ପ୍ରଶ୍ନବାଚୀ ମନର ପ୍ରଶ୍ନ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି 

         ସମ୍ପାଦକ - ଉଦୟ ଭାନୁ 


         ଚକ ବୁଲୁଥିଲେ     ଅଖ ବୁଲୁଥାଏ
                 ବୁଲି ପଡୁଥାଏ ପହି
       ସଂସାର ଭିତରେ     ଘର କରିଥିଲେ 
             ପଥର ପଡ଼ିଲେ ସହି ।।

      ସଂସାରରେ ଥିଲେ ଅନେକ ଦୁଃଖ , କ୍ଳେଶ , ଯନ୍ତ୍ରଣା ଦେଇ ଗତି କରିବାକୁ ପଡ଼ିଥାଏ । ଜୀବନରେ କେବେ କେବେ ହସଖୁସି ତ କେତେବେଳେ ଅମାପ ଅଶ୍ରୁବାରିର ବୃଷ୍ଟି , ସବୁକିଛିକୁ ତାଳ ଦେଇ ଗତି କରିବାକୁ ହୁଏ । ସବୁକିଛିର ସମାଧାନ ସହନଶୀଳତା , କିନ୍ତୁ ବେଳେ ବେଳେ ସହ୍ଯଶକ୍ତି ବି ହାର ମାନିଯାଏ ପରିସ୍ଥିତି ପାଖରେ । ଭାର ବୋହିବାର ସାମର୍ଥ୍ୟ ଦୁର୍ବଳ ହୋଇପଡ଼େ, ଆବଶ୍ଯକତାଠୁ ଅଧିକ ଭାର ସହନଶୀଳତାର ବାହାରେ । ମରି ମରି ବଞ୍ଚିବାଟା ବି ସାର , ଯେମିତି ମୁଁ ଉଦାହରଣ । 

      ଜୀବନର ଜଟିଳ ଜ୍ଯାମିତି କଷୁ କଷୁ ସବୁ ପରିମାପ ଭୁଲ୍‌ରେ ବଦଳି ଯାଏ ମୋର ; ଜନ୍ମରୁ ଏଯାବତ ଯନ୍ତ୍ରଣାର ଅନଳରେ ଜଳି ଜଳି ଅର୍ଦ୍ଧଦଗ୍ଧ ମଡ଼ାଟିଏ ପାଲଟି ଯାଇଛି । ସତ୍ଯ , ନ୍ଯାୟ , ଧର୍ମକୁ ପାଥେୟ କରି ହାରି ଯାଇଛି ମୁଁ ଏଇ ସଂସାର ପଥରେ । ଲୁହ , କୋହ ଆଉ ଯନ୍ତ୍ରଣା ମୋର ଚିର ସାଥି ହୋଇ ରହି ଯାଇଛି ଜନ୍ମରୁ ଏପର୍ଯ୍ୟନ୍ତ । ସତରେ ; ସତ୍ଯର ସାରଥୀ ଆଉ ନ୍ଯାୟର ନରେଶ ହେବା କ'ଣ ମସ୍ତବଡ଼ ଭୁଲ୍‌ ? ଧର୍ମର ଯଷ୍ଟି ଧରି ପଥଚାରଣ କରିବା କ'ଣ ଅପରାଧ ? ତେବେ ଏ ଜୀବନର ମାନେ କ'ଣ ଅନ୍ଯାୟ , ଅସତ୍ଯ ଓ ଅଧର୍ମ ଆଚରଣ ? ବହୁଦିନରୁ ଖୋଜୁଛି ଉତ୍ତର , ପାଇନି ଏଯାଏଁ । 

      ଭୂମିଷ୍ଠ ହେବା ପରଠୁ ସେଇ କୁଆଁ କୁଆଁ କାନ୍ଦଟା ଓତେ ଅଭ୍ଯସ୍ତ ହୋଇଯାଇଛି ଯେଆଉ ତାକୁ ଛାଡ଼ି ହେଉନି । ପ୍ରତି ମୁହୂର୍ତ୍ତରେ ମରୁଛି , ଜୀବନ୍ତ ଶବ ପ୍ରାୟ ପଡ଼ି ରହିଛି ସଂସାର ପଥ ଧାରେ । ସମସ୍ତେ ଆପଣାର ଭାବନାଟି ମୋର ସତେ ଅବା ମିଛ ପାଲଟି ଯାଉଛି । ଆପଣା-ଆପଣା ବୋଲୁଥିବା ଲୋକମାନେ ମୋର କେତେ ଆପଣାର ବୁଝିବାକୁ ଆଉ ବାକି ନାହିଁ । ସବୁକିଛି ଦିବାଲୋକରେ ସ୍ପଷ୍ଟ ହୋଇଯାଇଛି । ତଥାପି ବଞ୍ଚିଛି , ଟେକି ଦେଇଛି ଦୁଇ ହାତ ଧର୍ମକୁ । ବିଚାର ତା'ର , ମୁଁ ତ ନିମିତ୍ତ ମାତ୍ର ।

      ଜାତରୁ ଏଯାବତ ଯନ୍ତ୍ରଣା ମୁର୍ଚ୍ଛିନି ପାଶ ; ପାଇଛି ଖାଲି ଲୁହ , ମିଳିଛି ଯନ୍ତ୍ରଣା । କାହାଠୁ ପାଇନି ଟିକେ ସ୍ନେହ , ଶ୍ରଦ୍ଧା କି ଭଲପାଇବା ; ସେଥିଲାଗି ବୋଧହୁଏ ମୁଁ କବିଟିଏ କି ଲେଖକଟିଏ ହୋଇପାରିଛି । ଜୀବନର ଗୀତ ଲେଖୁ ଲେଖୁ କେତେବେଳେ ଜୁଆର ମାଡ଼ି ଆସିବ , ସବୁକିଛିକୁ ପରିଷ୍କାର କରି ପୋଛି ନେଇଯିବ । ଜୀବନ କାହାଣୀ ବଖାଣୁ ବଖାଣୁ କେତେବେଳେ ଯେ ରାତ୍ରି ଆସିଯିବ , ବୁଜି ହୋଇଯିବ ଦୁଇ ଆଖି । ମିଛ ନିନ୍ଦା , ଅପବାଦର ଭାର ବୋହି ବୋହି କୁର୍ମ ହୋଇପଡ଼ିଥିବା ମଣିଷଟିର ଜୀବନ କେତେବେଳେ ଜଳି ପୋଡ଼ି ପାଉଁଶ ହୋଇଯିବ ଅଚାନକ ଭାବେ । 

      ଅନେକ ଥର ନିଜକୁ ନିଶେଷ କରିବାର ପ୍ରୟାସରେ ଅସଫଳ ହୋଇଛି । ବିଷମୟ ଜୀବନର ପରିସମାପ୍ତି ହେବାର ସମୟ କ'ଣ ଆସିନି ଏଯାଏଁ ? କାହିଁକି ସରୁନି ଏ ଜୀବନ ଯାତ୍ରା ? ଆଉ କେତେ ଦୁଃଖ ଦେବାକୁ ଦୈବ ବଞ୍ଚାଇ ରଖିଛି ମୋତେ ? ମନସାଧ୍ଯ ମେଣ୍ଟିନି କି ତା'ର ? ଦେଖାହେଲେ ପଚାରନ୍ତି , ପୋଡ଼ା ଭାଗ୍ଯରେ କ'ଣ ତା'ର ଦର୍ଶନ ମିଳିବ ! ନା , ହୀନ କପାଳିଆର ସେ ସୁଯୋଗ ଆସିବ ବା କୁଆଡୁ ? ବାପା , ମାଆ , ଭାଇ , ଭଉଣୀ , ସ୍ତ୍ରୀ , ସାଙ୍ଗ-ସାଥୀ ଏବୁ ଆପଣାର ଭାବିବା କେବଳ ପ୍ରହେଳିକା ମାତ୍ର । ସଂସାରରେ ଯଦି କେହି ନିଜର ଥାଏ , ସେ କେବଳ ସ୍ବ - କର୍ମ । ଜାଣିନି କାହିଁକି ମୃତ୍ଯୁ ଆସୁନି, ମୃତ୍ୟୁକୁ ଆମନ୍ତ୍ରଣ କଲାବେଳେ କାହିଁକି କେଉଁ ଅଦୃଶ୍ୟ କର ମୋର କଣ୍ଠରୋଧ କରୁଛି ମୁଁ ଜାଣି ପାରୁନି । ମୃତ୍ୟୁ ନିକଟକୁ ଆଗେଇ ଗଲାବେଳେ କେଉଁ ଅଦୃଶ୍ୟ କରଟି ମୋର ପାଦକୁ ଭିଡ଼ି ଧରୁଛି ମୁଁ ଜାଣି ପାରୁନି । 

       କେଉଁ ଜନ୍ମର କୃତକର୍ମର ଫଳ ଇଏ ? ଯମ ଯନ୍ତ୍ରଣା ସଶରୀରେ ସଜୀବ ଅବସ୍ଥାରେ ମର୍ତ୍ତ୍ୟରେ ; କ'ଣ ପାଇଁ ? ଏସବୁ ପ୍ରଶ୍ନ ମୋ' ମନରେ ପ୍ରଶ୍ନବାଚୀ ସୃଷ୍ଟି କରେ । ଖୋଜୁଛି କିନ୍ତୁ ପାଉନି , ଉତ୍ତର ମିଳୁନି କାହିଁକି ? କି ପ୍ରକାର ଜୀବନ ଇଏ ? ସତରେ କ'ଣ ମୁଁ ଅଭିଶପ୍ତ ? ହେ ବିଶ୍ବନିୟନ୍ତା ! ମୁକ୍ତିକାମୀ ମୁଁ , ମତେ ମୁକ୍ତି ଦିଅ । ଆଉ ପାରୁନି , ସହିବାର ସବୁ ସୀମା ଉଲ୍ଲଂଘନ କରିସାରିଲିଣି , ଆଉ ଧୈର୍ଯ୍ୟ ନାହିଁ । ଏତେ କଷଣ ଦେବା ପରେ ବି କ'ଣ ତୁମର ମନ ତୃପ୍ତି ହୋଇନାହିଁ ! ନେଇଯାଅ ମୋତେ, ସ୍ବର୍ଗକୁ ହେଉ ଅବା ନର୍କକୁ । ବରଂ ସେଠି ମୁଁ ଶାନ୍ତି ପାଇବି , ମର୍ତ୍ତ୍ୟର ମୋହ ତୁଟାଇ ଚାଲିଯିବାକୁ ଚାହେଁ । ମନ କଲମରୁ କାଳି ସରିଯାଉ , ଆଉ ଜୀବନ କାହାଣୀ ଲେଖିବାକୁ ନପଡୁ । ଏଇଠି ପଡ଼ିଯାଉ ପୂର୍ଣ୍ଣଚ୍ଛେଦ । ଶରୀରଟା ପାଲଟି ଯାଉ ମୁଠାଏ ପାଉଁଶ , ସେ ପୁଣି ଉଡ଼ିଯାଉ ପବନରେ ଆଉ ମିଶିଯାଉ ମାଟିରେ  ; ଲିଭିଯାଉ ମୋର ସବୁ ଚିହ୍ନବର୍ଣ୍ଣ । ପ୍ରଶ୍ନବାଚୀ ମନର ପ୍ରଶ୍ନର ଉତ୍ତର ମିଳିଯାଉ ମୋତେ । 

ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
ଯୋଗାଯୋଗ - ୮୯୧୭୪୮୦୫୩୬
       

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା