ସାହିତ୍ଯରେ ଦଲାଲଗିରି
-------------------------------------
କାବ୍ଯ ଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
------------------------------ ---------------
"ମାତୃଭୂମି ମାତୃ - ଭାଷାରେ ମମତା
ଯା' ହୃଦେ ଜନମି ନାହିଁ
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ ।"
କବି ଗଙ୍ଗାଧର ମେହେରଙ୍କର ଏ ପଦଟି ମନେପଡ଼ି ଯାଉଛି ଆଜି ; ସତରେ , କେତେ ସୁନ୍ଦର ପଦ୍ଯାଂଶଟି ଇଏ ! ମାତୃଭୂମି ଓ ମାତୃଭାଷା ପ୍ରତି ତାଙ୍କର ଯେଉଁ ମମତା , ଏ ପଦ୍ଯାଂଶରେ ନିଖୁଣ ଭାବରେ ପ୍ରସ୍ଫୁଟିତ ହୋଇଛି । ପ୍ରତ୍ଯେକ କବି , ଲେଖକ , ଭାବୁକ ମାନଙ୍କର କଣ୍ଠସ୍ଥ ଏ ପଦ୍ଯଟି । ସଭାସମିତି ହେଉ କି କେଉଁଠି ଭାଷା ବାବଦରେ ଆଲୋଚ଼ନା ହେଉ ; ପ୍ରଥମେ ଏଇ କେତୋଟି ଧାଡ଼ିର କବିତାଟି ସ୍ବତଃ ଭାବରେ ଉଚ୍ଚାରଣ ହେଉଛି । ଉଦାହରଣ ଦେଇ ଲୋକମାନଙ୍କୁ ବୁଝାଇ ଦିଆଯାଉଛି ଯେ , ମାତୃଭୂମି ଓ ମାତୃଭାଷା ପ୍ରତି ସମସ୍ତଙ୍କର ମମତା ରହିବା ଉଚିତ୍ । କିନ୍ତୁ ; ବୁଝାଉଥିବା ବ୍ଯକ୍ତିଟି ମାତୃଭୂମି ଓ ମାତୃଭାଷାକୁ କେତେ ଭଲପାଉଛି ସେଇଟାକୁ ଆଗ ବୁଝିବା ଦରକାର । କାରଣ , ଉପଦେଶ ଦେବା ଆଗରୁ ପ୍ରଥମେ ଉପଦେଶକୁ ପାଳନ କରିବା ଦରକାର । ଗାନ୍ଧୀଜୀଙ୍କ ସ୍ତ୍ରୀଙ୍କ ଦେହ ଖରାପ ହେବାରୁ ସେ ତାଙ୍କ ସ୍ତ୍ରୀଙ୍କୁ ଲୁଣ ଖାଇବାକୁ ବାରଣ କରିବାରୁ ତାଙ୍କ ସ୍ତ୍ରୀ ଗାନ୍ଧୀଜୀଙ୍କୁ ପ୍ରଥମେ ଲୁଣ ଛାଡ଼ିବାକୁ କହିବାରୁ ମହାତ୍ମା ଗାନ୍ଧୀ ଲୁଣ ଖାଇବା ବନ୍ଦ କରିଦେଲେ । ଗାନ୍ଧୀଜୀ ଲୁଣ ନଖାଇବାରୁ ତାଙ୍କ ସ୍ତ୍ରୀ ବି ଲୁଣ ଖାଇଲେ ନାହିଁ ; କିଛି ଦିନାନ୍ତେ ଦେହ ସୁସ୍ଥ ହୋଇଗଲା । ସେମିତି ଉପଦେଶ ଦେବା ପୂର୍ବରୁ ପ୍ରଥମେ ନିଜେ ସେ ଉପଦେଶ ପାଳନ କରିବା ଉଚିତ୍ । ନିଜର ପ୍ରତିଷ୍ଠା ବୃଦ୍ଧି ପାଇଁ ସଭାସମିତିର ଆୟୋଜନ କରି ତୁଚ୍ଛା ଭାଷଣବାଜିରେ କି ଲାଭ ?
ଏମିତି ଅନେକ ଚ଼ରିତ୍ର ଆମ ସମାଜରେ ଅଛନ୍ତି ; ଯିଏ ତୁଚ୍ଛା ଭାଷଣ ମାରି ନାଁ କମେଇବାର କଳାରେ ନିପୁଣ । କଥାରେ ଅଛି , ମନ୍ଦିର ତୋଳିଲେ ନାଁ , ବାଟରେ ହଗିଲେ ନାଁ ; ଏଠି ମନ୍ଦିର ତୋଳି ନାଁ କମେଇବା ଲୋକଙ୍କ ଅପେକ୍ଷା ଡ଼ାଇରିଆ ପେସେଣ୍ଟ୍ଙ୍କ ସଂଖ୍ଯା ଲଘୁ । କାରଣ ଡ଼ାଇରିଆ ସିନା ହେବ , ଉପୁରିଟା ଭଲ ମିଳିବ ନା । ଯେମିତି ଛାତଘର ଥିବା ଲୋକ ବାରି ପଟେ ତା'ର ଏକ ଛୋଟ କୁଡ଼ିଆ ଚ଼ାଳଛପର କରି ରଖିଥାଏ । ବାତ୍ୟା କି ଝଡ଼ତୋଫାନ ହେଲେ ସେ କୁଡ଼ିଆ ଭାଙ୍ଗିଗଲା ତ ଭଲ , ନହେଲେ ତାକୁ ଭାଙ୍ଗି ଦିଆହୁଏ ଜବରଦସ୍ତ । ଯେବେ ସରକାରୀ ବାବୁମାନେ ଆସନ୍ତି , ସେଇ ଘରକୁ ଦେଖାଇ ଦେଇ ଘରଭଙ୍ଗା ଟଙ୍କା ହାତେଇ ନିଅନ୍ତି । ସେମିତି ବାଟରେ ହଗି ନାଁ କମେଇବା ପାଇଁ ଅନେକ ଆଗ୍ରହୀ । ସେଲାଗି କିଏ ଚ଼ାକିରୀରୁ ଇସ୍ତଫା ଦେଲାଣି ତ କିଏ ଅବସର ସମୟ ଅପଚ଼ୟ ନକରି ବାଟଘାଟରେ ଛେରିଲାଣି । ଶ୍ରମ କମ୍ , ଧନ ବେଶି ଅର୍ଜନ ; ବିନା ଇନ୍ଭେଷ୍ଟରେ ଅନେକ ଅର୍ଥ ଉପାର୍ଜନ । କହିଲେ କୁଳ କୁଟୁମ୍ବକୁ ଲାଜ , ନ କହିଲେ କୁଳ ଭାସି ଯାଉଛି । ବେହିଆ , ନିର୍ଲଜ , ଥୋବଡ଼ାଙ୍କ ସାଥିରେ ମିଶି ଆଉ କିଛି ଜଣ ବେହିଆ , ନିର୍ଲଜ , ଥୋବଡ଼ା ବନି ଜଞ୍ଜିରକୁ ବେଶ୍ ମଜବୁତ କରି ରଖିଛନ୍ତି । ଶୁଣିଥିଲି ପକେଟ୍ମାର୍ , ଲୁଟ୍ତରାଜ , ଶୋଷଣ , ଧର୍ଷଣର କଥା ; ହେଲେ ସେ ସବୁ ରାସ୍ତାଘାଟ , ନିର୍ଜନ ସ୍ଥାନାଦିରେ ହେଉଥିଲା । କିନ୍ତୁ ଏମିତି ଖୁଲମଖୁଲା ଏସବୁ ଚ଼ାଲିଛି , କେବେ ଜାଣି ନଥିଲି ।
ସାହିତ୍ୟ ଜଗତରେ ନୂଆ କରି ପାଦ ଥାପିଲା ବେଳେ ମତେ ଏସବୁ ଦୃଷ୍ଟିଗୋଚର ହୋଇନଥିଲା । ସାମାଜିକ ଗଣମାଧ୍ୟମକୁ ଆସିବା ପରେ ଧିରେ ଧିରେ ଏସବୁ ସଂସ୍ପର୍ଶରେ ଆସିଲି । କିନ୍ତୁ ଅର୍ଥାଭାବ ହେତୁ କେଉଁଠି ଅର୍ଥ ଦାନ କରିନି । ଯେତେବେଳେ ଜାଣିଲି ଆଲେଖ୍ୟକୁ କିଣାବିକା କରାଯାଉଛି , ମୁଁ ହତବାକ ହୋଇ ପଡ଼ିଥିଲି । ସ୍ରଷ୍ଟାଟିଏ କେତେ ପରିଶ୍ରମ କରି ଲେଖେ , ହେଲେ ତା' ଲେଖାର ମୂଲ୍ଯ ନଥାଏ । ହଗିଲା , ମୁତିଲା , ପାଡ଼ିଲା , ଛିଙ୍କିଲା ଗାରେଇ ଦେଇ ଯେ' କେହି ବନିଯାଉଛି ବିଶିଷ୍ଟ ସାହିତ୍ଯିକ । ଏତେ ସୁନ୍ଦର ଭାବରେ ବିଶ୍ଳେଷଣ କରି ଲେଖିଥିବା ଆଲେଖ୍ଯଟି ଅଲୋଡ଼ା ହୋଇ ଡ଼ାଏରୀ ପୃଷ୍ଠାରେ ପଡ଼ି ରହେ । ଏହାର କାରଣ ଜଣିବାକୁ ଚ଼େଷ୍ଟା କରି ବି ଜାଣି ପାରିନି । ପରେ ଜାଣିଲି ସବୁକିଛି ; ଆଚ଼ମ୍ବିତ ହୋଇପଡିଲି । "ପଇସା ଫେକୋ , ତାମସା ଦେଖୋ" , ସାହିତ୍ୟରେ ବି ଅର୍ଥ ! ଆଜ୍ଞା ହ , ଟଙ୍କା ହିଁ ସବୁକିଛି , ଟଙ୍କା ନଦେଲେ ଲଙ୍କା ଦେବ କିଏ ? ସେ ପୁଣି ଅଭିନବ ଉପାୟରେ ।
କିଏ କହିଲାଣି ଲେଖା ଦିଅ , ଟଙ୍କା ଦିଅ ତ କିଏ କହୁଛି ଟଙ୍କା ଦିଅ , ସମ୍ବର୍ଦ୍ଧନା ନିଅ । ଏହିପରି ଚ଼ାଲିଛି ଲୁଟ୍ତରାଜ । ପୁଣି ଆସନ ଅଳଙ୍କୃତ ପାଇଁ ପିଟାପିଟି , ଧସ୍ତାଧସ୍ତି । ସ୍ଥାନ , କାଳ , ପାତ୍ର ସବୁକିଛି ଭୁଲିଯାଇ ଉଚ୍ଚାସନ ପାଇଁ ଉଚ୍ଚାକାଂକ୍ଷା ପୋଷଣ କରି ନିଜକୁ ଉଚ୍ଚ କରିବାକୁ ପ୍ରୟାସ ସମସ୍ତଙ୍କର ଏଠି । ସାହିତ୍ଯ ଆସର ନାମରେ ଲକ୍ଷ ଲକ୍ଷ ଅର୍ଥ ଉପାର୍ଜନ , ଲେଖକ ଶୋଷଣ ନୁହେଁ ତ ଆଉ କ'ଣ ହୋଇପାରେ ? ସାହିତ୍ୟ ଆସରର ମଞ୍ଚ ଉପରେ କେହି ଜଣେ ସାହିତ୍ଯିକ ଥିବାର ଆଉ ଦୃଶ୍ଯମାନ ହେଉନାହିଁ ; ସବୁଠି ନେତା , ମନ୍ତ୍ରୀ , ବିଧାୟକ , ସରପଞ୍ଚ , ଶାସନାଧିକାରୀ ବୃନ୍ଦ । ସତ ମିଛ ଲେଖି ସମ୍ବାଦ ପୃଷ୍ଠା ମଣ୍ଡନ ସାହିତ୍ଯ ଜଗତକୁ କଳୁଷିତ କରୁନାହିଁ କି ? ଗୋଟିଏ ସାହିତ୍ୟ ଆସରରେ ଅନେକ ଲୋକଙ୍କୁ ସମ୍ବର୍ଦ୍ଧନା ଦିଆଯାଉଛି । ଖଣ୍ଡିଏ ଛପା କାଗଜକୁ କାଚ଼ ଫ୍ରେମ୍ରେ ବନ୍ଦି କରି ଜଣକ ପିଛା ହଜାର ହଜାର ଟଙ୍କା ଲୁଟ୍ତରାଜ ହେଉଛି । ପ୍ରାୟ ପନ୍ଦର ଶହରୁ ଦୁଇ ହଜାର , ତିନି ହଜାର ପର୍ଯ୍ଯନ୍ତ ଟଙ୍କା ଦାବି କରାଯାଉଛି । ସଭ୍ଯ ଚ଼ାନ୍ଦା ନାମରେ ହଜାର ହଜାର ଟଙ୍କା ହଡ଼ପ କରାଯାଉଛି ।
ଏପରି କରୁଥିବା ବ୍ୟକ୍ତିଙ୍କୁ ସାହିତ୍ୟ ବେପାରୀ ବୋଲି ସାମାଜିକ ଗଣମାଧ୍ୟମ କହୁଥିବା ବେଳେ , ମୁଁ କହିବି ଏମାନେ ସାହିତ୍ୟର ଦଲାଲ । ପ୍ରକୃତ ଜଣେ ସାହିତ୍ଯିକ ସମ୍ମାନ ପାଇ ପାରୁନାହିଁ । ଯିଏ ଅର୍ଥ ଫିଙ୍ଗିଲା , ସେ ସମ୍ମାନ ହାତେଇଲା । ଧନ ଦେଇ ମାନ କିଣି ସାମାଜିକ ଗଣମାଧ୍ୟମରେ ପ୍ରଦର୍ଶନ କରୁଥିବା ବେହିଆ , ନିର୍ଲଜ, ସାହିତ୍ୟ ଦଲାଲ ମାନେ କହିବେ କି , ସେ କୋଉ ଲେଖା ପାଇଁ ସମ୍ମାନ ପାଇଲେ ଆଉ କେତେ ଟଙ୍କା ଦେଇ ସମ୍ମାନ କିଣିଲେ ? ତାଙ୍କର କୌଣସି ଗୋଟିଏ ଲେଖା ନିର୍ଭୁଲ୍ ବୋଲି ଦେଖେଇ ପାରିବେ କି ? ଆରେ ନାଁ କମେଇବାର ଅଛି ତ ମନ୍ଦିର ତୋଳି ନାଁ କମାଅ , ଦେଖିବ ପ୍ରଶଂସାର ପାତ୍ର ପାଲଟିବ । ଏମିତି ବାଟରେ ଘାଟରେ ହଗି ମୁତି ନାଁ କମେଇବା ଅର୍ଥ ହେଲା ଖୋଲାଖୋଲି ଦଲାଲଗିରି । ସାହିତ୍ୟ ଜଗତରେ ଚ଼ଞ୍ଚକତା କରି ସତ - ମିଛ ଗୁଡ଼ାଏ ଗପି କ୍ଷଣିକ ସୁଖ ଆପଣେଇବା ଯଥାର୍ଥ ନା ଉଚ଼ିତ୍ ମାର୍ଗରେ ଯାଇ ସାହିତ୍ୟ ସାଧନାରେ ବ୍ରତୀ ହୋଇ ଆଜୀବନ ସୁଖ ପ୍ରାପ୍ତ କରିବା ଯଥାର୍ଥ କହିବେ ? "ଅଲାଜୁକ ମୁହଁରେ ଖଡ଼ାଗଛ" ସଦୃଶ ଏମାନଙ୍କୁ ଯେତେ କହିଲେ ବି ଏମାନେ ସୁଧୁରିବେ ନାହିଁ ।
ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶି ଦେବା ପାଇଁ କେତେ ହାତ ଉଠିଲା , ଶେଷରେ ଫାଶି ପାଇଲେ । ଏମାନେ ତ ପ୍ରତି ମୁହୂର୍ତ୍ତରେ ମାତୃଭୂମି ଓ ମାତୃଭାଷାକୁ ଧର୍ଷଣ କରିଚ଼ାଲିଛନ୍ତି , ସରକାର କ'ଣ ନିଦରେ ଶୋଇଛି ? ନା, ଶୋଇବାର ଅଭିନୟ କରି ଏମାନଙ୍କୁ ପ୍ରତ୍ସାହନ ଯୋଗେଇ ଚ଼ାଲିଛି ? କିଏ କହୁଛି ମୁଁ ହଜାରେ ମାନପତ୍ର ପାଇଗଲେ ରାଷ୍ଟ୍ରପତି ପୁରସ୍କାର ପାଇବି ତ କିଏ କହୁଛି ମୁଁ ଓଡ଼ିଶା ସାହିତ୍ୟ ଏକାଡେମୀ କି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଯିବି ; ଟଙ୍କା ଦେଇ ମାନପତ୍ର କିଣି ରାଷ୍ଟ୍ରପତି ପୁରସ୍କାର ପାଉଥିବା ରାଜ୍ଯରେ ସାହିତ୍ୟର ସ୍ଥିତି କ'ଣ ଜଳଜଳ ଦିଶୁଛି । ସେ ଓଡ଼ିଶା ସାହିତ୍ଯ ଏକାଡ଼େମୀ ହେଉ କି ସେ ସାଧାରଣ ସାହିତ୍ୟ ସଂସଦ ହେଉ , ସବୁଠି ଅଛନ୍ତି ଲୁକ୍କାୟିତ ଭାବେ ସାହିତ୍ୟର ଦଲାଲ । କିଏ ଖୋଲାରେ ଦଲାଲଗିରି କରୁଛି ତ କିଏ ଲୁଚ଼ି ଛପି ଚ଼ୋରଙ୍କ ପରି ଦଲାଲଗିରି କରୁଛି । ନିଜର ସମ୍ପର୍କୀୟ କି ସୁସମ୍ପର୍କ ଥିବା ଲୋକ ମାନଙ୍କୁ ନେଇ ସାହିତ୍ୟ ଏକାଡେମୀରେ ସଭ୍ଯ କରାଯାଉଛି କି ପୁରସ୍କାର ଦିଆ ଯାଉଛି ।
ସାହିତ୍ୟର 'ସ' ଅକ୍ଷର ଜାଣି ନଥିବା ଲୋକ ଆଜି ଜଣେ ଦକ୍ଷ ସାହିତ୍ଯିକ । କୌଣସି ଏକ ନାମ ଦେଇ ସାହିତ୍ୟ ଅନୁଷ୍ଠାନ କରି ନିଜେ ସମ୍ପାଦକ , ସଭାପତି , ଉପଦେଷ୍ଟା , ପ୍ରତିଷ୍ଠାତା ଥାଇ ନିଜ ଅନୁଷ୍ଠାନରୁ ନିଜେ ସମ୍ବର୍ଦ୍ଧିତ ହେଉଥିବା ଅଲାଜୁକ , ବେହିଆ , ସାହିତ୍ଯ ଦଲାଲ ମାନେ କହିବେ କି , ସାହିତ୍ୟର ଅର୍ଥ କ'ଣ ? ନିଜେ ନିଜେ ଓଡ଼ିଆରେ ଟାଇପ୍ କରି ପୂର୍ବସୂରୀ ଯଥା - ବ୍ଯାସକବି , ପ୍ରକୃତିକବି , କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ , ଗାନ୍ଧିଜୀ ଆଦିଙ୍କ ନାମ ଦେଇ ଉପାଧି ଭାବରେ ପ୍ରାପ୍ତ କରୁଥିବା ନିର୍ଲଜ ମାନେ ସାହିତ୍ଯର ଅର୍ଥ କ'ଣ ଜାଣନ୍ତି ? ପୂର୍ବସୂରୀ ମାନଙ୍କ ଉପାଧି ସେହି ଯୋଗ୍ଯ ବ୍ଯକ୍ତି ପାଇବା କଥା , ଯିଏ ତାଙ୍କ ବିଷୟରେ ଜାଣିଥିବ ଏବଂ ତାଙ୍କ କୃତି ପରି କୃତି ନିଖୁଣ ଭାବରେ ଫୁଟାଇ ପାରୁଥିବ । କିଛି ନାହିଁ , ଖାଲି ତାଙ୍କ ନାମ ବିକୃତ କରିବା କେତେ ଯଥାର୍ଥ ? ଚ଼ାଣକ୍ଯଙ୍କ ଅନୁଚ଼ିନ୍ତା ପଢ଼ିଲେ କି ଲୀଳାବତୀଙ୍କ ଖନା ବଚ଼ନ ପଢ଼ିଲେ ଯେଉଁ ଶିକ୍ଷା ମିଳି ପାରୁଥିଲା , ତାହା ଆଜିର ଅନୁଚି଼ନ୍ତା ଲେଖୁଥିବା ଅନୁଚ଼ିନ୍ତକ ମାନଙ୍କ ପାଖରେ ନାହିଁ । ଅନୁଚ଼ିନ୍ତାର ଅର୍ଥ କ'ଣ ଏମାନେ ଜାଣନ୍ତି ? ଅନ୍ଯର ଚ଼ିନ୍ତା , ଯାହା ଅନ୍ଯର ମଙ୍ଗଳ ବିଧାନରେ ଲାଗେ । କାହାକୁ ଆକ୍ଷେପ କି ସମାଲୋଚ଼ନା କରିବା କି କାହାର ବଂଶ ଗୁନିଆଦି ଉଖାରିବାକୁ ଅନୁଚ଼ିନ୍ତା କୁହାଯାଏନି ; ଏସବୁକୁ ହନୁଚ଼ିନ୍ତା କହିଲେ ବି କିଛି ଅତ୍ଯୁକ୍ତି ହେବନି ।
ନିକଟରେ ଦେଖିଲି ଜଣେ ବୟୋଜ୍ୟେଷ୍ଠ ବ୍ଯକ୍ତି ସାମାଜିକ ଗଣମାଧ୍ୟମରେ ଉପସ୍ଥାପନ କରିଥିବା ଫଟୋଟିକୁ । ଲେଖାଥିଲା ଯେ , ଅବୈତନିକ କର୍ମଚାରୀ ନିଯୁକ୍ତି । ସେ ପୁଣି ପ୍ରତି ଜିଲ୍ଲାରୁ ହୋଇଛି । ସେମାନେ ଅର୍ଥ ସଂଗ୍ରହ କରି ଦେବେ , ଏମାନେ ପତ୍ରିକା ଛାପିବେ ଓ ସାହିତ୍ୟ ଆସର କରିବେ । ତଳେ ଲେଖାଥିଲା ଯେ , ୨୦ରୁ ୨୫ ଧାଡ଼ିର କବିତା ପାଇଁ ୧୦୦ ଟଙ୍କା ଓ ୩ ପୃଷ୍ଠା ସମ୍ବଳିତ ଗଳ୍ପ /ପ୍ରବନ୍ଧ ପାଇଁ ୨୫୦ ଟଙ୍କା ଦେବେ । ସେହି ସଂସ୍ଥାରେ ପୁଣି ଓଡ଼ିଶା ସାହିତ୍ଯ ଏକାଡ଼େମୀର ସଦସ୍ଯ କିଛି ଅଛନ୍ତି । ସେମାନେ କ'ଣ ଜାଣୁନାହାନ୍ତି କି ଏପରି ହେଉଛି ବୋଲି ? ଏତେ ଟଙ୍କା ଦେଇ କିଏ କାହିଁକି ଛାପିବ ? ଅର୍ଥ ଦେଇ ଲେଖା ଛାପିବାର ମାନେ କ'ଣ ? ଲେଖକର ଲେଖା କ'ଣ ଏତେ ଶସ୍ତା ! ତା'ର ପରିଶ୍ରମର ମୂଲଯ କ'ଣ କିଛି ନାହିଁ ! ମୁଁ ଏହାର ବିରୋଧାତ୍ମକ ଉପସ୍ଥାପନ କଲା ପରେ କେହି ଜଣେ ଯାଇ ତାଙ୍କୁ ପଚ଼ାରିବାରୁ ଓଡ଼ିଶା ସାହିତ୍ଯ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଜଣେ ସ୍ରଷ୍ଟା ଯିଏ ସେହି ଅନୁଷ୍ଠାନରେ ଥିଲେ ଏକ ପଦବୀରେ , ସେ କହିଲେ - "ଆମେ ଜାଣିନୁ ।" ତେବେ ଅଜଣାରେ ଏମିତି ହେଉଛି ? ତେବେ ସେମାନଙ୍କୁ ପ୍ରଚ୍ଛଦପଟ୍ଟରେ ରଖି ଏ ସମ୍ପାଦକ ମହାଶୟ ବେପାର କରୁଛନ୍ତି ନା ସେମାନଙ୍କ ଜ୍ଞାତସାରରେ ହେଉଛି ବୁଝାପଡୁନି । ଯଦି ସେମାନେ ଜାଣିନାହାନ୍ତି , ତେବେ ବିରୋଧ କରିବା କଥା କିମ୍ବା ସେ ସଂସ୍ଥାରୁ ଓହରି ଆସିବା କଥା । ଯଦି ଜାଣି ସୁଦ୍ଧା ନିରବ ରୁହନ୍ତି ଓ ଜାଣିନୁ ବୋଲି କହନ୍ତି , ତେବେ ସେମାନେ ବି ନିନ୍ଦିତ ଓ ଦଣ୍ଡିତ ହେବା ଉଚିତ୍ ।
ତେବେ ଏଠି ପ୍ରଶ୍ନ ଉଠୁଛି , ଏଭଳି ଭାବରେ ଭାଷା ସାହିତ୍ଯକୁ ଅପମାନ ତଥା ଧର୍ଷଣ କରୁଥିବା ବ୍ୟକ୍ତି ବିଶେଷଙ୍କୁ କେଉଁ ଆଖ୍ଯା ଦିଆଯିବ ? କେଉଁ ଦଣ୍ଡ ଦିଆଯିବ ବୁଦ୍ଧିଜୀବୀ କହିବେ । ମାଂସ କାଟିବା ଲୋକ ଅପେକ୍ଷା ଖାଇବା ଲୋକ ସର୍ବାଧିକ ପରିମାଣରେ ପାପୀ । ଆମେ ନଖାଇଲେ ସେ କାଟନ୍ତା ବା କାହିଁକି ? ଠିକ୍ ସେପରି ବିକ୍ରେତା ଅପେକ୍ଷା କ୍ରେତା ମାନେ ହିଁ ସର୍ବାଧିକ ଦୋଷୀ । ସରକାର ତଥା ସାହିତ୍ଯ ଓ ସଂସ୍କୃତି ବିଭାଗ ସବୁ ଜାଣି ବି କ'ଣ ପାଇଁ ନିରବ , ବୁଝାପଡୁନି । ବିହିତ କାର୍ଯ୍ଯାନୁଷ୍ଠାନ କାହିଁକି ଗ୍ରହଣ କରୁନି ? ଚ଼ାରିଆଡ଼େ କରୋନାର ଆତଙ୍କରାଜ୍ରେ ସାରା ବିଶ୍ୱରେ ହଇଚ଼ଇ ସୃଷ୍ଟି ହେଉଥିବା ବେଳେ ଏଭଳି ସାହିତ୍ୟର କରୋନା ମାନେ ଆହୁରି ନିଆଁରେ ଘିଅ ଢ଼ାଳିବାରେ ଲାଗିଛନ୍ତି । ସାରା ବିଶ୍ବ ବନ୍ଦୀ ଜୀବନଯାପନ କରି ଖାଦ୍ୟ ପାଇଁ ହା' ହା' କାର ହେଉଥିବା ବେଳେ ଏମାନେ ସ୍ରଷ୍ଟା ମାନଙ୍କୁ ଲୁଟି ଚ଼ାଲିଛନ୍ତି ସାହିତ୍ୟର ପ୍ରହସନ କରି । ଯେମିତି କର୍ଫ୍ଯୁକୁ ନମାନିବାରୁ ଲାଠିମାଡ଼ ଶେଷ କାର୍ଯ୍ୟପନ୍ଥା ହେଲା , ସେପରି ଏମାନଙ୍କୁ କରାଯିବା ଉଚ଼ିତ୍ । ମାତୃଭୂମିର ସୁରକ୍ଷାରେ ଥିବା ମୁଖ୍ଯ ଶାସକ ଏଥିପ୍ରତି ଦୃଷ୍ଟି ଦେଲେ ବହୁତ ବଡ଼ ଉପକାର ହୋଇପାରନ୍ତା ।
++++++++++++++++++++++++
ଭାଟପଡ଼ା, , ନିରାକାରପୁର , କଣାସ , ପୁରୀ
++++++++++++++++++++++++
Comments
Post a Comment