ପ୍ରତିଦ୍ବନ୍ଦୀ , ଏକ ଅଙ୍ଗେନିଭା କଥା

 

                    କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି              
                                ସମ୍ପାଦକ- ଉଦୟ ଭାନୁ 
     

     ଯେମିତି ଥିଲି ଭଲରେ ଥିଲି । ଯାଯାବର ଜୀବନ ଥିଲା ମୋ' ପାଇଁ ସବୁଠୁ ଉତ୍ତମ । ସ୍ବ - ଇଚ୍ଛାରେ ବଞ୍ଚିବା ସୁଖପ୍ରଦ ଥିଲା ମୋ' ପାଇଁ । ନା ଥିଲା ଶତ୍ରୁତା , ନା ଥିଲା ଅଶାନ୍ତି ; ଶାନ୍ତିମୟ ଜୀବନ ଯାପନ କରୁଥିଲି । ହଁ ; କାହାର କ୍ଳେଶ , ଯନ୍ତ୍ରଣା ଦେଖିଲେ ଆଖି କୋଣରେ ଜକେଇ ଆସୁଥିଲା ଅମାପ ଅଶ୍ରୁ । ଏବେ ବି ମୁଁ କାନ୍ଦି ପକାଏ କାହାର ଦୟନୀୟ ଅବସ୍ଥା ମୋ' ଆଖି ସାମ୍ନାରେ ପଡ଼ିଲେ । କଥାରେ ଅଛି - "ଦୁଃଖୀ ଚ଼ିହ୍ନେ ଦୁଃଖୀକୁ ।" ଦୁଃଖ କ'ଣ ମୁଁ ଭଲଭାବରେ ଜାଣିଛି , ଯନ୍ତ୍ରଣାକୁ ଅଙ୍ଗେ ନିଭେଇଛି ମୁଁ । ମୃତ୍ୟୁକୁ ଦେଖିଛି ଅତି ନିକଟରୁ ; ଥରେ ନୁହେଁ ବାରବାର । ଛାତିଟା ମୋର ଅବଶ୍ଯ କଠିନ ଶିଳା ପାଲଟି ଗଲାଣି ; ଆଉ ବାଧୁନି ଦୁଃଖ , ଯନ୍ତ୍ରଣାର ନିର୍ମମ ପ୍ରହାର । ମନଟା କିନ୍ତୁ ମହମ ପରି ନରମ ଅଛି ; ସେଲାଗି ସହ୍ଯ କରିପାରୁନି କାହାର ଦୁଃଖ , ଯନ୍ତ୍ରଣାର ଉତ୍ତାପକୁ । କାହାକୁ ସାହାଯ୍ୟ ସହଯୋଗ କରିବାକୁ ମନ ହେଲେ କ'ଣ ହେବ ; ପାଖରେ ତ ଧନର ଅଭାବ । ତଥାପି ଶାରୀରିକ ସହାୟତା ଯଥା ସମ୍ଭବ କରେ ; ଶାନ୍ତ୍ବନା ବାକ୍ଯରେ ଆପ୍ଯାୟିତ କରିବାକୁ ପ୍ରାଣପଣେ ପ୍ରଚେଷ୍ଟା କରେ । ସମାଜ ହିତାର୍ଥେ ଉତ୍ସର୍ଗୀକୃତ ପ୍ରାଣଟା ପ୍ରତିକ୍ଷଣ - ପ୍ରତି ମୁହୂର୍ତ୍ତ ଆର୍ତ୍ତଚି଼ତ୍କାର କରେ କଳୁଷିତ ସମାଜକୁ ସମୀପରେ ଦେଖି । ହେଲେ ମୁଁ ନାଚ଼ାର ; ନିର୍ଦ୍ଧନର ମୋହର ମରା ଶରୀରଟା ସମସ୍ତେ ଦେଖି ସାରିଛନ୍ତି । ଓଡ଼ିଆ ପ୍ରବାଦ ଅନୁସାରେ - "ଗରିବ ମାଇପ ସବୁରି ଶାଳୀ" ପରି ମୁଁ ସବୁରି ପରିହାସର ପାତ୍ର । 

     ଜାତରୁ ଏଯାବତ ଢ଼ି ଚ଼ାଲିଛି ଦୁଃଖ - କ୍ଳେଶ - ଯନ୍ତ୍ରଣାର ଜତୁଗୃହେ । ନିଜର ନିଜର କହି ସାତପର ସାଜିଥିବା ସ୍ବଜନଙ୍କୁ ଦେଖିଛି । ନିଜ ଲୋକ ପର ପାଲଟୁଥିବା ବେଳେ ପର ଲୋକ ନିଜର ବନି ସ୍ନେହ , ଶ୍ରଦ୍ଧା ଓ ଭଲପାଇବାର ଋଣ ଭାରକୁ ମୋର ବଢ଼ାଇ ଚ଼ାଲିଛନ୍ତି । ସରଳ ବିଶ୍ବାସୀ ମଣିଷଟା ବେଳେବେଳେ ଥକିଯାଏ ସଂସାର ପଥଚ଼ାରଣରେ । ପଥରେ ଚ଼ାଲୁ ଚ଼ାଲୁ ଯଦି କେବେ ଝୁଣ୍ଟିଯାଏ ; ତୋଳି ନେବା ପାଇଁ ସେମିତି ବି କେହି ମୋର ନହିଁ । ମରିଗଲେ ମଡ଼ା ଉଠାଇବାକୁ ବି ମୋ' ପାଇଁ ଲୋକଙ୍କର ଘୋର ଅଭାବ ପଡ଼ିପାରେ । ହତଭାଗ୍ୟ ମଣିଷର ନିଜର କିଏ କେମିତି ହେବ ? ଆଖିରେ ଅଶ୍ରୁର ଝରଣା ; ତାକୁ ବନ୍ଧ ଦେଇ ବହୁଦିନରୁ ଅଟକାଇ ରଖିଛି । ବାଲ୍ଯରୁ ବାଲିବନ୍ଧ ଘେରା ଲୋତକ ସାଗରଟା ବେଳେବେଳେ ଗଳିଆ ଫିଟେଇ ଗଳି ଆସେ ବାଲିବନ୍ଧ ବାହାରକୁ ; ପୁଣି ତାକୁ ଗଳିଆ ମାରିବାକୁ ପଡ଼େ ମତେ । ବୁକୁ ବିବରରେ କୋହର ଜୀବନ୍ତ ଲାଭା ବକ୍ଷକୁ ବନେଇ ରଖିଛି ଏକ ଉତ୍ତପ୍ତ ଆଗ୍ନେୟଗିରି । ବେଳେବେଳେ ଜୀବନ୍ତ ଲାଭା ବକ୍ଷ ଆଗ୍ନେୟଗିରିର ଉପର ଚ଼ଟାଣରେ ଫାଟ ସୃଷ୍ଟି କରି ଧିରେ ଧିରେ ସ୍ଖଳିତ ହୁଏ । ତାକୁ ପୁଣି ଚ଼ାପି ରଖିବାକୁ ପଡେ ଧୈର୍ଯ୍ୟ ମୃତ୍ତିକାର ପ୍ରଲେପ ଲେପି । ଚ଼ଟାଣଟି ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି ; ଲାଭା ଉଦ୍ଗୀରଣ ହେବାର ସମୟ ପାଖେଇ ଆସିବାର ସମ୍ଯକ ସୂଚନା ପ୍ରଦାନ କରୁଛି । ବିରଟ ବିସ୍ଫୋରଣ ହେବ ; ତାକୁ ଅଟକାଇବା ପାଇଁ ସେବେଳେ କାହାରି ବି ସୁଦ୍ଧା କର୍ତ୍ତୃତ୍ବ ନଥିବ । ନିମିଷକେ ନିଶ୍ଚିହ୍ନ କରିଦେବ ପ୍ରାଣ ପୃଥ୍ବୀର ମେଦିନୀ । ଯେତେ ଦୁଃଖ ଯନ୍ତ୍ରଣାରେ ପଡ଼ିଯିବ ଭଟ୍ଟା ।

    ଠିକ୍‌ ଥିଲା ମୋ' ଦୁନିଆ ; ଆଉ ଠିକ୍‌ ଥିଲି ମୁଁ  । ହଠାତ୍‌ ଆସିଲା ଦିନେ ଜୀବନକୁ ବିରାଟ ଏକ ଘୂଣ୍ଣିଝଡ଼ । ଭାବିଥିଲି ସମାଜରେ ମୋ' ଦ୍ବାରା କିଛି ସୁଧାର ଆସିବ । କିଛି ବଣମଲ୍ଲୀ ବଣରେ ଫୁଟି ଝାଉଁଳି ଯିବା ଅପେକ୍ଷା ଘର ଅଗଣାରେ ବାସ ବିଛୁରିତ କରି ଠାକୁର ପାଦପଦ୍ମରେ ଲାଗିବେ ଜାଣି ପରମ ପ୍ରୀତ ହୋଇଥିଲି । କିନ୍ତୁ ଆତ୍ମବଡ଼ିମା , ଅହଙ୍କାରୀ , ସ୍ବାର୍ଥନ୍ବେଷୀ ମାନଙ୍କ କୂଟନୀତିରେ ମଳିନତାରେ ପୂଣ୍ଣ ହୋଇଗଲା ମୋର ସମସ୍ତ ଭାବନା । ଯେତେବେଳେ ଝାଟିମାଟି ପଣ୍ଣ କୁଟୀରଟିର ଆତିଥ୍ୟ ସ୍ବୀକାର କଲି ; ଦେଖିଲି କୁଟୀରଟି ଅସଜଡ଼ା ହୋଇ ପଡ଼ି ରହିଛି । ସେହି କୁଟୀରର ବାସିନ୍ଦା ମାନଙ୍କୁ ନିରୀକ୍ଷଣ କଲାପରେ ଜାଣିଲି ଏକମନ - ଏକପ୍ରାଣ ସବୁରି ।

     କିନ୍ତୁ ସେ ଘର ପ୍ରତି ଅନ୍ୟ ଘରର ବାଦବିବାଦ,  କୂଟଚ଼କ୍ରାନ୍ତ , ଅହଙ୍କାର ମତେ ବ୍ଯଥିତ କରି ପକାଇଲା । କାହା ସହ କାହାର ମେଳ ନଖାଇ ବାକ୍‌ଯୁଦ୍ଧ ପ୍ରତିକ୍ଷଣ ଓ ପ୍ରତି ମୁହୂର୍ତ୍ତ । ତା' ସହିତ କୁଟୀରରେ କିଛି ଅସାମାଜିକ ଅଶାଳୀନ ବ୍ଯକ୍ତିଙ୍କ ବସବାସ ; ଯାହାକୁ ମୁଁ ଗଲା ପରେ ପରେ ବହିଷ୍କାର କରିବାକୁ ପଡ଼ିଛି ମତେ । ସେ ଅସଜଡ଼ା ଓ ଅର୍ଦ୍ଧଭଗ୍ନ କୁଟୀରଟିକୁ ସଜାଡ଼ିବା ପାଇଁ ମୁଁ ଯାହା କଷ୍ଟ ସହିଛି ସେକଥା ଭଗବାନ ଜାଣନ୍ତି । ତିନି - ତିନି ଥର ଭାଙ୍ଗି ତିନି - ତିନି ଥର ତୋଳିବା ପାଇଁ ପଡ଼ିଛି କୁଟୀରଟିକୁ । ତିନିଥର ତୋଳି ସାରିବା ପରେ ଶେଷଥର ପାଇଁ ମୁଁ ଭଙ୍ଗା ଚ଼ାଳଛପରକୁ ହଟାଇ ଟିଣ ଛପର କରିଥିଲି ଏବଂ ଝାଟିମାଟିର ଦଦରା କାନ୍ଥଟିକୁ ଭାଙ୍ଗି ଇଟ କାନ୍ଥ ଗଢ଼ି ଦୃଢ଼ ଭାବରେ ଛିଡ଼ା କରାଇଥିଲି ଘରଟିକୁ । ପ୍ରଥମ ମୂଳଦୁଆ ପକାଇବା ପାଇଁ ଘରର ମୁରବୀ ଜଣେ ମହିୟସୀ , ସ୍ନେହମୟୀ ଯିଏକି ପରିବାରର ସମସ୍ତ ସଦସ୍ଯ ସଦସ୍ଯାଙ୍କ ମାଆ ତାଙ୍କୁ ଅନୁରୋଧ କରିଥିଲି । ସେ ବି ବିନା ଦ୍ବିଧାରେ ସମ୍ମତି ପ୍ରଦାନ କରିଥିଲେ । କହିଥିଲି କଂକ୍ରିଟ୍‌ ଚ଼ଟାଣଟିଏ ଓ ଇଟା କାନ୍ଥଟିଏ ଗଢ଼ିବା ପାଇଁ ; ସେ କିନ୍ତୁ ଶଙ୍ଖମଲମଲ ଚ଼ଟାଣ ସାଙ୍ଗକୁ ଇଟା କାନ୍ଥରେ ସିମେଣ୍ଟ୍‌ ପଲସ୍ତରା ଦେଇ ଘରଟିକୁ ଆହୁରି ମଜ୍‌ବୁତ୍‌ କରିଦେଲେ ନିଜ ଅର୍ଜିତ ଧନରାଶିରେ । ସବୁଦିନ ପାଇଁ ଋଣୀ କରିଦେଲେ । ମାଆର ଋଣ ସୁଝିବା ସହଜ ନୁହେଁ ; ମୁଁ କିନ୍ତୁ ଗର୍ବିତ ଯେ ମୁଁ ତାଙ୍କ ସନ୍ତାନର ସ୍ଥାନ ଦଖଲ କରିପାରିଛି । ମୋ' ପାଇଁ ତାଙ୍କ ମନରେ ମହଣ ମହଣ ମମତା ଏବଂ ସେହି ସ୍ନେହ ବୋଳା ଡ଼ାକ "ବାବୁ" ମତେ ସୁଧାରସ ପାନ ପରି ମନେହୁଏ । 

     ଘରଟିକୁ ଆହୁରି ମଜ୍‌ବୁତ୍‌ କରିବାର ପରୟାସରେ ଲାଗି ପଡ଼ିଲି । ତାକୁ ସାରା ଜନମାନସରେ ପରିଚ଼ିତ କରାଇବା ପାଇଁ ପ୍ରଚ଼େଷ୍ଟିତ ହେଲି । ଜିଲ୍ଲାରୁ ଜିଲ୍ଲା ଓ ଗାଁରୁ ସହର ସବୁଠି ପ୍ରଚ଼ାର ପ୍ରସାର ସହିତ ନିଜ ଅର୍ଜିତ ସ୍ବଳ୍ପ ଧନରେ ତାକୁ କିଛି ବାଟ ସାର୍ଥକ ପଥରେ ଆଗେଇ ନେଇ ଯାଇଥିଲି । ଯାହାକୁ ଘରର ଦାୟିତ୍ବ ଅର୍ପଣ କରିଥିଲିସେ ଆତ୍ମୀୟ ଆତ୍ମବଡ଼ିମାର ପ୍ରଦର୍ଶନ ସ୍ବରୂପ ରଚ଼ି ଚ଼ାଲିଲେ ବ୍ଯୁହ ପରେ ବ୍ଯୁହ । ମନେପଡ଼େ ଓଡ଼ିଆ ରୁଢ଼ିଟିଏ - "ମୋରି ବିଲେଇ ମୋତେ ମ୍ଯାଉଁ", ମୋ' ଲାଗି ଘରର ସଦସ୍ଯ ହୋଇ ମୋତେ କ୍ଷତାକ୍ତ କରିବ ବୋଲି ଭାବନା ହିଁ ନଥିଲା ମୋର । ପରସ୍ପର ମଧ୍ଯରେ ଫାଟ ସୃଷ୍ଟିର ଚ଼କ୍ରବ୍ଯୁହରେ ଅଭିମନ୍ଯୁ ପରି ପତିତ ହେଲି । ମୋ' ସମ୍ପର୍କୀୟଙ୍କୁ ଢ଼ାଲ ସଜେଇ ମତେ ବିତାଡ଼ିତ କରିବାର ଦୁର୍ବାର ପ୍ରୟାସ ଧିରେ ଧିରେ ସାର୍ଥକ ହେବାକୁ ଲାଗିଲା ତାଙ୍କର । ନିଜକୁ ପ୍ରତିଷ୍ଠିତ କରାଇବା ପାଇଁ "ଝିଣ୍ଟିକା ମାରି ବଣି ପୋଷିବା" ନୀତିକୁ ଆପଣେଇ ନେବାକୁ ପଡ଼ିଲା ତାଙ୍କୁ । ଜମିଦାରମାନେ ଗ୍ରାମବାସୀଙ୍କ ଜମି , ସମ୍ପତ୍ତି ହଡ଼ପ କଲା ପରି ନିଜକୁ ସର୍ବେସର୍ବା ମନେ କରି ନିଜ ଅକ୍ତିଆରକୁ ଆଣିବାକୁ ଚ଼େଷ୍ଟା ଜାରି କଲେ । ଶକୁନି ଚ଼ରିତ୍ରରେ ଅଭିନୟ କରି ଯେଉଁ ମିଛ ଅପମାନ , ଅପନିନ୍ଦା ମତେ ଦେଲେ ; ତାହା ଶ୍ମଶାନରେ ଭସ୍ମ ପାଲଟିବା ଯାଏଁ ଭୁଲି ପାରିବିନି ମୁଁ । ସ୍ବାର୍ଥ ହାସଲ ପାଇଁ ମଣିଷ ଯେ ଏତେ ତଳକୁ ଖସି ଯାଇପାରେ , ଏତେ ନୀଚ୍ଚ ବୁଦ୍ଧିରେ ପରିଚ଼ାଳିତ ହୋଇପାରେ ଓ କାହାକୁ ସମ୍ପୂଣ୍ଣ ବିଲୀନ କରିବା ପାଇଁ ସମ୍ପର୍କକୁ ମଧ୍ୟ ବଳି ଚ଼ଢ଼େଇ ପାରେ; ଏ କଥାରୁ ବିଶ୍ୱାସ ଆସିଗଲା ମୋର ।

    ଗୋଟିଏ ଭଲ କାର୍ଯ୍ଯ କରିବା ପାଇଁ ହେଲେ ଅନେକ ବାଧାବିଘ୍ନ ଦେଇ ଗତି କରିବାକୁ ହେବ ଏବଂ ଅନେକ ନିନ୍ଦାପବାଦକୁ ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ମତେ ଭଲ ରକମ ଜ୍ଞାତ । ସେଥିଲାଗି ତ ସେଦିନର ସେ ଅସମ୍ମାନକୁ ଭ୍ରୁକ୍ଷେପ କରି ନଥିଲି ମୁଁ । ତୁ',ତା',ରେ', ରା ଶବ୍ଦ ପ୍ରୟୋଗକୁ ନିଜ କର୍ମର ଦୋଷ ଭାବି କିଛି ବି ଖରାପ ଚ଼ିନ୍ତାଧାରା ମନ ମଧ୍ୟକୁ ଆଣି ନଥିଲି । ଅବଶ୍ଯ କିଛି କ୍ଷଣ ପାଇଁ ମତେ ବିଷାଦ ଭରି ଦେଇଥିଲା ; ତା' ପରେ ସବୁକିଛି ଶାନ୍ତ ପଡ଼ି ଯାଇଥିଲା । ନିଜ ସ୍ବାର୍ଥକୁ ଆଖି ଆଗରେ ରଖି କୂଟ ଚ଼କ୍ରାନ୍ତକାରୀ ଜମିଦାର ପୁନରାୟ ଚ଼କ୍ରବ୍ଯୁହ ରଚ଼ନା କରିବାର ପ୍ରୟାସରେ ଗୁପ୍ତ ଭାବେ ମଗ୍ନ ହେଲେ । ଅବଶ୍ଯ ସେଦିନ ଚୁପ୍‌ ରହିଲି ; ମନ କଥା ମନରେ ରଖି ଭାଗ୍ଯର ଏଇ ବିଡ଼ମ୍ବନାକୁ ସାଥିରେ ଘେନି ମୋ' ଜାଗାକୁ ମୁଁ ଫେରି ଆସିଥିଲି । ନିଜର ଅହଂତ୍ବକୁ ବଳବତ୍ତର ରଖି ନିଜକୁ ବଡ଼ ତଥା ମହାନ ବୋଲି ଡ଼ାକିହାକି କହିବା ବା ପ୍ରଚ଼ାର କରିବା ଲୋକ ମାନଙ୍କୁ ଚ଼ିହ୍ନିବାରେ ଆଉ ମୋର ବାକି ନଥିଲା ସେଦିନ । 

    ବହୁତ ଦୁଃଖ ଲାଗୁଛି ଏପରି କାର୍ଯ୍ୟକଳାପମାନ । ବହୁ ଶ୍ରମଦାନରେ ଏବଂ ଅନେକ ବାଧାବିଘ୍ନକୁ ସାମ୍ନା କରି ଦଦରା କୁଟୀରଟିକୁ ନବରରେ ପରିଣତ କରିଥିବା ମଣିଷଟି ଆଜିସେଇ ଘରର କେହି ନୁହେଁ , ଇତର ଲୋକଟି ସେ ଘର ପାଇଁ ସବୁକିଛି ପାରଟି ଯାଇଛି । ନିଜ ଆଖି ସାମ୍ନାରେ ନିଜ ହାତରେ ଗଢ଼ା କୁଟୀରରୁ ନବର ପାଲଟି ଥିବା ଘରଟି ଭାଙ୍ଗିରୁଜି ଚୁର୍‌ମାର୍‌ ହେବାକୁ ଯାଉଥିବା ଦୃଶ୍ଯକୁ ସହି ହେଉନାହିଁ । ଯିଏ ଗଢ଼ିଛି ସେ ଜାଣିଛି ; ଯିଏ ସ୍ବାର୍ଥନ୍ବେଷୀ ସେ ବା କିପରି ଜାଣିପାରିବ ? ଭାଙ୍ଗିବା ପାଇଁ ତ ଗୋଟିଏ ସେକେଣ୍ଡ୍‌ ବି ଲାଗିବନି ; କିନ୍ତୁ ଗଢ଼ିବାଟା କେତେ କଷ୍ଟ ତାଙ୍କୁ ବା କି ଜଣା ? ଯିଏ ଅହଙ୍କାରୀ ଓ ଆତ୍ମଗର୍ବୀ ସେ କେବେ କେଉଁଠି ତିଷ୍ଠିନି କି ତିଷ୍ଠି ପାରିବ ନାହିଁ । ଅସଜଡ଼ା କୁଟୀରକୁ ସଜାଡ଼ିବାରେ ମୋର ଅନବରତ ପ୍ରୟାସକୁ କେତେକ ଆତ୍ମବିମାନୀ , ସ୍ବଳ୍ପଜ୍ଞାନୀ , କୂଟଚ଼କ୍ରାନ୍ତକାରୀ ଧୂଳିସାତ୍ କରିବାର ପ୍ରୟାସ ରଚ଼ିଲେ , ସେମାନେ ହୃଦ , ମନ , ଶ୍ରଦ୍ଧା ଓ ଭକ୍ତିରୁ ସିନା ବଞ୍ଚିତ ହେଲେ ; କିନ୍ତୁ ମନ ମଧ୍ୟରେ ବିଷାଦର ଛାୟା ସ୍ବରୂପ ସବୁଦିନ ପାଇଁ ଅଟକି ଗଲେ । ବିଷାଦିତ ମାନସର ଯନ୍ତ୍ରଣାର ଅଭିସମ୍ପାତ ନିଶ୍ଚିତ ଭାବରେ ପ୍ରତିଫଳିତ ହେବ । କଥାରେ ଅଛି - "ଧର୍ମର ଜୟ , ପପର କ୍ଷୟ", ସତ୍ଯ ଦିନେ ନା ଦିନେ ପ୍ରଷ୍ଫୁଟିତ ହେବ । 

    ଯେତେବେଳେ ହେଲେ ବି ଗୁଣ୍ଡୁଚ଼ିମୂଷାର କଥା ତ ମନେ ପଡ଼ିବ ; ଘରର ପ୍ରକୃତ ନିର୍ମାତା କିଏ ଦେଖଣାହାରୀଠୁ ଅଧିକ କିଏ ବା ଜାଣେ ? "ଗୁଣ ଚ଼ିହ୍ନେ ଗୁଣିଆ" - ଏ ରୁଢ଼ି ଅନୁସାରେ ସମୟ କହିବ ପ୍ରକୃତ ସତ୍ଯାସତ୍ୟ କ'ଣ  ? କାଳ କରାଳରେ ମୁଁ ସିନା ଆଜି ଇତର ପାଲଟି ଯାଇଛି ; ସମୟ ଆସିବ ତା'ର ଉଚ଼ିତ୍‌ ଜବାବ ନେଇ । ଓଡ଼ିଆ ପ୍ରବାଦ ଅନୁସାରେ :-

            "ଅନ୍ଧ ଦେଶେ ଗଲି ଦର୍ପଣ ବିକି
          କନ୍ଧ ହାତେ ଦେଲି ଗୋ'ଦାନ ଟେକି
            ଜଡ଼ା ମଧୁରେ କଲି ଖଡ଼ା ରନ୍ଧନ
         କାମୁଡ଼ା ଘୋଡ଼ା ମୁଖେ ଦେଲି ଚୁମ୍ବନ ।"

     ଆଜି ଏଇ ପରିସ୍ଥିତିରେ ମୁଁ ଉପନୀତ ; ଯଦି ଏ ରୁଢ଼ିଟିକୁ ମୁଁ ମୋ' ମନ ମଧ୍ୟରେ ରୋମନ୍ଥନ କରିଥା'ନ୍ତି ; ତେବେ ମୋତେ ଏଭଳି ସମୟ ଓ ପରିସ୍ଥିତିର ଶିକାର ହେବାକୁ ପଡ଼ି ନଥା'ନ୍ତା । ଏ ପରିସ୍ଥିତି ଓ ଏ ସମୟ ମୋତେ ଏକ ନୂତନ ଶିକ୍ଷା ପ୍ରଦାନ କଲା ।

ଭାଟପଡ଼ା,ନିରାକାରପୁର,କଣାସ,ପୁରୀ 
୮୯୧୭୪୮୦୫୩୬

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା