ମହାତ୍ମା ମାଘ
- Get link
- X
- Other Apps
କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ- ଉଦୟ ଭାନୁ
ମଘା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ବିଶିଷ୍ଟ ଚାନ୍ଦ୍ରମାସ ହେଉଛି ମାଘ ମାସ , ଯାହା ଅତ୍ଯନ୍ତ ଧର୍ମର ମାସ । ଏହା ଶୀତ ଋତୁର ଅନ୍ତିମ ମାସ । ଏ ମାସରେ ପ୍ରାତଃ ସ୍ନାନ ସହ ହବିଷ୍ଯାଦି କର୍ତ୍ତବ୍ୟ । ଏ ମାସରେ ଅତ୍ଯଧିକ ଶୀତ ହେଉଥିବାରୁ ତାକୁ ନେଇ ଏକ ଜନ ଢଗ ଗଢ଼ି ଉଠିଛି - "ମାଘ , ଶୀତ ହୁଏ ବାଘ , ଶୀତର ବଡ଼ ରାଗ" । ପୁଣି କୁହାଯାଇଛି - "ଏକା ମାଘରେ ଶୀତ ଯାଏନି" । ଶୀତ କେଉଁ କେଉଁ ୟରେ ଅନୁଭୂତ ହୁଏ , ସେ ସମ୍ବନ୍ଧେ ଏକ ବେତାଳୋକ୍ତ ଢଗ - "ମାଘେ ଶୀତ , ମେଘେ ଶୀତ , ଯତ୍ର ବାତ ତତ୍ର ଶୀତ" । ମାଘ ମାସରେ ମୂଳା ଏବଂ ବରକୋଳି ଖାଇବାକୁ ବାରଣ କରାଯାଇଛି ବୋଲି ଏକ ଲୋକ ଢ଼ଗରୁ ଜଣାପଡ଼େ - "ମାଘେ ବରକୋଳି ମକରେ ମୂଳା , ଗୋରୁ ମାଉଁସ ପୁଳା ପୁଳା ।" ଏ ମାସରେ ବରକୋଳି ଓ ମୂଳା ଖାଇଲେ ଗୋ ମାଂସ ଭକ୍ଷଣର ପାପ ହୋଇଥାଏ ।
ସଂସ୍କୃତରେ "ମାଘମ୍"ର ଅର୍ଥ ପାପମୁକ୍ତ ମାସ ; ଏ ମାସରେ ସ୍ବୟଂ ନାରାୟଣ ମାଧବ ରୂପେ ପୂଜିତ । ଏ ମାସରେ ସୂର୍ଯ୍ଯ , ଶିବ ଓ ସରସ୍ୱତୀ ଜନ୍ମ ନେଇଥିଲେ । ପ୍ରାତଃ ସ୍ନାନାନ୍ତେ ଏହି ମାସରେ ଦୀପଦାନ କଲେ ଅମୋଘ ପୁଣ୍ଯ ମିଳେ । ସୂର୍ଯ୍ଯୋଦୟ ପୂର୍ବରୁ ସ୍ନାନାଦି ସମାପନାନ୍ତେ ସୂର୍ଯ୍ୟ ଓ ବିଷ୍ଣୁ ଆରାଧନା ପ୍ରାଣୀଙ୍କୁ ପାତକ ନାଶ କରିଥାଏ । ପୁରାଣରେ ଅଛି :-
"ପାଳିଲେ ମାଘ ସ୍ନାନ ଧର୍ମ । ଗଞ୍ଜଇ ସକଳ ଅଧର୍ମ ।।
ଯମ ନ ଲଙ୍ଘେ ତା'ର ସୀମା । ସେ ପ୍ରାଣୀ ଅଟେ ପୁଣ୍ଯ ଆତ୍ମା ।।"
ମାଘ ମାସରେ ସୂର୍ଯ୍ଯ ମକର ରାଶିରେ ଥିବା ବେଳେ ପବିତ୍ର ନଦୀରେ ପ୍ରାତଃରୁ ସ୍ନାନ କଲେ ସ୍ବର୍ଗ ପ୍ରାପ୍ତି ହେବାର କଥିତ ଅଛି । ଅନେକ ଗ୍ରନ୍ଥରେ ଏ ମାସର ମହତ୍ତ୍ୱ ଲିଲିଖ୍ଯ । ମହାଭାରତର ଅନୁଶାସନ ପର୍ବରେ ଲିପିବଦ୍ଧ ଯେ ମାଘରେ ନିୟମ ସହିତ ଦିନକୁ ଏକବକ୍ତ ଭୋଜନ କଲେ ଧନୀକର କୁଳରେ ଜାତ ହୋଇ ସ୍ବ କୁଟୁମ୍ବ ମଧ୍ଯେ ମହତ୍ତ୍ବ ପ୍ରାପ୍ତ ହୁଏ । ପୁଣି ବର୍ଣ୍ଣିତ , ଏ ମାସର ଦ୍ବାଦଶୀ ତିଥିରେ ଦିବାରାତ୍ର ଓପାସ ରହି ମାଧବଙ୍କୁ ଉପାସନା କରିଲେ ରାଜସୂୟ ଯଜ୍ଞର ଫଳ ପ୍ରାପ୍ତି ହେବା ସହ ସେ ନିଜର କୁଳୋଦ୍ଧାରକ ହୋଇଥାଏ । ଗଙ୍ଗା ନାମୋଚ୍ଚାରଣ ପୂର୍ବକ ସ୍ନାନ କଲେ ଗଙ୍ଗାସ୍ନାନର ଫଳ ମିଳେ । ଏ ମାସରେ ବିଷ୍ଣୁ ପୂଜାରେ ସମସ୍ତ ମନୋବାଞ୍ଛା ପୂର୍ଣ୍ଣ ହୁଏ ବୋଲି ଶାସ୍ତ୍ର କହେ ଏବଂ ଦୁଃଖ ଦୂର ହେବା ସହ ସୁଖ ସମୃଦ୍ଧିର ଅଭିବୃଦ୍ଧି ଘଟେ ।
ପୁରାଣରେ ମାଘ ମାସର ସ୍ନାନର ମହତ୍ତ୍ୱକୁ ନେଇ ଛୋଟ ଏକ କାହାଣୀ ଅଛି । କାହାଣୀଟି ଏହିପରି , ପ୍ରାଚୀନରେ ନର୍ମଦା ନଦୀ ତୀର ବାସିନ୍ଦା ଥିଲେ ସୁବ୍ରତ ନାମ୍ନୀ ଜନୈକ ସମସ୍ତ ବେଦ - ବେଦାଙ୍ଗ , ଧର୍ମଶାସ୍ତ୍ର ଆଉ ପୁରାଣରେ ସିଦ୍ଧହସ୍ତ ସହିତ ଅନେକ ଭାଷା ଓ ଲିପି ସବୁ ଜାଣିଥିବା ବିଦ୍ବାନ ବ୍ରାହ୍ମଣ ; ବିଦ୍ବାନ ହୋଇ ବି ସେ ତାଙ୍କ ଜ୍ଞାନକୁ ଧର୍ମକାର୍ଯ୍ଯେ ଉପଯୋଗ କରି ନଥିଲେ । ପୂରା ଜୀବନ ଧନ କମାଇବାରେ ବିତାଇ ଥିଲେ । ବୟସ ବଢ଼ି ଯେତେବେଳେ ବୃଦ୍ଧାବସ୍ଥା ଆଗତ ହେଲା ସେ ଚିନ୍ତା କଲେ କି ମୁଁ ଧନ ବହୁତ କମାଇଲି କିନ୍ତୁ ସ୍ବର୍ଗ ପ୍ରାପ୍ତ୍ଯର୍ଥେ କିଛି ତ କରିନି । ସେ ଅନୁତପ୍ତ ହେଲେ । ସେହି ଅନୁତପ୍ତିତ ରାତ୍ରେ ଚୋରମାନେ ତାଙ୍କର ସମସ୍ତ ସଞ୍ଚିତ ଧନ ଅପହରଣ କରିନେଲେ , କିନ୍ତୁ ସୁବ୍ରତଙ୍କର କୌଣସି ଦୁଃଖ ଭୋଗ ନାହିଁ । ସେ ପରମାତ୍ମା ପ୍ରାପ୍ତିର ମାର୍ଗନ୍ବେଷଣରେ ଥିଲେ । ତାଙ୍କର ଏକ ଶ୍ଳୋକ ସ୍ମରଣ ଆସିଲା ଯେ "ମାଘେ ନିମଗ୍ନାଃ-ସଲିଳେ , ସୁଶୀତେ ବିମୁକ୍ତପାପାସ୍ତ୍ରିଦିବଂ ପ୍ରୟାନ୍ତ ।" ଏବେ ମିଳିଗଲା ମୁକ୍ତିମନ୍ତ୍ର ତାଙ୍କୁ ; ସେ ମାଘ ସ୍ନାନର ସଙ୍କଳ୍ପ ନେଇ ନବଦିନ ପର୍ଯ୍ଯନ୍ତ ନର୍ମଦା ନୀରରେ ସ୍ନାନ କଲେ ଏବଂ ଦଶମୀ ଦିନ ସ୍ନାନାନ୍ତେ ଶରୀର ତ୍ଯାଗ କଲେ । ସାରା ଜୀବନ କିଛି କାମ ନକରି ବି ମାଘ ସ୍ନାନ କରି ଅନୁତାପ କଲାରୁ ନିର୍ମଳ ମାନସ ପ୍ରାପ୍ତ କଲେ ଏବଂ ଦେହାନ୍ତାନ୍ତେ ଆତ୍ମା ଏକ ଦିବ୍ଯ ବିମାନରେ ଆରୋହଣ କରି ସ୍ବର୍ଗଗାମୀ ହୋଇଥିଲେ । ତେଣୁ ମାଘର ସ୍ନାନ ମହତ ପୁଣ୍ଯ ପ୍ରଦାନର ମାର୍ଗ ଅଟେ ।
ପୁରାଣର ଅନ୍ଯେକ କାହାଣୀ କହେ - ଇନ୍ଦ୍ରଦେବ ମୁନି ଗୌତମଙ୍କ ପତ୍ନୀ ଅହଲ୍ୟାଙ୍କର ଅପରୂପ ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇ ତାଙ୍କର ସତୀତ୍ୱ ନାଶ କଲେ ; ଫଳତଃ ଗୌତମଙ୍କ ଦ୍ବାରା ଅଭିଶପ୍ତ ହୋଇ ଇନ୍ଦ୍ର ଅମରାବତୀପୁରକୁ ନଫେରି ମେରୁ ପର୍ବତ ଶିଖରରେ ଥିବା ଏକ ସରୋବରରେ ପ୍ରଷ୍ଫୁଟିତ ପଦ୍ମ ନାଡ଼ ଭିତରେ ଛପି ରହିଲେ । ଇନ୍ଦ୍ରଙ୍କୁ ସ୍ବର୍ଗରେ ନପାଇ ଦେବଗଣ ବ୍ରହ୍ମା ଓ ବୃହସ୍ପତିଙ୍କ ସହ ଅନ୍ବେଷଣ କରି କରି ସେହି ମେରୁ ପର୍ବତରେ ଉପନୀତ ହେଲେ । ଇନ୍ଦ୍ରଙ୍କ ଠାରୁ ସମସ୍ତ ବୃତ୍ତାନ୍ତ ଶ୍ରବଣାନ୍ତେ ଦେବଗୁରୁ ବୃହସ୍ପତି ତାଙ୍କୁ ତୀର୍ଥ ସ୍ନାନର ଔପଦେଶ ଦେଇ ସଙ୍ଗତେ ଦରି ତୀର୍ଥରାଜ ପ୍ରୟାଗରେ ପହଞ୍ଚିଲେ , ଯେଉଁଠି ବ୍ରହ୍ମାଙ୍କର ଯଜ୍ଞସ୍ଥଳ । ଏଠାରେ ବିଷ୍ଣୁ ବେଣୀମାଧବ ଓ ଶିବ ଅକ୍ଷୟବଟ ରୂପେ ବିରାଜିତ । ଇନ୍ଦ୍ର ସ୍ନାନ ସାରି ଉପରକୁ ଉଠିଲା ବେଳକୁ ତାଙ୍କ ଶରୀରରୁ ଲଜ୍ଜା ଜନକ ସହସ୍ର ଯୋନି ଲୁପ୍ତ ହୋଇ ସେସବୁ ସସ୍ର ଲୋଚନରେ ରୂପାନ୍ତରିତ ହୋଇଯାଇଛି ଏବଂ ସେଦିନ ଥିଲା ମାଘ ମାସ ; ମାଘ ସ୍ନାନର ଫଳରୁ ସେ ପାତକ ମୁକ୍ତ ହେଲେ । ତେଣୁ ମାଘ ମାସରେ ଯେକୌଣସି ତୀର୍ଥ , ନଦୀ ଆଦିରେ ସ୍ନାନ କଲେ ଏବଂ ସୂର୍ଯ୍ଯ - ବିଷ୍ଣୁ ପୂଜନ ସହ ଶିବଙ୍କୁ ଜଳାଭିଷେକ କଲେ ନରର ପାତକ ନାଶ ହୋଇଯାଏ ।
ଅର୍କକ୍ଷେତ୍ର ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଅଟେ । ପ୍ରାଚୀନ କାଳରୁ ଏହା ସିଦ୍ଧ ତୀର୍ଥ ରୂପେ ପରିଗଣିତ । ସାରଳା ଦାସଙ୍କ ମହାଭାରତର ବନପର୍ବରେ ଅର୍କକ୍ଷେତ୍ର ବିଷୟେ ଉଲ୍ଲେଖ ରହିଛି - ମକର ମାସ ଅର୍ଥାତ ପବିତ୍ର ମାଘ ସପ୍ତମୀରେ ସୂର୍ଯ୍ଯଦେବ ଅର୍କ ନାମକ ଏକ ଦୈତ୍ଯକୁ ପାତାଳକୁ ଚାପି ଅର୍କତୀର୍ଥ ସୃଷ୍ଟି କରିଥିବାରୁ ପ୍ରତିବର୍ଷ ମାଘ ସପ୍ତମୀରେ ଅତ୍ର ସ୍ନାନୋତ୍ସବ ଅନୁଷ୍ଠିତ ହୁଏ । ପଦ୍ମ ପୁରାଣରେ ପ୍ରାଚୀ ମାହାତ୍ମ୍ୟରେ କୁହାଯାଇଛି ସୂର୍ଯ୍ଯ ସ୍ବ କଳୁଷ ବିମୋଚନାର୍ଥେ ଅର୍କତୀର୍ଥରେ ତପସ୍ଯା ପୂର୍ବକ ମୁକ୍ତିଲାଭ କରିଥିଲେ ଏବଂ ଶିବ ବି ଏଠି ତପଃ କରି ବ୍ରହ୍ମା ଶିର ଚ୍ଛେଦନ ଜନିତ ପାପରୁ ମୁକ୍ତିପ୍ରାପ୍ତି ହୋଇ ଥିଲେ । ସୂର୍ଯ୍ଯଦେବ ଅର୍କତୀର୍ଥର ମାହାତ୍ମ୍ୟ ବର୍ଣ୍ଣନାରେ ଶିବଙ୍କୁ କହିଛନ୍ତି -
"ଅର୍କତୀର୍ଥ ଯେତେ ପୁଣ୍ଯ , ମୁଁ କହିବାକୁ ନୁହେଁ କ୍ଷମ ।
ମାଘ ମାସର ଶୁକ୍ଳପକ୍ଷ , ସପ୍ତମୀ ହୋଇଲେ ପ୍ରତ୍ଯକ୍ଷ ।
ତିଳ ଲଗାଇ କଲେ ସ୍ନାନ , ତିଳେ ଦେଲେ ଦାନ - ଭୋଜନ ।
କୋଟି ଗୋଦାନ ଫଳ ପାଇ , ତା' ଦେହେ ବ୍ଯାଧି ନ ଲାଗଇ ।
ଅପୁତ୍ରୀ ନାରୀ କଲେ ଦାନ , କୋଳେ ତା' ହୁଅଇ ନନ୍ଦନ ।
ଅର୍କତୀର୍ଥରେ ସ୍ନାନ କରି , ବ୍ରହ୍ମହତ୍ୟାରୁ ହୋଏ ପାରି ।"
ମାଘ ଶୁକ୍ଳ ସପ୍ତମୀ ସୂର୍ଯ୍ଯଙ୍କ ଜାତ ଦିବସ ହେତୁ ଏ ତିଥି ସ୍ନାନ ପାଇଁ ପ୍ରଯୁଜ୍ୟ , ଫଳତଃ ମନୁଷ୍ଯ ବୀତରୋଗ ବିକଳ୍ମଷ ହୋଇ ନର ଜନ୍ମରୁ ମୁକ୍ତି ପାଏ । ଏହି ମାଘ ସପ୍ତମୀ ହେଉଛି ଅତିବଡ଼ି ଜଗନ୍ନାଥ ଦାସଙ୍କର ବ୍ରହ୍ମଲୀନ ଦିବସ ; ଏହିଦିନ ସେ ପରମଧାମ ଗମନ କରିଥିଲେ । ଏ ମାସରେ ବି ସୁନ୍ଦର ସୁନ୍ଦର ପର୍ବପର୍ବାଣୀ ପଡ଼େ । କୃଷ୍ଣ ଏକାଦଶୀରେ ଓଳାଶୁଣୀ ମେଳା ବେଶ୍ ପ୍ରସିଦ୍ଧ ଏବଂ ମାଘ ମାସ ଅମାବାସ୍ଯା ହେଉଛି ମୌନୀ ଅମାବାସ୍ଯା ; ପୂର୍ଣ୍ଣିମା ତିଥିରେ ଯୋରନ୍ଦା ମେଳା ବି ପ୍ରସିଦ୍ଧି ଲାଭ କରିଛି । ଶୁକ୍ଳପକ୍ଷ ଚତୁର୍ଥୀ ହେଉଛି ତିଳ ଚତୁର୍ଥୀ ଓ ଶୁକ୍ଳପକ୍ଷ ସପ୍ତମୀ ହେଉଛି ରଥ ସପ୍ତମୀ । ବେଶ୍ ନିରା ହେଲା ଖଣ୍ଡଗିରି ମେଳା ; ତତ୍ ସହିତ ଏ ମାସରେ ବୀଣାପାଣିଙ୍କ ପୂଜା ଓ ଅଗ୍ନ୍ଯୁତ୍ସବ ଯାହା ପୂର୍ଣ୍ଣମୀ ତିଥିରେ ପଡ଼େ , ବେଶ୍ ଆନନ୍ଦଦାୟକ । ଶୁକ୍ଳପକ୍ଷ ଏକାଦଶୀ ଭୀଷ୍ମ ଏକାଦଶୀ ନାମେ ଖ୍ଯାତ । ଶ୍ରୀ ଗରୁଡ଼ ପୁରାଣରେ ମାଘ ଶୁକ୍ଳ ଏକାଦଶୀ ତିଥିକୁ ଭୌମୀ ଏକାଦଶୀ ବୋଲି କଥିତ ଅଛି ; ବିଭିନ୍ନ ପୁରାଣରେ ଏହାର ନାମାନ୍ତର ପରିଦୃଷ୍ଟ । ଶ୍ରୀ ପଦ୍ମ ପୁରାଣରେ ଜ୍ଯେଷ୍ଠ ମାସର ଶୁକ୍ଳ ଏକାଦଶୀ ପାଣ୍ଡବ ନିର୍ଜଳା ବା ଭୀମସେନ (ଭୌମୀ) ଏକାଦଶୀ । ଯିଏ ଶାରୀରିକ ଅସାମର୍ଥ୍ୟ ହେତୁ ବର୍ଷକୁ ମାତ୍ର ଚାରୋଟି ଶୟନ , ପାର୍ଶ୍ବ , ଉତ୍ଥାନ ଓ ଭୌମୀ ଏକାଦଶୀ ପାଳନ କରନ୍ତି , ସେମାନେ ମାଘ ବଦଳରେ ଜ୍ଯେଷ୍ଠ ମାସର ପାଣ୍ଡବ ନିର୍ଜଳା ବା ଭୌମୀ ଏକାଦଶୀ ବ୍ରତ ଓପାସ କରିବେ । ପଦ୍ମ ପୁରାଣ କହେ ମାଘମାସ ଶୁକ୍ଳପକ୍ଷ ଏକାଦଶୀ ହେଉଛି "ଜୟା ଏକାଦଶୀ" ଯାହା ସର୍ବପାପନାଶିନୀ , ସର୍ବଶ୍ରେଷ୍ଠା , ପବିତ୍ରା , କାମଦା ଓ ମୋକ୍ଷଦାୟିନୀ ଏବଂ ଏଥିରେ ବ୍ରହ୍ମହତ୍ୟା ପାପ ଓ ପିଶାଚ ବିନିଷ୍ଟ ହୁଏ ବୋଲି ଉକ୍ତ ପୁରାଣ ମତ । ଏ ବ୍ରତ କଲେ ମାନବ ପ୍ରେତତ୍ବ ପ୍ରାପ୍ତ କରେ ନାହିଁ ବୋଲି ପୌରାଣିକ ମତ ; କୃଷ୍ଣ - ଯୁଧିଷ୍ଠିର ସମ୍ବାଦ (ପଦ୍ମ ପୁରାଣ)ରେ ଏହା ଲିପିବଦ୍ଧ । "ଏକାଦଶୀ ମାହାତ୍ମ୍ୟ" ପ୍ରସଙ୍ଗ ପଠନ କଲେ ଏହାର ମହତ୍ତ୍ବ ସ୍ପଷ୍ଟ ବାରିପାରିବେ । ମକର ସଂକ୍ରାନ୍ତି ଏହି ମାସର ବେଶ୍ ଆକର୍ଷଣ ।
ମକର ସଂକ୍ରାନ୍ତି ଓଡ଼ିଶାର ଏକ ପ୍ରଧାନ ପର୍ବ ; ନୂତନ ତଣ୍ଡୁଳରେ ସୁମିଷ୍ଟ ମକର ଚାଉଳ ପ୍ରସ୍ତୁତ ହୋଇ ଦେବତାଙ୍କ ପାଖରେ ଭୋଗ ହୁଏ ; ବହୁ ସ୍ଥାନରେ ମକର ମେଳା ବା ମକର ଯାତ୍ରା ଅନୁଷ୍ଠିତ ହୁଏ ଏବଂ ଏଦିନ ସୂର୍ଯ୍ଯଙ୍କର ଉତ୍ତରାୟଣ ବନ୍ଦାପନା କରାଯାଏ । କେହି କେହି ସୂର୍ଯ୍ଯଙ୍କୁ ତ କେହି କେହି ଶିବଶଙ୍କରଙ୍କୁ ମକର ସଂକ୍ରାନ୍ତିରେ ପୂଜା କରନ୍ତି । ସୂର୍ଯ୍ଯଙ୍କୁ ପୂଜା କରିବାର ଉଦ୍ଦେଶ୍ଯ ସେ ସକଳ ଶକ୍ତିର ଆଧାର ଏବଂ ଶିବଙ୍କୁ ପୂଜା କରିବାର ଉଦ୍ଦେଶ୍ଯ ସେ ମଙ୍ଗଳମୟ । ମକର ସଂକ୍ରାନ୍ତିରେ ଦେବାଳୟରେ ହୋମ କରି ମାସଟି ଭଲରେ କଟିବା ପାଇଁ ପ୍ରାର୍ଥନା କରନ୍ତି ସମସ୍ତେ ପ୍ରାୟ ; ଏଦିନ ଗ୍ରହରିଷ୍ଟ ଖଣ୍ଡନାର୍ଥେ ପୂଜା-ହୋମର ବିଧାନ ବି ଅଛି । ଲୋକବିଶ୍ୱାସନୁଯାୟୀ ଲୋକମାନେ ମକର ସଂକ୍ରାନ୍ତିରେ ପ୍ରାତଃସ୍ନାନ ପରେ ସୂର୍ଯ୍ଯଙ୍କ ଉଦ୍ଦେଶ୍ଯରେ ଯେଉଁ ଦାନ-ଧର୍ମ ଆଚରନ୍ତି , ତାହା ସୂର୍ଯ୍ଯଦେବ ପରଜନ୍ମରେ ଦାତାଙ୍କୁ ପ୍ରତ୍ଯାର୍ପଣ କରନ୍ତି । ପୌରାଣିକ ମତେ ରବି ସଂକ୍ରମଣ କାଳେ ଯେ' ସ୍ନାନ କରେ ନାହିଁ , ସେ ସାତ ଜନ୍ମ ବ୍ଯାପୀ ରୋଗ-ଦୁଃଖ ଭୋଗ କରେ । ଏହାର ଅନ୍ଯ ନାମ ତିଳ ସଂକ୍ରାନ୍ତି ; କାରଣ ଏଦିନ ମକର ଚାଉଳ ସମେତ ତିଳରେ ତିଆରି ଲଡୁ ଓ ଖଜା ଆଦି ଅର୍ପଣ କରାଯାଏ । ଦକ୍ଷିଣ ଭାରତରେ ପ୍ରଧାନ ପର୍ବ ପାଲଟିଥିବା ମକର ସଂକ୍ରାନ୍ତି "ପୋଙ୍ଗଲ ପର୍ବ" ରୂପେ ପରିଚିତି ପ୍ରାପ୍ତ । ଓଡ଼ିଶାରେ ମହାବିଷୁବ ସଂକ୍ରାନ୍ତି ଠାରୁ ବର୍ଷ ଆରମ୍ଭ ହେଉଥିବା ବେଳେ ଦକ୍ଷିଣ ଭାରତରେ ତିନିଦିନ ଧରି ପାଳନ କରୁଥିବା ମକରଠୁ ବର୍ଷ ଆରମ୍ଭ ହୁଏ । କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ କିନ୍ତୁ ମକର ସଂକ୍ରାନ୍ତି ଦୁଇଦିନ ଧରି ପାଳନ କରାଯାଏ ।
ମୌନୀ ଅମାସ୍ୟାର ଅନ୍ଯ ନାମ ତ୍ରିବେଣୀ ଅମାବାସ୍ଯା । ଏଦିନ କୁମ୍ଭମେଳାର ପବିତ୍ର ସ୍ଥାନରେ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ । ଏଠାରେ ବୁଡ଼ ପକାଇବା ସହ ମୌନ ବ୍ରତ ପାଳନ କରାଯାଏ । ଜ୍ଯୋତିଷଙ୍କ ମତେ ମୌନୀ ଅମାବାସ୍ଯାରେ ଆମ ମନ ଓ ଭାବର ଦେବତା ଚନ୍ଦ୍ର ଦୃଶ୍ଯମାନ ହୁଏନାହିଁ ଏବଂ ଦୁର୍ବଳ ରହେ, ତେଣୁ ବ୍ଯକ୍ତି କୌଣସି ଗୁରୁତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ଏଦିନ ନେଇପାରେନି । ତା'ଛଡ଼ା ବରଷକୁ ଥରେ ମକର ରାଶିରେ ପଶନ୍ତି ସୂର୍ଯ୍ଯ ; ଶନି ହେଲେ ମକରର ସ୍ବାମୀ ଓ ଚନ୍ଦ୍ରଙ୍କ ବିରୋଧୀ । ମକରରେ ରବିଙ୍କ ଆସ୍ଥାନ ଦ୍ବାରା ମକର ଓ ଶନିଙ୍କ ପ୍ରଭାବ ବଢ଼େ ; ଫଳତଃ ଚନ୍ଦ୍ର ବେଶି ଦୁର୍ବଳ ହୋଇପଡ଼ନ୍ତି । ଆମ ମନ ଓ ଭାବ ଚନ୍ଦ୍ରଙ୍କ ଦ୍ବାରା ନିୟନ୍ତ୍ରଣ ହେଉଥିବାରୁ ଆମର ଚିନ୍ତନ ଏବଂ ନିଷ୍ପତ୍ତି ନେବା ଶକ୍ତି ଅପେକ୍ଷାକୃତ ଦୁର୍ବଳ ହୁଏ । ତେଣୁ ମୌନୀ ଅମାବାସ୍ଯା ଦିନ ବେଶି କଥୋପକଥନ ନହୋଇ ମୌନ ବ୍ରତବଲମ୍ବନ କରିବା ଯଥୋଚିତ । ଏ ଅମାବାସ୍ଯାରେ ସ୍ନାନ , ଦାନ , ଉପବାସ , ବ୍ରତ ଓ ବିଷ୍ଣୁ ପୂଜନ କରିଲେ ମହାପୁଣ୍ୟ ଫଳ ମିଳେ । ଏଦିନ ପିପ୍ପଳ ବୃକ୍ଷକୁ ପ୍ରଦକ୍ଷଣ କଲେ ଐଶ୍ବର୍ଯ୍ଯ ମିଳେ ଓ ମୋକ୍ଷପ୍ରାପ୍ତ ହୁଏ ବୋଲି ବିଶ୍ବାସ ଅଛି । ଏ ଅମାବାସ୍ଯାକୁ ବି "ବିରଜା ଅମାବାସ୍ଯା" ବୋଲି କୁହନ୍ତି । ଏହି ଦିନଟି ଯାଜପୁର ଅଧିଷ୍ଠାତ୍ରୀ ବିରଜାଙ୍କର ସ୍ବନକ୍ଷତ୍ର ଭାବେ ପାଳିତ ହୁଏ ଏବଂ ଦେବୀଙ୍କୁ ଏହିଦିନ ଗାୟତ୍ରୀ ବା ସାବିତ୍ରୀ ମନ୍ତ୍ରରେ ପୂଜା କରାଯାଏ । ପ୍ରଥମେ ଚକୁଳିପିଠା ନୈବିଦ୍ଯାନ୍ତେ ମହାସ୍ନାନ ଓ ସୁନାବେଶ ହୋଇ ପରେ ସାବିତ୍ରୀ ବେଶ କରାଇଦିଆଯାଏ । ପୁରୀ ଜିଲ୍ଲାର ଭାପୁର ଗାଁରେ ବି ତ୍ରିବେଣୀ ଅମାବାସ୍ଯା ପାଳିତ ହୁଏ । ଏହିଦିନ ପୁରୀ ଶ୍ରୀମନ୍ଦିରରେ ସାଗର ବିଜେ ନୀତି ପାଳନ ହୋଇ ଶ୍ରୀ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଅମାବାସ୍ଯା ନାରାୟଣ ପାଲିଙ୍କିରେ ବସି ବିମାନବଡୁଙ୍କ ଦ୍ବାରା ମହୋଦଧିକୁ ବିଜେ କରନ୍ତି । ପଶ୍ଚିମ ଓଡ଼ିଶାରେ ଏଦିନ ବିବାହିତା ନାରୀଗଣ ସ୍ବାମୀଙ୍କ ଦୀର୍ଘଜୀବନ କାମନାର୍ଥେ ବ୍ରତ ରଖି ମୌନତା ଅବଲମ୍ବନ ପୂର୍ବକ ଶିବ-ପାର୍ବତୀଙ୍କୁ ତୁଳସୀ , ବର ଅଥବା ଅଶ୍ବତ୍ଥ ପାଦପ ପାଦଦେଶରେ ପୂଜା କରିଥା'ନ୍ତି । ଦୁଇଟି ଗୁଆରେ ସିନ୍ଦୂର ଲଗାଇ ଅଁଳା ସହ ଶିବ-ପାର୍ବତୀଙ୍କୁ ପୂଜା ହୁଏ ସେଠାରେ ଏବଂ ସାତ ପ୍ରକାରର ଫୁଲ ଓ ଫଳ ଭୋଗ ଦିଆହୁଏ । ମଧ୍ଯାହ୍ନରେ ସ୍ବାମୀଙ୍କ ପାଦ ଧୌତ କରି ଫଳମୂଳ ଭକ୍ଷି ବ୍ରତ ରଖନ୍ତି ନାରୀମାନେ ।
ଅବନ୍ତୀ ରାଜ୍ଯର ରାଜା ଚନ୍ଦ୍ରଧ୍ବଜ ଅନେକ ପୂଜା ଅର୍ଚ୍ଚନା କରି ପ୍ରାପ୍ତ କରିଥିବା କନ୍ଯା ସନ୍ତାନ ଚନ୍ଦ୍ରକାନ୍ତି ରୂପ-ଗୁଣରେ ଅନୁପମା ଓ ବୁଦ୍ଧିମତୀ ଥାଇ ବି ତାଙ୍କୁ ସୁନ୍ଦର ବରପାତ୍ର ମିଳୁ ନଥିଲା । ଏକଦା ରାତ୍ରରେ ତାଙ୍କୁ ଏକ ସୁନ୍ଦର ରାଜକୁମାରର ସ୍ବପ୍ନାଗତ ହେଲା । କିଛିଦିନାନ୍ତେ ଅଙ୍ଗରାଜା ବିଜୟକେତୁ ତାଙ୍କ ପୁତ୍ର ବଜ୍ରବାହୁ ସହ ଅବନ୍ତୀ ଭ୍ରମଣରେ ଗଲେ । ଚନ୍ଦ୍ରକାନ୍ତି ଚିହ୍ନି ପାରିଲେ ତାଙ୍କ ସ୍ବପ୍ନର ରାଜକୁମାର ବଜ୍ରବାହୁଙ୍କୁ । ସେ ତାଙ୍କୁ ବିବାହର ମନସ୍ଥ କଲେ ; ଚନ୍ଦ୍ରଧ୍ବଜ ଜାଣିବାକୁ ପାଇଲେ ବଜ୍ରବାହୁଙ୍କର ଶିଘ୍ର ମୃତ୍ୟୁ ଯୋଗ ଅଛି । ତେଣୁ ଏ ବିବାହାର୍ଥେ ସେ ଅରାଜି ହେଲେ ବି ଚନ୍ଦ୍ରକାନ୍ତି ନିଜ ଜିଦିରେ ଅଟଳ ରହିଲେ । ପରିଶେଷରେ ବିବାହ ସମ୍ପର୍ଣ୍ଣ ହୋଇଲା ଏବଂ ଆନନ୍ଦରେ ଦିନ ବିତିଲା । ମୃତ୍ୟୁ ସନ୍ନିକଟ ଜାଣିଥିବାରୁ ସଦା ସ୍ବାମୀସଙ୍ଗୀ ଥିଲେ ଚନ୍ଦ୍ରକାନ୍ତି । ଏକଦା ଉଭୟେ ତ୍ରିବେଣୀ ସଙ୍ଗମକୁ ଯାଇଥିଲେ । ରାଜା ବଜ୍ରବାହୁଙ୍କ ଶରୀର ଅସୁସ୍ଥ ହେବାରୁ ସେ ଅଚେତ ହୋଇ ପଡ଼ିଲେ ; ଚନ୍ଦ୍ରକାନ୍ତି ତ୍ରିବେଣୀ ସଙ୍ଗମ ସ୍ଥଳକୁ ଯାଇ ଲମ୍ଫ ମାରି ଜୀବନ ଝାସ ଦେବାକୁ ଭାବିଲେ । ଏ ସମୟେ ଗଙ୍ଗ-ଯମୁନା-ସରସ୍ୱତୀ ତ୍ରିଦେବୀ ଉଭା ହୋଇ କହିଲେ - "ଯାଅ ଦେଖ , ତୁମ ସ୍ବାମୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି , ତୁମେ ଝାସ ଦେବାର ଆବଶ୍ଯକତା ନାହିଁ । ମନେରଖ , ପ୍ରତିବର୍ଷ ଏ ଦିନଟିକୁ ତ୍ରିବେଣୀ ଅମାବାସ୍ଯା ଭାବେ ପାଳନ କରିବ ।" ତେଣୁ ଏ ତ୍ରିବେଣୀ ବୁଡ଼ ହିଁ ଏ ତିଥିର ସର୍ବ ମଙ୍ଗଳପ୍ରଦ । ପୁରାଣର ଏ କାହାଣୀଟି ଆମ ଧର୍ମୀୟ ଭାବନାକୁ ଉଜ୍ଜୀବିତ କରିବା ସହ ଭକ୍ତି କୁସୁମର ମାଳାଟିଏ ମାନସ କଣ୍ଠରେ ଲମ୍ବାଇ ଦେଉଛି । ଏ ମାସର ମୁଖ୍ଯ ଧର୍ମକାର୍ଯ୍ଯ "ସ୍ନାନ" କହିଲେ ଅତ୍ୟୁକ୍ତି ହେବନି ।
ତିଳ ଚତୁର୍ଥୀରେ ଗଣେଶଙ୍କ ସହ ଚନ୍ଦ୍ରଙ୍କୁ ବି ପୂଜାର୍ଚ୍ଚନା କରାଯାଏ ହିନ୍ଦୁ ନାରୀଙ୍କ ଦ୍ବାରା ; ଧର୍ମଗ୍ରନ୍ଥାନୁସାରେ ସୁଖ ଆଉ ସମୃଦ୍ଧି ପ୍ରାପ୍ତ୍ଯାର୍ଥେ , ଗଣପତି କୃପା ଲାଭାର୍ଥେ ଏ ବ୍ରତ ପାଳନ କରିବା ବିଧେୟ । ଏତଦ୍ବାରା ବ୍ଯବସାୟୋନ୍ନତି , ଗୃହେ ଶାନ୍ତି , କାର୍ଯ୍ୟ ସିଦ୍ଧିଅନାୟାସରେ ଏବଂ ଆତ୍ମସନ୍ତୋଷତା ପ୍ରାପ୍ତି ହୁଏ । ଗରୀବସହାୟ ବ୍ଯକ୍ତିଙ୍କୁ ଶୀତବାସ ସହ ଅନ୍ଯାନ୍ଯ ପୋଷାକ , ଖାଦ୍ଯ ସ୍ବହସ୍ତେ ଦାନ କଲେ ଏ ବ୍ରତର ମନୋବାଞ୍ଛା ପରିପୂର୍ଣ୍ଣ ହୁଏ । ପୌରାଣିକ ମତରେ ଗଣପତି ଓ କାର୍ତ୍ତିକ ଭିତରେ ଅଗ୍ରପୂଜ୍ଯ କିଏ ଜ୍ଞାତ ହେବାକୁ ହୋଇଥିବା ପରୀକ୍ଷାରେ ପିତା -ମାତାଙ୍କ ଚତୁଃପାର୍ଶ୍ୱ ପ୍ରଦକ୍ଷଣ ପୂର୍ବକ ଗଣପତି ହିଁ ଅଗ୍ରପୂଜ୍ଯ ହୋଇଥିଲେ । ସେଦିନଠୁ ଏହିଦିନ ଗଣେଶଙ୍କ ଅର୍ଚ୍ଚନା ସହ ଚନ୍ଦ୍ରଙ୍କୁ ଅର୍ଘ୍ୟ ପ୍ରଦାନ କରାଯାଏ ; ଏ ତିଥିରେ ଗଣ ପୂଜା କଲେ ଦୈହିକ , ଦୈବିକ , ଭୌତିକ ତାପ ଦୂର ହୋଇପାରିବ ।
ପାରମ୍ପରିକ ଓଡ଼ିଆ ଗଣପର୍ବ ହେଉଛି ମାଘ ମାସର ପୂର୍ଣ୍ଣମୀ ତିଥିରେ ପାତିତ ଅଗ୍ନ୍ଯୁତ୍ସବ ବା ଅଗିଜଳା ପୂର୍ଣ୍ଣମୀ । ଏହାକୁ ବି କୁହାଯାଏ ଅଇଘେରା , ଅଇଘରା ପୁନେଇଁ , ଅଗିରା ପୂର୍ଣ୍ଣମୀ ; ଏଦିନ ଅଗ୍ନିଙ୍କ ଅର୍ଚ୍ଚନା ଉତ୍ସବ ପାଳନ କରାଯାଏ । ଓଡ଼ିଶା ସମେତ ଭାରତର ଅନେକ ରାଜ୍ଯରେ ଏହା ଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳିତ । ଲୋକବିଶ୍ୱାସନୁସାରେ ଅଗିଜଳାରେ ଅଗ୍ନିନିଆଁ ଯେଉଁ ଦିଗକୁ ରହେ ବା ଢ଼ଳେ ସେ ଦିଗରେ ଧାନ ଫସଲ ଭଲ ହୁଏ ଏବଂ ଏଥିରେ ପୋଡ଼ା ଯାଇଥିବା ଫଳ ଖାଇଲେ ମନୁଷ୍ଯ ଶରୀରରେ ଚର୍ମରୋଗ ହୁଏନି ।
ଅଗିଜଳା ପୁନେଇଁ ସହିତ ଶୀତଋତୁ ଶେଷ ହୁଏ । ତେଣୁ ଢ଼ଗ ଅଛି - "ଅଗି ଜଳିଲା...ଶୀତ ଟଳିଲା"। "ଅଗ୍ନି"ର ଅପଭ୍ରଂଶ "ଅଇ" ; ଏହା ସହ "ହରିକା" ମିଶି କ୍ରମେ "ଅଇହରା" ବା "ଅଇଘରା" ହୋଇଛି ବୋଲି ଜଣାଯାଏ । ପୌରାଣିକ ମତେ "ହରିକା" ନାମ୍ନୀ ରକ୍ଷସୀ ଛୋଟ ପିଲାଙ୍କୁ ଖାଇ ଯାଉଥିବାରୁ ଦେବଗଣ ତାକୁ ବଧ କରିବାରେ ବିଫଳ ହେବାରୁ ସ୍ବୟଂ ଶିବ ତାହାକୁ ବଧ କରିବାରୁ ତା'ର ବିରାଟ ଶରୀରକୁ ସର୍ବ ଦେବଗଣ ମିଳି ନିଆଁ ଲଗାଇ ପୋଡ଼ିଦେଲେ ; ତା'ର ଏକ ସ୍ମାରକୋତ୍ସବ "ଅଇଘରା" । ଆଉ ଏକ କିମ୍ବଦନ୍ତୀ ଅନୁସାରେ ହରିକା , ବସନ୍ତ , ହାଡ଼ଫୁଟି , ମିଳିମିଳାଦି ରୋଗାଧିଷ୍ଠାତ୍ରୀ ହେଲେ ଯୋଗିନୀ ; ମହାଦେବଙ୍କ ଦ୍ବାରା ସେ ବିନାଶ ହେବାରୁ ଲୋକେ ତା' ଶବ ଉପରେ ଘରର ଅଳିଆ , ଚିରା କନା ଆଦି ଗଦା କରି ନିଆଁ ଜାଳିଲେ । ତା'ର ସ୍ମାରକ ଏଇ ଅଗ୍ନ୍ଯୁତ୍ସବ ।
ତେବେ ଏ ମାସଟି ଅତ୍ଯନ୍ତ ଧର୍ମୀୟ ବୋଲି ସ୍ପଷ୍ଟ ଜଣାପଡ଼େ । ମାଘର ମାହାତ୍ମ୍ୟ ବାସ୍ତବରେ ଧର୍ମର ସରଣୀରେ ଅଗ୍ରସର ହେବାର ସରଣୀଦର୍ଶକ ଭାବରେ ବିଦ୍ଯ । ଅନେକ କିମ୍ବଦନ୍ତୀ , ଲୋକକଥା , ଶିକ୍ଷା , ଭକ୍ତି , ଭାବ ଓ ଭାଇଚାରାର ମାସ ଏଇ ମାଘ । ପବିତ୍ରତାର ପ୍ରତୀକ ଏଇ ମାଘ । ତୀର୍ଥ ମାସ କହିଲେ ଅତ୍ଯୁକ୍ତି ନାହିଁ ।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment