ଆଦ୍ଯ ମହାବିଦ୍ୟା - "କାଳୀ"

 କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି 

         ସମ୍ପାଦକ - ଉଦୟ ଭାନୁ 


କଂକଂକଂ କଙ୍କାଳମାଲା କଟକଟ ବଦନା କମ୍ପମାନା କରାଳୀ ,

ଖଂଖଂଖଂ ଖଡ୍ଗହସ୍ତାଂ ଖରତର ନୟନା ଖଣ୍ଡଚ଼ନ୍ଦ୍ରାର୍ଧ ମୌଳି ।

ଗଂଗଂଗଂ ଗର୍ଜୟନ୍ତୀ ଗିରିବର ତନୟା ଗର୍ବ ଗମ୍ଭୀରା ଘୋଷା ,

ଘଂଘଂଘଂ ଘରଘରାଘ୍ନି ଘନଜଘନଭରା ପାତୁ ମାଂ ଘୋରରୂପା ।


       ଆଗମ ଶାସ୍ତ୍ରରେ ଦୁର୍ଗାଙ୍କର ଦଶଶକ୍ତି ନିରୁପଣ କରାଯାଇଛି , ସେମାନେ ହେଲେ - "କାଳୀ , ତାରା , ଷୋଡ଼ଶୀ , ଭୁବନେଶ୍ବରୀ , ଭୈରବୀ , ଛିନ୍ନମସ୍ତା , ଧୂମାବତୀ , ବଗଳାମୁଖୀ , ମାତଙ୍ଗୀ , କମଳାତ୍ମିକା । ଏହା ମଧ୍ଯରେ କାଳୀ , ତାରା , ଛିନ୍ନମସ୍ତା , ଧୂମାବତୀ ଉଗ୍ରା ତଥା ବଗଳା , ଭୈରବୀ ସୌମ୍ଯୋଗ୍ର ମହାବିଦ୍ୟା  ଓ ଷୋଡ଼ଶୀ , ଭୁବନେଶ୍ବରୀ , କମଳାତ୍ମିକା , ମାତଙ୍ଗୀ ସୌମ୍ୟ ମହାବିଦ୍ୟା ରୂପେ ପରିଚିତ । ସୌମ୍ୟ ମହାବିଦ୍ୟାଙ୍କୁ ଶ୍ରୀ ସୁନ୍ଦରୀ କୁଳରେ ଅନ୍ତର୍ଭୁକ୍ତ କରାଯାଇଛି । ଶ୍ରୀ ସୁନ୍ଦରୀ ମାନଙ୍କ ଅର୍ଚ୍ଚନା ଗୃହେ ଏବଂ କାଳୀ କୁଳ ଦେବୀ ମାନଙ୍କ ଆରାଧନା ଶ୍ମଶାନ , ବନ , ନଦୀ ତଟ ଆଦି ନିର୍ଜନ ସ୍ଥାନରେ ହୋଇଥାଏ । କିନ୍ତୁ ସୌମ୍ଯୋଗ୍ର ବିଦ୍ୟା ଉଭୟ ସ୍ଥାନରେ ଆରାଧିତ ହୁଅନ୍ତି । ଧର୍ମ , ଅର୍ଥ , କାମ ଓ ମୋକ୍ଷଦାତ୍ରୀ ତଥା ପାପ-ତାପ ନିବାରିଣୀ ମାଆ କାଳୀ ସୃଷ୍ଟିର ସକଳ ବସ୍ତୁରେ ଶକ୍ତି ରୂପେ ପ୍ରତିଷ୍ଠିତ । ଦୁର୍ଗମ ଓ ଦୁରାଚାରକୁ ବିନାଶ କରୁଥିବାରୁ ସେ ଦୁର୍ଗା ଅଟନ୍ତି । ଭିନ୍ନ ଭିନ୍ନ କାଳରେ ଭିନ୍ନ ଭିନ୍ନ ରୂପରେ ଜଗତ ଜନଙ୍କୁ ବିପଦରୁ ରକ୍ଷା କରି ସେ ମାତା ନାମର ସାର୍ଥକ ବାନା ଉଡ଼ାଇଛନ୍ତି । ଶସ୍ଯ ପାଳନକାରୀ ଭାବରେ ସେ ଆଦ୍ଯେ ଶାକମ୍ବରୀ ନାମରେ ପ୍ରପୂଜ୍ଯ ; କିଛି କାଳାନ୍ତେ ଦୁଃଖ ଓ ଦୁର୍ଗତି ନାଶକାରିଣୀ ଦେବୀ ଭାବେ ପାର୍ବତୀ ବା ଉମା ଭାବରେ ପୂଜିତା । କିନ୍ତୁ କିଛି କାଳ ପରେ ମଣିଷ ଦ୍ବୟ ଶକ୍ତିକୁ ଏକ ଭାବି ତାଙ୍କୁ ଶାକମ୍ବରୀ , ଉମା , ପାର୍ବତୀ , କାତ୍ଯାୟନୀ , ମହାକାଳୀ , ମହାଲକ୍ଷ୍ମୀ , ମହାସରସ୍ୱତୀ ଭାବେ ଅର୍ଚ୍ଚନା କଲେ । ସେଇ ଏକା ଶକ୍ତି ହିଁ ଭୋଗର ଭବାନୀ , ପୌରୁଷରେ ଲକ୍ଷ୍ମୀ , ସମରେ ଦୁର୍ଗା , ଧ୍ବଂସରେ କାଳୀ ; ବିଲୟ ପାଇଁ ମହାକାଳୀ , ମହାଲକ୍ଷ୍ମୀ ଓ ମହାସରସ୍ୱତୀ ରୂପଧାରିଣୀ । ସେ ଏକ କିନ୍ତୁ ଅନେକ ଭୀବେ ପ୍ରତିଷ୍ଠିତ । କେତେବେଳେ ପ୍ରକୃତିର ପଞ୍ଚଧାରାରେ ଶକ୍ତିର ଷଷ୍ଠ ରୂପରେ ତ କେତେବେଳେ ଏକାବନ ଆଦିପୀଠରେ ବା ଚତୁଃଷଷ୍ଠୀ ଯୋଗ୍ନୀ ରୂପରେ , ଶତ ଶତ ଯୋଗିନୀ ରୂପେ ପ୍ରତିଷ୍ଠିତା । ଚାମୁଣ୍ଡା ତନ୍ତ୍ରରେ ଅଛି :- "କାଳୀ , ତାରା , ମହାବିଦ୍ୟା , ଷୋଡ଼ଶୀ , ଭୁବନେଶ୍ବରୀ , ଭୈରବୀ , ଛିନ୍ନମସ୍ତା ଚ ବିଦ୍ଯା ଧୂମାବତୀ ତଥା , ବଗଳା  ସିଦ୍ଧବିଦ୍ଯା ଚ ମାତଙ୍ଗୀ , କମଳାତ୍ମିକା , ଏତାଦଶ ମହାବିଦ୍ୟା ସିଦ୍ଧ ବିଦ୍ଯା ନମୋଽନମଃ ।"


      ଏହି ଦଶ ମହାବିଦ୍ୟାଙ୍କୁ ବିଭିନ୍ନ ପୁରାଣ ବିଭିନ୍ନ ଭାବରେ ବର୍ଣ୍ଣନା କରିଛି । "ତୋଡ଼ଳତନ୍ତ୍ର"ରେ ଏହି ଦଶ ମହାବିଦ୍ୟା , ଶ୍ରୀ ବିଷ୍ଣୁଙ୍କର ଦଶଟି ଅବତାରର ପ୍ରତୀକାତ୍ମକ ରୂପ ବର୍ଣ୍ଣିତ । କାଳୀଙ୍କୁ କୃଷ୍ଣ , ତାରାଙ୍କୁ ମତ୍ସ୍ଯ , ଷୋଡ଼ଶୀଙ୍କୁ ପର୍ଶୁରାମ , ଭୁବନେଶ୍ୱରୀଙ୍କୁ ବାମନ , ଭୈରବୀଙ୍କୁ ବଳରାମ , ଛିନ୍ନମସ୍ତାଙ୍କୁ ନୃସିଂହ , ଧୂମାବତୀଙ୍କୁ ବରାହ , ବଗଳାଙ୍କୁ କୁର୍ମ , ମାତଙ୍ଗୀଙ୍କୁ ରାମ , କମଳାଙ୍କୁ ବୁଦ୍ଧ ଭାବରେ ପ୍ରତିପାଦିତ ହୋଇଛି । ବିଦ୍ଯାର ଅର୍ଥ ଜ୍ଞାନ ; ସତୀଙ୍କ ପ୍ରତ୍ଯେକ ରୂପ ଜନ ମାନସରେ କିଛି ଜ୍ଞାନ ସଞ୍ଚରଣ କରୁଥିବାରୁ ଏହି ସବୁ ବିଦ୍ଯା ମାନଙ୍କୁ ମହାବିଦ୍ୟା ବା ମହାଜ୍ଞାନ ରୂପରେ ପୂଜା କରାଯାଏ । ଉର୍ଦ୍ଧ୍ବରେ କାଳୀ , ସମ୍ମୁଖରେ ତାରା , ଐଶାନ୍ୟେ ତ୍ରିପୁରା ସୁନ୍ଦରୀ ଷୋଡ଼ଶୀ , ବାମରେ ଭୁବନେଶ୍ୱରୀ , ନିମ୍ନରେ ଭୈରବୀ , ଦକ୍ଷିଣେ ଛିନ୍ନମସ୍ତା , ଅଗ୍ନିକୋଣେ ଧୂମାବତୀ , ପଛରେ ବଗଳା , ବାୟବ୍ଯେ ମାତଙ୍ଗୀ , ନୈଋତ କୋଣେ କମଳାତ୍ମିକା ଅବସ୍ଥିତ । ଆଦ୍ଯ ମହାବିଦ୍ୟା କାଳୀଙ୍କୁ ଉପନିଷଦରେ ଜ୍ବଳନ୍ତ ଅଗ୍ନି ବୋଲି ବର୍ଣ୍ଣନା କରାଯାଇଛି ; ଉପନିଷଦରେ ପ୍ରଥମ ମାତା ହିଁ କାଳୀ । "ଶକ୍ତିସଙ୍ଗମ" ତନ୍ତ୍ରରେ କାଳୀ ଶ୍ରେଷ୍ଠ ମହାବିଦ୍ୟା ବା ବିଦ୍ଯାରାଜ୍ଞୀ ; କୁହାଯାଇଛି କାଳୀ ଉପାସନା କଳିରେ ଶୀଘ୍ର ଫଳ ଲାଭ । ଧନପ୍ରାପ୍ତି , ଶକ୍ତି ପ୍ରାପ୍ତି , କ୍ଷମତା ପ୍ରାପ୍ତି ଓ ଶତ୍ରୁଜୟ ଆଦି ଚଞ୍ଚଳ ଫଳପ୍ରଦ ; କାଳୀ ଉପାସନା ଦ୍ବାରା ଜୀବନ୍ମୁକ୍ତି ଲାଭ ହୁଏ । କାଳୀଙ୍କ ସ୍ବରୂପ ଭୟଙ୍କର ହେଲେ ବି ସେ କଲ୍ଯାଣ କାରିଣୀ ; ଦୁଷ୍ଟ ନିବାରଣ କରି ସନ୍ଥ/ସଜ୍ଜନଙ୍କୁ ରକ୍ଷା କରିଥା'ନ୍ତି । ସେ "କାଳ" ଅର୍ଥାତ୍ ସଂହାର ଠାକୁର ଶିବଙ୍କ ନାମାନୁସାରେ ନାମିତ ; ସେ ରକ୍ତବୀର୍ଯ୍ୟର ନିଧନ ପାଇଁଁ କାଳୀ ରୂପ ଧାରଣ କରିଥିଲେ । ତାଙ୍କ କ୍ରୋଧ ଶାନ୍ତ କରିବାର୍ଥେ ସ୍ବୟଂ ମହାଦେବ ତାଙ୍କ ପାଦତଳେ ଲୋଟି ପଡ଼ିଥିଲେ ; ଅଜ୍ଞାନ ବଶତଃ ଦେବୀଙ୍କ ପାଦ ଶିବଙ୍କ ବୁକୁରେ ପଡ଼ିଯିବାରୁ ସେ ଜିହ୍ୱା କାମୁଡ଼ି ଥିଲେ ।


      ଚୈତନ୍ଯ ଦେବଙ୍କ ଜଣେ ସମସାମୟିକ କ୍ରିଷ୍ଣାନନ୍ଦ , ବାଗୀଶ , ଜଣେ ତାନ୍ତ୍ରିକ ଦିନେ ଏକ ସ୍ବପ୍ନ ଦେଖିଲେ । ସ୍ବପ୍ନରେ ଦେବୀ କହିଲେ ପ୍ରଭାତୁ ଉଠି ତୁ ଯେଉଁ ଲୋକଟିକୁ ଦେଖିବୁ ସେଇ ଅନୁରୂପ ମୂର୍ତ୍ତି ଗଢ଼ି ମୋତେ ପୂଜା କରିବୁ । ସେ ସକାଳୁ ଉଠି ଦେକିଲେ ଜଣେ ତ୍ରିପଣ୍ଡକାଳୀ ଗୃହିଣୀ ବାମ ହାତକୁ ଉର୍ଦ୍ଧ୍ବକୁ କରି ମୁକ୍ତ ରଖି ଦକ୍ଷିଣ ହସ୍ତରେ ଘଷି ପାରୁଛି । ତା' କପାଳରୁ ଝାଳ ବହୁଛି , ସେ ତାକୁ ବାଁ ହାତରେ ପୋଛିଲା ବେଳେ କପାଳର ସିନ୍ଦୂର ଗୁଡ଼ାକ ତା' ଘନ କଳାବାଳ ଓ ମୁଖରେ ଲାକି ଲାଲ୍‌ ଦିଶୁଛି ; ଦେହରେ ତା'ର ଟିପିଟିପି ଚିହ୍ନ ଝଲସି ଉଠୁଛି । ସେ ତା'ର ସାମ୍ନା ହୁଅନ୍ତେ ସେ ଲଜ୍ଜ୍ଯାରେ ଜିଭ କାମୁଡ଼ି ଦେଲା । ଏପରି ଲୋକର ଚିତ୍ର ଦେଖି ସେ ଦେବୀ ମୂର୍ତ୍ତି ରୂପ ଦେଲେ ; ଶୁଣାଯାଏ ଏଥିରେ ଦକ୍ଷିଣକାଳୀଙ୍କ ରୂପ ନିହିତ ଅଛି । ଐତିହାସିକ ମାନଙ୍କ ମତେ ଏ କାଳୀ ମୂର୍ତ୍ତିଙ୍କ ନିର୍ମାଣ ଦ୍ବିତୀୟ ଶତାବ୍ଦୀ ପୂର୍ବରୁ ବୋଲି ସାବ୍ଯସ୍ତ ହୁଏ । କାଳୀପୂଜା ବା ଶ୍ଯାମାକାଳୀ ପୂଜା ଭାରତରେ ଆସାମ , ଓଡ଼ିଶା ଓ ପଶ୍ଚିମବଙ୍ଗରେ ପାଳିତ ଏକ ହିନ୍ଦୁ ପର୍ବ । ବିଶେଷ କରି ଦୀପାବଳୀରେ ମା' କାଳୀଙ୍କ ଆରାଧନା ସୁପ୍ରସିଦ୍ଧ ଅଟେ । କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ଯରାତ୍ରୀରୁ ତାନ୍ତ୍ରିକ ଓ ଶାକ୍ତ ମତରେ କାଳୀ ଦେବୀଙ୍କ ପୂଜା କରାଯାଏ । ବୈଜ୍ଞାନିକ ତତ୍ତ୍ବାନୁସାରେ କାଳୀଙ୍କ ମଧ୍ୟେ ସମସ୍ତ ରଙ୍ଗ ସମାହିତ ଯେହେତୁ ତାଙ୍କ ବର୍ଣ୍ଣ ତେଣୁ କଳା ଅଟେ । ସମସ୍ତ ରଙ୍ଗର ଏକତ୍ରିତରେ କଳାରଙ୍ଗର ଉତ୍ପତ୍ତି ହୁଏ । ଶାସ୍ତ୍ରରେ ଅଛି :- 

"ପ୍ରକୃତୌ ବିଦ୍ଯମାନାୟାଂ ବିକୃତିର୍ନ ବଳୀୟସୀ ।

ପ୍ରକୃତି ପରମା ଶକ୍ତି ବିକୃତି ପ୍ରତିବମ୍ବିତା ।"

ପ୍ରକୃତିର ସ୍ଥିତି ସମୟେ ବିକୃତି ବା ପ୍ରଳୟ ବଳବତୀ ନୁହେଁ , କାରଣ ପ୍ରକୃତି ପରମା ଶକ୍ତି ଓ ବିକୃତି ତା' ପ୍ରତିବିମ୍ବ । ସେ ପ୍ରକୃତିକୁ ଚିରସ୍ଥାୟୀ କରିବାର୍ଥେ କାଳୀପୂଜା କରାଯାଏ ।


       ତେଣୁ କାଳୀ ମଙ୍ଗଳମୟୀ ଅଟନ୍ତି । ସଂସାରର ଦୁଃଖ ନିବାରଣ କାଳୀ ହିଁ କରନ୍ତି । ବୈଦିକ ଶାସ୍ତ୍ର କହୁଛି :- 

"କାଳୀ କାଳୀ ମହାକାଳୀ , କାଳିକେ ପାପହାରିଣୀ

ବରାଭୟ ପ୍ରଦେ ଦେବୀ , ନାରାୟଣୀ ନମୋଽସ୍ତୁତେ ।"

ପୌରାଣିକ ଆଖ୍ୟାନନୁସାରେ ଦୁର୍ଗାଙ୍କ ଲଲାଟରୁ କାଳୀଙ୍କ ଉତ୍ପତ୍ତି । ଦେବୀଙ୍କ ସହ ଆଠଟି ଯୋଗ୍ନୀ ଥା'ନ୍ତି - ଭୀଷଣା , ଚଣ୍ଡୀ , କରାଳା , ଶୁଳିନୀ , ହନ୍ତ୍ରୀ , ତ୍ରିପୁରା , କତ୍ରୀ ଓ ବିଧାଧୃକା । ସନାତନ ସଂସ୍କୃତି ଆଧାରରେ କାଳୀ ଓ କୃଷ୍ଣ ମୌଳିକ ରୂପରେ କୌଣସି ପ୍ରଭେଦ ନାହିଁ । କୃଷ୍ଣ ପରଂବ୍ରହ୍ମ ଓ ଶୂନ୍ଯଦେହୀ ; ତାଙ୍କର ରୂପ ଥାଇ ବି ସେ ଅରୂପ ଓ ଅଣାକାର । ସେପରି କାଳୀଙ୍କୁ ମୂର୍ତ୍ତି ରୂପେ ପୂଜା କଲେ ବି ସେ ଶୂନ୍ଯବ୍ଯାପିନୀ , ଶକ୍ତି ସ୍ବରୂପିଣୀ ; ବାସ୍ତବରେ ସତ୍ତା ଏକ । ଶକ୍ତିର ଅନ୍ଯ ନାମ ହିଁ ତ ଜୀବନ । ଶକ୍ତି ଥିଲେ କାର୍ଯ୍ଯଦକ୍ଷତା , ସାହସ , ଶକ୍ତି , ସୌର୍ଯ୍ଯ ଆଦି ପରିବର୍ଦ୍ଧିତ । କଳିର କଳୁଷ ନାଶନ କରୁଥିବାରୁ ସେ କାଳୀ ; ପାପ ରୂପୀ କୃଷ୍ଣକାୟ ମେଘମାଳାକୁ ହଟାଇ ଧର୍ମ ରୂପୀ ଭାସ୍କରର କିରଣରେ ମରଧାମକୁ ଉଜ୍ଜ୍ୱଳିତ କରୁଥିବାରୁ ସେ କାଳୀ ଅଟନ୍ତି  ।


     ଅମାବାସ୍ଯା ରାତ୍ରୀ ମଧ୍ଯରେ ଦୀପାବଳୀ ଅମାବାସ୍ୟା ରାତ୍ରୀକୁ ମହାନିଶା କହନ୍ତି । ଏ ରାତ୍ରୀ ସୃଷ୍ଟି ସୃଜନ , ସୃଷ୍ଟି ପାଳନ , ସୃଷ୍ଟି ସଂହାରର ରହସ୍ୟକୁ ନିଜ ଭିତରେ ଆତ୍ମଗୋପନ କରି ରଖିଛି । ସୃଷ୍ଟି ପ୍ରାରମ୍ଭରେ ଯେବେ କିଛି ନଥାଏ ଏ ସୃଷ୍ଟି ତମସାପୂର୍ଣ୍ଣ ଥିଲା ସେବେ ସମଗ୍ର ଜଗତ ନିର୍ଗୁଣ , ସଗୁଣ , ଚେତନ ତଥା ଶୂନ୍ଯ ଥିଲା ; ସେ ତତ୍ତ୍ବ ହିଁ ମହାକାଳ । ଏହି ମହାକାଳ ପୁରୁଷ ହିଁ ଆଦ୍ଯାଶକ୍ତି ଅଟନ୍ତି ଓ ସେ ମହାକାଳର ଶକ୍ତି ହିଁ ମହାକାଳୀ । ରାତ୍ରୀର ଏ ଅନ୍ଧକାରକୁ ଆର୍ଯ୍ୟ ଋଷିଗଣ ୮୪ ଭାଗରେ ବିଭକ୍ତ କରିଛନ୍ତି । ଏହି ୮୪ ଭାଗ ହିଁ ମହାକାଳୀଙ୍କର ୮୪ ଅବତାରର ବିଭାଗ ଅଟେ ; ଅର୍ଥାତ୍‌ ମହାକାଳୀ ୮୪ ସ୍ବରୂପର ନିରୂପଣ ଅଟନ୍ତି । ଏହି ସ୍ବରୂପ ଜଣେ ଅନ୍ଯଠୁ ଭିନ୍ନ ; ଏହାକୁ ବୁଝିବାକୁ ମନୀଷୀ ଗଣ ନିଦାନ ବିଦ୍ଯାର ଆଧାର ଉପରେ ମୂର୍ତ୍ତିର କଳ୍ପନା କରିଥିଲେ । ନିଦାନର ଅର୍ଥ ପ୍ରତୀକ ; ଏହି ବିଦ୍ଯା ପ୍ରାୟ ବିଲୋପ । ତନ୍ତ୍ର ଶାସ୍ତ୍ରରେ ଏହା ଉଲ୍ଲେଖ ଅଛି ।


       ମାତା କାଳୀଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଇଥାଏ । ଦକ୍ଷିଣକାଳୀ  , ଶ୍ଯାମାକାଳୀ , ସିଦ୍ଧକାଳୀ , ଭଦ୍ରକାଳୀ , ଶ୍ମଶାନକାଳୀ , ମାତୃକାଳୀ , ମହାକାଳୀ , ବଜ୍ରକାଳୀ ଆଦି ନାମରେ ସେ ନାମିତ । ଶାସ୍ତ୍ର କହେ - "ଶୁମ୍ଭ ନିଶୁମ୍ଭଙ୍କ ବଧ ବେଳେ ମାଆ କାଳୀଙ୍କ ଶରୀରରୁ ଏକ ତେଜପୁଞ୍ଜ ନିର୍ଗତ ହେବାରୁ ସେ କଳା ପଡ଼ିଗଲେ ; ସେଦିନଠୁ ସେ କାଳୀ ବୋଲାଇଲେ ।" ପୁରାଣ କହେ କଳିଯୁଗର ଜାଗ୍ରତ ଦେବୀ ମା' କାଳୀ । କୁହାଯାଏ ଯେ - "ଯଃ କାଳୀ ସଃ ବନମାଳୀ" ; ଉଡ୍ଡୀୟାନ ତନ୍ତ୍ର ମତରେ କାଳୀଙ୍କୁ ଜଗନ୍ନାଥ ବୋଲି ସିଦ୍ଧ କରାଯାଇଛି । ଜଗନ୍ନାଥାଦି ଚତୁର୍ଦ୍ଧାମୂର୍ତ୍ତିଙ୍କୁ କାଳୀ ସ୍ବରୂପ ଗ୍ରହଣ କରି ବର୍ଣ୍ଣନା କରାଯାଇଛି ଯେ :- 

  "ଶ୍ଯାମାକାଳୀ ଜଗନ୍ନାଥ ସୁଭଦ୍ରା ରକ୍ତକାଳିକା

   ଶ୍ବେତକାଳୀ ବଳଭଦ୍ର ଚକ୍ରନ୍ତୁ ଗୁହ୍ଯ କାଳୀକା ।"

ପୁଣି ଶାସ୍ତ୍ର ପ୍ରମାଣ ଦିଏ ଯେ :-

   "ଉଗ୍ରତାରା ଶୂଳପାଣି ସୁଭଦ୍ରା ଭୁବନେଶ୍ବରୀ

    ନୀଳାଦ୍ରୌତୁ ଜଗନ୍ନାଥ ସାକ୍ଷାତ ଦକ୍ଷିଣକାଳୀକା ।"


ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 

୮୯୧୭୪୮୦୫୩୬

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା