ସାହିତ୍ଯର ସରଣୀ ସ୍ବାର୍ଥର ପଥେ
-------------------------------------------------------
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
-------------------------------------------------------
"ସାହିତ୍ଯର ସରଣୀ ସମୃଦ୍ଧିର ପଥେ" - ଏ ଉକ୍ତିଟି ପୂର୍ବେ ବହୁତ ମୂଲ୍ୟବାନ ଥିଲା । ଏବେ ଏ ଉକ୍ତିଟି ଅଲୋଡ଼ା ହୋଇପଡିଛି ; ଏହାର କୌଣସି ବି ମୂଲ୍ଯ ନାହିଁ ଅଧୁନା ସମାଜରେ । ସରଣୀ ଅର୍ଥ ରାସ୍ତା ଏବଂ ଅନ୍ଯର୍ଥରେ ପଥିକ ; ସାହିତ୍ଯର ପଥିକଟି ସମୃଦ୍ଧି ପଥରେ ଆଗେଇ ଚାଲିଛି ବୋଲି ବୁଝିବାକୁ ହେବ । ସେ କୋଉ ପ୍ରକାର ସମୃଦ୍ଧି ପଥରେ ଚାଲିଛି ସେକଥା ବୁଝିବା ଆଗ ଦରକାର । ନିଜର ସମୃଦ୍ଧି ପଥରେ ନୁହେଁ , ଏ ସମାଜର ସମୃଦ୍ଧି ଉତ୍ସୁକ ହୋଇ ସେ ଆଗେଇ ଯିବା ଦରକାର । ସମାଜର ସମୃଦ୍ଧିରେ ନିଜର ସମୃଦ୍ଧି । ତେଣୁ ସମାଜରେ ଶାନ୍ତି , ପ୍ରୀତି ଓ ମୈତ୍ରୀଭାବ ଉଦ୍ରେକ କରାଇବା ସହ ସମାଜର କଲ୍ଯାଣାର୍ଥେ କଲମ ଚାଳନା କରିବା ପ୍ରତ୍ଯେକ ସାହିତ୍ଯିକର ଧର୍ମ ହେବା ଉଚିତ । ନିଜର ସ୍ବାର୍ଥକୁ ଆଖି ଆଗରେ ରଖି ନିଜର ପ୍ରଶଂସା ନିଜେ କରି ଏବଂ ନିଜକୁ ପ୍ରତିଷ୍ଠିତ କରାଇବାକୁ ମାନ୍ୟଗଣ୍ୟ ବ୍ଯକ୍ତି ବିଶେଷଙ୍କୁ ଅପମାନିତ କରି କଲମ ମୁନରେ ଅହଂଭାବର ସ୍ବର ଉତ୍ତୋଳନ କରୁଥିବା ବ୍ୟକ୍ତି କେବେ ସାହିତ୍ୟିକ ପଦବାଚ୍ୟ ନୁହେଁ । ଗର୍ବ , ଅହଂକାର କାହାର ବି ଚିରସ୍ଥାୟୀ ହୋଇନାହିଁ , ଦିନେ ନା ଦିନେ ମାଟିରେ ମିଶିଛି । କିନ୍ତୁ ମଣିଷର ପ୍ରକୃତି କେବେ ବି ବଦଳିବ ନାହିଁ । ସେଲାଗି କଥାରେ ଅଛି - "ଘୁଷୁରି ପ୍ରକୃତି ପଙ୍କରେ ଲୋଟେ , ମଣିଷ ପ୍ରକୃତି ମରିଲେ ତୁଟେ ।" ଜଣେ କବିଙ୍କ ଭାଷାରେ -
"ମଣିଷ ମରିବ ସବୁ ତ ସରିବ
ପ୍ରକୃତି ଛାଡ଼ିବ ନାହିଁ
ଲୋଭ-ମୋହ-ମାୟା ବିସ୍ତାରିବ କାୟା
ଜଳିବା ଯାଏଁ ତା' ଜୁଇ ।"
ସାହିତ୍ୟ ଜଗତକୁ କଳୁଷିତ କରୁଥିବା ଏମିତି କିଛି ପ୍ରକୃତିଛଡ଼ା ମଣିଷ ଅଛନ୍ତି , ଯିଏ ନିଜ ଡିଣ୍ଡିମ ନିଜେ ପିଟି ବାଃ ବାଃ ନେଉଛନ୍ତି । ନିଜ ନିଜ ଭିତରେ ଗୋଟାଏ ପରେ ଗୋଟାଏ ସାହିତ୍ୟାନୁଷ୍ଠାନ ଗଠନ କରି ନିଜ ଫୁଲହାର ନିଜ ଗଳାରେ ଲମ୍ବାଇ ନିଜକୁ ବହୁତ ବଡ଼ ସାହିତ୍ଯିକ ବୋଲି ସମାଜରେ ପରିଚୟ ଦେଉଛନ୍ତି । ପ୍ରକୃତରେ ଦେଖିବାକୁ ଗଲେ ସାହିତ୍ଯର "ସ" ଅକ୍ଷର ସୁଦ୍ଧା ଜ୍ଞାତ ନଥିବ । ପୂର୍ବାପେକ୍ଷା ଅଧୁନା ସାହିତ୍ଯର ପ୍ରଚାର ପ୍ରସାରର ଗତି ଦ୍ରୁତ । କିନ୍ତୁ ମାନ କ୍ଷୂର୍ଣ୍ଣ । ସାହିତ୍ୟ ବୋଲି ତିନି ଅକ୍ଷରର ସମଷ୍ଟିରେ ଗଠିତ ଶବ୍ଦଟି ଏବେ ଶସ୍ତା , ବିକଳାଙ୍ଗ ଓ ଦୁର୍ବଳ ବୋଲି ମନେହୁଏ । ତାଳପତ୍ର ପୋଥିରୁ କାଗଜପତ୍ର ଯାଏଁ ସାହିତ୍ୟ ଏକରକମ ଭଲ ଥିଲା , କିନ୍ତୁ ଅନ୍ତର୍ଜାଲ କ୍ଷେତ୍ରରେ ପାଦ ଥାପିବା ପରଠୁ ସାହିତ୍ଯର ରୂପରେଖରେ ଅନେକ ପରିବର୍ତ୍ତନ ହୋଇଛି ଏବଂ ସ୍ବାର୍ଥ , ଅହଂଭାବ ଆଉ ହୀନଚକ୍ରାନ୍ତର ଚରମ ସୀମାରେ ପହଞ୍ଚି ସାରିଛି । ଗର୍ବ ଅହଂକାରର ପରିଭାଷାରେ ପରିପୂର୍ଣ୍ଣ ହୋଇପଡିଛି ସାହିତ୍ୟ ।
ଫେସବୁକ୍ ଓ ହ୍ବାଟ୍ସଆପ୍ ପରି ସାମାଜିକ ଗଣମାଧ୍ୟମରେ କେବଳ ଆତ୍ମପ୍ରଚାର ଚାଲିଛି ସିନା , ସାହିତ୍ୟ ଏବେ ତା'ର ସ୍ଥିତି ହରାଇ ବସିଛି । ମନଇଚ୍ଛା ଗୋଟିଏ ଗୋଟିଏ ଗ୍ରୁପ୍ କରିଦେଇ ଫେସବୁକ୍ ଓ ହ୍ବାଟ୍ସଆପ୍ରେ ଚାଲିଛି ଅର୍ଥ ଦେଣନେଣର କାରବାର । ନିଜ ନିଜର ଗ୍ରୁପ୍ର କଳେବର ବୃଦ୍ଧି କରିବାକୁ ଚାଲିଛି ପ୍ରତିଯୋଗିତା ଏବଂ ଜନ୍ଦାରୁ ପିମ୍ପୂଡ଼ି ପର୍ଯ୍ଯନ୍ତ ସମ୍ବର୍ଦ୍ଧନା । ଗ୍ରୁପ୍ ପ୍ରସ୍ତୁତକାରୀ ନିଜକୁ ସର୍ବେସର୍ବା ମନେ କରି କରି ଚାଲିଛି ଜୁଲମ । ସାହିତ୍ୟ ସଂଗୋଷ୍ଠୀରେ ଚଲାଇଛି ରାଜତ୍ବ । ସାହିତ୍ୟ ପ୍ରତିଯୋଗିତା ଆୟୋଜନ ଚାଲିଛି , ବହୁ ଖୁସିର କଥା ; ସାହିତ୍ଯର ଅଭିବୃଦ୍ଧି ଘଟୁଛି । କିନ୍ତୁ ଉଚିତ ନିୟମ ଅନୁସାରେ କରାଯାଉନାହିଁ । ବିଚାରକ , ପରିଚାଳକ , ସମ୍ପାଦକ , ସଭାପତି ଆଦି ପଦବୀରେ ଅଧିଷ୍ଠିତ ବ୍ଯକ୍ତି ଏବଂ ପ୍ରତିଷ୍ଠାତା ଏମାନଙ୍କର ହାବଭାବ ଆଉ ଏକଚାଟିଆ ବିଚାର ସାହିତ୍ଯର ମାନ ହ୍ରାସ କରାଉଛି ।
ଦେଖାଯାଉଛି କି , ପ୍ରତିଷ୍ଠାତା ନିଜକୁ ସର୍ବେସର୍ବା ମନେ କରି ନିଜର ଆଦେଶକୁ ପାଳନ କରିବାକୁ ଉପରିସ୍ଥ ପଦବୀସ୍ଥ ସାହିତ୍ୟିକଙ୍କୁ ଏକପ୍ରକାର ବାଧ୍ୟ କରୁଛି । ନୀତି-ଅନୀତିର ବିଚାର ନାହିଁ , ହିଂସ୍ର ମନୋଭାବ ପୋଷଣ କରି କିମ୍ବା ଗର୍ବ-ଅହଙ୍କାରରେ ସାହିତ୍ୟ ସୃଷ୍ଟି କରାଯାଇ ପାରେନା । ସାହିତ୍ୟିକ ହେବାକୁ ହେଲେ ପ୍ରଥମେ ନୈତିକତା ଓ ସହନଶୀଳତା ଏବଂ ପରେ ସମସ୍ତଙ୍କୁ ଯଥୋଚିତ ସମ୍ମାନ ଦେବା ସହ ଭାଷା-ସାହିତ୍ଯରେ ସେତିକି ନିପୁଣତା ଦରକାର ।
ନିଜର ରାଗ-ଅଭିମାନକୁ ପରାହତ କରିବାକୁ ହେବ । କାହା ଉପରେ କ୍ରୋଧ କରି ତା'ର ଉପଯୁକ୍ତ ଲେଖାକୁ ଅନୁପଯୁକ୍ତ ବୋଲି ବିବେଚନା କରିବା ସାହିତ୍ୟିକର ଧର୍ମ ନୁହେଁ । ଆଜିକାଲି ସାମାଜିକ ଗଣମାଧ୍ୟମରେ ଏହିପରି ଅନେକ ଘଟଣା ଘଟୁଛି । ସାହିତ୍ୟ ଏବେ ହାସ୍ଯାସ୍ପଦ ପାଲଟି ଯାଇଛି । ଯେଉଁ କେତେଜଣ ହାତଗଣତି ସାହିତ୍ୟିକ ଅଛନ୍ତି , ସେମାନେ ନିରବଦ୍ରଷ୍ଟା । ନୂତନାଗତ କିଛି ସାହିତ୍ୟିକ ଏବେ ସାହିତ୍ଯକୁ କଳୁଷିତ କରିବାର ପ୍ରୟାସରେ । ଗଦା ଗଦା ମାନପତ୍ର ଓ ପ୍ରଶଂସାପତ୍ର ସାମାଜିକ ଗଣମାଧ୍ୟମରେ ବୁଲାବୁଲି କରୁଛନ୍ତି । ଗ୍ରୁପ୍ରେ ଚାଲିଥିବା ପ୍ରତିଯୋଗିତାରେ ସମସ୍ତ ପ୍ରତିଯୋଗୀ ଶ୍ରେଷ୍ଠ ସ୍ଥାନରେ ଅଭିଷିକ୍ତ ; ଶୁଣିଲେ ହସ ମାଡ଼ିବ । ପ୍ରତିଯୋଗିତାରେ ଜଣେ ଶ୍ରେଷ୍ଠ ସ୍ଥାନ ପାଏ ଏବଂ ତିନିଜଣ ଚୟନ କରାଗଲେ ଦୁଇଜଣ ଦ୍ବିତୀୟ ଓ ତୃତୀୟ ହୁଅନ୍ତି । ସମସ୍ତେ ଶ୍ରେଷ୍ଠ ! ତେବେ ପ୍ରତିଯୋଗିତା କାହା ପାଇଁ ?
ଆଉ କିଛି ଗ୍ରୁପ୍ରେ ଦେଖାଯାଉଛି ଯେ , ସମସ୍ତଙ୍କୁ ପ୍ରଶଂସାପତ୍ର ପ୍ରଦାନ । ପ୍ରତିଯୋଗିତାରେ ଜଣେ ତା'ର ସୁନ୍ଦର ସୃଷ୍ଟି ପାଇଁ ପ୍ରଶଂସିତ ହୁଏ , କିନ୍ତୁ ସମସ୍ତ ପ୍ରତିଯୋଗୀ ପ୍ରଶଂସିତ ! ତେବେ ପ୍ରତିଯୋଗିତା କାହିଁକି ? କିଭଳି ଚୟନ ଚାଲିଛି ସେ ଗ୍ରୁପ୍ରେ ? ଆଉ ଏକ ଆଶ୍ଚର୍ଯ୍ୟକର ଘଟଣାଟି ହେଉଛି ସାହିତ୍ୟ ଦଲାଲ ମାନଙ୍କର ରାଜ୍ । ଲେଖା ଦିଅ , ଟଙ୍କା ଦିଅ ; ଅର୍ଥ ଦିଅ ଆଉ ସମ୍ବର୍ଦ୍ଧନା ନିଅ । ଖଣ୍ଡେ ଛପା କାଗଜ ଓ ଖଣ୍ଡେ ଗାମୁଛା ସହିତ ଫୁଲମାଳ ଓ ଫୁଲତୋଡ଼ାଟିଏ ; ଗୋଟିଏ ଫୁଲତୋଡ଼ା ପୁଣି ପଚାଶ ଲୋକଙ୍କ ହାତରେ ଅଦଳବଦଳ । ଖର୍ଚ୍ଚ ବୋଲି ଟଙ୍କା ଦୁଇଶହ କି ପାଞ୍ଚଶହ ଭିତରେ , କିନ୍ତୁ ଗରାଖଙ୍କ ଠାରୁ ପାଞ୍ଚ ହଜାର କି ଦଶ ହଜାର ଟଙ୍କା ଅସୁଲ ; କେହି କେହି ଦୁଇ ହଜାର - ତିନି ହଜାର ବି ଦିଅନ୍ତି ।
ବାଃ ! ଇଏ ତ ଲାଭ ହିଁ ଲାଭ । ଚାକିରୀ କରି ଏତେ ଝିନ୍ଝଟ ହେବା ଅପେକ୍ଷା ଘରେ ବସି ଶସ୍ତାରେ ଅର୍ଥ ରୋଜଗାର କରିବା ସବୁଠାରୁ ଶ୍ରେୟସ୍କର ମନେ କଲେଣି କିଛି (ଅ)ସାହିତ୍ଯିକ । ଅର୍ଥ ବଦଳରେ ସ୍ବାର୍ଥ ହାସଲ କରିବାକୁ କିଛି ଅଗା-ବଗା-ଖଗା ବ୍ଯକ୍ତି ବିଶେଷ ବି ଡାହାଳ କୁକୁର ପରି ଲମ୍ବା ଲାଇନ ଲଗାଇ ଚାଲିଛନ୍ତି । ଗଦା ଗଦା ମାନପତ୍ର ଧରି କିଏ ଓଡ଼ିଶା ସାହିତ୍ଯ ଏକାଡ଼େମୀ ତ କିଏ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇ ରାଜ୍ଯ ପୁରସ୍କାର ଓ କେନ୍ଦ୍ର ପୁରସ୍କାର ଆପଣେଇଲାଣି । ଏହା ପଛରେ କିଛି ରାଜନୈତିକ ଦଳଙ୍କର ହାତ ବି ରହିଛି । "ରାଧେ ରାଧେ , ତୋର ଅଧେକୁ ମୋର ଅଧେ" ନୀତିରେ ଚାଲିଛି ସାହିତ୍ଯର ଗଳା ଚିପା ।
ମାନପତ୍ର ହେଉ ବା ପ୍ରଶଂସାପତ୍ର : ଆମୂଳଚୂଳ ତ୍ରୁଟି । ଶବ୍ବଗତ ଓ ମାତ୍ରାଗତ ଜ୍ଞାନହୀନ ଲୋକ ବିଚାରକ ଓ ଅନୀତିରେ ପରିଚାଳିତ ଲୋକ ସଂଗୋଷ୍ଠୀର ସଭାପତି । କେତେବେଳେ ପୁରୁଷ ଲୋକଟି ତା'ର ଲିଙ୍ଗ ପରିବର୍ତ୍ତନ କରି ମହିଳା ପାଲଟି ଯାଉଛି ତ କେତେବେଳେ ମାନପତ୍ରଟି ହୀନପତ୍ର ପାଲଟି ଯାଉଛି । ଆଉ କେତେବେଳେ ପତ୍ରିକାରେ ପ୍ରକାଶିତ ଆଲେଖ୍ୟ ଅଳିଆଗଦା ପରି ଆମୂଳଚୂଳ ଭୁଲ୍ ତ କେତେବେଳେ ସ୍ରଷ୍ଟାର ଲେଖାରେ ବସିଥିବା ଫଟୋ ବଦଳରେ ଆଉ କାହାର ଫଟୋ ଶୋଭା ପାଉଛି । ଏଇ ହେଉଛି ଆମ ସାହିତ୍ୟ । ନିଜ ଗ୍ରୁପ୍ରେ ପସନ୍ଦ-ମନ୍ତବ୍ୟ ପାଇଁ ଟଣାଟଣି । ପଢ଼ ନପଢ଼ ଲାଇକ୍- କମେଣ୍ଟ୍ ଦିଅ , ଯେହେତୁ ଗ୍ରୁପ୍ରେ ଅଛ । ନହେଲେ ପ୍ରତିଷ୍ଠାତାଙ୍କର କ୍ରୋଧର ଶୀକାର ।
ଲେଖାଟିକୁ ନପଢ଼ି ଲାଇକ୍-କମେଣ୍ଟ୍ ଦେବା ସାହିତ୍ୟିକର ଧର୍ମ ନୁହେଁ । ଭଲ ଭାବରେ ପଢ଼ି , ବୁଝି ଉପଯୁକ୍ତ ମନ୍ତବ୍ୟଟିଏ ଦେବା ହିଁ ଜଣେ ସାହିତ୍ଯିକର ଧର୍ମ । ସମସ୍ତେ କର୍ମମୟ ଜୀବନରେ ବ୍ଯସ୍ତ । କେବଳ ଯେ ସାହିତ୍ୟକୁ ଆଧାର କରି ଜଣେ ଲୋକ ଜୀବନ ଧାରଣ କରିପାରିବ ନାହିଁ । ସାହିତ୍ୟ ହେଉଛି ଅବସର ସମୟର ସାଥି ; ସମାଜ ପାଇଁ କଲ୍ଯାଣ ଚିନ୍ତନର ବଳକା ସମୟ । କେହି ଯଦି ଏଥିରୁ ବିଚ୍ଯୁତ ହେଲା , ଅର୍ଥାତ ଗ୍ରୁପ୍ର ଆଲୋଚନା ପରିସରରେ ଅନୁପସ୍ଥିତ ରହିଲା ତେବେ ତା'ର ବିକଳ୍ପ ଚିନ୍ତା କରିବା ବଦଳରେ ହୀନମନ୍ଯତା ପୋଷଣ କରି ଅପମାନିତ କରିବା ଜଣେ ସାହିତ୍ଯିକର ଧର୍ମ ନୁହେଁ । ନିଜ ଇଚ୍ଛାକୁ ପରିତୃପ୍ତ କରିବାକୁ ଯାହିତାହି ବିଚାର କରି ଉପଯୁକ୍ତ ଲେଖା - ଲେଖକକୁ ବହିଷ୍କାର କରିବା ନିଜର ମୂର୍ଖାମୀ । ବହିଷ୍କାର କରିବା ପୂର୍ବରୁ ବାହାରି ଆସିଥିବା ବ୍ଯକ୍ତିକୁ "ମୂଳରୁ ଓପାଡ଼ି ଫୋପାଡ଼ି ଦେଲି" ବୋଲି ମିଛ ମନ୍ତବ୍ୟ ଦେବା ହେଉଛି ହାସ୍ଯାସ୍ପଦ ଏବଂ ଗର୍ବୀ - ଅହଙ୍କାରୀ ବୋଲି ନିଜକୁ ପରିଚିତ କରାଇବା ।
ସେହି ଗର୍ବୀ-ଅହଙ୍କାରୀ ବ୍ଯକ୍ତି ମନରେ କ୍ରୋଧକୁ ଚାପି ସ୍ରଷ୍ଟାର ସୃଷ୍ଟିକୁ ବିଚାରକୁ ନନେଇ ଯାହିତାହି ଲେଖାଟିକୁ ଶ୍ରେଷ୍ଠ ସ୍ଥାନ ବୋଲି ପ୍ରତିଯୋଗିତାରେ ଘୋଷଣା କରିବା ସାହିତ୍ୟ ଜଗତ ପ୍ରତି କ୍ଷତିକାରକ । ସେହି ଅସାମାଜିକ ,(ଅ)ସାହିତ୍ଯିକ ସହ ସୁସମ୍ପର୍କ ସ୍ଥାପି ତା' ସ୍ବରରେ ସ୍ବର ତୋଳି ପ୍ରକୃତ ସ୍ରଷ୍ଟା ବା ନିର୍ଦ୍ଦୋଷ ଲୋକକୁ କଟାକ୍ଷର ବଚନ ଯୁକ୍ତ ଆଲେଖ୍ୟ ପ୍ରସ୍ତୁତ କରି କିଛି ସାହିତ୍ଯିକ ବି ନିଜକୁ ଭଣ୍ଡ ଓ ଭ୍ରଷ୍ଟାଚାରୀ ବୋଲି ପ୍ରମାଣିତ କରାଉଛନ୍ତି ।
ତେଣୁ "ସାହିତ୍ଯର ସରଣୀ ସମୃଦ୍ଧିର ପଥେ" ଉକ୍ତିଟି ଆଜି ଠିକ୍ ମନେ ହେଉନାହିଁ । ବରଂ କୁହାଯାଇପାରେ - "ସାହିତ୍ଯର ସରଣୀ ସ୍ବାର୍ଥର ପଥେ ।" ଏଠି ନିଜର ସ୍ବାର୍ଥ ଅସୁଲ ପାଇଁ ଚାଲିଛି ପ୍ରତିଯେଗିତା । ପାଠକ ଶ୍ରେଷ୍ଠ ବିଚାରକ ; ମୋର ଏ କ୍ଷୁଦ୍ର ନିବନ୍ଧଟି ପାଠ କରୁଥିବା ସମସ୍ତ ପାଠକ ନିଶ୍ଚିତ ଭାବରେ ଉପଲବ୍ଧି କରି ପାରୁଥିବେ ମୁଁ କ'ଣ କହିବାକୁ ଚାହୁଁଛି । ଅଧିକ କିଛି କହିବିନି ; ଲେଖା ମୋର ଆଉ ବିଚାର ଆପଣଙ୍କର ।
--------------------------------------------------------------
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
--------------------------------------------------------------
Comments
Post a Comment