ଏ କାହାଣୀ ମିଛ ନୁହେଁ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି 

          ସମ୍ପାଦକ - ଉଦୟ ଭାନୁ    


     ଦୁଇ ହଜାର ଅଠର ମସିହା ସେପ୍ଟେମ୍ବର ମାସ ଉଣିଶି ତାରିଖ । ସେଦିନ ଥିଲା ବୁଧବାର  । ଏକ ପତ୍ରିକା ପାଇଁ ଲେଖା କିଛି ଆବଶ୍ୟକ ବୋଲି ଜଣେ ବଡ଼ ଭଉଣୀଙ୍କ ଠାରୁ ଶୁଣିବା ପରେ ଲାଗି ପଡ଼ିଲି ଲେଖା ସଂଗ୍ରହରେ । ଦିନ ସାରା ଲାଗି ଯାହା କିଛି ସଂଗ୍ରହ କଲି ତାକୁ ହ୍ବାଟ୍‌ସ୍‌ଆପ୍‌ ଜରିଆରେ ପଠେଇ ଦେଲି ବଡ଼ ଭଉଣୀଙ୍କ ନିକଟକୁ । ମୋ ପାଖରେ ବି କିଛି ଭଲ ଭଲ ଲେଖା ଥିଲା କିଛି କବି ଓ ଲେଖକ ମାନଙ୍କର , ତାକୁ ବି ପଠେଇ ଦେଲି ; ଆଉ କିଛି ଜଣଙ୍କୁ ଫୋନ୍‌ କରି ଲେଖା ଦେବାକୁ କହିଲି ତ କାହାକୁ ହ୍ବାଟ୍‌ସ୍‌ଆପ୍‌ ଏବଂ ଫେସ୍‌ବୁକ୍‌ ମେସେଞ୍ଜର୍‌ ଜରିଆରେ ଲେଖା ମଗାଇଲି । ସବୁ ଲେଖା ପଠେଇ ସାରିବା ପରେ ଟିକେ ଆଶ୍ବସ୍ତି ହେଲି। ଦିନମଣି ଅସ୍ତ ଯା'ନ୍ତେ ସନ୍ଧ୍ୟାରାଣୀ ଆଗତ ହୋନ୍ତେ ମନେ ପଡ଼ିଗଲା ମୋର ଜଣେ କବୟିତ୍ରୀଙ୍କ କଥା। ଯିଏକି ମୋର ଜଣେ ଫେସବୁକ୍‌ ଓ ହ୍ବାଟ୍‌ସ୍‌ଆପ୍‌ର ବନ୍ଧୁ ଥିଲେ । ବହୁତ ଭଲ ବନ୍ଧୁ ଜଣେ ମୋର ସେ, ବହୁତ ଭଲ ଲେଖାଲେଖି ବି କରନ୍ତି । ସନ୍ଧ୍ୟା ସାତଟା ବାଜି ପଇଁଚାଳିଶି ମିନିଟ୍‌ ହେବାର ସୂଚନାଟିଏ ପାଇଲି ମୋବାଇଲ୍‌ ପରଦାରୁ । ଫୋନ୍‌ରେ ସେଭ୍‌ ଥିବା ନମ୍ବର ସବୁକୁ ଆଡ଼େଇ ତାଙ୍କ ଫୋନ୍‌ ନମ୍ବରରେ ଫୋନ୍‌ କଲି । ରିଙ୍ଗ୍‌ ହେଉ ହେଉ ରିସିଭ୍‌ କରିନେଲେ ମୋର ପ୍ରିୟ କବୟିତ୍ରୀ ବନ୍ଧୁ ସୀମା  । ଭାସି ଆସିଲା ସ୍ବରଟିଏ -"ଜୟ ଜଗନ୍ନାଥ "। ମୁଁ ବି ହ୍ୟାଲୋ ବଦଳରେ "ଜୟ ଜଗନ୍ନାଥ"ଶବ୍ଦୋଚାରଣ ପୂର୍ବକ ପ୍ରତ୍ୟୁତ୍ତର ଦେଇ ଭଲ-ମନ୍ଦ ସବୁ ପଚାରି ନେଲି । ଭଲମନ୍ଦ ବୁଝାବୁଝି ପର୍ବ ସମାପନାନ୍ତେ ପତ୍ରିକାକୁ ଲେଖା ଦେବା କଥା କହିବା ସହିତ କିଛି କଥୋପକଥନ ଭିତରେ ବାସ୍ତବ ଚରିତ୍ରକୁ ନେଇ କାହାଣୀ ଲେଖିବା କଥା ହେବା ବେଳେ ସୀମା କହିଲେ ମୋ ପାଖରେ ଏକ ବାସ୍ତବ କାହାଣୀ ଅଛି । ମୁଁ ଆପଣଙ୍କୁ କାହାଣୀଟି କହୁଛି ; ଆପଣ ଲେଖନ୍ତୁ । ମୁଁ ଲେଖିଥା'ନ୍ତି ; କିନ୍ତୁ ଆପଣଙ୍କ ପରି ମୁଁ ଏତେ ଅଳଙ୍କରଣ କରି ପାରିବିନି । ତେଣୁ ଆପଣ ଲେଖନ୍ତୁ । ମୁଁ ତାଙ୍କ କଥାରେ ସମ୍ମତି ପ୍ରଦାନ କରି କାହାଣୀଟି ଶୁଣେଇବା ପାଇଁ ଅନୁରୋଧ କରିବା ପରେ ସୀମା ଆରମ୍ଭ କଲେ କାହାଣୀ । ଦୀର୍ଘ ଦୁଇ ଘଣ୍ଟା ପ୍ରାୟ ମୋବାଇଲ୍‌ ଫୋନ୍‌ ଜରିଆରେ କାହାଣୀଟି ଶୁଣିଲି। କାଳେ ମୋର ମନରୁ ପାଶୋରି ହୋଇଯିବ ଭାବି କାଗଜରେ ମୁଖ୍ଯ ମୁଖ୍ଯ ଘଟଣା ସବୁକୁ ଉଲ୍ଲେଖ କରିନେଲି  ।


      କାହାଣୀଟିରେ ମାନବିକତାର ମୂଲ୍ୟବୋଧର ଅଭାବ ସହିତ ଜଣେ ମହିୟସୀଙ୍କର ମମତାର ମୂଲ୍ୟବୋଧକୁ ବି ପ୍ରତିପାଦିତ କଲା ପରି ବାର୍ତ୍ତା ପାଇଲି ; ତା' ସହ ମିଳିଲା ଏକ ସୁନ୍ଦର ସୁମନର ଅସହାୟ ଅବସ୍ଥାର କରୁଣ ସମ୍ବାଦ । ସମସ୍ତେ ସମୟର ଦାସ ; ସମୟ ସବୁରି ମୁନିବ । ସମୟ ହିଁ ସୃଷ୍ଟି କରେ ପରିସ୍ଥିତି ; ସେ ସୁଖର ହେଉ ଅବା ଦୁଃଖର । କେତେବେଳେ କେଉଁ ପରିସ୍ଥିତି ଆସିବ ; ସେକଥା ସମୟ ହିଁ ଜାଣେ । ସମୟକୁ ବାନ୍ଧି ରଖିବାର ଶକ୍ତି ଓ ସାମର୍ଥ୍ୟ କାହାରି ପାଖରେ ନାହିଁ । ସମୟ ବଡ଼ ବଳବାନ୍‌ । କେତେବେଳେ ସୁଖ ସମ୍ଭାରରେ ପୋତି ପକାଏ ତ କେତେବେଳେ ଅଥଳ ମହାସାଗରର ଗଭୀର ଜଳରାଶିରେ ନିକ୍ଷେପ କରିବାକୁ ସୁଦ୍ଧା ପଛାଏ ନାହିଁ । ଆଉ କେବେ କେବେ ସୁ-ଉଚ୍ଚ ଦ୍ରୁମରେ ଚଢ଼ାଇ ଦେଇ ମୂଳ ଛେଦନ କରି ପକାଏ । ସମସ୍ତେ ସିନା ସମୟର ଦାସ ; ସମୟ କିନ୍ତୁ ଭାଗ୍ୟର ଭୃତ୍ଯ । ଭାଗ୍ୟର ବିଡ଼ମ୍ବନା ହେଉ କି ଭାଗ୍ୟର ପରିବର୍ତ୍ତନ ; ସମୟ କିନ୍ତୁ ଭାଗ୍ୟ ସହ ସାଥ୍‌ ଦେଇ ଚାଲିଥାଏ । ଅଙ୍ଗରକ୍ଷୀ ପରି ସର୍ବଦା ଭାଗ୍ୟର ପାଖେ ପାଖେ ପରିସ୍ଥିତିର ପିସ୍ତଲକୁ କାନ୍ଧରେ ପକାଇ ଭାଗ୍ୟର ନିର୍ଦ୍ଦେଶକୁ ପ୍ରତୀକ୍ଷାରତ ଥାଏ ସମୟ । ନିର୍ଦ୍ଦେଶ ପ୍ରାପ୍ତ କରିବା ମାତ୍ରେ ପରିସ୍ଥିତିର ପିସ୍ତଲରୁ ବର୍ଷଣ କରି ପକାଏ ଗୁଳି । କେବେ ସୁଖ, ଶାନ୍ତି ଏବଂ ଅହେତୁକ ଆନନ୍ଦ ଉଦ୍ଦିପନାର ଗୁଳି ବର୍ଷଣ ତ ପୁଣି କେବେ ଅସୁଖ, ଅଶାନ୍ତି ଏବଂ ବିଷାଦର ଗୁଳି ଛୁଟେ ; ସବୁ ଭାଗ୍ୟର କହିବା ମୁତାବକ । ଏଇ କାହାଣୀଟିରେ ଅନୁରୂପ ଏଇ କଥା ହିଁ ପ୍ରତିପାଦିତ ହେଉଛି । କାହାଣୀଟି ଥିଲା ନିମ୍ନ ମତେ । 


       ଭାରତର ରାଜଧାନୀ ଦ୍ବିଲ୍ଲୀ ସହରର ଏକ କାହାଣୀ ଇଏ । ମୁଖ୍ଯ ଭୂମିକା ନିର୍ବାହୀ ହେଉଛନ୍ତି ଜଣେ ଝିଅ ; ଯାହାଙ୍କ ନାମ ହେଉଛି ମୋନାଲିସା ଶର୍ମଣ (ଗୁପ୍ତ ନାମ)। ଜାତିରେ ବ୍ରାହ୍ମଣ ଥିଲେ ଏବଂ ହିନ୍ଦୀ ଭାଷାଭାଷୀର ପରିବାର । ପରିବାର କହିଲେ ବାପା, ମାଆ, ଭାଇ ଓ ଏଇ ଝିଅ ମୋନାଲିସା ଶର୍ମଣ । ବାପାଙ୍କ ନାମ ଥିଲା ଦେବନାଥ ଶର୍ମଣ, ମାଆଙ୍କ ନାମ ଥିଲା ମାଥୁରୀ ଦେବୀ ଏବଂ  ଭାଇ ଥିଲେ କୃଷ୍ଣାନନ୍ଦ ଶର୍ମଣ (କେଶରୀ) (ଏସବୁ ଛଦ୍ମ ନାମ) ଦେବନାଥ ଶର୍ମଣ ଥିଲେ ଜଣେ ସାଦାସିଧା ଲୋକ । ହସଖୁସିରେ ଚାଲିଥିଲା ସଂସାର ; ସତରେ ତାଙ୍କ ସଂସାରଟି ଥିଲା ଏକ ମନ୍ଦିର । ହଠାତ୍‌ ସମୟର ଅସହ୍ୟ ବିଧା ପ୍ରହାରରେ ହସଖୁସିର ସେହି ସଂସାର ରୂପକ ମନ୍ଦିରର ମୁଖଶାଳାଟି ଭାଙ୍ଗିରୁଜି ଚୁର୍‌ମାର୍‌ ହୋଇଗଲା । ମାଥୁରୀ ଦେବୀଙ୍କୁ ଗ୍ରାସ କରି ନେଲା କର୍କଟ ରାକ୍ଷସ । ଧିରେ ଧିରେ କାୟା ବିସ୍ତାର କରି ଅସହାୟ ପରିସ୍ଥିତିକୁ ନେଇଗଲା ଦୁର୍ମନ୍ତ କର୍କଟ ରାକ୍ଷସଟି ମାଥୁରୀ ଦେବୀଙ୍କୁ । ସେତେବେଳକୁ ତାଙ୍କର ଏକ ପୁତ୍ର ସନ୍ତାନ ହୋଇ ସାରିଥିଲା । ସେ ପୁତ୍ର ସନ୍ତାନଟିର ନାମ ରଖାଯାଇଥିଲା କେଶରୀ । ପରିସ୍ଥିତି ଜଟିଳରୁ ଜଟିଳତର ଆଡ଼କୁ ଗତି କଲା। ଅସମ୍ଭାଳ ପରିସ୍ଥିତି ଉପୁଜିବାରୁ ଦେବନାଥ ଶର୍ମଣ ଡ଼ାକ୍ତରଙ୍କର ସହାୟତା ଲୋଡ଼ିଲେ । ନାନା ପ୍ରକାରର ପରୀକ୍ଷା ନିରୀକ୍ଷା ପରେ ଜଣା ପଡିଲା ଯେ ମାଥୁରୀ ଦେବୀଙ୍କୁ କର୍କଟ ବେମାରୀ ହୋଇଛି । ଡ଼ାକ୍ତରଙ୍କ ଶୁଣାଣି ପରେ ହତବାକ୍‌ ହୋଇଗଲେ ଦେବନାଥ ଶର୍ମଣ । ଲଥ୍‌କିନା ବସି ପଡ଼ିଲେ ମେଡ଼ିକାଲ୍‌ ହଲ୍‌ର ମୋଜାକି ଚଟାଣ ଉପରେ । ମହାକାଶରେ ସୂର୍ଯ୍ୟଙ୍କ ଚତୁର୍ପାର୍ଶ୍ବେ ଗ୍ରହମାନେ ନିଜ ନିଜ କକ୍ଷପଥରେ ପରିକ୍ରମଣ କରିବା ପରି ତାଙ୍କ ଚାରିପଟେ ମେଡ଼ିକାଲ୍‌ର କାନ୍ଥ,ଡ଼ାକ୍ତର, ରୋଗୀମାନେ ଘୂରିବାକୁ ଲାଗିଲେ । ସବୁକିଛି ଧୂଆଁ ଧୂଆଁ ଦେଖାଗଲା ; ଅବଶ ହୋଇ ପଡ଼ିଲେ ଦେବନାଥ ଶର୍ମଣ । ନିଜ ଅଜାଣତରେ କେତେବେଳେ ଯେ ତାଙ୍କର ଦୁଇଟା ଯାକ ହାତର ପାପୁଲି ସହିତ ତାଙ୍କ ମଥାର ସଂଯୋଗ ହୋଇ ସାରିଛି ସେକଥା ତାଙ୍କୁ ଜଣା ନାହିଁ । କିଛି ସମୟ ପରେ ଡ଼ାକ୍ତରଙ୍କ ଶାନ୍ତ୍ବନା ମୂଳକ ହାତ ଦୁଇଟି ତାଙ୍କ କାନ୍ଧକୁ ସ୍ପର୍ଶ କରି ଥାପୁଡ଼େଇବାକୁ ଲାଗିଲେ ଏବଂ କିଛି ଅସ୍ପଷ୍ଟ ସ୍ବର ଭାସି ଆସିଲା - "ଧୈର୍ଯ୍ୟହରା ହୁଅନ୍ତୁନି ;ପ୍ଲିଜ୍‌,ପ୍ଲିଜ୍‌। ଆମେ ଏହାର ଚିକିତ୍ସା କରିବା ପାଇଁ ପ୍ରସ୍ତୁତ । ଇମିଡ଼ିଏଟ୍‌ଲି ଅପରେସନ୍ ଦରକାର। ଭଲ ହୋଇଯିବେ ; ବ୍ୟସ୍ତ ହୁଅନ୍ତୁ ନାହିଁ । ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଲାଗିବ । ଆପଣ ଟଙ୍କା ଯୋଗାଡ଼ କରନ୍ତୁ ।"ଡ଼ାକ୍ତରଙ୍କ ଠାରୁ ଆଶ୍ବସ୍ତି ମୂଳକ ସୂଚନା ଶୁଣି ଘୂର୍ଣ୍ଣାୟମାନ ଆନନଟି ଟିକେ ସ୍ଥିର ପଡ଼ିବାରୁ ଦୁଇ ହାତ ମଥାରୁ ବିଛିନ୍ନ କରି ଉଠି ଛିଡ଼ା ହୋଇ ଦେବନାଥ ଶର୍ମଣ ଡ଼ାକ୍ତରଙ୍କ ସାମ୍ନାରେ ଦୁଇ ହାତକୁ ଏକତ୍ରୀକୃତ କରି ପ୍ରାର୍ଥନା କରିବା ମୁଦ୍ରାରେ ବିନମ୍ର ଅନୁରୋଧ ପୂର୍ବକ କହିଲେ କି "ଯେତେ ଟଙ୍କା ଲାଗିବ ମୁଁ ଦେବି ; ଆପଣ ଟଙ୍କା ପାଇଁ ବ୍ୟସ୍ତ ହୁଅନ୍ତୁନି। ମୋ ସ୍ତ୍ରୀକୁ ଭଲ କରି ଦିଅନ୍ତୁ । ପ୍ଲିଜ୍‌ ଡ଼କ୍ଟର୍‌ ; ଆପଣଙ୍କୁ ମୁଁ ପ୍ରାର୍ଥନା କରୁଛି ମୋ ସ୍ତ୍ରୀକୁ ଆରୋଗ୍ୟତା ପ୍ରଦାନ କରନ୍ତୁ ।"ଡ଼ାକ୍ତରଙ୍କ ଉତ୍ତର ଥିଲା "ମୁଁ ନିମିତ୍ତ ମାତ୍ର ; ସବୁ ସେହି ଇଶ୍ବରଙ୍କ ଦୟା । ଆମେ ଖାଲି ଆମର କର୍ତ୍ତବ୍ୟ ପାଳନ କରି ଚାଲିବା ; ବାକି ସବୁ ଉପର ବାଲା ହାତରେ ।" ଦେବନାଥ ଶର୍ମଣଙ୍କ ଆଖିରେ ଲୁହ ରୂପରେ ଲହୁର ଧାର କପୋଳ ପ୍ରଦେଶକୁ ଛୁଇଁ  ଟପ୍‌ ଟପ୍‌ ହୋଇ ଝରି ପଡ଼ି ବସୁଧାର ଶରୀରରେ ଶିଶିର ବିନ୍ଦୁର ଭ୍ରମ ସୃଷ୍ଟି କରୁଥାଏ । ପୁନରାୟ ଅନୁରୋଧ ମୁଦ୍ରାରେ ହାତ ଯୋଡ଼ି ଦେଇ କହିଲେ ଦେବନାଥ ଶର୍ମଣ ଡ଼ାକ୍ତରଙ୍କୁ - ଇଶ୍ବର କେବଳ ଅନୁଭବର ଶବ୍ଦ ଡ଼କ୍ଟର୍‌ । ଆମେ କେହି ଇଶ୍ବରଙ୍କୁ ଦେଖି ନାହେଁ । କେବଳ ତାଙ୍କ ସତ୍ତାକୁ ଅନୁଭବ କରୁଛେ । ମୁଁ ଜାଣିଛି ଡାକ୍ତର ହିଁ ଦ୍ବିତୀୟ ଇଶ୍ବର । ଆପଣଙ୍କ ଦୟା ହେଲେ ହିଁ ମୋ ସ୍ତ୍ରୀର ଶରୀରର ତେଜତ୍ବ ରହିବ । ଆପଣ ଦୟା କରନ୍ତୁ ; ମୋ ସ୍ତ୍ରୀକୁ ଭଲ କରି ଦିଅନ୍ତୁ ।" ଡାକ୍ତର କହିଲେ -"ପେସେନ୍ସ୍‌ ରଖନ୍ତୁ ;ସବୁ ଠିକ୍‌ ହୋଇଯିବ । ଆପଣ ଟଙ୍କା ଯୋଗାଡ଼ କରି କାଉଣ୍ଟର୍‌ରେ ଆକାଉଣ୍ଟାଣ୍ଟ୍‌ଙ୍କ ପାଖରେ ଜମା କରନ୍ତୁ ; କାଲି ତାଙ୍କର ଅପରେସନ୍‌ ଆରମ୍ଭ ହେବ ।" ଡାକ୍ତରଙ୍କ କଥା ମାନି ମାଥୁରୀ ଦେବୀଙ୍କୁ ମେଡ଼ିକାଲ୍‌ରେ ଛାଡ଼ି ସିଧା ଘରକୁ ଆସିଲେ ଦେବନାଥ ଶର୍ମଣ । ଦେଖିଲେ ପୁଅଟି ଶୋଇଛି, ତାକୁ ଉଠେଇ ସାଙ୍ଗରେ ଆଣିଥିବା ରୁଟି ଦେଲେ ଖାଇବାକୁ । ଦେବନାଥ ଶର୍ମଣ ନିଜର ବ୍ୟାଙ୍କ୍‌ ଖାତା ଧରି ଚାଲିଲେ ବ୍ୟାଙ୍କ୍‌କୁ । ଜମା ରାଶି ଚେକ୍‌ କଲେ ; ଦେଖିଲେ ଅଶୀ ହଜାର ଟଙ୍କା ମାତ୍ର ଅଛି । ପଞ୍ଚସ୍ତରୀ ହଜାର ଟଙ୍କା ଡ୍ର କରି ଆଣିଲେ ଏବଂ ଷ୍ଟେଟ୍‌ ବ୍ୟାଙ୍କ୍‌କୁ ଯାଇ ଏ. ଟି. ଏମ୍‌(A. T. M) ଚେକ୍‌ କଲାରୁ ଦେଖିଲେ ତିରିଶି ହଜାର ଟଙ୍କା ଅଛି । ତାକୁ ବି ଡ୍ର କରି ନେଇ ଆସିଲେ । 


    ବର୍ତ୍ତମାନ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ସର୍ବମୋଟ ଦେବନାଥ ଶର୍ମଣଙ୍କ ହାତରେ ; ହେଲେ ଆଉ ବାକି ପଇଁଚାଳିଶି ହଜାର ଟଙ୍କା ପୁଣି କେଉଁଠୁ ଆସିବ ? ମନେ ପଡ଼ିଗଲା ପୁଅ ନାଁରେ ଜମା କରିଥିବା ଅର୍ଥ କଥା । ପୁଣି ଘରକୁ ଆସିଲେ ;ପୁଅର ପାସ୍‌ବୁକ୍‌ଟାକୁ ନେଇ ଦୌଡ଼ିଲେ ବ୍ୟାଙ୍କ୍‌ ଅଫ୍‌ ବରୋଦାକୁ । ଚେକ୍‌ କଲେ ଆକାଉଣ୍ଟ୍‌ ; ଦେଖିଲେ ଆକାଉଣ୍ଟ୍‌ରେ ଜମା ରାଶି ସଂଖ୍ୟା ତିରିଶି ହଜାର ହେବ । ସେଥିରୁ ପାଞ୍ଚ ହଜାର ଛାଡ଼ି ପଚିଶି ହଜାର ଟଙ୍କା ଉଠାଇ ଆଣିଲେ ।ବର୍ତ୍ତମାନ ଏକ ଲକ୍ଷ ତିରିଶି ହଜାର । ଆହୁରି କୋଡ଼ିଏ ହଜାର ନିଅଣ୍ଟ । ସେଠାରୁ ଫେରି ଆସି ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ ଘରକୁ ଯାଇ ଘଟଣା ବିଷୟରେ କହିବାରୁ ସେ ତିରିଶି ହଜାର ଟଙ୍କା ଦେଲେ । ସେଥିରୁ ଦଶ ହଜାର ଟଙ୍କା ରଖି ବାକି ଦେଢ଼ ଲକ୍ଷ ଟଙ୍କା ମେଡ଼ିକାଲ ଆକାଉଣ୍ଟ୍‌ରେ ଜମା କଲେ । ତା' ପରଦିନ ଆରମ୍ଭ ହେଲା ମାଥୁରୀ ଦେବୀଙ୍କର ଅସ୍ତ୍ରୋପଚାର । ସଫଳତାର ସହ ଅସ୍ତ୍ରୋପଚାର ସରିଗଲା । ଦିନେ ଦୁଇ ଦିନ ମେଡ଼ିକାଲ୍‌ରେ ରହିବା ପରେ ଘରକୁ ଫେରିଲେ ମାଥୁରୀ ଦେବୀ । ପୂର୍ବ ପରି ସବୁକିଛି ତୁଲାଇବାରେ ସେ ସକ୍ଷମ ବି ହେଲେ । କର୍କଟ ପରି ରୋଗର ସମୂଳ ବିନାଶ ବା କିଏ କରିବ ? କର୍କଟର। ଜୀବାଣୁ କୋଉଠି ନା କୋଉଠି ଲୁକ୍କାୟିତ ଅବସ୍ଥାରେ ରହି ଯାଇଥିବ ।


    କିଛିଦିନ ଗତ ପରେ ସେଇ କର୍କଟ ବେମାରୀ ପୁନରାୟ ଦୃଶ୍ୟ ହେଲା। ଅସ୍ତ୍ରୋପଚାରର ବର୍ଷେ ନ ପୂରୁଣୁ ମାଥୁରୀ ଦେବୀଙ୍କର ପୂରି ଗଲା କାଳ ।  ଶୋକ ସାଗରରେ ଭସେଇ ଦେଇ ସେ ସବୁଦିନ ପାଇଁ ନିରବ ନିଶ୍ଚଳରେ ସୁଖ ନିଦ୍ରାରେ ଶୋଇଗଲେ । ଧନ ଗଲା, ଜୀବନ ଗଲା ; ମାଆ ଛେଉଣ୍ଡ ପାଲଟି  ଏକମାତ୍ର ପୁତ୍ର କେଶରୀ  । ଅନ୍ଧକାରମୟ ହୋଇଗଲା ଦେବନାଥ ଶର୍ମଣଙ୍କ ଛୋଟ ଆବାସଟି ।କ୍ଷିନ୍‌ଭିନ୍‌ ହୋଇଗଲା ପରିବାର ଏବଂ ଅସହାୟ ପାଲଟି ଗଲା ଉଣିଶି ବର୍ଷର ପୁଅ କେଶରୀ । ସତେ ଅବା କାହାର କୋଉ ଜନ୍ମର ଅଭିଶାପ କିମ୍ବା ମାଥୁରୀ ଦେବୀଙ୍କର ଜାତକରେ ଶନିସପ୍ତାର ଯୋଗ ; ସେଦିନ ବୋଧେ ତାଙ୍କର ଘାତଚନ୍ଦ୍ର କି ଘାତବାର ଥିଲା । 


     ମାଥୁରୀ ଦେବୀଙ୍କ ମୃତ୍ୟୁ ପରେ ଦେବନାଥ ଶର୍ମଣ ନିଜେ ବାପା ଓ ମାଆର ସ୍ନେହ ଦେଇ ପୁଅ କେଶରୀକୁ ଲାଳନପାଳନ କଲେ । କିଛିଦିନ ଗତ ହେବା ପରେ ସେ ଅନୁଭବ କଲେ ପୁଅର ଦାୟିତ୍ବ ତୁଲାଇବାକୁ ଜଣେ ମାଆର ଆବଶ୍ୟକତା ନିହାତି ଦରକାର । ତେଣୁ ନିଜ ପାଇଁ ଝିଅ ଖୋଜିବା ଆରମ୍ଭ କରିଦେଲେ । ଖୁବ୍‌ ଅଳ୍ପ ଦିନରେ ପାଇଗଲେ ଜୀବନସାଥୀଟିଏ । ମନ୍ଦିରରେ ବ୍ରାହ୍ମଣର ବେଦ ମନ୍ତ୍ର ପାଠ ପୂର୍ବକ ବିବାହ କରି ଘରକୁ ଆଣିଲେ କୁଟିଳାଙ୍କୁ । କୁଟିଳା (ଛଦ୍ମ ନାମ ) ହେଲେ କେଶରୀର ମାଆ ; ଲୋକଙ୍କ ଆଖିରେ କିନ୍ତୁ ସାବତ ମାଆ । ସାବତ ମାଆ ହେଲେ ବି ନିଜ ମାଆ ପରି ସ୍ନେହ,ଶ୍ରଦ୍ଧା ଓ ଭଲପାଇବାରେ କେବେ ଅବହେଳା କରି ନାହାନ୍ତି ପୁଅକୁ । ନିଜର କର୍ତ୍ତବ୍ୟ ସୂଚାରୁ ରୂପେ ତୁଲେଇଛନ୍ତି କୁଟିଳା ଦେବୀ । ମାଆର ଅଭାବକୁ ସେ ପୂରା କରିଛନ୍ତି  ; କେବେ ବି ଭାବିବା ପାଇଁ ଦେଇ ନାହାନ୍ତି ପୁଅକୁ ତା'ର ମାଆ ମରି ଯାଇଛି ବୋଲି । ସବୁକିଛି ଠିକ୍‌ଠାକ୍‌ ଥିଲା ; ପୂର୍ବ ପରି ହସଖୁସିର ସଂସାରଟିଏ ଗଢ଼ି ଉଠିଥିଲା । 


     ବିତିଗଲା ଗୁଡ଼ାଏ ଦିନ । କୁଟିଳାଙ୍କର ବି ଝିଅଟିଏ ହୋଇ ସାରିଥାଏ ଏବଂ ତା'ର ନାମ ଦିଆ ଯାଇଥାଏ ମୋନାଲିସା (ଛଦ୍ମ ନାମ )। ସେତେବେଳକୁ ବଡ ପୁଅଟିର ବୟସ କୋଡ଼ିଏ ପୂରି ଏକୋଇଶି ଚାଲିଛି । ବହୁ ଖୋଜାଖୋଜି ପରେ ଭଲ ପ୍ରସ୍ତାବଟିଏ ପାଇ ପୁଅ କେଶରୀର ବିବାହ  କରାଇ ଦେଲେ ସେଇ ଦ୍ବିଲ୍ଲୀ ସହରରେ ଏକ ସମ୍ଭ୍ରାନ୍ତ ପରିବାରରେ। । ଘରକୁ ଆସିଗଲା ବୋହୂ ଯବନିକା (ଛଦ୍ମ ନାମ )। ଦୁଃଖ ଦରିଆରୁ ପାର୍‌ ହୋଇ ସୁଖର ସ୍ଥଳଭାଗ ସ୍ପର୍ଶ କରି ସାରିବା ପରେ ଏବଂ ସେହି ସ୍ଥଳଭାଗରେ ଶାନ୍ତିର କୁଟୀରଟିଏ ଝାଟିମାଟିରେ ଗଢ଼ି ସାରିବା ପରେ ପୁଣି ଯଦି ଦରିଆ କରାଳ ରୂପ ପ୍ରଦର୍ଶନ ସ୍ବରୂପ ସ୍ଥଳଭାଗକୁ ଜଳାର୍ଣ୍ଣବ କରି ଶାନ୍ତି କୁଟୀରକୁ ମାଟିରେ ମିଶାଇ ଦିଏ ; ତେବେ ତେବେ ମଣିଷର ବା କ'ଣ ସାମର୍ଥ୍ୟ ଜୁଟିବ ଯେ ସେ କିଛି କରି ପାରିବ ? ବିଧାତାର ବିଧାକୁ ସହିବାର ଶକ୍ତି କାହା ପାଖରେ ଅଛି ? ବିଧାତା ବୈରୀ ହେଲେ କହିବ କାହାକୁ ? ସେମିତି ଏକ ଲୋମହର୍ଷଣକାରୀ ଘଟଣା ଘଟିଗଲା ଅଚାନକ । ଗାଡ଼ି ଦୁର୍ଘଟଣାରେ ପ୍ରାଣ ହରାଇଲେ ମୋନାଲିସାର ବାପା ମାଆ ଦିହେଁ । ସେତେବେଳକୁ ମୋନାଲିସାର ବୟସ ସାତ ବର୍ଷ ।


    ଦେବନାଥ ଶର୍ମଣ ଏବଂ କୁଟିଳା ଦେବୀଙ୍କ ଅପମୃତ୍ୟୁ ପରେ ଏବେ ମୋନାଲିସାର ଏକମାତ୍ର ସାହା ଭରସା ଭାଇ କେଶରୀ ଏବଂ ଭାଉଜ ଯବନିକା । ଯାହା ଯେମିତି ଥିଲା ସବୁ ଠିକ୍‌ ଥିଲା ; ହେଲେ ଧିରେ ଧିରେ ସବୁକିଛି ବଦଳି ଗଲା । ସାତ ବର୍ଷ ବୟସରୁ ବାପା ମାଆ ଛେଉଣ୍ଡ ମୋନାଲିସା ଲକ୍ଷ୍ଯ କଲା ଭାଇ-ଭାଉଜଙ୍କର ଏକ ପ୍ରକାରର ପରିବର୍ତ୍ତନ ; ସେତେବେଳେ ମୋନାଲିସାର ବୟସ ଆଠ ବର୍ଷ ହେବ । କମ୍‌ ବୟସରେ ଘରର ଯାବତୀୟ କାମ କରୁଥିଲା ମୋନାଲିସା ; ଯେତେ କଲେ ବି ଭାଉଜର ମନକୁ ଯାଉ ନ ଥିଲା । ଅଇଁଣ୍ଠା ବାସନ ମାଜିବାଠୁଁ ଲୁଗା କାଚିବା ଯାଏଁ ସବୁକିଛି କରୁଥିଲା ମୋନାଲିସା । ଭାଉଜର ନାଡ଼ ଗାଳି ସହିତ ଭାଇର ଟାଆଁସିଆ କଥା ଗୁଡ଼ାକ ଡ଼ାମ୍ଫଣ ପରି ଫୋଡ଼ି ହୋଇ ଯାଉଥିଲା ମୋନାଲିସାର ସର୍ବାଙ୍ଗ ଶରୀରରେ । ତଥାପି ନିରବରେ ସବୁକିଛିକୁ ସହି ଯାଉଥିଲା ସିନା କାହାରିକୁ କିଛି କହି ପାରୁ ନଥିଲା ସେ । ନିତ୍ଯ ମୃତ୍ୟୁ ବରି ଜୀବନ ଧରିବା ଛଡ଼ା ଆଉ ବା ଉପାୟ କ'ଣ ? 


     ଏମିତି ଏମିତି କଷଣର କରାଘାତ ସହ୍ୟ କରି ବିତେଇ ଚାଲିଥିଲା ଜୀବନ କଅଁଳ କୁସୁମ କଢ଼ି ମୋନାଲିସା । ହଠାତ୍‌ ମାଡ଼ି ଆସିଲା ହୁଦୁହୁଦୁ ଆଉ ଫାଇଲିନ୍‌ ଠାରୁ ଆହୁରି ଭୟଙ୍କର ସୁପର ସାଇକ୍ଲୋନ୍‌ ପରି ବହୁତ ବଡ଼ ଝଞ୍ଜା ସଦୃଶ ପରିସ୍ଥିତି । ମୋନାଲିସା ଟିକେ ଜିଦ୍‌ଖୋର ସ୍ବଭାବର । ଛୋଟ ପିଲା ସିଏ ; ଜିଦ୍‌ଟା ଭାଙ୍ଗି ଯିବନି ବଡ଼ ଦିନକୁ ? କିନ୍ତୁ ନା,ଜିଦ୍‌ଟା ଅଟଳ ଥିଲା । କ'ଣ  କେଜାଣି ପିଲାଳିଆମିରେ କିଛି ଗୋଟେ ଘର କାମରେ ତ୍ରୁଟି କରି ପକେଇଛି ; ସେଇ କଥାକୁ ଲଥା ପକେଇ କନ୍ଦୋଳ ଭିଆଇ ବସିଲେ ମୋନାଲିସାର ଭାଉଜ ଯବନିକା । ମାର୍‌ଧର୍‌ କଲେ ; ବକା ଗାଳି ବି ବର୍ଷଣ କରି ଚାଲିଲେ । ଝରି ଯାଉଥାଏ ଅଶ୍ରୁ ନିର୍ଝର ମୋନାଲିସାର ନେତ୍ର ଯୁଗଳରୁ । ବଡ଼ ଭାଇ ବି ବୁଝିବା ବଦଳରେ ମୋନାଲିସା ପ୍ରତି ଅଧିକ ଗାଳିଗୁଲଜ ବର୍ଷିବା ସହିତ ଘରୁ ବାହାର କରିଦେଲେ ଏବଂ ଦୁଆର କିଳି ଘରେ ରହିଲେ । ସେତେବେଳକୁ ରାତି ଆଠଟା କି ନଅଟା ସମୟ ହେବ ; ଝିଅଟି ରାସ୍ତା ଉପରକୁ ଚାଲି ଆସିଲା । ରାସ୍ତା କଡ଼ରେ ଛିଡ଼ା ହୋଇ ମନ ଇଛା କାନ୍ଦିବାକୁ ଲାଗିଲା । ତା' ହୃଦୟରେ ଥିବା ସବୁ ବେଦନାକୁ ଲୁହ କରି ନିଗାଡ଼ି ମାଟି ମାଆକୁ ସ୍ନାନ କରାଇ ଚାଲିଥିଲା ସେ । ଶୂନ୍‌ଶାନ୍‌ ଅନ୍ଧାର ରାତ୍ରିରେ ତା' କ୍ରନ୍ଦନର ରୋଳ କାହାରିକୁ କର୍ଣ୍ଣପାତ ହେଉ ନ ଥାଏ । କୁଆଡ଼େ ଯିବ, କୋଉଠି ରହିବ ଆଉ କ'ଣ କରିବ ବୋଲି ଭାବି ପାରୁନଥିଲା ମୋନାଲିସା । ଘନ ଘନ ଉଠୁଥିଲା ବୁକୁ ଫଟା କୋହ । ଧକେଇ ଧକେଇ କାନ୍ଦୁଥିଲା ମୋନାଲିସା । ଠିକ୍‌ ସେହି ସମୟରେ ପ୍ରଭୁ ପରମ କୃପା ସ୍ବରୂପ ଦେବଦୂତ ଭଳି ପ୍ରେରିତ ହୋଇଥିଲେ ଜଣେ ଏ. ଏସ୍‌. ଆଇ (A. S. I) ପୋଲିସ୍‌ ଅଫିସର ଦିବ୍ଯା ଦ୍ବିବେଦୀ (ଛଦ୍ମ ନାମ) ଏବଂ ତାଙ୍କ ସହ ଆଉ ତିନି ଜଣ ମହିଳା କନେଷ୍ଟବଳ । 


        ଦିବ୍ଯା ଦ୍ବିବେଦୀ ଥିଲେ ଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ୍‌ ଅଫିସର । ସାଧୁ ସମାଜେ ପ୍ରଶଂସନୀୟ ଥିବା ବେଳେ ଅସାଧୁ ମାନଙ୍କ ଐରୀ ସୂଚୀପତ୍ରର ଆଦ୍ୟ ଭାଗରେ ସ୍ଥାନିତ ଥିଲେ ଦିବ୍ଯା ଦ୍ବିବେଦୀ । ହାହାରକୁ ସେ ଯେତିକି କଡ଼ା ମିଜାଜ୍‌ର ଦେଖିବାକୁ ; ଭିତରଟା କିନ୍ତୁ ତାଙ୍କର ସେମିତି ନୁହେଁ । ପୋଲିସ୍‌ ଅଫିସର ଭାବରେ ସେ ଷ୍ଟ୍ରିକ୍ଟ ହୋଇ ପାରନ୍ତି ; କିନ୍ତୁ ଜଣେ ନାରୀ ଭାବେ ସେ ମହନୀୟା । ବହୁତ କୋମଳ ହୃଦୟ ତାଙ୍କର । ସେଦିନ କେଉଁ ଏକ କାମରେ ବାହାରକୁ ଯିବାକୁ ଦ୍ବିଲ୍ଲୀ ବିମାନ ବନ୍ଦରକୁ ଯାଇଥିଲେ ଦିବ୍ଯା ଦ୍ବିବେଦୀ ଅନ୍ଯ ତିନି ଜଣ ସହଯୋଗୀଙ୍କ ସହିତ । କିନ୍ତୁ ଦୁର୍ଭାଗ୍ୟ ବଶତଃ ବିମାନ ବନ୍ଦରରେ ପହଞ୍ଚିବା ପୂର୍ବରୁ ବିମାନଟି ଉଡ଼ାଣ ଆରମ୍ଭ କରି ସାରିଥିଲା । ତେଣୁ ବାହାରକୁ ଯିବା ଅସମ୍ଭବ ହେବାରୁ ସେଠାରୁ ଫେରି ଆସିଥିଲେ ସେମାନେ । ଏକ ଟ୍ରକ୍‌ରେ ବସି ଫେରିବା ବାଟରେ ରାସ୍ତା ଧାରରେ ତାଙ୍କର ନଜର ପରିସର ମଧ୍ଯକୁ ପ୍ରବେଶ କଲା ଏଇ ମୋନାଲିସା । ଟ୍ରକ୍‌ ଚଳାଳୀକୁ ଟ୍ରକ୍‌ ଅଟକାଇବାକୁ କହିବାରୁ ଟ୍ରକ୍‌ଟି ଅଟକି ଥିଲା ଏବଂ ଟ୍ରକ୍‌ରୁ ଓହ୍ଲାଇ ଆସିଲେ ଚାରି ଜଣ ଯାକ ମୋନାଲିସା ନିକଟକୁ । 


     ଦିବ୍ଯା ଦ୍ବିବେଦୀ ପଚାରିଲେ ମୋନାଲିସାକୁ -" କ'ଣ ହୋଇଛି ମାଆ ? ଏତେ ରାତିରେ..... ଏ ରାସ୍ତା କଡ଼ରେ ଠିଆ ହୋଇ..... କାନ୍ଦୁଛୁ କ'ଣ ପାଇଁ ?" ମୋନାଲିସା ନିରୁତ୍ତର  ; ଧକସକ ହୋଇ ତା'ର କାନ୍ଦିବାର ଗତି ଅବିରାମ । କିଛି ଉତ୍ତର ନ ପାଇବାରୁ ଦିବ୍ଯା ଦ୍ବିବେଦୀଙ୍କ ଦ୍ବିତୀୟ ପ୍ରଶ୍ନ -"କ'ଣ ହୋଇଛି କହ"। ତଥାପି ମିଳିଲାନି ଉତ୍ତର । ଆଶ୍ଚର୍ଯ୍ଯ ଦିବ୍ଯା ଦ୍ବିବେଦୀ, କିଛି କହୁନି କାନ୍ଦୁଛି ଖାଲି !! ତାକୁ ଟିକେ ହଲେଇ ଦେଇ କଡ଼ା ସ୍ବରରେ ପ୍ରଶ୍ନ କରିବାର ଅଭିପ୍ରାୟ ନେଇ ଉଦ୍ଯତ ହୁଅନ୍ତେ ବିଦ୍ଯୁତ୍‌ ଆଘାତ ପରି ଦୃତ ଗତିରେ ଫେରାଇ ଆଣିଲେ ହାତ ; ସତେ ଅବା ହାତଟା ପୋଡ଼ି ଗଲା ପରି ରାଗିଲା । ସ୍ତମ୍ଭିଭୁତ ହୋଇଗଲେ ଦିବ୍ଯା ଦେବୀ । ଆଉ ଥରେ ଭଲ କରି ତା' ଶରୀରରେ ହାତ ମାରି ଦେଖିଲେ , ତାତିରେ ଖଇ ଫୁଟୁଛି । "ୟା'କୁ ତ ଭୀଷଣ ଜ୍ବର !" କିଛି ଆଉ ନ କହି ନିଜ ଘରକୁ ନେଇ ଗଲେ ଏବଂ ତା'ର ସେବା ଯତ୍ନ ଓ ଚିକିତ୍ସା କରିବା ପରେ ଦୁଇ - ତିନି ଦିନରେ ସୁସ୍ଥାବସ୍ଥାକୁ ଆସିବାରୁ  ତାକୁ ସମସ୍ତ ଘଟଣା ପଚାରି ବୁଝିଲା ପରେ ତାକୁ ତା' ଘରେ ପହଞ୍ଚାଇ ଦେବାକୁ କହିବାରୁ ମୋନାଲିସା ମନା କରିଛି ଘରକୁ ଯିବାକୁ । ତେଣୁ ତାକୁ ପାଖରେ ରଖିଲେ ଦିବ୍ଯା ଦ୍ବିବେଦୀ । ଏମିତି କି ତାଙ୍କର କନ୍ୟା ସନ୍ତାନ ନଥିଲା ; ଦୁଇଟି ପୁତ୍ର ସନ୍ତାନ କେବଳ । ବଡ଼ ପୁଅ ବନ୍ଧୁ ଦ୍ବିବେଦୀ ଓ ସାନ ପୁଅର ନାମ ସିନ୍ଧୁ ଦ୍ବିବେଦୀ । ତେଣୁ ସେ ମୋନାଲିସାକୁ ନିଜର ଝିଅ ମାନି ନେଇ ଲାଳନ ପାଳନ କରିବା ସହ ତା' ପାଇଁ ବି ସମସ୍ତ ସୁବିଧା ସୁଯୋଗ ଯଥା ପାଠପଢା, ଖିଆପିଆ, ପୋଷାକପତ୍ରାଦି ବିଧିବତ୍‌ ଯୋଗାଇ ଦେବା ସହ ସାନ ଝିଅ ମନେ କରି ଅତ୍ଯନ୍ତ ସ୍ନେହ, ଶ୍ରଦ୍ଧା ଓ ଭଲପାଇବାରେ କେବେ ଅବହେଳା କରି ନାହାନ୍ତି । ଉଭୟ ବାପା - ମାଆର ସ୍ନେହ ମମତା ଦେଇ ନିଜକୁ ଜଣେ ମହିୟସୀ ମାଆ ରୂପରେ ପରିଚିତ କରାଇ ପାରିଛନ୍ତି ଓ ନିଜର ମାନବିକତାକୁ ପ୍ରତିପାଦନ କରି ପାରିଛନ୍ତି ଲୋକ ମୁଖରେ । ଏକ ନିରାଶ୍ରୟା ଶିଶୁ କନ୍ୟାର ଆଶ୍ରୟଦାତ୍ରୀ ହୋଇ ସେ ଯେଉଁ ମହାପୁଣ୍ୟ କରିଛନ୍ତି ତାହା ସତରେ ଜଣେ ନାରୀର ମହାମହିମ ମହନୀୟ ଗୁଣବତ୍ତା ନୁହେଁ କି ? ଏଥିରୁ ସ୍ପଷ୍ଟତା ଆସେ ସେ ଯେମିତି ଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ୍‌ ଅଫିସର ,, ସେମିତି ଜଣେ ମମତାମୟୀ ମାଆଟିଏ । ବାଲ୍ୟରୁ ବାପା -ମାଆ ଛେଉଣ୍ଡ ମୋନାଲିସା ବି ତ ସ୍ନେହ କାଙ୍ଗାଳୀଟିଏ । ଦିବ୍ଯା ଦ୍ବିବେଦୀଙ୍କ ପରି ଜଣେ ମାଆର ସ୍ନେହ ଭାଜନ ହୋଇ ସ୍ବର୍ଗ ସୁଖ ପ୍ରାପ୍ତ କରିଲା ପରି ମନେ କରୁଥିଲା । ମୋନାଲିସାର ମାଆ ଡ଼ାକରେ ମକରନ୍ଦ ପରିପୂର୍ଣ୍ଣ ଥିଲା ପରି ମନେ କରୁଥିଲେ ଦିବ୍ଯା ଦ୍ବିବେଦୀ । ମୋନାଲିସା ପାଇଁ ବ୍ଯାଙ୍କ୍‌ରେ ଆକାଉଣ୍ଟଟେ ଖୋଲି ଅନେକ ଟଙ୍କା ସଞ୍ଚୟ କରିଛନ୍ତି ତା' ପାଇଁ ଏବଂ ଏବେ ବି ସୁଦ୍ଧା ଜମା କରି ଚାଲିଛନ୍ତି । ଖାଲି ସେତିକି ନୁହେଁ ; ମୋନାଲିସା ଏବେ ଦିବ୍ଯା ଦ୍ବିବେଦୀଙ୍କ ଅର୍ଦ୍ଧେକ ସମ୍ପଦର ମାଲିକ । ସତରେ , କେଡ଼େ ମହାନ ଦିବ୍ଯା ଦ୍ବିବେଦୀ  !! 


          ମୋନାଲିସା ବହୁତ ଭଲ ପଢ଼େ । ରୂପରେ ଯେମିତି, ଗୁଣରେ ସେମିତି ; ସର୍ବଗୁଣ ସମ୍ପର୍ଣ୍ଣା । ଭଲ ନମ୍ବର ରଖି ଇଂଲିଶ୍‌ ମିଡ଼ିୟମ୍‌ ସ୍କୁଲ୍‌ରୁ ଉତ୍ତିର୍ଣ୍ଣ ହେବା ପରେ ଗୋଟାଏ ପରେ ଗୋଟାଏ ସୋପାନ ଡେଇଁ  ବୋର୍ଡ ପରୀକ୍ଷାରେ ଟପ୍ପର୍‌ ହେଲା ପରେ ଇଞ୍ଜିନିଅରିଂ ପାଠ ପଢ଼ିବା ଉଦ୍ଦେଶ୍ଯ ନେଇ ଦ୍ବିଲ୍ଲୀ ଠାରୁ ବାର ଶହ କିଲୋମିଟର ଦୂର ଡ଼େରାଡୁନ ଚାଲିଗଲା ମୋନାଲିସା । ସେତେବେଳକୁ ଦିବ୍ଯା ଦ୍ବିବେଦୀଙ୍କର ଦୁଇ ପୁଅ ବନ୍ଧୁ ଓ ସିନ୍ଧୁଙ୍କର ଚାକିରୀ ହୋଇ ସାରିଥାଏ । ଜଣେ ଇସ୍ରାଏଲ୍‌ରେ ଓ ଅନ୍ୟ ପୁଅଟି କୁବେଦରେ । ଏତେ ଦୂରରେ ରହି ବି ଦିବ୍ଯା ଦ୍ବିବେଦୀ ଛାୟି ପରି ମୋନାଲିସାର ପାଖେ ପାଖେ ରହିଥା'ନ୍ତି ଏବଂ ତା'ର ଯାବତୀୟ ଖର୍ଚ୍ଚ ତୁଲାନ୍ତି । ଝିଅ ପାଖରେ ତା'ର  ବ୍ଯାଙ୍କ୍‌ର ଏ. ଟି. ଏମ କାର୍ଡ । ନିହାତି ଦରକାର ବେଳେ ସେ ଟଙ୍କା ଉଠାଇ ବ୍ଯୟ କରିବ । 


          ଏବେ ଛଅ ବର୍ଷ ତଳେ ବଡ଼ ପୁଅ ଓ ଚାରି ବର୍ଷ ହେବ ସାନ ପୁଅର ବିବାହ କାର୍ଯ୍ୟ ସରିଛି । ବଡ଼ ବୋହୂ ସାଧବାଣୀ ଓ ସାନ ବୋହୂର ନାମ ଝାନିଆଁ ।( ପୁଅ - ବୋହୂ ସମସ୍ତେ ଏଠାରେ ଛଦ୍ମ ନାମ୍ନୀ) ଦୁଇ ବୋହୂ ବହୁତ ଆଦର କରନ୍ତି ନଣନ୍ଦ ମୋନାଲିସାକୁ । ଯେମିତି ସେମାନେ ନଣନ୍ଦ -ଭାଉଜ ନୁହଁନ୍ତି ; ଉଭୟଙ୍କ ମଧ୍ଯେ ମା'- ଝିଅର  ସମ୍ପର୍କ ସତେ । ଦିବ୍ଯା ଦ୍ବିବେଦୀଙ୍କର ବି ଦୁଇଟି ନାତି ଆସି ଗଲେଣି, ବନ୍ଧୁ ଓ ସିନ୍ଧୁଙ୍କର ଗୋଟିଏ ଲେଖାଏଁ ପୁଅ । ବଡ଼ ନାତି ପୂଜନ (ଛଦ୍ମ ନାମ) ଓ ସାନ ନାତି ସ୍ବପ୍ନ (ଛଦ୍ମ ନାମ ) , ଦେଖିବାକୁ ଉଭୟେ ଗୋରା ଦକଦକ, ରାଜକୁମର ପରି ଚେହେରା । ମୋନାଲିସାର ଇଞ୍ଜିନିଅରିଂ ପାଠ ପଢ଼ା ତିନି ବର୍ଷରୁ ଗୋଟାଏ ବର୍ଷ ବାକି । ମାଆ ଦିବ୍ଯା ଦ୍ବିବେଦୀଙ୍କର ଇଚ୍ଛା ଏଇ ଇଞ୍ଜିନିଅରିଂ ପାଠ ପଢ଼ା ପରେ ତା'ର ବିବାହ କରାଇ ଦେବେ ଜଣେ ଯୋଗ୍ୟ ବରପାତ୍ର ଠିକ୍‌ କରି ; ତା' ପରେ ସେ ପଢ଼ୁ ନତୁବା ଚାକିରୀ କରୁ । କାରଣ ଦିବ୍ଯା ଦ୍ବିବେଦୀ ଜଣେ ହୃଦ୍‌ ରୋଗୀ ; କେତେବେଳେ କ'ଣ ହେବ ଠିକ୍‌ ଠିକଣା ନାହିଁ  । ଏବେ ସେ ସ୍ବେଚ୍ଛାକୃତ ଅବସର ପ୍ରାପ୍ତ ଏ. ଏସ୍‌. ଆଇ ପୋଲିସ୍‌ ଅଫିସର । 


      ସୋସିଆଲ ମିଡିଆ ମୁଖ ପୁସ୍ତକରେ ନାମ ପଞ୍ଜିକରଣ କରି ସାମିଲ୍‌ ହୋଇଛି ସମସ୍ତଙ୍କ ସହ ଏବଂ ହିନ୍ଦୁ ସମାଜର ସୁରକ୍ଷା ତଥା ସନାତନ ଧର୍ମକୁ ଚିରଞ୍ଜିବୀ କରିବାକୁ ନାନାଦି ପ୍ରକାର ତଥ୍ଯ  ଉପସ୍ଥାପନ ସହିତ ଅଣହିନ୍ଦୁ ମାନଙ୍କର ଅକଥନୀୟ ଅନ୍ଯାୟ ଅନୀତିର ମୂଳୋତ୍ପାଟନ ନିମନ୍ତେ ରଣରତ ଏବେ ମୋନାଲିସା । ସୃଷ୍ଟି କରି ଚାଲିଛି ଜନ ସଚେତନତା । ଏପରି ମହାନ କାର୍ଯ୍ୟ କେତେ ଜଣ ବା କରି ପାରନ୍ତି ? ଏପରି ଚରିତ୍ର ସଂସାରେ ଖୁବ୍‌ କମ୍‌ ।  ଏଯାବତ୍‌ କେହି ଜାଣି ନାହାନ୍ତି  ଯେ ଦିବ୍ଯା ଦ୍ବିବେଦୀଙ୍କର ପାଳିତା କନ୍ୟା ଏଇ ମୋନାଲିସା ; ସେ ବି କାହାକୁ କହିନି । ଯଦି ଜଣା ପଡ଼ିଯାଏ ତ ମୋନାଲିସାର ଜୀବନ ପ୍ରତି ବିପଦ ହିଁ ବିପଦ । ଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ୍‌ ଅଫିସର ଦିବ୍ଯା ଦ୍ବିବେଦୀ ବୋଲି ତାଙ୍କର ଅନେକ ଶତ୍ରୁ । ସୋସିଆଲ୍‌ ମିଡ଼ିଆରେ ପୁଅ ମାନଙ୍କ ସହ କଥା ହୁଏନା ମୋନାଲିସା ; ଝିଅ ମାନଙ୍କ ସହ କଥା ହୁଏ । ସମସ୍ତଙ୍କୁ ମାଆ ସମ୍ବୋଧନ କରେ , ମୋନାଲିସା ଖୋଜି ବୁଲେ ଏକ ମମତାମୟୀ ମାଆର ମମତାକୁ । ମାଆ ରୂପରେ ଜଣେ ମହିୟସୀ ଦିବ୍ଯା ଦ୍ବିବେଦୀଙ୍କୁ ପାଇ ଖୁସି ମୋନାଲିସା । 


       ସୋସିଆଲ ମିଡିଆର ମୁଖ ପୁସ୍ତକରେ ମୋନାଲିସାର ଜଣେ ଅନ୍ତରଙ୍ଗ ବନ୍ଧୁ ସର୍ଜିତା ସିଂ ଦେଓ (ଗୁପ୍ତ ନାମ )ଙ୍କୁ ବି ମୋନାଲିସା ମାଆ ଡାକେ । ସର୍ଜିତା ସିଂ ଦେଓଙ୍କଠୁ ସେ ଏକାଧାରରେ ମାଆ, ବଡ଼ ଭଉଣୀ ଓ ବନ୍ଧୁର ସ୍ନେହ, ଶ୍ରଦ୍ଧା ପ୍ରାପ୍ତ କରି ପାରୁଥିଲା । ଦୀର୍ଘ ସମୟ ଧରି ମୋନାଲିସା ଓ ସର୍ଜିତା ସିଂ ଦେଓଙ୍କ ଭିତରେ ବାର୍ତ୍ତାଳାପ ଚାଲେ ।  ମୋନାଲିସା ଜିଦ୍‌ଖୋର ; ଯଦିବା ସର୍ଜିତା ତା' ସହ କଥା ନହୁଅନ୍ତି ତେବେ ମୋନାଲିସା ରାଗି ଯାଇ ସର୍ଜିତାକୁ ବ୍ଲକ୍‌ କି ଅନ୍‌ଫ୍ରେଣ୍ଡ୍‌ କରିଦିଏ । ପୁଣି ମନ ବୁଝି ଗଲେ ଅନ୍‌ବ୍ଲକ୍‌ କି ଫ୍ରେଣ୍ଡ୍ ରିକ୍ବେଷ୍ଟ୍‌ ସେଣ୍ଡ୍‌ କରେ ; ମୋନାଲିସାର କ୍ରୋଧକୁ ଡ଼ରି ସର୍ଜିତା ତା' ସହ ଘଣ୍ଟା ଘଣ୍ଟା ଧରି କଥା ହୁଅନ୍ତି  । 


     ମୋନାଲିସାର ଅନ୍ୟ ଏକ ଘନିଷ୍ଠ  ବନ୍ଧୁ ହେଲେ ଜୁଲି ସିଂହ ; ଶ୍ରଦ୍ଧା ନାମ ହେନା ଯାହାର ନିବାସ ସ୍ଥଳୀ କାଶ୍ମୀର । ସେ ମୁସ୍‌ଲିମ୍‌ ସମ୍ପ୍ରଦାୟର । ଯେତେବେଳେ କାଶ୍ମୀର ମାଟିରେ ହିନ୍ଦୁ ପଣ୍ଡିତ ମାନଙ୍କ ଉପରେ ଅକଥନୀୟ ଅତ୍ଯାଚାର କରାଯାଉଥିଲା ; ସେତେବେଳେ ହେନାର ପିତା ହିନ୍ଦୁ ମାନଙ୍କର ପକ୍ଷପାତିତା କରୁଥିଲେ । ହିନ୍ଦୁ ମାନଙ୍କ ପ୍ରତି ମୁସ୍‌ଲିମ୍‌ ସମ୍ପ୍ରଦାୟର ଏଭଳି ଅମାନୁଷିକ ଅତ୍ୟାଚାର ଅସହ୍ୟବୋଧ ହେଉଥିଲା ହେନାର ପିତାଙ୍କୁ । ହିନ୍ଦୁ ମାନଙ୍କ ସପକ୍ଷରେ ସ୍ବର ଉତ୍ତୋଳନ କରିବାର ଫଳାଫଳ ସ୍ବରୂପ ମିଳିଲା କାଶ୍ମୀର ମୁସ୍‌ଲିମ୍‌ ସମ୍ପ୍ରଦାୟଙ୍କ ଦ୍ବାରା ଅତି ଅମାନୁଷିକ ଭାବେ ମୃତ୍ଯୁଦଣ୍ଡ ହେନାର ପିତାଙ୍କୁ । ସେବେଳେ ହେନା ଗର୍ଭସ୍ଥ ସନ୍ତାନ । ପତିଙ୍କ ହତ୍ଯା ପରେ ଗର୍ଭବତୀ ମାଆ ନିଜର ଘର ସଂସାରର ମୋହମାୟା ତୁଟାଇ ସବୁକିଛିକୁ ଛିନ୍ନ କରି କିଛି ଦୂର ଆସିବା ପରେ ଜଣେ ହିନ୍ଦୁ କ୍ଷତ୍ରୀୟ ପରିବାର(ରାଜପୁତ୍‌) ତାଙ୍କୁ ଆଶ୍ରୟ ଦେଲେ । କିଛିଦିନ ପରେ ହେନାର ଜନ୍ମ । ଏ ହେନା ନାମକରଣ ତା' ମାଆଙ୍କର, ଏଠି କ୍ଷତ୍ରୀୟ ପରିବାର ଅନୁସାରେ ନାମ ରଖାଗଲା ଜୁଲି ସିଂହ । ହେନାକୁ ଛଅ ମାସ ବୟସ ବେଳେ ତାଙ୍କ ମାଆଙ୍କ ଇହଲୀଳା ସମ୍ବରଣ । ଏମାନେ ହେନାକୁ ଲାଳନପାଳନ କଲେ । ଏବେ ଦୁଇ ବର୍ଷ ହେବ ଜଣେ ରାଜପୁତ୍‌ କ୍ଷତ୍ରୀୟ ବଂଶର ପୁଅ ସହ ହେନା ଓରଫ୍‌ ଜୁଲି ସିଂହର ବିବାହ ହୋଇଛି ; ସେ ଏବେ ଏକ କନ୍ଯା ସନ୍ତାନର ମାଆ ।


    ସର୍ଜିତା ସିଂ ଦେଓ ଓ ମୋନାଲିସାର କ୍ଷୀର -ନୀର ସମ୍ପର୍କ । କିଛିଦିନ ପରେ ସର୍ଜିତାର ବିବାହ ହୋଇଗଲା ; ଫଳତଃ  ସେ ଆଉ ବିଶେଷ ଭାବରେ ମୁଖ ପୁସ୍ତକରେ ସକ୍ରିୟ ରହି ପାରିଲା ନାହିଁ  । ଆଗ ପରି ମୋନାଲିସାକୁ ସମୟ ଦେଇ ପାରିଲାନି ; ବହୁ ଭାଳି ହେଲା ସର୍ଜିତାକୁ ମୋନାଲିସା । ଅସହ୍ୟ କଷ୍ଟନୁଭବ କଲା ; ଘନିଷ୍ଠ ସମ୍ପର୍କ ଦୂର ହେଲାଠୁ ବଡ ଝଟ୍‌କା ଲାଗିଲା ତାକୁ । ଦୁଇ ହଜାର ଅଠର ମସିହା ମାର୍ଚ୍ଚ୍‌ ଛଅ ତାରିଖର କଥା ।ହଷ୍ଟେଲ୍‌ରେ ସବୁରି ଅନୁପସ୍ଥିତିର ସୁଯୋଗ ଉଣ୍ଡି ନିଜ ରୁମ୍‌ରେ କବାଟ ଦେଇ ଆତ୍ମହତ୍ୟାର ଉଦ୍ୟମ କରିଥିଲା ମୋନାଲିସା । ଅତି ଅମାନୁଷିକ ଭାବେ ଛୁରାରେ ନିଜ ଗଳା ନିଜେ କାଟି ପକାଇଲା । ସାଥୀସାଙ୍ଗ ମାନେ ସଙ୍ଗେ ସଙ୍ଗେ ନେଇଗଲେ ନିକଟସ୍ଥ ହାସ୍‌ପାତାଳକୁ ଏବଂ ମୋନାଲିସାର ଫୋନ୍‌ରୁ ନମ୍ବର କାଢ଼ି ଦିବ୍ଯା ଦ୍ବିବେଦୀ ଓ ତାଙ୍କ ସମ୍ପର୍କୀୟ ମାନଙ୍କୁ ଜଣାଇବାରୁ ସମସ୍ତେ ଆସି ହାସ୍‌ପାତାଳରେ ମୋନାଲିସା ପାଖରେ ପହଞ୍ଚିଲେ । ସବୁରି ଆଖିରେ ଲୁହର ବନ୍ୟା । ସାଙ୍ଗ ସାଥୀ, ସମ୍ପର୍କୀୟ ଏମିତି କି ହସ୍ପିଟାଲ୍‌ ବେଡ୍‌ ଆଡମିଟ୍‌ ଥିବା ରୋଗୀ ମାନଙ୍କ ସହ ଡାକ୍ତର, ନର୍ସ୍‌ ଆଉ କମ୍ପାଉଣ୍ଡର୍‌ ମାନେ ବି ମୋନାଲିସାର ଆଶୁ ଆରୋଗ୍ୟ କାମନା ପୂର୍ବକ ଭଗବାନ୍‌ଙ୍କ ନିକଟରେ ପ୍ରାର୍ଥନା ବାଢ଼ୁଥିଲେ । 


          କିଛିଦିନ ହାସ୍‌ପାତାଳର ଚାରିକାନ୍ଥ ଭିତରେ ଆବଦ୍ଧ ରହିବା ପରେ ହାସ୍‌ପାତାଳ ଛାଡ଼ିଲା ମୋନାଲିସା । ସମ୍ପୂର୍ଣ୍ଣ ସୁସ୍ଥ ନହେଲେ ବି ଆସନ୍ନ ମୃତ୍ଯୁରୁ ବର୍ତ୍ତି ଯାଇଛି ସେ ; କିନ୍ତୁ ହରାଇ ବସିଲା ତା'ର ବାକ୍‌ ଶକ୍ତି । ମୁକ ପାଲଟିଗଲା ମୋନାଲିସା ; ଏଯାଏଁ  ଖାଇ ପାରୁନି ଭାତ । ପାଉଁରୁଟି, କ୍ଷୀର, ଛତୁଆ, ବିସ୍କୁଟ୍‌ ଓ ହର୍ଲିକ୍ସ୍‌ରେ ତା' ଜୀବନ ରହିଛି । ଏବେ ଏବେ କ୍ଷୀରରେ ବତୁରେଇ ଟିକେ ଟିକେ ରୋଟି ଖାଉଛି । ସମସ୍ତ ପ୍ରଚେଷ୍ଟା ଜାରି ରହିଛି ଡ଼ାକ୍ତରଙ୍କର, କିନ୍ତୁ ମୋନାଲିସା କେବେ ସୁସ୍ଥ ହେବ କହିପାରୁ ନାହାନ୍ତି । 


        ଏତିକି କଥାବାର୍ତ୍ତା ପରେ ଫୋନ୍‌ଟା କଟିଗଲା । ପୁନରାୟ ଫୋନ୍‌ ଲଗାଇ ପଚାରିଲି "କଲ୍‌ କଟିଗଲା ଯେ ?" ସୀମା କହିଲେ ଏକ ଘଣ୍ଟା ପରେ କଟିଯାଏ ; ଏକଥା ମୁଁ ଜାଣି ନଥିଲି । ତୁମେ କେମିତି ଏ କାହାଣୀ ଜାଣିଲ ପଚାରିବାରୁ ସୀମା କହିଲେ ସେ ମୋର ମୁଖ ପୁସ୍ତକରେ ବନ୍ଧୁ ଅଛି ଓ ମୁଁ ତା' ସହ କଥା ହେଇଛି ଆଉ ଏବେ ବି ହେଉଛି  ; ତାଙ୍କ ମାଆଙ୍କ ସହ କଥା ହୋଇ ମୁଁ ଜାଣିଲି ସେ କେତେ ସ୍ନେହୀ ଓ ମମତାମୟୀ । ଯେତେବେଳେ ମୋନାଲିସା ସହ ସୀମାଙ୍କ ବନ୍ଧୁତ୍ୱ ହେଲା ସେତେବେଳେ ମୋନାଲିସା ତାଙ୍କୁ ଜିଜି ଡ଼ାକୁଥିଲା ; ଜିଜିରୁ ଜିଜି ମାଆ ଓ ଜିଜି ମାଆରୁ ମାଆ ବୋଲି ଡ଼ାକିଲା । କାରଣ ମୋନାଲିସା ଭାବିଥିଲା ସୀମା ବିବାହିତ ; ସୀମା କିନ୍ତୁ ମୋନାଲିସାକୁ ଲାଡୋ ଡ଼ାକନ୍ତି ଯାହାର ଓଡ଼ିଆ ଅର୍ଥ ଗେହ୍ଲି । ଦିନେ ସୀମାଙ୍କୁ ଫଟୋ ମାଗି ଦେଖେ ତ ଆଶ୍ଚର୍ଯ୍ୟ ହୋଇଯାଏ ମୋନାଲିସା ; ସେ ଭାବିଲା ଏ ଫଟୋ ସୀମାଙ୍କ ଝିଅର ଫଟୋ । ପଚାରିବାରୁ ସୀମା କହିଲେ "ଏ ମୋ ଫଟୋ ।" ସୀମା ପ୍ରଶ୍ନ କଲେ - ଏବେ କ'ଣ ଡ଼ାକିବ, ଜିଜି ନା ମାଆ ?" ମୋନାଲିସା କହିଲେ "ମା'।" ସେହିଦିନଠୁ ସୀମା ଓ ମୋନାଲିସାର ସମ୍ପର୍କ ଘନିଷ୍ଠ  l   


    ଏ କାହାଣୀଟି ଶୁଣି ସାରିବା ପରେ ବିସ୍ମୟାଭିଭୁତ ମୁଁ ; ଏକ ବାସ୍ତବ ଘଟଣାକୁ କାହାଣୀ କରି ସଜେଇବା ପାଇଁ ଭଲ ବିଷୟବସ୍ତୁ ପ୍ରାପ୍ତ କଲି ଜାଣି ମୋ ଖୁସି କହିଲେ ନସରେ । ଯେତିକି ଖୁସି ନଥିଲି ଢ଼େର୍‌ ବେଶି ଦୁଃଖୀ ଥିଲି ଏ କାହାଣୀଟି ଶୁଣିବା ପରେ ; ମୋ ଅଜାଣତେ ମୋ ଆଖିରେ ଚାଲି ଆସିଥିଲା ବୁନ୍ଦା ବୁନ୍ଦା ଲବଣାକ୍ତ ନୀର ବିନ୍ଦୁ । ସେ ନୀର ବିନ୍ଦୁ ନିର୍ଝରର ରୂପ ନେଇ କେତେବେଳେ ମୋ ଗାଲର ଦୁଇ ଧାରରେ ସରଳରେଖା ଟାଣି ଭୂଇଁରେ ଖସି ପଡ଼ିଛି ମୁଁ ଜାଣିନି । ବହୁତ ସମୟର ଆଳାପରେ ପୂର୍ଣ୍ଣଚ୍ଛେଦ ପକାଇ କିଛି ନଖାଇ ମସିଣା ପାରି ମାଣ୍ଡିସହ ମୁଣ୍ଡର ସମ୍ପର୍କ ଯୋଡି ଅବଶ ଶରୀରଟାକୁ ଗଡେଇ ଦେଇ ଭାବନା ଭୁବନର ଭ୍ରମଣରେ ବାହାରି ପଡ଼ିଲି ; ଏତେ ବଡ଼ ଘଟଣାଟି କିପରି ଏକ ଛୋଟ କାହାଣୀ ହୋଇ ପାରିବ ବୋଲି ଚିନ୍ତା କରୁ କରୁ ରାତିର ବୟସ ଖସିବାକୁ ବସିଲାଣି ମୋର ଲିହାଜ୍‌ ନାହିଁ । ବୋଉ ଆସି ମତେ କହିଲା  - " ଏତେ ରାତି ହେଲାଣି ତୁ ଆହୁରି ଚେଇଁଛୁ ; ଶୋଇନୁ ?" ବୋଉ ଡାକରେ ପ୍ରକୃତିସ୍ଥ ହୋଇ ଉଠି ବସିଲି ; ମୋବାଇଲ୍‌ ଦେଖେ ତ ଆଶ୍ଚର୍ଯ୍ୟ ମୁଁ । ରାତି ତିନିଟା ବାଜି ସତେଇଶି ମିନିଟ୍‌ ହେବାକୁ ଯାଉଛି  । 


      ଏ କାହାଣୀ ଲେଖିବାର ଭାବନା ନେଇ ନିଦ ନ ଆସିଲେ ବି ମାଡ଼ି ମକଚି ହୋଇ ଶୋଇବାର ପ୍ରୟାସ କରିବା ପରେ କେତେବେଳେ ନିଦ୍ରାବତୀଙ୍କ ହାତ ଆଉଁସା ପାଇ ତାଙ୍କ କ୍ରୋଡ଼ ମଣ୍ଡନ ମଣ୍ଡନ କରି ନେଇଛି ସେକଥାରେ ବି ମୁଁ ଅଜ୍ଞ ; ନିଦ୍ରାବତୀ ଫେରିଗଲା ବେଳକୁ ସକାଳ ଆଠଟା ପନ୍ଦର ; ମୁହଁ ହାତ ଧୋଇ କାହାଣୀ ରଚନାରେ ଧ୍ଯାନ ନିବେଶ କଲି । ଦୁଇ ଦିନର ଶ୍ରମ ବ୍ଯୟରେ ନିର୍ମାଣିଲି ବାସ୍ତବ ଘଟଣାର ଝାଟିମାଟିର କାହାଣୀ କୁଟୀରଟିଏ । ଜାଣିନି ଏ କାହାଣୀଟି ପାଠକଙ୍କ ହୃଦୟର କେଉଁ ଏକ ନିର୍ଭୃତ କୋଣରେ ସଞ୍ଚିତ ହେଇ କାଳଜୟୀ ହେବ ନା ପାଣି ଫୋଟକା ପରି କେଇ କ୍ଷଣରେ ମିଳେଇ ଯିବ । ଯଦି ଏ କାହାଣୀଟିରୁ ପାଠକମାନେ କିଛି ଶିକ୍ଷା ପ୍ରାପ୍ତ କରି ପାରିଲେ ଓ ନାରୀର ମହନୀୟ ଗୁଣବତ୍ତାକୁ ଉପଲବ୍ଧି କରିପାରିଲେ ତେବେ ମୋ ଶ୍ରମ ଓ ସାଧନା ସାର୍ଥକ ହେଲା ବୋଲି ଜାଣିବି । ଏଇ ଆଶା ଆକାଂକ୍ଷାର ଭୋକିଲା ମଣିଷ, ଏକ ଅଣୁ ଲେଖକ ଏବଂ ଆପଣମାନଙ୍କ ଆଦରଣୀୟ ବନ୍ଧୁ ଶିବ ପ୍ରସାଦ ବାହିନୀପତି ଆପଣଙ୍କ ସ୍ନେହ,ଶ୍ରଦ୍ଧା ଓ ଭଲପାଇବାର ସୁଚିନ୍ତିତ ମତାମତ ପ୍ରତୀକ୍ଷାରେ....।।


ଭାଟପଡ଼ା, ନିରାକାରପୁର,କଣାସ,ପୁରୀ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା