ମହାଲକ୍ଷ୍ମୀ ଆରାଧନା

 କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

        ସମ୍ପାଦକ - ଉଦୟ ଭାନୁ 


       ଲକ୍ଷ୍ମୀ ହେଉଛନ୍ତି ସମ୍ପଦ ପ୍ରଦାତ୍ରୀ , ସୌଭାଗ୍ୟ, ସୁଖ୍ଯାତି ଓ ସୁଖସମୃଦ୍ଧି ଦାତ୍ରୀ ; ସେ ହେଉଛନ୍ତି ସୌନ୍ଦର୍ଯ୍ୟ ଓ ପ୍ରେମର ଦେବୀ । ସେ ଶ୍ରୀ ଭାବେ ପରିଚିତା ; 'ଶ୍ରୀ'ର ଅର୍ଥ ସୁନ୍ଦର । ସେ ସମସ୍ତ ସୁନ୍ଦରତାର ଅଧିକାରିଣୀ ; ସେ ଶକ୍ତି ସ୍ବରୂପା ଓ ବିଷ୍ଣୁଙ୍କ ସହଧର୍ମିଣୀ । ରାମାୟଣ କହେ ସେ ଅମୃତ ପାତ୍ର ଧରି ଧରାପୃଷ୍ଠକୁ ଆସିଥିଲେ । ସେ ସାଗର କନ୍ଯା ; ଅର୍ଥାତ୍‌ ବରୁଣ ଦେବ ତାଙ୍କ ପିତା ଅଟନ୍ତି । ତାଙ୍କର ବାହନ ଶ୍ବେତ ପେଚା ; କେତେକଙ୍କ ମତରେ ହାତୀ ତାଙ୍କର ବାହନ । ଲକ୍ଷ୍ମୀ ଶବ୍ଦ ଲକ୍ଷ ଶବ୍ଦରୁ ଆନୀତ । ସର୍ବ ଲକ୍ଷଣଯୁକ୍ତା ଏବଂ ସର୍ବ ଲକ୍ଷଣର ଅଧିକାରିଣୀ ଲକ୍ଷ୍ମୀ । ତାଙ୍କର ବାସସ୍ଥାନ ବୈକୁଣ୍ଠ ଭୁବନ ଓ ପଦ୍ମବନ । ସେ ଚତୁର୍ଭୁଜା ; ଧର୍ମ , ଅର୍ଥ , କାମ , ମୋକ୍ଷର ପ୍ରତୀକ ଚାରି ହାତ । ତାଙ୍କ ଅର୍ଚ୍ଚନା ଏହି ଚତୁର୍ବର୍ଗ ଫଳ ଦାୟକ । ଭୃଗୁ ଋଷିଙ୍କ ତପସ୍ଯା ଫଳେ ସେ ଭାର୍ଗବୀ , ଶ୍ରୀ ଆଦି ରୂପରେ ଅବତୀର୍ଣ୍ଣ ହୋଇଥିବାରୁ ଭାରତର କେତେକ ଜାଗାରେ ଭୃଗୁ କନ୍ଯା ଭାବେ ପ୍ରତି ଶୁକ୍ରବାର ଦିନ ଲକ୍ଷ୍ମୀ ପୂଜା କରାଆଏ । କିନ୍ତୁ କିଛିଙ୍କ ମତରେ ଗୁରୁବାର ଲକ୍ଷ୍ମୀପୂଜା ହେତୁ ପ୍ରତ୍ଯେକଙ୍କ ହିନ୍ଦୁ ଘରେ କରାଯାଏ ଏବଂ ମାର୍ଗଶୀର ଗୁରୁବାର ମାଣବସା ନାମରେ ମହାଲକ୍ଷ୍ମୀଙ୍କ ଅର୍ଚ୍ଚନା କରାଯାଏ । ପଦ୍ମଫୁଲ ସହ ସେ ଜଡ଼ିତ ; ତେଣୁ ତାଙ୍କୁ ପଦ୍ମା , କମଳା , ପଦ୍ମପ୍ରିୟା , ପଦ୍ମମୁଖୀ , ପଦ୍ମାକ୍ଷୀ , ପଦ୍ମହସ୍ତା , ପଦ୍ମାଳୟା , ପଦ୍ମସୁନ୍ଦରୀ ଆଦି ନାମରେ ଅର୍ଚ୍ଚନା କରାଯାଏ ଏବଂ ବିଷ୍ଣୁଙ୍କର ପତ୍ନୀ ହେତୁ ସେ ବିଷ୍ଣୁପ୍ରିୟା ଆଉ ପେଚା ବାହନ ଯୋଗୁଁ ଉଲ୍ଲୁକବାହିନୀ ।


    ଶୁକ୍ଳପକ୍ଷ ଦଶମୀ ତିଥି  ଗୁରୁବାରରେ ପଡ଼ିଲେ ତାହା "ସୁଦଶା ବ୍ରତ" ରୂପେ ପାଳନ କରାଯାଏ ଏବଂ ମହାଲକ୍ଷ୍ମୀଙ୍କ ଅର୍ଚ୍ଚନା କରାଯାଏ ; ପ୍ରତ୍ଯେକ ହିନ୍ଦୁ ବିବାହିତ ମହିଳା ଏହାର ବ୍ରତୀ । 'ସୁଦଶା'ର ଅର୍ଥ ଭଲ ସମୟ ; ପଲ୍ଲୀରେ 'ସୁଦଶା' ଶବ୍ଦ ସହ ଦଶ ସଂଖ୍ୟାଟି ସଂଯୋଜିତ ହୋଇଛି । ଫଳତଃ ଅର୍ଚ୍ଚନାରେ ଦଶ ପାଖୁଡ଼ା ପଦ୍ମ , ଦଶବର୍ଣ୍ଣ ମୁରୁଜ , ଦଶମୁଖୀ ଦୀପ , ଦଶମୁଠି ଚାଉଳ , ଦଶମେଞ୍ଚା କଦଳୀ , ଦଶଗୋଟି ମଣ୍ଡା ଏବଂ ଲକ୍ଷ୍ମୀଙ୍କ ଦଶ ନାମ ଲକ୍ଷ୍ମୀନାରାୟଣୀ , କମଳିନୀ , ଶ୍ରୀ ହରିପ୍ରିୟା , ପଦ୍ମାଳୟା , କମଳା , ଚଞ୍ଚଳା , ବିଘ୍ନସେନୀ , ସିନ୍ଧୁର ଦୁଲ୍ଲଣୀ , ଦୁର୍ଗତି , ବିଷ୍ଣୁ ପାଟରାଣୀରେ ଦଶ ଗଣ୍ଠି ଯୁକ୍ତ ବ୍ରତ ବିଧାନ ଅଟେ । ଏହା ସହ ବ୍ରତଟି ଦଶଖିଅ ସୂତାରେ ପ୍ରସ୍ତୁତ ଏବଂ ଏହାକୁ ପରବର୍ତ୍ତୀ ସୁଦଶା ବ୍ରତ ଯାଏଁ ବାହୁରେ ଧାରଣ କରାଯାଏ । ଭାରତର ଅନ୍ଯ ରାଜ୍ଯରେ ବା ଭାରତ ବାହାରେ ଏହି ବ୍ରତ ଦୃଶ୍ଯମାନ ନୁହେଁ ; ଏହି ପର୍ବ କିନ୍ତୁ ଓଡ଼ିଶାର ବିଶେଷତ୍ୱ । ଏହି ପର୍ବ ଯେକୌଣସି ମାସର ଶୁକ୍ଳପକ୍ଷ ଦଶମୀ ସଂଯୁକ୍ତ ବୃହସ୍ପତି ବାସରରେ ପାଳନ କରାଯାଏ । ଜଣେ ବୈଧବ୍ୟ ବ୍ରାହ୍ମଣୀ ନଦୀରୁ ଜଳ ଆନୟନ ବେଳେ ନିଜର ସୁଦଶା ବ୍ରତଟି ହଜାଇ ଦେଇ କାନ୍ଦୁଥିବା ବେଳେ ନଳରାଜା ତାଙ୍କର ଦୁଃଖ ଦୂରାର୍ଥେ ସତ୍ଯବଦ୍ଧ ହୋଇ ନିଜ ରାଣୀଙ୍କଠୁ ବ୍ରତ ଆଣି ବ୍ରାହ୍ମଣୀକୁ ଦେଲେ ; ମହାଲକ୍ଷ୍ମୀଙ୍କ ବ୍ରତ ଦେଲେ ଲକ୍ଷ୍ମୀଛଡ଼ା ହେବାର ଭୟରେ କୁଣ୍ଠାବୋଧ କରି ବ୍ରତ ଦାନ କଲେ । ବ୍ରତ ଦେଇଦେବା ପରେ ସକଳ ସମ୍ପତ୍ତି , ସୁଖ ଓ ଐଶ୍ବର୍ଯ୍ଯ ବିନାଶ ହୋଇ ରାଜା-ରାଣୀ ଲକ୍ଷ୍ମୀଛଡ଼ା ହୋଇ ଶ୍ରୀହୀନ ହୋଇଗଲେ । ନାନା କଷଣ ଭୋଗ ପରେ ରାଣୀ ପୁନଶ୍ଚ ସୁଦଶା ବ୍ରତ ପାଳନ କରିବା ପରେ ପୂର୍ବାବସ୍ଥା ପ୍ରାପ୍ତ ପୂର୍ବକ ଐଶ୍ବର୍ଯ୍ଯ ପ୍ରାପ୍ତ କଲେ । ପୌରାଣିକ ମତେ ଏ ବ୍ରତ ପ୍ରଥମେ ବୈଧ୍ବର୍ବ ଦେଶର ଏହି ରାଜା ନଳ ଆରମ୍ଭ କରିଥିଲେ ।


     ମହାଲକ୍ଷ୍ମୀ ବ୍ରତ ଭାବରେ ମାଣବସା ସବୁଠାରୁ ବଡ଼ ଏବଂ କୃଷିଭିତ୍ତିକ ପର୍ବ । ଗୃହରେ ଧନଧାନ୍ୟ - ସମୃଦ୍ଧି ପାଇଁ ଏହା ପାଳନ କରାଯାଏ ; ମାର୍ଗଶୀର ପ୍ରତି ଗୁରୁବାର ଦିନ ଏହା ପାଳିତ । ଏହାକୁ ଲକ୍ଷ୍ମୀ ପୂଜା କୁହାଯାଏ । ଏହାକୁ ଓଡ଼ିଶାର ସମସ୍ତେ ପ୍ରାୟ ପାଳନ କରନ୍ତି । ଏହି ପର୍ବରେ ନିଷ୍ଠା ଓ ପରିଷ୍କାର ପରିଚ୍ଛନ୍ନତା ଉପରେ ବିଶେଷ ଦୃଷ୍ଟି ଦିଆଯାଏ । ପୂଜା ଘରେ ଧାନମେଣ୍ଟା ବା ଧାନବେଣୀରେ ସଜାଯାଇ ମହାଲକ୍ଷ୍ମୀ ପ୍ରତିମୂର୍ତ୍ତି କିମ୍ବା ଫଟୋ ରଖାଯାଇ ପୂଜା କରାଯାଏ । ମାଣ ବସାଇବାରୁ ଏହା ମାଣବସା ଅଟେ । ଶ୍ରୀୟା ଚଣ୍ଡାଳୁଣୀର ଭକ୍ତି ନୈବିଦ୍ଯ ଏହାର ପ୍ରାଧାନ୍ୟତା । ବଳରାମ ଦାସଙ୍କ "ଲକ୍ଷ୍ମୀ ପୁରାଣ"ର ସୁଲଳିତ କଣ୍ଠସ୍ୱର ପ୍ରତ୍ଯେକ ପ୍ରାଣକୁ ପୁଲକିତ କରେ । 


      ଲକ୍ଷ୍ମୀ ପୁରାଣ ବର୍ଣ୍ଣନାନୁସାରେ ଦାସଦାସୀ ପରିବେଷ୍ଟିତ ଲକ୍ଷ୍ମୀ ଦିନେ ମାଣବସା ଗୁରୁବାର ଦିନ ପତି ଅନୁମତି କ୍ରମେ ଦେଶ ଭ୍ରମଣରେ ବଡ଼ଦେଉଳରୁ ବାହାରି ଗଲେ ଏବଂ ପ୍ରତ୍ଯେକ ଗୃହରେ ବିଜେ କଲେ । ଦେଖିଲେ ଅନେକ ଧନୀକ ଲୋକ ଗୁରୁବାର ବୋଲି ଭୁଲି ଯାଇଥିବା ବେଳେ ଶ୍ରୀୟା ନାମ୍ନୀ ଜଣେ ଚଣ୍ଡାଳୁଣୀ ପରିଷ୍କାର ପରିଚ୍ଛନ୍ନତା ପୂର୍ବକ ଗୃହର ସଭକ୍ତି ନିଷ୍ଠାର ସହ ଲକ୍ଷ୍ମୀପୂଜା ଆୟୋଜନ କରି ପୂଜା ସଜ , ନୈବିଦ୍ଯ ସଜାଡ଼ି ରଖୁଥିଲା । ସୁନ୍ଦର ଭାବେ ଝୋଟି ଚିତ୍ରାଙ୍କନ କରିଥିଲା ଯାହା ମହାଲକ୍ଷ୍ମୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଲକ୍ଷ୍ମୀ ତା'ର ଭକ୍ତିରେ ସନ୍ତୁଷ୍ଟ ହୋଇ ସେ ଗୃହରେ ଅଟକି ଗଲେ । ଦେଢ଼ଶୁର ବଳରାମ ଭ୍ରମଣରେ ଥିବା ବେଳେ ଲକ୍ଷ୍ମୀ ଚଣ୍ଡାଳୁଣୀ ଘରୁ ବାହାରି ଯିବାର ଦେଖି କୋପୀ ହେଲେ ; ଛୁଆଁ ଅଛୁଆଁ ଭେଦଭାବକୁ ପାଥେୟ କରି ଚଣ୍ଡାଳୁଣୀ ଘରେ ପଶିଥିବାରୁ ମହାଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିର ବାରଣ କରି ଦିଆଗଲା । ଦୁଃଖ ଓ ଅପମାନରେ ସମସ୍ତ ଗହଣାଗାଣ୍ଠି ଫେରାଇ ଦେଇ ସେ ଜଗା-ବଳିଆଙ୍କୁ ଅଭିଶାପ ଦେଇଗଲେ ଦ୍ବାଦଶ ବର୍ଷ ପର୍ଯ୍ଯନ୍ତ ଅନାହାରରେ ବୁଲିବେ ଏବଂ ତାଙ୍କୁ ଚଣ୍ଡାଳୁଣୀ ଉଚ୍ଚାରଣ କରି ଅର୍ଜିଥିବା ଭୁଲ୍‌ ପାଇଁ ପସ୍ତେଇବା ସହିତ ଚଣ୍ଡାଳୁଣୀ ହାତରୁ ଖାଦ୍ଯ ଗ୍ରହଣ କରି ତୃପ୍ତ ହେବେ । 


     ମହାଲକ୍ଷ୍ମୀ ମନ୍ଦିରରୁ ବାହାରି ଯାଇ ସାଗର କୂଳରେ ବିଶ୍ବକର୍ମାଙ୍କ ଜରିଆରେ ମନ୍ଦିର ତୋଳି ସେଠାରେ ନିବାସ କଲେ ଏବଂ ତାଳବେତାଳ (ଅଷ୍ଟବେତାଳ) ମହାଲକ୍ଷ୍ମୀଙ୍କର ନିର୍ଦ୍ଦେଶରେ ବଡ଼ଦେଉଳରୁ ସମଗ୍ର ଦ୍ରବ୍ଯ ଲୁଟି ନେଇ ମନ୍ଦିରକୁ ଶ୍ରୀହୀନ କରିଦେଲେ ; କ୍ଷୁଧାକଷ୍ଟରେ ଦୁଇ ଭାଇ ଭ୍ରମି ଭ୍ରମି ବାରବର୍ଷ ପରେ ସେହି ପ୍ରାସାଦ ନିକଟରେ ପହଞ୍ଚିଲେ । ପ୍ରାସାଦ ମାଲିକାଣୀଙ୍କ ଆତିଥେୟତାରେ ବିମୁଗ୍ଧ ହୋଇ ସେମାନେ ତାଙ୍କୁ ଲୋଡ଼ିଲେ ଏବଂ ପରିଚୟ ପ୍ରାପ୍ତ ପରେ ଲଜ୍ଜାବୋଧ କଲେ । ଶୁଚିଶୁଦ୍ଧ ଜନର ମନ୍ଦିର ବାରଣ ନାହିଁ କି ଛୁଆଁ ଅଛୁଆଁ ଭେଦଭାବ ରହିବନି ବୋଲି ପ୍ରତିଶ୍ରୁତି ପାଇବାନ୍ତେ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡ଼ିଲେ । ଏହା ହିଁ "ଲକ୍ଷ୍ମୀ ପୁରାଣ''ର ପ୍ରମୁଖ ବିଷୟବସ୍ତୁ । ଏହି କଥା ନାରଦ ମୁନିଙ୍କ ପ୍ରଶ୍ନର ଉତ୍ତରରେ ପରାଶର ଋଷି ତାଙ୍କୁ ଲକ୍ଷ୍ମୀପୂଜାର ମାହାତ୍ମ୍ୟ ବୁଝାଇଛନ୍ତି । ଓଡ଼ିଶା ଛଡ଼ା ଆନ୍ଧ୍ର , ଛତିଶଗଡ଼ , ପଶ୍ଚିମବଙ୍ଗ , ଝାଡ଼ଖଣ୍ଡରେ ବି ଏ ପର୍ବ ପାଳିତ ହୁଏ । ଲକ୍ଷ୍ମୀପୂଜାର ବିଷୟବସ୍ତୁ ଉପରେ ଆଧାରିତ ଅନେକ ଚଳଚ୍ଚିତ୍ର ଏହାର ଲୋକପ୍ରିୟତା ଆହୁରି ବୃଦ୍ଧି କରିଛି । 


    ମହାଲକ୍ଷ୍ମୀ ପୂଜାରେ ପକାଯାଉଥିବା ଝୋଟିଚିତା ଓଡ଼ିଆ ଚଳଣୀରେ ଏକ ହସ୍ତକଳା ; ପ୍ରତ୍ଯେକ ପୂଜାପାର୍ବଣରେ ବି ଝୋଟି ଅଙ୍କନ କରାଯାଏ । ଗବେଷକ ମାନଙ୍କ ମତରେ ଝୋଟିର ଇତିହାସ ପ୍ରାୟ ୮୦୦ ବର୍ଷ ତଳର । ଅନକଙ୍କ ମତରେ ଧାନଚାଷ ଓଡ଼ିଶାରେ ବିକଶିତ ହେବା ପରଠୁ ଝୋଟିଚିତାର ଉତ୍ପତ୍ତି । ଓଡ଼ିଆର ସଂସ୍କୃତି ଓ କଳା ସୃଜନୀର  ପରିପ୍ରକାଶ ଝୋଟିଚିତା । ଚାଉଳକୁ ପତଳାରେ ବାଟି ଝୋଟି ଅଙ୍କାଯାଏ ।

   ବଳରାମ ଦାସ "ଲକ୍ଷ୍ମୀ ପୁରାଣ"ରେ ସୁନ୍ଦର ବାର୍ତ୍ତା ସବୁ ଦେଇଛନ୍ତି ଯାହା ଅନୁକରଣୀୟ । ଏଥିରେ ସମାଜକୁ ସେ ସାମାଜିକ ବାର୍ତ୍ତା ପ୍ରଦାନ କରିଛନ୍ତି । ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂର କରିବାକୁ ସେ କରିଥିବା ପ୍ରୟାସକୁ ଶତ ଦଣ୍ଡବତ । ଏଥିରେ ସେ ଓଡ଼ିଆ ସଂସ୍କୃତି ସହ ନାରୀବାଦ ବା ନାରୀ ସଶକ୍ତିକରଣ , ଦାରିଦ୍ର୍ୟ ନିରାକରଣ , ଅସ୍ପୃଶ୍ୟତା ନିବାରଣ , ସ୍ବଚ୍ଛତା , ପରମ୍ପରା , ସାମାଜିକ ଚଳଣୀ , ସ୍ବାବଲମ୍ବୀ ହେବାର ସୁନ୍ଦର ବାର୍ତ୍ତା ଦେଇଛନ୍ତି । ଧାର୍ମିକ ଦୃଷ୍ଟିକୋଣରୁ ଗରିବଙ୍କୁ ଦାନ କରିବା ଉଚିତ ; କିନ୍ତୁ ବଳରାମ ଦାସ ଏ ପୁରାଣରେ ସ୍ତ୍ରୀର ଗହଣା , ଝାଡୁ , ଧଳା ଜିନିଷ , ଟଙ୍କା ଏସବୁ କାହାକୁ ନଦେବା ପାଇଁ କହିଛନ୍ତି । ଲକ୍ଷ୍ମୀ ସ୍ବୟଂ ଅନ୍ନପୂର୍ଣ୍ଣା ; ତେଣୁ ଅନ୍ନ ଗ୍ରହଣ ପୂର୍ବରୁ ଲକ୍ଷ୍ମୀଙ୍କ ଅର୍ଚ୍ଚନା କରାଯାଏ । ସେଲାଗି ରୋଷଘର ପରିଷ୍କାର ରଖିବା ଉଚିତ ଏବଂ ଘରର ବେଲଣା ବାଡ଼ି ତଥା ପିଢ଼ା ଓ ତାୱା କାହାକୁ ଦେବା ଅନୁଚିତ । ଶାସ୍ତ୍ରାନୁସାରେ ପ୍ରଥମ ରୁଟି ମାତା ଲକ୍ଷ୍ମୀଙ୍କ ନାମରେ ପ୍ରସ୍ତୁତ କରାଯାଏ , ତେଣୁ କେବେ ଏହି ପ୍ରଥମ ରୁଟିକୁ କାହାକୁ ଦେବା ଅନୁଚିତ ।


      

        ଏହି ପର୍ବରେ ମା' ମହାଲକ୍ଷ୍ମୀଙ୍କ ଠାରେ ଲାଗି ହେଉଥିବା ପ୍ରସାଦ ଓଡ଼ିଆଙ୍କ ନିଜସ୍ବ ରନ୍ଧଣାର ନିଚ୍ଛକ ନିଦର୍ଶନ । ଶାଗ , ଭଜା , ଦହି , ପଖାଳ , ମଧୁରୁଚି , ଆମ୍ବିଳ , ସରପୁଳି , ଅଟକାଳି , ଆରିସାପିଠା , ବେସର , ମହୁର , ମଣ୍ଡାପିଠା , ଛେନା ଓ ନଡ଼ିଆ ପୁରଦିଆ କାକରା ଆଦି ଗୃହ ରନ୍ଧଣା ପରମ୍ପରାର ନିଆରା ପ୍ରତିଛବି । ତେବେ ମହାଲକ୍ଷ୍ମୀ ପୂଜା ଓ ପୁରାଣ ସମାଜର ଦିଗଦର୍ଶନ । ଏହି ପୂଜା ପାଇଁ ବାଉଁଶ ନିର୍ମିତ ଶେର , ଗଉଣିକୁ ପ୍ରାଥମିକତା ପ୍ରଦାନ କରାଯାଇଥାଏ ; ଏଥିରେ ନବ ଶୁକ୍ଳ ଧାନ ପୁରାଇ ପୂଜା କରାଯାଏ । ଏବେ ବିଭିନ୍ନ ଧାତୁରେ ଶେର , ଗଉଣି ଉପଲବ୍ଧ ହେବାରୁ ବାଉଁଶ କଳା ବିଲୋପର ସୀମାରେ ଏବଂ ଏହାର କାରିଗରଙ୍କ ସଂଖ୍ଯା ହ୍ରାସ ପାଇବାରେ ଲାଗିଛି । ଆମର ଐତିହ୍ଯକୁ ବଜାୟ ରଖିବାକୁ ସମସ୍ତେ ଯତ୍ନବାନ ହେବା ଉଚିତ । 


         "ମାଣବସା" ଏକ ପର୍ବ ନୁହେଁ , ଏହା ଏକ ପରମ୍ପରା । ସେହିପରି "ଲକ୍ଷ୍ମୀ ପୁରାଣ" ଏକ ଗାଥା ନୁହେଁ , ଏହା ଏକ ସାମାଜିକ ବାର୍ତ୍ତା । ସଂସାରକୁ ସତ ପଥରେ ପରିଚାଳିତ କରିବାକୁ ଏହା ହେଉଛି ପୂର୍ବପୁରୁଷଙ୍କ ଚେତାବନୀ । ତେଣୁ ମହାମାନ୍ୟ ଭାବରେ ଏହି ପୁରାଣରୁ କିଛି ଶିକ୍ଷା କରିବାର ଅଛି । 


ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 

                        ୮୯୧୭୪୮୦୫୩୬

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା