ଓଡ଼ିଆ ନବବର୍ଷ - ଏକ ପ୍ରେରଣା

 କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି

          ସମ୍ପାଦକ - ଉଦୟ ଭାନୁ

     ଯେମିତି ଜନ୍ମ ମାତ୍ରେ ମୃତ୍ୟୁ ଅବଶ୍ଯମ୍ଭାବୀ , ସେମିତି ଆରମ୍ଭ ମାତ୍ରେ ପରିସମାପ୍ତି ବି ନିଶ୍ଚିତ । ସବୁକିଛିର ସମୟସୀମା ବି ନିର୍ଦ୍ଧାରିତ ହୋଇଛି ସୃଷ୍ଟି ଆରମ୍ଭ ପୂର୍ବରୁ । ଠିକ୍‌ ସେହିପରି ଗୋଟିଏ ବର୍ଷ ଆରମ୍ଭ ହେଲା ପରେ ୩୬୫ ଦିନ ପରେ ତା'ର ଅବଧିକାଳ ଶେଷ ହୋଇଯାଏ । ସମୟ କାହାରିକୁ ପ୍ରତୀକ୍ଷା କରେନି , ଅବିରାମ ଗତିରେ ଗତି କରି ଚାଲିଥାଏ । ସମୟକୁ ସମସ୍ତେ ପ୍ରତୀକ୍ଷା କରନ୍ତି , ସମୟ କିନ୍ତୁ ସଦାସର୍ବଦା ତା'ର କର୍ମରେ ଲିପ୍ତ । ଚଳମାନ ବର୍ଷର ବିଦାୟ ପରେ ଆଗମନ କରେ ଆଉ ଏକ ବର୍ଷ , ଯାହାକୁ ନୂଆବର୍ଷ ବୋଲି କୁହାଯାଏ । ନୂଆବର୍ଷ ର ଆଗମନରେ ସମ୍ତେ ନବ ଉନ୍ମାଦନା , ନବଚେତନା , ନବ ଚିନ୍ତନ , ନବ ପରିପାଟିରେ ଆମାୟିତ ପ୍ରାୟ । ସର୍ବତ୍ର ଆନନ୍ଦ ଉଲ୍ଲାସର କୋଳାହଳ ଭିତରେ ହଜିଯାଏ ଜାତି , ଧର୍ମ , ବର୍ଣ୍ଣ ; ଭାଙ୍ଗିଯାଏ ଶତ୍ରୁତା ଆଉ ଜନ୍ମ ନିଏ ମିତ୍ରତ୍ବ । ମିଶିଯାଏ ଛାତିରେ ଛାତି , ଏକ ହୋଇଯାଏ ମନ , ସୃଷ୍ଟି ରାଗେ ଶ୍ରୀକ୍ଷେତ୍ର ; ମନେ ହୁଏ ଆନନ୍ଦ ବଜାର । ସତରେ , କି ଆନନ୍ଦ ! ବୈକୁଣ୍ଠ ଭୁବନର ଭୁରି ଭୁରି ଆନନ୍ଦ ଠାରୁ ବି ଢ଼େର୍‌ ଅଧିକ । ଏଇ ନବବର୍ଷ ହିଁ ଏକମାତ୍ର ପନ୍ଥା ସମସ୍ତଙ୍କୁ ଏକ କରିବାରେ । 

     ନବବର୍ଷ ଏକ ଉତ୍ସବ ରୂପରେ ଅଲଗା ଅଲଗା ସ୍ଥାନରେ ପାଳିତ ହୁଏ ଭିନ୍ନ ଭିନ୍ନ ତିଥିରେ ଓ ଭିନ୍ନ ଭିନ୍ନ ବିଧିରେ । ବିଭିନ୍ନ ସମ୍ପ୍ରଦାୟର ନବବର୍ଷ ସମାରୋହ ଭିନ୍ନ ; ଏହାର ମହତ୍ୱ ବି ସଂସ୍କୃତି ଅନୁସାରେଣ ଭିନ୍ନ । ହିବୃ ମାନ୍ଯତାନୁଯାୟୀ ବିଶ୍ବ ପ୍ରସ୍ତୁତାର୍ଥେ ଭଗବାନ ସାତଦିନ ମୟ ନେଇଥିଲେ ; ଏହି ସପ୍ତ ସନ୍ଧାନ ପରେ ନବବର୍ଷ ପାଳନ କରାଯାଏ । ଏଦିନ ଗ୍ରୋଗରୀ କ୍ଯାଲେଣ୍ଡର ଅନୁସାରେ ୫ ସେପ୍ଟେଟେମ୍ବରରୁ ୫ ଅକ୍ଟୋବର ମଧ୍ୟେ ଆଗତ । ନବବର୍ଷ ଉତ୍ସବ ୪୦୦୦ ବର୍ଷ ପୂର୍ବରୁ ବେବିଲୋନରେ ପାଳିତ ହେଉଥିଲା । ଏ ଉତ୍ସବ ମାର୍ଚ୍ଚ ୨୧ରେ ପାଳିତ ହେଉଥିଲା ଯାହା ଭାବି ନିଆ ହେଉଥିଲା ବସନ୍ତର ଆଗମନ ତିଥି । ପ୍ରାଚୀନ ରୋମରେ ମଧ୍ୟ ନବବର୍ଷ ଉତ୍ସବ ପାଇଁ ବଛା ଯାଇଥିଲା ; ରୋମର ତାନଶାହା ଜୁଲିୟସ ସିଜରଈସା ପୂର୍ବ ୪୫ବିଂ ବର୍ଷରେ ଯେବେ ଜୁଲିୟସ କ୍ଯାଲେଣ୍ଡର ସ୍ଥାପନା କରିଥିଲେ , ସେହି ସମୟରେ ବିଶ୍ବରେ ପ୍ରଥମ ଥର ଜାନୁଆରୀ ପହିଲାକୁ ନବବର୍ଷ ଉତ୍ସବର ଦିବସ ଭାବେ ବିବେଚନା କରାଯାଇଥିଲା । ଇସ୍‌ଲାମୀ କ୍ଯାଲେଣ୍ଡରର ନବବର୍ଷ "ମହରମ"; ଏ କ୍ଯାଲେଣ୍ଡର ଏକ ପୂର୍ଣ୍ଣତ ଚନ୍ଦ୍ର ଆଧାରିତ କ୍ଯାଲେଣ୍ଡର ଯାହା କାରଣରୁ ଏହାର ଦ୍ବାଦଶ ମାସ ଚକ୍ର ୩୩ ବର୍ଷରେ ସୌର୍ଯ୍ଯ କ୍ଯାଲେଣ୍ଡରକୁ ଏକଥର ବୁଲେ । ଏ ହେତୁ ଗ୍ରୋଗରୀ କ୍ଯାଲେଣ୍ଡର ଅନୁସାରେ ନବବର୍ଷ ଅଲଗା ଅଲଗା ମାସରେ ପଡ଼ିଥାଏ  । ହିନ୍ଦୁ ମାନଙ୍କ ନବବର୍ଷ ଚୈତ୍ର ମାସ ନବରାତ୍ର ଇର ପ୍ରଥମ ଦିନ ଅର୍ଥ ଗୁଡ଼ି ପର୍ବରେ ସମସ୍ତ ବର୍ଷ ଚିନି କ୍ଯାଲେଣ୍ଡର ଅନୁସାରେ ପ୍ରଥମ ମାସର ପ୍ରଥମ ଚନ୍ଦ୍ର ଦିବସକୁ ନବବର୍ଷ ରୂପେ ପାଳନ କରାଯାଏ  । 

     ଭାରତୀୟ ସଂସ୍କୃତି ରେ ନବବର୍ଷ ଓ ବିଦେଶରେ ନବବର୍ଷ ଭିତରେ ତାରତମ୍ୟ । ଭିନ୍ନ ଭିନ୍ନ ଭାରତୀୟ ସାମାଜିକ ସଂସ୍କୃତିରେ ବର୍ଷର ଭିନ୍ନ ଭିନ୍ନ ସମୟରେ ନବବର୍ଷ ପାଳନ ପରମ୍ପରା କାହିଁ କେଉଁଠୁ ଚଳମାନ । ତେଲୁଗୁ ଓ କନ୍ନଡ଼ ନବବର୍ଷକୁ ଯୁଗାଦି କହନ୍ତି ; ଏହା ଏକ ସଂସ୍କୃତ ଶବ୍ଦ ଯାହାର ଅର୍ଥ ବର୍ଷର ଆରମ୍ଭ । ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ମାର୍ଚ୍ଚ ବା ଏପ୍ରିଲରେ ପାଳିତ ହୁଏ ; ଏ ନବବର୍ଷର ପ୍ରଥମ ମାସ ଚୈତ୍ର ଅଟେ । ମରାଠାମାନେ ବି ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦାରେ ନବବର୍ଷ ପାଳନ କରନ୍ତି ଯାହାର ନାଁ "ଗୁଡ଼ୀ ପଡ଼ୱା"। "ଗୁଡ଼ୀ"ର ଅର୍ଥ ବିଜୟ ପତାକା ଓ "ପଡ଼ୱା"ର ଅର୍ଥ ପ୍ରଥମ ଦିନ ବା ପ୍ରତିପଦା । ଛତ୍ରପତି ଶିବାଜୀଙ୍କ ଦ୍ବାରା ଧୂଜା ଉଡ଼ାଣ ପରମ୍ପରାର ପ୍ରାରମ୍ଭ । ଭାରତ ଓ ପାକିସ୍ତାନର ବାସିନ୍ଦା (ସିନ୍ଧୀ)ମାନେ ଚୈତ୍ର ଶୁକ୍ଳ ଦ୍ବିତୀୟା ଦିନ ନବବର୍ଷ ମନାନ୍ତି ଯାହାର ନାଁ ଚେଟୀ ଚଂଣ୍ଡ ; ଏହାକୁ ସିନ୍ଧୀମାନେ ଇଷ୍ଟଦେବ ଝୁଲେଲାଙ୍କର ଜନ୍ମଦିନ ଭାବେ ପାଳନ କରନ୍ତି । ତାମିଲ୍‌ ନବବର୍ଷ ହେଲା "ପୁଥାଣ୍ଡୁ" ଯାହା ଏପ୍ରିଲ ମଧ୍ୟଭାଗେ ପାଳିତ ; ଏଦିନ ମଦୂରୈର ମୀନାକ୍ଷୀ ମନ୍ଦିରରେ ବିଶେଷୋତ୍ସବ ପାଳନ ହୁଏ । କେରଳୀ ନବକେରଳୀ ନବବର୍ଷ ହେଉଛି ୱିଷୁ ; ତାମିଲ୍‌ ଓ କେରଳୀ ନବବର୍ଷ ଏପ୍ରିଲ ୧୩ରୁ ୧୫ ମଧ୍ଯରେ ପଡ଼େ । ଏପ୍ରିଲ ୧୪ରେ ମଣିପୁରୀ ନବବର୍ଷ "ଚୈରୁବା" ପାଳିତ ହେଉଥିଲା ବେଳେ ସମ ସମୟରେ ପଞ୍ଜାବୀ ନବବର୍ଷ "ବୈଶାଖୀ" ପାଳିତ ହୁଏ । 

        ଓଡ଼ିଆ ନବବର୍ଷ କିନ୍ତୁ ବିଷୁବ ସଂକ୍ରାନ୍ତିରେ ପାଳନ କରାଯାଏ । ଏପ୍ରିଲ ୧୪-୧୫ ମଧ୍ଯରେ ପଶ୍ଚିମବଙ୍ଗ ଓ ଆସାମରେ ନବବର୍ଷ ; ବଙ୍ଗଳା ନବବର୍ଷର ନାମ "ପଏଲା ବୈଶାଖ" ଓ ଅହମୀୟ ନବବର୍ଷର ନାମ "ରୋଙ୍ଗଲୀ ବିହୁ"। ମାରୱାଡ଼ୀ ମାନେ ଆଶ୍ବିନ କୃଷ୍ଣପକ୍ଷ ଅମାବାସ୍ଯା ବା ଦୀପାବଳିରେ ଏବଂ ଗୁଜୁରାଟୀ ମାନେ କାର୍ତ୍ତିକ ଶୁକ୍ଳପକ୍ଷ ପ୍ରତିପଦା ଦୀପାବଳି ପରଦିନ ନବବର୍ଷ ପାଳନ କରନ୍ତି । ସବୁ ଦେଶ ଗୋଟିଏ କ୍ଯାଲେଣ୍ଡର ଅନୁସରଣକାରୀ ନୁହଁନ୍ତି । ତେଣୁ ନବବର୍ଷ ଦେଶ , ଜାତି , ଧର୍ମାନୁଯାୟୀ ଭିନ୍ନ । ଅଷ୍ଟ୍ରେଲିଆରେ ଡିସେମ୍ବର ୩୧ରୁ ଜାନୁଆରୀ ୬ ଯାଏଁ ନବବର୍ଷ ଚାଲେ । ଏକକାଳୀନ ପ୍ରେଞ୍ଚ ମାନେ ମାର୍ଚ୍ଚ ଶେଷ ଓ ଏପ୍ରିଲ ପ୍ରଥମ ଭାଗ ମଧ୍ୟରେ ନବବର୍ଷ ପାଳନ କରୁଥିଲେ । ୧୫୮୨ରେ ଟ୍ରିଗୋରିଆନ୍‌ କ୍ଯାଲେଣ୍ଡର ପ୍ରଚଳନ ପରେ ଅନ୍ଯ ଇଉରୋପୀୟଙ୍କ ପରି ସେମାନେ ମଧ୍ୟ ଜାନୁଆରୀ ୧ରେ ନବବର୍ଷ ପାଳନ କଲେ । ୧୭୫୨ ମସିହାରେ ଇଂଲଣ୍ଡ ସରକାର ଜାନୁଆରୀ ପହିଲାକୁ ନବବର୍ଷ ଭାବେ ଗ୍ରହଣ କରିବା ସହ ସମସ୍ତ ଉପନିବେଶରେ ଲାଗୁ କରିଥିଲେ । ଇଂଲଣ୍ଡର ସର୍ବବୃହତ ଉପନିବେଶର ବାସିନ୍ଦା ଭାବରେ ଭାରତୀୟମାନେ ସେବେଳେ ଏହି ଦିବସକୁ ନବବର୍ଷ ଭାବରେ ଗ୍ରହଣ କରିଥିଲେ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ବି ଆଦରି ନେଇଥିଲା । ଚାଇନା ଓ ସିଙ୍ଗାପୁରରେ ଚାଇନିଜ୍‌ ଚନ୍ଦ୍ର ପଞ୍ଜିକାନୁଯାୟୀ ବସନ୍ତ ଋତୁରେ ନବବର୍ଷ ପାଳନ ଏବଂ ସମକାଳେ ଭିଏତନାମରେ ବି । ଆଜିକଲି ଅନେକ ଚାଇନିଜ୍‌ ଜାନୁଆରୀ ପହିଲାକୁ ନବବର୍ଷ ମନେଇଲେଣି । ଆଦ୍ଯେ ଜାପାନରେ ଚାଇନିଜ୍‌ ପଞ୍ଜିକାନୁସାରେ ହେଉଥିଲା । ୧୮୭୩ରେ ଜାପାନୀମାନେ ଗ୍ରିଗୋରିଆନ୍‌ କ୍ଯାଲେଣ୍ଡର ଗ୍ରହଣ କରିଥିଲେ । ପାରସୀ ଓ ଇରାନୀମାନେ ମାର୍ଚ୍ଚ ୨୦ବା ୨୧ରେ ନବବର୍ଷ ମନାନ୍ତି ଯାହାର ନାଁ "ନୌରୋଜ୍‌"; କିନ୍ତୁ ବାହାଇ ଧର୍ମାବଲମ୍ବୀମାନେ ୨୧ମାର୍ଚ୍ଚରେ ନବବର୍ଷକୁ ପାଳନ କରନ୍ତି ।

    ହିନ୍ଦୁ ମାନଙ୍କ ନବବର୍ଷ ନିଆରା କହିଲେ ଅତ୍ୟୁକ୍ତି ହେବନି । ବୈଶାଖ ମାସ ଶୁକ୍ଳପକ୍ଷରେ ସୂର୍ଯ୍ଯଙ୍କର ମେଷର ରାଶିକୁ ସଂକ୍ରମଣ ହୁଏ ; ସେଦିନ ସଂକ୍ରାନ୍ତି ପଡ଼େ । ଏହି ସଂକ୍ରାନ୍ତି ହିଁ ଆମର ନବବର୍ଷ । ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ହିଁ ଆମର ଉଲ୍ଲାସ ବ୍ଯସନର ଦିବସ ; ଏହା ସୌର ବୈଶାଖର ପ୍ରଥମ ଦିବସ , ଏଦିନଠୁ ନୂତନ ଶକାବ୍ଦର ଗଣନା ହୁଏ । ଓଡ଼ିଆ ନବବର୍ଷ ଆରମ୍ଭ ପ୍ରଣାଳୀ ବ୍ଜ୍ଞାନ ସମ୍ମତ ଓ ଯୁକ୍ତିଯୁକ୍ତ । ଅନୁମେୟ ଯେ , ଏ ଗଣନା ପ୍ରଣାଳୀ ଓଡ଼ିଶାର ପ୍ରଥମ ଜ୍ଯୋତିର୍ବିଜ୍ଞାନୀ ଶତାନନ୍ଦାଚାର୍ଯ୍ଯଙ୍କ ଠାରୁ ଚଳମାନ । ପୃଥିବୀର ୩ଟି ପ୍ରତ୍ଯକ୍ଷ ଓ ୨ଟି ପରୋକ୍ଷ ଭାବରେ ପାଞ୍ଚଟି ଗତି ମଧ୍ୟରୁ ଦୋଳନ ଅନ୍ଯତମ । ଏହି ଦୋଳନ ଗତି ଥରେ ସମ୍ପୂର୍ଣ୍ଣ ହେବାକୁ ୨୬ ହଜାର ବର୍ଷ ଲାଗିଥାଏ । ଏ ଗତି ହେତୁ ଗ୍ରହ ନକ୍ଷତ୍ରଙ୍କ ଦ୍ରାଘିମାରେ ପରିବର୍ତ୍ତନ ଘଟେ । ଏହାକୁ କହନ୍ତି ନିରୟଣ ପଦ୍ଧତି ; ଭାରତୀୟ ଏହି ମତବାଦର ସପକ୍ଷବାଦୀ । ଏ ମତାନୁସାରେ ସ୍ପଷ୍ଟ ସୂର୍ଯ୍ଯ ମେଷ ବିନ୍ଦୁରେ ପ୍ରତି ବର୍ଷ ଅପ୍ରେଲ ୧୪-୧୫ରେ ପ୍ରବେଶ କରନ୍ତି ; ଏହିଠାରୁ ନବବର୍ଷର ପ୍ରାରମ୍ଭ । ଓଡ଼ିଆ ପାଞ୍ଜି ଅନୁଯାୟୀ ଏ ଦିନ ମହାବିଷୁବ ସଂକ୍ରାନ୍ତି , ମାତ୍ର ଏହା ଠିକ୍‌ ନୁହେଁ ; କାରଣ ଏଦିନ ସୂର୍ଯ୍ଯ ବିଷୁବ ବୃତ୍ତର ପ୍ରାୟ ୯ ଡିଗ୍ରୀ ଉତ୍ତରକୁ ଘୁଞ୍ଚି ଆସିଥା'ନ୍ତି । ହିନ୍ଦୁ ନବବର୍ଷ ଚୈତ୍ର ଶୁକ୍ଳ ପ୍ରତିପଦାରୁ ଆରମ୍ଭ ହୁଏ । ପୃଥିବୀ ସୃଷ୍ଟି ଆରମ୍ଭରେ ସାୟନ ଓ ନିରୟଣ ସୂର୍ଯ୍ଯ ଏକ ବିନ୍ଦୁରେ ଅବସ୍ଥାନ କରୁଥିଲେ । ମାତ୍ର ବର୍ତ୍ତମାନ କାଳକୁ ଉକ୍ତ ବିନ୍ଦୁ ୨୪° ପଶ୍ଚାତକ୍ରମରେ ମୀନ ଆଡ଼କୁ ଘୁଞ୍ଚି ଆସିଛି , ତେଣୁ ଉକ୍ତ ଦିବସେ ରବିଙ୍କ ସ୍ଥିତି ଆଉ ସେହି ବିନ୍ଦୁରେ ରହିପାରୁନି । ଏ ଦିନର ଭିନ୍ନ ଭିନ୍ନ ନାମ ଅଛି ; "ମହାବିଷୁବ ସଂକ୍ରାନ୍ତି , ଜଳ ସଂକ୍ରାନ୍ତି , ଠେକିବସା ସଂକ୍ରାନ୍ତି , ଛତୁଆ ସଂକ୍ରାନ୍ତି , ପଣା ସଂକ୍ରାନ୍ତି" ଇତ୍ଯାଦି । 

    ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ପ୍ରାରମ୍ଭ ସମୟ ଏ ସଂକ୍ରାନ୍ତି । ଏ ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧି ଦିଆଯାଏ । ଏହି ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାର ସୂଚନା ଦିଏ ; ଏ ଠେକିକୁ ବସୁନ୍ଧରା ଠେକି କହନ୍ତି । ସେଲାଗି ଏହାର ନାମକରଣ ଏପରି । ଉତ୍ତର ଓଡ଼ିଶାରେ ଏହି ଦିନକୁ "ଚଡ଼କପର୍ବ" କହନ୍ତି । ଏହି ସଂକ୍ରାନ୍ତି ପର ଠାରୁ ବୃକ୍ଷଜଗତ ଓ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହାର ନାମ ହେଲା "ଜଳ ସଂକ୍ରାନ୍ତି" । ସାତ୍ତ୍ୱିକ ଆହାର , ଆନନ୍ଦ ଉଚ୍ଛ୍ୱାସ , ସ୍ବଚ୍ଛବାସ, ପବିତ୍ର ହୃଦୟ, ନିର୍ମଳ ମନ , ଭି ଚିନ୍ତନ , ସହଯୋଗ ମନୋବୃତ୍ତି ଆଦି ସବୁର ସମିଶ୍ରଣରେ ପୂରିତ ଦିବସଟି ଯେ ଓଡ଼ିଆ ନବବର୍ଷ ଗର୍ବିତ ଓଡ଼ିଆ ।

    ନୂଆବର୍ଷରେ ନୂଆ ଚିନ୍ତାଧାରା ଏବଂ ଜୀବେଦୟା ଭାବ ପୋଷଣ କରିବା ଉଚିତ । ଇଂରାଜୀ ନବବର୍ଷ ପାଳନ କରି ଜିହ୍ୱା ଲାଳସାକୁ ପରିତୃପ୍ତ କରିବା ପାଇଁ ଜୀବହତ୍ଯା ପାପ ବହନ ପୂର୍ବକ ଉଦ୍ଦଣ୍ଡ ନୃତ୍ଯ ପରିବେଷଣ କରିବା ହିନ୍ଦୁ ପରମ୍ପରା ବହିର୍ଭୂତ । ସତ୍ଯବାଦୀ ଓ ସ୍ବଚ୍ଛ ପରିପାଟୀ ସହ ମାନବ ଜନ୍ମର ସାର୍ଥକତାର୍ଥେ ଭକ୍ତି ଭାବାପନ୍ନ ହୋଇ ନୂଆବର୍ଷକୁ ସ୍ବାଗତ କରିବା ଏବଂ ପୁରୁଣା ବର୍ଷର ଅଜ୍ଞାତ ପାପ ପୁନର୍ବାର ନଆସିବାର ପ୍ରାର୍ଥନା ପୂର୍ବକ ଜୀବମୁକ୍ତି , ଜନ୍ମମୁକ୍ତିର ବିନୟ କରିବା ହିଁ ଏ ସୃଷ୍ଟି ସଂରକ୍ଷଣର ଏକମାତ୍ର ପନ୍ଥା । ନଚେତ ପ୍ରକୃତିର ତାଣ୍ଡବ ସହ କରୋନା ପରି ମହାମାରୀ ଆହୁରି କି କି ରୂପରେ ଆଗରେ ଛିଡ଼ା ହେବ ଏବଂ ମାଳିକା ବର୍ଣ୍ଣିତ ବାକ୍ଯବାଣ ସୃଷ୍ଟି ବୁକୁ ଭେଦ କରିବ ତାହା ଆଖି ଆଗରେ ଜଳଜଳ ପରିଦୃଷ୍ଟ । ବେଳହୁଁ ସାବଧାନ , ଲେଡ଼ି ଗୁଡ଼ କହୁଣୀକୁ ବହିବା ପରେ ଆଉ ଜିଭ ପାଇବ ନାହିଁ । ସମାଜରେ ତଥା ଏ ସୃଷ୍ଟିରେ ତିଷ୍ଠିବାକୁ ହେଲେ ଦୟା , ଶାନ୍ତି , ସତ୍ଯ , ଭକ୍ତି ଏହି ଚାରି ମାର୍ଗ ଅନ୍ବେଷଣ ପୂର୍ବକ କାର୍ଯ୍ୟ ସମ୍ପାଦନ କରିବା ପାଇଁ ହେବ ।

ଭାଟପଡ଼ା , ନିରାକାରପୁର , କଣାସ (ପୁରୀ)
               ୮୯୧୭୪୮୦୫୩୬

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା