ଶ୍ରାବଣ ଅମାବସ୍ୟା

 କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

           ସମ୍ପାଦକ - ଉଦୟ ଭାନୁ 


    ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ଯ ; ଏଲାଗି ବାର ମାସରେ ତେର ପର୍ବ ପାଳନ । ପର୍ବପର୍ବାଣୀ ବହୁଳ ପ୍ରଦେଶ ଭାବରେ ଓଡ଼ିଶା ପ୍ରଥମ ସ୍ଥାନରେ । ଓଡ଼ିଶାର ଆରାଧ୍ୟ ଠାକୁର ଶ୍ରୀ ଜଗନ୍ନାଥ  । ଧର୍ମନୈତିକ , ରାଜନୈତିକ ତଥା ଅନୁରୂପ ପର୍ବପର୍ବାଣୀକୁ ଭିନ୍ନ ଅନେକ କୃଷି ଭିତ୍ତିକ ପର୍ବପର୍ବାଣୀ ଯଥା :- ନବାନ୍ନ ଭକ୍ଷଣ , ଅକ୍ଷୟ ତୃତୀୟା , ରଜ , ଚିତାଲାଗି ଅମାବାସ୍ଯା , ଶାମ୍ବ ଦଶମୀ , ମାଣବସା ଗୁରୁବାର ଆଦି ଜଗନ୍ନାଥଙ୍କୁ ଆଧାର କରି ପାଳିତ ହୁଏ । ଆମ ଓଡ଼ିଶାର ମୁଖ୍ୟ ଫସଲ ଧାନ ହେତୁ ଧାନହୁଣା ଠାରୁ ଧାନକଟା ପର୍ଯ୍ଯନ୍ତ ଧାନକୁ କେନ୍ଦ୍ର କରି ନାନା ପର୍ବ ପାଳିତ ହୁଏ । ବର୍ତ୍ତମାନର ବିଷୟବସ୍ତୁ ଚିତାଲାଗି ଅମାବାସ୍ଯା । 


       ଚିତାଲାଗି ଅମାବାସ୍ଯା ଓଡ଼ିଶାରେ ପାଳିତ ଏକ ଗଣପର୍ବ ଯାହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପଡ଼େ । ଏଦିନ ଶ୍ରୀମନ୍ଦିରରେ ଜଗନ୍ନାଥ , ବଳଭଦ୍ର ଓ ସୁଭଦ୍ରାଙ୍କର ଚିତାଲାଗି ହୋଇଥାଏ । ମହାପ୍ରଭୁଙ୍କର ନିତ୍ଯ ପୂଜା ଓ ଧୂପ ସମାପ୍ତ ପରେ ଦଇତାପତିମମନେ ତିନି ଠାକୁରଙ୍କ ଲଲାଟ ପାବକେ ଚିତା ଲାଗି କରନ୍ତି । କେହି କେହି ଏହାକୁ ଚିତଉ ଅମାବସ୍ୟା କହନ୍ତି ତ ଆଉ କେହି କେହି ଗେଣ୍ଡାକଟା ଅମାବାସ୍ଯା କହନ୍ତି । ଏଦିନ ଗେଣ୍ଡା ଆଦି ଜଳଜୀବଙ୍କ ଉଦ୍ଦେଶ୍ଯରେ ଚିତଉ ପିଠା ଓ ଗଇଁଠା ପିଠା ଅର୍ପଣ କରାଯାଏ । ଏହି ପ୍ରଥା ଶବର ପରମ୍ପରାରୁ ଆନୀତ ବୋଲି ବିଦିତ । ଏଲାଗି ଏହାର ନାମ "ଗେଣ୍ଡାକଟା ଓଷା" । ବାଲେଶ୍ବର  , କେଉଁଝର ଆଉ ମୟୂରଭଞ୍ଜ ଆଦି ସ୍ଥାନରେ ଏହି ପର୍ବ "ଗେଣ୍ଡାକଟା ଅମାବାସ୍ଯା" ନାମରେ ନାମିତ ଅଟେ । ଓଡ଼ିଶାର ନାନଞ୍ଚଳରେ ଆଦିବାସୀ ମାନଙ୍କ ମଧ୍ୟରେ ଜନ୍ତୁ ଆଦିଙ୍କୁ ସନ୍ତୁଷ୍ଟ କରିବାର୍ଥେ ପାଳିତ ପର୍ବ ମଧ୍ଯରୁ ଏକ । ସାଧାରଣତଃ ଚାଷୀମାନେ ବର୍ଷା ଋତୁରେ ଧାନ ଫସଲ କାଟିବା ବେଳେ ବିଲରେ ଥିବା ଗେଣ୍ଡା ଦ୍ବାରା ଗୋଡ଼ କଟି କ୍ଷତ ହୋଇଥାଏ । ଏ ସମ୍ଭାବନାକୁ ଏଡ଼ାଇବାର୍ଥେ ଚିତଉ ପିଠାକୁ ସାରୁପତ୍ରରେ ରଖି ଗେଣ୍ଡା ମାନଙ୍କ ଉଦ୍ଦେଶ୍ୟରେ ଜଳାଶୟରେ ଭସେଇ ଦିଆଯାଏ । 


     ସ୍ନାନ ପୂର୍ଣ୍ଣିମା ଦିନ ଜଗନ୍ନାଥ , ବଳଭଦ୍ର , ସୁଭଦ୍ରାଙ୍କ କପାଳରେ ଯେଉଁ ଚିତା ଲାଗି କରାଯାଏ ତାହା ପୁଣି ଶ୍ରାବଣ ମାସ ଅମାବାସ୍ଯାରେ କରାଯାଏ । ଏଣୁ ଏହାର ନାମ "ଚିତାଲାଗି ଅମାବାସ୍ଯା" । ଶ୍ରୀଜଗନ୍ନାଥଙ୍କର ହୀରା ଖଚିତ ଧଳା ଚିତା , ଶ୍ରୀ ବଳଭଦ୍ରଙ୍କର ନିଳା ଖଚିତ ନୀଳ ଚିତା ଏବଂ ଦେବୀ ସୁଭଦ୍ରାଙ୍କର ମାଣିକ୍ୟ ଖଚିତ ନାଲି ଚିତା ଏହିଦିନ ତିନି ଠାକୁରଙ୍କୁ ପିନ୍ଧେଇ ଦିଆଯାଏ । ଶ୍ରୀମନ୍ଦିରରେ ଏହି ପର୍ବ ୧୩ଶ ଶତାବ୍ଦୀରୁ ପାଳିତ ବୋଲି ଜଣାଯାଏ । 


      ଏହି ପର୍ବରେ ଗୃହିଣୀମାନେ ଚିତଉ ପିଠା କରି ମାଟିକୁ ମାଆ ମନେ କରି ଧାନ କ୍ଷେତରେ , ବାଡ଼ି ବଗିଚାରେ , ଫସଲ କିଆରୀରେ ତାଙ୍କୁ ସମର୍ପଣ କରି ପୋତନ୍ତି ଓ ଇଷ୍ଟ ଦେବାଦେବୀଙ୍କୁ ଭୋଗ ଲଗାନ୍ତି । ପରମ୍ପରାନୁସାରେ ଚିତାଲାଗି ଅମାବାସ୍ଯା ଦିନ ପୋଖରୀକୁ ଗେଣ୍ଡା ଉଦ୍ଦେଶ୍ୟରେ ଝିଅପିଲାମାନେ ପିଠା ଫୋପାଡ଼ି ବାପା-ଭାଇ ବନ୍ଧୁବାନ୍ଧବଙ୍କ ଗୋଡ଼ ନକାଟିବାକୁ ଗୀତ ଗାଇ କହନ୍ତି  :- 

                "ଗେଣ୍ଡେଇଶୁଣୀଲୋ ଗେଣ୍ଡେଇଶୁଣୀ 

       ମୋ' ଗୋଡ଼ କାଟିବୁ ନାହିଁ , ମୋ' ବାପା ଗୋଡ଼ କାଟିବୁ ନାହିଁ ,

       ମୋ' ବୋଉ ଗୋଡ଼ କାଟିବୁ ନାହିଁ , ଭାଈ ଗୋଡ଼ କାଟିବୁ ନାହିଁ  ,

              ଆମ ଫସଲ କାଟିବୁ ନାହିଁ ।"


      ଜ୍ଯୋତିଷ ଶାସ୍ତ୍ରାନୁସାରେ ଚିତାଲାଗି ଅମାବାସ୍ଯା ଦିନରେ ପଡୁଥିବାରୁ କାଳ ଯୋଗ ନେଇ ଜିଉ ମାନଙ୍କୁ ଅଘଟଣ ଯୋଗ ଥାଇପାରେ ; କେବେ ବି ରାହୁ ବା କେତୁ ଗ୍ରସ୍ତ ସୂର୍ଯ୍ଯପରାଗ ଘଟେ , ବେଳେବେଳେ ଚତୁର୍ଦ୍ଦଶୀ ଏବଂ ଅମାବାସ୍ଯାକୁ ଧରି ଏପଟ ସେପଟ ହୁଏ । ଏଦିନ ପଡୁଥିବା ଶ୍ରାଦ୍ଧକୁ ପାର୍ବଣ ଶ୍ରାଦ୍ଧ କହନ୍ତି । ମନ୍ଦିର ବ୍ଯତିତ ଘରେ ପାଳିତ ଚିତାଲାଗି ପର୍ବର ନାମ "ଗୃହିଣୀ ଚିତାଲାଗି" ପର୍ବ ଅଟେ । ହିନ୍ଦୁ ପୁରାଣରେ ବର୍ଣ୍ଣନା ଅଛି - "ଚିତ୍ରକ ପିଷ୍ଠକୈ ଦେବଃ" । ଅର୍ଥାତ୍‌ - "ଚିତଉ ପିଠା ଦେବତା" । ସ୍କନ୍ଦ ପୁରାଣାନୁସାରେ :-

      "ଶ୍ରାବଣେ ମାସି ସଂପ୍ରାପ୍ତେ ଯୋଦ୍ଧାର୍ଚ୍ଚୟେତ୍‌ କମଳାପତିମ୍‌ ।

       ନ ସ ଗର୍ଭଗୃହଂ ଯାତି ଯାବଦାଭୁତି ସଂପ୍ଲବମ୍‌ ।।"

ଏହାର ଅର୍ଥ :- ଶ୍ରାବଣ ମାସରେ ଯିଏ କମଳାପତିଙ୍କୁ ପୂଜା କରେ ତା'ର ଅନନ୍ତ କାଳ ଯାଏଁ ପୁନର୍ଜନ୍ମ ହୁଏ ନାହିଁ  । 


    ପୁନରାୟ ସ୍କନ୍ଦ ପୁରାଣ କହେ ଯେ :-

            "ଯୋଦ୍ଧାର୍ଚ୍ଚୟେତ୍‌ ଶ୍ରୀଧରଂ ଦେବଂ ଶ୍ରାବଣେ ଭକ୍ତିପୂର୍ବତଃ ।

             ନ ଗଚ୍ଛେନ୍ନି ରାୟଂ ରାଜ୍ଯଂ କୃତ୍ବା ପାପ ଶତାନପି ।।

             ଶ୍ରାବଣେ ମାସି ଯୋ ଦଦ୍ଯାତ୍‌ ଲଜାନ୍‌ ଘତ ସମନ୍ବିତାନ୍‌ ।

              ହରୟେ ତସ୍ଯ ବିପ୍ରର୍ଷେ ନ ବିପତ୍ତି ଗୃହେ ଭବେତ୍‌ ।।"

ଅର୍ଥ :- ଶ୍ରାବଣ ମାସରେ ଚିତାଲାଗି ଅମାବାସ୍ଯାରେ ଭଗବାନ ଶ୍ରୀଧରଙ୍କର ଅର୍ଚ୍ଚନା କଲେ ପାପ କ୍ଷୟ ହେବା ସହ ଗୃହରେ ବିପତ୍ତି ଆସେ ନାହିଁ । ପଦ୍ମପୁରାଣ କହେ :- 

        "ଶ୍ରାବଣେ ପିଷ୍ଟକଂ ଯସ୍ତୁ ହରୟେ ମୁଦ୍‌ଗପୂରିତଂ ।

         ଦଦାତି ତସ୍ଯ ଗୃହେ ଶ୍ରୀନିଶ୍ଚଳା ଭବେତ୍‌ ।"

ଶ୍ରୀମନ୍ଦିରରେ ପ୍ରଚଳିତ ପର୍ବ ମଧ୍ଯରେ ଚିତାଲାଗି ଅମାବାସ୍ଯା ସ୍ବତନ୍ତ୍ର ଅଟେ । ଅଷ୍ଟଦଶ ଶତାବ୍ଦୀର ଆଧ୍ଯାତ୍ମିକ ଲେଖକ ବାଲୁଙ୍କୀ ପାଠୀ ତାଙ୍କର "ଯାତ୍ରା ଭାଗବତ" ସ୍ମୃତି ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି  :- 

        "ଶ୍ରାବଣେ କୃଷ୍ଣପକ୍ଷେ ତୁ ଦର୍ଶପ୍ରାପ୍ତେ ଶୁଭଦିନେ ।

      ଲଲାଟ - ଭୂଷଣଂ ଯାତ୍ରାଂ ଜଗନ୍ନାଥସ୍ଯ କରାୟେତ୍‌ ।।

      ଲଲାଟଭୂଷ - ମୂତ୍ତାର୍ଯ୍ଯ ସ୍ମାନାନ୍ତଂ ଶୟୀଜଗତ ପ୍ରଭୋଃ ।

       ଅମାୟାଂ ଶ୍ରାବଣେ ଚୈବ ପୁନର୍ଗଚ୍ଛତି ବୈଷ୍ଣବେ ।।

       ନାନାରତ୍ନ ସମାଯୁକ୍ତଂ କାତରୂପେଣ ନିର୍ମିତଂ ।

        ଦଦ୍ଯାତ୍‌ ବିଷ୍ଣୋ ଲଲାଟେ ଚ ସର୍ବମଙ୍ଗଳ ହେତବେ ।।


       ଲଲାଟ ଭୂଷଣଂ ଯାତ୍ରାଂ ଶ୍ରାବଣେ ଯୋ ନ କୁର୍ବତି ।

       ତାବତ୍‌ ବର୍ଷ ପୁଣ୍ଯଫଳଂ ନଶ୍ଯତ୍ଯାଶୁ ନ ସଂଶୟଃ ।।"


       ଚାଉଳ , ଗୁଡ଼ , ଘିଅ କିମ୍ବା ଚାଉଳ , ବିରି , ନଡ଼ିଆରେ ପ୍ରସ୍ତୁତ ଚିତଉ ପିଠାର ମୂଳ ଜାଗା ଭାରତ । ଏହା ଏକ ପୁଷ୍ଟିକର ଖାଦ୍ଯ । ପିଠାପଣା ଆମ ଜାତିର ଏକ ପରିଚୟ । ପିଠ ସହ ଆମ ସମ୍ପର୍କ ବହୁ ପୁରାତନ କାଳରୁ । ଚିତଉ ପିଠା ସ୍ବାସ୍ଥ୍ୟ ପାଇଁ ଅତ୍ଯନ୍ତ ହିତକର ; ଏଥିରେ ତେଲ ମସଲା ଜମା ନଥାଏ । ପିଲାଠୁ ବୁଢ଼ା ଯାଏଁ ସଭିଙ୍କର ପ୍ରିୟ । ଚାଉଳରେ ସ୍ନାୟୁ ସଂସ୍ଥାନକୁ ସୁଦୃଢ଼ ରଖୁଥିବା ଭିଟାମିନ - ବି ଏବଂ କାର୍ବୋହାଇଡ୍ରେଟ୍‌ ଯାହା ଶକ୍ତି ବୃଦ୍ଧି କରେ ପ୍ରଚୁର ପ୍ରମାଣରେ ଥାଏ । ତା' ସହିତ ହଜମ କ୍ରିୟାକୁ ନିୟନ୍ତ୍ରିତ କରୁଥିବା ଫାଇବର୍‌ ଥାଏ । ଏଥି ସହିତ ଚିତଉ ପିଠା କ୍ଯାନ୍‌ସର୍‌ ହେବାର ରିସ୍କ୍‌କୁ କମ୍‌ କରିବା ସହିତ ଚର୍ମର ଉତ୍ତମ ଯତ୍ନ ନିମିତ୍ତ ସହାୟକ ହୁଏ , ହୃତ୍‌ପିଣ୍ଡକୁ ସୁସ୍ଥ ରଖେ ଏବଂ ରକ୍ତଶର୍କରା ଓ ରକ୍ତଚାପକୁ ନିୟନ୍ତ୍ରଣକୁ ଆଣେ । 


     ଆଗେ ଶ୍ରାବଣ ଅମାବସ୍ୟାରେ ବନ୍ଯା ଭୟ ଅଧିକ ହେତୁ ଲୋକେ ବରୁଣ ଦେବଙ୍କୁ ସନ୍ତୁଷ୍ଟ କରିବାର୍ଥେ ପୂଜା କରୁଥିଲେ ; ଶହ ଶହ ବର୍ଷ ପରେ ଆଜି ସେହି ପୂଜା ଚିତାଲାଗି ଅମାବାସ୍ଯାର ରୂପରେଖ । ଗୁଗୁରାଟରେ ଶ୍ରାବଣ ଅମାବସ୍ୟା ଦିନ ଭଗବାନଙ୍କୁ କୁଶ ଅର୍ପଣ କରାଯାଏ । ଶାସ୍ତ୍ରରେ ଦଶ ପ୍ରକାରର କୁସ କଥା ଅଛି  ।

       "କୁଶାଃ କାଶା ଯବା ଦୁର୍ବା ଉଶୀରାଚ୍ଛ ସୁକୁନ୍ଦକାଃ ।

      ଗୋଘୂମା ବ୍ରାହ୍ମୟୋ ମୌନ୍ମା ଦଶ ଦର୍ଭାଃସବଲ୍ବଜାଃ ।।"


ଏହି ଦଶ ପ୍ରକାରର କୁଶ ମଧ୍ଯରୁ ଯେଉଁ ଯେଉଁ ଘାସ ମିଳେ , ତାହା ଏଦିନ ଅକ୍ଷତାବସ୍ଥାରେ ଈଶ୍ବରଙ୍କୁ ଅର୍ପଣ କରାଯାଏ । ମହାରାଷ୍ଟ୍ରର ବିଦର୍ଭ ଏବଂ ତେଲେଙ୍ଗାନାର ସୀମାନ୍ତ ଅଞ୍ଚଳରେ ଶ୍ରାବଣ ଅମାବସ୍ୟା ଦିନ ବଳଦ ମାନଙ୍କର ପୂଜାର୍ଚ୍ଚନା କରାଯାଏ , ଯାହାର ନାମ  "ପୋଳା" ବା "ବୈଲପୋଳା ଅମାବାସ୍ଯା" । ଛତିଶଗଡ , ମଧ୍ଯପ୍ରଦେଶ , ଗୁଜୁରାଟର ପୂର୍ବଭାଗ , ଉତ୍ତର ପ୍ରଦେଶ , ନେପାଳ ଓ ମହାରାଷ୍ଟ୍ରର କେତେକାଞ୍ଚଳରେ ଶ୍ରାବଣ ଅମାସ୍ୟା ଦିନ ଅଶ୍ବତ୍ଥ ପରି ପବିତ୍ର ବୃକ୍ଷ ପୂଜା ହୋଇଥାଏ । ଏହା ହରିୟାଲୀ ଅମାବାସ୍ୟା ଭାବରେ ଜଣା । ତେଲୁଗୁ ଅଞ୍ଚଳରେ ଏ ଦିନକୁ ଶ୍ରାବଣ ବହୁଳ ଅମାବାସ୍ୟା ନାମରେ ପାଳନ କରାଯାଏ । 


     ସେ ଯାହା ବି ହେଉ , ସ୍ବାସ୍ଥ୍ୟ ପାଇଁ ଏହି ପର୍ବ ବେଶ୍‌ ରୁଚିକର ଏବଂ ଧର୍ମବିଶ୍ବାସ ବୃଦ୍ଧିକାରକ । ତେଣୁ ଏ ପର୍ବ ଆମ ଓଡ଼ିଆ ଜାତିର ଗୌରବ କହିଲେ ଭୁଲ୍‌ ହେବନି । ଓଡ଼ିଆଙ୍କର ଏ ପର୍ବ ଧିରେ ଧିରେ ମଉଳି ଗଲାଣି । ସହରର ଚାକଚକ୍ୟ ଭିତରେ ଏତେଟା ଦୃଶ୍ଯମାନ ନାହିଁ । ଏହି ପର୍ବକୁ ବଞ୍ଚାଇ ରଖିବା ସମସ୍ତ ଓଡ଼ିଆ ଭାଇ ପାଇଁ କର୍ତ୍ତବ୍ୟ ହେବା ଯଥୋଚିତ ।

ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 

           ୮୯୧୭୪୮୦୫୩୬

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା