ସାହିତ୍ୟ - ସମାଜ ହିତ ସାଧନେ
କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ସମାଜର ହିତ -ସାହିତ୍ୟ ; ଏକଥା ସର୍ବତ୍ର ବିଦିତ ଅଟେ । ଉଜ୍ଜ୍ୱଳ ସଭ୍ୟତାକୁ ପ୍ରତିପାଦିତ କରେ ସାହିତ୍ଯ । କୌଣସି ବ୍ଯକ୍ତିର ଜ୍ଞାନର ବୌଦ୍ଧିକ ବିକାଶ ସାଧନ ସାହିତ୍ୟ ମାଧ୍ୟମରେ ହୁଏ । ଜୀବନକୁ ଠିକ୍ ଭାବେ ଗଢ଼ି ତୋଳିବାରେ ସାହିତ୍ୟର ଭୂମିକା ଅତୁଳନୀୟ । ଜୀବନର ପ୍ରତି ପାଦରେ ସାହିତ୍ଯ ନିହିତ । କାବ୍ୟ,କବିତା,ଗଳ୍ପ, ପ୍ରବନ୍ଧ ଓ ନିବନ୍ଧ ମାଧ୍ୟମରେ ସାହିତ୍ୟର ସ୍ରଚାର ପ୍ରସାର ସମାଜର ହିତ ସାଧନେ ବିନିଯୋଗ । ସାହିତ୍ୟର କୌଣସି ଭାଷା କି ଜାତି ନ ଥାଏ । ଯେକୌଣସି ଭାଷାରେ ଓ ଯେକୌଣସି ଜାତି ସମାଜର ହିତାର୍ଥେ ସାହିତ୍ୟକୁ ବ୍ଯବହାର କରି ପାରିବ । ସମାଜ ସହିତ ଯେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ସେ ସାହିତ୍ୟ ।
ଏତେ ସହଜରେ ଜଣେ ସାହିତ୍ୟ ସାଧକ ହୋଇପାରେନା । ସାହିତ୍ୟକୁ ସାଧିବାକୁ ହେଲେ ସେତିକି ନିଷ୍ଠା ଦରକାର ; ଅକ୍ଲାନ୍ତ ଶ୍ରମ ଦରକାର । ସାହିତ୍ୟିକଟିଏ ହେବାକୁ ହେଲେ ମନ, ବିବେକ, ଚରିତ୍ରକୁ ଏକଠୁଳ କଲିବାକୁ ପଡ଼ିବ । ନିଜର ଅନ୍ତର୍ନିହିତ ଜ୍ଞାନକୁ ବିକଶିତ ଚରିବାକୁ ପଡ଼ିବ । କର୍ତ୍ତବ୍ୟପରାୟଣତା, ସମୟାନୁବର୍ତ୍ତିତା ହେବା ସଙ୍ଗେ ସଙ୍ଗେ ସହନଶୀଳତାକୁ ବୃଦ୍ଧି କରିବାକୁ ପଡ଼ିବ । ସତ୍ୟବାଦୀ, ନ୍ଯାୟବନ୍ତ, ଧର୍ମପରାୟଣ ନ ହେଲେ ସାହିତ୍ୟିକ ହେବା ଏତେଟା ସରଳସାଧ୍ଯ ନୁହେଁ । ସାହିତ୍ଯ ସମାଜର ଦର୍ପଣ ; ସମାଜର ପ୍ରତିଛବିକୁ ସାହିତ୍ୟରେ ପ୍ରତଫଳିତ କରିବୀକୁ ହେଲେ ସାଧନା ଦରକାର ।
ବିଭିନ୍ନ ଭାଷା ସାହିତ୍ୟ ଆଜି କେତେ ଉଚ୍ଚକୋଟୀର ହୋଇଥିବା ବେଳେ ଆମ ଓଡ଼ିଆ ସାହିତ୍ୟ ଆଜି ବି ଧରାଶାୟୀ । କାରଣ କ'ଣ ଜାଣନ୍ତି କି ? କାରଣ ସ୍ବାର୍ଥ, ହିଂସା, ଅହଂଭାବ ହିଁ ଆମ ସାହିତ୍ଯକୁ ନିକୃଷ୍ଟ କରି ଦେଉଛି । ସମାଜର ବୌଦ୍ଧିକ ବିକାଶରେ ଏହିସବୁ ସୃଷ୍ଟି କରୁଛି ବାଧା । ଓଡିଆ ଭାଷାରେ ଏକ ପ୍ରବାଦ -" ଓଡ଼ିଶା କଙ୍କଡା" ସଜୀବ ହୋଇ ସମଗ୍ର ଓଡ଼ିଶା ପ୍ରଦେଶରେ ଘୂରି ବୁଲୁଛି । ଜଣେ ଉପରକୁ ଉଠୁଛି ତ, ତା' ଟାଙ୍କକୁ ଟାଣି ଦିଅ । ପଡ଼ିଯାଉ ତଳେ ; ତା' ପତିତ ଶରୀର ଉପରେ ପାଦ ଥାପି ଆମେ ଉପରକୁ ଉଠି ଯିବୁ । ଏଭଳି ମାନସିକ ରୋଗୀ ସମାଜ ତଥା ଓଡ଼ିଆ ସାହିତ୍ୟର ସାଧକ ନା ହିଂସ୍ରିକ ବୁଝିବାକୁ ଆଉ ବାକି ନାହିଁ ।
ସାହିତ୍ୟିକ ହୋଇ ସାହିତ୍ୟିକ ପ୍ରତି ହିଂସା ମନୋଭାବ ପୋଷଣ ନିଜକୁ ମାନସିକ ରୋଗୀ ବୋଲି ପରିଚିତ କରାଏନି କି ? ଓଡିଆ ସାହିତ୍ୟର ବିକାଶ ତଥା ସମାଜର ବିକାଶକୁ ଦେଖି ଅସହ୍ୟବୋଧ ବ୍ଯକ୍ତି କେବେ ସାହିତ୍ୟିକର ଆସନ ଅଳଂକୃତ କରି ପାରେନି । ଉପଦେଶ ଦେବା ଅପେକ୍ଷା ଉପଦେଶକୁ ପାଳନ କରିବା ବ୍ଯକ୍ତି ହିଁ ମହାନ୍ । ଅନ୍ଯକୁ ଉଚିତ୍ ବାଟ ଦେଖାଉଥିବା ବ୍ଯକ୍ତି ନିଜେ ଉଚିତ୍ ପଥର ପଥିକ କି ନୁହେଁ ନିଜକୁ ନିଜେ ପରଖିବା ଉଚିତ୍ । ଶାଳିନତା ରକ୍ଷା କରିବାକୁ କହୁଥିବା ଲୋକ ନିଜେ ନିଜର ଶାଳିନତାକୁ ବଜାୟ ରଖିବା ସର୍ବାଦୌ ଆବଶ୍ଯକ । ଓଡ଼ିଆ ଭାଷାର ଏକ ଲୋକକଥା "ନାନୀ ଗଲା ଦିଅଁ ଦେଖି, ମୁଁ ଯିବି ଦିଅଁ ଦେଖି" ଭଳି ନୀତିରେ ଅନୁପ୍ରାଣୀତ ହେବା ସାହିତ୍ୟ ସାଧନା ନୁହେଁ । ହିଂସା ହିଁ ନିଜର ଯଥୋଚିତ ସାଧନାକୁ ନିମ୍ନଗାମୀ କରିଦିଏ । ସାହିତ୍ଯ ମାଧ୍ୟମରେ ସମାଜକୁ ଦିଗ୍ଦର୍ଶନ ଦେବା ପୂର୍ବରୁ ନିଜେ ସେ କାମ କରି ସମାଜ ଲୋଚନରେ ପ୍ରତିଫଳିତ କରିବାକୁ ହେବ । ମୋହନ ଦାସ କରମଚାନ୍ଦ ଗାନ୍ଧି "କୁଟି ଖାଅ - କାଟି ପିନ୍ଧ"ର ନାରା ଦେଉଥିଲେ ଏବଂ ନିଜେ ବି ଅରଟରେ ସୂତା କାଟି ଲୁଗା ବୁଣି ପିନ୍ଧିବା ସହ ଢ଼ିଙ୍କିରେ ଧାନ କୁଟି ଚାଉଳ କରି ଖାଉଥିଲେ । ସୁବାର୍ତ୍ତା ପ୍ରଦାନ ପୂର୍ବରୁ ନିଜେ ସେ ବାର୍ତ୍ତାକୁ ପ୍ରଥମେ ପାଳନ କରି ଦେଖାଇବା ଉଚିତ୍ । କସ୍ତୁରବାଙ୍କ ସ୍ବାସ୍ଥ୍ୟ ଖରାପ ହେବା ପରେ ଗାନ୍ଧି ତାଙ୍କୁ ଲୁଣ ଖାଇବାକୁ ବାରଣ କରିବାରୁ ଧର୍ମପତ୍ନୀ କସ୍ତୁରବା "ନିଜେ ଆଗ ଲୁଣ ଖାଇବା ଛାଡ଼ନ୍ତୁ" ବୋଲି କହିଲେ । ଗାନ୍ଧିଜୀ ତା'ପରେ ଜୀବନର ଅବଶିଷ୍ଟ ସମୟତକ ଅଲଣା ଭୋଜନରେ ବିତାଇ ଦେଇଥିଲେ ।
ଇଶ୍ବର ଚନ୍ଦ୍ର ବିଦ୍ଯାସାଗର ଦିନେ ରାସ୍ତାରେ ଯାଉଥିବା ବେଳେ ଜଣେ ଛୋଟ ପିଲା ତାଙ୍କୁ ଭିକ୍ଷା ମାଗିବାରୁ ସେ ତାକୁ ପ୍ରଶ୍ନଟିଏ କରିଥିଲେ । ପ୍ରଶ୍ନଟି ଥିଲା - "ମୁଁ ତତେ ଯଦି ଟଙ୍କାଟିଏ ଦିଏ ତୁ କ'ଣ କରିବୁ ?" ଉତ୍ତର ଥିଲା -"ପଚାଶ ପଇସାର ଘରକୁ ସଉଦା ନେବି, ଆଉ ବାକି ପଚାଶ ପଇସାରୁ କୋଡ଼ିଏ ପଇସାର ଚଣା କିଣି ଖାଇବି । ତିରିଶି ପଇସା ମାଆକୁ ଦେବି ।" ଇଶ୍ବର ଚନ୍ଦ୍ର ପୁଣି ପ୍ରଶ୍ନ କଲେ "ଯଦି ମୁଁ ତୋତେ ଦୁଇଟଙ୍କା ଦିଏ ?" ଉତ୍ତର ଥିଲା -"ଗୋଟାଏ ଟଙ୍କା ଏ ବାଟରେ ଖର୍ଚ୍ଚ କରିବା ପରେ ବାକି ଟଙ୍କାଏରେ ଦୋକାନ କରିବି ।" ବିଦ୍ଯାସାଗର ପିଲାଟିକୁ ଦୁଇଟଙ୍କା ଦେଇଥିଲେ ଓ ସେଠାରୁ ଚାଲି ଯାଇଥିଲେ । କିଛିଦିନ ପରେ ସେହି ବାଟେ ପୁନରାୟ ଯିବା ବେଳେ ସେହି ପିଲାଟି ତାଙ୍କୁ ଦେଖି ତାଙ୍କ ପାଦ ତଳେ ଲୋଟିଗଲା । ବିଦ୍ଯାସାଗର ତାକୁ ତୋଳି ଆଣି ପରିଚୟ ପଚାରିବାରୁ ସେ ଜାଣି ପାରିଲେ ସେଦିନ ଦୁଇଟଙ୍କା ଦେଇଥିବା ପିଲାଟି ଆଉ କେହି ନୁହଁ, ଖୋଦ୍ ଏଇ ପିଲା । ସେହି ଦୁଇଟଙ୍କାରୁ ତା'ର ଦୁଇ ହଜାର ଟଙ୍କାର ଜଳଖିଆ ଦୋକାନ । ଇଶ୍ବର ଚନ୍ଦ୍ର ବିଦ୍ଯାସାଗର ଦେଇଥିବା ଦୁଇଟଙ୍କାର ସାର୍ଥକତାକୁ ଏବଂ ପିଲାଟିର ଅଧ୍ଯବସାୟ ନିଷ୍ଠା ଓ ତା' ସାର୍ଥକତାକୁ ହୃଦୟଙ୍ଗମ କଲେ । ତେବେ ଜଣେ ଆନ ଜଣକୁ ଏତେ ଘୃଣା ଓ ହିଂସା କାହିଁକି ? ଯଦି ସେଦିନ ଇଶ୍ବର ଚନ୍ଦ୍ର ଭିକାରୀ ଭାବି ତାକୁ ଏଡ଼େଇ ଚାଲି ଯାଇଥା'ନ୍ତେ ତେବେ ସେ କ'ଣ ଆଜି ଭିକାରୀରୁ ବଣିକ ହୋଇ ପାରିଥା'ନ୍ତା କି ? ଯଦି ଆମର ଏକ କ୍ଷୁଦ୍ର ସହଯୋଗରେ କାହାର ବିରାଟ ଉପକାର ହୋଇ ପାରୁଛି ; ତେବେ ସହଯୋଗ କରିବାରେ ଅସୁବିଧା କ'ଣ ? ଏ ମନୋଭାବ ମଣିଷକୁ ଉଚ୍ଚାସନରେ ବସେଇ ଦିଏ ; କିନ୍ତୁ ହିଂସା ଓ ଅହଂଭାବ ମଣିଷକୁ ଅମାନବିକତାର ପରିଚୟ ପ୍ରଦାନ କରେ ।
"ମୁଁ କରିଛି ; ମୋ ଲାଗି ସମ୍ଭବ" ଏସବୁ ବାକ୍ଯ ଅହଂଭାବର ପ୍ରତୀକ । ନିଜ ଅହଂକାର ନିଜକୁ ଗୋଡ଼ାଇ ଖାଏ ; ତେଣୁ ସାହିତ୍ୟିକର ଧର୍ମ ଅହଙ୍କାର ବର୍ଜନ ଓ ହିଂସାର ଶତ୍ରୁ । ହିଂସା, ଅହଙ୍କାର ସହ ଶତ୍ରୁତା କରି ପାରିଲେ ସମାଜ ସାଜିବ ମିତ୍ର । ନିଜର ଅହଂଭାବରୁ ହୁଏ ମର୍ଯ୍ଯାଦାହାନୀ ଓ ମର୍ଯ୍ଯାଦାହାନୀରୁ ହିଂସା । ଶେଷରେ ଆପଣାର ପତ୍ତନ ହୁଏ । ତେଣୁ ଏସବୁଠୁ ଦୂରରେ ରହିବା ସାହିତ୍ୟ ଅନୁରାଗୀ ସାହିତ୍ୟିକର ଧର୍ମ ଅଟେ । ସମୂହ ସ୍ବାର୍ଥକୁ ଆଖି ଆଗରେ ଥାପି ସାହିତ୍ୟ ସାଧନାରେ ବ୍ରତୀ ହେଲେ ଜଣେ ଦକ୍ଷ ସାହିତ୍ୟିକର ମାନ୍ଯତା ପାଏ ; ନିଜର ସ୍ବାର୍ଥ ଦେଖୁଥିବା ଲୋକକୁ ସାହିତ୍ୟିକ ନୁହେଁ ବରଂ ସ୍ବାର୍ଥବାଦୀର ଆଖ୍ୟା ମିଳିଥାଏ । କିଛି ଗୋଟେ ଗାରେଇ ଦେଲେ ଯେ ତାହା ସାହିତ୍ୟ ; ଏକଥା ଭାବିବା ଭୂଲ୍ । ଆଗରୁ କହିଛି ଆଉ ଏବେ ବି କହୁଛି ; ଯଥା ନିଷ୍ଠା, ଜ୍ଞାନ ଓ ଅଧ୍ଯବସାୟର ଶ୍ରମ ଦାନ ନିହାତି ଦରକାର । ଜଣେ ଯେ କେବଳ ଉଚ୍ଚଶିକ୍ଷିତ ବ୍ଯକ୍ତି ସାହିତ୍ୟିକ ପଦବାଚ୍ୟ ହେବ ଏକଥା ଭାବୁଥିବା ବ୍ଯକ୍ତି ବିଶେଷ ନିଜ ମୁର୍ଖାମୀର ପରିଚୟ ପ୍ରଦାନ କରନ୍ତି । ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା କବି ଗଙ୍ଗାଧର ମେହେର ପ୍ରକୃତି କବିର ଆଖ୍ଯା ପ୍ରାପ୍ତ ; ମହାବିଦ୍ୟାଳୟ , ବିଶ୍ୱବିଦ୍ୟାଳୟରେ ଯାହାର ଲେଖା ଆଜି ପରିବ୍ୟାପ୍ତ ।
ସନ୍ଥକବି ଭୀମ ଭୋଇ ଅନ୍ଧ ହୋଇ ବି ଆମ ସାହିତ୍ଯକୁ ତାଙ୍କର ଅବଦାନ ଅତୁଳନୀୟ । ସମାଜ ପାଇଁ ନିଜକୁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗୀକୃତ କରି ଦେଇଥିଲେ ସନ୍ଥକବି ମହୋଦୟ । ତାଙ୍କ ଲେଖନୀ ମୂନରୁ ଝରି ପଡ଼ିଥିଲା କବିତାଟିଏ ; ଯାହା ଆଜି ଜାତିସଂଘର କାନ୍ଥରେ ଚିତ୍ରିତ ହୋଇ ଏବଂ ଜନ ମାନସରେ ଜୀବିତ ହୋଇ ଅଦ୍ଯାବଧି ଅବସ୍ଥିତ । ତାହା ହେଲା :-
"ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ
ଦେଖୁ ଦେଖୁ କେ ବା ସହୁ
ମୋ ଜୀବନ ପଛେ ନର୍କେ ପଡ଼ିଥାଉ
ଜଗତ ଉଦ୍ଧାର ହେଉ ।"
ପ୍ରକୃତି କବି ଗଙ୍ଗାଧର ମେହେର କେବଳ ବଲ୍ଲୀ ପ୍ରକୃତି ନୁହେଁ ; ସମାଜର ପ୍ରକୃତିର ଚିତ୍ରକୁ ବି ନିଜ କାବ୍ୟ କବିତାରେ ଅଙ୍କନ କରି ଯାଇଛନ୍ତି । ନିଜ ମାତୃଭୂମି ପ୍ରତି ତାଙ୍କର ଅହେତୁକ ଭଲପାଇବା ; ଏକ ସୁନ୍ଦର ମାତୃ ପ୍ରେମର ନିଦର୍ଶନ । ମାତୃଭୂମି କବିତାର ଗୋଟିଏ ପଦ ସାରା ସମାଜରେ ଆନ୍ଦୋଳିତ ହୁଏ -
"ମାତୃଭୂମି ମାତୃ ଭାଷାରେ ମମତା
ଯା' ହୃଦେ ଜନମି ନାହିଁ
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ ?"
ତେଣୁ ଏଠି ସାମୂହିକ ସ୍ବାର୍ଥର କଥା ଆସେ । ନିଜର ସ୍ବାର୍ଥକୁ ଜଳାଞ୍ଜଳି ଦେଇ ପାରିଲେ ଜଣେ ସୁସାହିତ୍ଯିକ ପଦବାଚ୍ୟ ହୁଏ । ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ଭାଷାରେ -
"ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚାଲି ଯାଆନ୍ତୁ ପିଠିରେ
ଦେଶର ସ୍ବରାଜ ପଥେ ଯେତେ ଗାଢ଼
ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼ ।"
ଆଗରୁ ଆମ ଓଡ଼ିଆ ସାହିତ୍ୟ କେତେ ଉଚ୍ଚମନା, ନିଃସ୍ବାର୍ଥପର ଓ ଉଚ୍ଚକୋଟୀର ଥିଲା ଇତିହାସର ପୃଷ୍ଠା କହେ । କିନ୍ତୁ ; ଏବେ ସେସବୁ ଆଉ ନାହିଁ । କେଇଟା ଟଙ୍କାରେ ସାହିତ୍ୟ ସାଜିଛି ପଣ୍ଯ ଦ୍ରବ୍ଯ ; ଶସ୍ତା ସୁନ୍ଦର । କିନ୍ତୁ ମଜ୍ବୁତ୍ ନୁହେଁ । ସାହିତ୍ୟକୁ ନେଇ ଚାଲିଛି ଅଙ୍କ କଷା ଆଉ ଲାଭଖୋର୍ର ବେପାର ; ତୁଚ୍ଛା ସମ୍ମାନ ଆଶାରେ ପ୍ରତ୍ଯହ ଅବିରତ ଧାଁ ଧଉଡ । କଥାରେ ଅଛି "ଟାଙ୍କ, ମୁହଁ କରେ ବଙ୍କା ।" ଟଙ୍କା ଫିଙ୍ଗିଲେ ସ୍ବର୍ଣ୍ଣଲଙ୍କା ବି କ୍ରୟ କରି ହେବ ; ଏ କଥାକୁ ବାସ୍ତବର ରୂପ ଦେଇଛନ୍ତି ଆଜି କାଲିର ଶସ୍ତା ସାହିତ୍ୟିକ ମାନେ । "ଅର୍ଥ ହିଁ ଅନର୍ଥର ମୂଳ" ; ଏକଥା ବୋଧେ ତାଙ୍କୁ ଅଜ୍ଞାତ । ସେତେବେଳର ସାହିତ୍ୟ ଓ ଏବେକାର ସାହିତ୍ୟ ଭିତରେ ଆକାଶ - ପାତାଳ ପ୍ରଭେଦ ପରିଲକ୍ଷିତ । ଇଣ୍ଟର୍ନେଟ୍ ଯୁଗରେ ସାହିତ୍ୟର ବିକାଶ ବଦଳରେ ବିନାଶ ଚାଲିଛି । ଆମର ଓଡିଆ ଭାଷାକୁ ପଙ୍ଗୁ, ଅଥର୍ବ ସଜେଇବା ପାଇଁ କେତେଜଣ ମୁଷ୍ଟିମେୟ ଶସ୍ତା ସାହିତ୍ୟିକଙ୍କର କାର୍ଯ୍ଯକଳାପ କଳଙ୍କମୟ ଇତିହାସ ସର୍ଜନାର ସୂଚନା ପ୍ରଦାନ କରୁଛି । ସୋସିଆଲ ମିଡିଆର ହ୍ବାଟ୍ସ୍ଆପ୍, ଫେସବୁକ୍, ଟ୍ବିଟର୍ରେ ଛତୁ ଫୁଟୁଛନ୍ତି ଶସ୍ତା ସାହିତ୍ୟିକ । ସାହିତ୍ଯ ସଭାର ବାହାନାରେ ଲୁଟି ଚାଲିଛନ୍ତି ଅର୍ଥ ; ରୀତିଏରେ ଛତିଏ ଉପାର୍ଜନ । ଗୋଟିଏ ଶସ୍ତା ଛପା କାଗଜ ଧରେଇ ଦେଇ କିମ୍ବା କାଚ ଦରଜାରେ ବନ୍ଦି ଶସ୍ତା ମାନପତ୍ର ଧରେଇ ଦେଇ ହଜାର ହଜାର ଅର୍ଥ ଉପାର୍ଜନ ଅତି ସହଜ ଉପାୟରେ । ରାଜନୀତିର ପଶାପାଲିରେ ବଳି ପଡ଼ିଛି ସାହିତ୍ଯ । ସାହିତ୍ଯ ମଞ୍ଚରେ ସାହିତ୍ୟିକ ବଦଳରେ ରାଜନେତା, କୁଜିନେତା, ଲକ୍ଷପତି ଓ କୋରଡ଼ପତି ମଞ୍ଚାସୀନ । ମଞ୍ଚ ମଣ୍ଡନ ପାଇଁ ଅର୍ଥର ବର୍ଷା ; ବାଃ ! ଏଇ ହେଉଛି ସାହିତ୍ଯ ! କଥାରେ ଅଛି - " ପିମ୍ପୂଡ଼ି ରୁଖାରେ ଚଢ଼ି ଗଲେ ଭାବେ ମୁଁ ସ୍ବର୍ଗରେ ଚଢ଼ିଛି ।" ଏହି କଥାକୁ ପ୍ରତିପାଦିତ କରି ଚାଲିଛନ୍ତି କିଛି ଶସ୍ତା ସାହିତ୍ୟିକ । ତ୍ରୁଟି ଶୂନ୍ୟ ଭାବରେ ଓଡ଼ିଆ ଭାଷା ଲେଖି ପାରୁ ନ ଥିବା କି କହି ପାରୁ ନ ଥିବା ଶସ୍ତା ସାହିତ୍ୟ ରଚକ ମଞ୍ଚାସୀନ ସାହିତ୍ୟ ମଞ୍ଚରେ ।
ନିଜର ଯଦି ଦକ୍ଷତା ଅଛି ତେବେ ପାଠକ, ଦର୍ଶକ ଓ ଅନୁଭବୀ ମାନେ ତୁମର ଗୁଣଗାନ କରିବେ ଏବଂ ଯଥୋଚିତ ସମ୍ମାନ ପ୍ରଦାନିବେ । "ମାଗି ଓଳଗି ଯାଚି ସମ୍ମାନ"ର ମୂଲ୍ଯ ବା କ'ଣ ? ଟଙ୍କା ଦେଇ ସବୁ କିଣି ହୁଏ ; କିନ୍ତୁ ସ୍ନେହ,ଶ୍ରଦ୍ଧା, ଭଲପାଇବା ଓ ଶାଶ୍ୱତ ପ୍ରେମକୁ କିଣି ହୁଏନି । ସମାଜରୁ ସ୍ନେହ,ଶ୍ରଦ୍ଧା,ଭଲପାଇବା ଏବଂ ଶାଶ୍ୱତ ପ୍ରେମ ପ୍ରାପ୍ତ କରିବାକୁ ହେଲେ ସେତିକି ନିଷ୍ଠା ଓ ସାଧନା ସହିତ ସମାଜକୁ ସ୍ନେହ,ଶ୍ରଦ୍ଧା ଓ ଭଲପାଇବା ଦେବାକୁ ହେବ ; ସମସ୍ତଙ୍କୁ ପ୍ରେମରେ ବାନ୍ଧି ରଖିବାକୁ ହେବ । ଟଙ୍କା ଫିଙ୍ଗି ସମ୍ମାନ କିଣି ହୁଏନି ; କିନ୍ତୁ ଆଜିକାଲି ଯୋଉ ସମ୍ମାନ ବିକ୍ରିବଟା ଚାଲିଛି ତାହା ମିଛ ସମ୍ମାନ କହିଲେ ଅତ୍ୟୁକ୍ତି ହେବନି । "ମତେ ଦିଅ ମୁଁ ଦେବି" ଏହି ନ୍ଯାୟ୍ରେ ସାହିତ୍ଯ ଚାଲିଛି ଏବେ । ମତେ କିଏ ମାନପତ୍ରଟେ ଦେଇଛି ମୁଁ ତାକୁ ମାନପତ୍ରଟେ ଦେବି ; ଏ ନୀତି ସାହିତ୍ୟକୁ ଶସ୍ତା କରିଦେଉ ନାହିଁ କି ? ପ୍ରକୃତ ସାହିତ୍ଯ ଏଠି ବଳି ପଡ଼ି ଯାଉନାହିଁ କି ? ନବାଗତ ସାହିତ୍ୟିକଙ୍କୁ ଉତ୍ସାହ କରିବା ବଦଳରେ ନିରୁତ୍ସାହିତ କରିବା କେତେଦୂର୍ ଯଥାର୍ଥ ? ଏଠି ତ ଚାଲିଛି ମୁହଁ ଦେଖା ସାହିତ୍ୟ , ସାହିତ୍ୟ ସହିତ ରାଜନୀତିକୁ ଯୋଡ଼ି କଳଙ୍କମୟ ଇତିହାସର ସର୍ଜନା । ଖାଲି ପଦବୀ ମଣ୍ଡନ କରିବା ପାଇଁ ଆସ୍ପର୍ଦ୍ଧା ଫୁଟି ଉଠୁଛି : ପ୍ରକୃତ ଭାଷା ସାହିତ୍ୟ କିନ୍ତୁ ଅବହେଳିତ ।
ପ୍ରକୃତ ସାହିତ୍ଯିକ ପଦପଦବୀ ଆଶାୟୀ ହେବା ଅନୁଚିତ୍ । ସାହିତ୍ୟ ସାଧନାରେ ପଦପଦବୀର ଆବଶ୍ଯକତା ନ ଥାଏ । ପ୍ରକୃତ ସାହିତ୍ଯିକ ସାହିତ୍ୟ ସାଧନାର ଲକ୍ଷ୍ୟ ନେଇ ଆଗେଇ ଚାଲିଥାଏ । ଏଠି ମନେ ରଖିବାର କଥା ଯେ କବି ମାନଙ୍କ ଗହଣରେ ବସିବାରେ ଯୋଉ ଶାନ୍ତି ଥାଏ, ମଞ୍ଚରେ ମଞ୍ଚାସୀନ ହୋଇ ତୁଚ୍ଛା ସମ୍ମାନ ପ୍ରାପ୍ତିରେ ସେ ଶାନ୍ତି ନ ଥାଏ । ଯିଏ ତୁଚ୍ଛା ସମ୍ମାନ ପାଇଁ ମଞ୍ଚାସୀନ ହେବାର ଆଶା ରଖନ୍ତି ସେମାନେ ପ୍ରକୃତ ସାହିତ୍ଯିକ ନୁହଁନ୍ତି । ପ୍ରକୃତ ସାହିତ୍ଯିକ ସିଏ ; ଯିଏ ସାହିତ୍ୟ ସାଧନାରେ ସଦାସର୍ବଦା ବ୍ରତୀ ଏବଂ ସମ୍ମାନର ଆଶା ନ ସଞ୍ଚି ନିଜ କର୍ମରେ ଲିପ୍ତ ଥାଏ ।
ମାତୃଭାଷା ଓ ମାତୃଭୂମି ପ୍ରତି ଅହେତୁକ ମମତା ହିଁ ମଣିଷକୁ ଉଚ୍ଚାସନ ପ୍ରଦାନ କରେ । କବି ଗଙ୍ଗାଧରଙ୍କ ଭାଷାରେ :-
"ଉଚ୍ଚ ହେବା ପାଇଁ କର ଯେବେ ଆଶା
ଉଚ୍ଚ କର ଆଗେ ନିଜ ମାତୃଭାଷା ।"
ତେଣୁ ମୁଁ ବଡ଼, ମୁଁ ବଡ଼ ବୋଲି ଗର୍ଜନ କରିଲେ କେହି କେବେ ବଡ଼ ହୋଇ ଯାଏନି । ବଡ଼ ହେବା ପାଇଁ ନିଜ ଭାଷା,ସାହିତ୍ୟ ଓ ନିଜର ମାନବିକ ମୂଲ୍ଯବୋଧକୁ ସୂଚାରୁରୂପେ ଶାଳିନତାରେ ବଦଳାଇବାକୁ ହେବ ।
Comments
Post a Comment