ଦେବୀ ଦୁର୍ଗେ
କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ହିନ୍ଦୁ ଧର୍ମାବଲମ୍ବୀ ମାନଙ୍କର ତଥା ଓଡ଼ିଶାର ଏକ ପ୍ରମୁଖ ପୂଜା ହେଲା "ଦୁର୍ଗା ପୂଜା"। ଏ ପର୍ବର ଅନ୍ତିମ ଦିବସଟି ହେଉଛି "ବିଜୟା ଦଶମୀ" ବା "ଦଶହରା" ; ଏ ପର୍ବ ଶକ୍ତି ଉପାସନାର ପର୍ବ । ବିଭିନ୍ନ କୁଳାଚାର ମତେ ଏହା ଷୋଳ ଦିନ , ନଅ ଦିନ ବା ତିନି ଦିନ ଧରି ପାଳିତ ହୁଏ । ଶରତ ଋତୁର ଆଶ୍ବିନ ଶୁକ୍ଳପକ୍ଷ ପ୍ରତିପଦଠୁ ନବମୀ ଯାଏଁ ଏ ପର୍ବ ଦେବୀ ଦୁର୍ଗା ପୂଜନର ପ୍ରକୃଷ୍ଟ ସମୟ ; ଚୈତ୍ର ମାସ ଶୁକ୍ଳପକ୍ଷରେ ବି ବାସନ୍ତୀ ନବରାତ୍ର ପାଳନର ବିଧି ରହିଛି । ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଏ ଏବଂ ମାର୍କଣ୍ଡେୟ ପୁରାଣ କହେ ବାର୍ଷିକୀ ଶାରଦ ପୂଜନ । ଶାରଦୀୟ ନବରାତ୍ରି କାଳରେ ବ୍ରହ୍ମାଣ୍ଡର ସମସ୍ତ ଗ୍ରହ ସକ୍ରିୟ ହେତୁ ଉପାସକଙ୍କ କୌଣସି ଅନିଷ୍ଟ ହୁଏ ନାହିଁ । ଦେବୀଙ୍କର ଏହି ନବଶକ୍ତି ଜାଗ୍ରତାର୍ଥେ "ନବାର୍ଣ୍ଣ" ବା "ନବାକ୍ଷରୀ ମନ୍ତ୍ର"- ଓଁ ଐଂ ହ୍ରୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ ଜପ କରିବାକୁ ପରାମର୍ଶ ଦିଆଯାଇଛି । "ନବ"ର ଅର୍ଥ ନଅ ଏବଂ "ଅର୍ଣ୍ଣ"ର ଅର୍ଥ ଅକ୍ଷର ; ନଅଟି ଅକ୍ଷରର ସମଷ୍ଟିରେ ଗଠିତ ମନ୍ତ୍ର "ନବାର୍ଣ୍ଣ ମନ୍ତ୍ର"। ପ୍ରତି ଅକ୍ଷର ଦୁର୍ଗାଙ୍କ ଗୋଟିଏ ଗୋଟିଏ ଶକ୍ତିର ପରିଚାୟକ ।
ଦୁର୍ଗା ଶବ୍ଦକୁ ବିଶ୍ଳେଷଣ କଲେ - "ଦ୍+ଉ+ର୍+ଗ୍+ଆ" ; "ଦ"ର ଅର୍ଥ ଦୈତ୍ଯ ବିନାଶ ପାଇଁ ଯିଏ ଉଦ୍ଦିଷ୍ଟ , 'ଉ'ର ଅର୍ଥ ସମସ୍ତ ବାଧା ଦାୟକ ଶକ୍ତି ପ୍ରଶମନରେ ସମର୍ଥ ଯେ , 'ର'ର ଅର୍ଥ ସର୍ବ ରୋଗର ଯିଏ ବିନାଶକାରୀ , "ଗ୍"ର ଅର୍ଥ ସକଳ ପାପ ଯିଏ କ୍ଷୟ କରେ ଏବଂ "ଆ" ହେଉଛି ସମସ୍ତ ଭୟ ହରଣକାରୀ । ଅନ୍ଯର୍ଥରେ - "ଦୁର୍ଗ+ଆ" ; ଦୁର୍ଗ ଅର୍ଥ ବିପଦ ବା ଦୁର୍ଗତି , "ଆ'' ଅର୍ଥ ନଷ୍ଟ କରିବା । ଦୁର୍ଗତି ନାଶନ କାରିଣୀ "ଦୁର୍ଗା"। ଦୁର୍ଗାଙ୍କ ପ୍ରିୟ ରଙ୍ଗ ଲାଲ୍ ଯାହା ପ୍ରଖର ଓ ଶକ୍ତି ସମନ୍ବିତ ; ମଙ୍ଗଳ ଗ୍ରହର ପ୍ରତୀକ ବି ଲାଲ୍ । ଦେବ ଓ ଦାନବ ମଧ୍ଯରେ ସମର ବେଳେ ମଙ୍ଗଳ ଗ୍ରହ ଶକ୍ତି ରୂପୀ ଦୁର୍ଗାଙ୍କୁ ସହଯୋଗ କରି ସଂହାରକ ଶକ୍ତି ପ୍ରଦାନ କରିଥିଲେ । ଦାନବଙ୍କୁ ସଂହାର କରି ଦୁର୍ଗାଙ୍କ ସର୍ବାଙ୍ଗ , ଅସ୍ତ୍ରଶସ୍ତ୍ର , ସୀମାନ୍ତ ,ବସ୍ତ୍ରାଦି ରକ୍ତ ରଞ୍ଜିତ ହୋଇଯାଇଥିଲା । ଦୁର୍ଗାଙ୍କୁ ଲାଲ୍ ବସ୍ତ୍ର , ରୋଲି , ଚନ୍ଦନ , ସିନ୍ଦୂର , ଲାଲ୍ ଓଢ଼ଣୀ ଆଦି ପ୍ରଦାନ କରାଯାଏ । ପୂଜାନୁଷ୍ଠାନ ମାନଙ୍କରେ ମଙ୍ଗଳ ଗ୍ରହଙ୍କ କୃପା ଓ ଅନୁକମ୍ପା ଲାଭ ପାଇଁ ଦେବୀ ଦୁର୍ଗାଙ୍କ ଠାରେ ଲାଲ୍ ରଙ୍ଗ ଚଢ଼ା ଯାଇଥାଏ । ଦୁର୍ଗାଙ୍କର ଅନେକ ଶକ୍ତିପୀଠ ମଧ୍ଯରୁ ପୁରାଣାନୁସାରେ ୫୧ ଶକ୍ତିପୀଠ ବର୍ଣ୍ଣିତ ଯାହା ପ୍ରସିଦ୍ଧ । କେତେ ଶକ୍ତିପୀଠ ବାଂଲାଦେଶ ଓ ପାକିସ୍ତାନରେ ରହିଯାଇଛି । ପାକିସ୍ତାନର କରାଚିରେ ପ୍ରଥମ ଶକ୍ତିପୀଠ "ହିଙ୍ଗୁଳା" ବା "ହିଙ୍ଗଳାଜ" ଅଛି । ସେହିପରି ସର୍କରରେ ଶକ୍ତିପୀଠ ପାକିସ୍ତାନର ସୁକ୍କର ଷ୍ଟେସନ ନିକଟରେ ଅବସ୍ଥିତ । ବାଂଲାଦେଶର ଶିକାରପୁରରେ "ସୁଗନ୍ଧ" , ଛତ୍ରାଳ ଆଦି ଶକ୍ତିପୀଠ ଅବସ୍ଥିତ । ନେପାଳରେ "ଗୁହ୍ଯେଶ୍ବରୀ" ଶକ୍ତିପୀଠ ଅବସ୍ଥିତ । "କିରୀଟ", କାତ୍ଯାୟନୀ ,କରବୀର , ଶ୍ରୀ ପର୍ବତ , ବିଶାଳାକ୍ଷୀ , ସୁଚିନ୍ଦ୍ରମ ପଞ୍ଚସାଗର , ଜ୍ବାଳାମୁଖୀ , ଭୈରବ ପର୍ବତ , ଅଟ୍ଟହାସ , ଜନସ୍ଥାନ , କାଶ୍ମୀର , ନନ୍ଦିପୁର , ଶ୍ରୀଶୈଳ , ନଳହଟୀ , ମିଥିଳା , ରତ୍ନାବଳୀ , ଅମ୍ବାଜୀ , ଜାଳନ୍ଧ୍ର , ରାମଗିରି , ହାର୍ଦ୍ଦ , ବକତ୍ରୋଶ୍ବର , କନ୍ଯକାଶ୍ରମ , କନ୍ଯାକୁମାରୀ , ବହୁଳା , ମଣିବେଦିକା , ବିରଜା , କାଞ୍ଚି , କାଳମାଧ୍ବ , ଶୋଣ , କାମରୂପ , କାମାକ୍ଷା , ଜୟନ୍ତୀ , ମଗଧ , ତ୍ରିସ୍ତୋତା ତ୍ରିପୁରା ସୁନ୍ଦରୀ , ବିଭାସ , ଦେବୀକୂପ , ପୀଠକୁରୁକ୍ଷେତ୍ର , ଅମ୍ବିକା , କାଳୀ , ମାନସ , ଲଙ୍କା , ଗଣ୍ଡକୀ ,ହିଙ୍ଗଳାଜ ସୁଗନ୍ଧ , କରତ୍ଯୋୟଘାଟ , ଚଟ୍ଟଲ ,ଜଶରେଶ୍ବରୀ ହେଉଛି ପୁରାଣ ବର୍ଣ୍ଣିତ ସୁପ୍ରସିଦ୍ଧ ଶକ୍ତିପୀଠ ।
ଦୁର୍ଗାଙ୍କର ମୁଖ୍ଯ ପୀଠ ଭାବରେ ଆଠଟି ସିଦ୍ଧ ପୀଠ "କାମରୂପ" ବା "କାମଗିରି" , ପୂର୍ଣ୍ଣଗିରି , ଜାଳନ୍ଧର , ସଂହାରଗିରି , କୋହ୍ଲାଗିରି ,ବିନ୍ଧ୍ୟଗିରି ,କାମକୋଟି ,ଉଡ୍ଡୀୟାନ"ସ୍ବୀକୃତ ଯାହା ଶକ୍ତିପୀଠଠୁ ଭିନ୍ନ । ଜ୍ଞାନାର୍ଣ୍ଣବ , କୁଳାର୍ଣ୍ଣବ ତନ୍ତ୍ର , ରୁଦ୍ରଯାମଳ ତନ୍ତ୍ରରେ ଉଡ୍ଡୀୟାନ ପୀଠ ଭାବରେ ଉତ୍କଳ ହିଁ ପ୍ରତିଷ୍ଠିତ । ପୁନଶ୍ଚ ସପ୍ତମାତୃକା , ଦଶ ମହାବିଦ୍ୟା , ଅଷ୍ଟାଦଶ ,ମାତୃଗଣା ,ଯୋଗିନୀ ଉପାସନାରେ ଓଡ଼ିଶାର ପୂର୍ଣ୍ଣାବୟବ ଶାକ୍ତ ଉପାସନା ପରିପ୍ରକାଶ ହୋଇଛି । ହୀରାପୁର ଓ ରାଣୀପୁର ଝରିଆଲ ଠାରେ ଅଛି ଚତୁଃଷଷ୍ଠୀ ଯୋଗ୍ନୀଙ୍କର ବୃତ୍ତାକାର ଉପାସନା ପୀଠ । ଆଶ୍ବିନ ମାସରେ ଦୁର୍ଗାପୂଜାକୁ ''ଶରତ ନବରାତ୍ର" ମଧ୍ଯ କୁହାଯାଏ । ଖାଲି ଏ ମାସରେ ନୁହେଁ ବିଭିନ୍ନ ସମୟରେ ପାଳନ କରାଯାଏ । ପୌଷ ମାସରେ ଶୁକ୍ଳ ଅଷ୍ଟମୀ ଠାରୁ ପୂର୍ଣ୍ଣିମା ଯାଏଁ ପାଳନ ହୁଏ । କେବଳ ଏହି ଗୋଟିଏ ନବରାତ୍ର ପ୍ରତିପଦରୁ ଆରମ୍ଭ ନହୋଇ ଅଷ୍ଟମୀରୁ ଆରମ୍ଭ ହୁଏ ଏବଂ ନଅଦିନ ବଦଳରେ ଆଠଦିନ ପାଳନ ହୁଏ । ମାଘ ଶୁକ୍ଳ ପ୍ରତିପଦରୁ ନବମୀ ଯାଏଁ "ମାଘ ନବରାତ୍ର" ପାଳନ ହୁଏ ।ଚୈତ୍ର ଆଶାଢ଼ ଶୁକ୍ଳ ପ୍ରତିପଦରୁ ନବମୀ ଯାଏଁ "ବସନ୍ତ ନବରାତ୍ର'' ପାଳନ ହୁଏ । "ଗୁପ୍ତ ନବରାତ୍ର" ଆଶାଢ଼ ଶୁକ୍ଳ ପ୍ରତିପଦ ତିଥିରୁ ନବମୀ ପର୍ଯ୍ୟନ୍ତ କରାଯାଏ ।
ଚୈତ୍ର ଶୁକ୍ଳ ଓ ଆଶ୍ବିନ ଶୁକ୍ଳ ପ୍ରତିପଦ ଠାରୁ ନବମୀ ଯାଏଁ "ନବଗୌରୀ"ବା "ନବଦୁର୍ଗା" (ଶୈଳପୁତ୍ରୀ , ବ୍ରହ୍ମଚାରିଣୀ , ଚନ୍ଦ୍ରଘଣ୍ଟା , କୁଷ୍ମାଣ୍ଡା , ସ୍କନ୍ଦମାତା , କାତ୍ଯାୟନୀ ,କାଳରାତ୍ରୀ ଓ ମହାଗୌରୀ)ଙ୍କ ପୂଜା କରାଯାଏ । ପୌରାଣିକ ମତେ ହିମାଳୟଙ୍କ ତପ ଓ ପ୍ରାର୍ଥନାରେ ପ୍ରସନ୍ନ ହୋଇ ଦୁର୍ଗା ତାଙ୍କର କନ୍ଯା ଭାବରେ ଜନ୍ମ ନେଇ ଶୈଳପୁତ୍ରୀ ଭାବରେ ପରିଚିତ ହୋଇଥିଲେ । ଏଦିନ ଭକ୍ତ ଓ ସାଧକ ସ୍ବ ମନକୁ ମୂଳାଧାର ଚକ୍ରରେ ଅବସ୍ଥାନ କରି ଉପାସନା କରିଥା'ନ୍ତି । ନବରାତ୍ରର ଦ୍ବିତୀୟ ଦିନରେ "ବ୍ରହ୍ମଚାରିଣୀ" ରୂପେ ସୁପୂଜିତା ମା' ଦୁର୍ଗା । ତାଙ୍କର ଆଉ ଦୁଇ ନାମ "ଅପର୍ଣ୍ଣା" ଓ "ଉମା"। ତପସ୍ବିନୀ ରୂପେ ବିଦ୍ଯମାନ ଏଦିନ ଦୁର୍ଗା । ଦକ୍ଷିଣ ହସ୍ତରେ ମନ୍ତ୍ରଜପ ମାଳା ଓ ବାମ ହାତରେ କମଣ୍ଡଳୁ । ଭକ୍ତ ସ୍ବ ମନକୁ ସ୍ବାଧିଷ୍ଠାନ ଚକ୍ରରେ ଅବସ୍ଥାନ କରି ଆରାଧନା କରିଥା'ନ୍ତି । "ଚନ୍ଦ୍ରଘଣ୍ଟା" ରୂପ ଅତ୍ଯୁଗ୍ର ; ଦଶଭୁଜା ଓ ବ୍ଯାଘ୍ର /ସିଂହ ପୃଷ୍ଠରେ ଅବସ୍ଥିତା । ଅନେକ ଅସ୍ତ୍ରଶସ୍ତ୍ର ସହିତ ଦେବୀଙ୍କ ମୁଦ୍ରା ଯୁଦ୍ଧାଭିମୁଖୀ ଅଟେ । ପୁରାଣ କହେ , ଦେବୀଙ୍କ ହସରୁ ବ୍ରହ୍ମାଣ୍ଡ ସୃଷ୍ଟି । ଭକ୍ତ ନିଜ ମନକୁ ଅନାହତ ଚକ୍ରରେ ଅବସ୍ଥାପିତ କରି ନବରାତ୍ରର ଚତୁର୍ଥ ଦିବସରେ "କୁଷ୍ମାଣ୍ଡା"ଙ୍କ ଅର୍ଚ୍ଚନା କରିଥା'ନ୍ତି । ଏ ରୂପରେ ଦେବୀ ଅଷ୍ଟଭୁଜା ଓ ହାତରେ କମଣ୍ଡଳୁ , ଧନୁ , କମଳ ,ଅମୃତ କଳସ , ଚକ୍ର , ଗଦା ଆଉ ଜପାମାଳି ଧାରିଣୀ । ନବରାତ୍ରର ପଞ୍ଚମ ଦିବସରେ "ସ୍କନ୍ଦମାତା" ସ୍ବରୂପେ ସୁପୂଜିତା । କୁମାର କାର୍ତ୍ତିକେୟଙ୍କ ଜନୟିତ୍ରୀ ହେତୁ ଏପରି ନାମକରଣ ; ଏ ରୂପେ ଦେବୀ ଚତୁର୍ଭୁଜା , ସିଂହ ପୃଷ୍ଠାସନ ସଂସ୍ଥିତା । କ୍ରୋଡ଼ରେ ପୁତ୍ର ସ୍କନ୍ଦ ଅବସ୍ଥାପିତ ।
ମହର୍ଷି କାତ୍ଯାୟନଙ୍କ ତପସ୍ଯାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ଯା ରୂପରେ ଜନ୍ମ ନେବାରୁ ସେ କାତ୍ଯାୟନୀ ରୂପରେ ନବରାତ୍ରରେ ଷଷ୍ଠ ଦିବସରେ ପୂଜା ହୁଅନ୍ତି । ଭଗବାନ କୃଷ୍ଣଙ୍କୁ ପତି ରୂପେ ପାଇବାକୁ ବ୍ରଜଗୋପୀଗଣ ଦେବୀ କାତ୍ୟାୟନୀଙ୍କୁ ଆରାଧନା କରିଥିଲେ ।।ନବରାତ୍ରର ସପ୍ତମ ଦିନ ପୂଜିତା ଦେବୀ "କାଳରାତ୍ରୀ"ଙ୍କ ବିକଟାଳ ରୂପ ; ଦେବୀ ଏ ରୂପେ ତ୍ରିନେତ୍ରା ଏବଂ ଅନ୍ଧକାର ପରି ଗାଢ଼ କୃଷ୍ଣବର୍ଣ୍ଣ ଶରୀର ସହିତ ଚତୁର୍ଭୁଜା । ଗର୍ଦଭ ପୃଷ୍ଠରେ ଆରୋହଣ କରି ଲୌହ ଖଡ୍ଗ ଧାରଣ ପୂର୍ବକ ପୂଜିତା । ଦେବୀ ସୌମ୍ୟ ରୂପକାନ୍ତି ପୂର୍ଣ୍ଣ ଭାବରେ ନବରାତ୍ରର ଅଷଟମ ଦିନରେ "ମହାଗୌରୀ" ରୂପରେ ବୃଷଭ ପିଠିରେ ବସି ଉପାସିତ ହୁଅନ୍ତି ; ଶରୀର ଗୌରବର୍ଣ୍ଣ ଓ ଶ୍ବେତ ବସ୍ତ୍ର ପରିହ୍ତା ଆଉ ଚତୁର୍ଭୁଜା । ଦୁଇ ହାତରେ ଡମରୁକ ଏବଂ ତ୍ରିଶୁଳ ଧାରଣ ଏବଂ ଅନ୍ଯ ଦୁଇ ହାତରେ ଅଭୟ ପ୍ରଦାନ କରନ୍ତି । ନବରାତ୍ରର ନବମ ଦିବସ ଦେବୀଙ୍କୁ "ସିଦ୍ଧିଦାତ୍ରୀ" ରୂପରେ ପୂଜା କରାଏ ।ଦେବୀ ଏ ରୂପରେ ପଦ୍ମାପୁଷ୍ନାସନା ସନା , ଚତୁର୍ଭୁଜା ଓ ହସ୍ତରେ ଶଙ୍ଖ , ଚକ୍ର , ଗଦା , ପଦ୍ମ ଧାରିଣୀ ହୋଇ ଅର୍ଚିତା । କେତେକ ଧର୍ମଗ୍ରନ୍ଥରେ ତାଙ୍କର ବାହନ ସିଂହ ଭାବରେ ପରିଦୃଷ୍ଟ ।
"ଦେବୀ ଭାଗବତ" ଓ "ସପ୍ତଶତୀ ଚଣ୍ଡୀ"ରେ ବର୍ଣ୍ଣିତ ଅଛି ମେଧା ଋଷିଙ୍କ ମାର୍ଗଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶିର୍ବାଦରୁ ରାଜ୍ଯହୀନ ରାଜା ସୁରଥ ପୁନଃ ସ୍ବରାଜ୍ଯ ଫେରି ପାଇଥିଲେ ଏବଂ ସମାଧି ବୈଶ୍ଯ ମଧ୍ୟ ନିଜର ଅଭିଳାଷିତ ବର ଲାଭ କରି ପାରିଥିଲେ । ଦେବତାମାନେ ଯେବେ ମହିଷାସୁରର ଅତ୍ଯାଚାରରେ ହା' ହା'କାର କରି ବ୍ରହ୍ମାଙ୍କ ଶରଣାପନ୍ନ ହେଲେ ସେବେ ବ୍ରହ୍ମା , ବିଷ୍ଣୁ ଓ ରୁଦ୍ରଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ଯାୟନ ଋଷିଙ୍କ ଆଶ୍ରମରେ ଯଜ୍ଞ କୁଣ୍ଡରୁ ମାୟା ବୀଜ ଦ୍ବାରା ଦୁର୍ଗାଙ୍କୁ ଆବାହନ କଲେ ; ତତ୍ପରେ ପ୍ରକଟ ହେଲେ ଦେବୀ ଦୁର୍ଗା । ସମସ୍ତ ଦେବତାଙ୍କ ଅସ୍ତ୍ରଶସ୍ତ୍ର ଧାରଣ ପୂର୍ବକ ମା' ଦୁର୍ଗା ସିଂହ ପୃଷ୍ଠରେ ଅବସ୍ଥାନ କରି ମହିଷାସୁର ସହ ଯୁଦ୍ଧ କରି ମହିଷାର ବକ୍ଷସ୍ଥଳରେ ତ୍ରିଶୁଳାଘାତ ପୂର୍ବକ ଦାନବର ସଂହାର କଲେ । ସେ ସମୟ ଥିଲା ଚୈତ୍ର ଶୁକ୍ଳପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ ; ତେଣୁ ଏ ସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ ।
ତ୍ରେତୟାରେ ଦାଶରଥି ଆଶ୍ବିନ ମାସରେ ଦଶନନକୁ ଯୁଦ୍ଧରେ ପରାସ୍ତ କରିବା ପାଇଁ ଦୁର୍ଗାଙ୍କୁ ଆରାଧନା କରିଥିଲେ । ସେଦିନ ଠାରୁ ଏହା ଉଭୟ ଚୈତ୍ର ବାସନ୍ତି ନବରାତ୍ର ଓ ଆଶ୍ବିନ ନବରାତ୍ର ଭାବେ ବିଦିତ । ନବମୀର ପରବର୍ତ୍ତୀ ଦିବସଟି ବିଜୟା ଦଶମୀ ; ଏହା ଦେବତା ମାନଙ୍କ ଦ୍ୱାରା ଦୁର୍ଗା ଓ ମହିଷାସୁରର ଯୁଦ୍ଧ ପରବର୍ତ୍ତୀ ବିଜୟାଭିଷେକର ପରମ୍ପରାକୁ ସୂଚାଏ । ପୁରାଣ କହେ , ଜ୍ଯେଷ୍ଠ ମାସ ଶୁକ୍ଳ ଦଶମୀ ହେଉଛି ଗଙ୍ଗାମାତାଙ୍କର ଜନ୍ମ ଦିବସ ; ଏଦିନ ଗଙ୍ଗା ପୂଜନ ପୃର୍ବକ ଗଙ୍ଗା ନଦୀରେ ସ୍ନାନ କଲେ ତ୍ରିବିଧ ପାପ ଖଣ୍ଡନ ହୁଏ ବୋଲି ଏ ତିଥିକୁ "ଦଶହରା" ବା "ଦଶବିଧ ପାପହରଣ ଦିବସ" କୁହାଯାଏ । ଲୋକମୁଖରେ ଏହା "ଗଙ୍ଗା ଦଶହରା" ନାମରେ ବେଶ୍ ପରିଚିତ । ଆଶ୍ବିନ ମାସ ଶୁକ୍ଳପକ୍ଷ ନବମୀ ଦିନ ରାତ୍ରିର ଅନ୍ଧକାର ସହ ତ୍ରୈଲୋକ୍ଯରୁ ଅମଙ୍ଗଳ ଛାୟା ଅପସରି ଗଲା ଦୁର୍ଦ୍ଦାନ୍ତ ମହିଷାର ନିଧନରେ ; ଏହିଦିନ ଠାରୁ ଦୁଃଖ ହରଣ ହୋଇଥିବାରୁ "ବିଜୟା ଦଶମୀ"କୁ "ଦୁଃଖହରା ଦଶମୀ" ବୋଲି କହନ୍ତି । ଏହା ଆଦିକବି ଶୁଦ୍ରମୁନି ସାରଳା ଦାସଙ୍କ "ଚଣ୍ଡୀ ପୁରାଣ"ରେ ଅଛି ।
ଅଷ୍ଟମୀ ଦିନ ବଳି ପୂଜାର ବ୍ଯବସ୍ଥା । "ବଳି" ଶବ୍ଦର ଅର୍ଥ ଉପହାର ; ମା'ଙ୍କୁ ସନ୍ତୁଷ୍ଟ କରିବାକୁ କିଛି ଉପହାର ଦେବାକୁ ପଡ଼େ । ବଳିର ଆଉ ଏକ ଅର୍ଥ (ବିଷୟ ବହିର୍ଭୂତ) ହେଲା - ଭୂମିର ଉତ୍ପନ୍ନ ବସ୍ତୁ ଯେଉଁ ଅଂଶ (ସାଧାରଣତଃ ଷଷ୍ଠାଂଶ) ପ୍ରଜା ରାଜାଙ୍କୁ ଦେଉଥିଲା ତାହାକୁ ସ୍ମୃତିଶାସ୍ତ୍ରରେ "ବଳି" କୁହାଯାଇଛି । ପୂର୍ବରୁ ଜୀବ ମାନଙ୍କୁ ବଳି ଦିଆ ଯାଉଥିଲା , ଏବେ ସେ ସବୁ ବହୁମାତ୍ରାରେ କ୍ଷୀଣ । ଆଜିକାଲି ଲାଉ , ପାଣିକଖାରୁ ଓ ବୋଇତି କଖାରୁ ବଳି ପଡୁଛି । ନବମୀରେ ମାଛ ଭୋଗ ହୁଏ । ଦଶମୀ ଦିନ ଅପରାଜିତା ଫୁଲରେ ସଜ୍ଜିତ ଓ ଅର୍ଚ୍ଚିତ ହୁଅନ୍ତି ଦୁର୍ଗା । ବିଜୟର ଶଙ୍ଖଧ୍ବନି ସହିତ ଉତ୍ସବମୁଖର ହୋଇଉଠେ ପୀଠ । ଏଦିନର ପ୍ରମୁଖ ପ୍ରସାଦ ହେଲା "ଦହି ପଖାଳ" ।
ମାର୍କଣ୍ଡେୟ ପୁରାଣ ଅନୁସାରେ ଚେଦି ସାମ୍ରାଜ୍ୟର ରାଜା ଖ୍ରୀ.ପୂ୩୦୦ରେ ଦୁର୍ଗାପୂଜା ଆରମ୍ଭ କରିଥିଲେ । କିନ୍ତୁ ଐତିହାସିକ ଉଦାହରଣରୁ ଜାଣିବାକୁ ମିଳେ ଚୈତନ୍ୟ ମହାପ୍ରଭୁ ପ୍ରାୟ ୪୦୦ ବର୍ଷ ପୂର୍ବେ କଟକରେ ଏହି ପୂଜା ଆରମ୍ଭ କରିଥିଲେ । ଚୈତନ୍ୟଦେବ ନଦିଆ ଠାରୁ ବାହାରି ବାଟରେ ରହି ରହି ଆସୁଥିଲେ । କଟକ ରହଣି କାଳରେ ସେ ସ୍ଥାନୀୟ ବିନୋଦବିହାରୀ ପୀଠରେ ରହି ୧୫୦୯ ମସିହାରେ ପ୍ରଥମେ ଦୁର୍ଗା ମାତାଙ୍କ ଘଟପୂଜା ଆରମ୍ଭ କଲେ । ଚୈତନ୍ୟଦେବଙ୍କ ସହ ଆସିଥିବା କେତେ ଜଣ ଅନୁଗାମୀ ଏ ପୂଜାକୁ ସାର୍ବଜନୀନ କରିବାକୁ ମୂର୍ତ୍ତି ପୂଜା ଆରମ୍ଭ କଲେ । ୧୮୩୨ ମସିହାରେ କାଜିବଜାରର କେତେକ ଓଡ଼ିଆ ଓ ବେଙ୍ଗଲୀ କର୍ମଜୀବୀ ଯେଉଁମାନେ ଇଂରେଜ ସରକାରଙ୍କ ଇଷ୍ଟ ଇଣ୍ଡିଆ କମ୍ପାନିରେ କାମ କରୁଥିଲେ ସାର୍ବଜନୀନ ଭାବେ ମା'ଙ୍କ ମୂର୍ତ୍ତି ପୂଜା ଆରମ୍ଭ କଲେ । ମୂର୍ତ୍ତି ପୂଜା ମାତ୍ର ୨୦୦ ବର୍ଷ ଭିତରେ ଦେଖିବାକୁ ମିଳିଲା । ତେବେ ପ୍ରଥମେ ଧାତୁ ନିର୍ମିତ ମୂର୍ତ୍ତି ଦେଖିବାକୁ ମିଳୁଥିଲା ବେଳେ ମାତ୍ର ୧୦୦ରୁ ୧୫୦ ବର୍ଷ ମଧ୍ୟରେ ମୃତ୍ତିକା ମୂର୍ତ୍ତିର ବ୍ଯାପକ ପ୍ରସାର ଘଟିଛି । କିନ୍ତୁ ପ୍ରାରମ୍ଭରୁ ପ୍ରଚଳିତ ଘଟପୂଜା ଏବେ ବି ହେଉଛି । ଶାସ୍ତ୍ରରେ କୁହାଯାଇଛି -
"କଲଶସ୍ଯ ମୁଖେ ରୁଦ୍ର , କଣ୍ଠେ ବିଷ୍ଣୁ ପ୍ରକିର୍ତ୍ତିତା
ଅଧୋଶ୍ଚୈବ ସ୍ଥିତ ବ୍ରହ୍ମା , ମଧ୍ଯେ ମାତୃଗଣାଃ ସ୍ମୃତା
କୁକ୍ଷୌ ଚ ସମୁଦ୍ରା ସପ୍ତ , ସପ୍ତ ଦୀପା ଚ ମେଦିନୀ
ଉଦରେ ସର୍ବତୀର୍ଥାନି , ଚିନ୍ତୟିତ୍ବାଂ ପ୍ରପୂଜୟେତ୍ ।"
ତେଣୁ ଗୋଟିଏ ଘଟରେ ଏତେ ଦେବତାଙ୍କ ନିବାସ । ସେ ଯାହା ବି ହେଉ , ଏ ପର୍ବ ବି ସୃଷ୍ଟି କରେ ଭାଇଚାରାର ସମ୍ପର୍କ । ସର୍ବେ ଏକତ୍ରିତ ହୋଇ ଏକ ମନ , ଏକ ପ୍ରାଣରେ ଭକ୍ତି ନୈବିଦ୍ଯ ଅର୍ପଣ ପୂର୍ବକ ଏକ ଆଧ୍ଯାତ୍ମିକ ପରିବେଶ ଉପୁଜାଇ ଥା'ନ୍ତି । ଓଡ଼ିଶାର ଏକ ମହାନ ପର୍ବ ଭାବରେ ଏହା ଦଣ୍ଡାୟମାନ । ସମସ୍ତ ଉତ୍କଳବାସୀଙ୍କର ଏହି ଭକ୍ତି ବଳି ଅତୁଟ ରହୁ ଏବଂ ଭାଇଚାରାର ସମ୍ପର୍କ ସୃଷ୍ଟି କରିଚାଲୁ । ସେହି ମା' ଦୁର୍ଗାଙ୍କ ଅପାର କରୁଣାରୁ କରୋନା ଭଳି ମହାମାରୀ , ସଂସାରର ସମସ୍ତ ପାପ , ଅନ୍ଯାୟ , ଅସଦାଚାର ବିନାଶ ହୋଇ ପୁନର୍ବାର ସୃଷ୍ଟିରେ ଶାନ୍ତି , ପ୍ରୀତି ଓ ମୈତ୍ରୀ ଭାବ ଉଦ୍ଗୀରଣ ହେଉ , ଏତିକି ପ୍ରାର୍ଥନା ମାତ୍ର ।
ଦୁର୍ଗେ ଦୁର୍ଗେ ପ୍ରଦିଶେଷୁ ଦୁର୍ବାର ରିପୁ ମର୍ଦ୍ଦନୀ ।
ମର୍ଦ୍ଦୟିଂତ୍ବା ରିପୁନ୍ ସର୍ବାନ୍ ଦୁର୍ଗେ ରକ୍ଷଂ କୁରୁ ନମୋଽସ୍ତୁତେ ।।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୯୧୭୪୮୦୫୩୬
Comments
Post a Comment