ଶିବତ୍ବ - ଏକ ଆଲୋଚନା

  କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

            ସମ୍ପାଦକ - ଉଦୟ ଭାନୁ 

    ଶିବ , ଯାହାର ଅର୍ଥ ମଙ୍ଗଳ । ତେଣୁ ଭଗବାନ ଶିବ ସଂହାର କର୍ତ୍ତା ହେଲେ ବି ସଂସାର ମଙ୍ଗଳକାରୀ ଅଟନ୍ତି । ହିନ୍ଦୁ ଦେବତାଙ୍କ ମଧ୍ୟରେ ଶିବ ଭଗବାନ୍‌ ଅନ୍ଯତମ । ଏହି ଠାକୁରଙ୍କୁ ଶକ୍ତି ନିହିତ ଲିଙ୍ଗ ରୂପରେ ପୂଜା କରାଯାଏ । ଶିବ ଠାକୁରଙ୍କର ତିନୋଟି ଆଖି ବୋଲି ପୁରାଣ ବର୍ଣ୍ଣିତ ଏବଂ ପାଞ୍ଚମୁଖ ବୋଲି ଶାସ୍ତ୍ରରେ ଦେଖିବାକୁ ମିଳେ । ସେଲାଗି ତାଙ୍କୁ ତ୍ରିଲୋଚନ ଓ ପଞ୍ଚାନନ ବୋଲି ଅଭିହିତ କରାଯାଇଛି । ବୃଷଭ ବାହନ ତାଙ୍କର ଏବଂ ସେ ଅତ୍ରି ମୁନିଙ୍କ ଶିଷ୍ଯ । ସର୍ବପ୍ରକାରର ଅସ୍ତ୍ର ଚାଳନାରେ ଦକ୍ଷତା ରହିଛି ଶିବଙ୍କର । କିନ୍ତୁ ତ୍ରିଶୂଳାସ୍ତ୍ରକୁ ପ୍ରଧାନ ଆୟୁଧ ଭାବରେ ଆପଣେଇ ନେଇଛନ୍ତି ଏବଂ ସେ ଧାରଣ କରିଥିବା ଧନୁର ନାମ ପିନାକ ଅଟେ । ଶିବଙ୍କର ବାଦ୍ଯ ଡମରୁ । ନଗ୍ନ ନୃତ୍ଯ ତାଣ୍ଡବ ; ତେଣୁ ନଟରାଜ ନାମରେ ବିଦିତ ସେ । ବ୍ଯାଘ୍ରର ଚର୍ମ ଧାରଣ କରି ଶ୍ମଶାନ ଭସ୍ମ ବିଲେପନ ଅଙ୍ଗ ଏକ ନବ ଶୋଭାକୁ ବର୍ଦ୍ଧନ କରେ । କଣ୍ଠରେ ଅହିମାଳ , ଶିରରେ ଥିବା ଜଟାରେ ଜାହ୍ନବୀର ଅବସ୍ଥାନ । ନନ୍ଦୀ ହେଉଛି ପ୍ରଧାନ ପାର୍ଶ୍ବଚର ଓ ଭୃଙ୍ଗୀ ଶିବ ଅନୁଚର । ଭୁତଗଣ ଶିବଙ୍କ ସହଚର ; ଯେହେତୁ ଶିବ ସ୍ବୟଂ ଶ୍ମଶାନ ନିବାସୀ । କୈଳାସ କନ୍ଦର ତାଙ୍କର ମୁଖ୍ଯ ବାସସ୍ଥାନ । ପାର୍ବତୀ ସ୍ବୟଂ ଶିବଙ୍କ ଶକ୍ତି ଅଟନ୍ତି ; ଶିବ ପରାଶକ୍ତି ଦ୍ବାରା ପ୍ରକାଶିତ । ଅର୍ଥାତ ଶିବଙ୍କ ଜ୍ଯୋତି ପରାଶକ୍ତି  । ରୁଦ୍ରାକ୍ଷ ତାଙ୍କର ପ୍ରିୟ ମାଲ୍ଯ ।

    ବିଶ୍ବାସ ଯେ ବ୍ରହ୍ମା , ବିଷ୍ଣୁ , ଶିବ ହେଉଛନ୍ତି ସୃଷ୍ଟି  , ସ୍ଥିତି ଏବଂ ସଂହାରର ନିୟନ୍ତା । ଶିବ ସୃଷ୍ଟିର ସର୍ବ ଅନିଷ୍ଟକାରୀ ବୋଲି ସର୍ବତ୍ର ଆବାହନ କାଳରୁ ଜ୍ଞାତ । ସେ ଅପଶକ୍ତି , ଅନ୍ୟାୟ ଓ ଅନୀତିର ସଂହାରକ । ଶିବ ମଙ୍ଗଳକାରୀ ଓ ସୁଖ ପ୍ରଦାୟକ । ସେ ସ୍ବୟଂ ସତ୍ଯ , ଶିବ , ସୁନ୍ଦର । ଅର୍ଥାତ୍ ସେ ସର୍ବଦା ସତ୍ଯ ଅଟନ୍ତି ଏବଂ ମଙ୍ଗଳକାରୀ ସହିତ ସୁନ୍ଦର ଅଟନ୍ତି । ଏଠାରେ ସୁନ୍ଦରର ଅର୍ଥ ଅତି ମନୋଲୋଭା ନୁହେଁ  ; ସୁନ୍ଦରର ଅର୍ଥ ଆନନ୍ଦ । ସେ ଆନନ୍ଦଦାତା ଅଟନ୍ତି । ସେ ଅକାଳ ମୃତ୍ୟୁର ହରଣକାରୀ ହେତୁ ମୃତ୍ୟୁଞ୍ଜୟ ନାମ ସାର୍ଥକ କରିପାରିଛନ୍ତି । ସାଗର ମନ୍ଥନରୁ ଜାତ ହଳାହଳ କାଳକୁଟ ପାନ କରି ନୀଳକଣ୍ଠ ନାମକୁ ନେଇଛନ୍ତି । ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ନର ଅକାଳ ମୃତ୍ୟୁରୁ ବର୍ତ୍ତିପାରେ । "ଓଁ ନମଃ ଶିବାୟ" - ଏ ପଞ୍ଚାକ୍ଷର ମନ୍ତ୍ର ଜପରେ ମାନବକୁ ମିଳେ ସଦଜ୍ଞାନ । ଜୀବଜଗତର ଜନ୍ମ ମୃତ୍ୟୁର କାଳ ରୂପେ ଶିବ ମହାକାଳେଶ୍ୱର । ଶିବଙ୍କର ପାଞ୍ଚଟି ମୁଖ ଥିବାରୁ ସେ ପଞ୍ଚାନନ। ପାଞ୍ଚମୁଖ ହେଲା  - "ସଦ୍ଯୋଜାତ", "ବାମଦେବ", "ଅଘୋର" , "ତତପୁରୁଷ" ଓ "ଇଶାନ" । ଭକ୍ତି ନିଷ୍ଠାରେ ଭଜନ କଲେ ଶିବ ଆଶୁଫଳ ପ୍ରଦାନ କରନ୍ତି ବୋଲି ସେ ଆଶୁତୋଷ  । ତାଙ୍କର ଅନେକ ବ୍ରତ , ଉପାସନା , ପର୍ବପର୍ବାଣୀ ମଧ୍ୟରୁ "ବୋଲ୍‌ବମ୍‌" ଓ "ଜାଗର" ପ୍ରଧାନ ପର୍ବ ଭାବରେ ପରିଗଣିତ । ଶିବ ଉପାସକଙ୍କୁ ଶୈବ ବୋଲି ବୁଝାଯାଏ । 

    ଶିବଙ୍କୁ ଲିଙ୍ଗ ରୂପରେ ପୂଜା କରାଯାଏ । ପ୍ରଧାନତଃ ଶିବ ପ୍ରାୟତଃ ମହାଲିଙ୍ଗ ରୂପେ ବିଦ୍ଯମାନ । ମହାଶିବଲିଙ୍ଗର ଅର୍ଥ ଭଗବାନ ଶିବଙ୍କର ଆଦି ଅନାଦି ରୂପ । ଶୂନ୍ଯ , ଆକାଶ , ଅନନ୍ତ , ବ୍ରହ୍ମାଣ୍ଡ ଏବଂ ନିରାକାର ପରମ ପୁରୁଷଙ୍କ ପ୍ରତୀକ ହୋଇଥିବାରୁ ଏହାର ନାମକରଣ ଲିଙ୍ଗ ହୋଇଛି । ଆକାଶ ସ୍ବୟଂ ଲିଙ୍ଗ ବୋଲି "ସ୍କନ୍ଦ ପୁରାଣ" ବର୍ଣ୍ଣିତ  । ଧରିତ୍ରୀ ଏହାର ପୀଠ ବା ଆଧାର ଏବଂ ସମସ୍ତ ଅନନ୍ତ ଶୂନ୍ଯରୁ ଜାତ । ସେଥିରେ ଲୟ ହେବା କାରଣରୁ ତା' ନାମ ଲିଙ୍ଗ । ବାତାବରଣ ସହିତ ଘୁରୁଥିବା ପୃଥ୍ବୀ କିମ୍ବା ଅନନ୍ତ ବ୍ରହ୍ମାଣ୍ଡର ଅକ୍ଷ ହିଁ ଲିଙ୍ଗ । ପୁରାଣରେ ଶିବଲିଙ୍ଗକୁ ଅନ୍ଯ ନାମକରଣ ମଧ୍ୟ କରାହୋଇଛି । ଉଦାହରଣରେ - ପ୍ରକାଶ ସ୍ତମ୍ଭ / ଲିଙ୍ଗ , ଅଗ୍ନି ସ୍ତମ୍ଭ /ଲିଙ୍ଗ , ଉର୍ଜା ସ୍ତମ୍ଭ / ଲିଙ୍ଗ , ବ୍ରହ୍ମାଣ୍ଡୀୟ ସ୍ତମ୍ଭ / ଲିଙ୍ଗ । ପୁରାଣାନୁସାରେଣ ଭଗବନ୍‌ ଶିବଙ୍କ ମହିମାକୁ ବଖାଣୁଥିବା "ଲିଙ୍ଗ ପୁରାଣ"ଟି "ବିଶିଷ୍ଟ ପୁରାଣ" ନାମରେ ଖ୍ଯାତ । ସବୁଠୁ ବିଶେଷତ୍ୱ ସୃଷ୍ଟି କରେ ଜ୍ଯୋତିର୍ଲିଙ୍ଗ ଯାହା ଇଶାନ-କଳ୍ପର ବୃତ୍ତାନ୍ତ ସର୍ବ ବିସର୍ଗ ଆଦି ଦଶା ଲକ୍ଷଣ ସହିତ ବର୍ଣ୍ଣିତ । ଶିବଙ୍କ ମହିମା "ଲିଙ୍ଗ ପୁରାଣ"ରେ ଏଗାର ହଜାର (୧୧,୦୦୦)ଶ୍ଳୋକରେ ବର୍ଣ୍ଣିତ  । ଏ ଲିଙ୍ଗ ପୁରାଣଟି ସବୁ ପୁରାଣ ଠାରୁ ଶ୍ରେଷ୍ଠ ମାନ୍ଯତାପ୍ରାପ୍ତ । ଏ ପୁରାଣର ସ୍ରଷ୍ଟା ବେଦବ୍ୟାସ ପ୍ରଥମେ ଯୋଗ  ପରେ  କଳ୍ପ ହିଷୟରେ ବର୍ଣ୍ନନା କରିଛେ । 

    ଲିଙ୍ଗର ଲିଙ୍ଗ ଶବ୍ଦ ପ୍ରତି ଅଧୁନା ସମାଜେ ବୃହତ୍ତ ଭ୍ରାନ୍ତି ପ୍ରାପ୍ତ । ଲିଙ୍ଗର ଶାବ୍ଦିକାର୍ଥ ଚିହ୍ନ ଅଥବା ପଥିକ ଅଟେ - ଯେପରିକି କଣାଦ ମୁନି କୃତ ବୈଷୟିକ..... ଦର୍ଶନ ଗ୍ରନ୍ଥେ ସ୍ଥିତ । ଶିବ ହେଲେ ଆଦିପୁରୁଷ ; ଏହି ଶିବଲିଙ୍ଗ ଶିବଙ୍କ ଜ୍ଯୋତିରୂପା ଚିନ୍ମୟ ଶକ୍ତିର ଚିହ୍ନ । ତା' ଉଦ୍ଭବ ସମ୍ବନ୍ଧେ ସୃଷ୍ଟି ମଙ୍ଗଳାର୍ଥେ ଜ୍ଯୋତିର୍ଲିଙ୍ଗ ଦ୍ବାରା ପ୍ରକଟ ହୋଇ ବ୍ରହ୍ମା ବିଷ୍ଣୁଙ୍କ ପରି ଅନାଦି ଶକ୍ତିଙ୍କୁ ବି ବିସ୍ମୟାଭିଭୁତ କରି ପକାଉଥିବା ଘଟଣା ବର୍ଣ୍ଣିତ ହୋଇଛି । ମୁକ୍ତି ପ୍ରଦାତା ବ୍ରତ-ଯୋଗ ଶିବ ଅର୍ଚ୍ଚନ ଯଜ୍ଞ ହବନାଦିର ବିସ୍ତୃତ ବିବେଚନ ପ୍ରାପ୍ତ । ଏ ଶିବ ପୁରାଣର ପୂରକ ଗ୍ରନ୍ଥ । 

  ଶିବ କାହିଁକି ଲିଙ୍ଗ ରୂପରେ ଅର୍ଚ୍ଚିତ ସେ ବିଷୟରେ ଏକ ଛୋଟ କିମ୍ବଦନ୍ତୀଟିଏ "ପଦ୍ମ ପୁରାଣ" ପୃଷ୍ଠାରୁ ପ୍ରାପ୍ତ ହୁଏ । କିମ୍ବଦନ୍ତୀଟି ହେଲା - "ମହର୍ଷି ଭୃଗୁ ସୃଷ୍ଟି ତତ୍ତ୍ବ ଓ ଶିବ ମାହାତ୍ମ ଜ୍ଞାତାର୍ଥେ କୈଳାସ କନ୍ଦରେ ପ୍ରବେଶିଲେ । ସେବେଳେ ଶିବ ମାତା ପାର୍ବତୀଙ୍କ ସଙ୍ଗେ ଏକ ନିବୃତ ସ୍ଥାନେ ରତିକ୍ରିଡ଼ା ଅର୍ଥାତ ସୃଷ୍ଟି ସର୍ଜନାରେ ମଗ୍ନ । ବହୁଦିନର ପ୍ରତୀକ୍ଷା ପରେ ବି ଭୃଗୁ ଶିବଙ୍କର ଦର୍ଶନ ପାଇ ପାରିଲେନି । ସେ ଧୈର୍ଯ୍ୟଚ୍ଯୁତ ହୋଇପଡ଼ି ପ୍ରାର୍ଥନା କରିଲେ ; ତଥାପି ସେ ନିରୁତ୍ତର ହେବାରୁ ଶାପ୍ଯ ଦେଇ କହିଲେ - 'ହେ ପରମପିତା ! ଆପଣ ଯେଉଁ ଅବସ୍ଥାରେ ନାରୀ ଶକ୍ତି ସହିତ ସଂଯୋଗୀକୃତ , ସେହି ଅବସ୍ଥାରେ ଏ ଭବମୟ ସଂସାରରେ ପୂଜିତ ହେବେ ।' ଭୃଗୁ ଋଷିଙ୍କ କଥା ବାସ୍ତବତାର ରୂପ ମେଇଥିଲା । ଫଳତଃ ଶିହ ପୂଜିତ ହେଲେ ଲିଙ୍ଗ ରୂପରେ ।"

        ଅନ୍ଯ ଏକ ଗ୍ରନ୍ଥ "କୋଟିରୁଦ୍ର ସଂହିତା କହେ- "ଦେବଦାରୁ ବନ ମଧ୍ୟସ୍ଥ ଏକ ଆଶ୍ରମେ କେତେକ ଋଷି ନିଜ ନିଜର ପତ୍ନୀଙ୍କ ସହ ରୁଦ୍ର ପୂଜା କରୁଥିଲେ । ଏକଦା ସେମାନଙ୍କୁ ପରୀକ୍ଷା ପାଇଁ ସ୍ବୟଂ ଶିବ ସେ ଆଶ୍ରମେ ବିରାଜିଲା ବେଳକୁ ଋଷିଗଣ ସମିଧ ସଂଗ୍ରହାର୍ଥେ ବନ ମଧ୍ୟରେ ଭ୍‌ଉଥିଲେ । ଶିବ ସ୍ବୟଂ ଋଷିପତ୍ନୀଙ୍କ ସମ୍ମୁଖରେ ନଟରାଜ ନୃତ୍ଯ ଚରିବା କାଳେ ଅଙ୍ଗବସ୍ତ୍ର ସମସ୍ତ ଅଙ୍ଗରୁ ଖସି ଭୂଇଁରେ ପତିତ ହୋଇଥିଲା ଯାହାକି ଶିବଙ୍କର ଜ୍ଞାତସାରର ବହିର୍ଭୁତ ଥିଲା । ଠିକ୍‌ ସେହି ବେଳେ ଋଷିମାନେ ବନରୁ ପ୍ରତ୍ଯାବର୍ତ୍ତନ କରି ଶିବଙ୍କର ଏ ନଗ୍ନାଙ୍ଗ ଦର୍ଶନରେ କ୍ରୋଧ କରି ଅଭିଶାପ ଦେବାରୁ ଶିବଙ୍କର ଲିଙ୍ଗଟି ଶିବଙ୍କ ଶରୀରରୁ ଛିନ୍ନ ହୋଇ ବସୁଧା କୋଳ ମଣ୍ଡନ କରିଲା ; ଛିନ୍ନ ଲିଙ୍ଗ ଅସ୍ଥିରତା ପୂର୍ବକ ସମଗ୍ର ସଂସାରରେ ଉତ୍ପାତ ଉତ୍ପନ୍ନ କରିଥିଲା । ଦେବଗଣ ବ୍ଯସ୍ତ ହୋଇ ବ୍ରହ୍ମା ଓ ପାର୍ବତୀଙ୍କୁ ଧ୍ଯାନ କଲାରୁ ମାତା ପାର୍ବତୀ ଶିବ ଛିନ୍ନ ଲିଙ୍ଗକୁ ନିଜ ଶକ୍ତିଚକ୍ର (ଯୋନି) ଗର୍ଭରେ ଭର୍ତ୍ତି କରି ପ୍ରଶାନ୍ତି ପ୍ରଦାନ କଲେ । ସେହିଦିନଠୁ ଋଷିଗଣ ନିଷ୍ଠାର ସହିତ ସପତ୍ନୀକ ଲିଙ୍ଗ ପୂଜା କରିଲେ ।" ସେଦିନଠାରୁ ଲିଙ୍ଗ ରୂପରେ ଶିବଙ୍କର ପୂଜା ଚାଲିଛି ।

     "ଶିବ ପୁରାଣ"ରେ ଲିଖିତ - ଦକ୍ଷ ପ୍ରଜାପତିଙ୍କ ଯଜ୍ଞରେ ଶିବଙ୍କର ଅପମାନକୁ ଅସହ୍ଯବୋଧ କରି ମାତା ସତୀ ଯାଗକୁଣ୍ଡେ ଆତ୍ମାହୁତି ଦେବାରୁ ସତୀ ବିହୁନେ ହତଜ୍ଞାନ ହୋଇ ଶିବ ଦକ୍ଷ ଯଜ୍ଞ ଭଙ୍ଗ କରିବା ସହ ତାଣ୍ଡବ ନୃତ୍ଯ ପୂର୍ବକ ସମଗ୍ର ସୃଷ୍ଟିର ପ୍ରଳୟ ରଟିଲେ । ତାଣ୍ଡବ ନୃତ୍ଯ ବେଳେ ଅଙ୍ଗବାସ ବ୍ଯାଘ୍ରଚର୍ମ ଖସିପଡ଼ି ଉଲଗ୍ନ ରୂପ ; ତାଙ୍କ କ୍ରୋଧକୁ ଶୀତଳୀକୃତ କରିବାକୁ ଦକ୍ଷ ପ୍ରଜାପତିଙ୍କ ରାଣୀ ନୈବେଦ୍ଯ ଧରି ସାମ୍ନାରେ ଉଭା ହୋଇ ଏ ଉଲଗ୍ନ ରୂପ ଦେଖି କ୍ରୋଧିତ ହେଲେ । ଉଚ୍ଚସ୍ବରରେ କହିଲେ - "ମୁଁ ତୁମର ମାତୃତୁଲ୍ଯ , ତୁମେ ମୋ' ସାମ୍ନାରେ ଉଲଗ୍ନ ହୋଇ ଲିଙ୍ଗ ଦର୍ଶନ କରାଇ ପାରିଲ ! ଆଜିଠାରୁ ଯୁଗେ ଯୁଗେ ଏଇ ଲିଙ୍ଗ ରୂପରେ ସର୍ବତ୍ର ପୂଜା ପାଇବ ।" ପ୍ରକୃତରେ ଫଳିଗଲା ଅଭିଶାପ ; ସେଦିନଠୁଁ ଶିବ ଲିଙ୍ଗ ରୂପରେ ପୂଜା ପାଇ ଆସୁଛନ୍ତି । 

   ଫାଲ୍‌ଗୁନ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ରାତ୍ରିରେ ଶିବଶଙ୍କର ଦିବ୍ଯଜ୍ଯୋତି ସ୍ତମ୍ଭ ରୂପରେ ଆବିର୍ଭୁତ ହୋଇଥିବାରୁ ଏହି ତିଥିଟି ମହାଶିବରାତ୍ରି ରୂପରେ ହିନ୍ଦୁ ଜନ ସମାଜେ ପାଳନ କରାଯାଇଥାଏ । ଶୈବମାନେ ସମ୍ପୂର୍ଣ୍ଣ ରାତ୍ର ଉଜାଗର ରହି ଦୀପ ପ୍ରଜ୍ଜ୍ବଳନ କରି ଶିବାରଧନା କରନ୍ତି ; ଉଜାଗରେ ଜାଗର (ଦୀପ) ଜାଳି ପୂଜା ହେବାରୁ ଜାଗର ନାମକରଣ । ଶିବଙ୍କର ଦ୍ବାଦଶ ଜ୍ଯୋତିର୍ଲିଙ୍ଗ ଆବିର୍ଭୁତ । ଗୁଜୁରାଟର ବୋରାବଲ୍‌ ନିକଟସ୍ଥ ପ୍ରଭାସପାଟଣରେ "ସୋମନାଥ" , ଆନ୍ଧ୍ରପ୍ରଦେଶର କୃଷ୍ଣାନଦୀ ତଟସ୍ଥ ଶ୍ରୀଶୈଳମ୍‌ ପର୍ବତରେ "ମଲ୍ଲୀକାର୍ଜୁନ" , ମଧ୍ୟପ୍ରଦେଶର ଶିପ୍ରାନଦୀ ତୀରସ୍ଥ ଉଜ୍ଜୟିନୀ ଠାରେ "ମହାକାଳେଶ୍ୱର" , ମଧ୍ଯପ୍ରଦେଶର ନର୍ମଦା ନଦୀ ମଧ୍ଯସ୍ଥଳରେ ଥିବା ଓଁ ଆକାରର ଏକ ଦୀପରେ "ଓଁକାରେଶ୍ୱର" , ଉତ୍ତରାଖଣ୍ଡ ରାଜ୍ଯର ଗଡ଼ୱାଲ ଅଞ୍ଚଳସ୍ଥ ସିନ୍ଧୁ ପତ୍ତନଠୁଁ ତିନି ହଜାର ପାଁଶହ ଏକାଅଶୀ(୩୫୮୧) ମିଟର ଉଚ୍ଚ କେଦାର ଉପତ୍ୟକାର ପୂତ ମନ୍ଦାକିନୀ ନଦୀ ତଟ ଠାରେ ଶ୍‌ରୀ କେଦାର ଜ୍ଯୋତିର୍ଲିଙ୍ଗ "କେଦାରନାଥ" , ମହାରାଷ୍ଟ୍ରର ପୈଣେର ଅଦୂରବର୍ତ୍ତୀ ସହ୍ଯାଦ୍ରି ପର୍ବତମାଳରେ "ଭୀମାଶଙ୍କର", ଉତ୍ତରପ୍ରଦେଶର କାଶୀ ବନାରସ ବା ବାରଣାସୀରେ "କାଶୀ ବିଶ୍ବନାଥ" , ମହାରାଷ୍ଟ୍ରର ନାସିକ ନିକଟସ୍ଥ ଗୋଦାବରୀ ନଦୀର ଉତ୍ପତ୍ତି ସ୍ଥଳରେ "ତ୍ର୍ଯମ୍ବକେଶ୍ବର", ଝାଡ଼ଖଣ୍ଡ ରାଜ୍ଯର ବୈଦ୍ଯନାଥ ଧାମରେ "ବୈଦ୍ଯନାଥ", ତାମିଲ୍‌ନାଡୁର ରାମେଶ୍ୱରରେ "ରାମେଶ୍ବର", ମହାରାଷ୍ଟ୍ରର ଅଉରଙ୍ଗାବାଦ - ଦୌଲତାବାଦ - ଏଲୋରାରେ "ଘୃଷ୍ଣେଶ୍ବର" ବିରାଜିତ । 

    ମୁନି ସନତ କୁମାରଙ୍କ ମତାନୁସାରେଣ ଶିବଙ୍କୁ ପ୍ରସନ୍ନ କରିବାର ଦଶଟି ବ୍ରତ ମଧ୍ୟରୁ ଶିବରାତ୍ରି ଅନ୍ଯତମ ଓ ସର୍ବଶ୍ରେଷ୍ଠ ହେବା ସହ ସର୍ବ କାମପ୍ରଦ । ଏକଥା ବି ଜାବାଳି ଶ୍ରୁତି କୁହେ । କେତେକ ଶ୍ରୁତି ଅନୁସାରେ ମାଘ ମାସ "ମାଘସ୍ନାନ" ବ୍ରତ ମଧ୍ଯେ କୃଷ୍ଣ ଚତୁର୍ଦ୍ଦଶୀ ତିଥିକୁ ଏକ ଶିବରାତ୍ରି ବ୍ରତ ପାଳିତ ହେବାର ବର୍ଣ୍ଣନା ଥିଲେ ବି ଫାଲ୍ଗୁନ ମାସର କୃଷ୍ଣ ଚତୁର୍ଦ୍ଦଶୀ ତିଥି ପାଳିତ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ମାନ୍ଯତା ପ୍ରାପ୍ତ  । 

    ପୌରାଣିକ ଭିତ୍ତିଭୂମିରୁ ପ୍ରମାଣ ଯାହା ମିଳେ - ସାଗର ମନ୍ଥନ ବେଳେ ବାହାରିଥିବା ହଳାହଳ ବିଷ ପାନ କରି ଧରାକୁ ଆସନ୍ନ ବିପଦରୁ ଶିବ ତାରଣ କରିଥିଲେ । ବିଷ ପାନ ପରେ ମୂର୍ଚ୍ଛିତ ହୋଇ ଭୂଇଁ ରେ ପତିତ ହୋଇଥିଲେ ଶ୍ରୀ ଶଙ୍କର । ତାଙ୍କ ସଂଜ୍ଞା ପ୍ରତ୍ଯାବର୍ତ୍ତନ ନକରିବା ଯାଏଁ ଶୈବମାନେ ଏବଂ ଦେବତାବୃନ୍ଦ ଅଖଣ୍ଡ ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ବକ ଉଜାଗରେ ଉପବେଶି ଥିଲେ । ସେଦିନର ସ୍ମୃତିଚାରଣ ପୂର୍ବକ ଶିବରାତ୍ରି ପାଳନ କରାଯାଏ । ଶିବରାତ୍ର ମହିମା ବିଷୟ ମହାଭାରତର ଶାନ୍ତି ପର୍ବରେ ବର୍ଣ୍ଣିତ ଯେ - ଶରଶଯ୍ଯାରେ ଭୀଷ୍ମ ଧର୍ମୋପଦେଶ ଦେବା ବେଳେ ମହାଶିବରାତ୍ରି ପାଳନ ବିଷୟରେ ଇକ୍ଷ୍ବାକୁ ବଂଶ ରାଜନ ଚିତ୍ରଭାନୁଙ୍କର କାହାଣୀ ଉଦ୍ଧାର କରିଥିଲେ । ଜମ୍ବୁ ରାଜନ ଚିତ୍ରଭାନୁ ପତ୍ନୀ ଥରେ ଶିବରାତ୍ରି ଓପାସ କରିଥିଲେ । ସେକାଳେ ଅଷ୍ଟବକ୍ର ଋଷି ରାଜଦରବାରକୁ ଆଗତି ରାଜାଙ୍କୁ ଶିବରାତ୍ରି ପାଳନର କାରଣଟିକୁ ପଚାରିବାରୁ ରାଜା ଜାତିସ୍ମର ହେତୁ କାରଣଟି ବୁଝାଇ କହିଲେ - " ପୂର୍ବଜନ୍ମେ ସୁସ୍ବର ନାମକ ଜନୈକ ଶିକାରୀ ବନ ଭ୍ରମଣ କରୁ କରୁ ରବି ଅସ୍ତ ଗଲେ । ସ୍ବ-କୁଟୀରକୁ ପ୍ରତ୍ଯାବର୍ତ୍ତି ନପାରି ରଜନୀରେ ହ୍ରୀଂସ୍ରଜନ୍ତୁ କବଳୁ ରକ୍ଷା ପାଇବାକୁ ସନ୍ନିକଟେ ସ୍ଥିତ ଏକ ବିଲ୍ବବୃକ୍ଷରେ ଚଢ଼ି ବସି ଅନିଦ୍ରାରେ ରାତ୍ରି ସାରା ବିଲ୍ୱଦଳ ଛିଡ଼ାଇ ତଳକୁ ପକାଇବା ସହ ପରିବାର କଥା ଚିନ୍ତନ କରି ଅଶ୍ରୁପାତ କରିଲେ । ଅଜ୍ଞାତ ବଶତଃ ତାଙ୍କ ନେତ୍ରରୁ ନିର୍ଗତ ଲୋତକ ଏବଂ ଛିଡ଼ାଇ ପକାଉଥିବା ବିଲ୍ୱପତ୍ର ବୃକ୍ଷ ପଦଦେଶ ସ୍ଥିତ ଶିବଲିଙ୍ଗରେ ପତିତ ହୁଏ । ପ୍ରାତଃ ପ୍ରବେଶିବାରୁ ଶିକାରକୁ ଘେନି ଗୃହକୁ ଅଇଲେ । ପ୍ରଥମେ ଜନୈକ ଭିକ୍ଷୁକୁ କିଛି ଖାଦ୍ୟ ଦାନାନ୍ତେ ଆପଣା ଉଦର ଭରିଲେ । କିଛି ବର୍ଷାନ୍ତେ ତାଙ୍କର ମହାପ୍ରୟାଣ ପରେ ସେ ଶିବଲୋକ ପ୍ରାପ୍ତ କଲେ । ଅଜ୍ଞାତରେ ଶିବରାତ୍ରି ଦିନ ଶିବ ପୂଜନ କରିବାର ଏ ଫଳ ପ୍ରାପ୍ତି ହେଲା ଓ ପରଜନ୍ମରେ ଚିତ୍ରଭାନୁ ରୂପେ ରାଜ୍ଯର ରାଜା ହେଲେ । 

      ଶିବ ଉପାସନା ସୋମବାର , ପ୍ରତ୍ଯେକ ପକ୍ଷର ଚତୁର୍ଦ୍ଦଶୀ ତିଥି , ଶିବରାତ୍ରି ପ୍ରକୃଷ୍ଟ । ସବୁ ଦିଅଁ ଦେବତାଙ୍କ ପୂଜା ଦିବସେ ; କିନ୍ତୁ ଶିବରାତ୍ରି ପୂଜା ରାତ୍ରରେ । ରାତ୍ରର ଚାରି ପ୍ରହରରେ ଚାରି ପ୍ରକାର ଅଭିଷେକ ହୁଏ । ଆଦ୍ଯ ପ୍ରହର (ସନ୍ଧ୍ୟା)ରେ ଶିବଙ୍କୁ ଦୁଗ୍ଧାଭିଷେକ ହୁଏ । ପ୍ରତି ତିନି ଘଣ୍ଟାରେ ଏକ ପ୍ରହର । ଦ୍ବିତୀୟ ପ୍ରହରରେ ଦଧିରେ ଅଭିଷେକ , ତୃତୀୟ ପ୍ରହରରେ ମଧୁରେ ଅଭିଷେକ । ଶେଷ ପ୍ରହରରେ ମନ୍ଦିରେ ଚୁଡ଼ାକୁ ଦୀପ ଉଠାଯାଏ ; ଯାହାକୁ କହନ୍ତି ମହାଦୀପ । ଅଜ୍ଞାନାନ୍ଧକାର ନାଶନର ପ୍ରତୀକ ଏ ମହାଦୀପ । ଶିବରାତ୍ରିରେ କେତକୀ ପୁଷ୍ପ ଦାନର ବିଧି ରହିଛି । ଏ ପର୍ବରୁ ଶିକ୍ଷା ମିଳେ ଯେ - ଆତ୍ମକଲ୍ଯାଣ ପଥ ପରିଷ୍କାରାର୍ଥେ ଅଖଣ୍ଡ ସଜାଗତା ଓ ଜ୍ଞାନ ଆଲୋକର ଆବଶ୍ଯକତା ।

ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା