ମେରୁ ପର୍ବ : ଆମ ସଂସ୍କୃତିର ଅଚ୍ଛେଦ୍ଯ ଅଙ୍ଗ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି 

       ସମ୍ପାଦକ - ଉଦୟ ଭାନୁ 


       ବିଷୁବ ରେଖା ବା ମେରୁ ରେଖା ଉପରେ ସୂର୍ଯ୍ଯ ଅବସ୍ଥାନ କରିବା ଦିବସଟି ମେରୁ ସଂକ୍ରାନ୍ତି ଯାହାକୁ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ନାମରେ ଅଭିହିତ କରାଯାଇଛି । ବର୍ଷର ପ୍ରଥମ ମାସ ମେଷ ମାସର ପ୍ରଥମ ସଂକ୍ରାନ୍ତି ଇଏ ; ମେଷ ସଂକ୍ରାନ୍ତି ବି କୁହାଯାଏ । ପ୍ରବଳ ଖରା ତେଜରେ ଅସ୍ତବ୍ୟସ୍ତ ହୋଇ ଲୋକେ ଜଳର ଚାହିଦା ବୃଦ୍ଧି କରନ୍ତି ; ପଣାପାଣି ପାନରେ ତୃପ୍ତି ଲାଭ କରନ୍ତି । ତେଣୁ ଏହା ପଣା ସଂକ୍ରାନ୍ତି । ନାନା ଫଳମୂଳ , ସାକର-କ୍ଷୀର-ନବାତ-ମୁଖବାସାଦି ସମିଶ୍ରଣରେ ପ୍ରସ୍ତୁତ ପ୍ରପାନକ ଭୋଗ ଲଗାଇ ପ୍ରସାଦ ରୂପରେ ପାଇ ବା ପାନ କରି ତୃଷା ନିବାରଣ କରନ୍ତି । ଏହିଦିନ ହନୁମାନଙ୍କର ଜନ୍ମ ତିଥି ହେତୁ ହନୁମାନ ଆଳୟେ ପ୍ରପାନକ ପୂଜନ ହୁଏ । ଏହିଦିନଟି ଆମର (ଓଡ଼ିଆ ମାନଙ୍କର) ନବବର୍ଷ ଅଟେ । ପ୍ରତ୍ଯେକ ଘରେ ତୁଳସୀ ଚଉରାରେ ଠେକି ବାନ୍ଧି ପଣା ଢ଼ାଳି ବୃନ୍ଦାବତୀଙ୍କୁ ଦିଆଯାଏ । ଏହି ଅବସରରେ ଝାମୁଯାତ୍ରା ବା ମେରୁ ପର୍ବ / କାମନା ଦଣ୍ଡ ଆଦି ଉତ୍ସବ ଅନୁଷ୍ଠିତ ହୁଏ । କେଉଁଠି ୧୩ ଦିନ ତ କେଉଁଠି ୨୧ ଦିନ ଚାଲେ ।


     ଏହି ମେଷ ସଂକ୍ରାନ୍ତି ହିଁ ଦଣ୍ଡ ଉତ୍ସବର ଉଦ୍‌ଯାପନ ଦିବସ । ଅନେକ ଦେବୀ ପୀଠରେ ଏ ସମୟେ ଅନୁଷ୍ଠିତ ହୁଏ ପଟୁଆ ଯାତ୍ରା । ଆଦିବାସୀ ସମ୍ପ୍ରଦାୟରେ ଉଡ଼ା ପରବ୍‌ ଓ ଉତ୍ତର ଓଡ଼ିଶାରେ ଚଡ଼କ ଯାତ୍ରା ଅନୁଷ୍ଠିତ ହୁଏ । ଏହି ଦିବସର ମହାନତା ହିନ୍ଦୁ ଓ ବୌଦ୍ଧ ମାନଙ୍କ ପାଇଁ ସର୍ବାଧିକ । ଏହା ସମ୍ପୂର୍ଣ୍ଣ ଭାରତୀୟ ପର୍ବ ; ଉତ୍ତର ଓ ମଧ୍ଯ ଭାରତରେ ବୈଶାଖୀ , ଆସାମରେ ବିହୁ , ବଙ୍ଗଳାରେ ପୋହେଲା ବୈଶାଖ , ତାମିଲ୍‌ନାଡୁରେ ପୁଥାଣ୍ଡୁ ଆଦି ବିଭିନ୍ନ ନାମରେ ନାମକରଣ ଇଏ । ପୁନରାୟ ବୌଦ୍ଧ ଧର୍ମର ସଂଯୁକ୍ତିରେ ଏହି ଦିବସ ନେପାଳରେ ବିକ୍ରିମ ସମ୍ଭତ , ବର୍ମାରେ ଥିନ୍‌ ଜ୍ଞାନ , ଆଇଲାଣ୍ଡ୍‌ରେ ସଂକ୍ରନ୍‌ , ଶ୍ରୀଲଙ୍କାରେ ଆଲୁଥ ଆଭୁରୁଥୁ ପରି ବିଚିତ୍ର ନାମକରଣ । ଗାଁ ଗହଳିରେ ଝାମୁଯାତ୍ରା ଏ ଦିବସର ଶ୍ରୀ ବୃଦ୍ଧି କରେ । 


      ଝାମୁବ୍ରତର ବ୍ରତଧାରୀଙ୍କୁ "ପାଟୁଆ" କହନ୍ତି ; ପାଟୁଆ ସମସ୍ତ କଣ୍ଟା ବା ନିଆଁରେ ଚାଲନ୍ତି । ଏହି ବ୍ରତ ଉପଲକ୍ଷେ ହେଉଥିବା ଯାତ୍ରାକୁ ଝାମୁଯାତ୍ରା ବା ପାଟୁଆ ଯାତ୍ରା କହନ୍ତି । ନିଆଁ ବା କଣ୍ଟାରେ ଚାଲି ପାଟୁଆମାନେ ଏଇ ଶିକ୍ଷାଟି ଦିଅନ୍ତି ଯେ , ସମାଜରେ ତିଷ୍ଠି ରହିବା ପାଇଁ କଠୋର ତାପ ଏବଂ କଣ୍ଟକିତ ପଥଚାରଣର କଷ୍ଟକୁ ବି ଅସହ୍ଯ ମନେ ନକରି କର୍ତ୍ତବ୍ୟ ପାଳନ ପୂର୍ବକ ଆଗକୁ ଅଗ୍ରସର ହେବା ଉଚିତ । ବିଶେଷାକର୍ଷଣର ମାହୋଲଟି ଦଣ୍ଡନାଚ ଯାହା ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ  ; ଗଞ୍ଜାମ ଜିଲ୍ଲାର ଏକ ଲୋକପର୍ବ । ଗ୍ରାମ୍ଯ ଅଞ୍ଚଳରେ "କାମନା ଦଣ୍ଡ" ନାମରେ ପରିଚିତ ଯାହା ଧର୍ମୀୟ ଧାରଣା ଓ ଈଶ୍ବର ବିଶ୍ବାସ ଉପରେ ପର୍ଯ୍ଯବେଶିତ । 


      ନାଟକ କେବେ ଓ କିଭଳି ସୃଷ୍ଟି ହେଲା ତାହା ଅଦ୍ଯାପି ରହସ୍ଯାବୃତ୍ତ । ଆଧୁନିକ ନାଟକ ସୃଷ୍ଟିର ବହୁ ପୂର୍ବରୁ ଲୋକନାଟକ ସବୁ ସୃଷ୍ଟି ବୋଲି ଅସ୍ବୀକାର୍ଯ୍ଯ ନୁହେଁ । ବେଦ , ଭରତମୁନିଙ୍କ ନାଟ୍ଯଶାସ୍ତ୍ର , ବୌଦ୍ଧ ନିକାୟ , ପାଣିନି , କୃଶାଶ୍ବ ଓ ବିଭିନ୍ନ ପୌରାଣିକ ଗ୍ରନ୍ଥରୁ ଲୋକନାଟକ ସମ୍ବନ୍ଧେ ସଙ୍କେତ ମିଳେ । ଲୋକନାଟକର ଉଦ୍ଦେଶ୍ୟ ଶିକ୍ଷା ପ୍ରଦାନ ଓ ଜନଜୀବନର କାହାଣୀକୁ ବିଶ୍ବସ୍ତ ଭାବେ ଉପସ୍ଥାପିତ କରିବା ଏହାର ଲକ୍ଷ୍ୟ । ତେବେ ଦଣ୍ଡନାଟର ଉତ୍ପତ୍ତି ବିଷୟରେ ପୌରାଣିକ ଉପାଖ୍ୟାନ ଉପରେ ଆଲୋକପାତ କରିବା ଆସନ୍ତୁ । ଦକ୍ଷ ପ୍ରଜାପତି ଥରେ ଯଜ୍ଞାୟୋଜନ କରି ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ ଦେଲେ କିନ୍ତୁ ନିଜର କନ୍ଯା ସତୀ ଓ ଜାମାତା ଶିବଙ୍କୁ ଆମନ୍ତ୍ରଣ ନାହିଁ । ବିନା ନିମନ୍ତ୍ରଣରେ ସତୀ ଯଜ୍ଞସ୍ଥଳରେ ଉପନୀତ ହୋ'ନ୍ତେ ଦକ୍ଷ ତାଙ୍କୁ ଅପମାନିତ କରିବା ସହ ଶିବଙ୍କୁ ଭର୍ତ୍ସନା କଲେ । ସତୀ ଅସହ୍ଯତା ପୂର୍ବକ ଯଜ୍ଞ କୁଣ୍ଡରେ ଝାସ ଦେଲେ ; ଏହି ଖବର ପାଇ ଶିବ କ୍ରୋଧରେ ଦକ୍ଷ ଶିର ଚ୍ଛେଦନ କରିଥିଲେ । ତାଙ୍କ ଉଗ୍ରତା ଶାନ୍ତ୍ଯର୍ଥେ ଦକ୍ଷ ପତ୍ନୀ ପ୍ରସୂତି ଅର୍ଘ୍ଯ ଘେନି ବନ୍ଦାଇବାକୁ ଆସନ୍ତେ ଶିବଙ୍କ ଦିଗମ୍ବର ରୂପ ଦେଖି ଅଭିଶାପ ଦେବାରୁ ଶିବଙ୍କ ଲିଙ୍ଗ ଭୂପତିତ ହେଲା ଏବଂ ଆଦ୍ଯାଶକ୍ତି ଉଭା ହୋଇ ଏହି ଲିଙ୍ଗକୁ ଧାରଣ କଲେ ।ସେହିଦିନ ଠାରୁ ଶିବଶକ୍ତି ଲିଙ୍ଗ ଓ ଘଡ଼ି ରୂପେ ପ୍ରପୂଜ୍ଯ । ବ୍ରହ୍ମାଏହି ଦଣ୍ଡ-ଘଡ଼ି ପୂଜନାର୍ଥେ ଚଢ଼େଇଆକୁ ଦେଲେ । ସେହିଦିନ ଠାରୁ ଦଣ୍ଡନାଚ ଆରମ୍ଭ ହେଲା । କୋଉ ପୁରାଣ କ'ଣ କହେ ଏହା ଉପରେ , ତେବେ ସଠିକ କ'ଣ ବିଜ୍ଞ-ପ୍ରାଜ୍ଞମାନେ ବିଚାର କରିବେ । 


     ଆଉ ଏକ ଉପାଖ୍ୟାନନୁସାରେ ବ୍ରହ୍ମାଙ୍କ ପାଞ୍ଚ ପୁଅ ମରୀଚି , ପୁଲହ , ପୁଲସ୍ତ୍ୟ , କ୍ରତୁ , ଅଙ୍ଗିରା ଏବଂ ଇନ୍ଦ୍ରଙ୍କର ପାଞ୍ଚ ପୁଅ ଜୟନ୍ତ , ପାକଶାସ୍ତ୍ରୀ , ସୁବତ୍ସ , ସୁରସେନ , ଗନ୍ଧର୍ବସେନ ସହିତ କୁବେରଙ୍କ ତିନି ପୁତ୍ର ନଳ , ମଣିଭଦ୍ର ଓ ସୁକୁବେର ସତ୍ଯଯୁଗରେ ଦେବଗୁରୁ ବୃହସ୍ପତିଙ୍କ ଠାରୁ ବିଦ୍ଯା ଶିକ୍ଷା କରି ପ୍ରତ୍ଯାବର୍ତ୍ତୁଥିବା ବେଳେ ପିତୃଙ୍କୁ ଅର୍ଘ୍ଯ ଦାନ କରୁଥିବା କର୍ତୃ ଋଷିଙ୍କୁ ଦେଖି ହସିବାରୁ ଅଭିସମ୍ପାତିତ ହୋଇ କୁଷ୍ଠ ରୋଗାକ୍ରାନ୍ତ ହେଲେ । ମୁକ୍ତି ପ୍ରାପ୍ତ୍ଯର୍ଥେ ସର୍ବେ ଶିବଙ୍କ କୃପା ପ୍ରାର୍ଥୀ ହେଲେ ; ସେବେଳେ ରୁଦ୍ର ସ୍ମରଣରେ ଥିଲେ ଆଦିଶକ୍ତିଙ୍କର । ଏବେଳେମାଆ କାଳୀ ଆବିର୍ଭୁତ ହୋଇ ୧୩ ଦିନ ଯାଏଁ ରୁଦ୍ରକାଳୀ ଦଣ୍ଡ ବ୍ରତ ପାଳନ କରିବାକୁ କହିବାରୁ ଦଣ୍ଡଯାତ୍ରା ଆରମ୍ଭ ହେଲା । ଆଉ ଏକ ଆଖ୍ୟାନ ଅନୁସାରେ ଋଷି ତରଣୀଙ୍କର ୧୪ ଜଣ ଉଦ୍ଧତ ପୁଅ ଅନେକ ଅନ୍ଯାୟ ଅତ୍ଯାଚାର କରୁଥିଲେ । ତାଙ୍କ ମଧ୍ଯୁ ଜଣେ ଅଭକ୍ଷ ଭକ୍ଷି ମୃତ୍ଯୁ ହେଲେ ଓ ଅନ୍ଯ ମାନଙ୍କୁ ବ୍ରହ୍ମାଙ୍କ ଅଭିଶାପରେ ଉଇହୁଙ୍କା ହେବାକୁ ହେଲା । ତନ୍ମଧ୍ୟରୁ ଜଣେ ଶିବଙ୍କ ଶରଣାପନ୍ନ ହୋଇ ଦଣ୍ଡ ପାଳନ ପୂର୍ବକ ବ୍ରହ୍ମାଙ୍କୁ ତୁଷ୍ଟ କରିବାରୁ ତେର ଭାଇ ଶାପରୁ ମୁକ୍ତ ହେଲେ । ଏହି ତେର ଋଷିପୁତ୍ରଙ୍କୁ ନେଇ ତେ ଦଣ୍ଡନାଟର ଆରମ୍ଭ ବୋଲି କଥିତ ଅଛି ।


      ଆଉ ଏକ ଆଖ୍ୟାନକୁ ଦେଖନ୍ତୁ ତ ଅଷ୍ଟବକ୍ର ଋଷିଙ୍କ କୁରୂପ ଦର୍ଶନେ ବୃହସ୍ପତି , ଇନ୍ଦ୍ର , କୁବେରଙ୍କର ତେର ପୁତ୍ର ପରିହାସ କରିବାରୁ ଋଷି ଶାପ୍ଯରେ ସେମାନେ ଚଢ଼େଇଆ ଶବର ଭାବେ ପୃଥ୍ବୀରେ ଜନ୍ମ ହେଲେ । ଥରେ ନିଷିଦ୍ଧ ଇଲାକାରେ ପକ୍ଷୀ ଶୀକାର କରିବାରୁ ପକ୍ଷୀମାନେ ନିଜ ଦୁଃଖ ଗରୁଡ଼ଙ୍କୁ ଜଣାଇଲେ । ଫଳତଃ ଗରୁଡ଼ଙ୍କ ଆଦେଶରେ ଶିବଙ୍କର ସର୍ପ ଦଂଶନ କରି ମାରିଦେଲେ । ସେମାନଙ୍କ ଭାର୍ଯ୍ୟା ମା' କାଳୀଙ୍କୁ ପ୍ରାର୍ଥନା କରିବାରୁ ସେ ତେରଜଣ ଚଢ଼େଇଆଙ୍କୁ ପୁନର୍ଜୀବୀତ କଲେ । ଏ ମହିମା ପ୍ରଚାରାର୍ଥେ ୧୩ ଜଣ ଦଣ୍ଡୁଆ ଦଣ୍ଡକାଳୀ ବ୍ରତ ଧାରଣ କରିବାର କିମ୍ବଦନ୍ତୀ ଅଛି ।


        ଦଣ୍ଡନାଟରେ ପ୍ରଭା , ନାଗ , ଫାସ , ଦଣ୍ଡ , ଗୌରୀବେତ , ମୟୂରଚନ୍ଦ୍ରିକା , ଚମ୍ପାବର , ଗୁଆ , କଷାୟବସ୍ତୁ , ପତାକା ଆଉ ବେତ ନିତାନ୍ତ ଆବଶ୍ୟକ । ବିଶ୍ବସ ଯେ , ଗୌରୀବେତରେ ସ୍ବୟଂ ଶିବଙ୍କ ଅବସ୍ଥାନ । ଏ ବ୍ରତ ମେଷ ସଂକ୍ରାନ୍ତିରେ ଉଦ୍‌ଯାପନ ହୁଏ । ଏହାର ଉପାସନାର ମୂଳ ହେଲେ ଭଗବାନ ଶିବ ଏବଂ ମାଆ କାଳୀ । କଟକ ଜିଲ୍ଲାରେ ଦଣ୍ଡନାଟ "ପାଟୁଆ" ନାମରେ ଜଣା ; ଏହା ବି ଅଗ୍ନି ପାଟୁଆ , କଣ୍ଟା ପାଟୁଆ  , ଖଣ୍ଡା ପାଟୁଆ  , ଝୁଲା ପାଟୁଆ , ଫୋଡ଼ ପାଟୁଆ ଆଦି ନାମରେ ଜଣା । କିନ୍ତୁ ଢ଼େଙ୍କାନାଳର ଦଣ୍ଡନାଟ ପାଳନ ଭିନ୍ନ ; ଏହା ଶୈବ ଧର୍ମରୁ ଉତ୍ପତ୍ତି । କଠୋର ନିୟମରେ ଥାଇ ଶିବ-ପାର୍ବତୀଙ୍କ କଥା ପ୍ରଚାର ଏ ନାଟର ଲକ୍ଷ୍ଯ ; ଏହା ସାଧାରଣତଃ ମାନସିକ ପୂରଣ ପାଇଁ କରାଯାଏ । ଶିବ ପୁରାଣରେ ଏହାର ସୃଷ୍ଟି ସମ୍ବନ୍ଧେ ବର୍ଣ୍ଣିତ । ଦଣ୍ଡନାଟଟି ତିନି ଭାଗରେ ଯଥା ଧୂଳିଦଣ୍ଡ , ପାଣିଦଣ୍ଡ , ରାତ୍ରଦଣ୍ଡ ବା ଅଗ୍ନିଦଣ୍ଡ ନାମରେ ବିଭକ୍ତ । ରୋଗବୈରାଗ ନିବାରଣ , ପାରିବାରିକ କଷ୍ଟ ଦୂରୀକରଣ , କୃଷିର ଉନ୍ନତି ବା ମନୋକାମନା ପୂର୍ତ୍ତିର ଫଳ ସ୍ୱରୂପ ଶରୀରକୁ କଷ୍ଟ ଦେଇ ୧୩ , ୧୮ ବା ୨୧ ଦିନ ଯାଏଁ ମାଆ ଦଣ୍ଡକାଳୀ ଓ ଶିବଙ୍କୁ ଧ୍ଯାନ କରି ଚୈତ୍ର ପୂର୍ଣ୍ଣମୀଠୁ ଭକ୍ତମାନେ ବ୍ରତ ଧାରଣ କରନ୍ତି ଗଞ୍ଜାମ ଜିଲ୍ଲାରେ ।


       ଗଞ୍ଜାମରେ ପ୍ରାୟ ତିନି ଶହରୁ ଉର୍ଦ୍ଧ୍ବ ଦଣ୍ଡ ଦଳ ମାନସିକଧାରୀ ଭକ୍ତଙ୍କ ଗୃହ ସମ୍ମୁଖରେ ନୃତ୍ଯ ପ୍ରଦର୍ଶନ କରିଥା'ନ୍ତି । ଜଣାଯାଏ ଘୁମୁସର ଅଞ୍ଚଳର କୁଲଗଡ଼ରୁ ପ୍ରାରମ୍ଭ ଦଣ୍ଡନାଟ ପରବର୍ତ୍ତୀ ସମୟରେ ଗଞ୍ଜାମର ଅନ୍ଯାନ୍ଯଞ୍ଚଳ ବିଶେଷ କରି ଶକ୍ତିପୀଠ ଗୁଡ଼ିକୁ ବ୍ଯାପିଛି । ବଣୀକାର ଏହି ଗୀତଟି ଗାନ କରି ଦଣ୍ଡନାଟର ପ୍ରାରମ୍ଭ କରେ :- 

"ହେ ଋଷିପୁତ୍ରେ !

ଅଇଲେ ହର , ଦେଇଗଲେ ବର

ଅନ୍ଯ ସେବା ଛାଡ଼ି ଏ ସେବା କର

ଏ ସେବା କଲେ କି ଫଳ ପାଏ

ଉଷୁନା ଧାନ ଗଜା ହୁଏ

ଶୁଖିଲା କାଠ କଞ୍ଚା ହୁଏ

ଭଜା ମୁଗ ଗଜା ହୁଏ 

ଅପୁତ୍ରିକ ପୁତ୍ର ପାଏ

ଅନ୍ଧ ଚକ୍ଷୁଦାନ ପାଏ

ଜରାରୋଗ ଭଲ ହୁଏ ।"


        ଦିନ ଦ୍ବିପ୍ରହରେ ଧୂଳିଦଣ୍ଡ ପରିବେଷଣରେ କ୍ଷେତ୍ର ପ୍ରସ୍ତୁତି , ହଳ ଚାଳନା , ଧାନ ରୋପଣ , ବଛାବଛି , ଅମଳ , ଭୂମି ପୂଜା , ମନ୍ଦିର ନିର୍ମାଣ , ଲୁଗା ବୁଣା , ହଳଦୀ ବଟା , କୂପ ଖନନ ଆଦି ପ୍ରଦର୍ଶନ ସ୍ବରୂପ ଜଣେ କୃଷକ ପରିବାରର ନିଛକ କାହାଣୀକୁ ହସମଜାରେ ପ୍ରଚଣ୍ଡ ଖରାତାତିରେ ବର୍ଣ୍ଣନା କରାଯାଏ । ଧୂଳିଦଣ୍ଡ ପରେ ପୋଖରୀ ବା ନଦୀରେ ପାଣିଦଣ୍ଡ ଆରମ୍ଭ ହୁଏ । ଛଅ ଆଙ୍ଗୁଳି ଲମ୍ବର ଆମ୍ବ କାଠିରେ ଦାନ୍ତ ଘଷି ସ୍ନାନାନ୍ତେ ତେର ଥର ବୁଡ଼ି ତେର ଅଞ୍ଜୁଳି ପାଣି ଆଣି ଦଣ୍ଡୁଆ ମାନଙ୍କ ଦ୍ୱାରା ଶିବଲିଙ୍ଗ ସ୍ଥାପନ ହୁଏ ଓ ନାନା ଔପଚାରେ ଅର୍ଚ୍ଚନା ହୁଏ । ପଣା ଓ ଲିଆଖଇର ପ୍ରସାଦ ପାଇ ଦଣ୍ଡୁଆମାନେ କିଛି ସମୟ ବିଶ୍ରାମ ନିଅନ୍ତି  । ସନ୍ଧ୍ୟାରେ ଆଳତୀ କରି ସ୍ବ ଅପ୍ରାଧ କ୍ଷମା ପାଇଁ ପ୍ରାର୍ଥନା କରନ୍ତି । ଲୋକ ବିଶ୍ବାସନୁସାରେ ଦଣ୍ଡୁଆଙ୍କ ଦେହରେ ମାଆ କାଳୀ ବିରାଜନ୍ତି । ଅରୁଆ ଚାଉଳ , ମୁଗଡ଼ାଲି , ପରିବା ମିଶ୍ରିତ ଅକଟା - ଅଫୁଟା ହବିଷ୍ଯାନ୍ନ ପ୍ରସ୍ତୁତ କରି କାଳୀଙ୍କୁ ଭୋଗ ଲଗାଇ ମଧ୍ୟରାତ୍ରେ ଦଣ୍ଡୁଆମାନେ ଢ଼ୋଲ , ଝାଞ୍ଜ ବଜାଇ ଭୋଜନ କରନ୍ତି । ଏହା ପରେ ଅଗ୍ନିଦଣ୍ଡ ହୁଏ । ଝୁଣା ଖେଳି ଖେଳି ଦଣ୍ଡଦଳ ମାନସିକଧାରୀଙ୍କ ଘରକୁ ଆସନ୍ତି । ସ୍ବପ୍ନ ଆଦେଶ ପ୍ରାପ୍ତ ଦଣ୍ଡୁଆମାନେ ମୁଣ୍ଡରେ କଳାକନା ବାନ୍ଧି , ରକ୍ତ ସିନ୍ଦୂର ଚିତା ପିନ୍ଧି କାଳୀପ୍ରଭା ଧାରଣ କରିଥା'ନ୍ତି । ଢ଼ୋଲର ତାଳେ ତାଳେ ଝୁଣା ନିଆଁର ପ୍ରୟୋଗରେ ଦଣ୍ଡୁଆଙ୍କ ଦେହରେ କାଳିକା ପ୍ରସନ୍ନ ହୁଅନ୍ତି । ଏ ଅଗ୍ନିଦଣ୍ଡ ଫଳରେ ସେ ଚେତାଶୂନ୍ଯ ହୋଇ ସାଷ୍ଟାଙ୍ଗ ପ୍ରଣିପାତ କଲା ପରେ ଚେତା ଫେରିଲା ପରେ ଆରମ୍ଭ ହୁଏ ଦଣ୍ଡ ସୁଆଙ୍ଗ ଯାହାକୁ କହନ୍ତି କି ଚଢ଼େଇଆ ନାଚ । ଏଥିରେ ଚଢ଼େଇଆ , ଚଢ଼େଇଆଣୀ , ଦକ୍ଷିଣକାଳୀ , ଡୁବଡୁବା , ଗଉଡ଼ , ଗଉଡୁଣୀ , ଚହଟା ଦିଅର , ସାପୁଆ , ସିପାହୀ  , ଢୋଲିଆ, ଉଲ , ବୀଣାକାର  , ଜଗାଳି , ରାଜଗୁଣିଙ୍କ ଚରିତ୍ର ମାଧ୍ଯମେ ହାସ୍ୟରସ ସହିତ ବହୁ ଉପଦେଶ ସମାଜକୁ ପ୍ରଦାନ କରାଯାଏ । ଦଣ୍ଡ ସୁଆଙ୍ଗ ଲେଖକ ମାନଙ୍କ ମଧ୍ୟେ ରଙ୍ଗୁଣିବନ୍ଧ ସାହିର ସନ୍ନ୍ୟାସୀ ନାୟକ , ମଣ୍ଡମରେଇର ଦଣ୍ଡପାଣି ଜେନା , ବାସୁଦେବପୁରର ଅନ୍ତର୍ଯ୍ଯାମୀ ଦାସ ପ୍ରସିଦ୍ଧ । 


     ବିଷୁବ ସଂକ୍ରାନ୍ତି ଦିନ ଉଦ୍‌ଯାପନ ଦିବସରେ ଦଣ୍ଡଦଳ କାମନା ମନ୍ଦିର ପାଖେ ରୁଣ୍ଡ ହୋଇ ମେରୁ ଯାତ୍ରାୟୋଜନ କରନ୍ତି । ମେରୁକୁଣ୍ଡର ଦୁଇ ପାଖରେ ଦୁଇଟି ବେଲ ଖୁଣ୍ଟ ପୋତାଯାଇ ଉଭୟକୁ ଏକ କାଠ ଦ୍ବାରା ସଂଯୁକ୍ତ କରାଯାଏ । ମୁଖ୍ଯ ଦଣ୍ଡୁଆ ସ୍ନାନ ସାରି ଓଦା ବସ୍ତ୍ରରେ ପ୍ରଭୁ ଦର୍ଶନ କଲା ପରେ ତାଙ୍କ ଦେହରେ କାଳୀ ଲାଗନ୍ତି ଏବଂ କେତେକ ଲୋକ ମିଶି ତାଙ୍କୁ ନିୟନ୍ତ୍ରଣ କରନ୍ତି । ଏହାପରେ ତାଙ୍କୁ ସେହି କାଠରେ ଓଲଟା ଲଟକାଇ ଦିଆଯାଏ ; ତଳେ ଝୁଣା ଧୂଆଁର ଝାସରେ ତାଙ୍କ ନାକରୁ ତିନି ଟୋପା ରକ୍ତ ପଡ଼ିବା ପରେ ସେ ଅଚେତାବସ୍ଥାରେ ଝୁଲି ରହନ୍ତି । ତାଙ୍କୁ ନିକଟସ୍ଥ ଜଳାଶୟକୁ ନେଇ ଚେତା ଫେରାଇ ଆଣିବା ପରେ ଦଣ୍ଡନାଟ ସମାପ୍ତି ହୁଏ । ଏହି ପର୍ବର ଦଣ୍ଡୁଆ ମାନଙ୍କୁ କେହି କେହି ବି ଭୋକ୍ତା କହନ୍ତି । ଏହି ଦଣ୍ଡନାଟର ଉଦ୍‌ଯାପନକୁ କହନ୍ତି ମେରୁ ପୂଜା ।


     ଏହା ଏକ ଏମିତି ପର୍ବ ଯାହା ସୃଷ୍ଟି କରେ ଈଶ୍ବର ବିଶ୍ବାସ ଏବଂ ବଢ଼ାଏ ଧାର୍ମିକ ମନୋଭାବ । ଏଥିରୁ ଶିକ୍ଷା ମିଳେ - କଷ୍ଟ କଲେ କୃଷ୍ଣ ପ୍ରାପ୍ତି , ସଂସାରର ବନ୍ଧୁର ଶିଳା ପୂର୍ଣ୍ଣ ସରଣୀ ପାର ହେବାକୁ ସେତିକି ନିଷ୍ଠା , ସାଧନା ଆବଶ୍ୟକ । ଉତ୍କଳର ଏ ନିଆରା ପର୍ବ ବା ଲୋକନାଟ୍ୟ ସତରେ ସମାଜର ଶୁଭଚିନ୍ତକ ।


ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 

              ୮୯୧୭୪୮୦୫୩୬

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା