ଓଡ଼ିଆ ସଂସ୍କୃତିରେ ପୁଷ ମାସ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

        ସମ୍ପାଦକ - ଉଦୟ ଭାନୁ 

 

     ପୁଷ୍ଯା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣମା ପାତିତ ଚାନ୍ଦ୍ରମାସର ନାମ ପୌଷ ମାସ । ଏହା ହେମନ୍ତ ଋତୁରେ ଯାଏ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତ୍ଯେକ ମାସର ମହତ୍ତ୍ୱ ରହିଛି । ଏ ମାସର ବିଶେଷତ୍ତ୍ୱ ହେଉଛି ସୂର୍ଯ୍ଯଦେବଙ୍କ ଆରାଧନା ଯାହା ଶାମ୍ବ ଦଶମୀ ନାମରେ ଖ୍ଯାତ । ଏ ମାସରେ ଭଗ ନାମକ ସୂର୍ଯ୍ଯଙ୍କୁ ଉପାସନା କରାଯାଏ । ସବୁ ମାସ ପରି ଏ ମାସରେ ମଧ୍ଯ ପର୍ବପର୍ବାଣୀର ଅଭବ ନାହିଁ । ଏ ମାସରେ ପୌଷ ନବରାତ୍ରି ପାଳନର ବିଧି ରହିଛି । କୃଷିପ୍ରଧାନ ରାଜ୍ଯ ଓଡ଼ିଶା ପାଇଁ ଏ ମାସଟି ସମୃଦ୍ଧିର ମାସ ହୋଇଥାଏ । କାରଣ ଏ ମାସ ଚାଷୀର ଘରକୁ ଅମଳ ହୋଇଥିବା ଖାଦ୍ଯଶସ୍ଯ ଆସିଥାଏ । ତେଣୁ ଏଦିନ ଅମଳ ହୋଇଥିବା ଶସ୍ଯରେ ଉଖୁଡ଼ା ପ୍ରସ୍ତୁତ କରି ମୁଆଁ ଓ ଉଖୁଡ଼ା ଘରଦିଅଁଙ୍କୁ ପୂଜା କରାଯାଏ ; ଏ ମୂଆଁକୁ ଧନୁମୂଆଁ କହନ୍ତି ଏବଂ ଧନୁ ସଂକ୍ରାନ୍ତିରେ ଏହା ହୁଏ । ପୌଷ ମାସର ଆଦ୍ଯ ଦିବସେ ସୂର୍ଯ୍ଯ ଧନୁ ରାଶିରେ ପ୍ରବେଶ କରୁଥିବାରୁ ଏହାର ନାମ ଧନୁ ସଂକ୍ରାନ୍ତି । ଲୋକ ବିଶ୍ବାସନୁସାରେ ଧନୁ ସଂକ୍ରାନ୍ତିରେ ମହାଲକ୍ଷ୍ମୀ ଶ୍ରୀମନ୍ଦିର ତ୍ଯାଗ କରି ମାସକ ପାଇଁ ବାପଘରକୁ ଯା'ନ୍ତି ; ତେଣୁ ଏ ସମୟରେ ଠାକୁର ମାନଙ୍କ ଲାଗି ମା' ଯଶୋଦା ଖାଦ୍ଯ ପ୍ରସ୍ତୁତ କରି ତାଙ୍କ ପୁଅ-ଝିଅ (ଜଗନ୍ନାଥ - ବଳଭଦ୍ର - ସୁଭଦ୍ରା)ଙ୍କୁ ସକାଳୁ ସଅଳ ସଅଳ ଖାଇବା ପାଇଁ ଦେଇଥା'ନ୍ତି । ତେଣୁ ଏ ପୂଜା ପୂରା ପ୍ରାତଃରୁ କରାଯାଏ । ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ଯାଏଁ ଓଡ଼ିଆ ପରମ୍ପରାରେ କିଛି ମାଙ୍ଗଳିକ କାର୍ଯ୍ଯ କରାଯାଏ ନାହିଁ ; କିନ୍ତୁ ତୀର୍ଥଯାତ୍ରା କରିହୁଏ । ପୌଷ ମାସରେ ବରଗଡ଼ର ଧନୁଯାତ୍ରା ବେଶ୍‌ ପ୍ରସିଦ୍ଧ । ଏହା ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ମାନ୍ଯତା ପ୍ରାପ୍ତ । ଏ ମାସରେ କୋଣାର୍କରେ ସୂର୍ଯ୍ଯଦେବଙ୍କ ରଥଯାତ୍ରା ପାଳନ କରାଯାଏ ଯାହା ପୌଷ ମାସ ଶୁକ୍ଳ ଦଶମୀ ତିଥିରେ ସୂର୍ଯ୍ଯଦେବଙ୍କ ଚଳନ୍ତି ପ୍ରତିମା ମିତ୍ରାଦିତ୍ଯ ରଥାରୁଢ଼ ହୋଇ ଚନ୍ଦ୍ରଭାଗା ଅଭିମୁଖେ ଯାଇ ମାଘ ଶୁକ୍ଳ ସପ୍ତମୀରେ ସ୍ବସ୍ଥାନକୁ ପ୍ରତ୍ଯାବର୍ତ୍ତନ କରନ୍ତି ।


    ଏ ମାସର ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ "ବାଟଓଷା" ବା "ଦାଣ୍ଡ ପହଁରା ଓଷା", ଅମାବାସ୍ୟା ଦିବସରେ "ବକୁଳ ଅମାସ୍ୟା'', ଶୁକ୍ଳ ଦଶମୀ ତିଥିରେ "ପୌଷ ପୁତ୍ରଦା ଏକାଦଶୀ" ଏବଂ ପୂର୍ଣ୍ଣମାରେ "ପୁଷ୍ଯାଭିଷେକ ପୂର୍ଣ୍ଣିମା" ବା "ପୌଷ ପୂର୍ଣ୍ଣିମା" ଆଦି ପଡ଼େ । ଏ ମାସରେ ପ୍ରତି ରବିବାର ରବିନାରାୟଣ ବ୍ରତ ହୁଏ । ମାନ୍ୟତା ଅଛି ଏ ମାସରେ ସୂର୍ଯ୍ଯ ଏଗାର ହଜାର ରଶ୍ମି ସହ ବ୍ଯକ୍ତିଙ୍କୁ ଶକ୍ତି ଓ ସ୍ବାସ୍ଥ୍ୟ ପ୍ରଦାନ କରିଥା'ନ୍ତି । ପ୍ରାତଃ କାଳରେ ସ୍ନାନାନ୍ତେ ସୂର୍ଯ୍ଯଙ୍କୁ ତମ୍ବା ପାତ୍ରରେ ଜଳ ଓ ସିନ୍ଦୂର ପକାଇ ଅର୍ପଣ କରି "ଓଁ ଆଦିତ୍ୟାୟ ନମଃ" ଜପ କଲେ ସ୍ବାସ୍ଥ୍ୟ ସମସ୍ୟା ରହେ ନାହିଁ ବୋଲି ଶାସ୍ତ୍ର କହୁଛି । ଏହି ମାସରେ ଲୁଣ ସେବନର ମାତ୍ରା କମ୍‌ କରିବା ସହ ଖାଦ୍ଯରେ ବାଦାମ ଓ ଚିନି ପରିବର୍ତ୍ତେ ଗୁଡ଼ ଖାଇବା ଉଚିତ ; ଜୁଆଣି , ଲବଙ୍ଗ ଏବଂ ଅଦା ସେବନ ବିଶେଷ ଲାଭକାରୀ । ଏ ମାସରେ ଥଣ୍ଡା ପାଣି ପାନ ଓ ଅତ୍ଯଧିକ ଖାଦ୍ଯ ସେବନ ଶରୀରକୁ କ୍ଷତି ପହଞ୍ଚାଇଥାଏ ଏବଂ ଅଧିକ ତୈଳ କି ଘୃତ ସେବନ ବି ହାନିକାରକ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏ ମାସରେ ଲାଲ୍‌ ଓ ପୀତ ବସ୍ତ୍ର ପିନ୍ଧିଲେ ଭାଗ୍ଯରେ ପରିବର୍ତ୍ତନ ଆସେ । ଏ ମାସରେ କର୍ପୂରର ପ୍ରୟୋଗ ସ୍ବାସ୍ଥ୍ୟର ଉନ୍ନତି ଘଟାଏ । ଲୋକମତରେ ଏ ମାସରେ ବିବାହିତା ନାରୀ ତା'ର ବାପଘରକୁ ଗଲେ ଧନସମ୍ପତ୍ତି ଓ ସୌଭାଗ୍ୟରେ ବୃଦ୍ଧି ହୋଇଥାଏ । ଏ ମାସରେ ଅଧିକ ନିରାମିଷ ଓ ଖୁଆ ଜାତୀୟ ଖାଦ୍ଯ ଖାଇବା ଉଚିତ୍‌ । ଶାସ୍ତ୍ର କହେ ଏ ମାସରେ ଶୀତବାସ ଓ ଖାଦ୍ଯ ଦାନର ଶୁଭ ଫଳ ମିଳେ ।


    ଏ ମାସର ଧନୁ ସଂକ୍ରାନ୍ତିରେ ଜଗନ୍ନାଥଙ୍କର ପହିଲି ଭୋଗ ଆରମ୍ଭ ହୁଏ । ପୌଷ ମାସର ପବିତ୍ରତା ଯୋଗୁଁ ପୁଷ୍ଯାଭିଷେକ ଅନୁଷ୍ଠିତ ହୁଏ । ପଞ୍ଜିକାରଙ୍କ ମତେ ଏ ସଂକ୍ରାନ୍ତିର ନାମ "ମହୋଦରୀ" ; ଏ ମାସର ସଂକ୍ରାନ୍ତି ପୁରୁଷ ପଶୁ ଜାତି , ପ୍ରୌଢ଼ା ବୟସ , ରକ୍ତବାସ ପରିଧାନ କରି ଗୋରଚନା ଲେପନ ଏବଂ ବିଲ୍ବଦଳ ଆଭୂଷିତା ହୋଇ ଦୁର୍ମୁଖାବସ୍ଥାରେ ସିଧା ଆସି ପୂର୍ବ ଦିଗକୁ ଦୃଷ୍ଟି ଦେଇ ଦକ୍ଷିଣ ଦିଗକୁ ଗମନ କରିବେ । ଏହି ପୌଷ ମାସ ବିଶେଷତଃ ସୂର୍ଯ୍ଯ ଆରାଧନାର ଶ୍ରେଷ୍ଠ ମାସ । ସୂର୍ଯ୍ଯଙ୍କର ଏକ ନାମ ହେଲା "ପୁଷା", ଯା'ର ଅର୍ଥ ପୋଷଣକାରୀ ; ଏ ହେତୁ ଏ ମାସର ନାମ "ପୌଷ ମାସ" । ଶାସ୍ତ୍ରରେ ଅଛି - "ଲୋକାନ୍‌ ଅବତି ରକ୍ଷତି ଇତି ରବି" ; ଯେ' ସାରା ସଂସାରର ରକ୍ଷଣକର୍ତ୍ତା ସେ ରବି । "ମାଟି , ଜଳ , ଅଗ୍ନି , ବାୟୁ ଓ ଶୂନ୍ଯ" ଏ ପଞ୍ଚତତ୍ତ୍ୱ ରବିଙ୍କ ଠାରେ ବିଦ୍ଯମାନ । ପ୍ରତ୍ଯେକ ସ୍ଥାନରେ ପ୍ରଥମେ ସେ ହିଁ ପୂଜା ପା'ନ୍ତି । "ପୁଷ ରବିବାର ବ୍ରତ" ଏହି ରବିଙ୍କର ଏବଂ "ପୁଷ ରବିବାର ବ୍ରତ କଥା" ନାମକ ଏକ କ୍ଷୁଦ୍ର ଗ୍ରନ୍ଥରେ ତାଙ୍କ ମାହାତ୍ମ୍ୟ ବର୍ଣ୍ଣିତ ଅଛି ।


      କର୍ଣ୍ଣାଟର ସାଧବ କନ୍ଯା ବାଳାବତୀର ପ୍ରାର୍ଥନାରେ ସନ୍ତୋଷତା ପ୍ରାପ୍ତ କରି ଦିନେ ସୂର୍ଯ୍ଯ ଅସ୍ତ ହେବାକୁ ବିଳମ୍ବ କଲେ । ସୂର୍ଯ୍ଯଙ୍କ ମାତା ଅଦିତି ବିବ୍ରତ ହୋଇ ବାଳାବତୀଙ୍କୁ "କୁଷ୍ଠ ହେଉ" ବୋଲି ଶାପ ଦେଲେ । ବିଷାଦତାର ସହିତ ଏହି ରୋଗରୁ ମୁକ୍ତ ହେବାର ଉପାୟ ପୁଚ୍ଛନ୍ତେ ତ ମାତା ପୁଷ ରବିବାର ବ୍ରତ ଓ ବିଧାନର ନିର୍ଦ୍ଦେଶ ଦେଲେ । ଏ ବ୍ରତ ନିଷ୍ଠା ସହ କରାଯାଏ । ସେହି ବ୍ରତ କରି ସାଧବ କନ୍ଯା ବାଳାବତୀ କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ ବୋଲି "ପୁଷ ରବିବାର ବ୍ରତ କଥା"ରେ ଅଛି ।


     

      ସୂର୍ଯ୍ଯପୂଜାର ପର୍ବ ହେଉଛି ଶାମ୍ବ ଦଶମୀ । ଶ୍ରାବଣ ମାସର ଚିତାଲାଗି ଅମାବାସ୍ଯାଠୁ ପୌଷ ମାସର ଶୁକ୍ଳପକ୍ଷ ଦଶମୀରେ ପାତିତ ଶାମ୍ବ ଦଶମୀ ମଧ୍ଯରେ ଅନେକ ପର୍ବର ସମ୍ଭାର । ଗାଁ ଗହଳିରେ ଢ଼ଗଢ଼ମାଳୀରେ ଅଛି :- 

                       "ଅଇଲା ଚିତୋଉ ନାନୀ

                    ବାର ଓଷା ପର୍ବ ସଙ୍ଗତେ ଘେନି,

                      ଶମ୍ବର ଦଶମୀ ଅଲଣା ଦାଉ

                     ସବୁ ଓଷା ବାର ଏଇଠି ଥାଉ ।"

ଓଡ଼ିଆଙ୍କ ସ୍ବାଦିଷ୍ଟ ଖାଦ୍ଯ ପ୍ରସ୍ତୁତି ଦକ୍ଷତାର ଅସଲ ନିଦର୍ଶନ ଚିତାଲାଗି ଠାରୁ ଶାମ୍ବ ଦଶମୀ । କଥାରେ କୁହାଯାଇଛି :- "ଶମ୍ବର ଦଶମୀରେ ମଣିଷ ଗୋଟିଏକୁ ପିଠା ଗୋଟିଏ ।" ଏହି ପର୍ବରେ ବିଭିନ୍ନ ପନିପରିବା ମିଶ୍ରଣରେ "ଘଡ଼ଘଡ଼ା ତିଅଣ" ପ୍ରସ୍ତୁତ ହୋଇ ପୂଜା କରାଯାଏ ସୂର୍ଯ୍ଯନାରାୟଣ ଦେବଙ୍କୁ । ନିଜ ସନ୍ତାନ ସନ୍ତତିଙ୍କର ମଙ୍ଗଳ ବିଧାନାର୍ଥେ ନିଷ୍ଠାର ସହ ଏ ଶାମ୍ବ ଦଶମୀ ନାରୀମାନେ ପାଳନ କରିଥା'ନ୍ତି । ସୂର୍ଯ୍ଯଙ୍କର ଆକାଶରେ ତିନି ସ୍ଥିତିକୁ ଲକ୍ଷ୍ଯ କରି ବ୍ରାହ୍ମ ମୁହୂର୍ତ୍ତରେ ଫଳମୂଳ ଆଉ ମିଷ୍ଟାନ୍ନ , ମଧ୍ଯାହ୍ନରେ ଗଇଁଠା , ଅଟକାଳି ଆଦି ପିଠା , ଖେଚୁଡ଼ି ଓ ଘଡ଼ଘଡ଼ା ତିଅଣ ଏବଂ ଅପରାହ୍ନରେ ବା ସନ୍ଧ୍ୟାରେ ଏଣ୍ଡୁରି , କାକାରା , ମାଲପୁଆ , ଗଜା ଆଦି ନୈବିଦ୍ଯ କରାଯାଏ । ବ୍ରାହ୍ମ ମୁହୂର୍ତ୍ତର ନୈବିଦ୍ଯାନ୍ତେ ସୂର୍ଯ୍ଯ ପୁରାଣ ପଢ଼ାଯାଏ ବା ପାରାୟଣ କରାଯାଏ । କୁଷ୍ଠ ରୋଗରୁ ମୁକ୍ତି ହେବା ପାଇଁ ଶାମ୍ବ ସୂର୍ଯ୍ଯ ଉପାସନା କରି ସଫଳତୀ ଲାଭ କରିଥିବାର ବର୍ଣ୍ଣନା ପୁସ୍ତକ ଆକାରରେ ପ୍ରକାଶିତ ହୋଇ ଶାମ୍ବ ଦଶମୀରେ ଘରେ ଘରେ ପଠିତ ହୁଏ , ଯାହା ସୂର୍ଯ୍ଯ ପୁରାଣରୁ ଆନୀତ । ଚନ୍ଦ୍ରଭାଗା ତୀରରେ ଶାମ୍ବ ସୂର୍ଯ୍ଯଙ୍କୁ ତକରିଥିଲେ ଏବଂ ସେଦିନ ଥିଲା ପୌଷ ମାସ ଶୁକ୍ଳପକ୍ଷ ଦଶମୀ ତିଥି ; ଶାମ୍ବ ମାଘ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ କୁଷ୍ଠ ରୋଗରୁ ମୁକ୍ତ ହୋଇଥିଲେ । ଦେବର୍ଷି ନାରଦ , ଭୁବନ ଭାସ୍କର ସୂର୍ଯ୍ଯଦେବଙ୍କ ଶାପରେ ଧବଳ କୁଷ୍ଠ ବ୍ଯାଧିରେ ଆକ୍ରାନ୍ତ ହୋଇଥିଲେ ଏବଂ ଚନ୍ଦ୍ରଭାଗା କ୍ଷେତ୍ରରେ ରବିନାରାୟଣଙ୍କ ଆରାଧନା କରି ମୁକ୍ତ ହୋଇଥିଲେ ବୋଲି ଶାସ୍ତ୍ର କହେ ।


       ଦିଗ୍‌ବିଜୟୀ ସମ୍ରାଟ ହର୍ଷବର୍ଦ୍ଧନଙ୍କ ରାଜଦରବାରର ଜଣେ ଅଗାଧ ସଂସ୍କୃତ ଜ୍ଞାନ ସମ୍ପନ୍ନ କବି ମୟୂରଭଟ୍ଟ କୁଷ୍ଠ ରୋଗାକ୍ରାନ୍ତ ହୋଇ ଶହେ ଶ୍ଳୋକ ବିଶିଷ୍ଟ ସୂର୍ଯ୍ଯ ସ୍ତୁତି ରଚନା କରି ନିତ୍ଯ ପାରାୟଣ କରି ବ୍ଯାଧିମୁକ୍ତ ହୋଇଥିଲେ । ଯେଉଁ ସ୍ଥାନରେ କୃଷ୍ଣ ସୁତ ଶାମ୍ବ ସୂର୍ଯ୍ଯ କୃପା ଲଭ୍ଯର୍ଥେ ତପଶ୍ଚରଣ କରିଥିଲେ ତାହା "ମୈତ୍ରେୟ ବନ" ନାମରେ ଖ୍ଯାତି ଅର୍ଜିଛି । ସୂର୍ଯ୍ଯଙ୍କ ଅନ୍ଯ ନାମ ମିତ୍ର , ତେଣୁ ତାଙ୍କ ନାମାନୁସାରେ ତାହାର ନାମ । "ଗ୍ରହଜାଗ ସଂସ୍କାର" ଗ୍ରନ୍ଥ କହେ - "ଜାତଂ ସୂର୍ଯ୍ଯ କଳିଙ୍ଗେଷୁ" ; ଅର୍ଥାତ ସୂର୍ଯ୍ଯଙ୍କ ଜାତସ୍ଥାନ କଳିଙ୍ଗ ଦେଶ । କୋଣାର୍କର ରଥଯାତ୍ରା ଏହି ଆଧାରରେ ପାଳିତ । "କପିଳ ସଂହିତା" ଅନୁସାରେ ଶାମ୍ବ ଦଶମୀରେ ପ୍ରାତଃ ସ୍ନାନାନ୍ତେ ମିତ୍ରାଦିତ୍ଯଙ୍କୁ ରଥରେ ଦର୍ଶନ କଲେ ଶୋକ ଓ ଭୟରୁ ମୁକ୍ତି ମିଳିବା ସହ ଦ୍ବିତୀୟ ବାର ଜନ୍ମ ହୋଇନଥାଏ ।


     ପୌଷ ମାସର ଆଉ ଏକ ପର୍ବ କୃଷ୍ଣପକ୍ଷ ଦ୍ବିତୀୟାର "ବାଟଓଷା" ବା "ଦାଣ୍ଡ ପହଁରା ଓଷା" ଯାହା ଯମରାଜଙ୍କ ଉଦ୍ଦେଶ୍ଯରେ ପାଳିତ । ନିଜ ପୁତ୍ରର ଦୀର୍ଘାୟୁ କାମନା କରି ରାତ୍ରେ ଓପାସ ରହି ବଜ୍ରମୂଳି ଗଛରେ ଦାଣ୍ଡ ପହଁରି ମାଆ ମାନେ ନିଜ ପୁତ୍ର ମାନଙ୍କୁ ଝାଡ଼ିଥା'ନ୍ତି । ଇନ୍ଦ୍ରଙ୍କର ଅମୋଘ ଅସ୍ତ୍ର "ବଜ୍ର" ; ତେଣୁ ବଜ୍ରମୂଳି ଗଛର ବ୍ଯବହାର । ଯମଦଣ୍ଡରୁ ମୁକ୍ତି ଅର୍ଥେ ଯମଙ୍କୁ ସନ୍ତୁଷ୍ଟ କରିବାକୁ "ଦାଣ୍ଡ ପହଁରା" ଓଷାର ପାଳନ ଯାହା କୃଷି ଭିତ୍ତିକ ପରବଟିଏ । ନୂଆ ଧାନ କୁଟି ମଣ୍ଡାପିଠା , ମୁଢ଼ି , ଖଇ, ମୁଆଁ , ଚୁଡ଼ା ଆଦି ସହ ମୂଳା , ଆଖୁ ଆଉ ନାନାଦି ଫଳମୂଳ ସହ ତୁଷ ଓ କୁଣ୍ଡା ଆଦି ଭୋଗ ହୁଏ । ଗାଁ ଦାଣ୍ଡ ବା ବନସ୍ତରେ ଏକ ଗର୍ତ୍ତ କରି ଏକ ପାତ୍ରରେ ସିନ୍ଦୂରରେ ଯମଙ୍କ ପ୍ରତିମା ସ୍ଥାପନ ପୂର୍ବକ ମାଆ ମାନେ ଚାରିପଟେ ଚାଙ୍ଗୁଡ଼ା ଧରି , ବଜ୍ରମୂଳି ଉପରେ ରଖି କପଡ଼ା ଢ଼ାଙ୍କି ବସନ୍ତି ଏବଂ ଯମଙ୍କୁ ଷୋଡଶୋପଚାର ବିଧିରେ ବ୍ରାହ୍ମଣଙ୍କ ଦ୍ବାରା ପୂଜାର୍ଚ୍ଚନା କରାନ୍ତି ଆଉ ପୁତ୍ରର ଦୀର୍ଘାୟୁ ପାଇଁ ଯମଙ୍କୁ ସୁମରଣା କରନ୍ତି । "ବାଟଓଷା" ପୁରାଣ ପଠନ କରାଯାଏ । 


     କୋଶଳର ରାଜା ସୁଦର୍ଶନ ଓ ରାଣୀ ଲୀଳାବତୀ , ଦୁହେଁ ପରୋପକାରୀ ଓ ପ୍ରଜାବତ୍ସଳ କିନ୍ତୁ ନିଃସନ୍ତାନ ; ଅର୍ଥାତ୍‌ ପୁତ୍ର ସନ୍ତାନ ନାହିଁ ତାଙ୍କର । ବିଜ୍ଞ ବ୍ରାହ୍ମଣ , ଜ୍ଯୋତିଷ  ବାଟଓଷା କଲେ , ଯମଙ୍କୁ ସନ୍ତୁଷ୍ଟ କଲେ ପୁତ୍ର ପ୍ରାପ୍ତି ହେବ ବୋଲି ପରାମର୍ଶ ଦେଇଥିଲେ । ଓଷାକାରୀ ରାଜ୍ଯର ଗୃହିଣୀ ମାନଙ୍କଠୁ ପ୍ରସାଦ ଖାଇ ରାଣୀ ଉତ୍ତମ ପୁତ୍ର ସନ୍ତାନର ଜନନୀ ହୋଇଥିଲେ । ତାଙ୍କ ପୁତ୍ରର ନାମ ରଖିଥିଲେ ବୀରସେନ । ପୁତ୍ର ପ୍ରାପ୍ତି ପରେ ରାଣୀ ଏହି ଓଷା ନକରିବା ଯୋଗୁଁ ଯମ ବୀରସେନକୁ ଅପହରଣ କରି ଘେନିଗଲେ ଓ ତାଙ୍କୁ ମାରି ନିଜର ମାତାଙ୍କୁ ରୋଷେଇ କରି ଖାଇବାକୁ ଦେବାକୁ କହିଲେ ଓ ଯମ ସ୍ନାନ କରିବାକୁ ଚାଲିଗଲେ । ଇତ୍ଯବସରରେ ବୀରସେନଙ୍କ ନାକରେ ଦି'ଖଣ୍ଡ କାଠି ପୂରାଇ ପୂଜା ସମୟରେ ଛିଙ୍କିବାକୁ ଯମଙ୍କ ମାତା ଶିଖାଇ ଦେଲେ ; ବୀରସେନ ଠିକ୍‌ ସେପରି କରିଥିଲେ । ଏ ସମୟରେ ଯମମାତା "ଅଚ୍ଛମର ହୁଅ" ବୋଲି କହିଥିଲେ । ଫଳତଃ ଯମଦେବ ବୀରସେନଙ୍କୁ ନମାରି ବାଟଓଷା ନକଲେ ପୁନରାୟ ନେଇଯିବେ ବୋଲି ବୀରସେନର ମାତାଙ୍କୁ କହି ଘରେ ଛାଡ଼ି ଦେଇଗଲେ । ପରିବାର ବୀରସେନଙ୍କୁ ପାଇ ଖୁସି ହେବା ସହ କିସ ପାଇଁ ରୋଷ ପଚାରିବାରୁ ବୀରସେନ କହିଲେ - "ତୁମେ ବାଟଓଷା ପାଳନ ଭୁଲି ଯାଇଥିବାରୁ ମୋତେ ଧରି ନେଇଥିଲେ ।" ଶେଷରେ ରାଜଗୃହରେ ମାତ କୌଶଲ୍ୟା ବାଟଓଷା କରି , ଦାଣ୍ଡ ପହଁରି ପୁତ୍ରର ଦୀର୍ଘାୟୁ କାମନା କରିଥିଲେ । ଏ ପୂଜାର ନିୟମ , ସବୁ ପ୍ରସାଦ ପୂଜା ମଣ୍ଡପକୁ ଯିବ ; ଲୋଭ ବଶତଃ ରଖିଲେ ଯମ ଅସନ୍ତୋଷ ହୋ'ନ୍ତି । ପୂଜାନ୍ତେ ସମସ୍ତ ପ୍ରସାଦକୁ ବାଳକ , ବୃଦ୍ଧ ଓ ପରିବାର ମଧ୍ୟେ ବାଣ୍ଟି ଦେବା ବିଧେୟ । 


    ଏ ଓଷା ବାଟ ବା ଦାଣ୍ଡରେ ପାଳିତ ହେଉଥିବାରୁ ଏପରି ନାମକରଣ । ପଣ୍ଡୁ ପୂର୍ଣ୍ଣମା ଯିବାର ତିନି , ସାତ କିମ୍ବା ନଅ ଦିନରେ ଏ ଓଷା ପଡ଼େ । ଏହି ଓଷାର ବିଶେଷ ଆକର୍ଷଣ ଓ ମୁଖ୍ଯ ଭୋଗ ମଣ୍ଡାପିଠା । ସବୁ ସମ୍ପ୍ରଦାୟର ଲୋକେ ଏହି ଓଷାକାରୀ । ଓଡ଼ିଆ ସଂସ୍କୃତିକୁ ଜୀବନ୍ତ କରି ରଖିଛନ୍ତି ଆଜି ବି ହିନ୍ଦୁ ନାରୀମାନେ । ପୁତ୍ରଦା ଏକାଦଶୀରେ ନାମମନ୍ତ୍ତ୍ର ଜପ ସହିତ ଶ୍ରୀହରିଙ୍କ ଆରାଧନା କରାଯାଏ । ଫଳମୂଳ ନୈବିଦ୍ଯ ସହ ଦୀପଦାନର ବି ବିଧାନ ଅଛି । ଏ ବ୍ରତ ପାପନାଶକ ଓ ପୁତ୍ର ପ୍ରାପ୍ତ୍ଯର୍ଥେ । ପୂର୍ବକାଳେ ଭଦ୍ରାବତୀପୁରୀ ରାଜା ସୁକେତୁମାନ୍‌ ନିଃସନ୍ତାନ ଥିଲେ , ଏହି ବ୍ରତ କରି ସେ କିପରି ପୁତ୍ର ପ୍ରାପ୍ତ କଲେ ତାହା ଏହି ବ୍ରତ ବିଧାନ ବହିରେ ଲିଖିତ । ପୁଷ ପୂର୍ଣ୍ଣିମା ବି ମହତ୍ତ୍ୱପୂର୍ଣ୍ଣ । ଗଙ୍ଗାସ୍ନାନ , ଦାନ ଆଦି ଏ ତିଥିରେ କଲେ ଅଶେଷ ଅଶେଷ ଫଳପ୍ରଦ । ହିନ୍ଦୁ କ୍ଯାଲେଣ୍ଡର ଅନୁଯାୟୀ ପୌଷ ପୂର୍ଣ୍ଣିମାଠୁ କଳ୍ପବାସ ଆରମ୍ଭ ହୋଇ ମାଘ ମାସ ପୂର୍ଣ୍ଣିମାରେ ସମାପ୍ତ ହୁଏ ।


    ସୂର୍ଯ୍ଯ ଓ ଚନ୍ଦ୍ରଙ୍କର ଅଦ୍ଭୁତ ସଂଯୋଗ ଏହି ପୁଷ ପୁନେଇଁ । ଏଦିନ ଉଭୟଙ୍କୁ ପୂଜା କଲେ ମନସ୍କାମନା ପୂର୍ଣ୍ଣ ଏବଂ ସମସ୍ତ ସମସ୍ଯା ଅନ୍ତର୍ଦ୍ଧାନ ହୋଇଯାଏ । "ପୁଷମାସ ପୁଣ୍ଯପର୍ବର ଚାଷ"- ଏହା ମିଥ୍ଯା ନୁହେଁ । ଓଡ଼ିଆ ସଂସ୍କୃତି ଓ ପରମ୍ପରାର ବାହକଟିଏ କହିଲେ ବି ଅତ୍ଯୁକ୍ତି ହେବନି । 


          ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 

                          ୮୯୧୭୪୮୦୫୩୬

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା