ରାଷ୍ଟ୍ର ପାଇଁ କୃଷି ଓ କୃଷକ - ସୈନିକ
କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ପ୍ରତ୍ଯେକ ମଣିଷ ମାନଙ୍କର ଚ଼ଳିବା ପାଇଁ ଖାଦ୍ଯ ,ବସ୍ତ୍ର ଓ ବାସଗୃହ ଯେପରି ନିତାନ୍ତ ଆବଶ୍ୟକ ସେମିତି ପ୍ରତ୍ଯେକ ରାଷ୍ଟ୍ର ପାଇଁ କୃଷକ ଓ ସୈନିକର ଆବଶ୍ଯକତା ନିହାତି ରହିଛି । ବାସଗୃହ ତ ପୂରା ରାଷ୍ଟ୍ରଟା ପଡ଼ିଛି ; କିନ୍ତୁ ତା'ର ତତ୍ତ୍ବାବଧାରକ ଏବଂ ବଞ୍ଚିବା ପାଇଁ ଖାଦ୍ୟ ଉତ୍ପାଦକ ନରହିଲେ ରାଷ୍ଟ୍ରର ସ୍ଥିତି ଅସମ୍ଭବ । ତେଣୁ ରାଷ୍ଟ୍ର ପାଇଁ ଏ ଦୁଇ ବ୍ଯକ୍ତି ନିତାନ୍ତ ଆବଶ୍ୟକୀୟ ମନେହୁଏ । ଆସନ୍ତୁ ଏହି ତିନୋଟି ଜିନିଷ ଉପରେ ଟିକେ ସମ୍ଯକ ଆଲୋଚ଼ନା କରିବା ।
ପ୍ରଥମେ ବିଚ଼ାରକୁ ନେବା ଖାଦ୍ୟ , ଯାହା ମଣିଷ ପାଇଁ ନିହାତି ଭାବେ ଦରକାର । ପୁରାଣର ଏକ ଉକ୍ତି ମନେପଡ଼େ -
"ଅନ୍ନ ବିହୁନେ ହଂସ ହାନି
ଯୋଗ ସାଧିବି କାହା ଘେନି ।"
ଏହି ପଦ୍ଯଟି ପ୍ରାଣୀ ପାଇଁ ଖାଦ୍ଯର ଗୁରୁତ୍ୱପୂଣ୍ଣ କଥା ସୂଚ଼ାଇଥାଏ । ପ୍ରତ୍ଯେକ ପ୍ରାଣୀ ପାଇଁ ଖାଦ୍ଯ ଅପରିହାର୍ଯ୍ଯ । ଯଦି ପ୍ରଶ୍ନ ଆସେ - "ମଣିଷ ଖାଇବା ପାଇଁ ବଞ୍ଚେ କି ବଞ୍ଚିବା ପାଇଁ ଖାଏ ?" ତେବେ ମୁଁ କହିବି କି ମଣିଷ ବଞ୍ଚିବା ପାଇଁ ହିଁ ଖାଏ । ଆହାର ନଖାଇଲେ ମଣିଷ କ'ଣ , କୌଣସି ଜୀବଜଗତ ବି ତିଷ୍ଠି ପାରିବ ନାହିଁ । ନିଜ ଜୀବନ ଧାରଣ ପାଇଁ ମଣିଷଙ୍କୁ କାହାରି ନା କାହାରି ଉପରେ ନିର୍ଭର କରିବାକୁ ପଡ଼େ । ବିନା ନିର୍ଭରଶୀଳତାରେ କେହି କେବେ ବଞ୍ଚି ପାରିନି କି ବଞ୍ଚି ପାରିବନି । ଏଠି ବଞ୍ଚିବା ପାଇଁ ପ୍ରତ୍ଯେକ ପ୍ରାଣୀକୁ ଗୋଟିଏ ଜିନିଷ ଉପରେ ନିର୍ଭର କରିବାକୁ ପଡ଼େ , ସେ ହେଉଛି ଖାଦ୍ଯ । ଇତିହାସ କହେ , ମଣିଷ ପୂର୍ବେ ଯେବେ ବନବାସୀ ଥିଲା ସେବେ ମାଂସାହାରୀ ଥିଲା । କାରଣ ଶସ୍ୟ ଉତ୍ପାଦନର ପ୍ରଣାଳୀ ତାକୁ ଜଣା ନଥିଲା । ଏବେ କିନ୍ତୁ ସବୁ ଜାଣିବା ପରେ "କର୍ମମୟ ଜୀବନ କର୍ମରେ ବିଲୀନ" ନୀତି ଅନୁସରଣରେ କାଳାତିପାତ କରୁଛି ।
ଖାଦ୍ଯ ଖାଇବାକୁ ହେଲେ ଖାଦ୍ଯ ଉତ୍ପାଦନ କରିବାକୁ ହେବ । ତେଣୁ କୃଷି ହେଉଛି ତା'ର ମାଧ୍ୟମ । କୃଷିକାର୍ଯ୍ୟକୁ ଅଣଦେଖା କରିବା ଅର୍ଥ କ୍ଷୁଧା ଯନ୍ତ୍ରଣାରେ ଆଉଟୁପାଉଟୁ ହୋଇ ପ୍ରାଣ ବିସର୍ଜିବା ସହିତ ସମାନ । ତେଣୁ ଏଠି କୃଷକର ଭୂମିକା ଗୁରୁତ୍ତ୍ବପୂଣ୍ଣ । ଆଜିକା ଦୁନିଆରେ ଖାଦ୍ଯ ସଂକଟ ବହୁଳ ମାତ୍ରାରେ ପରିଲକ୍ଷିତ । ଏହାର କାରଣ ଅନେକ ଥିଲେ ବି ମୁଖ୍ୟତଃ କୃଷିକାର୍ଯ୍ୟ ଉପରୁ ଆଖି ଫେରାଇ ନେବାଟା ପ୍ରଧାନ କାରଣ ; ଖାଦ୍ୟ ସମସ୍ଯା ସୃଷ୍ଟି ହୁଏ କେବଳ ଏହି କାରଣରୁ । ଆଉ ଏକ କାରଣ ହେଲା ଜନସଂଖ୍ୟା ବୃଦ୍ଧି । ଯେତିକି ପରିମାଣରେ ଜନସଂଖ୍ୟାରେ ବୃଦ୍ଧି ଘଟୁଛି , ସେତିକି ପରିମାଣରେ ତାଙ୍କର ଆବାସସ୍ଥଳୀରେ ବୃଦ୍ଧି ଘଟୁଛି ; ଫଳତଃ ଚ଼ାଷଜମିର ସଂଖ୍ଯା ହ୍ରାସ ପାଉଛି । ଚ଼ାଷଜମିର ଅଭାବରୁ କୃଷିକାର୍ଯ୍ୟରେ ବ୍ଯାଘାତ ; ଅର୍ଥାତ୍ କୃଷିଜାତ ଦ୍ରବ୍ଯର ପରିମାଣ ହ୍ରାସ ପାଉଛି । ଜମି ଥିଲେ ତ କୃଷି ହେବ ; ଜମି ତ ନାହିଁ , କୃଷି କରିବେ କେଉଁଠି ? ତେଣୁ ସମସ୍ତେ କୃଷିରୁ ବିରତ ହୋଇ ବିଭିନ୍ନ ପ୍ରକାରର ବଣିଜ ଓ ଚ଼ାକିରୀ କ୍ଷେତ୍ରରେ ନିୟୋଜିତ ହେଉଛନ୍ତି । କୃଷକଙ୍କ ସଂଖ୍ଯା ଏବେ ହ୍ରାସ ପାଇବାରେ ଲାଗିଛି । କୃଷିଜାତ ଦ୍ରବ୍ଯ ହ୍ରାସର ଆଉ ଏକ କାରଣ ହେଲା ରାସାୟନିକ ସାରର ପ୍ରୟୋଗ । ସେତେବେଳର ଜୈବିକ ସାର ଓ କମ୍ପୋଷ୍ଟ ଖତ ଆଉ ନାହିଁ ; ବିଷାକ୍ତ ହୋଇସାରିଛି ମାଟି । ଏବେ ଖାଦ୍ଯ ନାମରେ ବିଷ ଗୁଡ଼ାକୁ ଭୋକ ବିକଳରେ ଗିଳିବା ପାଇଁ ପଡୁଛି । ମାଟି ଏତେ ବିଷାକ୍ତ ହୋଇଯାଇଛି ଯେ , ସେଥିରେ ଆଉ ଅଙ୍କୁରୋଦଗମ ଠିକ୍ ଭାବରେ ହେଉନାହିଁ । ଯେଉଁ ମାଟିରେ ମହଣ ମହଣ ସୁନା ମିଳି ପାରୁଥିଲା , ଏବେ ସେ ମାଟିରେ କେବଳ ବିଷ ଫଳ ହିଁ ଫଳୁଛି । କୃଷିଜାତ ଦ୍ରବ୍ଯର ପରିମାଣ ହ୍ରାସ ହେତୁ ଦରଦାମ ବି ଆକାଶଛୁଆଁ । ବଣିକ ତ ମୁଣ୍ଡ ବୁଲାଇ ପଡୁଛି ; ନିର୍ଦ୍ଧନ କଥା କହିଲେ ନସରେ । ଏସବୁ ପରେ ସରକାରଙ୍କ "ଅନ୍ତର୍ଦ୍ବୟ ଅନ୍ନ ଯୋଜନା" କୃଷି ହ୍ରାସ ପାଇଁ ବାଆକୁ ବତା । ଟଙ୍କିକିଆ ଚ଼ାଉଳର କରାମତି କୃଷି ମାରଣ ପାଇଁ ବେଶ୍ ଉପଯୋଗୀ । ଏହି ଟଙ୍କିକିଆ ଚ଼ାଉଳ ପାଇଁ ତ ଲୋକେ ଚ଼ାଷବାସ ନକରି ଘରେ ବସି ଖାଇବାର ସୁଯୋଗକୁ ହାତଛଡ଼ା କରୁନାହାନ୍ତି । ମୂଲ ମଜୁରୀ କରିବାକୁ ବି ଜଣେ କେହି ଇଚ୍ଛୁକ ନୁହେଁ ।
ଏସବୁ ସତ୍ତ୍ୱେ ଏବେ ସରକାର କୃଷିକୁ ଦୃଷ୍ଟିରେ ରଖି ବିଭିନ୍ନ ଯୋଜନା ଲାଗୁ କରିଛନ୍ତି ସତ, ହେଲେ ସବୁ ଯୋଜନା ଫଳବତୀ ହୋଇପାରୁନାହିଁ । ହାଣ୍ଡିଏ ଅମୃତରେ ଟୋପାଏ ଜହର ଖସି ପଡ଼ିଲେ ଯେମିତି ହାଣ୍ଡିକ ଅମୃତ ତତକ୍ଷଣାତ ବିଷ ପାଲଟି ଯାଏ , ଠିକ୍ ସେମିତି ମାଟି ଗର୍ଭରେ ମୋଟା ଆକାରର ବିଷର ଚ଼ଟାଣ । ଜନସଂଖ୍ୟା ବି ନିୟନ୍ତ୍ରିତ ହୋଇପାରୁନାହିଁ । ଚ଼ାଷଜମି ଏପରିକି ମଶାଣି ଭୂଇଁ ବି ନିବାସସ୍ଥଳୀରେ ପରିଣତ । ବହୁ ସମସ୍ଯାର ଘେରରେ କୃଷି ଓ କୃଷକ । ନୀତି ନିର୍ଦ୍ଧାରକ ଓ କୃଷି ବିଶେଷଜ୍ଞ ମାନେ ଅନେକ ସମୟ କୃଷକ ଅପେକ୍ଷା କୃଷିକ୍ଷେତ୍ର ଉପରେ ଦୃଷ୍ଟି ନିକ୍ଷେପ କରିଥା'ନ୍ତି । ଜମି ଓ ଜଳ ଉତ୍ପାଦନ ବୃଦ୍ଧି ହେତୁ ଚ଼ାଷକାର୍ଯ୍ଯ କିଛି ପରିମାଣରେ ଚ଼ାଲିଛି , କିନ୍ତୁ ତାହା ପର୍ଯ୍ଯାପ୍ତ ନୁହେଁ ; ସମୁଦ୍ରକୁ ଶଙ୍ଖେ କହିଲେ କିଛି ଅତ୍ଯୁକ୍ତି ହେବନି । ଏହା କେବଳ ଚ଼ାଷୀ ଓ ତା'ର ପରିବାରର କଲ୍ଯାଣ ସାଧନ କରିବ ; କିନ୍ତୁ ଚ଼ାଷୀ ପ୍ରତି ଉଦାସୀନ ରହି ଜନ କଲ୍ୟାଣରେ ଲଗି ପାରିବ ନାହିଁ । କୃଷି ସମ୍ପଦ , କୃଷି ଉପରେ ନିର୍ଭରଶୀଳ ହୋଇ ଜୀବିକା ନିର୍ବାହ କରୁଥିବା ପ୍ରତ୍ଯେକଙ୍କୁ ପ୍ରଭାବିତ କରେ । ଏଥିରୁ ଜଣାଯାଉଛି ରାଷ୍ଟ୍ର ପାଇଁ କୃଷି ଓ କୃଷକର ଆବଶ୍ଯକତା କେତେ ଅପରିହାର୍ଯ୍ଯ । "ଖାଦ୍ଯ ଏବଂ ବସ୍ତ୍ର" - ଏ ଦୁଇଟି କୃଷିକାର୍ଯ୍ୟ ଦ୍ବାରା ହିଁ ସମ୍ଭବ । ତେଣୁ ଏଠାରେ କୃଷକର ଭୂମିକା ଅତି ଗୁରୁତ୍ୱପୂଣ୍ଣ ।
ଏବେ ଆଉ ଏକ ଦିଗକୁ ଦୃଷ୍ଟି ଦେବା ଉଚିତ୍ ; ତାହା ହେଉଛି ବାସଗୃହ । ପ୍ରତ୍ଯେକ ରାଷ୍ଟ୍ର ବାସିନ୍ଦାଙ୍କ ପାଇଁ ନିଜ ନିଜର ରାଷ୍ଟ୍ର ତାଙ୍କର ବାସଗୃହ ଏବଂ ରାଷ୍ଟ୍ରର ବାସିନ୍ଦା ମାନେ ଗୋଟିଏ ପରିବାରର ଅଟନ୍ତି । ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଯେପରି ପରିବାରର ପ୍ରତ୍ଯେକ ସଦସ୍ଯ ତତ୍ପର ଥା'ନ୍ତି ; ଠିକ୍ ସେହିପରି ରାଷ୍ଟ୍ରକୁ ସୁରକ୍ଷିତ ରଖିବାକୁ ସୈନିକ ମାନେ ସଦାସର୍ବଦା ତତ୍ପର ରହିଥା'ନ୍ତି । ମୁଣ୍ଡ ଝାଳ ତୁଣ୍ଡେ ମାରି , ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ଅଗମ୍ୟ ପଥରେ ଜୀବନକୁ ପାଣି ଛଡ଼େଇ ନିଜ ପରିବାର ରୂପୀ ରାଷ୍ଟ୍ରକୁ ସୁରକ୍ଷାର ବଳୟ ଭିତରେ ବେଷ୍ଟନ କରି ରଖିଛନ୍ତି । ଦୁଷ୍ଟଶକ୍ତିର ନିପାତ କରିବାକୁ ଯାଇ କେତେବେଳେ ପରିବାରର ଦୃଷ୍ଟି ଆଢୁଆଳରେ ବିଲୀନ ହୋଇଯାଉଛନ୍ତି ତ କେତେବେଳେ ବିଜୟର ତିଳକ ଧାରଣ କରି ପରିବାର ପାଇଁ ଆଣିଦେଉଛନ୍ତି ଅହେତୁକ ଆନନ୍ଦ । ନିଜର ବାପା - ମାଆ - ଭାଇ - ଭଉଣୀ ଆଉ ସାଙ୍ଗସାଥି ଓ ଆତ୍ମୀୟ ସ୍ବଜନଙ୍କ ଠାରୁ ଦୂରେଇ ରହି ସାରା ରାଷ୍ଟ୍ରର ସୁରକ୍ଷାରେ ତିଳ ତିଳ କରି ଦହି ଚ଼ାଲିଛନ୍ତି ନିଜ ଜୀବନକୁ । ଉତ୍କଳମଣି ଗୋପବନ୍ଧୁଙ୍କର ଏକ ଉକ୍ତି ମନେପଡ଼େ । ଯେତେବେଳେ ତାଙ୍କର ଏକମାତ୍ର ପୁଅକୁ ଜ୍ବର ହୋଇଥାଏ ; ସେତେବଳେ ବନ୍ଯା ଘେରରେ ପ୍ରପୀଡ଼ିତ ଜନତାଙ୍କୁ ସାହାଯ୍ୟ ଓ ସହଯୋଗର ହାତ ପ୍ରସାରିବା ପାଇଁ ଘରୁ ବାହାରି ଯାଆନ୍ତି ଗୋପବନ୍ଧୁ । ସ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ କହନ୍ତି - "କୋଟିଏ ପୁତ୍ରଙ୍କର ପ୍ରାଣ ସଙ୍କଟରେ , ଗୋଟିଏ ପୁଅକୁ ଚ଼ାହିଁଲା ବେଳକୁ କୋଟିଏ ପ୍ରାଣ ଅକାଳରେ ଚ଼ାଲିଯିବ ।" ଠିକ୍ ସେମିତି ଏହି ସୀମା ସୁରକ୍ଷାକାରୀ ଅର୍ଥାତ୍ ରାଷ୍ଟ୍ରର ରକ୍ଷକ ଜଣେ ଜଣେ ଗୋପବନ୍ଧୁ ନୁହଁନ୍ତି କି ? ନିଜର ଆତ୍ମୀୟ ସ୍ବଜନଙ୍କୁ ବଳି ପକାଇ ରାଷ୍ଟ୍ର ଜନତାଙ୍କ ପାଇଁ ଜୀବନୋତ୍ସର୍ଗ କରିଚ଼ାଲିଛନ୍ତି । ସେ ଥିଲେ ଦୀନବନ୍ଧୁ ; ଏମାନେ ରାଷ୍ଟ୍ରବନ୍ଧୁ । ସେ ଥିଲେ ଉତ୍କଳର ମଣି ; ଏମାନେ କ'ଣ ରାଷ୍ଟ୍ରମଣି ନୁହଁନ୍ତି କି ?
ମାଟିର ଶରୀରକୁ ମାଟି କରି , ଦେହର ସ୍ବେଦ ନିର୍ଝରକୁ ଦେହରେ ବିଲୀନ କରି , ଖରା - ବର୍ଷା - ଶୀତର ପ୍ରକୋପ ସହି ଫସଲ ଉପୁଜାଉଥିବା ଚ଼ାଷୀ ଏବଂ ରକ୍ତକୁ ପାଣି ଫଟାଇ , ଦୁର୍ଗମ ପଥର ଯାତ୍ରୀ ସାଜି , ନିଜର ହସ - ଖୁସିକୁ ନିଜ ହାତରେ ଜଳାଞ୍ଜଳି ଦେଇ , ଜୀବନକୁ ବିପନ୍ନ କରି ଯେଉଁ କୃଷକ ଓ ସୈନିକ ଭାଇମାନେ ଆମକୁ ଖାଦ୍ଯ ,ବସ୍ତ୍ର ଓ ସୁରକ୍ଷା ଯୋଗାଇ ଚ଼ାଲିଛନ୍ତି ; ସେମାନେ ଯୁଗେ ଯୁଗେ ଚ଼ିର ନମସ୍ୟ । ରାଷ୍ଟ୍ରର ପ୍ରଗତିରେ କାହାର କେତେ ଆବଶ୍ଯକତା ଥାଉ ନା କାହିଁକି ; କୃଷକ ଓ ସୈନିକର ଆବଶ୍ଯକତା ନିତାନ୍ତ ରହିଛି । ଧର୍ମ , ସତ୍ଯ ଓ ନ୍ଯାୟ ନିରପେକ୍ଷ କେବଳ ଏଇ ବ୍ଯକ୍ତି ଦ୍ବୟ । ଏହାଙ୍କ ଭୂମିକା ଅପରିହାର୍ଯ୍ଯ ।
ଭାଟପଡ଼ା , ନିରାକାରପୁର , କଣାସ ,ପୁରୀ
ଯୋଗାଯୋଗ - ୮୯୧୭୪୮୦୫୩୬
Comments
Post a Comment