏହାଙ୍କ ବିଗ୍ରହ ବାମାବର୍ତ୍ତ । ସ୍ବାମୀ ହର୍ଷାନନ୍ଦ ନିଜର "Hindu Gods and Goddesses" ପୁସ୍ତକରେ ଲେଖିଛନ୍ତି -
"One of the varieties of this "Shaktiganapati" is called "Ucchistaganapati", the Ganapati associated with unclean things like orts , whose worship belongs to vamacar (the left handed path , i.e. , the heterodox and unclean path) and said to give quick results."
ଭାରତରେ ପାଞ୍ଚଟି ବିଶ୍ବବିଖ୍ଯାତ ବିନାୟକ ମନ୍ଦିର ଅଛି । ୧୮୦୧ ମସିହାରେ ଲକ୍ଷ୍ମଣ ୱିଠୁ ଓ ଦିଉବାଇ ପାଟିଲ୍ ମହାରାଷ୍ଟ୍ରର ମୁମ୍ବାଇରେ ନିର୍ମାଣ କରିଥିଲେ ଐତିହାସିକ ବିଶ୍ବପ୍ରସିଦ୍ଧ "ସିଦ୍ଧବିନାୟକ" ମନ୍ଦିର ; ଯେଉଁଠିକି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୁଏ । ବଡ଼ ବଡ଼ ବଲିଉଡ୍ ଷ୍ଟାର୍ଙ୍କଠୁ ଆରମ୍ଭ କରି ରାଜନେତା ଯାଏଁ ଲାଇନ୍ ଧରି ରହନ୍ତି । ୨୦୧୬ ମସିହାରେ ଆପେଲର ସିଇଓ ଭାରତ ଆସିଥିଲେ । ୧୮୯୩ ମସିହାରେ ପୁଣେର ଜନୈକ ମିଠା କାରିଗର ଦୁଗୁଡୁସେଠ୍ ହଲ୍ୱାଇ ମହାରାଷ୍ଟ୍ରର ପୁଣେ ସହରରେ ନିର୍ମାଣ କରିଥିଲେ "ଶ୍ରୀମନ୍ତ ଦୁଗୁଡୁସେଠ୍ ହଲ୍ୱାଇ" ଗଣେଶ ମନ୍ଦିର ଯାହା ଭାରତର ଦ୍ବିତୀୟ ପ୍ରସିଦ୍ଧ ମନ୍ଦିର ଭାବରେ ପରିଚିତ । ଏହା ଆଭ୍ଯନ୍ତରୀଣ ଡିଜାଇନ୍ ଓ ଆକର୍ଷଣୀୟ କାରୁକାର୍ଯ୍ୟ ପାଇଁ ପରିଚିତି ପ୍ରାପ୍ତ । କେବଳ ସାଧାରଣ ଲୋକ ନୁହଁନ୍ତି , ମହାରାଷ୍ଟ୍ରର ମୁଖ୍ଯମନ୍ତ୍ରୀ ବି ଆସନ୍ତି ଏ ଠାବକୁ । ତିତୋର ଜିଲ୍ଲାର କାଣିପକମ୍ ଠାରେ ଥିବା ବିନାୟକ ମନ୍ଦିର ସର୍ବପୁରାତନ ଐତିହାସିକ ଗଣେଶ ମନ୍ଦିର ମଧ୍ଯରୁ ଏକ ଅଟେ । ଏହାକୁ ୧୧୦୦ ଶତାବ୍ଦୀରେ କୁଲୋଥୁଙ୍ଗା ଚୋଲାଙ୍କ ଦ୍ବାରା ନିର୍ମାଣ କରାଯାଇଥିଲା ; ପରେ ୧୪୦୦ ଶତାବ୍ଦୀରେ ବିଜୟ ନଗର ସାମ୍ରାଜ୍ଯର ରାଜା ଏହି ମନ୍ଦିରକୁ ବିସ୍ତାର କରିଥିଲେ । ବହୁ ଶ୍ରଦ୍ଧାଳୁ ଏଠାକୁ ଆସି ପବିତ୍ର ପାଣିରେ ବୁଡ଼ ପକାନ୍ତି । ଏତତ୍ ବ୍ଯତିତ ବିନାୟକ ଚଉଠି ବେଳେ ଅନୁଷ୍ଠିତ ବ୍ରହ୍ମ ଉତ୍ସବ ଦର୍ଶନାର୍ଥେ ଏକାଧିକ ଶ୍ରଦ୍ଧାଳୁ ଯୋଗଦାନ କରନ୍ତି ।
ରାଜସ୍ଥାନର ରଣଥାମ୍ବୋର ଜିଲ୍ଲାରେ ଥିବା ଗଣେଶ ମନ୍ଦିର ଭାରତର ଆଉ ଏକ ବିଶ୍ବପ୍ରସିଦ୍ଧ ମନ୍ଦିର । ପୂର୍ବପୁରୁଷଙ୍କ କହିବାନୁଯାୟୀ , ଶ୍ରୀକୃଷ୍ଣ ଓ ରୁକ୍ମିଣୀଙ୍କ ବିବାହ ନିମନ୍ତ୍ରଣ ପତ୍ର ପ୍ରଥମେ ଏଠାକ ପଟଟାଯାଇଥିଲା । ଏହା ପରଠୁ ଦେଶର କୋଣାନୁକୋଣରୁ ଲୋକେ ତାଙ୍କର ବିବାହ ନିମନ୍ତ୍ରଣ ପତ୍ର ଏଠାକୁ ଶୁଭ ମଣଣି ପଠାନ୍ତି । ଏଠାର ମୁଖ୍ଯାକର୍ଷଣ ଗଣେଶ ମେଳା , ପ୍ରତିବର୍ଷ ହଜାର ହଜାର ଲୋକ ଭାଗ ନିଅନ୍ତି । ତାମିଲନାଡୁର ତିରୁଚିଲାପଲ୍ଲୀରେ ରହିଛି ଏକ ଗଣେଶ ମନ୍ଦିର "ରକ୍ ଫୋର୍ଟ୍ ଉଚ୍ଚି ପିଲାୟାର କୋଲି" ୨୭୨ ଫୁଟ ଉଚ୍ଚ ଏକ ପଥର ଉପରେ ଏହି ମନ୍ଦିରଟି ପ୍ରତିଷ୍ଠିତ ; ପୁରାଣରେ ଏ ମନ୍ଦିର ସମ୍ପର୍କରେ ଅନେକ ବିବରଣୀ ଲିପିବଦ୍ଧ ରହିଛି ।
ବ୍ରହ୍ମ ପୁରାଣ କହେ ଗଣେଶ ଚତୁର୍ଥୀ ରାତ୍ରରେ ଉଦିତ ଚନ୍ଦ୍ର ଦର୍ଶନ ନିଷେଧ । ଏହି ଚନ୍ଦ୍ରକୁ ନଷ୍ଟଚନ୍ଦ୍ର କୁହାଯାଏ । ପୁରାଣ କହେ ନାରାୟଣ ଅଭିଶପ୍ତ ହୋଇ ଗଣେଶ ଚତୁର୍ଥୀ ରାତ୍ରରେ ଚନ୍ଦ୍ର କିରଣରେ ଥା'ନ୍ତି , ତେଣୁ ସେ ରାତିରେ ଚନ୍ଦ୍ରକୁ ଦର୍ଶନ କଲେ ଉକ୍ତ ଅଭିଶାପ ଦର୍ଶନକାରୀ ବ୍ଯକ୍ତି ଉପରେ ପାତିତ ହୁଏ । ଦୈବାତ୍ ଦର୍ଶନ କଲେ ପୂର୍ବ ବା ଉତ୍ତରମୁଖ ହୋଇ ଧାକ୍ରେୟିକା ବାକ୍ଯ "ସିଂହଃ ପ୍ରସେନମବଧୀତ୍ , ସିଂହୋ ଜାମ୍ବବତା ହତଃ ସୁକୁମାରକ ମାରୋଦୀସ୍ତବ ହ୍ଯେଷ ସ୍ଯମନ୍ତକଃ" ପାଠ କଲେ ଓ ସ୍ଯମନ୍ତକ ଉପାଖ୍ୟାନ ଶୁଣିଲେ ଦୋଷ କ୍ଷୟ ହୁଏ ବୋଲି ଖଡ଼ିରତ୍ନ ନୂତନ ପଞ୍ଜିକାରେ ଅଛି ।
ସେ ଯାହା ବି ହେଉ , ଗଣେଶ ହେଉଛନ୍ତି ଶୁଭ ଓ ମଙ୍ଗଳର ପ୍ରତୀକ । ଭକ୍ତି , ଭାବ , ନିଷ୍ଠା ସହକାରେ ତାଙ୍କର ଆରାଧନା କରିଲେ ଶୁଭ ଫଳ ମିଳେ ବୋଲି ଶାସ୍ତ୍ରମତ ଅଛି । ସେତେବେଳେ କେବଳ ଶିକ୍ଷାନୁଷ୍ଠାନରେ ଗଣପତି ପୂଜା କରାଯାଉଥିଲା ଓ ପରେ ପରେ ବିଭିନ୍ନ କାର୍ଯ୍ୟାଳୟରେ ତାଙ୍କ ଜନ୍ମୋତ୍ସବ ପାଳନ କରାଗଲା । କିନ୍ତୁ ଏବେ ଗାଁ ଗହଳିରେ ଓ ସହର ବଜାରରେ ନାମୀଦାମୀ ମେଢ଼ ସହିତ ସୁସଜ୍ଜିତ ଆଲୋକମାଳାରେ ବେଶ୍ ଚାକଚକ୍ୟରେ ପାଳିତ ହେଉଛି । ସବୁ ଠିକ୍ଠାକ୍ କିନ୍ତୁ ପୂର୍ବବତ୍ ସେଭଳି ଭକ୍ତି ଆଉ ନାହିଁ କି ଭାବ ବି ନାହିଁ । ନିଷ୍ଠା ତ ଦରପୋଡ଼ା କାଠ । ମଉଜମଜଲିସ୍ର ମାଧ୍ଯମ ଏବେ ଗଣେଶ । କେଉଁଠି ବିମାନରେ ଉଡୁଛନ୍ତି ତ କେଉଁଠି ସାଇକେଲ୍ରେ , କେଉଁଠି ଅର୍ଦ୍ଧନଗ୍ନ ନୃତ୍ଯ ତ କେଉଁଠି ଗଣେଶ ପୂଜା ନାମରେ ଗୁଲିଖଟି ଆଉ ନିଶାପାଣି ସେବନ ।
ଡିଜେ ସାଉଣ୍ଡ୍ରେ ଫାଟି ପଡୁଛି କାନ , ବିସର୍ଜନ ବେଳେ ହୋ ହାଲ୍ଲା କରି ମଦ୍ଯପାନ କରି ନାତ ମାରି ପୋଖରୀ କି ଜଳାଶୟକୁ ଫିଙ୍ଗି ଦିଆଯାଉଛି । ମାଛ - ମାଂସର ଭୋଜି ବେଶ୍ ରୋମାଞ୍ଚକର ହୋଇ ଉଠୁଛି ।ଏମିତି ଲାଗୁଛି ପ୍ରେମ ଦିବସ ଆସିଚି ଯେମିତି , ଶେଷରେ ଧୋକା ଖାଇବା ପରି ଗଣେଶ ମହାପ୍ରଭୁ ବି ଭକ୍ତପ୍ରେମୀଙ୍କ ଠାରୁ ଶକ୍ତ ଧୋକାଟିଏ ଖାଉଛନ୍ତି । ବିସର୍ଜନଟି ବଦଳି ଯାଉଚି କିକ୍ ଡେରେ । ଗଣେଶ ପୂଜା କେବଳ ବାହୁଲ୍ୟ ମାତ୍ର , ଭେଳିକି ସର୍କସ ପରି ମନେହୁଏ । ପ୍ରକୃତରେ ସେ ଭାବ ଆଉ ଭକ୍ତି ଓ ନିଷ୍ଠା ଏବେ ଆଉ ଦିଶୁନି । ପାଟିରେ ନୁହେଁ , ବସ୍ତି-ବସ୍ତି , ସାହି-ସାହି , ଗାଁ-ଗାଁ , କମିଟି-କମିଟି ଭିତରେ ଠେଙ୍ଗା ପାଞ୍ଚଣ ଆଉ ବମ୍-ବନ୍ଧୁକରେ କଥାବାର୍ତ୍ତା । କେଜାଣି ସେ ଗଣେଶ ଜାଣିଥିବେ , ମୂର୍ତ୍ତି ଭିତରେ ସେ ଆବିର୍ଭାବ ହେଉଛନ୍ତି ନା ଏମାନଙ୍କ କାରନାମାରେ ଭୀତତ୍ରସ୍ତ ହୋଇ ଦୌଡ଼ି ପଳାଉଛନ୍ତି । ଭଗବାନ ଯେଉଁଠି ବଳି ପଡ଼ି ଯାଉଛନ୍ତି , ସେଠି ସାଧାରଣ ଜନତା ବା କ'ଣ କରିବେ ? ସେଇଥିପାଇଁ ତ ଆଜି ସମାଜ ତଥା ଦୁନିର ଚିତ୍ର ପରିବର୍ତ୍ତିତ । କରୋନା ପରି ମହାମାରୀଈ କବଳରେ ପ୍ରପୀଡ଼ିତ ଜନତାଙ୍କର ଆକୁଳ ଚିତ୍କାର "ବଞ୍ଚାଅ , ବଞ୍ଚାଅ , ବଞ୍ଚାଅ" ।
ବିଶ୍ବ ଧ୍ବଂସର ସୟ ଆଗତର ସୂଚନା , ସୁଧୁରରିବାକୁ ହେଲେ ସୁଧୁର ନହେଲେ ହେବ ନାରଖାର । ହିନ୍ଦୁ ଧର୍ମର ଟେକ ବଜାୟ ରଖିବାକୁ ହେଲା ହିନ୍ଦୁ ରୀତିକୁ ବଞ୍ଚାଇ ରଖିବା ପାଇଁ ପଡ଼ିବ । ନଚେତ୍ ହିନ୍ଦୁତ୍ବର ଏ ଜୀବନଧାରା ବଦଳି ହିଁ ଯିବ । ଓଡ଼ିଆର ଗର୍ବ ଖର୍ବ ହେବାକୁ ଆଉ ବେଶି ଡେରି ଲାଗିବନି । ଆଶା କରେ ବୁଝି ସାରିଥିବେ । ବିଚାର ବୁଦ୍ଧିଜୀବୀଙ୍କର , ଲେଖା କିନ୍ତୁ ମୋର ।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
- Get link
- X
- Other Apps
Comments
Post a Comment