ଫଗୁଣର ଫଗୁ ଖେଳ
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଫେରିଛି ଫଗୁଣ , ବସନ୍ତ ମଳୟର ମୃଦୁମନ୍ଦ ସ୍ପର୍ଶ ଓ କୋକିଳର କୁହୁ ତାନରେ ଏବଂ ଆମ୍ବ ବଉଳର ଆଚମ୍ବିତ ବାସ୍ନା ସହିତ । ଅପସରିଛି ଶୀତ , ସବୁଜ ବନାନୀରେ କଅଁଳି ଉଠିଚି ପତ୍ର ; ଯୁଆଡ଼େ ଦେଖିଲେ ଖାଲି ସବୁଜିମା । ଅଷ୍ଟଦିଗ ରଙ୍ଗୀନ ; ଜୀବନ ଲାଗୁଛି ସଙ୍ଗୀନ । ବୈଶିଷ୍ଟ୍ୟତା ବହନ କରୁଛି ରଙ୍ଗର ପର୍ବ ହୋଲି ; ଆଧ୍ଯାତ୍ମିକତାକୁ ଉଜ୍ଜୀବିତ କରୁଛି ଦୋଳଯାତ । ହର୍ଷ - ଉଲ୍ଲାସରେ ଫାଟି ପଡୁଛି ଧରା । କୋଳାହଳମୟ ହୋଇଉଠୁଛି ଉତ୍କଳର ପୁରପଲ୍ଲୀ ଆଉ ସହରର କିଛି ଅଞ୍ଚଳ । ଶୁକ୍ଳପକ୍ଷ ଦଶମୀ ଠାରୁ ପୂର୍ଣ୍ଣିମା ପର୍ଯ୍ଯନ୍ତ ଶ୍ରୀକୃଷ୍ଣଙ୍କ ଦୋଳିଖେଳି ଉତ୍ସବ ସୃଷ୍ଟି କରିଛି ଭାଇଚାରା ଓ ଜାଗ୍ରତ କରିଛି ଆଧ୍ଯାତ୍ମ ଚିନ୍ତନ । କଥାରେ ଅଛି - "ବଙ୍ଗେ ଦୁର୍ଗାପୂଜା ଉତ୍କଳେ ଦୋଳଯାତ୍ରା" ; ଏହା ପ୍ରସିଦ୍ଧ ଅଟେ । ଫଗୁ ଦଶମୀରୁ ପୂର୍ଣ୍ଣମା ଯାଏଁ ହେଉଥିବା ଦୋଳକୁ "ରାଜଦୋଳ" କୁହାଯାଉଥିବା ବେଳେ ଫଗୁଣ ପୂର୍ଣ୍ଣମା ଠାରୁ ଚୈତ୍ର କୃଷ୍ଣ ପଞ୍ଚମୀ ଯାଏଁ ହେଉଥିବା ଦୋଳକୁ "ପଞ୍ଚୁଦୋଳ" କୁହାଯାଏ । ଶ୍ରୀକୃଷ୍ଣଙ୍କ ବିଗ୍ରହକୁ ନେଇ ଦୋଳ ମଣ୍ଡପରେ ଦୋଳି ଖେଳାଇବା ସହ ପରସ୍ପର ମଧ୍ଯରେ ରଙ୍ଗ ଅବିର ସବୁ ବୋଳାବୋଳି ହୁଅନ୍ତି ସମସ୍ତେ ଆଉ ନୃତ୍ଯ - ଗୀତାଦି କରନ୍ତି । ଓଡ଼ିଶାର କୋଠିଆ ଆଉ ଗାଈ ରଖୁଆଳ ଚାକରମାନେ ଦୋଳଠୁ ଚାକିରୀର ବର୍ଷ ସୁମାରି କରନ୍ତି ; ଗଉଡ଼ ମାନଙ୍କର ପ୍ରଧାନ ପର୍ବ ଇଏ । ଗୋପାଳମାନେ ଗାଈଗୋରୁ ମାନଙ୍କୁ ଗାଧୋଇ ଦୁଧ ବନ୍ଦାନ୍ତି ଏବଂ ବେଶଭୂଷା ହୋଇ ଗୀତ ଗାୟନ ପୂର୍ବକ ଲଉଡି ଖେଳନ୍ତି ।
ଏହି ପରବର ଗୁରୁତ୍ବ ବୈଷ୍ଣବ ଧର୍ମ ପରମ୍ପରାର ପ୍ରଚାର ଓ ପ୍ରସାର ସହ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ । ଦୀର୍ଘ ଆଠଶହ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳନ ହେଉଛି ବୋଲି ଦ୍ବାଦଶ ଶତାବ୍ଦୀର ଓଡ଼ିଆ ଜ୍ଯୋତିର୍ବିଦ୍ ଶତାନନ୍ଦଙ୍କ ରଚିତ "ଶତାନନ୍ଦ ସଂଗ୍ରହ"ରେ ଉଲ୍ଲିଖିତ । କେଉଁଠି ଏହା ପଞ୍ଚଦୋଳ , ଦଶଦୋଳ ତ କେଉଁଠି ଛଅଦୋଳ , ସପ୍ତଦୋଳ , ଅଷ୍ଟଦୋଳ, ନବଦୋଳ ଭାବରେ ପାଳିତ ହୁଏ । କେଉଁଠି ଏହା ରାଧାକୃଷ୍ଣଙ୍କ ପ୍ରେମ ଗାଥାର ଭବ୍ୟ ଉତ୍ତାଳ ଉତ୍ତରଣ ତ କେଉଁଠି ଅନ୍ଯ ପୁରାଣ ମାଳା ଗୁନ୍ଥନ ; ରଙ୍ଗର ରଙ୍ଗେନ ଖେଳ ଓ ହୋଲିକା ଦହନର ଅଗ୍ନି ଔଜ୍ଜ୍ୱଲ୍ୟ ଏହି ଦ୍ବୟ ଦୁଷ୍ଟ ଶକ୍ତି ଉପରେ ଶୁଭ ପ୍ରତୀକର ଜୟକୁ ଏହି ପର୍ବ ସହ ସାମିଲ୍ କରହୋଇଛି । କିଛି ମତରେ ପରାକ୍ରମୀ ରାକ୍ଷସ ମେର୍ଦ୍ଧାସୁରର ବ୍ଧ ଭଗବାନ କରି ପୃଥ୍ବୀରୁ ପାପ ମାତ୍ରା ହ୍ରାସ କରିଥିବାରୁ ଏ ପର୍ବାୟୋଜନ । ଆଉ କିଛିଙ୍କର ମତରେ କାମଦେବଙ୍କ ଦହନ , ପୁତନା ରାକ୍ଷସୀର ବଧ ପାଇଁ ଏ ପର୍ବ ପାଳନ ଏବଂ କଂସ ପ୍ରେରିତ ଅସୁର - ଅସୁରଣୀଙ୍କ ନିଧନ ସହ ଏ ପର୍ବ ଯୋଡ଼ା ଯାଇଛି । ଦୋଳ ପୂର୍ଣ୍ଣିମାର କିଛିଦିନ ପୂର୍ବରୁ ରାଧାକୃଷ୍ଣଙ୍କ ଚଳନ୍ତି ପ୍ରତିମା ବିମାନରେ ବିରାଜିତ ହୋଇ ଗାଁ-ଗାଁ , ଘର- ଘର ବୁଲି ଭୋଗ ଖାଆନ୍ତି ଯାହାକୁ "ଦ୍ବାରୀଭୋଗ" କହନ୍ତି । ଏହା ଅବିକା ଏକ ସାମୂହିକ ପର୍ବରେ ପରିଣତ । ଖୋର୍ଦ୍ଧା ନିକଟସ୍ଥ ଗଡ଼ବାଣି , ମାଣିକଗୋଡ଼ା ଆଦି ଗାଁରେ ମୁସଲମାନ ଦଳବେହେରା ରାଜାଙ୍କ ଦ୍ବାରା ନିଯୁକ୍ତ ବା ହିନ୍ଦୁ ଦଳବେହେରା ପର ସମୟେ ମୁସଲିମ୍ ଧର୍ମ ଗ୍ରହଣ କରିଥିଲେ ; ତାଙ୍କ ଦ୍ବାରରେ ବି ଠାକୁର ଭୋଗ ଖାଆନ୍ତି ।
ଶୈବପୀଠ ସହ ବୈଷ୍ଣବ ଭକ୍ତ ଓ ପୀଠର ସୌହାର୍ଯ୍ଯ ବୃଦ୍ଧିରେ ଦୋଳ ମେଳଣ ଓ ଦୋଳ ମଣ୍ଡପ ସାହାଯ୍ୟକାରୀ ଅଟେ । ସାଧାରଣତଃ ଶୈବ , ଶାକ୍ତ କିମ୍ବା ଅନ୍ଯ ନିର୍ବିବାଦୀୟ ପୀଠେ ହୈଏ ଦୋଳ ମେଳଣ । ଶ୍ରୀ ଚୈତନ୍ଯ ଜୟନ୍ତୀ ଭାବରେ ସଙ୍କୀର୍ତ୍ତନ , ବିଭିନ୍ନ ବାଦ୍ଯଘୋଷର ଏହା ମହୋତ୍ସବ । ପୁରୀ ଶ୍ରୀ ଜଗନ୍ନାଥଙ୍କ ବିଭିନ୍ନ ଯାନିଯାତ୍ରା ମଧ୍ଯରେ ଦୋଳଯାତ୍ରା ବିଶେଷ ସ୍ଥାନଂଳକୃତ କରିଛି । କୁହାଯାଇଛି -
"ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୁଦନମ୍ ।
ରଥେ ତୁ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମ ନ ବିଦ୍ଯତେ ।।"
ଶ୍ରୀମନ୍ଦିରରେ ଦୋଳଯାତ୍ରାଟି "ଚାଚେରୀ ଲୀଳା" ନାମରେ ପ୍ରଖ୍ୟାତ । ଏହି "ଚାଚେରୀ" ଶବ୍ଦଟି ସଂସ୍କୃତର "ଚାର୍ଚ୍ଚରୀ"ରୁ ଆନୀତ ଯା'ର ଅର୍ଥ ସୌଭାଗ୍ୟ । ଏହି ଦିନ ସୁନାବେଶ ଓ ରାଜରାଜେଶ୍ୱର ବେଶରେ ଶ୍ରୀଜୀଉଙ୍କ ଦର୍ଶନ ମିଳେ ।
ଏ ପର୍ବର ଭାଇଚାରାର ଆଳଟି "ହୋଲି" ଯାହାକୁ ଭାଷା-ବର୍ଣ୍ଣ-ଲିଙ୍ଗ-ପ୍ରାନ୍ତ-ଧର୍ମ ନିର୍ବିଶେଷରେ ସମସ୍ତେ ଉପଭୋଗ କରିଥା'ନ୍ତି । "ହୋଲା ମୋହଲା" ଯାହାକୁ କେବଳ "ହୋଲା" କହନ୍ତି । ଏହା ପ୍ରାୟତଃ ଶିଖ୍ ମାନଙ୍କର ଏକ ଦିବସୀୟ ପର୍ବ । ହୋଲିର ଗୋଟିଏ ଦିନ ପରେ "ଚେତ୍"(ଚନ୍ଦ୍ର ମାସର) ଦ୍ବିତୀୟ ଦିନରେ ପାତିତ ;ଏହା ଶିଖ୍ ମାନଙ୍କର ବଡ଼ ଉତ୍ସବ ଏବଂ ଏହି ଦିନଠୁ ତାଙ୍କର ନବବର୍ଷ ପ୍ରାରମ୍ଭ । କେବଳ ଯେ କୁଣିଆ ଘର ଯାଉ ତା' ନୁହେଁ , ବରଂ ଠାକୁର ଯେ ଅନ୍ଯର ଗାଁକୁ ବିମାନରେ ଯା'ନ୍ତି ; ତାହା ମେଲଣ ବୋଲାଯାଏ ।
ବିଭିନ୍ନ ଠାକୁରଙ୍କ ଦୋଳ ଏକ ସ୍ଥାନରେ ରୁଣ୍ଡ ହେବାକୁ "ଦୋଳ ମେଳଣ" କହନ୍ତି ; ଦୋଳ ପୂର୍ଣ୍ଣିମା ପୂର୍ବଦିନ ଅନୁଷ୍ଠିତ ଦୋଳଯାତ "ଫୁଲଦୋଳ" ନାମରେ ନାମିତ ଅଟେ । ପୌରାଣିକ କଥାନୁସାରେ ଏହା "ବସନ୍ତୋତ୍ସବ"। ଓଡ଼ିଶାରେ ପ୍ରସିଦ୍ଧିଲାଭ କରିଥିବା ଦୋଳ ମେଳଣ ମଧ୍ଯରେ ହରିରାଜପୁର , ଓଳକଣା ଓ ବାଳକାଟି ପଞ୍ଚୁଦୋଳ ବେଶ୍ ଆକର୍ଷଣ । ହରିରାଜପୁର ମେଳଣକୁ ବାଣ ଓ ଆତସବାଜି ପାଇଁ ବହୁ ଲୋକ ମନେପକାନ୍ତି । ବହୁ ପୁରାତନ ମେଳଣ ଫାଲ୍ଗୁନ ଶୁକ୍ଳ ଚତୁର୍ଦ୍ଦଶୀରେ ପାଳିତ କଟକ ଜିଲ୍ଲାର ଓଳକଣା ମେଳଣ । ପୁରାଣନୁଯାୟୀ ଦ୍ବାପରରେ ପାଣ୍ଡବ ମାନଙ୍କ ପାଇଁ ଶ୍ରୀକୃଷ୍ଣ ଜମି ମାଗିବାକୁ ଯାଇ ଦୁର୍ଯ୍ୟୋଧନ କତିରୁ ଶୂନ୍ଯ କରେ ପ୍ରତ୍ଯାବର୍ତ୍ତି ଥିବା ବେଳେ ପଥରେ ବିଦୁରଙ୍କ ଘରେ ଶାଗ ପଖାଳ ଖାଇ ତାଙ୍କୁ ବର ମାଗିବାକୁ କହିବାରୁ ଭକ୍ତ ବିଦୁର ବର ଭାବେ ପ୍ରତିବର୍ଷ ଫାଲଗୁନ ପୂର୍ଣ୍ଣିମାରେ ଅତ୍ର ଏକାସଙ୍ଗେ ହରିହରଙ୍କୁ ଦର୍ଶନ କରିବାକୁ କହିଥିଲେ । ସେଦିନଠୁ ଏଠାରେ ମେଳଣ ଅନୁଷ୍ଠିତ । ଏଠାର ଏକ ବୈଶିଷ୍ଟ୍ୟ ଯେ , ଏଠି ଏମିତି ଏକ ଜାଗା ଅଛି ଯେଉଁଠି ମେଳଣ ପଡ଼ିଆର କୋଳାହଳ ଶୁଭେନି ।
ଏହି ଦୋଳ ବିଜେ ଉପରେ ଅନେକ ଦୃଷ୍ଟାନ୍ତ ମିଳେ । ଅଚ୍ୟୁତାନନ୍ଦଙ୍କ କହିବାନୁସାରେ -
"ଫଗୁଣ ମାସରେ ଦୋଳଗୋବିନ୍ଦ ,
ଫଗୁ ଖେଳୁଛନ୍ତି ପରମାନନ୍ଦ ।
ଅବିର ସଙ୍ଗେ ଝାଲେରୀ ମିଶାଇ ,
ଫଗୁ ଖେଳୁଛନ୍ତି ଯଦୁ ଗୋସାଇଁ ।
ମୋ' କାହ୍ନୁରେ...."
- ବାରମାସୀ କୋଇଲି
ରାମାୟଣରେ ଦଶରଥଙ୍କ କୈକେୟୀଙ୍କ ପ୍ରତି ଏକ ପ୍ରତିଶ୍ରୁତିବଦ୍ଧତାର ଫଳତଃ ପରି ଦୋଳୋତ୍ସବର ଫଗୁଖେଳ ରାଧା ପ୍ରତି କୃଷ୍ଣଙ୍କ ଏକ ଅଙ୍ଗୀକାରବଦ୍ଧତାର ନିଦର୍ଶନ ବୋଲି କହନ୍ତି ; ଏ ନେଇ ଅଚ୍ଯୁତଙ୍କ କଥାରେ -
"ଯେତେ ଦୂର ଆମେ ଗୋପପୁରେ ରହିଥିବା ,
କହୁଅଛି ବୃନ୍ଦାବନେ ଆମେ କେଳି ଆଚରିବା ।।
ଏହି ଫଗୁଣରେ ଆମେ ଦୋଳ ଗୋବିନ୍ଦ ବୋଲାଇ ,
ଫଗୁ ଖେଳୁଥିବା ଆମେ ଚଉଦୋଳେ ରହି ।।"
- ଗୋପାଳ ଓଗାଳ
ଦୋଳ ପୂର୍ଣ୍ଣମୀରେ କୃଷକ କୃଷିକାର୍ଯ୍ୟର ଅୟମାରମ୍ଭ କରେ ଏବଂ ଏହିଦିନ ନବପଞ୍ଜିକା ଠାକୁରାଳୟେ ବା ଭାଗବତ ଟୁଙ୍ଗୀରେ ପଠନ କରାଯାଏ । ଗ୍ରାମବଧାନେ ଆସନ୍ତା ବର୍ଷର କୃଷି , ପାଣିପାଗ , ଦଶା-ମହାଦଶା , ପ୍ରାକୃତିକ ଦୁର୍ବିପାକ ଆଦି ବିଷୟେ ସମ୍ଯକ ସୂଚନା ଦିଅନ୍ତି ପାଞ୍ଜି ପଢ଼ି । ସ୍ଥାନେ ସ୍ଥାନେ ଏଦିନ
ପୂର୍ବରୁ ଥିବା ସମସ୍ତ ହଟ୍ଟଗୋଳ , ମନାନ୍ତର , ବାସନ୍ଦ ବିଚାର ହୁଏ ଏବଂ ତୁଟେ ; ନଚେତ ବାସନ୍ଦ ଘରୁ ଠାକୁର ଭୋଗ ଖାଆନ୍ତି ନାହିଁ । ଆଉ କିଛି ସ୍ଥାନରେ ଲଗାଣ କରଜର ବର୍ଷିକିଆ ହିସାବ ବା ଆୟବ୍ୟୟର ସମୀକ୍ଷା ଓ ନୂତନ ହିସାବ ମହାଜନଗଣ ଋଣକ୍ରେତାଙ୍କ ସହିତ କରିଥା'ନ୍ତି । ପୁରାଣ ତଥ୍ୟାନୁସାରେ ଦୋଳ ପୂର୍ଣ୍ଣିମା ବା ହୋଲି ଦିନ ଗୃହେ ମାଆ ଲକ୍ଷ୍ମୀଙ୍କର ବାସ ହୋଇଥାଏ । କିଛି ଅଞ୍ଚଳରେ ଫଗୁ ଖେଳ ସହ ଦହିହାଣ୍ଡି ଭଙ୍ଗା ଖେଳ ଯୁବପୀଢ଼ିଙ୍କ ଦ୍ବାରା ଆୟୋଜିତ ହୋଇଥାଏ ଯାହା ଖୁବ୍ ମଜାଦାର ।
ହୋଲି ସିନା ଭାଇଚାରା ସୃଷ୍ଟି କରେ , ହେଲେ ବେଳେ ବେଳେ ରାସାୟନିକ ଦ୍ରବ୍ଯ ମିଶ୍ରଣରେ ପ୍ରସ୍ତୁତ ରଙ୍ଗ ଅବିର ଶରୀର ପ୍ରତି କ୍ଷତି ପହଞ୍ଚାଇଥାଏ ; ସତର୍କତା ଅବଲମ୍ବନ ଅପରିହାର୍ଯ୍ୟ । ପ୍ରାକୃତିକ ରଙ୍ଗ ଓ ଫଗୁ ବ୍ଯବହାର କରିବା ଶରୀର ପ୍ରତି ଲାଭ ଦାୟକ ; ବିଭିନ୍ନ ରୋଗ ଯଥା ବସନ୍ତ , ହାଡ଼ଫୁଟି , ମିଳିମିଳା ଆଦିରୁ ଉପଶମ କରାଏ । ହୋଲି ଖେଳିବା ବେଳେ ଆଖିର ଯତ୍ନ ଆବଶ୍ଯକ ଏବଂ ଖେଳିବା ଆଗରୁ ଦେହରେ ସ୍କିନ କ୍ରିମ୍ , ନଡ଼ିଆ ତେଲ କିମ୍ବା ମନସ୍କିନ ଲୋଶନ ଲଗାଇବା ଉଚିତ୍ ଦାୟକ । ଏହା ଥିଲା ମୋର ଆଜିର ଯୁବ ସମାଜକୁ ଉପଦେଶ । ପ୍ରଥମେ କେବଳ ଉଦ୍ଭିଦରୁ ହୋଲି ରଙ୍ଗ ପ୍ରସ୍ତୁତ ହିଁ ହେଉଥିଲା । ନିମ୍ବପତ୍ର ଚୂର୍ଣ୍ଣରୁ ସବୁଜ ରଙ୍ଗ , ହଳଦୀଗୁଣ୍ଡରୁ ହଳଦିଆ ରଙ୍ଗ ଓ ଲାଲ୍ ରଙ୍ଗ (ହଳଦୀରେ ଚୂନକୁ ମିଶାଇ ଦେଲେ ଲାଲ୍ ହୋଇଯାଏ) ଏବଂ ଗଛଲତାର ବିଭିନ୍ନାଂଶ କାଟି ତରଳ ରଙ୍ଗ ତିଆରି ହେଉଥିଲା । ଗେଣ୍ଡୁଫୁଲ ପାଖୁଡ଼ା , ପଳାଶ , ଡ଼ାଳିମ୍ବ ଓ ରକ୍ତଚନ୍ଦନ ଆଦିରେ ତରଳ ରଙ୍ଗ ପ୍ରସ୍ତୁତ ହେଉଥିଲା । ନୀଳଗଛରେ ନୀଳ ରଙ୍ଗ ଓ ଅଙ୍ଗାରରୁ କଳା ରଙ୍ଗ ସୃଷ୍ଟି ହେଉଥିଲା । ଆଜିକାଲି ପ୍ରସ୍ତୁତ ରଙ୍ଗ ଖାଦ୍ଯ , ଔଷଧ ଏବଂ କସ୍ମେଟିକ୍ ନିମନ୍ତେ ବ୍ଯବହାର କରାଯାଉଥିବା ରଙ୍ଗ । ଏହାକୁ ଆମେରିକାରେ "ଏଫ୍ଡ଼ି ଆଣ୍ଡ୍ ସି କଲର୍ସ" କହନ୍ତି , ଯେଉଁ ରଙ୍ଗ କଣିକାରେ ମକା ମଣ୍ଡ ବା କର୍ଣ୍ଣଫ୍ଲୋର୍ ମିଶାଇ ଅବିର ତିଆରି ହୁଏ । କିନ୍ତୁ ଆମ ଦେଶରେ ବିଭିନ୍ନ ହାନିକାରକ ରାସାୟନିକ ମିଶାଇ ପ୍ରସ୍ତୁତ କରାଯାଏ ।
କାଳିଦାସଙ୍କ ବିଭିନ୍ନ କାବ୍ଯ କବିତାରେ ବି ହୋଲି ବା ରଙ୍ଗ ଖେଳ ବର୍ଣ୍ଣିତ । ଯାହା ବି ହେଉ , ପବିତ୍ର ଏ ପର୍ବର ଭାଇଚାରା ସମ୍ପର୍କ ସର୍ବଦା ବଜାୟ ରହୁ । ଫଗୁଣର ଫଗୁ ଖେଳ ଗଢ଼ି ତୋଳୁ ଯୁବପୀଢ଼ିଙ୍କ ମଧ୍ଯେ ଐକ୍ୟତା ଭାବ ଏବଂ ଆଧ୍ଯାତ୍ମିକତାର ଗନ୍ଧ ଛୁଟାଇ ଚାଲୁ ।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
୮୯୧୭୪୮୦୫୩୬
Comments
Post a Comment