ମାସ ମଧ୍ୟେ ଶ୍ରେଷ୍ଠ କାର୍ତ୍ତିକ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି 

         ସମ୍ପାଦକ - ଉଦୟ ଭାନୁ 


       ବର୍ଷକ ବାରମାସ ଓ ଛ୍ ଋତୁ ; ତନ୍ମଧ୍ୟରୁ କାର୍ତ୍ତିକ ଶ୍ରେଷ୍ଠ ମାସ ବୋଲି ବିବେଚନା କରାଯାଏ । ସ୍କନ୍ଦ ପୁରାଣରେ କୁହାଯାଇଛି ଯେ , 

  "ମାସାନାଂ କାର୍ତ୍ତିକ ଶ୍ରେଷ୍ଠ ଦେବାନାଂ ମଧୁସୁଦନଃ ।
  ତୀର୍ଥନାରାୟଣକ୍ଷାମ୍ହି ତ୍ରିତୟମଦୁର୍ଲଭମ୍‌ କଲୌ ।।
  ନାକାର୍ତ୍ତିକ ସମଃମାସୋ ନକୃତେନ ସମଃଯୁଗମ୍‌ ।
ନା ବେଦ ସଦୃଶ ଶାସ୍ତ୍ରମ୍‌ ନା ତୀର୍ଥ ଗଙ୍ଗା ସମମ୍‌ ।।"

ଅର୍ଥାତ ମାସ ମଧ୍ୟେ କାର୍ତ୍ତିକ , ଦେବତାଙ୍କ ମଧ୍ଯେ ମଧୁସୁଦନ , ତୀର୍ଥ ସମୂହ ମଧ୍ଯେ ନାରାୟଣ ତୀର୍ଥ ବା ବଦ୍ରିକା ତୀର୍ଥ ଶ୍ରେଷ୍ଠ ଅଟେ । କାର୍ତ୍ତିକ ସମାନ ମାସ ନାହିଁ , ସତ୍ଯଯୁଗ ପରି ଯୁଗ ନାହିଁ , ବେଦ ସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ । କୃତ୍ତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣମା ପଡୁଥିବା ଚାନ୍ଦ୍ରମାସ ହେଉଛି କାର୍ତ୍ତିକ । ନାରଦୀୟ ପୁରାଣ ବି କାର୍ତ୍ତିକ ମାସକୁ ଶ୍ରେଷ୍ଠ ମାସ ବୋଲି ବିବେଚନା କରିଛି । କାର୍ତ୍ତିକ ହେଉଛି ଧର୍ମର ମାସ , ତେଣୁ ଗ୍ରାମରୁ ସଦର ସମସ୍ତେ ନିଷ୍ଠାର ସହ ପାଳନ ବିଧି ଆଚରନ୍ତି । କେହି ଯଦି ମାସ ଗୋଟାକ ନ ପାଳିପାରେ ତେବେ ପଞ୍ଚୁକ ପାଞ୍ଚଦିନ ପାଳନ୍ତି । ଏ ସମୟରେ ପଡ଼େ ଦୀପାବଳି , ବୋଇତ ବନ୍ଦାଣ , ରାଧା ଦାମୋଦର ପୂଜା  , ବଡ଼ଓଷା , ବାଲୁଙ୍କା ପୂଜା ଆଦି ପର୍ବାଣୀ । କାର୍ତ୍ତିକ ମାସର ଶୁକ୍ଳ ଏକାଦଶୀରୁ ପୂର୍ଣ୍ଣିମା ଯାଏଁ (ପଞ୍ଚୁକ ପାଞ୍ଚଦିନ)କୁ ଭୀଷ୍ମ ପଞ୍ଚକ , ବକ ପଞ୍ଚକ , ମହାପଞ୍ଚକ ଆଦି ନାମରେ ନାମିତ ହୋଇଥାଏ । ଏ ମାସଟି ସ୍ବୟଂ ବିଷ୍ଣୁଙ୍କର ଅତ୍ଯନ୍ତ ପ୍ରିୟ ମାସ । କାର୍ତ୍ତିକ ପୂର୍ଣ୍ଣମୀରେ ଭଗବାନ ବିଷ୍ଣୁ ମତ୍ସ୍ଯ ରୂପ ଧାରଣ ପୂର୍ବକ ପୃଥିବୀର ରକ୍ଷାକର୍ତ୍ତା ସାଜିଥିଲେ ବୋଲି ପୁରାଣ ଶାସ୍ତ୍ରର ମତାମତ ରହିଛି । 

      ଏ ମାସ ଅତ୍ଯନ୍ତ ଧର୍ମୀୟ ମାସ ; ମାସ ସାରା ଦୀପଦାନ ଚାଲେ ଏବଂ ତୁଳୀ ଅର୍ଚ୍ଚନା ଏ ମାସର ଅନ୍ଯତମ ବୈଶିଷ୍ଟ୍ୟ । ହବିଷ୍ୟାଳୀ ମାନଙ୍କର ମାସ ସାରା ହବିଷ୍ୟ ବ୍ଯଞ୍ଜନ ଭୋଜନ ଏବଂ ହରିନାମ କୀର୍ତ୍ତନ । କାର୍ତ୍ତିକ ପୂର୍ଣ୍ଣମୀ ପ୍ରାତଃରେ ବୋଇତ ବନ୍ଦାଣ ବେଳେ କୁହାଯାଏ ଯେ -
                     "ଆ କା ମା ବୈ
                    ପାନ ଗୁଆ ଥୋଇ ;
                     ପାନ ଗୁଆ ତୋର
                   ମାସକ ଧରମ ମୋର ।"
ବୈଶାଖ , ଆଶାଢ଼ , କାର୍ତ୍ତିକ ଓ ମାଘ ଅତି ପବିତ୍ର ଓ ଧର୍ମର ମାସ ; ଏଥି ମଧ୍ଯରେ କାର୍ତ୍ତିକ ଶ୍ରେଷ୍ଠ । ଏହି ମସରୁ ଦେବ ତତ୍ତ୍ବ ସୁଦୃଢ଼ ହୋଇଥାଏ ଓ ତୁଳସୀ ରୋପଣ ଓ ବିବାହ ସର୍ବୋତ୍ତମ ହୋଇଥାଏ । ଶାସ୍ତ୍ର କହେ ଏ ମାସରେ ଦାନ କରିବା ମହାପୁଣ୍ୟ ଏବଂ ଦୀପଦାନ କଲେ ଅକ୍ଷୟ ଶୁଭ ଫଳ ପ୍ରାପ୍ତ ହୁଏ । କାର୍ତ୍ତିକ ମାସରୁ ସ୍ନିଗ୍ଧ ଜିନିଷ ଏବଂ ଡ୍ରାଇ ଫ୍ରୁଟ୍‌ସ୍‌ ଖାଇବାକୁ ପରମର୍ଶ ଅଛି । ଗରମ ତଥା ଦୀର୍ଘ ସମୟ ଯାଏଁ ଶକ୍ତି ବଜାୟ ରଖି ପାରୁଥିବା ଜିନିଷ ଭୋଜନ କରିବା ଉଚିତ ; କିନ୍ତୁ ଏ ମାସରେ ଡାଲି ଖାଇବା ପାଇଁ ବାରଣ ଅଛି ଏବଂ ମଧ୍ଯାହ୍ନରେ ନିଦ୍ରା ନଯିବାକୁ କୁହାଯାଇଛି । ସୂର୍ଯ୍ଯ କିରଣରେ ସ୍ନାନକୁ ଏହି ମାସରେ ଉତ୍ତମ ବିବେଚିତ । 

      କେବଳ ବିଷ୍ଣୁଙ୍କର ନୁହେଁ , କମଳାଙ୍କର ବି ପ୍ରିୟ ମାସ କାର୍ତ୍ତିକ । ଏ ମାସରେ ବିଷ୍ଣୁ ଯୋଗ ନିଦ୍ରାରେ ଜଗିଥିବା ବେଳେ ସ୍ବୟଂ ଲକ୍ଷ୍ମୀ ସଦା ଭ୍ରମଣରତ ଥା'ନ୍ତି ; ତେଣୁ ତାଙ୍କ କୃପା ବାରି ବର୍ଷଣ ହୋଇଥାଏ । ତାଙ୍କ କୃପା ପ୍ରାପ୍ତ ପାଇଁ ଧନ ତ୍ରୟୋଦଶୀ , ଗୋପାଷ୍ଟମୀ ଓ ଦୀପାବଳି ପାଳନ କରାଯାଏ । ଜ୍ଯୋତିଷ ଶାସ୍ତ୍ରାନୁଯାୟୀ କୃତ୍ତିକା ନକ୍ଷତ୍ର ଅନୁସାରେ ଏହି ମାସର ନାମ କାର୍ତ୍ତିକ ହୋଇଥିବା ବେଳେ ଜନଶ୍ରୁତିରେ ଶିବଙ୍କ ସୁତ କାର୍ତ୍ତିକଙ୍କ ନାମାନୁସାରେ ହୋଇଛି ବୋଲି କୁହାଯାଏ । ଗଜଲକ୍ଷ୍ମୀ ପୂଜା ରୁ ଏ ମାସର ପ୍ରାରମ୍ଭ । ଏ ମାସରେ ପ୍ରତ୍ଯେକ ଜଳରାଶିରେ ମତା ଗଙ୍ଗାଙ୍କ ସ୍ଥାନ ରହିଥିବାରୁ ସ୍ନାନର ମହତ୍ତ୍ୱ ଢ଼େର୍‌ ବେଶୀ । କାର୍ତ୍ତିକେୟ ଏ ମାସରେ ନରକାସୁରର ବଧ କରିଥିଲେ ବୋଲି "କାର୍ତ୍ତିକ ମହାତ୍ମ୍ୟ"ରେ ଅଛି । କାର୍ତ୍ତିକ ସ୍ବରଗ ସେନାପତି ଭାବରେ ସ୍ବର୍ଗ ରାଜ୍ଯର ରକ୍ଷାକର୍ତ୍ତା । ସ୍ବର୍ଗ ଉପରେ ପ୍ରଥମ ଅଧିକାର କାର୍ତ୍ତିକଙ୍କର ଥିବାରୁ ସ୍ବର୍ଗ ପ୍ରାପ୍ତି ଉଦ୍ଦେଶ୍ଯେ କାର୍ତ୍ତିକ ବ୍ରତ ପାଳନ କରାଯାଏ । ହରି ଓ ହରଙ୍କ ପ୍ରିୟ ମାସ ହେତୁ ଏ ମାସରେ ହରିହର ଉପାସନା ମହତ୍ତ୍ୱପୂର୍ଣ୍ଣ । କୁହାଯାଏ ପଞ୍ଚୁକ ପାଞ୍ଚଦିନ ବଗ ବଗୁଲୀ ବି ଆମିଷ ସ୍ପର୍ଶ କରନ୍ତିନି , ତେଣୁ ଏ ପାଞ୍ଚଦିନ ଚଉରା ମୂଳେ ପଞ୍ଚବର୍ଣ୍ଣି ମୁରୁଜ ପକାଇ ବଗ ବଗୁଲୀଙ୍କୁ ଡକାଯାଏ । ଲୋକବିଶ୍ବାସନୁସାରେ ଏ ମାସରେ ତୁଳସୀ ପୂଜା ଦ୍ବାରା ଯମଦୂତଙ୍କ ଭୟ ଶେଷ ହୁଏ । 

    ଶାସ୍ତ୍ର କହେ କାର୍ତ୍ତିକ ମାସରେ ବିଛଣାରେ ନ୍ସୋଇ ଭୂମିରେ ଶୟନ କରିବା ଉଚିତ ।ଏହାଦ୍ବାରା ବ୍ଯକ୍ତିର ମନ ଶୁଦ୍ଧ ହେବା ସହ ନକରାତ୍ମକ ଭାବନା ଦୂର ହୋଇ ସକରାତ୍ମକ ଭାବନାର ସର୍ଜନ ହୁଏ । ଏ ମାସରେ ତେଲ ଲଗାଇବା ଅନୁଚିତ । ଯଦି ତେଲ ଲଗାଇବାକୁ ଉତ୍ସୁକ ତେବେ କାର୍ତ୍ତିକ ଚତୁର୍ଦ୍ଦଶୀ (ନରକ ଚତୁର୍ଦ୍ଦଶୀ)ରେ ଲଗାଇ ପାରିବେ । ଏ ମାସରେ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ ପୂର୍ବକ ହରିନାମ ଭଜନରେ ରତ ହେବା ଉଚିତ । ମିଥ୍ଯା , ଅସତ୍ଯ ଓ ଅନ୍ଯାୟ ପଥରୁ ବିଚ୍ଯୁତ ହେବା ଆବଶ୍ୟକ । କଳି ଯୁଗରେ ତିନି ପାଦ ପାପ ହେଲେ ପାଦେ ତ ଧର୍ମ ଅଛି , ସେଇ ଧର୍ମକୁ ବଜାୟ ରଖିବା ପ୍ରତ୍ଯେକ ହିନ୍ଦୁଙ୍କର କର୍ତ୍ତବ୍ୟ ହେବା ଉଚିତ ।

ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
୮୯୧୭୪୮୦୫୩୬

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା