ସାହିତ୍ଯ ରୂପରେ ଗର୍ହିତ ଅପରାଧ

-------------------------------------------------

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 
        ସମ୍ପାଦକ- ଉଦୟ ଭାନୁ 
--------------------------------------------------

      ସାହିତ୍ଯ ସୃଷ୍ଟି କରେ ଶୃଙ୍ଖଳା , ସାହିତ୍ଯ ଯୋଗାଏ ଜ୍ଞାନ ; ସାହିତ୍ୟ ସମାଜର ଦର୍ପଣ । ଆମେ ଯେପରି ହାତରେ ଦର୍ପଣ ଧରି ନିଜ ମୁହଁ ଦେଖି ନିଜ ମୁଖମଣ୍ଡଳକୁ ନାନାଦି ପ୍ରସାଧନ ସାମଗ୍ରୀ ପ୍ରଲେପ କରି ନିଜକୁ ସୁନ୍ଦର କରୁଛୁ ଏବଂ ନିଜକୁ ସଜାଇ ହେଉଛୁ , ଠିକ୍‌ ସେହିପରି ସାହିତ୍ଯ ରୂପକ ଦର୍ପଣକୁ ମାଧ୍ଯମ କରି ଏ ସମାଜ ନିଜକୁ ସୁନ୍ଦର ଓ ସୁସଜ୍ଜିତ କରାଏ । ସାହିତ୍ଯ ବି ଏ ସମାଜର ଶିକ୍ଷକ କହିଲେ ଅତ୍ୟୁକ୍ତି ହେବନି । କର୍ମ , ଧର୍ମ , ଆଚରଣ , ସଂସ୍କୃତି , ପରମ୍ପରା , ରୀତିନୀତି ସବୁକିଛି ଏଇ ସାହିତ୍ୟ ହିଁ ଆମକୁ ଅବଗତ କରାଏ । ସାହିତ୍ଯ ସର୍ବଦା ସମାଜ ହିତରେ ରହିଥାଏ । ଜଣେ ସାହିତ୍ୟ ସାଧକ ହିଁ ଜଣେ ସମାଜସେବୀ ଭାବରେ ପରିଚିତ । ସାହିତ୍ଯରେ ଖାଲି ଏସବୁ ନଥାଏ , ମନୋରଞ୍ଜନ ବି ଥାଏ । ବିଷାଦଗ୍ରସ୍ତ ମନରେ ପ୍ରଫୁଲ୍ଲତା ଆଣିବାରେ ସାହିତ୍ଯ ବି ଏକ ମାଧ୍ୟମ । କିନ୍ତୁ ସେହି ମନୋରଞ୍ଜନ ଭିତରେ ବି ଶିକ୍ଷଣୀୟ କଥା ଲୁକ୍କାୟିତ ଥାଏ । ମନୋରଞ୍ଜନ ବି ସମାଜ ପାଇଁ ଜରୁରୀ , ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି , ପରସ୍ପର ମଧ୍ୟରେ ହସଖୁସି ବାଣ୍ଟି ଭାଇଚାରାର ସମ୍ପର୍କ ସୃଷ୍ଟି କରି ପାରୁଥିବା ସାହିତ୍ଯ ଯେ କେତେ ମହାନ ତାହା ଭାଷାରେ କହିବା ଅସମ୍ଭବ ।

      ତେବେ ଏଠି ପ୍ରଶ୍ନ ଉଠୁଛି କୁଆଡ଼େ ଗଲା ସେ ସାହିତ୍ଯ ? କୁଆଡ଼େ ଗଲେ ସେଭଳି ମହାନ ସାହିତ୍ୟିକ , ଏ ସମାଜର କଳୁଷିତ ପ୍ରତିଛବିକୁ ଦେଖି ଯାହାର ହୃଦୟ ବିଳପି ଉଠୁଥିଲା ? ଯିଏ ଏ ସମାଜରେ ସୁଧାର ଆଣିବାକୁ କଲମ ମୁନରେ ତୋଳି ପାରୁଥିଲେ ଶାଣିତ ସ୍ବର ଆଉ ବାଣ୍ଟି ପାରୁଥିଲେ ଅନେକ ନୀତିଶିକ୍ଷା , ସେମାନେ ସ୍ମୃତି ହୋଇ ରହିଗଲେ ସୃଷ୍ଟିର ଶେଷ ପର୍ଯ୍ୟନ୍ତ । ଶରୀର ନାହିଁ କିନ୍ତୁ ସୃଜନୀ ଅଛି , ଯାହା ତାଙ୍କୁ ଆଜି ଯାଏଁ ଚିରଞ୍ଜିବୀ କରି ରଖିଛି । ଆଜି ସେଭଳି ଆଲେଖ୍ୟ ହୃତ ପ୍ରାୟ ; ନା ଅଛି ଶିକ୍ଷା , ନା ଅଛି ସୁଧାର । କାହା ତୁଣ୍ଡରେ ଆଉ ନାହିଁ - "ମୋ' ଜୀବନ ପଛେ ନର୍କେ ପଡ଼ିଥାଉ , ଜଗତ ଉଦ୍ଧାର ହେଉ"। ଏବେ କିନ୍ତୁ ଏହାର ବିପରୀତ କଥା - "ଜଗତଟା ପଛେ ଯମାଳୟ ହେଉ , ମତେ ମାନ ମିଳୁଥାଉ" । ସମ୍ମାନ ପଛରେ ଗୋଡ଼ାଇ ଗୋଡ଼ାଇ ସାହିତ୍ଯ ସଂସାରକୁ କଳୁଷିତ କରି ସମାଜରେ ବିଶୃଙ୍ଖଳା ସୃଷ୍ଟି କରି ଚାଲିଛନ୍ତି ଅଧୁନା ଯୁଗର କିଛି (ଅ)ସାହିତ୍ଯିକ । ସାହିତ୍ଯର 'ସ' ଅକ୍ଷର ନଜାଣି ସ୍ରଷ୍ଟା ସାଜିଥିବା କିଛି ମୁଖାଧାରୀ ସାହିତ୍ଯିକଙ୍କ ପାଇଁ ଆମ ଭାଷା ସାହିତ୍ଯ ଆଜି ତା'ର ମହତ ହରାଇ ବସୁଛି । ଭାବଗତ , ଭାଷାଗତ ସୃଜନୀ ଆଜି ଆଗ ପରି ଆଉ ନାହିଁ । ଶସ୍ତା ସାହିତ୍ୟର ମାହୋଲରେ ମସ୍‌ଗୁଲ୍‌ ପ୍ରାୟ ଅଧିକାଂଶ ଲେଖକ - ଲେଖିକା । 

      ଭାଷା ହିଁ ସମସ୍ତଙ୍କୁ ପରିଚିତ କରାଇଥାଏ । ବହୁବର୍ଷର ନିରବଚ୍ଛିନ୍ନ ବ୍ଯବହାର ଓ ସାଧନା ହେତୁ ଓଡ଼ିଆ ଭାଷାକୁ ମିଳିଲା ଶାସ୍ତ୍ରୀୟ ମାନ୍ଯତା । ପୂର୍ବସୂରୀ ମାନଙ୍କର ପ୍ରୟାସରେ ଆମ ଭାଷା-ସାହିତ୍ଯ ଆଜି ଗୌରବମୟ ଇତିହାସ ସୃଷ୍ଟି କରିଛି । ମଧୁସୁଦନ ରାଓଙ୍କ ରଚିତ "ବର୍ଣ୍ଣବୋଧ" ଆମ ଓଡ଼ିଆ ଭାଷା ସାହିତ୍ଯର ପ୍ରଧାନ ସ୍ରୋତ କହିଲେ ଅତ୍ୟୁକ୍ତି ହେବନି । ସେ ଯାହା ବି ହେଉ , ଓଡ଼ିଆ ଭାଷା ସାହିତ୍ଯର ସମୃଦ୍ଧି ପାଇଁ ପୂର୍ବରୁ ଏଯାବତ ପ୍ରୟାସ ଜାରି ରହିଛି । କିନ୍ତୁ ରୂପରେ , ଢଙ୍ଗରେ ପରିବର୍ତ୍ତନ ଘଟିଛି । କିଛି ବି ଉଚ୍ଚକୋଟୀର ସାହିତ୍ଯିକ ତାଙ୍କର ସାଧନା ଜାରି ରଖିଛନ୍ତି । ଭାଷା - ସାହିତ୍ଯ ଏବେ ବି ଜୀବିତ ଅଛି ଆମର , କିନ୍ତୁ ଟିକେ ଦୁର୍ବଳ ହୋଇ ପଡ଼ିଛି ତାହା । ପୁଷ୍ଟିକର ଖାଦ୍ୟର ଅଭାବ ହେତୁ ଶରୀର କ୍ଷୀଣ ହେଲା ପରି ଭାବ , ଶବ୍ଦ ଆଦିର ଅଭାବ ହୋଇ ସୃଜନୀ ଶକ୍ତିହୀନ ହୋଇପଡ଼ିଛି । ଶରୀର ପାଇଁ ଯେମିତି ବ୍ଯାୟାମର ଆବଶ୍ଯକତା ରହିଛି , ଠିକ୍‌ ସେମିତି ସାହିତ୍ଯ ପାଇଁ ସାଧନାର ଆବଶ୍ଯକତା ରହିଛି । ମଣିଷ ବଞ୍ଚିବା ପାଇଁ ଯେମିତି କର୍ମର ଆବଶ୍ଯକତା ରହିଛି , ସେମିତି ଭାଷା-ସାହିତ୍ଯ ବଞ୍ଚି ରହିବା ପାଇଁ ମନୋବୃତ୍ତିର ଆବଶ୍ଯକତା ରହିଛି  । 

      ସାହିତ୍ଯ ସର୍ବଦା ସୃଜନଶୀଳ , କିନ୍ତୁ ଅଧୁନା ସାହିତ୍ଯକୁ ବିକଳାଙ୍ଗ କରି ଦିଆଯାଉଛି । ବିଶେଷ କରି କିଛି ସାହିତ୍ଯ ବେପାରୀ ମାନଙ୍କ ଦ୍ବାରା ସାହିତ୍ଯ ଜଗତଟି ପ୍ରଦୂଷିତ ହେବାରେ ଲାଗିଛି ; ଆଉ କିଛି ଖଳ ପ୍ରବୃତ୍ତିର ବ୍ଯକ୍ତି ବିଶେଷ ମାନଙ୍କ ଛଞ୍ଚାଣ ଆଖି ଆମ ଓଡ଼ିଆ ଭାଷାକୁ ନିମ୍ନଗାମୀ କରାଇବାରେ ଲାଗିଛି । କଥାରେ ଅଛି - "ଅଳ୍ପ ଜାଣି , ବହୁ ବଖାଣି" ; ସ୍ବଳ୍ପ ଜ୍ଞାନର ଅଧିକାରୀ ହୋଇ ବଢ଼େଇ ଚଢ଼େଇ ବହୁତ କିଛି କହିବା ଲୋକଙ୍କ ସଂଖ୍ୟା ଲଘୁ । ତା'ଛଡ଼ା କିଛି ଲୋକ ନିଜ ଆଞ୍ଚଳିକ ଭାଷାର ପ୍ରଚାର ପ୍ରସାର କରିବା ପାଇଁ ମୁଖ୍ଯ ଓଡ଼ିଆ ଭାଷା ସାହିତ୍ଯକୁ ବିତୃଷ୍ଣା ଭାବ ପୋଷଣ କରି ଲୋକ ମାନଙ୍କ ମନରେ ତ୍ରୁଟିପୂର୍ଣ୍ଣ ତଥ୍ୟର ବୀଜ ବୁଣିବାରେ ଲାଗିଛନ୍ତି । ଆଉ କିଛି ଅଛନ୍ତି ଯିଏକି ନିଜକୁ ପ୍ରତିଷ୍ଠିତ କରାଇବା ପାଇଁ ଏଭଳି ତଥ୍ୟ ଉପସ୍ଥାପନ କରୁଛନ୍ତି , ଯାହାକି ଓଡ଼ିଆର ପରମ୍ପରାକୁ ଭୁଲ୍‌ ବୋଲି ପ୍ରମାଣିତ କରୁଛି ଏବଂ ଧର୍ମୀୟ ଭାବନା ଉପରେ କଳଙ୍କର କଳାଦାଗ ଲାଗି ଯାଉଛି  । ପୁରାଣ ଶାସ୍ତ୍ରକୁ ଠିକ୍‌ ଭାବରେ ନବୁଝି ବିତଣ୍ଡା ଯୁକ୍ତି କରି ନିଜକୁ ଠିକ୍‌ ବୋଲି ପ୍ରମାଣିତ କରିବାର କୁତ୍ସିତ ପ୍ରୟାସ ଓଡ଼ିଆ ଭାଷା , ସାହିତ୍ଯ , ପରମ୍ପରା , ଧର୍ମ ଆଦିକୁ କଳୁଷିତ କରିବାରେ ଲାଗିଛି  । 

        ନିକଟ ଅତୀତରେ ଏହାର ଉଦାହରଣ ସର୍ବସାଧାରଣରେ ଦେଖିବାକୁ ମିଳିଥିଲା । ରାମାୟଣ ପରି ପବିତ୍ର ପୁରାଣ ଗ୍ରନ୍ଥରେ ବର୍ଣ୍ଣିତ ସୀତା-ରାମଙ୍କ ଚରିତ୍ର ସଂହାର (ଯାହା ମିଥ୍ୟା ବୋଲି ପ୍ରମାଣିତ) ପ୍ରତ୍ଯେକ ଓଡ଼ିଆ ପ୍ରାଣରେ ବିଷାଦର କାଳିମା ଘୋଟାଇ ଦେଇଥିଲା । ମର୍ଯ୍ଯାଦା ପୁରୁଷୋତ୍ତମ ଜଣେ ସ୍ବାର୍ଥପର ବୋଲି ସାମାଜିକ ଗଣମାଧ୍ୟମ ଫେସବୁକରେ ଏକ କବିତା ଉପସ୍ଥାପନ କରାଯାଇଥିଲା ଏବଂ ସୀତାଙ୍କୁ ଅସତୀର ଆଖ୍ଯା ଦିଆଯାଇ ଓଡ଼ିଆଙ୍କ ଧର୍ମୀୟ ଭାବନାକୁ କ୍ଷୁର୍ଣ୍ଣ କରାଯାଇଥିଲା । ଜଣେ ହିନ୍ଦୁ ନାରୀ ହୋଇ ଜଣେ ସତୀ ସାଧ୍ବୀ ନାରୀର ନାମକୁ ଉଦ୍ଧାର କରି ଏଭଳି ସମ୍ବୋଧନ ପୂର୍ବକ ଲେଖା ହିନ୍ଦୁଧର୍ମର ମର୍ଯ୍ଯାଦା କ୍ଷୁର୍ଣ୍ଣ କରୁନାହିଁ କି  ? ଆଉ ଜଣେ ବି ଅଶାଳୀନ ଶବ୍ଦ ପ୍ରୟୋଗ କରି ଜାନକୀ ନାମକୁ ବ୍ଯବହାର କରି ସାମାଜିକ ଗଣମାଧ୍ୟମରେ କବିତା ଉପସ୍ଥାପନ କରିବା ଧର୍ମୀୟ ଭାବନାକୁ କ୍ଷୁର୍ଣ୍ଣ କରୁନାହିଁ କି ? ବିଭିନ୍ନ ବିରୋଧାତ୍ମକ ମନ୍ତବ୍ୟ ପରେ ଉତ୍ତର ଆସିଲା ରାମାୟଣ କୁଆଡ଼େ ଏକ କାଳ୍ପନିକ କାହାଣୀ , ତେବେ ରାମସେତୁ ସତ୍ଯ ବୋଲି ପ୍ରମାଣ ମିଳିଥିଲା କିପରି ? ନାସାର ବୈଜ୍ଞାନିକ ମାନେ ଏହି ରାମସେତୁ ମନୁଷ୍ଯକୃତ ବୋଲି ପ୍ରମାଣ କରିଥିଲେ କିପରି ? ଏତେ ଗଭୀର ଜଳରାଶିରେ କୋଉ ମଣିଷ ଏ ସେତୁ ନିର୍ମାଣ କରିଥିଲା ? ତେବେ ରାମାୟଣ ବର୍ଣ୍ଣିତ କାହାଣୀ କପୋଳକଳ୍ପିତ ବୋଲି କିପରି ଏପରି ଉପସ୍ଥାପନ କରାଯାଉଛି ? ଖାଲି ଏତିକି ନୁହେଁ , ଜଣେ ବିଶିଷ୍ଟ ସାହିତ୍ଯିକ ମଧ୍ୟ ସାମାଜିକ ଗଣମାଧ୍ୟମରେ ଏକ ବିବାଦୀୟ ମନ୍ତବ୍ୟ ପ୍ରଦାନ କରିଥିଲେ , ଯାହା ହିନ୍ଦୁ ଧର୍ମ ପ୍ରତି କୁତ୍ସିତ ମନ୍ତବ୍ୟ ଥିଲା । ତାଙ୍କର ଏହି ଉପସ୍ଥାପନା ବିରୁଦ୍ଧରେ ଅନେକ ସ୍ବର ଉଠିଥିଲା ଏବଂ ବିଭିନ୍ନ ଗଣମାଧ୍ୟମରେ ବେଶ୍‌ ସମାଲୋଚନା ହୋଇଥିଲା । ତାଙ୍କ ବିରୁଦ୍ଧରେ ଏତାଲା ବି ଦିଆଯାଇଛି । ବିଭିନ୍ନ ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି ଏହି ବିବାଦୀୟ ମନ୍ତବ୍ୟଟି । 

    ସେହି ପ୍ରତିଷ୍ଠିତ ସାହିତ୍ଯିକ ଜଣଙ୍କ ଥିଲେ ରାଜେନ୍ଦ୍ର କିଶୋର ପଣ୍ଡା ଏବଂ ତାଙ୍କ ମନ୍ତବ୍ୟ ଥିଲା -
           "ଅଶୋକବନରେ ତୁମେ ଇଚ୍ଛିପାର
                   ରାବଣର ବଳାତ୍କାର 
                  ଅଗ୍ନି ପରୀକ୍ଷାରେ ଏଣେ
                 ହୋଇପାର ଅନାୟାସରେ
                            ଉତ୍ତୀର୍ଣା
                    ତମେ କାହାରି ନୁହଁ ।"
ବୁଦ୍ଧିଜୀବି ମାନେ ବିଚାର କରିବେ ଏଭଳି ଉପସ୍ଥାପନା କେତେଦୂର ଯଥାର୍ଥ । ସାହିତ୍ଯ ସୃଷ୍ଟି କରିବା ଓ ନିଜକୁ ପ୍ରତିଷ୍ଠିତ କରାଇବା ନାଁରେ ଏଭଳି ବିବାଦ ଉଦ୍ରେକକାରୀ ଟିପ୍ପଣୀ ପ୍ରଦାନ କରି ପ୍ରତ୍ୟେକଟି ଓଡ଼ିଆଙ୍କ ଧର୍ମୀୟ ଭାବାବେଗକୁ ନଷ୍ଟ କରିବା କେତେଦୂର ଠିକ୍‌ ବୁଦ୍ଧିଜୀବୀ ମାନେ ଏହାକୁ ସମୀକ୍ଷା କରିବେ । 

       ସାରସ୍ୱତ ସୃଜନୀ ସୃଷ୍ଟିି କରିବା ନାମରେ ବିବାଦ ଘେରକୁ ଟାଣି ହୋଇ ଆସି ନିଜକୁ ପ୍ରତିଷ୍ଠିତ ବ୍ଯକ୍ତି ବୋଲି ପରିଗଣିତ କରାଇବାର ନିଶାରେ ଧର୍ମ ତଥା ଧର୍ମୀୟ ଭାବନାକୁ କୁଠାରଘାତ କରିବାର ଅଧିକାର ତାଙ୍କୁ ଦେଲା କିଏ ? ଜନକ ନନ୍ଦିନୀ ସତୀ ସୀତାକୁ ଦେହଜୀବୀ କହିବା କେତେ ଯଥାର୍ଥ ? ଶ୍ରୀରାମଚନ୍ଦ୍ର ସ୍ବାର୍ଥପର ଓ ମାତା ଜାନକୀ ନଷ୍ଟ ଚରିତ୍ରା ବୋଲି କହିବା ପୂର୍ବରୁ ପ୍ରଥମେ ରାମାୟଣ ପରି ପବିତ୍ର ଗ୍ରନ୍ଥକୁ ଆମୂଳଚୂଳ ପାଠ କରି ସେଥିରେ ଲିଖିତ ପ୍ରତିଟି ପଦକୁ ଅର୍ଥ କରି ବୁଝିବା ଦରକାର ଥିଲା । ଯଦି ସୀତା ଅଗ୍ନି ପରୀକ୍ଷା ଦେଇ ଖରାପ ହୋଇଗଲେ ଏବଂ ଦଶାନନ ଅପହରଣ କରି ନେଇ ଅଶୋକ ବାଟିକାରେ ରଖିବାରୁ ନଷ୍ଟ ଚରିତ୍ରା ହୋଇଗଲେ , ତେବେ ଅହଲ୍ୟା , ଦ୍ରୌପଦୀ , କୁନ୍ତୀ ଏମାନେ କିପରି ସତୀ ହେଲେ ? ଇନ୍ଦ୍ରଙ୍କ ହ ଅହଲ୍ୟାଙ୍କର ଜଳକ୍ରୀଡାର ଦୃଶ୍ଯ ଦେଖି ଅହଲ୍ୟାଙ୍କ ସ୍ବାମୀ ଋଷି ଗୌତମ ତାଙ୍କୁ ପାଷାଣୀ ହେବାର ଶାପ ପ୍ରଦାନ କଲେ । ଶ୍ରୀରାମଙ୍କ ପାଦ ସ୍ପର୍ଶରେ ଅହଲ୍ୟା ପାଷାଣୀରୁ ନାରୀ ରୂପରେ ପୁନଃ ପ୍ରକଟ ହେଲେ । ତେବେ ଅହଲ୍ୟା କିପରି ସତୀ ଆଉ ଜାନକୀ ଅସତୀ ପାଲଟି ଗଲେ ? ପଞ୍ଚୁପାଣ୍ଡବଙ୍କୁ ପତି ରୂପେ ବରଣ କରି ଦ୍ରୌପଦୀ ସତୀ ଆନରେ ଅଳଙ୍କୃତା, ବିବାହ ପୂର୍ବରୁ କୁନ୍ତୀ , କର୍ଣ୍ଣ ପରି ପୁତ୍ରର ଜନନୀ ହୋଇ ସତୀ ହୋଇଗଲେ ; ବାଳୀର ପତ୍ନୀ ତାରା ସୁଗ୍ରୀବଙ୍କୁ ବିବାହ କରି ସତୀ ହୋଇ ରହିଲେ । ତେବେ କୁହ ଏମାନେ ସତୀ ହେଲେ , ଜାନକୀ ଅସତୀ କିପରି ହେଲେ ? ଜାନକୀ ତ ତିଲେ ପତିବ୍ରତା , ଜଣେ ପତିବ୍ରତା ଓ ସାଧ୍ବୀ ନାରୀ ଅସତି କିପରି ହେଲେ ? ରାବଣ କୋଉ ଉଦ୍ଦେଶ୍ୟରେ ଜାନକୀ ହରଣ କରିଥିଲା , ହରଣ ପରେ ଅଶୋକ ବାଟିକାରେ କିଭଳି ବ୍ଯବହାର ପ୍ରଦର୍ଶନ କରୁଥିଲା , ସୀତା ଅଗ୍ନି ପରୀକ୍ଷା ଦେବା ପଛରେ ରହସ୍ୟ କ'ଣ ଏସବୁ ଜାଣି ନଥିବା ବ୍ୟକ୍ତି ଏଭଳି କଦର୍ଥ ରଚନା କରି ସଜ ମାଛରେ ପୋକ ପକାଇଥା'ନ୍ତି । ଧର୍ମ - ଧର୍ମ ବୋଲି ଚିତ୍କାର କରି , ସାହିତ୍ଯ ସୃଷ୍ଟି ନାମରେ ଅଧର୍ମ କରିବା ସହ ଆପଣା ହସ୍ତେ ଜିହ୍ୱା ଚ୍ଛେଦି ସର୍ବତ୍ର ପ୍ରଶଂସା ପରିବର୍ତ୍ତେ ନିନ୍ଦନୀୟ ଆସନରେ ଉପବେଶନ କରିଥା'ନ୍ତି । 

     ଜଣେ ସୁସାହିତ୍ଯିକ କେବେ କୌଣସି ଧର୍ମୀୟ ଭାବନା ଉପରେ ଅଙ୍ଗୁଳି ନିର୍ଦ୍ଦେଶ ପୂର୍ବକ ତା'ର ଭାବନା , ବିଶ୍ବାସ ଓ ପରମ୍ପରାକୁ କ୍ଷୁର୍ଣ୍ଣ କରେନାହିଁ । ସର୍ବଧର୍ମ ସମନ୍ବୟର ରାଷ୍ଟ୍ର ଭାରତ , ଭାଇଚାରାର ସମ୍ପର୍କରେ ପ୍ରାଚୀର ଉଠାଇ ନିଜର ସ୍ବାର୍ଥ ପୂରଣ ନିନ୍ଦନୀୟ ନୁହେଁ କି ? ଭାରତୀୟ ଆଇନ ବ୍ଯବସ୍ଥାରେ କୌଣସି ଧର୍ମକୁ ଅବା ଧର୍ମଗ୍ରନ୍ଥକୁ ଆକ୍ଷେପ କରିବା ଦଣ୍ଡନୀୟ ଅପରାଧ ; ଏହା ସାହିତ୍ଯିକର ଧର୍ମ ନୁହେଁ । ସାହିତ୍ଯିକର ଧର୍ମ ସମାଜରେ ସମନ୍ବୟ ରକ୍ଷା କରିବା ଓ ଶୃଙ୍ଖଳା ବଜାୟ ରଖିବା । ଦୁଃସ୍ଥ ଅସହାୟ ଲୋକଙ୍କ ସୁରକ୍ଷା ପାଇଁ ସାରସ୍ବତ ସୃଜନୀ ସୃଷ୍ଟିି କରି ସୁରକ୍ଷାଦାତାର ଦୃଷ୍ଟି ଆକର୍ଷଣ ପୂର୍ବକ ସହାୟତାର ବନ୍ଦୋବସ୍ତ କରିବା , ବିଭିନ୍ନ ବିଷୟରେ ଜ୍ଞାନ ବାଣ୍ଟିବା , ସମାଜର ମଙ୍ଗଳ କାମନା ପୂର୍ବକ କଲମ ଚାଳନା କରିବା ହିଁ ସାହିତ୍ୟିକର ସର୍ବାଦୌ କର୍ତ୍ତବ୍ୟ । ନିଜର ସ୍ବାର୍ଥ ହାସଲ ପାଇଁ କାହା ପ୍ରତି ଆକ୍ଷେପ କରିବା , ରୀତିନୀତି ଓ ପରମ୍ପରାକୁ ଭଗ୍ନ ଓ କଳୁଷିତ କଲା ପରି ସୃଜନୀ ପ୍ରସ୍ତୁତ କରିବା ଜଣେ ସାହିତ୍ଯିକ ପାଇଁ ନିନ୍ଦନୀୟ ଏବଂ ଦଣ୍ଡନୀୟ ମଧ୍ୟ । 

       ସାହିତ୍ଯିକର ତ୍ରିଗୁଣ ହେଲା - "ଦୟା , ସହନଶୀଳତା , ମିତ୍ରତା" ; ଏ ତିନି ଗୁଣ ନୁହେଁ ତ୍ରିରତ୍ନ ମଧ୍ୟ । ସାହିତ୍ଯିକର ପ୍ରଧାନ ଧର୍ମ ହେଉଛି - "ଅନ୍ବେଷଣ , ଅଧ୍ଯୟନ , ଆହରଣ" ଏବଂ ତିନୋଟି କର୍ତ୍ତବ୍ୟ ହେଲା - "ସାରସ୍ବତ ସାଧନାରେ ମନୋନିବେଶ , ବିଶ୍ଳେଷଣ କରି ପରିବେଷଣ , ସଠିକ ତଥ୍ୟ ପ୍ରମାଣ ସହ ଉପସ୍ଥାପନ"। ସ୍ବାର୍ଥନ୍ବେଷୀ ହୋଇ କାହାର କ୍ଷତି ଘଟାଇବା ଜଣେ ସାହିତ୍ଯିକ ପାଇଁ ଶୋଭନୀୟ ନୁହେଁ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ କଲମ ମୁନରୁ ଝରି ପଡ଼ିଥିବା ପଦ୍ଯାଂଶଟିଏ ମନେପଡ଼େ - 
       "ଜାତି ନନ୍ଦିଘୋଷ      ଚଳିବ କି ଭାଇ 
                ସ୍ବାର୍ଥକୁ ସାରଥୀ କଲେ
       ଟାଣେ କିରେ ଗାଡ଼ି     ଦାନାର ତୋବଡ଼ା
              ଘୋଡ଼ା ମୁହେଁ ବନ୍ଧା ଥିଲେ ।"
ମଧୁବାବୁଙ୍କ ଭାଷାରେ - "ତୋଷାମଦ ନୁହେଁ ବରଂ ସତ୍ଯ ଓ ସାହସ ଓଡ଼ିଆ ଜାତିର ଅସଲ ପରିଚ଼ୟ ।" ସେ ଲେଖିଥିବା ସେହି କାଳଜୟୀ ରଚନାଟି ହେଉଛି -
         "ତୁ ପରା ବୋଲାଉ     ଉତ୍କଳ ସନ୍ତାନ 
                 ତେବେ କିମ୍ପା ତୁହି ଭୀରୁ   
          ତୋହର ଜନନୀ     ରୋଦନ କରିଲେ 
                   କହିବାକୁ କିମ୍ପା ଡ଼ରୁ ?"

           ତେଣୁ ଆଜି ଉତ୍କଳ ଜନନୀ ରୋଦନ କରୁଛି , ତା'ର ଭାଷା , ସାହିତ୍ଯ , ପରମ୍ପରା , ଧର୍ମ ସବୁକିଛି ଦୂଷିତ ପ୍ରାୟ । ଅନେକ କିଛି ନିଶ୍ଚିହ୍ନ ମଧ୍ୟ । ଦୂଷିତ ହୋଇଥିବା ଏଗୁଡ଼ିକୁ ବିଶୁଦ୍ଧ ପାଇଁ ପ୍ରତ୍ଯେକ ଓଡ଼ିଆ ଆପ୍ରାଣ ପ୍ରଚେଷ୍ଟା କରିବା ଉଚିତ । ଏଥିରେ ସାହିତ୍ଯିକଙ୍କର ବେଶ୍‌ ଗୁରୁତ୍ୱ ବହନ କରେ । ସମାଜରେ ଥିବା ଦୁଃସ୍ଥ ଅସହାୟ , ନିଷ୍ପେସିତ ଓ ଅବହେଳିତ ଲୋକଙ୍କୁ ଦେଖି ଯାହା ଆଖିରୁ ଝରିପଡ଼େ ଅଶ୍ରୁବିନ୍ଦୁ , ସେ ହିଁ ଜଣେ ସଚ୍ଚା ସାହିତ୍ଯିକ । ଏସବୁ ଦେଖିଲା ପରେ ଜଣେ ସାଧାରଣ ଲୋକ ବି କ'ଣ ଦୁଇ ପଦ ଗାୟେଇ ଦିଏ, ଯାହା ରୂପ ନିଏ ସାହିତ୍ଯର ; ସେ ଏହି ଦୁଇ - ଦୁଇ ପଦର ଆଲେଖ୍ୟରେ ପାଲଟି ଯାଏ ଜଣେ ସୁସାହିତ୍ଯିକ । 

     ତେବେ ନିଜକୁ ପ୍ରତିଷ୍ଠିତ କରାଇବା ପାଇଁ , ନିଜ ନାମକୁ ସର୍ବବିଦିତ କରିବାକୁ ନିଜର ଭାଷା - ସାହିତ୍ଯ , ନିଜ ଜାତିକୁ କଳୁଷିତ କରିବା ଏବଂ ସ୍ବାର୍ଥ ହାସଲ ପାଇଁ ସମାଜରେ ଅଶାନ୍ତିର ବାତାବରଣ ସୃଷ୍ଟି କରିବା ଦ୍ୱାରା ଜଣେ ଯେତେବଡ଼ ସାହିତ୍ଯିକ ହେଲେ ବି ସେ ସାହିତ୍ଯିକ ପଦବାଚ୍ୟ ନୁହେଁ । ସାହିତ୍ଯ ନାମରେ ଅହିତ ସାଧନ ନିଜର ସାଧନା ପଥକୁ ସଂପ୍ରସାରଣ ପରିବର୍ତ୍ତେ ସଙ୍କୁଚିତ କରାଇଥାଏ । ଅଧୁନା ଯୁଗରେ ଏହିପରି ଭାବରେ ସାହିତ୍ଯ ରୂପରେ ଗର୍ହିତ ଅପରାଧ କରାଯାଉଛି , ଯାହା ସମାଜକୁ ଅଧଃପତନ କରିବାରେ ସକ୍ଷମ ହେଉଛି । ସବୁ ଦେଖି , ଶୁଣି , ଜାଣି ବି ସମସ୍ତେ ନିରବ । କାହାର ସାହସ ନାହିଁ ପ୍ରତିରୋଧ କରିବାକୁ , ସାହିତ୍ଯ ନାମରେ ଅସାହିତ୍ଯର ପଥରୋଧ କରିବାକୁ କେହି ବି କଲମ ମୁନକୁ ଶକ୍ତ କରୁନାହାନ୍ତି । ଅସାହିତ୍ଯର ଅସୀମ ଶକ୍ତି ଆଗରେ ସାମର୍ଥ୍ୟ ହୀନ ହୋଇ ପଡ଼ିଛି ଅସଲି ସାହିତ୍ଯ । ଅସାହିତ୍ଯ ରୂପୀ ଅସୁରର ସଂହାର କେବେ ଦେଖିବାକୁ ବାକି ରହିଲା ।

**************************** 
 ଭାଟପଡ଼ା,ନିରାକାରପୁର,କଣାସ,ପୁରୀ 
   ଯୋଗାଯୋଗ - ୮୯୧୭୪୮୦୫୩୬
****************************

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା