ମହତ୍ତ୍ୱପୂର୍ଣ୍ଣ ମାର୍ଗଶୀର୍ଷ
କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ହିନ୍ଦୁ ପଞ୍ଚାଙ୍ଗନୁସାରେ କାର୍ତ୍ତିକ ପୂର୍ଣ୍ଣିମା ବାସିଠାରୁ ମାର୍ଗଶିର ମାସର ପ୍ରାରମ୍ଭ । ଭଗବତ୍ ଗୀତାରେ ମାର୍ଗଶୀର ମାସକୁ ଶ୍ରେଷ୍ଠ ମାସ ବୋଲି କୁହାଯାଇଛି ।ଏହି ମାସ ଠାରୁ ସତ୍ଯଯୁଗର ଆରମ୍ଭ ହୋଇଥିବାର ଶାସ୍ତ୍ରବାନୀ ରହିଅଛି । ଏହି ମାସରେ କାଶ୍ଯପ ଋଷି ରଚନା କରିଥିଲେ କାଶ୍ମୀର । ଜପ , ତପ , ବ୍ରତ , ଧ୍ଯାନ ପାଇଁ ମାର୍ଗଶୀର୍ଷ ମାସଟି ପ୍ରକୃଷ୍ଟ ବୋଲି କୁହାଯାଇଥାଏ । ଏ ମାସରେ ପୂତ ପୟୋଧି ଜଳେ ସ୍ନାନ କଲେ ଶୁଭଫଳ ପ୍ରାପ୍ତ ହୁଏ । ଏ ମାସରେ ମଙ୍ଗଳ କାର୍ଯ୍ୟ ବିଶେଷ ଫଳଦାୟୀ ଏବଂ ଭଗବାନ ଶ୍ରୀକୃଷ୍ଣାରଧନା ସର୍ବଶୁଭ ଅଟେ ଏବଂ ଉତ୍ତମ ବରପ୍ରାପ୍ତି ହୁଏ ; ଚନ୍ଦ୍ରମାଠୁ ଅମୃତ ତତ୍ତ୍ବ ମିଳେ । ତତ୍ସହ ଏ ମାସରେ ନାମ ସଂକୀର୍ତ୍ତନକାରୀକୁ ଅମୋଘ ଫଳ ମିଳେ । ଏ ମାସରେ ତୈଳ ମର୍ଦ୍ଦନ ଉତ୍ତମ କିନ୍ତୁ ଜୀରା ସେବନ ଅନୁଚିତ ୟ ମୋଟା ବସ୍ତ୍ର ପରିଧାନ କରିବା ଉଚିତ ମାର୍ଗଶୀର ମାସରେ । ଶାସ୍ତ୍ରରେ ଅଛି ଏ ମାସରେ ନିତ୍ଯ ଗୀତା ପଠନ ସହ ତୁଳସୀପତ୍ରକୁ ଭୋଗ ଲଗାଇ ମହାପ୍ରସାଦ ମଣି ଗ୍ରହଣ କରିବା ଉଚିତ ଏବଂ ଏ ମାସରେ ପ୍ରାୟ ନିରାମିଷାଶୀ ହେବା ଉଚିତ ।
ହିନ୍ଦୁ ମାନଙ୍କ ବର୍ଷ ଗଣନାନୁସାରେ ମାର୍ଗଶୀର ମାସଟି ଅଷ୍ଟମ ମାସ ଅଟେ ; ଏ ମାସରେ ଉତ୍ତାପ ସମତଳ ଥାଏ ଯାହା ଅତ୍ଯଧିକ ଥଣ୍ଡା କି ଅତ୍ଯଧିକ ଗରମ ଅନୁଭୂତ ହୁଏ ନାହିଁ । ଭଗବାନ ଶ୍ରୀକୃଷ୍ଣ କହିଛନ୍ତି :-
"ବୃହତ୍ସାମ ତଥା ସାମ୍ନାଂ ଗାୟତ୍ରୀ ଛନ୍ଦସାମହମ୍ ।
ମାସାନାଂ ମାର୍ଗଶୀର୍ଷୋଽହମୃତୂନାଂ କୁସୁମାକରଃ ।।"
ଅର୍ଥାତ୍ ସାମବେଦର ସ୍ତୋତ୍ର ମାନଙ୍କ ମଧ୍ୟେ ମୁଁ ଗାୟତ୍ରୀ ମନ୍ତ୍ର । ବାରମାସ ମଧ୍ୟରୁ ମୁଁ ହେଉଛି ମାର୍ଗଶୀର୍ଷ ଏବଂ ଋତୁ ମାନଙ୍କ ମଧ୍ୟେ ମୁଁ ବସନ୍ତ ଋତୁ ଅଟେ । ତେଣୁ ଏ ମାସୁ ଶ୍ରୀକୃଷ୍ଣଙ୍କ ମାସ ବୋଲି କହନ୍ତି । ଦାନପୁଣ୍ଯ ଓ ତିର୍ଥବ୍ରତ କଲେ ଯମଦଣ୍ଡରୁ ରକ୍ଷା ମିଳିବାର ଶାସ୍ତ୍ର ଉଲ୍ଲେଖ । ଏ ମାସକୁ ବି ଅଗହନ ମାସ କୁହାଯାଏ । ମାସର ଅନ୍ତିମ ଦିନ ଯେଉଁ ନକ୍ଷତ୍ର ପଡ଼େ , ସେଅନୁସାରେ ମାସର ନାମକରଣ କରାଯାଏ । ମାର୍ଗଶୀର ପୂର୍ଣ୍ନମୀଟି ମୃଗଶିରା ନକ୍ଷତ୍ର ହେତୁ ଏ ମାସର ନାମ ମାର୍ଗଶୀର । ସ୍ନାନର ମହତ୍ତ୍ବକୁ ନେଇ ପୁରାଣ କହେ :- ଗୋପୀମାନେ କୃଷ୍ଣ ପ୍ରାପ୍ତ୍ଯର୍ଥେ ଭଗବାନଙ୍କୁ ଧ୍ଯାନ କଲେ । ଭଗବାନ କୃଷ୍ଣ କହିଲେ କି ଯମୁନା ବାରିଧିରେ ସ୍ନାନ କଲେ ମୋତେ ପ୍ରାପ୍ତ କରାଯାଇପାରେ । ସେବେଠୁ ଏ ମାସରେ ସ୍ନାନର ମହତ୍ତ୍ବ ବୃଦ୍ଧି । ବିଷ୍ଣୁ ପୁରାଣ ଅନୁସାରେ ସମୁଦ୍ର ମନ୍ଥନ କାଳେ ଚତୁର୍ଦ୍ଦଶ ରତ୍ନ ପ୍ରକଟ ହୋଇଥିଲା , ତନ୍ମଧ୍ୟରୁ ଶଙ୍ଖ ଅନ୍ଯତମ । ପ୍ରତ୍ଯହ ଶଙ୍ଖ ପୂଜନ ଦ୍ବାରା ଅର୍ଥ ଓ ଧନର ଅଭାବ ନଥାଏ । ଏ ମାସରେ ଯେକୌଣସି ଶଙ୍ଖକୁ ପଞ୍ଚଜନ୍ଯ ଶଙ୍ଖ ମନେକରି ପୂଜା କରିବା ଉଚିତ୍ । ଦକ୍ଷିଣାବର୍ତ୍ତୀ ଶଙ୍ଖ ହେଲେ ଆହୁରି ଭଲ ।
ଏ ମାସ ପର୍ବପର୍ବାଣିର ମାସ ଅଟେ ; କେବଳ ଧର୍ମ ହିଁ ଧର୍ମ । ଶ୍ରୀକ୍ଷେତ୍ର ପରିକ୍ରମା , ପ୍ରଥମାଷ୍ଟମୀ , ଦେବଦୀପାବଳି , ମହୋଦଧି ଅମାବାସ୍ଯା , ବସ୍ତ୍ରାଧିବାସ , ପ୍ରାବରଣ ଯାତ୍ରା , ମାଣବସା ଲକ୍ଷ୍ମୀପୂଜା , ପହିଲିଭୋଗ ଆଦି ନାନାପ୍ରକାର ପର୍ବପର୍ବାଣି ଏ ମାସ ପାଇଁ ଉଦ୍ଦିଷ୍ଟ । ମାର୍ଗଶୀର କୃଷ୍ଣପକ୍ଷର ପଞ୍ଚମୀ ତିଥିରେ ପାଳିତ ହୁଏ ଶ୍ରୀକ୍ଷେତ୍ର ପରିକ୍ରମା ; ବିଶ୍ବାସ ଅଛି ଏ କ୍ଷେତ୍ରର ପରିକ୍ରମା କଲେ ସର୍ବ ପାପ , ତାପ ମୋଚନ ହୁଏ । ଏହାର ଅନ୍ଯ ନାମ ପଞ୍ଚତୀର୍ଥ । ଏଦିନ ଶ୍ରୀମନ୍ଦିର ଚତୁର୍ପାର୍ଶ୍ବ ପରିକ୍ରମଣ ସହିତ ଶ୍ରୀକ୍ଷେତ୍ରର ବିଭିନ୍ନ ଦେବାଦେବୀ ମନ୍ଦିର ଦର୍ଶନ , ତୀର୍ଥ ସରୋବରରେ ସ୍ନାନ ଆଦି କରାଯାଏ । ଏହାଦ୍ବାରା ସମସ୍ତ ରୋଗବ୍ଯାଧି , କଷ୍ଟ ଦୂର ହେବା ସହ ଜଗନ୍ନାଥ ଠାକୁରଙ୍କର ଆଶୀର୍ବାଦ ମିଳେ ବୋଲି ପ୍ରବାଦ ରହିଛି । ଏଦିନ ଶ୍ରୀକ୍ଷେତ୍ରରେ ସସ୍ର ଜନ ସମାଗମ ହୋଇଥାଏ । ଏ ପରିକ୍ରମା ଶ୍ରୀମନ୍ଦିର ସିଂହଦ୍ୱାରରୁ ଆରମ୍ଭ ହୁଏ ; ବାଦ୍ଯଘୋଷ ଓ ହରିନାମ କୀର୍ତ୍ତନ ସହ ମନ୍ଦିରର ଚତୁଃଦ୍ବାର ପ୍ରଦକ୍ଷଣ କରିବା ସହ ମାର୍କଣ୍ଡେୟ , ଇନ୍ଦ୍ରଦ୍ଯୁମ୍ନ , ଶ୍ବେତଗଙ୍ଗା , କପାଳମୋଚନ , ଲୋକନାଥ , ଚକ୍ରତୀର୍ଥ ଆଦି ମନ୍ଦିର ଭ୍ରମଣ ସହ ମହୋଦଧି ସ୍ନାନ କରିଥା'ନ୍ତି ଏଇ କୃଷ୍ଣ ପଞ୍ଚମୀ ତିଥି ଦିବସରେ । ପୁରାଣନୁସାରେ ଏ କ୍ଷେତ୍ର ପରିକ୍ରମା ଚତୁର୍ଦ୍ଧାମ ପରିକ୍ରମାର ଫଳ ପ୍ରାପ୍ତି ।
ନିଳାଦ୍ରି ମହୋଦୟ , ସ୍କନ୍ଦ ପୁରାଣ , ବାମଦେବ ସଂହିତା ଆଦିରେ ଶ୍ରୀକ୍ଷେତ୍ର ପରିକ୍ରମାକୁ ଅହେତୁକ ପ୍ରଶଂସା କରିଛନ୍ତି । ନିଳାଦ୍ରି ମହୋଦୟ ଅଧ୍ଯାୟ ୩୦ରେ କୁହନ୍ତି :-
"ମାର୍ଗଶୀର୍ଷେ ଚ ରାଜେନ୍ଦ୍ର ମାସେ ତସ୍ଯ ଜଗତ୍ପତେଃ ।
ଯୀ ଲୀଳା ସ୍ଯାତ୍ଽପ୍ରବକ୍ଷାମି ଶୃଣୁଷ୍ବ ଯତମାନସଃ ।।"
ଏହା ବ୍ରହ୍ମ ଉବାଚ ; ବ୍ରହ୍ମା କହୁଛନ୍ତି - "ହେ ରାଜେନ୍ଦ୍ର ! ମାର୍ଗଶୀର ମାସରେ ଜଗତପତି ଜଗନ୍ନାଥଙ୍କର ଯେଉଁ ଲୀଳା ଅନୁଷ୍ଠିତ ହୁଏ , ତାହା ବର୍ଣ୍ଣନା କରିବି ତୁମେ ଶୁଣିମା ହୁଅ ।" ତାପରେ ସେ ବର୍ଣ୍ଣନା କରିଛନ୍ତି ଯାହା , ତାହା ସେହି ଶାସ୍ତ୍ରରେ ଅଛି । ଶୀତର ପ୍ରକୋପରୁ ରକ୍ଷା ପାଇବା ପାଇଁ ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶୀତବସ୍ତ୍ର ପରିଧାନ କରାଇଦିଆଯାଏ ଯାହା ବସ୍ତ୍ରାଧିବାସ ନୀମରେ ନାମିତ । ଶ୍ରୀକ୍ଷେତ୍ରର ପରମ୍ପରା ମହାନ ; ବସ୍ତ୍ରାଧିବାସ ଏକ ସାଧାରଣ ପରମ୍ପରା ହେଲେ ବି ମହତ୍ତ୍ବ ରହିଛି । ଏହାକୁ ବି ପ୍ରାବରଣ ଯାତ୍ରା ନାମରେ ନାମିତ ହୋଇଛି । ମାର୍ଗଶୀର ମାସ ଶୁକ୍ଳପକ୍ଷ ଷଷ୍ଠୀରୁ ମାଘ ଶୁକ୍ଳ ପଞ୍ଚମୀ ପର୍ଯ୍ଯନ୍ତ ଶୀତବସ୍ତ୍ର ଧାରଣ ହୁଏ ; ଏହା ଓଢ଼ଣ ଷଷ୍ଠୀ ନାମରେ ନାମିତ । ସର୍ବାଭିଷ୍ଟ ଫଳ ପ୍ରାପ୍ଯର୍ଥେ ନର ଜଗତ ଈଶ୍ୱରଙ୍କୁ ମାର୍ଗଶୀର ଶୁକ୍ଳ ଷଷ୍ଠୀ ତିଥିରେ ଉତ୍ତମ ବସ୍ତ୍ରାଚ୍ଛାଦିତ କରନ୍ତି ବୋଲଂ "ଯାତ୍ରା ଭାଗବତ" ଉଲ୍ଲେଖ ରହିଛି । ଶୁକ୍ଳ ଷଷ୍ଠୀରେ ଏ ବେଶ ଧରିଲେ ବି ଏହାର ଅଧିବାସ ବିଧି ମାର୍ଗଶୀର ଶୁକ୍ଳ ପଞ୍ଚମୀ ରାତ୍ରରେ କରାଯାଏ । ସାତ ଦିନରେ ସାତ ପ୍ରକାର ରଙ୍ଗ ଯଥା ରବିବାରେ ଲାଲ୍ ରଙ୍ଗ , ସୋମବାରେ କଳାଛିଟା ମିଶା ଶୁକ୍ଳ ରଙ୍ଗ , ମଙ୍ଗଳବାରେ ପଞ୍ଚରଙ୍ଗ ମିଶା , ବୁଧବାରେ ନୀଳ ରଙ୍ଗ , ଗୁରୁବାରେ ପୀତ ରଙ୍ଗ , ଶୁକ୍ରବାରେ ଶୁକ୍ଳ ରଙ୍ଗ , ଶନିବାରେ କଳା ରଙ୍ଗ ଘୋଡ଼ ଲାଗି କରାଯାଏ । ଜ୍ଯୋତିଷ ଶାସ୍ତ୍ରରେ ଏହି ସାତ ରଙ୍ଗକୁ ସାତଟି ଗ୍ରହ ବୋଲି କୁହାଯାଇଛି । ଏହି ଯାତ୍ରାର ଦର୍ଶକମାନେ ଚନ୍ଦ୍ର ସୂର୍ଯ୍ୟ ଥିବା ଯାଏଁ ଗର୍ଭବାସ କଷ୍ଟ ଉପଲବ୍ଧି କରନ୍ତିନି ବୋଲି "ଯାତ୍ରା ଭାଗବତ"ରେ କୁହାଯାଇଛି । ଯଥା:-
"ପାବୃତଂ ଯେ ଚ ପଶ୍ଯତି ଦେବଦେବଂ ସନାତନମ୍ ।
ନ ତେ ଗର୍ଭ ଗୃହଂ ଯାନ୍ତି ଯାବଚ୍ଚନ୍ଦ୍ର ଦିବାକରୌ ।।"
ଶ୍ରୀ ଜଗନ୍ନାଥଙ୍କ ମାନବୀୟ ଲୀଳା ସତରେ କେଡ଼େ ମହାନ। ମାର୍ଗଶୀର ମାସ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଜଗନ୍ନାଥ ମହାପ୍ରଭୁ ବାମନ ରୂପରେ ଦେବ ପିତାମାତା ସତ୍ଯ ଯୁଗର କଶ୍ୟପ ଋଷି ଓ ଅଦିତିଙ୍କୁ ପିଣ୍ଡଦାନ ଓ ଦୀପୋତ୍ସର୍ଗ କରନ୍ତି ଏବଂ ମାର୍ଗଶୀର ମାସ ଅମାବାସ୍ଯା ତିଥିରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ରୂପରେ ତ୍ରେତୟା ଯୁଗର ପିତା ଦଶରଥ ଓ ମାତା କୌଶଲ୍ୟାଙ୍କୁ ପିଣ୍ଡ ଦେବା ସହ ଦୀପଦାନ କରନ୍ତି । ମାର୍ଗଶୀର ଶୁକ୍ଳ ପ୍ରତିପଦରେ ଜଗନ୍ନାଥଜୀ ଶ୍ରୀକୃଷ୍ଣ ରୂପରେ ଦ୍ବାପରର ପିତା ବସୁଦେବ ଓ ମାତା ଦେବକୀଙ୍କୁ , ତତ୍ସହ ନନ୍ଦ ଆଉ ଯଶୋଦାଙ୍କୁ ପିଣ୍ଡ ଓ ଦୀପଦାନ କରନ୍ତି ଏବଂ ସେହିଦିନ ସେ ଶୁଭ ବସ୍ତ୍ର ଓ ଚାଦର ପିନ୍ଧି ପିତାମାତା ଭାବରେ ରାଜା ଇନ୍ଦ୍ରଦ୍ଯୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କୁ ପିଣ୍ଡ ଓ ଦୀପଦାନ କରନ୍ତି । ଏହି ତିନିଦିନକୁ ଦେବ ଦୀପାବଳି କୁହାଯାଏ ; ଏଦିନ ମାନଙ୍କରେ ମହାପ୍ରଭୁ ଓ ଅନ୍ୟ ତିନି ମୂର୍ତ୍ତି ନାଗପୁରୀ ଶାଢ଼ୀ ଚାଦର ପିନ୍ଧି ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ।
ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ "ପ୍ରଥମାଷ୍ଟମୀ" ; କେହି କେହି କହନ୍ତି "ପଢୁଆଁଷ୍ଟମୀ" ଓ "ପୋଢୁଆଁଷ୍ଟମୀ" । ଏହା ଓଡ଼ିଶାର ପାରମ୍ପରିକ ପର୍ବ ; ଏହା ପାପ-ନାଶିନୀ ଅଷ୍ଟମୀ , ସୌଭାଗିନୀ ଅଷ୍ଟମୀ ଓ ଭୈରବାଷ୍ଟମୀ ନାମରେ ବି ନାମିତ । ଅତୀତରେ ଏ ମାର୍ଗଶୀର ମାସକୁ ବର୍ଷର ପ୍ରଥମ ମାସ ବିବେଚନା କରାଯାଇ ଏ ମାସରୁ ବର୍ଷ ଆରମ୍ଭ ହେଉଥିଲା । ତେଣୁ ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ "ପ୍ରଥମାଷ୍ଟମୀ" କୁହାଯାଇଛି । ଏଦିନ ଜ୍ଯେଷ୍ଠ ପୁତ୍ର ବା କନ୍ଯାକୁ ନବବସ୍ତ୍ର ପରିଧାନ ପୂର୍ବକ ବନ୍ଦାପନା କରାଯାଏ । ଏହା ବି ଲିଙ୍ଗରାଜଙ୍କର ଏକ ଯାତ୍ରା ଦିବସ ଅଟେ । ମାଆମାନେ ଷଷ୍ଠୀଦେବୀଙ୍କ ପୂଜାର୍ଚ୍ଚନା ପୂର୍ବକ ଜ୍ଯେଷ୍ଠ ସନ୍ତାନର ବନ୍ଦାପନା କରନ୍ତି ସୁଖ ସମୃଦ୍ଧି ଓ ଦୀର୍ଘ ଜୀବନ କାମନା କରି । ବରୁଣ ପୂଜା ଘଟ ପାଣିରେ ସ୍ନାନ କରାଇବା ପରେ ଜ୍ଯେଷ୍ଠ ସନ୍ତାନକୁ ନବବସ୍ତ୍ର ପିନ୍ଧାଇ ପିଢ଼ା ଉପରେ ବସାଇ ଫୁଲ , ଅରୁଆ ଚାଉଳ , ଦୁବ , ବଦରିପତ୍ର ଆଦିରେ ବନ୍ଦାପନା କରନ୍ତି । ପରମ୍ପରାନୁସାରେ ନବବସ୍ତ୍ର ମାତୁଳାଳୟରୁ ଆଗତ ହୋଇଥାଏ । ଏ ପର୍ବ ସାମାଜିକ ଓ ପାରିବାରିକ ବନ୍ଧନ , ଶୃଙ୍ଖଳା ଓ ଆଦର୍ଶବୋଧକୁ ଜାବୁଡ଼ି ଧରି ରଖିଛି । ଏଦିନ ହଳଦୀପତ୍ରର ବ୍ଯବହାରରେ ଏଣ୍ଡୁରିପିଠାର ବିଶେଷ ମହତ୍ତ୍ୱ ରହିଛି ।
ଏଦିନ ଭୁବନେଶ୍ବର ଲିଙ୍ଗରାଜ ମାମୁଁଘର ଯାତ୍ରା କରିଥା'ନ୍ତି ; ତାଙ୍କ ମାମୁଁଘର ଲିଙ୍ଗରାଜ ମନ୍ଦିର ସଂଲଗ୍ନ "କପାଳି ମଠ" । ସେଠାରେ ସେ ପୋଢୁଆଁ ହୁଅନ୍ତି ; ସେ ମଠର ଆରାଧ୍ୟ ଠାକୁର ବରୁଣେଶ୍ବର ଓ ବନଦେବୀ ଯିଏକି ଲିଙ୍ଗରାଜଙ୍କ ମାମୁଁ ମାଇଁ ହେବେ ଏବଂ ଏଠାରେ ଥିବା "ପାପନାଶିନୀ'' ପୁଷ୍କରିଣୀର ଜଳ ପ୍ରଥମାଷ୍ଟମୀରେ ପିଇଲେ ପାପକ୍ଷୟ ହୁଏ ଓ ବନ୍ଧ୍ୟାନାରୀ ସନ୍ତାନପ୍ରସବା ହୋ'ନ୍ତି ବୋଲି କଥିତ ଅଛି । ପୂର୍ବରୁ ପ୍ରଥମାଷ୍ଟମୀରେ ସମ୍ଭବତଃ ସୌଭାଗିନୀ ଦେବୀଙ୍କର ପୃଜା ପ୍ରଚଳିତ ଥିଲା ବୋଲି ଏହାର ନାମ ଥିଲା "ସୌଭାଗିନୀ ଅଷ୍ଟମୀ'' । ସୌଭାଗ୍ୟବଶତଃ କୃଷକ ଶସ୍ୟ ରୂପୀ ସନ୍ତାନ ଭଲ ପାଇଛି ବୋଲି ସେ ଏହି ଅଷ୍ଟମୀକୁ ସୌଭାଗିନୀ ଅଷ୍ଟମୀ ଭାବେ ପାଳନ କରୁଥିଲା । ପୂର୍ବେ ଏହି ଦିନ ଭୈରବଙ୍କ ପୂଜା ପ୍ରଚଳିତ ଥିବାରୁ ଏହାର ନାମ "ଭୈରବାଷ୍ଟମୀ" ଥିଲା । ଏହିଦିନ ଭୈରବଙ୍କ ବ୍ରତ ଦିବସ ; ଏବେ ଏ ପୂଜା ଲୁପ୍ତ ହୋଇଛି । ମାର୍ଗଶୀର୍ଷ କୃଷ୍ଣାଷ୍ଟମୀରେ କାଳଭୈରବଙ୍କ ବ୍ରତୌପାସନା , ଜାଗରଣ , ଉପବାସ ଆଦି ସମ୍ପାଦନ କଲେ ପ୍ରାଣୀଙ୍କ ସର୍ବପାପ ସଂହାର ହୁଏ ବୋଲି ସ୍କନ୍ଦ ପୁରାଣର କୋଶୀଖଣ୍ଡରେ ଲିଖିତ । ଏହିଦିନ କାଳରାତ୍ରୀଙ୍କର ଅବତୀର୍ଣ୍ଣ ହୋଇଥିବାରୁ ତାନ୍ତ୍ରିକ ମାନଙ୍କର ପ୍ରଥମାଷ୍ଟମୀ ରାତ୍ରଟି ବିଶେଷ ପ୍ରସିଦ୍ଧ ଅଟେ । ଏ ରାତ୍ରର ନାମ ତନ୍ତ୍ରାନୁସାରେ "ଘୋରରାତ୍ର" ।
ଶ୍ରୀମନ୍ଦିରେ ବି ପ୍ରଥମାଷ୍ଟମୀ ପାଳିତ ହୁଏ ଯହିଁ ଜ୍ଯେଷ୍ଠ ଭ୍ରାତା ବଳଭଦ୍ର ପୋଢୁଆଁ ହୁଅନ୍ତି । ଶ୍ରୀଜଗନ୍ନାଥଙ୍କ ମାମୁଁଘର ଭାବେ ପରିଚିତ ନିଆଳି ସ୍ଥିତ ମାଧବାନନ୍ଦ ଦେଉଳରୁ ପୋଢୁଆଁ ଭାର ଶ୍ରୀମନ୍ଦିରକୁ ଆସେ । ମାର୍ଗଶୀର ପ୍ରତି ଗୁରୁବାର ଐଶ୍ୱର୍ଯ୍ୟ ଓ ସିଦ୍ଧିର ଈଶ୍ୱରୀ ମହାଲକ୍ଷ୍ମୀଙ୍କ ପୂଜା ହୁଏ ଓ ନୂଆ ମାଣ ବସେ ପ୍ରତ୍ଯେକ ହିନ୍ଦୁ ଓଡ଼ିଆଙ୍କ ଘରେ । ଝୋଟିଚିତାରେ ସୌନ୍ଦର୍ଯ୍ୟମୟ ହୋଇ ଉଠେ ଘଲ ଅଗଣା ; ସମସ୍ତ ଜାତିର ଲୋକେ ଏ ଓଷାର ପାଳନକାରୀ । ଏଥିରେ ପରିଷ୍କାର ପରିଚ୍ଛନ୍ନତାକୁ ବିଶେଷ ଦୃଷ୍ଟି ଦିଆଯାଏ । ପୂଜାଘରକୁ ଧାନମେଣ୍ଟା ବା ଧାନବେଣୀରେ ସଜାଇ ମହାଲକ୍ଷ୍ମୀଙ୍କ ଅର୍ଚ୍ଚନା କରାଯାଏ ଭକ୍ତି ଓ ନିଷ୍ଠାର ସହ ଏବଂ ଲକ୍ଷ୍ମୀ ପୁରାଣର ସୁଲଳିତ କଣ୍ଠସ୍ବର ସର୍ବ ମାନସ କ୍ରୟକାରୀ ଓ ସଂସାର ହିତାକାଂକ୍ଷୀ । ଏ ପୂଜା ଅନ୍ଯ ଦେଶ ଓ ରାଜ୍ଯରେ ବିଶେଷ ପ୍ରଚଳନ ନାହିଁ ଯାହା ଓଡ଼ିଶାରେ ଅଛି । ମାଣ ବସାଇବାରୁ ଏହାର ନାଁ "ମାଣବସା" ; ଧାନମାଣ ବସାଇ ପୂଜା କରାଯାଏ ଏ ଓଷାରେ । ସାନ୍ତାଳୀ ମାନଙ୍କ ଭାଷାରେ "ଇରୁ ମାମଣେ", ଭୂୟାଁ ମାନଙ୍କ ଭାଷାରେ "ମଗୁଶୀର ଗୁରୁବାର ହଲବା" , ହୋ ଏବଂ ଓମାନାତ୍ଯ ମାନଙ୍କ ଭାଷାରେ ଏହା "ଲକ୍ଷ୍ମୀପୂଜା" ନାମରେ ନାମିତ ।
ବଳରାମ ଦାସଙ୍କ "ଲକ୍ଷ୍ମୀ ପୁରାଣ"ରେ "ମହାଲକ୍ଷ୍ମୀ ପୂଜା" ବା "ମାଣବସା"ର କିମ୍ବଦନ୍ତୀ ବର୍ଣ୍ଣିତ ଅଛି । ଶ୍ରୀୟା ଚଣ୍ଡାଳୁଣୀର ଭକ୍ତିଭାବରେ ସନ୍ତୋଷତା ପାଇ ଲକ୍ଷ୍ମୀ ତାକୁ ଧନ-ଜନ-ଗୋପ-ଲକ୍ଷ୍ମୀ ପ୍ରଦାନ କଲେ ଏବଂ ବଳଭଦ୍ରଙ୍କ ରୋଷର ଶୀକାର ହୋଇ ଆଳୟ ବର୍ଜି ସାଗର ତଟରେ ନିବାସ କଲେ ଏବଂ ଜଗନ୍ନାଥ ଓ ବଳଭଦ୍ର ବାରବର୍ଷ ବୁଲି ବୁଲି ନୟାନ୍ତ ହୋଇ କିପରି ଶେଷରେ ଲକ୍ଷ୍ମୀଙ୍କୁ ଫେରାଇ ମନ୍ଦିରକୁ ଆଣିଲେ , ସେ ସବୁ ପୁରାଣ ବର୍ଣ୍ଣିତ । ଏଥିରେ ପ୍ରଧାନ ଭୋଗ ଓଡ଼ିଆର ପ୍ରସିଦ୍ଧ ପୁପ ମଣ୍ଡା ସହିତ ଖଇ , ଉଖୁଡ଼ା , ନଡ଼ିଆ , କଦଳୀ , ଫଳମୂଳ ଆଦି ଭୋଗ ସହ ନୂଆ ଧାନର ପାକସିଦ୍ଧ ଅନ୍ନ ଏବଂ ଚକୁଳି ପିଠା ମଧ୍ୟ ନୈବିଦ୍ଯ ବଢ଼ାଯାଏ ।
ସତରେ ଏ ମାସଟି ମହତ୍ତ୍ୱପୂର୍ଣ୍ଣ । ପୁଣ୍ଯ ପାର୍ବଣର ପ୍ରତିଟି ବାସର ; ଆଧ୍ଯାତ୍ମିକତାର ଗନ୍ଧ ବିଚ୍ଛୁରିତ ପଲ୍ଲୀରୁ ସଦର । ପରସ୍ପର ମଧ୍ୟେ ଭକ୍ତିଭାବ ଓ ପରିବେଶର ଶୁଦ୍ଧତା ମାନସାକର୍ଷଣର କେନ୍ଦ୍ରବିନ୍ଦୁ । ମହତ୍ତ୍ୱପୂର୍ଣ୍ଣ ମାର୍ଗଶୀର୍ଷକୁ ମୋର ମହଣ ମହଣ ନମନ ।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୯୧୭୪୮୦୫୩୬
Comments
Post a Comment