ସ୍ମୃତି

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

        ସମ୍ପାଦକ - ଉଦୟ ଭାନୁ 

--------------------------------------------------------

      ଜୀବନ ଅଛି ତ ଯନ୍ତ୍ରଣା ଅଛି , ସବୁକିଛି ଯନ୍ତ୍ରଣାକୁ ସହ୍ଯ କରି ଆଗକୁ ମାଡ଼ି ଚାଲିଲେ ସଫଳତା ବି ଅଛି । କିନ୍ତୁ ବେଳେବେଳେ ବିଫଳତା ପାଶ ଛାଡେନି । କିଛି ଯନ୍ତ୍ରଣା ଯୁକ୍ତ ଘଟଣା ଭୁଲିହୁଏ , ଆଉକିଛି ସ୍ମୃତି ହୋଇ ରହିଯାଏ । ସେମିତି କିଛି ଯନ୍ତ୍ରଣା ଛାପ ହୋଇ ରହିଯାଇଛି କିଛି ଜଣଙ୍କ ମନରେ ତ କିଛି ଦୁଃସ୍ବପ୍ନ ଭାବି ଭୁଲି ହୋଇଯାଇଛି । କିଛି ଶାରୀରିକ , କିଛି ମାନସିକ ଏପରି ଯନ୍ତ୍ରଣା ଆନ୍ଦୋଳିତ କରୁଛି ପ୍ରସାଦ ବାବୁଙ୍କୁ । ତା' ଭିତରେ ଘଟି ଯାଇଥିବା ଅଲୌକିକ ଘଟଣା ବି ଚକିତ କରି ପକାଉଛି । ସତରେ କ'ଣ ଏମିତି ଆଶ୍ଚର୍ଯ୍ୟ ହୋଇପାରେ ! ମନକୁ ମନ ପ୍ରଶ୍ନ-ଉତ୍ତର ସହ ମନ ଭିତରେ ବିସ୍ମୟକର ଭାବ ପରିଲକ୍ଷିତ । 

      ଜାତ ବେଳୁ ଏଯାବତ ଯନ୍ତ୍ରଣା ଚିରସଙ୍ଗତ ପ୍ରସାଦ ବାବୁଙ୍କର । ଦୈବର କୂଟଚକ୍ରାନ୍ତ କିମ୍ବା ନିଜ ପୂର୍ବ ଜନ୍ମର କୃତକର୍ମର ଫଳ ଅଥବା କେବେ କାହାର ଅଭିଶାପର ଫଳ ବୋଧହୁଏ ଏ ଜନ୍ମରେ ଭୋଗାଭୋଗ । ତେଣୁ ସେ ନିଜକୁ ଏକ ଅଭିଶପ୍ତ  ମଣିଷ ବୋଲି ପରିଚୟ ଦେଇ ସାରିଛନ୍ତି , ଜାଣି ସାରିଛନ୍ତି ସେ ଅଭିଶପ୍ତ ଜୀବନର ଅଧିକାରୀ । ସବୁ କଥା ଭିତରେ ମନେ ପଡ଼ିଯାଏ ସେହି ଅଲୌକିକ ଘଟଣାବଳୀ ସବୁ , ଯାହା ଯେ' କେହି ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯାଇପାରେ । ବୋଧହୁଏ ପାଗଳ କହି ଢ଼େଲା ଫିଙ୍ଗିବେ କିମ୍ୱା ଥଟ୍ଟା ତାମସାରେ ପୋତି ପକାଇବେ । ଭୁକ୍ତଭୋଗୀ ହିଁ ଜାଣେ ତା'ର ବାସ୍ତବତାକୁ । ସତ୍ଯ-ନ୍ଯାୟ -ଧର୍ମ ମାର୍ଗୀ ସର୍ବଦା ଅବହେଳିତ ଏହା ଅବାସ୍ତବ ନୁହେଁ । ତଥାପି ଜାବୁଡ଼ି ଧରିବାକୁ ପଡ଼େ । ଆତ୍ମୀୟ ଯେତେବେଳେ ପର ପାଲଟି ଯାଆନ୍ତି , ସେଠି ଅନ୍ଯ ମାନଙ୍କ କଥା ନକହିବା ଭଲ । ଏଇ ଭଳି ଏକ ଅଲୌକିକ ଘଟଣାକୁ ମନ ମଧ୍ୟରେ ରୋମନ୍ଥନ କରୁଥା'ନ୍ତି ପ୍ରସାଦ ବାବୁ ସେଦିନ ନିର୍ଜନ ନିଶାରେ ଦାଣ୍ଡ ଘର କାଠ ଚୌକି ଉପରେ ବସି , ସତରେ କିଛି ଏଭଳି ହେଲା ଯାହା ବିସ୍ମୟକର । ଘଟଣାଟି ବାଲ୍ଯ ବେଳର ଥିଲା , ପ୍ରସାଦ ବାବୁଙ୍କୁ ବୟସ ତେର ବର୍ଷ ହୋଇଥିବ । 

     ହଠାତ ଜ୍ବର ରୋଗରେ ପୀଡ଼ିତ ଥିଲେ , ଏକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜନକ-ଜନନୀ ପୂର୍ବରୁ ଦେଇ ଚାଲିଥିଲେ ଅକଥନୀୟ ନିର୍ଯ୍ଯାତନା । ଔଷଧପତ୍ରରେ ଗୁଡ଼ାଏ ଅର୍ଥ ବ୍ଯୟ ହେଲା , ଅଥଚ ଜ୍ବର ଛାଡ଼ିବାର ନାଁ ଧରିଲାନି । ଚାରିଦିନ କାଳ ଶଯ୍ଯାଶାୟୀ ହେବା ପରେ ପଞ୍ଚମ ଦିନ ସନ୍ଧ୍ଯାରେ ହଠାତ ଏକ ବିରାଟ ପରିବର୍ତ୍ତନ ଦେଖା ଦେଇଥିଲା । ପ୍ରସାଦ ବାବୁଙ୍କର କ'ଣ ହେଲା କେଜାଣି , ନାଡ଼ି ଚାଲିବା ବନ୍ଦ । ଚେତାଶୂନ୍ୟ ହୋଇ ପଡ଼ି ଯାଇଥିଲେ । କିଛି ଲୋକଙ୍କ ପରୀକ୍ଷା ନିରୀକ୍ଷା ପରେ ଜଣା ପଡ଼ିଲା ଯେ ପ୍ରସାଦ ବାବୁଙ୍କର ମାପ୍ରୟାଣ ଘଟିଛି । 

      ସେଦିନ ସନ୍ଧ୍ୟାରେ ଲୁଚି ଯାଇଥିଲା ଶଶାଙ୍କ , ଘୋଟି ଯାଇଥିଲା ଆକାଶରେ କଳାବାଦଲ । ବିରାଟ ଏକ କଳା ମେଘ ଖଣ୍ଡ କୋଳେଇ ନେଇ ତା'ର ପଣତରେ ଢ଼ାଙ୍କି ଦେଇଥିଲା ଚନ୍ଦ୍ରଙ୍କୁ । ଲାଗୁଥିଲା ଯେମିତି ବାଦଲଟା ଏଇଲାଗେ ଫାଟି ରାଶି ରାଶି ଜଳ ଅଜାଡ଼ି ଦେବ । ବିଧି ବ୍ୟବସ୍ଥା ସହ ସତ୍କାର ପାଇଁ ନିଆଗଲା ଗ୍ରାମ୍ଯ ଶ୍ମଶାନକୁ । ଛଅ ଖଣ୍ଡ କାଠର କୋକେଇରେ ଯାଇ କାଷ୍ଠ ଶଯ୍ଯାରେ ସଜ୍ଜିତ ହୋଇଗଲେ ପ୍ରସାଦ ବାବୁ । ହଠାତ ବର୍ଷା ଆରମ୍ଭ , ଚାହୁଁ ଚାହୁଁ ମୂଷଳ ଧାରାର ରୂପ । ଅପେକ୍ଷା କଲେ ସମସ୍ତେ ଟିକେ ଦୂରରେ ଏକ ବୃକ୍ଷ ମୂଳରେ , ବର୍ଷା ଛାଡ଼ିଲେ ଶବ ସତ୍କାର ହେବ । ପ୍ରାୟ ଦେଢ଼ ଘଣ୍ଟା ପରେ ବର୍ଷା କମିଲା , ସମସ୍ତେ ଜୁଡୁବୁଡୁ ଓଦା । ଫେରିଲେ ଶ୍ମଶାନ ଜୁଈ ପାଖକୁ । ହଠାତ ଆଶ୍ଚର୍ଯ୍ୟ , କାଷ୍ଠଶଯ୍ଯା ଯେପରି ସେପରି ଅଛି କିନ୍ତୁ ଶବ ଗଲା କୁଆଡ଼େ ? ବିଲୁଆ-କୁକୁର ନେଇଗଲେ କି ଆଉ  !

     ଚାରିଆଡେ ତନ୍ନତନ୍ନ କରି କୋଜା ଚାଲିଲା । କିନ୍ତୁ ସନ୍ଧାନ ମିଳିଲାନି । ରାତି ପାହି ପାହି ଆସୁଛି । ସମସ୍ତେ ଫେରି ଆସିଲେ ଘରକୁ ଆଶ୍ଚର୍ଯ୍ୟ ଚିତ୍ତରେ । ତହିଁ ଆରଦିନ ଅନ୍ଯ ଗାଁ ଠାରୁ ପାଞ୍ଚ କି.ମି ଦୂର ଏକ ଶିବ ମନ୍ଦିର ସମ୍ମୁଖରେ ପ୍ରସାଦ ବାବୁ ନିଜେ ନିଜକୁ ଠାବ କଲେ । ଆଖି ଖୋଲିଲା ବେଳକୁ ମନ୍ଦିର ପୂଜକଙ୍କ ସହିତ କିଛି ଲୋକ ଚାରି ପାଖରେ ରୁଣ୍ଡ । ସାମ୍ନାରେ ଶିବ ମନ୍ଦିର , ଆଶ୍ଚର୍ଯ୍ୟ ହୋଇଗଲେ ପ୍ରସାଦ ବାବୁ । ପୂଜକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପ୍ରସାଦ ବାବୁ ତାଙ୍କୁ ଜ୍ବର ହୋଇଥିବା କଥା କହିଲେ । ତା'ପରେ କ'ଣ ଘଟିଛି ଜାଣିନି ବୋଲି କହିଲେ । କିଛି ଲୋକଙ୍କ ସହାୟତାରେ ଘରେ ପହଞ୍ଚାଇ ଦିଆଗଲା ତାଙ୍କୁ । ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ , ମଲା ଲୋକଟା ବଞ୍ଚିଲା କେମିତି ? ପୁଣି ଏଠୁ ଶବ ଯାଇ ଏତେ ଦୂରରେ ଶିବ ମନ୍ଦିର ସାମ୍ନାରେ ପଡ଼ିଲା କେମିତି ? ଇଏ ତ ଅଲୌକିକତା ! 

      କଥାରେ ଅଛି  - "ରଖେ ହରି ତ ମାରେ କିଏ , ମାରେ ହରି ତ ରଖେ କିଏ ?" ସ୍ବୟଂ ମହାଦେବଙ୍କ ଆଶୀର୍ବାଦ ବୋଧହୁଏ , ଏଇଆ ଭାବି ରହିଲେ ସମସ୍ତେ । ଏହି ଘଟଣା ଚକିତ କରିଦେଇଥିଲା ଜାଣିବା-ଶୁଣିବା ଲୋକଙ୍କୁ । ସେଦିନ ନିର୍ଜନ ରାତ୍ରିରେ ଏଇ ସ୍ମୃତିକୁ ସାଉଁଟି ଲୋଚନାଶ୍ରୁ ନିର୍ଗତ କରୁଥା'ନ୍ତି ପ୍ରସାଦ ବାବୁ । କିଛି ସମୟ ପରେ ସ୍ବାଭାବିକ ଅବସ୍ଥାକୁ ଆସି ସଉପ ବିଛାଇ ଶୋଇ ପଡ଼ିଲେ । 

       ବେଳେ ବେଳେ ଜୀବନରେ ଏମିତି ଘଟଣା ଘଟେ ଯାହା ଅବିଶ୍ବାସନୀୟ କିନ୍ତୁ ବାସ୍ତବ । ବିଭୁ ଆଶୀଷ ବେଳେବେଳେ ପ୍ରାପ୍ତ ହୁଏ । ସ୍ମୃତି କେବେ ଆନନ୍ଦ ତ କେବେ ବିଷାଦ , ତଥାପି ସେ ସ୍ମୃତି  । ଏ ଘଟଣା ଆନନ୍ଦ କି ବିଷାଦ କହିବା ଅସମ୍ଭବ ।

%%%%%%%%%%%%%%%%%%%%%%
     ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
%%%%%%%%%%%%%%%%%%%%%%


Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା