ସାହିତ୍ଯ ସ୍ବରରେ କୁତ୍ସିତ କର୍ମ
---------------------------
କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
------------------------------ -------
ସାହିତ୍ଯରେ ଭକ୍ତି , ପ୍ରେମ , ସ୍ନେହ , ଶିକ୍ଷା , ସେବା ଓ ସମର୍ପଣର ଭାବ ରହିବା ଯଥୋଚିତ ; ଏସବୁ ରହିତ ଆଲେଖ୍ଯ ବା ସୃଷ୍ଟି କେବେ ସାହିତ୍ଯର ପଦବାଚ୍ୟ ହୁଏନାହିଁ । ଆତ୍ମା-ଆତ୍ମାର ମିଳନ , ଜୀବେ ଦୟାର ଭାବ , ସମାଜର ମଙ୍ଗଳ ଚିନ୍ତନର ଭାବ , ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଏକତା ସୂତ୍ରରେ ବାନ୍ଧି ହୋଇ ରହିବାର ଭାବ ରୂପକ ସୃଷ୍ଟି ହିଁ ସଚ୍ଚା ସାହିତ୍ଯ । ସେ ହିଁ କାଳଜୟୀ ସୃଷ୍ଟି ଯେଉଁଥିରେ ଭରି ରହିଛି ଶ୍ରଦ୍ଧା , ସମ୍ମାନ , ଶିକ୍ଷା , ସମାଜ ଗଠନର ମନ୍ତ୍ର , ସମାଜକୁ ଦୀର୍ଘଜୀବୀ କରିବାର କାଉଁରୀ ବିଦ୍ୟା । ସିଦ୍ଧି ପାଇବାକୁ ହେଲେ ସାଧନାର ଆବଶ୍ଯକତା ରହିଛି ; କଠୋର ସାଧନା ବଳରେ ଜଣେ ସିଦ୍ଧ ସାଧକ ହୋଇପାରିବ । କଥାରେ ଅଛି - "କଷ୍ଟ କଲେ କୃଷ୍ଣ ମିଳେ" । ଭଗବାନଙ୍କୁ ପାଇବାକୁ ହେଲେ ସେତିକି କଷ୍ଟ ସହିବାକୁ ହେବ ; ପ୍ରଥମେ ନିଜର ସହନଶୀଳତା ବୃଦ୍ଧି କରିବାକୁ ହେବ । ସବୁକିଛିକୁ ତ୍ଯାଗ କରି ସାଧନାରେ ମନୋନିବେଶ କରିବା ହିଁ ସିଦ୍ଧିର ସରଣୀ ଉନ୍ମୁକ୍ତ କରେ । ତେଣୁ ପ୍ରଥମେ ସିଦ୍ଧ ସାଧକ ସାଜିବାକୁ ସହନଶୀଳତାର ଆବଶ୍ଯକତା ଏବଂ ଦ୍ବିତୀୟରେ ନମ୍ରତା ଭାବ । କାହା ପ୍ରତି କଠୋର ନହୋଇ ନମ୍ରତାଚରଣ କରିବା ହିଁ ସାଧନାକୁ ପରିପୁଷ୍ଟ କରେ । ସର୍ବଦା ଶାନ୍ତ ଚିତ୍ତରେ ସାଧନାରେ ବ୍ରତୀ ହେବା ସିଦ୍ଧି ପ୍ରାପ୍ତି ପାଇଁ ସରଳ ହୋଇଥାଏ ।
ନିଜର ଅଶାନ୍ତ ଚିତ୍ତ , କ୍ରୋଧ ହିଁ ସାଧନାର ପଥକୁ ସଙ୍କୁଚିତ କରିଦିଏ । ଏକାଗ୍ର ଚିତ୍ତରେ ଯେଉଁ ସାଧନା କରାଯାଏ ତାହା ସିଦ୍ଧିର ପଥକୁ ଅତି ନିକଟତର କରାଏ । ମଣିଷ ଜୀବନରେ ଶିକ୍ଷା ଓ ସାଧନାର ପରିସମାପ୍ତି ନାହିଁ , ସାରା ଜୀବନ ଏ ଦିଗରେ ଅଗ୍ରସର ହେବାକୁ ପଡ଼ିବ । ତେଣୁ ଜୀବନରେ କେବେ ବି ନିଜ ମନରେ ଅଶାନ୍ତି କିମ୍ବା କ୍ରୋଧକୁ ସ୍ଥାନ ଦେବା ଅନୁଚିତ । ତୃତୀୟ ସ୍ଥାନରେ ଶାଳୀନତା ରହିଛି , ଯାହା ଜଣେ ସିଦ୍ଧି ପ୍ରାପ୍ତ ସାଧକର ପରିଚୟ ବହନ କରେ । ବନ୍ଧୁର ଶିଳା ଭେଦି ଆଗକୁ ଆଗକୁ ମାଡ଼ି ଚାଲି ଶେଷରେ ସାଗରର ସନ୍ଧାନ ପାଇଥାଏ ତଟିନୀ । ସେମିତି କେତେ ଘାତ ପ୍ରତିଘାତକୁ ସହ୍ଯ କରି ଆଗକୁ ଆଗକୁ ମାଡ଼ି ଚାଲିବା ଜଣେ ସାରସ୍ୱତ ସାଧକର ଲକ୍ଷ୍ଯ ହେବା ଉଚିତ । ଦିନେ ନା ଦିନେ ସେ ସିଦ୍ଧିର ମାର୍ଗ ପାଇଯିବ । ସାଧକ ରୂପୀ ନଦୀ ସିଦ୍ଧି ରୂପୀ ସାଗରକୁ ପ୍ରାପ୍ତ କରିବ ଅଚିରେ । ସାଧକର ଆଚାର ବ୍ୟବହାର ଜଣେ ସାଧାରଣ ମଣିଷ ପରି ହେବା ଉଚିତ । ବିନୟ ବଚନ ହିଁ ଅନ୍ତରଙ୍ଗତା ସୃଷ୍ଟି କରେ । ବଚନରେ ହିଁ କିଣି ହୁଏ ଜନ ମନ ଆଉ ଏଇ ବଚନରେ ହିଁ ଛିନ୍ନ କରିହୁଏ ସମ୍ପର୍କ । ସିଦ୍ଧି ପାଇଁ ସାଧନା ଓ ସୁସମ୍ପର୍କର ଆବଶ୍ଯକତା ରହିଛି । ଭାଗବତ କହେ -
"ଅମୃତ ବିନୟ ବଚନ ।
କହି ତୋଷିବ ପ୍ରାଣୀ ମନ ।।"
ତେଣୁ କର୍ମ , ବଚନ , ଆଚରଣ ଠିକ୍ ନରହିଲେ ଜଣେ ଉତ୍ତମ ସାଧକର ପରିଚୟ ପାଇପାରେନି । ସାରସ୍ବତ ସାଧକ ନମ୍ର ହେବା ଉଚିତ , ସମାଜର କଳୁଷିତତାକୁ କଲମ ମୁନରେ ସଜାଡ଼ିବାର ଶକ୍ତି ସଞ୍ଚିତ କରିବା ଉଚିତ । ବଚନ ମଧୁର ହୋଇଥିବ , କିନ୍ତୁ ସୃଜନୀରେ ଶକ୍ତି ଭରି ରହିଥିବ । ସେହି ଶକ୍ତିଶାଳୀ ସୃଜନୀ ହିଁ ସମାଜକୁ ଠିକ୍ ରାସ୍ତାକୁ ଫେରାଇ ଆଣିବ । କଲମ ମୁନରେ ଜବାବ ଦେଉଥିବା ସ୍ରଷ୍ଟାର ବଚନ କିନ୍ତୁ ରୁକ୍ଷ ହୋଇ ନଥିବା ଦରକାର । ଭାଗବତ ବାଣୀ ଅନୁସାରେ -
"ଦଣ୍ଡିବା ଶକ୍ତି ଯା'ର ଥାଇ ।
ସେ ପୁଣି କ୍ଷମା ଆଚରଇ ।।"
ଜଣେ ସାହିତ୍ଯିକର ପର-ଆପଣା ଭାବ ପୋଷଣ ନୀତି ଗର୍ହିତ ଅଟେ । ସମସ୍ତେ ତା'ର ଆପଣାର ; ସଂସାରରେ ପ୍ରକୃତ ସାଧୁ ପଦବାଚ୍ୟ ସାହିତ୍ୟିକ । ସେଲାଗି ଭାଗବତ ଲେଖିଛି - "ପର ଆପଣା ଯା'ର ନାହିଁ ।/ସାଧୁରେ ଗଣା ଅଟେ ସେହି ।।" ସେଥିପାଇଁ ଜଣେ ସାହିତ୍ଯିକକୁ ସମାଜସେବୀ ବୋଲି ବିବେଚନା କରାଯାଏ ଏବଂ ବିଜ୍ଞ ବୋଲି ବିଚାର କରାଯାଏ । ତେଣୁ ବିଜ୍ଞ ବ୍ଯକ୍ତି ସର୍ବତ୍ର ପୂଜନୀୟ । କୁହାଯାଇଛି - "ସ୍ବଦେଶେ ପୂଜ୍ଯତେ ରାଜା , ବିଦ୍ଵାନ ସର୍ବତ୍ର ପୂଜ୍ଯତେ ।" ଅର୍ଥାତ୍ - "ରାଜା ସିନା ପୂଜା ପାଏ ଆପଣା ଦେଶରେ , କବି ପୂଜା ପାଉଥାଏ ଦେଶ ବିଦେଶରେ ।" ସର୍ବତ୍ର ପ୍ରଶଂସିତ ଓ ପୂଜନୀୟ ହେବା ପାଇଁ ହେଲେ ଅଗାଧ ଜ୍ଞାନର ଆବଶ୍ଯକତା ରହିଛି । ଜ୍ଞାନ ପ୍ରାପ୍ତ ପାଇଁ ନିଷ୍ଠା , କର୍ତ୍ତବ୍ୟର ଆବଶ୍ଯକତା ତ ଅଛି , ଅଧ୍ୟୟନର ବି ଆବଶ୍ଯକତା ରହିଛି । ଅନ୍ବେଷଣ ଓ ଅଧ୍ୟୟନ ଯେତିକି ଜ୍ଞାନର ପରିସୀମା ବୃଦ୍ଧି କରେ , ସାଧୁ ସଙ୍ଗ ତା' ଠାରୁ ଅଧିକ ହିଁ ହୋଇଥାଏ । ଯେତେ ଜ୍ଞାନୀ ହେଲେ ବି ଯଦି କୁସଙ୍ଗରେ ଦିନ ବିତେ , ତେବେ ସେ ଅଜ୍ଞାନ ତୁଲ୍ଯ ହୋଇଥାଏ । ଉଚିତ , ଅନୁଚିତ , ନ୍ଯାୟ , ଅନ୍ୟାୟ , ଭଲ , ମନ୍ଦକୁ ପରଖି କାର୍ଯ୍ୟ କରିପାରୁଥିବା ବ୍ଯକ୍ତିଟି ପ୍ରକୃତ ଜ୍ଞାନୀ ହୋଇଥାଏ ।
ଜ୍ଞାନ ଆହରଣ ପାଇଁ ଗୁରୁଙ୍କର ଆବଶ୍ଯକତା ରହିଛି । ବିନା ଗୁରୁରେ ଜ୍ଞାନ ପ୍ରାପ୍ତ ଅସମ୍ଭବ । ଶାସ୍ତ୍ରରେ କୁହାଯାଇଛି ଯେ -
"ଗୁରୁ ନଥାଇ ସଦଜ୍ଞାନ ।
କାହୁଁ ତୁ ପାଇବୁ ଅର୍ଜୁନ ?"
ଗୁରୁ କାହାକୁ କରିବା ? ଆଜିର ଏ ସମାଜରେ କଳୁଷିତତାର ପରିବେଶରେ ସେଭଳି ଗୁରୁ ମିଳିବା ଅସମ୍ଭବ , ଯିଏ ସର୍ବଜ୍ଞାନର ଅଧିକାରୀ । ତେଣୁ ଏଠି ଜଣଙ୍କୁ ଗୁରୁ କରି ଜ୍ଞାନ ପାଇବା ଅସମ୍ଭବ ।
ଏଠି କହିବା ବାହୁଲ୍ୟ ଯେ , ସମସ୍ତେ ଏଠି ଗୁରୁ ଓ ସମସ୍ତେ ଏଠି ଶିଷ୍ୟ । ଉଦାହରଣ :- ରାମ ବୋଲି ବ୍ଯକ୍ତି ଶ୍ଯାମକୁ ଗୁରୁ ମନେ କରୁଛି , ତା' ଠାରୁ କିଛି ଶିଖିଛି ଓ ଶିଖୁଛି ମଧ୍ଯ । ଶ୍ଯାମ ବି ରାମ ଠାରୁ କିଛି ଯାହା ବି ହେଉ ଶିକ୍ଷା ପାଇଛି । ତେଣୁ ଉଭୟେ ଉଭୟଙ୍କ ଗୁରୁ ଓ ଉଭୟେ ଉଭୟଙ୍କ ଶିଷ୍ୟ । ତେବେ ଏଠି ଗୁରୁ କାହାକୁ କହିବା ? ବାସ୍ତବରେ ଦେଖିବାକୁ ଗଲେ ପରିବେଶ , ପରିସ୍ଥିତି , ମାଜ ହିଁ ପ୍ରକୃତ ଗୁରୁ । ସମାଜର ନିତିଦିନିଆ ଘଟଣାରୁ ଯେଉଁ ଶିକ୍ଷା ମିଳେ , ପ୍ରକୃତିର ସୌନ୍ଦର୍ଯ୍ୟ ଭିତରେ ଯେଉଁ ଶିକ୍ଷା ଲୁକ୍କାୟିତ ଥାଏ , ପାରିପାର୍ଶ୍ବିକ ପରିବେଶରୁ ଯେଉଁ ଶିକ୍ଷା ମିଳେ ଏବଂ ନିଜର ପରିସ୍ଥିତି ଯେଉଁ ଶିକ୍ଷା ପ୍ରଦାନ କରେ ତାହା ଜଣେ ଗୁରୁଙ୍କର ଶିକ୍ଷା ଠାରୁ ଯଥେଷ୍ଟ ଗୁଣରେ ଅଧିକ ହୋଇଥାଏ । ତେବେ ଏମାନେ ପ୍ରକୃତ ଗୁରୁ ପଦବାଚ୍ଯ ।
ଏଇଭଳି ଏକ ଉତ୍ତର ରଖିଥିଲି ସେଦିନ ମୁଁ ହ୍ବାଟ୍ସଆପ୍ର ଏକ ଆଧ୍ଯାତ୍ମିକ ପରିବାରରେ ଜନୈକ ସାଧୁଙ୍କ ପାଖରେ । ବିଭିନ୍ନ ଧର୍ମକୁ ନେଇ ଲେଖୁଥିବା ପ୍ରବନ୍ଧ ଉପରେ ମତେ ଆରୋପ ଲଗାଇଥିଲେ ସାଧୁ ମହାତ୍ମା । ମୁଁ କୌଣସି ଧର୍ମକୁ ଆକ୍ଷେପ କରି ନଥିଲି ; ପ୍ରତ୍ଯେକ ଲେଖାରେ ମୋର ଗୋଟିଏ ହିଁ ବାର୍ତ୍ତା ରହୁଥିଲା - "ସବୁ ଧର୍ମକୁ ସମ୍ମାନ ଦେବା ଉଚିତ ।" କିନ୍ତୁ ମୁଁ ଧର୍ମ ଉପରେ ଆଲୋଚନା ଭିତରେ ଦୁଇଟି ଦିଗକୁ ଦର୍ଶଉଥିଲି । ଗୋଟିଏ ଆଧ୍ୟାତ୍ମ ଚିନ୍ତନ ଓ ଅନ୍ଯଟି ବୈଜ୍ଞାନିକ ଅନୁଶୀଳନ । ବିଜ୍ଞାନ ଏବେ ଯାହାକୁ ପ୍ରମାଣ କରି ଦେଖାଉଛି ତାହା ବହୁ ପୂର୍ବରୁ ବେଦ ବେଦାନ୍ତରେ ପ୍ରମାଣସିଦ୍ଧ ହୋଇସାରିଛି । ଆଧ୍ୟାତ୍ମ ଭାବନା ମାଧ୍ଯମରେ ଜନଜାତିକୁ ସଚେତନତାର ବାର୍ତ୍ତା ଶାସ୍ତ୍ରରେ ବହନ ହୋଇଛି । କୋଉ ଧର୍ମରେ କ'ଣ ଅଛି ତାହା ମୁଁ ପ୍ରତି ଲେଖାରେ ଦର୍ଶାଇଛି । ଉଭୟକୁ ତର୍ଜମା କରି ନିର୍ଯ୍ଯାସ କାଢ଼ିଛି - "ସବୁ ଧର୍ମର ଲକ୍ଷ୍ଯ ଈଶ୍ୱର ପ୍ରାପ୍ତି ।" ଈଶ୍ବରଙ୍କୁ ପ୍ରାପ୍ତ କରିବାକୁ କିଏ କେଉଁ ମାର୍ଗ ଅନୁସରଣ କରୁଛି ତାକୁ ଦେଖିବା ଅପେକ୍ଷା ଲକ୍ଷ୍ୟ କ'ଣ ତାକୁ ପରଖିବା ହେଉଛି ପ୍ରକୃତ ମଣିଷପଣିଆ ଅଟେ । ସେଦିନ ଏଭଳି ଏକ ଲେଖା ଦେଖି ମତେ କହିଥିଲେ - "ଆପଣଙ୍କର ଏ ଲେଖା ଠିକ୍ ନୁହେଁ , ଏ ଲେଖା କୌଣସି ପାଠ୍ଯପୁସ୍ତକରେ ସ୍ଥାନ ପାଇବ ନାହିଁ । ଆପଣ ନିଜ ଧର୍ମକୁ ବୈଜ୍ଞାନିକ ଚିନ୍ତାଧାରାରେ ବିଶ୍ଳେଷଣ କରିବା ଠିକ୍ ହେଉନି ।" ତାଙ୍କ କହିବାର ସାରାଂଶ ଏଇଆ ଥିଲା । ମୁଁ କିନ୍ତୁ କହିଥିଲି - "ମୁଁ କେବେ ଆଶାୟୀ ନୁହେଁ ପାଠ୍ଯପୁସ୍ତକରେ ମୋ' ଲେଖା ସ୍ଥାନ ପାଉ , ସାମାଜିକ ଗଣମାଧ୍ୟମରେ ମୋ' ଭାବନା ଓ ପ୍ରକୃତ ତଥ୍ଯକୁ ଉପସ୍ଥାପନ କରିଛି । ଉଚିତ କି ଅନୁଚିତ ଆଲେଖ୍ଯ ପରଖି ନିଅନ୍ତୁ ଏବଂ ଭୁଲ୍ ଥିଲେ ମାର୍ଗଦର୍ଶନ କରାନ୍ତୁ ।" ଏଇ କେଇ ପଦ କଥା ପରେ ସେ କେବଳ ଭଗବତ ଗୀତାକୁ ଶାସ୍ତ୍ର ବୋଲି ମାନନ୍ତି କହିଲେ । ଶାସ୍ତ୍ର କ'ଣ କେବଳ ଭଗବତ ଗୀତା ? ହଁ , ଗୀତା ହେଉଛି ମାନବ ସମାଜ ର ଦିଗଦର୍ଶକ ଓ ଗୁଢ଼ ଜ୍ଞାନ । କେବଳ ଭଗବତ ଗୀତା ହିଁ ଗୋଟିଏ ଶାସ୍ତ୍ର ଅଛି , ଏଇଟା ଅସଙ୍ଗତ ।
ଏହାପରେ ସେଦିନ ସେ ପରିବାରରେ ମତେ କଟାକ୍ଷ କରି କିଛି ରଚନା ସାଧୁଙ୍କ କଲମରୁ ସ୍ଖଳିତ ହେଲା । ଜଣେ ସାଧୁଙ୍କର ଲକ୍ଷଣ କାହାକୁ କଟାକ୍ଷ କରିବା ନୁହେଁ , ବରଂ ଅଜ୍ଞାନ ଅନ୍ଧକାରକୁ ଅପସାରଣ କରି ଆଲୋକମାଳା ବିଛୁରିତ କରିବା ଜଣେ ସାଧୁଙ୍କର ନୈତିକ କର୍ତ୍ତବ୍ଯ । ପୁଣି ତହିଁ ଆରଦିନ ସେ କଟାକ୍ଷ ପରେ ଏକ ଅନୀତି କରିବସିଲେ । ମତେ କହିଲେ - "ଭାଇ ତୁମ ଗୋଡ଼ ଧରୁଛି , ଏମିତି ଲେଖନି ।" ଏଇ ବାକ୍ଯଟି ଶୁଣିଲା ମାତ୍ରକେ ମୋର ଶିରା ପ୍ରଶିରାରେ ଶିହରଣ ଖେଳିଗଲା ଏବଂ ଆଖିରେ ଘନେଇ ଆସିଲା ମୋର ଅମାପ ଅଶ୍ରୁ । କୋହ ଗୁଡ଼ାକ ଚମଡ଼ା କାନ୍ଥ ଭାଙ୍ଗି ଛାତିର ବାହାର ପଟକୁ ଉବୁକେଇ ଉଠିଲା । ଜଣେ ସାଧୁ ଅନୁନୟ ବିନୟ ହୋଇପାରିବ , କିନ୍ତୁ କାହାର ଗୋଡ଼ ଧରିବା ଅନୁଚିତ । କାରଣ ସାଧୁ ହିଁ ସାକ୍ଷାତ ଈଶ୍ବର । ସେଦିନ ମତେ ବହୁତ ଖରାପ ଲାଗିଥିଲା ; ନିଜକୁ ଦୋଷୀ ମନେ କରୁଥିଲି ଯେମିତି । ଭାବିଥିଲି ଏ ସାହିତ୍ଯ ଜଗତ ମୋ' ପାଇଁ କ'ଣ ଠିକ୍ ନୁହେଁ ? ତାଙ୍କୁ ଉତ୍ତରରେ କହିଥିଲି - "ଆପଣ ଜଣେ ସାଧୁ ହୋଇ ଗୋଡ଼ ଧରିବା କଥା ଉଠେଇବାଟା ଠିକ୍ ହୋଇନି ।" ସେ ଦିନ ଏଇ ଗୁରୁ ପ୍ରସଙ୍ଗରେ କହିଥିଲି - "ଏ ସାରା ବିଶ୍ବ ମୋର ଗୁରୁ । ଜଣଙ୍କୁ ଗୁରୁ କରି ଯାହା ଶିକ୍ଷା ପାଇବି , ଅନେକଙ୍କଠୁ ମୁଁ ଅନେକ କିଛି ଶିଖି ପାରିବି ।" ଏତିକି କହି ସେ ପରିବାରରୁ ମୁଁ ସ୍ବତଃପ୍ରବୃତ ଭାବରେ ବାହାରି ଆସିଥିଲି । କିନ୍ତୁ ସେଠାକାର ବିଚାର ଦେଖି ମତେ ଆଶ୍ଚର୍ଯ୍ୟ ଲାଗୁଥିଲା । ସାଧୁଙ୍କର କର୍ତ୍ତବ୍ୟ ସବୁ ଧର୍ମକୁ ସମାନ ଦୃଷ୍ଟିରେ ଦେଖିବା ; କିନ୍ତୁ ନିଜ ଧର୍ମକୁ ବଡ଼ ମଣି ଅନ୍ଯ ଧର୍ମକୁ ନ୍ଯୁନ ଆଖିରେ ଦେଖିବା ଜଣେ ସାଧୁଙ୍କର କର୍ତ୍ତବ୍ୟ ନୁହେଁ । ମୁଁ ବି କହିଥିଲି "ଧର୍ମରେ କିଛି ଅନ୍ଧବିଶ୍ୱାସ ରହିଛି ବୋଲି ବିଜ୍ଞାନ ବି ପରୋକ୍ଷରେ ଦର୍ଶାଏ । ତେଣୁ ଉଭୟ ଦିଗକୁ ବିଚାର କରି ଲେଖିବା ଜଣେ ସାହିତ୍ଯିକର ଧର୍ମ ; ତେଣୁ ମୁଁ ସେଇଆ କରୁଛି ।" ସେହି ସାଧୁ ମହାତ୍ମାଙ୍କର ଅପମାନ କରିବା ମୋର ଉଦ୍ଦେଶ୍ୟ ନୁହେଁ , ଅପମାନ ତ ମତେ ଲାଗିଛି ; ସାଧୁ ହୋଇ ତାଙ୍କ ନୈତିକତା ପାସୋରି ପକାଇଛନ୍ତି ସେ । ଗୋଡ଼ ଧରି ମତେ ଅପମାନିତ କରିଛନ୍ତି ଏବଂ ନିଜର ସାଧୁତା କେତେ ସେଦିନ ସେ ପରିବାରରେ ଥିବା ସଦସ୍ୟମାନେ ଦେଖିଥିବେ ।
ତେଣୁ ସାହିତ୍ଯିକଟିଏ ହେବାକୁ ହେଲେ ନିଜର ନୀତି , ସ୍ବଭାବ ଓ ବ୍ଯକ୍ତିତ୍ବକୁ ପ୍ରଥମ ଦୃଷ୍ଟି ପକାଇବାକୁ ହେବ ଏବଂ ସମସ୍ତଙ୍କୁ ସମ୍ମାନ ପ୍ରଦର୍ଶନ ସହିତ ପ୍ରତ୍ଯେକ ସାହିତ୍ଯ କୃତିକୁ ପୁଙ୍ଖାନୁପୁଙ୍ଖ ବିଚାର କରି ଯଥୋଚିତ ମନ୍ତବ୍ୟ ଦେବାକୁ ହେବ । ସେଦିନ ସେ ଦୀର୍ଘ ପ୍ରବନ୍ଧଟି ଉପସ୍ଥାପନ କରିବାର ପାଞ୍ଚ ମିନିଟ୍ ମଧ୍ଯରେ ଏଭଳି ପରିସ୍ଥିତି ; ଯଦି ସେ ସମ୍ପୂର୍ଣ୍ଣ ପଢ଼ି ମତ ରଖିଥା'ନ୍ତେ ତେବେ ଏଭଳି ପରିସ୍ଥିତି ଉପୁଜି ନଥା'ନ୍ତା । ପ୍ରଥମେ ଜଣା ଓ ପରେ ଗଣା ; ଜ୍ଞାତ ହେବା ପରେ ନିଜକୁ ଅଳଙ୍କୃତ କଲେ ଶୋଭା ବର୍ଦ୍ଧିତ ହୋଇ ପାରିବ ।
ସାହିତ୍ଯର ସ୍ବର ତୋଳି କୁତ୍ସିତ ଭାବନା ପୋଷଣ ପୂର୍ବକ କାହାର ମଧ୍ଯ ଅମର୍ଯ୍ଯାଦା କରିବା ଅନୁଚିତ । ସ୍ରଷ୍ଟାର ସୃଷ୍ଟିକୁ ଭଲଭାବରେ ଦୃଷ୍ଟି ନିକ୍ଷେପ କରି ଯଦି ବୈଚାରିକ ଶକ୍ତିର ପ୍ରୟୋଗରେ ମନ୍ତବ୍ୟ ଦେଇ ସରଳ ଓ ନମ୍ରତାର ସହ ଉତ୍ସାହିତ କରି ବା ବୁଝାଇ ଦିଆଯାଏ , ତେବେ ସାହିତ୍ଯରେ ସମୃଦ୍ଧି ଆସିବା ସହ ପରସ୍ପର ମଧ୍ୟରେ ଏକ ଚୁମ୍ବକୀୟ ସମ୍ପର୍କ ତୋଳି ହୋଇପାରନ୍ତା । ଏହି ସମ୍ପର୍କ ହିଁ କଳିଯୁଗର ନାମ ପରିବର୍ତ୍ତନ କରି ନୂତନ ଏକ ଯୁଗ "ସତ୍ଯଯୁଗ"ର ନାମରେ ନାମିତ କରିପାରନ୍ତା ।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ସମ୍ପର୍କ - ୮୯୧୭୪୮୦୫୩୬
Comments
Post a Comment