କିମ୍ବଦନ୍ତୀରେ କଣାସର ଅଧିଷ୍ଠାତ୍ରୀ "କୁଞ୍ଜେଶ୍ବରୀ"
କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
କଥିତ ଅଛି "ମନ୍ଦିର ମାଳିନୀ ଓଡ଼ିଶା" ; ଓଡ଼ିଶାରେ ଅନେକ ମନ୍ଦିର , ଅନେକ କିମ୍ବଦନ୍ତୀ । ଓଡ଼ିଶାର କୋଣେ ଅନୈକୋଣେ ଦେବାଦେବୀଙ୍କ ନିବାସ । ପ୍ରତ୍ଯେକ ଠାକୁର/ଠାକୁରାଣୀଙ୍କର କିଛି ନା କିଛି କିମ୍ବଦନ୍ତୀ ରହିଛି । ହିନ୍ଦୁ ବିଶ୍ବାସ ଅନୁସାରେ ସେଇ କିମ୍ବଦନ୍ତୀ ମାନଙ୍କ ମଧ୍ୟରୁ ପୁରୀ ଜିଲ୍ଲାର କଣାସ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' କୁଞ୍ଜେଶ୍ବରୀଙ୍କର କଥା ଓ କାହାଣୀ କ୍ଷୁଦ୍ର ହେଲେ ବି ନିଆରା । ଦିବ୍ଯ ସିଂହାସନାସୀନା ଦେବୀ ଚତୁର୍ଭୁଜା ଏବଂ ଶଙ୍ଖ , ଚକ୍ର , ତ୍ରିଶୂଳ ଧାରିଣୀ । ସମୀକ୍ଷାରେ କହିବାକୁ ଗଲେ ଶଙ୍ଖ ହେଉଛି ଶୁଭନାଦ ଅର୍ଥାତ୍ ମଙ୍ଗଳଘୋଷର ପ୍ରତୀକ । ବିଜ୍ଞାନ ବି ପ୍ରମାଣ ଦିଏ ଯେ, ଶଙ୍ଖ ବାଦନ ଦ୍ୱାରା ନାନାଦି ରୋଗ ଜୀବାଣୁ ନାଶ ହେବା ସହ ଶଙ୍ଖ ବାଦନର ଶବ୍ଦ ଯେତେ ଦୂର ଯାଏଁ ଶୁଭେ , ଭୂତ - ପ୍ରେତ ଆଦି ସେହି ଶବ୍ଦଘୋଷ ମଧ୍ୟକୁ ପ୍ରବେଶ କରିପାରନ୍ତି ନାହିଁ । ତେଣୁ ଦେବୀ ମାତା ଶଙ୍ଖ ବାଦ୍ୟ ପୂର୍ବକ କଣାସ ମାଟିକୁ ଏସବୁରୁ ରକ୍ଷା କରନ୍ତି ; ତେଣୁ ସ୍ବ କରେ ଶଙ୍ଖାୟୁଧ ଧାରଣ କରିଛନ୍ତି । ଚକ୍ର ହେଉଛି ଶତ୍ରୁ ନାଶର ଅସ୍ତ୍ର ; ତେଣୁ କଣାସ ମାଟିକୁ ଶତ୍ରୁ ମାନଙ୍କ ଉପଦ୍ରବରୁ ମାଆ ରକ୍ଷା କରନ୍ତି । ତ୍ରିଶୂଳ ହେଉଛି ଦୁଷ୍ଟ ଦଳନର ଅସ୍ତ୍ର ତଥୀ ଅନ୍ଯାୟ , ଅସତ୍ଯ , ପାପ ବିନାଶର ଅସ୍ତ୍ର । ମାଆ କଣାସ ମାଟିର ରକ୍ଷାକର୍ତ୍ତ୍ରୀ ଅଟନ୍ତି । ଚାରି ଭୁଜ ଧର୍ମ , ଅର୍ଥ , କାମ, ମୋକ୍ଷର ପ୍ରତୀକ । ଚତୁର୍ବର୍ଗ ଫଳଦାତ୍ରୀ ମା' କୁଞ୍ଜେଶ୍ବରୀ । ତ୍ରିନେତ୍ରା ସେ ; ବାମ ନେତ୍ର ସତ୍ଯ , ଦକ୍ଷିଣ ନେତ୍ର ନ୍ଯାୟ ଏବଂ ଉର୍ଦ୍ଧ୍ବ ନେତ୍ର ଧର୍ମର ପ୍ରତୀକ ଭୀବେ ଗଣା ଯାଇପାରେ ।
କିମ୍ବଦନ୍ତୀ ଅନୁସାରେ ମା' କୁଞ୍ଜେଶ୍ବରୀ ପୀଠ ପ୍ରଥମେ ରହିଥିଲା ଗଡ଼ବଳଭଦ୍ରପୁର ଗ୍ରାମରେ । ସେହି ସମୟର କଥାନୁସାରେ ଜନୈକ ମା' କୁଞ୍ଜେଶ୍ବରୀଙ୍କ ସେବକ ପୁରୀ ରାଜାଙ୍କ ପାଖକୁ ସାକ୍ଷୀ ହୋଇ ଯାଉଥିଲେ । ସାକ୍ଷୀ ପ୍ରଦାନ କରିବା ପାଇଁ ଯିବା ପୂର୍ବରୁ ସେବକ ଜଣକ ମା'ଙ୍କୁ ସମସ୍ତ ବୃତ୍ତାନ୍ତ ଜଣାଇ ପ୍ରାର୍ଥନା ବାଢ଼ିବାରୁ ମା' କୁଞ୍ଜେଶ୍ବରୀଙ୍କ ସ୍ବପ୍ନାଦେଶ ପ୍ରାପ୍ତ କଲେ । ମା' କୁଞ୍ଜେଶ୍ବରୀ ତାଙ୍କୁ ସ୍ବପ୍ନରେ କହିଲେ - "ନିର୍ଦ୍ବନ୍ଦରେ ଯାତ୍ରା କର, ମୁଁ ତୁମର ପଛରେ ଯାଉଛି ତୁମ ସହିତ ; କିନ୍ତୁ ସାବଧାନତାବଲମ୍ବନ କରିବା ପାଇଁ ପଡ଼ିବ । ଏକମୁହାଁ ହୋଇ ଯାତ୍ରା କରିବ, ପଛକୁ କିନ୍ତୁ କେବେ ସୁଦ୍ଧା ଦୃଷ୍ଟି ଦେବ ନାହିଁ । ଯେଉଁଠି ତୁମେ ପଛକୁ ବୁଲି ମୋତେ ଦେଖିବ ମୁଁ ସେଇଟି ଅଟକି ଯିବି, ଆଉ ଆଗକୁ ଯିବି ନାହିଁ ।" ପରଦିନ ପ୍ରାତଃରୁ ଉଠି ନିତ୍ଯକର୍ମ ସମାପନାନ୍ତେ ମା'ଙ୍କ ଆଜ୍ଞା ନେଇ ସେବକ ଜଣକ ବାହାରି ଗଲେ ପୁରୀ ରାଜାଙ୍କ ନବର ଅଭିମୁଖେ ।
ଚିଲିକା ତଟବର୍ତ୍ତୀ ଅଞ୍ଚଳ ହେତୁ ସେତେବେଳେ ସମ୍ପୂର୍ଣ୍ଣ ପୁରୀ କଣାସଞ୍ଚଳ ବାଲିଚର ଥିଲା । ଆଗରୁ ମା'ଙ୍କର ନୂପୁର ଶବ୍ଦ ଶୁଭୁଥିଲା , କିନ୍ତୁ ବାଲିଚର ହେତୁ ଆଉ ଶୁଭାଗଲା ନାହିଁ । ତେଣୁ ସେବକ ଜଣକ ମନରେ ଭାବନା ଆସିଲା କି , ମା' ବୋଧହୁଏ ମୋତେ ଠକି ଦେଲେ । କିଛି ବିଚାର ନକରି ପଛକୁ ଚାହିଁ ଦେବାରୁ ଦେଖିଲେ ସୁନ୍ଦର ରୂପଲାବଣ୍ଯର ନାରୀଟିଏ ଛିଡ଼ା ହୋଇଛି ଏବଂ ତା' ଦେହରୁ ଝଲସି ଉଠୁଛି ଦିବ୍ଯ ଆଭା । ସୁନ୍ଦର କମନୀୟ ପଦ୍ମ ପରି ନେତ୍ର ; ସତେ ଯେମିତି ଗୋଟିଏ ଚାଉଳରେ ଗଢ଼ା । ମନେପଡ଼ିଗଲା ମା'ଙ୍କର କହିବା କଥା ;ନିଜର ଭୁଲ୍ ବୁଝିପାରି ମନସ୍ତାପ କଲେ ଓ ପୁନର୍ବାର ସହିତରେ ସଙ୍ଗୀ ହେବାକୁ ମାଆଙ୍କୁ ସେ କେତେ କାକୁତିମିନତି ହେଲେ । ଭାଗ୍ୟର ଏ ବିଡ଼ମ୍ବନା , ବୋଧେ ମାଆଙ୍କର ଇଚ୍ଛା ଥିଲା ସେହି ସ୍ଥାନରେ ନିଜର ଆବାସ କରିବାକୁ । ସମୟ ସାଥ୍ ଦେଲାନି କି ନିଜର ସ୍ବପ୍ନାଦେଶ ପ୍ରାପ୍ତିର କଥା ସ୍ମରଣ ହେଲା ନାହିଁ । ଯେତେ ପ୍ରକାରେ ପ୍ରାର୍ଥନା କଲେ ବି ଦେବୀ ନଛୋଡ଼ବନ୍ଧା ; "ବଚନ ରକ୍ଷା କର" ବୋଲି କହିଲେ । ନିର୍ଦ୍ଦେଶ ଦେଲେ ଏଇଠାରେ ତାଙ୍କ ନିମିତ୍ତ ମନ୍ଦିରଟିଏ ନିର୍ମାଣ କରିବା ପାଇଁ । ସେହିଦିନ ଠାରୁ ସେ ବନିଗଲେ ଏହି କଣାସ ମାଟିର ଅଧିଷ୍ଠାତ୍ରୀ ଦେବୀ ।
ଏଠି ବି ବିଭିନ୍ନ ପର୍ବପର୍ବାଣି ସର୍ବତ୍ର ଭଳି ରୀତିନୀତି ଅନୁସରଣରେ ଚଳମାନ । ବିଶେଷ କରି ନବରାତ୍ର ପୂଜାର ଆକର୍ଷଣ ଅନନ୍ଯ ଅତ୍ର ସ୍ଥାନେ । ଏଠାରେ କାଠିଯାତ୍ରା ନିଆରା ଓ ସ୍ବତନ୍ତ୍ର ପରମ୍ପରା ମା'ଙ୍କର । ଆଶ୍ବିନ ମାସର ତୃତୀୟା ତିଥିରେ ପୁରୀ ଜିଲ୍ଲାର ବାଲିପାଟଣା ଗାଁର ଜଣେ ଭକ୍ତ ରାଉଳ ସୁବୁଦ୍ଧିଙ୍କ ଗୃହକୁ ମନ୍ଦିରର ସେବକ ସଂଙ୍ଘ ଯାଇ ଘଣ୍ଟଘଣ୍ଟା , ଝାଞ୍ଜାଦି ବାଦ୍ଯ ସହ ମସାଲ ଓ ମା'ଙ୍କର ଆଜ୍ଞା ମାଳ ଆଣି ଏକ ବାଉଁଶକୁ ପୂଜାର୍ଚ୍ଚନା କରି ରୀତି ଅନୁସାରେ ମନ୍ଦିରକୁ ଅଣାଯାଏ । ତା'ପରେ ମନ୍ଦିରର ମହାରଣା ସେବାୟତଙ୍କ ଦ୍ବାରା ବାଉଁଶକୁ ଷୋଳ ହାତ ମାପରେ କାଟି ରଖି ଖୁରା ପ୍ରସ୍ତୁତ କରୀଯାଇଥାଏ । ପଞ୍ଚାମୃତ , ଗଙ୍ଗାଜଳାଦିରେ ସ୍ନାନ ଶୌଚ କରାଇ ବାଉଁଶରେ ସିନ୍ଦୂର , କଜ୍ଜଳ , ବସ୍ତ୍ର , ଚନ୍ଦନ , ଫୁଲ ଓ ଆଜ୍ଞାମାଳ ଆଦି ଦେଇ ମଣ୍ଡନ କରାଯାଏ ଏବଂ ଏହାକୁ ଚାରିଜଣ ଭେଣ୍ଡା ସେବକଙ୍କ ଦ୍ବାରା ହିଁ କରାଯାଇଥାଏ । ତା'ପରେ ବାଦ୍ଯଘୋଷ ସହିତ ବେଢ଼ା ପରିକ୍ରମା କରି ମନ୍ଦିରରେ ରଖି ତୃତୀୟାରୁ ପଞ୍ଚମୀ ଯାଏଁ ତିନିଦିନ ଧରି ପୂଜା କରାଯାଏ । ପଞ୍ଚମୀ ଦିନ ପୂର୍ବବତ୍ ରୀତିନୀତି ଅନୁସାରେଣ କାଠି ବାହାରେ ଓ ପ୍ରଥମେ କଣାସ ନିକଟସ୍ଥ ପୋତାଘର ଗ୍ରାମକୁ ଭୋଗ ଖାଇବାକୁ ନିଆଯାଏ । ଷଷ୍ଠୀ ଦିନ ପୁନରାୟ ମା' କୁଞ୍ଜେଶ୍ବରୀ ଦେବୀଙ୍କ ବେଶ ପରିବର୍ତ୍ତନ କରାଯାଏ ଏବଂ ପାଖ ଗିରାମ ଯଥା ପଞ୍ଚ ପାଟଣା , ବିଡ଼ିଶା , କଖାରୁଓସ୍ତ , ବୈଦ୍ଯନାଥ ପାଟଣା , କଦଳୀଦଣ୍ଡା , କରପଡ଼ା ଆଦିକୁ ଭୋଗ ଖାଇବାକୁ ନିଆଯାଇଥାଏ ।
ସପ୍ତମୀ ଦିନ ଶିରି , ଶରଣା , ସାଶୀରୀ , ସହନା , ରାହାଜିଆ , ଗାଣ୍ଡପଡ଼ା , ବ୍ଲକ୍ ବଜାରାଦି ସ୍ଥାନରେ ଭୋଗ ଖାଇସାରିବା ପରେ ମନ୍ଦିରକୁ ଫେରି ବିଶ୍ରାମ ନିଅନ୍ତି ଏବଂ ଅଷ୍ଟମୀ ଦିନ ପୂର୍ବ ପ୍ରଚଳିତ ନିୟମାନୁସାରେ ଡିମିରି , ବିଶ୍ବାଳିପଡ଼ା , ଗାଣ୍ଡପଡ଼ା ଓ ଜଳିଆପଡ଼ା ଆଉ ଖୋଦ୍ କଣାସ ଆଦି ଭୋଗ ଖାଇ ସାରିବା ପରେ ରାତ୍ରାର୍ଦ୍ଧରେ ମନ୍ଦିରକୁ ଆଣି ମା' କୁଞ୍ଜେଶ୍ବରୀଙ୍କର ମହାସ୍ନାନ କରାଯାଏ ଓ ଷୋଡ଼ଶୋପଚାର ପୂଜା ହୁଏ ଏବଂ ଏହୀ ପରେ ବଳିପ୍ରଥା ଅନୁଯାୟୀ ଛାଗ ବଳି ପକାଯାଏ । ବଳି ପର୍ବ ସମାପନର କିଛି ସମୟ ପ୍ରାୟ ଏକ ଘଣ୍ଟା ବ୍ଯବଧାନ ପରେ ମନ୍ଦିରର ପରିଚ୍ଛା ସେବାୟତଙ୍କ ଦ୍ବାରା କୁଞ୍ଜେଶ୍ବରୀଙ୍କ ମୁଖରେ ମହାପ୍ରସାଦ ସମର୍ପଣ କରାଯାଏ । ବିଜୟାଦଶମୀ ଦିନ କଣାସଞ୍ଚଳର ୧୬ ଖଣ୍ଡ ଗ୍ରାମର ଗ୍ରାମବାସୀଙ୍କର ଦଶହରାପଦାରେ ମେଳନ ହୋଇ ଦଶହରା ପୂଜା ସମାପନ କରାଯାଏ ।
ସତରେ ; କେତେ ନିଆରା ଏ ପର୍ବ ଆଉ ପରମ୍ପରା ! ସମସ୍ତଙ୍କ ଭିତରେ ମେଳନ ସୂଚାଇ ଦିଏ ଭାଇଚାରାର ସମ୍ପର୍କ । କାନ୍ଧକୁ କାନ୍ଧ ମିଳାଇ କାର୍ଯ୍ଯ କରିବା ଏମିତି ପରମ୍ପରାରୁ ଶିକ୍ଷା ମିଳେ । ଭକ୍ତି - ଭାବ - ନିଃସ୍ବାର୍ଥପରତାର ଜ୍ବଳନ୍ତ ଚିତ୍ର ଦୃଶ୍ୟମାନ ; ପବିତ୍ରତାର ମୃଦୁମନ୍ଦ ଗନ୍ଧ ଚାରିଦିଗକୁ ବିସ୍ତାରିତ । ସେ ଯାହା ବି ହେଇଥାଉ , ବିଶ୍ବାସ ଓ ଭକ୍ତି ତ ଅତୁଟ ଅଛି ନା ; ଶାସ୍ତ୍ରରେ କୁହାଯାଇଛି "ବିଶ୍ବାସ ମୂଳେ ଭଗବାନ" । ମା' କୁଞ୍ଜେଶ୍ବରୀଙ୍କ ଅପାର କରୁଣା ଏ କଣାସ ମାଟିର ଶ୍ରୀବର୍ଦ୍ଧନ ପୂର୍ବକ ଉଜ୍ଜୀବିତ ଥାଉ ଆଉ ଏହିପରି ଭାଇଚାରାର ସମ୍ପର୍କର ବାରିଧାରା ସୃଷ୍ଟି ଥିବା ଯାଏଁ ରହିଥାଉ । ମା' ତାଙ୍କର ଅମୃତ ବୋଳା ଅଞ୍ଚଳରେ ଏହି କଣାସ ଅଞ୍ଚଳର ସମସ୍ତ ବାସିନ୍ଦାଙ୍କୁ ଢ଼ାଙ୍କି ରଖିଥା'ନ୍ତୁ , ଏତିକି ପ୍ରାର୍ଥନା ମାତ୍ର ।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୯୧୭୪୮୦୫୩୬
Comments
Post a Comment