ଫଗୁଣ ପରସେ ସଂସ୍କୃତି ହସେ
କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଫାଲଗୁନୀ ନକ୍ଷତ୍ର ଯୁକ୍ତ ପୂର୍ଣ୍ଣମା ପାତିତ ଚାନ୍ଦ୍ରମାସ ଫଗୁଣ । ବସନ୍ତ ଋତୁର ଆଗମନ ସମୟ ଇଏ । ବସନ୍ତର ଆଗମନରେ ଧରା ପୁଲକିତ । ପ୍ରକୃତି ରାଣୀର ଅପୂରନ୍ତ ଶୋଭା ମନମୁଗ୍ଧକର । ନବ ପଲ୍ଲବରେ ପଲ୍ଲବିତ ପାଦପ । ଆମ୍ବ ବଉଳର ଭୁରୁଭୁରୁ ବାସ୍ନା ପଥିକର ପଥକ୍ଳାନ୍ତର ହାରକ । ମୃଦୁ ମଳୟକୁ ପରଭୃତର କୁହୁ ତାନ , ଆହାଃ ମନ ପ୍ରାଣ ପ୍ରଶାନ୍ତ । ନର , ପଶୁପକ୍ଷୀ ସମସ୍ତେ ଫଗୁଣର ନବାଗତା ସ୍ପର୍ଶରେ ମତୁଆଲା ଆମ୍ବ ବଉଳର ଏଇ ଫଗୁଣ ମାସରେ , ତେଣୁ ଏକ କବିତାର ପଂକ୍ତିଟିଏ ମନକୁ ଆସେ :-
"ଆମ୍ବ ବଉଳଇ ଫଗୁଣ ମାସେ
ଦିଗ ଚହଟଇ ତା'ର ସୁବାସେ ।"
ଏ ମାସଟି ବି ଅତି ପବିତ୍ର ମାସ । ପର୍ବପର୍ବାଣୀର ବି ଏହି ମାସରେ ଅଭାବ ନାହିଁ । କୃଷ୍ଣପକ୍ଷ ଏକାଦଶୀରେ ପଡ଼େ ପଙ୍କୋଦ୍ଧାର ଏକାଦଶୀ ବା ବିଜୟା ଏକାଦଶୀ , କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ମହାଶିବରାତ୍ରି , ଶୁକ୍ଳପକ୍ଷ ଦଶମୀ ହେଉଛି ଫଗୁ ଦଶମୀ , ଶୁକ୍ଳପକ୍ଷ ଏକାଦଶୀରେ ଅଁଳା ଏକାଦଶୀ ଏବଂ ଶୁକ୍ଳପକ୍ଷ ଦ୍ବାଦଶୀ ଯଦି ପୁଷ୍ଯା ନକ୍ଷତ୍ର ଯୁକ୍ତ ହୁଏ ତେବେ ଗୋବିନ୍ଦ ଦ୍ବାଦଶୀ ପାଳନ କରାଯାଏ । ଏହି ମାସର ପବିତ୍ର ପର୍ବ ପୂର୍ଣ୍ଣିମା ଓ ହୋଲି । ସେଲାଗି ଏହାକୁ ରଙ୍ଗର ମାସ ଭାବରେ ଅଭିହିତ କରାଯାଇଛି । ପରସ୍ପର ଭାଇଚାରା ତିଆରି କରୁଥିବା ଏବଂ ଆନନ୍ଦ ପ୍ରଦାନ କରୁଥିବା ମାସ ହେଉଛି ଫଗୁଣ ।
ପଙ୍କୋଦ୍ଧାର ଏକାଦଶୀ ବା ବିଜୟା ଏକାଦଶୀ ବ୍ରତ ପାଳନ ଦ୍ବାରା ମଣିଷ ଶତ୍ରୁ ଜୟ କରିପାରେ । ଜାନକୀ ହରଣ ସମୟେ ଶ୍ରୀରାମ ବାନର ସେନା ସହ ସାଗର ଉତ୍ତର ତଟରେ ଉପନୀତ ହୋଇ ରାବଣ ପରି ମହାଶକ୍ତିଶାଳୀ ଶତ୍ରୁ ଏବଂ ସମୁଦ୍ରର ଗମ୍ଭୀରତା ନେଇ ଚିନ୍ତାଗ୍ରସ୍ତ ଥିଲେ ; ସାଗର ପାରି ହେବାର ଉପାୟ ଦରାଣ୍ଡିବା ବେଳେ ଜଣେ ମୁନିଙ୍କ ପରାମର୍ଶରେ ସେ ଏହି ଏକାଦଶୀ ବ୍ରତ ପାଳନ କରିବାରୁ ବ୍ରତର ପ୍ରଭାବରେ ସାଗର ପାର ହୋଇ ଦଶାସ୍ଯ ନାଶ କରିଥିବାର ପୁରାଣ କହେ । ଏହିଦିନ ପୁରୀର ଶ୍ରୀ ଲୋକନାଥ ଦେବଙ୍କ ଗର୍ଭଗୃହରୁ ଜଳ ନିଷ୍କାସନ କରାଯାଇ ପଙ୍କ ଉଦ୍ଧାର କରାଯାଏ । ବର୍ଷ ସାରା ଲୋକନାଥଙ୍କ ଶ୍ରୀଲିଙ୍ଗ ଜଳ ଭିତରେ ଲୁକ୍କାୟିତ ଥାଏ , ଏହି ଗୋଟିଏ ଦିନ ତାଙ୍କର ପୂର୍ଣ୍ଣ ଦର୍ଶନ ପ୍ରାପ୍ତ ହୁଏ । ଧର୍ମ ବିଶ୍ବାସନୁଯାୟୀ ଏକାଦଶୀ ତିଥିରେ ଭକ୍ତଜନ ଶ୍ରୀ ଲୋକନାଥଙ୍କ ଶକ୍ତି ଦର୍ଶନାନ୍ତେ ଅପାର କୃପାଲାଭ ସହ ଦୁରାରୋଗ୍ୟ ବ୍ଯାଧିରୁ ରକ୍ଷା ପାଆନ୍ତି ଏବଂ ଏ ପଙ୍କ ଦେହରେ ଲାଗିଲେ ନାନା ସମସ୍ୟା ଓ ପାପରୁ ମୁକ୍ତି ମିଳେ । ଆପାଦ ମସ୍ତକ ମହାପ୍ରଭୁଙ୍କର ପଙ୍କ ଦେଖିବାକୁ ମିଳେ ।
ଆମ ହିନ୍ଦୁ ଧର୍ମର ବହୁତ ବଡ଼ ପର୍ବ ହେଉଛି ଫଗୁଣ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀର ମହାଶିବରାତ୍ରି । ଏହିଦିନ ଶିବ-ପାର୍ବତୀଙ୍କର ବିବାହର ଦିବସ । ଏହି ଦିବସରେ ସ୍ନାନ ଓ ବିଧିବତ ଅର୍ଚ୍ଚନା ଦ୍ବାରା ସ୍ବୟଂ ଶିବ ସୁପ୍ରସନ୍ନ ହୁଅନ୍ତି । ଜାବାଳି ଶ୍ରୁତି ଅନୁସାରେ ଦଶ ଶୈବ ବ୍ରତ ମଧ୍ୟରେ ଏହି ଶିବରାତ୍ରି ବ୍ରତ ଅତ୍ଯନ୍ତ ସିଦ୍ଧିଦାୟକ ଅଟେ । ମୁନି ସନତ କୁମାରଙ୍କ ମତରେ ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବରତ ଅଛି ; ତନ୍ମଧ୍ୟରୁ ଏ ଶିବରାତ୍ରି ଅତ୍ଯନ୍ତ ସିଦ୍ଧିଦାୟକ ଓ ସର୍ବଶ୍ରେଷ୍ଠ ବ୍ରତ ଆଉ ସର୍ବକାମପ୍ରଦ । କେତେକ ଶ୍ରୁତି ଅନୁଯାୟୀ ମାଘ ମାସ କୃଷ୍ଣ ଚତୁର୍ଦ୍ଦଶୀ ତିଥିକୁ ଶିବରାତ୍ରି ଭାବରେ ପାଳନ କରାଯାଉଥିଲେ ବି ଫଗୁଣର ଏହି ତିଥିକୁ ସର୍ବଶ୍ରେଷ୍ଠ ବିବେଚନା କରାଯାଏ । ଏହିଦିନ ସ୍ବୟଂ ରୁଦ୍ରଙ୍କ ଦ୍ବାରା ସଂସାର ପ୍ରକଟ ହୋଇଥିବାର ବିଶ୍ବାସ ଅଛି । ସମୁଦ୍ରରୁ ନିର୍ଗତ ହଳାହଳ ବିଷ ପାନ କରି ସଂସାରକୁ ଆସନ୍ନ ବିପଦରୁ ରକ୍ଷା କରି ସ୍ବୟଂ ଶିବ ମୂର୍ଚ୍ଛା ହୋଇ ଯାଇଥିଲେ । ସେ ଚେତ୍ ନହେବା ଯାଏଁ ଦେବଗଣ ମିଳି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଜାଗରରେ ଉପବେଶନ କରିଥିଲେ । ଏହାର ସ୍ମାରକୀ ଏଇ ଶିବରାତ୍ରି ବୋଲି ଆଖ୍ଯାନ ।
ମହାଭାରତର ଶାନ୍ତ୍ଇ ପର୍ବରେ ପିତାମହ ଭୀଷ୍ମ ଶରଶଯ୍ଯାରେ ରହି ଧର୍ମୋପଦେଶ ଛଳରେ ମହାଶିବରାତ୍ରି ପାଳନ ସମ୍ବନ୍ଧେ ଇକ୍ଷ୍ବାକୁ ବଂଶଜ ନରେଶ ଚିତ୍ରଭାନୁଙ୍କର କାହାଣୀ ଉପସ୍ଥାପନ କରିଥିବାର ଉଲ୍ଲେଖ ରହିଛି । ଥରେ ଜମ୍ବୁଦ୍ୱୀପର ରାଜନ ଚିତ୍ରଭାନୁଙ୍କ ସ୍ତ୍ରୀ ଶିବରାତ୍ରି ବ୍ରତ ପାଳନ ବେଳେ ଋଷି ଅଷ୍ଟବକ୍ର ରାଜଦରବାରେ ଉପନୀତ ହୋଇ ଏ ବ୍ରତ ପାଳନର କାରଣ ବୁଝିଥିଲେ । ରାଜା ଜାତିସ୍ମର ହେତୁ ପୂର୍ବ ଜନ୍ମର ବୃତ୍ତାନ୍ତ ତାଙ୍କର ବଖାଣିଲେ । ପୂର୍ବରୁ ସୁସ୍ବର ନାମ୍ନୀ ଶିକାରୀଟିଏ ବନ ଭ୍ରମଣ କରୁ କରୁ ସାୟାହ୍ନ ଘୋଟିଗଲା ; କୁଟୀରକୁ ଫେରି ନପାରି ବନ୍ଯଜନ୍ତୁଙ୍କ ହିଂସ୍ରତାରୁ ରକ୍ଷାର୍ଥେ ବେଲଗଛ ଉପରକୁ ଚଢ଼ି ଆତ୍ମୀୟ ମାନଙ୍କ କଥା ସ୍ମରଣ ପୂର୍ବକ ଅଶ୍ରୁପାତ କରିବା ସହିତ ବିଲ୍ବଦଳ ଛିଡ଼ାଇ ତଳକୁ ପକାଇବାକୁ ଲାଗିଲେ ; ତଳେ ଥିବା ଲୁକ୍କାୟିତ ଶିବ ଲିଙ୍ଗ ଉପରେ ସାରା ରାତ୍ର ଶିକାରୀର ବିଲ୍ବଦଳ ପାତିତ ହେଉଥିଲା ଏବଂ ତା'ର ଲୋଚନାଶ୍ରୁ ଜଳ ଲିଙ୍ଗ ଉପରେ ଠପ୍ ଠପ୍ ହୋଇ ଖସୁଥିଲା । ପ୍ରଭାତ ହେବା ମାତ୍ରେ ଶିକାରୀ ଘରକୁ ଫେରି ପ୍ରଥମେ ଜଣେ ଭିକ୍ଷୁକୁ ଖାଦ୍ଯ ଦାନ କରି ତା'ପରେ ଆପେ ଖାଦ୍ୟ ଗ୍ରହଣ କଲେ । ଯେବେ ତା'ର ମୃତ୍ଯୁ ହେଲା ସେ ଶୈବଲୋକ ପାଇଲେ । ଅଜ୍ଞାତେ ସେ ଶିବରାତ୍ରରେ ଉପବାସ ପୂର୍ବକ ଶିବ ଲିଙ୍ଗରେ ବେଲପତ୍ର ଓ ଲୋତକ ସମର୍ପଣ କରିଥିବାରୁ ଶିବଲୋକରେ ରହି ପରଜନ୍ମରେ ଚିତ୍ରଭାନୁ ରୂପେ ରାଜଗାଦି ଭୋଗ କଲେ । ଏ ବ୍ରତରେ ଉଜାଗର ରହି ମହାଦୀପ ଉଠିବା ପରେ ବ୍ରତ ସମାପନ ହୁଏ । ଉଜାଗର ରହି ବ୍ରତ ପାଳନ ହେବାରୁ ଏହାର ନାମ ଜାଗର ଓଷା ବା ବ୍ରତ । ଅତ୍ମ କଲ୍ଯାଣ ପଥ ପରିଷ୍କାରାର୍ଥେ ଅଖଣ୍ଡ ସଜାଗତା ଓ ଜ୍ଞାନର ଆଲୋକ ଉଭୟ ଆବଶ୍ଯକ ବୋଲି ଏ ପର୍ବ ଶିକ୍ଷା ଦିଏ । ଅଜ୍ଞାନାନ୍ଧକାର ନାଶ କରି ଆଲୋକ ପ୍ରଦାନ କରିବା ହିଁ ମହାଦୀପର ଉଦ୍ଦେଶ୍ଯ ।
ଈଶାନ ସଂହିତା କହେ ଫାଲ୍ଗୁନ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶିବ ଲିଙ୍ଗ ରୂପେ ଆବିର୍ଭୁତ ହୋଇ ବ୍ରହ୍ମା ଓ ବିଷ୍ଣୁଙ୍କ ବିଦ୍ବେଷ ଖଣ୍ଡନ କରିଥିଲେ । "ବୃହଷ୍ପତି କୃତ୍ଯକୌମୁଦୀ" ଗ୍ରନ୍ଥରେ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ଶିବରାତ୍ରି ଏବଂ ଫାଲ୍ଗୁନ କୃଷ୍ଣ ଚତୁର୍ଦ୍ଦଶୀ ମହାଶିବରାତ୍ରି ରୂପପରେ ବର୍ଣ୍ଣିତ ହୋଇଛି । ଆଉ ଏକ ଉପାଖ୍ୟାନ ଦୃଷ୍ଟିଗୋଚର ହୁଏ , କୃଷ୍ଣଶର୍ମା ନାମ୍ନୀ ଜଣେ ବିପ୍ର ସରୋବର ତଟରେ ପଡ଼ିଥିବା ଏକ ଇଟାରେ ଗୋଡ଼ ଘଷି ସ୍ନାନ କରୁଥିଲା ; ଯୋଉଟା କି ଶିବ ମନ୍ଦିରର ଇଟା ଥିଲା । ତହିଁ ଆରଦିନ ସ୍ନାନ ବେଳେ ସର୍ପ ଦଂଶନରେ ଶିବ ମନ୍ଦିରର ଇଟାରେ ଗୋଡ଼ ଘଷି ଥିବାରୁ ମୃତ୍ୟୁ ହେଲା ଏବଂ ତା'ର ସମସ୍ତ ପୁଣ୍ୟଫଳ ବିନିଷ୍ଟ ହେଲା । ତାକୁ ସରୋବର ତୀରସ୍ଥ ବଟବୃକ୍ଷରେ ପ୍ରେତ ରୂପେ ଏକ ଅୟୁତ ବର୍ଷ ଯାଏଁ ନିବାସ କରିବାକୁ ପଡ଼ିବ । ଯଦି କୌଣସି ପୁଣ୍ଯାତ୍ମା ଶିବରାତ୍ରି ବ୍ରତର ପୁଣ୍ଯ ଦାନ କରେ ତେବେ ସେ ପ୍ରେତ ଜନ୍ମରୁ ମୁକ୍ତି ପାଇବ ବୋଲି ଜନ୍ତୁପତି କହିଲେ କୃଷ୍ଣଶର୍ମାଙ୍କୁ । ସେ ଇଟା ଶିବ ମନ୍ଦିରର କିପରି ବୋଲି କୃଷ୍ଣଶର୍ମା ଯମଙ୍କୁ ପୁଚ୍ଛିବାରୁ ସେ କହିଲେ ପୂର୍ବେ ମାଘ ମାସରେ ତୀର୍ଥାଟନ ଲାଗି ପ୍ରୟାଗକୁ ଗମି ଥିଲେ କାଶ୍ମୀରର ଜଣେ ଶିବ ଭକ୍ତ ବ୍ରାହ୍ମଣ ; ସେଟାରେ ସେ ତ୍ରିବେଣୀ ସଙ୍ଗମରେ ପିତୃ ତର୍ପଣ କରିଥିଲେ । ସେଠାରେ ଉପସ୍ଥିତ ହେଲେ ଭଗମାଳୀ ନାମ୍ନୀ ଜଣେ ଶିବ ଭକ୍ତ ଏବଂ ତାଙ୍କୁ କାଶ୍ମୀର ବ୍ରାହ୍ମଣ ଭୋଜନାର୍ଥେ ନିମନ୍ତ୍ରଣ କରିବାରୁ ସେ ଶିବ ଦର୍ଶନ କରିନଥିବାରୁ ଭୋଜନକୁ ବାରଣ କଲେ ; ବ୍ରାହ୍ମଣଙ୍କ ଶିବ ଭକ୍ତି ଦେଖି ତାଙ୍କୁ ଅନେକ ପ୍ରଶ୍ନ କଲେ । ଅନେକ ପ୍ରସଙ୍ଗାଲୋଚନା ସରିଲା ପରେ ସେଦିନ ବାବାଜୀଙ୍କ ଆଶ୍ରମରେ ଅବସ୍ଥାନ କରି ରାତ୍ରିରେ ଶିବଲିଙ୍ଗାରଧନା କଲେ । ପରଦିନ ବ୍ରାହ୍ମଣ ସେ ସ୍ଥାନ ତ୍ଯାଗ କଲେ ଓ ସେହି ସ୍ଥାନରେ ବାବାଜୀ ଏକ ଶିବ ମନ୍ଦିର ନିର୍ମାଣ କଲେ । ଅନେକ ଦିନ ପରେ ମନ୍ଦିର ଭାଙ୍ଗି ଯାଇ ଇଟା ଖଣ୍ଡେ ଆସି ତୁଠରେ ପଡ଼ିଥିଲା , ତୁମେ ସେହି ଇଟାରେ ଗୋଡ଼ ଘଷି ମହାପାତକ ବରଣ କଲ ।
ସେଦିନଠୁ କୃଷ୍ଣଶର୍ମା ପ୍ରେତ ହୋଇ ସେ ଗଛରେ ରହି ତାଙ୍କର କୌଣସି ଶିଷ୍ଯକୁ ଅପେକ୍ଷା କଲେ । ସମୟ ଆଗତ , ତାଙ୍କର ଶିଷ୍ଯ "ନିରଘ"କୁ ସର୍ବ ବାର୍ତ୍ତା ଜ୍ଞାତ କରାଇଲେ । ନିରଘ ଏବେ ଭାସ୍କରଙ୍କୁ ଜଳଦାନ ପୂର୍ବକ ସମସ୍ତ ଚତୁର୍ଦ୍ଦଶୀ କରି ସକଳ ପୁଣ୍ଯଫଳକୁ ଗୁରୁଙ୍କୁ ଦେବାରୁ କୃଷ୍ଣଶର୍ମା ଶିବ ଲୋକ ଯାତ୍ରା କଲେ । ତେବେ ଶିବରାତ୍ରିର ମହାତ୍ମ୍ୟ ଅନେକ , ସବୁଠି ଓ ସବୁ କାହାଣୀରେ ଭକ୍ତିଭାବ ଓ ସମର୍ପଣ ଭାବର ସଙ୍କେତ ପରିଦୃଷ୍ଟ ।
ଏ ମାସର ଶୁକ୍ଳପକ୍ଷ ଦଶମୀ ହେଉଛି ଫଗୁଦଶମୀ ; ଏହି ଦିବସଠୁ ପୂର୍ଣ୍ଣିମା ଯାଏଁ ଦୋଳ ଉତ୍ସବ ଲାଗି ରହିଥାଏ । ତେଣୁ ଏହାକୁ ବି "ଦୋଳ ଦଶମୀ" କହନ୍ତି । ଏହି ତିଥିରୁ ଫଗୁ ଖେଳ ଓ ଦୋଳ ଗୋବିନ୍ଦଙ୍କ ଯାତ୍ରା ଆରମ୍ଭ ହୁଏ । ଠାକୁର ଗ୍ରାମ ଗ୍ରାମ ଭ୍ରମଣ କରି ଭୋଗ ଖାଇଥା'ନ୍ତି ; ଠାକୁରଙ୍କ ଉଦ୍ଦେଶ୍ଯରେ ପ୍ରତ୍ଯେକଙ୍କ ହାତରେ ଅର୍ପିତ ଭୋଗର ନାମ "ଦ୍ବାରୀ ଭୋଗ" । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ଚାଚେରୀ ବେଶ ପାଇଁ ଫଗୁଣ ଶୁକ୍ଳ ଦଶମୀରୁ ପ୍ରବଳ ଜନ ସମାଗମ ହୁଏ । ଏ ବେଶ ମଧ୍ୟାହ୍ନ ଧୂପ ବଢ଼ିଲା ପରେ କରାଯାଇଥାଏ । ଏ ବେଶରେ ପ୍ରଥମେ ମେକାପ ସର୍ବାଙ୍ଗ ଓ ବୋଇରାଣୀ ମାଧାବଳି ଆଦି ନବ ବସ୍ତ୍ରମାନ ଲାଗି ହୋଇ ଶ୍ରୀଜୀଉଙ୍କୁ ୩୦ ମୂର୍ତ୍ତି ଅଳଙ୍କାର ଲାଗି ହୁଏ । ଏ ବେଶରେ ଠାକୁରଙ୍କର ସମସ୍ତ ବସ୍ତ୍ର ଲାଲ୍ ବର୍ଣ୍ଣର ଏବଂ ଏହା ସ୍ବତନ୍ତ୍ର ଶୈଳୀରେ ପିନ୍ଧା ଯାଇଥାଏ । ତ୍ରି ଦିଅଁଙ୍କ ତ୍ରିମୁଣ୍ଡିରେ ଲାଲ୍ ରଙ୍ଗର ଶ୍ରୀ କପଡ଼ା ପଡ଼ିବା ସହ ମୁଖରେ ଲାଗି ହୁଏ ବଳା । ବଡ଼ ଠାକୁର ଓ ଶ୍ରୀ ଜଗନ୍ନାଥଙ୍କ ହସ୍ତରେ ଶୋଭା ବଢ଼ାଏ ସ୍ବର୍ଣ୍ଣ ନାଲି ଭୁଜ ଦୁଇଟି ଏବଂ ବହୁ ମାଳ ଲାଗି ହୁଏ ; ମସ୍ତକରେ ଶୋହେ ଟୋପର ଏବଂ ଟୋପର ଉପରେ ଚନ୍ଦ୍ରିକା ଶୋଭା ବର୍ଦ୍ଧନ କରେ । ଶ୍ରୀ ମୁଖରେ ପଡ଼ିଥିବା ବଳାରେ ଆଡ଼କାନୀ ଓ ତଦଗୀ ଶୋହୁଥାଏ । ଏଥି ସହ ଚନ୍ଦ୍ର-ସୂର୍ଯ୍ଯ ତିଳକ , କୁଣ୍ଡଳ ଓ ଓଡ଼ିଆଣୀ ଆଦି ସୁବର୍ଣ୍ଣାଳଙ୍କାର ଲାଗି କରାଯାଏ । ଚାଚେରୀର ଦ୍ବିତୀୟ ଦିନରେ ଦୋଳଗୋବିନ୍ଦ , ଶ୍ରୀଦେବୀ , ଭୂଦେବୀ ଜଗନ୍ନାଥ ବଲ୍ଲଭକୁ ବିଜେ କରନ୍ତି । ଦୋଳବେଦୀରେ ପହଞ୍ଚି ଆରମ୍ଭ ହୁଏ ଫଗୁ ଲାଗି । ପୂଜାର୍ଚ୍ଚନା ଓ ଭୋଗରାଗ ପରେ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ି ସୁନାବେଶ ଧାରଣ କରନ୍ତି ଯାହାକୁ ରାଜରାଜେଶ୍ୱର ବେଶ କହନ୍ତି । ଦୋଳ ପୂର୍ଣ୍ଣମୀ ପୂର୍ବଦିନ ଗଉଡ଼ ମାନଙ୍କ ଦ୍ୱାରା ଗାଇ ଗାଧୁଆ ଉତ୍ସବ ପାଳିତ ହୋଇଥାଏ ।
ଦୋଳ ପୂର୍ଣ୍ଣମୀ ଦିନ ଦୋଳବେଦୀ ମାନଙ୍କରେ ଏବଂ ମନ୍ଦିରରେ ଠାକୁରଙ୍କ ପାଖରେ ପାଞ୍ଜି ପଠନର ପରମ୍ପରା ରହିଛି । ଦୋଳରେ ଦୋଳଗୋବିନ୍ଦ ଦର୍ଶନରେ ପୁନର୍ଜନ୍ମ ହୁଏ ନାହିଁ ବୋଲି ଶାସ୍ତ୍ର ସମ୍ମତ ।
"ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୁଦନମ୍ ।
ରଥେ ତୁ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମ ନ ବିଦ୍ଯତେ ।।"
ଦୋଳକୁ ନେଇ ବହୁ କାହାଣୀ ଯୁକ୍ତ ; ରାଧା-କୃଷ୍ଣଙ୍କ ପ୍ରେମ କାହାଣୀ ସହିତ ଆହୁରି ଅନେକ କିଛି । ରଙ୍ଗ ଖେଳ ଓ ହୋଲିକା ଦହନର ଅଗ୍ନୌଜ୍ଜଲ୍ଯ ଉଭୟ ଉପରେ ଶୁଭ ପ୍ରତୀକର ବିଜୟ ସମ୍ମିଳିତ ଏ ପର୍ବ । କିଛି ବି ଜନମତାନୁସାରେ ପରାକ୍ରମୀ ରାକ୍ଷାସ ମେର୍ଦ୍ଧାସୁରର ମୃତ୍ୟୁର ଭଗବାନ କାରଣ ହୋଇ ପୃଥ୍ୱୀରୁ ପାତକ ମାତ୍ରା କମାଇ ଥିବାରୁ ଏ ପର୍ବ ପାଳନ ହୋଇଥିଲା । ଓଡ଼ିଶାରେ ଷୋଡ଼ଶ ଶତାବ୍ଦୀରେ ଶ୍ରୀଚୈତନ୍ୟଙ୍କ ଆଗମନତଃ ବୈଷ୍ଣବ ଧର୍ମର ପ୍ରଚାର ପ୍ରସାର ଘଟିଥିଲା ; ୧୫୧୦ ମସିହାର ଦୋଳପୂର୍ଣ୍ଣମୀ ଦିନ ସେ ପୁରୀରେ ପଦାର୍ପଣ କରିଥିବାରୁ ତାଙ୍କର ଉତ୍କଳ ଆଗମନର ସ୍ମାରକୀ ସ୍ବରୂପ ଦୋଳପୂର୍ଣ୍ଣମୀରେ ପୁରପଲ୍ଲୀରେ ମେଳନ ଯାତ୍ରାନୁଷ୍ଠିତ ହୁଏ । କୃଷ୍ଣଙ୍କ ଦାୟାଦ ଭାବରେ ଏ ଉତ୍ସବରେ ଗୋପାଳଗଣ ଶିଙ୍ଗା ବାଦନ ପୂର୍ବକ ନଉଡ଼ି ଖେଳନ୍ତି । ଦ୍ବାଦଶ ଶତାବ୍ଦୀର ଓଡ଼ିଆ ଜ୍ଯୋତିର୍ବିଦ୍ ଶତାନନ୍ଦଙ୍କ ଲିଖିତ "ଶତାନନ୍ଦ ସଂଗ୍ରହ"ରେ ଦୋଳଯାତ୍ରା ବିଷୟରେ ସ୍ପଷ୍ଟ ମୁଦ୍ରିତ ରହିଛି । କିଛି ସ୍ଥାନରେ ମଥୁରା ପ୍ରେରିତ ଛଦ୍ମ ଖଳନାୟିକା ପୁତନାର ଗୋପପୁର ପ୍ରବେଶ ଓ ସ୍ତନ୍ଯପାନ କରାଇ କୃଷ୍ଣ ବଧ ଉଦ୍ଯମର କାହାଣୀକୁ ହୋଲି ଉତ୍ସବ ସହ ସଂଯୋଗ କରାଯାଇଛି । ଶ୍ରୀମଦ୍ଭାଗବତର ଗୋପଲୀଳାର ଅନ୍ଯ କିଛି କଂସ ପ୍ରେରିତ ଅସୁର-ଅସୁରୁଣୀଙ୍କ ନିହତ ସହ ବି ଦୋଳୋତ୍ସବକୁ ଯୋଗ କରାଯାଇଛି । "ବ୍ରହ୍ମ ପୁରାଣ" କହେ ଦୋଳଗୋବିନ୍ଦ ଦର୍ଶନରେ ପାପକ୍ଷୟ ହୋଇ ପୁଣ୍ଯବର୍ଦ୍ଧିତ ହୁଏ ।
"ନର ଦୋଳଗତଂ ଦୃଷ୍ଟା ଗୋବିନ୍ଦ ତ୍ରିଦଶାର୍ଚ୍ଚିତମ୍ ।
ଫାଲ୍ଗୁନ୍ଯଂ ସଂଯତୋ ଭୂତ୍ବା ଗୋବିନ୍ଦସ୍ଯ ପୁରଂ ବ୍ରଜେତ୍ ।"
କଳିରେ ଦୋଳୋତ୍ସବ ସର୍ବଶ୍ରେଷ୍ଠ ; ପଦ୍ମ ପୁରାଣ କହେ :-
"ବିଶେଷତଃ କଳିଯୁଗେ ଦୋଳୋତ୍ସବ ବିଧିୟତେ ।
ଫାଲ୍ଗୁନେ ଚ ଚତୁର୍ଦ୍ଦଶ୍ଯାମଷ୍ଟମେ ଯାମ ସଜ୍ଞାକେ ।"
ଶାସ୍ତ୍ର କହେ ସବୁଠୁ ଶ୍ରେଷ୍ଠ ବୃକ୍ଷ ଅଁଳା ଅଟେ ; ପୁରାଣ ମନ୍ତବ୍ୟରେ ସୃଷ୍ଟି ସଂରଚନାର୍ଥେ ବ୍ରହ୍ମାଙ୍କୁ ଜନ୍ମ ଦେଇଥିଲେ ବିଷ୍ଣୁ , ସେ ସମୟରୁ ଅଁଳା ଗଛର ଉତ୍ପତ୍ତି । ସ୍ବୟଂ ବିଷ୍ଣୁ ଅଁଳା ଗଛକୁ ଆଦିବୃକ୍ଷ ଭାବରେ ପ୍ରତିଷ୍ଠିତ କରିଥିଲେ । ହିନ୍ଦୁ ବିଶ୍ବାସନୁସାରେ ଅଁଳା ଗଛର ପ୍ରତ୍ଯେକାଂଶରେ ଭଗବାନ ବିରାଜିତ । ବିଷ୍ଣୁଙ୍କ ପ୍ରସନ୍ନତା ମୋକ୍ଷର କାମନାର୍ଥେ ଫଗୁଣ ମାସର ଶୁକ୍ଳ ଏକାଦଶୀରେ ବିଷ୍ଣୁ ଉପାସନା ପୂର୍ବକ ହିନ୍ଦୁଗଣ ଅଁଳା ଏକାଦଶୀ ବ୍ରତ ପାଳନ କରନ୍ତି ଏବଂ ଏ ବୃକ୍ଷର ଉପାସନା କରନ୍ତି । ଏଦିନ ବିଷ୍ଣୁଙ୍କ ଷଷ୍ଠାବତାର ପର୍ଶୁରାମଙ୍କ ସ୍ବର୍ଣ୍ଣ ପ୍ରତିମା ସ୍ଥାପନ କରି ବିଧିବଦ୍ଧ ଭାବରେ ଆରାଧନା କରାଯାଏ । ପରଦିନ ଅର୍ଥାତ୍ ଦ୍ବାଦଶୀରେ ଏକାଦଶୀ ବ୍ରତ ଉଦ୍ଯାପନ କରି ବିପ୍ରଙ୍କୁ ପର୍ଶୁରାମ ମୂର୍ତ୍ତି ଭେଟି ଦିଆଯାଏ । ସ୍ବୟଂ ବିଷ୍ଣୁ କହିଛନ୍ତି - "ଯେଉଁ ପ୍ରାଣୀ ସ୍ବର୍ଗ ଓ ମୋକ୍ଷର ପ୍ରାପ୍ତ୍ଯର୍ଥେ କାମନାକାରୀ ସେ ପ୍ରାଣୀ ଫାଲ୍ଗୁନ ଶୁକ୍ଳପକ୍ଷରେ ଏକାଦଶୀ ବ୍ରତ ପାଳନକାରୀ ହେବା ଉଚିତ ।" ସମସ୍ତ ପାତକ ନାଶ ଯାଉଥିବାରୁ ଏହାର ଅନ୍ଯ ନାମ "ପାପନାଶିନୀ ଏକାଦଶୀ" । ଏ ବ୍ରତକୁ ସଂସ୍କୃତରେ "ଅମାର୍ଦ୍ଦକୀ ଏକାଦଶୀ" ଅଭିହିତ ଏବଂ କେହି କେହି କହନ୍ତି "ଆମଳକୀ ଏକାଦଶୀ" । ଅଁଳା ଗଛର ମୂଳରେ ବିଷ୍ଣୁ , ମୂଳର ଉର୍ଦ୍ଧ୍ବରେ ବ୍ରହ୍ମା , ସ୍କନ୍ଦ ଦେଶରେ ମହାରୁଦ୍ର , ଶାଖାରେ ମୁନିଗଣ , ପଶାଖାରେ ସର୍ବ ଦେବଗଣ , ପତ୍ରରେ ଅଷ୍ଟବସୁ , ପୁଷ୍ପରେ ମରୁତ୍ଗଣ , ଫଳରେ ପ୍ରଜାପତିଙ୍କ ନିବାସ ବୋଲି କିଛି ଶାସ୍ତ୍ରମତ । ଅଁଳା ଏକାଦଶୀ ତିଥିର ରାତ୍ରରେ ଅଁଳା ବୃକ୍ଷ ମୂଳେ ରାତ୍ରି ଜାଗରଣ କରିଲେ ସସ୍ର କାମଧେନୁ ଦାନର ଫଳପ୍ରାପ୍ତ ହୋଇଥାଏ ବୋଲି ପୁରାଣ ମନ୍ତବ୍ୟ ।
ଫାଲ୍ଗୁନ ମାସ ଧର୍ମ ଆଉ ଭାଇଚାରାର ମାସ ; ସ୍ନେହ ସୌହାର୍ଦ୍ଦର ପ୍ରତୀକ । ଜନ୍ମ ଓ ଜୀବନ ଆଉ ମନ ସମସ୍ତେ ରଙ୍ଗୀନ ହେବାର ସରଣୀ ସୂଚକ ଏ ମାସ । ପ୍ରକୃତିରେ ବସନ୍ତର ସ୍ପର୍ଶ , ଜୀବନ ବି ବାସନ୍ତୀକ ଏବଂ ଉଚିତ୍ ପଥାନୁସରଣରେ ଜନ୍ମ ବି ବାସି ଉଠେ ବସନ୍ତ ବସନ୍ତ । ସତରେ କେଡ଼େ ନିଆରା ଆମ ହିନ୍ଦୁ ସଂସ୍କୃତି ଓ ଓଡ଼ିଆ ପରମ୍ପରା !
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
୮୯୧୭୪୮୦୫୩୬
Comments
Post a Comment