ମାଆ ସରସ୍ୱତୀ


                     କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

                          ସମ୍ପାଦକ - ଉଦୟ ଭାନୁ 


       ପ୍ରତିବର୍ଷ ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳିତ ହୁଏ ସରସ୍ୱତୀ ପୂଜା ; ବିଦ୍ଯା ପ୍ରାପ୍ତ୍ଯର୍ଥେ ବିଦ୍ଯାର୍ଥୀ ମାନଙ୍କ ଦ୍ବାରା ଶିକ୍ଷାଳୟରେ ଧୂମ୍‌ଧାମ୍‌ରେ ପାଳନ କରାଯାଏ । ଅତି ସୁନ୍ଦର ସାଜସଜ୍ଜାର ଦିବ୍ଯ ଆସନ ଆରୁଢ଼ା ହୋଇ ମାଆ ସରସ୍ୱତୀ ଅର୍ଚ୍ଚିତା ହୁଅନ୍ତି । ପୂଜାନ୍ତେ ପୁଷ୍ପାଞ୍ଜଳି ଜ୍ଞାପନ ପରେ ଉପବାସ କରିଥିବା ବିଦ୍ଯାର୍ଥୀମାନେ ଭୋଜନ ଗ୍ରହଣ କରିଥା'ନ୍ତି । ଦେବୀଙ୍କର ଆଶୀର୍ବାଦ ପ୍ରାପ୍ତ୍ଯର୍ଥେ ସମସ୍ତ ବିଦ୍ୟାର୍ଥୀ ସେମାନଙ୍କର ପାଠ୍ଯ ପୁସ୍ତକ , କଲମ ଆଦିକୁ ଦେବୀଙ୍କୁ ସମର୍ପଣ କରିଥା'ନ୍ତି । ଏହାର ଅନ୍ଯ ନାମ "ଶ୍ରୀପଞ୍ଚମୀ" ବା "ବସନ୍ତ ପଞ୍ଚମୀ" ନାମରେ ନାମିତ । ଋତୁରାଜ ବସନ୍ତ ମୃଦୁମନ୍ଦ ମଳୟରେ ପୁଷ୍ଯ ସୁରଭି ଭରି ସ୍ବାଗତ କରେ ମାଆ ସରସ୍ୱତୀଙ୍କୁ ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ।


       ବିଶ୍ବାସ ଅନୁସାରେ ଜ୍ଞାନ ଓ ସଙ୍ଗୀତର ଦେବୀ ମାଆ ସରସ୍ୱତୀ ଏହି ଦିନ ଦେଖା ଦେଇଥିଲେ ଓ ବୀଣାକୁ ବିଦ୍ଧ କରି ତାଙ୍କ ଜୀବନକୁ ଏହି ଦୁର୍ବଳ ଦୁନିଆରେ ରଖିବା ସହିତ ସମଗ୍ର ସୃଷ୍ଟିରେ ଜୀବନ ଦାନ କରିଥିଲେ । ତାଙ୍କ ପୂଜା ସମୟରେ ମା'ଙ୍କୁ ହଳଦୀ ରଙ୍ଗର ସାମଗ୍ରୀକୁ ପ୍ରଦାନ କରାଯାଇଥାଏ । ପୁରାଣ ସଂଗୃହିତ କଥା ମୁତାବକ ଯେବେ ବ୍ରହ୍ମା ସମଗ୍ର ବିଶ୍ୱ ଭ୍ରମଣରେ ବାହାରି ଥିଲେ ସେବେ ସେ ଦେଖିଥିଲେ ସମଗ୍ର ବିଶ୍ୱ ଉଦାସୀନତାକୁ ; ଏହା ଦେଖି ସେ ବିଷ୍ଣୁଙ୍କ ନିକଟରେ ଉପନୀତ ହେଲେ । ବ୍ରହ୍ମାଙ୍କ ମୁଖରୁ ବିଷ୍ଣୁ ସମସ୍ତ କଥା ଶୁଣି ତାଙ୍କୁ ସେ ସରସ୍ୱତୀଙ୍କ ନିକଟକୁ ଯିବାକୁ ପରାମର୍ଶ ଦେଇ କହିଲେ କି ସେ ହିଁ ଆପଣଙ୍କ ସମସ୍ଯାର ସମାଧାନ କାରିଣୀ । ଏହାପରେ ବ୍ରହ୍ମା ନିଜ କମଣ୍ଡଳୁର ପାଣି ପୃଥ୍ୱୀ ପୃଷ୍ଠକୁ ଛିଞ୍ଚାଡ଼ିଥିଲେ । ଏହି ଜଳକଣା ପୃଥିବୀ ପୃଷ୍ଠରେ ପଡ଼ିବା ପରେ ବୀଣା , ପୁସ୍ତକ , ମାଳା ଧାରଣ ସହିତ ଅଭୟ ମୁଦ୍ରା ପ୍ରଦର୍ଶନ କରି ଜଣେ ଶକ୍ତି ଉଭା ହେଲେ । ବ୍ରହ୍ମା ବୀଣାର ତାରକୁ ଛୁଇଁବା ମାତ୍ରେ ସମଗ୍ର ବିଶ୍ୱରେ ଆନନ୍ଦ ଲହରୀ ବିଛୁରିତ ହେଲା ଓ ସମସ୍ତ ଜୀବଜଗତ ସକ୍ରିୟ ହୋଇ ଉଠିଲେ । ଏହା ଥିଲା ବସନ୍ତ ପଞ୍ଚମୀ ଦିନର ଘଟଣା , ସେବେଠୁ ଏହିଦିନ ହିଁ ପାଳନ ହେଉଛି ମାଆ ସରସ୍ୱତୀଙ୍କ ପୂଜା ।


       ଟିକେ ଧାର୍ମିକ ଦୃଷ୍ଟିକୋଣ ଦର୍ଶନ କରନ୍ତୁ ; ହଳଦିଆ ରଙ୍ଗ ଶୁଭ , ଶୁଦ୍ଧ ଓ ସାତ୍ତ୍ୱିକର ରଙ୍ଗ । ଏହା ସରଳତା ଓ ନିର୍ମଳତାର ପ୍ରତୀକ ବୋଲି ବି କହନ୍ତି ; ଏହା ସରସ୍ୱତୀଙ୍କ ପ୍ରିୟ ଅଟେ । ବ୍ରହ୍ମାଣ୍ଡ ସୃଷ୍ଟି ବେଳେ ନାଲି , ହଳଦୀ , ନୀଳ ରଙ୍ଗ ବି ସୃଷ୍ଟି ହୋଇଥିଲା ଏବଂ ସର୍ବପ୍ରଥମେ ହଳଦିଆ ରଙ୍ଗ ଦୃଶ୍ଯମାନ ହୋଇଥିଲା  । ସେ ସମୟେ ବସନ୍ତ ଋତୁ ଚଳମାନ ଥିଲା ; ତେଣୁ ବସନ୍ତ ଋତୁରାଜ ହେଲା । କେତେକଙ୍କ ମତରେ ସରସ୍ୱତୀ ବ୍ରହ୍ମାଙ୍କ ମୁଖରୁ ଜାତ । ସେ ବ୍ରହ୍ମାଙ୍କ କନ୍ଯା ବୋଲି ପୁରାଣ କହେ । ସେଇ ପୁରାଣ ପୁଣି କହେ ସେ ବ୍ରହ୍ମାଙ୍କ ପତ୍ନୀ । "ବ୍ରହ୍ମାଣ୍ଡ ପୁରାଣ" ଅନୁସାରେ ସୃଷ୍ଟି ଆରମ୍ଭରେ ବ୍ରହ୍ମା ଧ୍ଯାନସ୍ଥ ବେଳେ ତାଙ୍କ ଭିତରେ ସତ୍ତ୍ୱ ଗୁଣର ବିକାଶ ଘଟିବାରୁ ତାଙ୍କ ଠାରୁ ଦୁଗ୍ଧ ପରି ଶ୍ବେତବର୍ଣ୍ଣର ଏକ କନ୍ଯା ଜାତ ହେଲେ । ଅତି ରୂପବତୀ କନ୍ଯାଙ୍କୁ ଦେଖି ବ୍ରହ୍ମା ତାଙ୍କର ପରିଚୟ ପଚାରିଲେ । କନ୍ଯା କହିଲେ -"ମୁଁ ଆପଣଙ୍କଠୁ ଜାତ , ତେଣୁ ଆପଣ ମୋର ନାମ-ପରିଚୟ ସ୍ଥିରୀକୃତ କରନ୍ତୁ ।" ବ୍ରହ୍ମା ତାଙ୍କ ନାମ "ସରସ୍ୱତୀ" ଦେବା ସହ ସେ ପ୍ରତ୍ଯେକଙ୍କ ଜିହ୍ୱାର ଅଗ୍ରଭାଗରେ "ବାକ୍‌" ନାମରେ ଅବସ୍ଥାନ କରିବେ ବୋଲି କହିଲେ ଏବଂ ସେ "ବାଗ୍‌ଦେବୀ" ରୂପେ ବିଦିତା ହୁଅନ୍ତୁ ବୋଲି ଭାଷିଲେ । ପରିଶେଷରେ କହିଲେ - "ବିଶେଷ କରି ବିଦ୍ବାନ ମାନେ ତୁମକୁ ଆଦର-ଭକ୍ତିରେ ପୂଜା କରିବେ ।" ବର୍ଣ୍ଣନା ବିଶେଷରେ ତାଙ୍କୁ ମଧ୍ଯ "ବାକ୍ଯଦେବୀ" ବୋଲି କୁହାଯାଏ । ସରସ୍ୱତୀ ବୁଦ୍ଧି , ଐଶ୍ବର୍ଯ୍ଯ , ଧର୍ମ - ଅର୍ଥ ଆଦି ପୁରୁଷାର୍ଥ , ଅଣିମା ଓ ଲଘିମା ଆଦି ସିଦ୍ଧି , ସୌନ୍ଦର୍ଯ୍ୟ ଓ ମଙ୍ଗଳକୁ ବୁଝାଏ । "ଶ୍ରୀ"ର ଅର୍ଥ ଲକ୍ଷ୍ମୀ (ଅନ୍ଯର୍ଥରେ "ସୁନ୍ଦର") ; ସରସ୍ୱତୀ ବି ରୂପବତୀ । ତେଣୁ ତାଙ୍କ ଅର୍ଚ୍ଚନା ଦିବସ "ଶ୍ରୀପଞ୍ଚମୀ"ର ଯଥାର୍ଥତା ଅଛି । 


       ଥରେ ଭାର୍ଗବ ଓ ହେହୟଙ୍କ ମଧ୍ଯେ ଦ୍ବନ୍ଦ ହୋଇ ପ୍ରବଳ ଯୁଦ୍ଧ ହେବାରୁ ସେଥିରୁ ବାଡ଼ବାଗ୍ନି ନାମକ ଅଗ୍ନି ଜାତ ହେଲେ , ଯାହା ଥିଲେ ସର୍ବଭକ୍ଷ । ତାଙ୍କ ଜ୍ବାଳାରେ ସାରା ପୃଥ୍ବୀ ବିଧ୍ୱଂସ ହୋଇଯାଇଥା'ନ୍ତା ; ବ୍ରହ୍ମାଙ୍କ ବଚନ ଅନୁସାରେ ମାଆ ସରସ୍ୱତୀ ନଦୀ ରୂପେ ପ୍ରବାହିତ ହୋଇ ବାଡ଼ବାଗ୍ନିକୁ ପଶ୍ଚିମ ସମୁଦ୍ରକୁ ବୋହି ନେଇଥିଲେ । ସରସ୍ୱତୀ ନଦୀ ପ୍ରବାହିତର ପ୍ରତ୍ଯେକ ପଥରେ ଏକ ଏକ ତୀର୍ଥ ସୃଷ୍ଟି ହୋଇଥିଲା । ତେଣୁ ସେ ନଦୀ ରୂପରେ ବି ଆବିର୍ଭୁତା ଅଟନ୍ତି ।


      ମାଆ ସରସ୍ୱତୀ ଶ୍ବେତ ପଦ୍ମାସୀନା ଓ ହଂସବାହନୀ ; ସେ ରହସ୍ୟୋପନିଷଦ , ପ୍ରପଞ୍ଚସାର ଓ ଶାରଦା ତିଳକ ଆଦି ଗ୍ରନ୍ଥରେ ପ୍ରସିଦ୍ଧିଲାଭ କରିଛନ୍ତି । ଚରିତ ଗ୍ରନ୍ଥ ଯୋଗୀ ବଶିଷ୍ଠ , ଦେବୀ ଭାଗବତ , ବ୍ରହ୍ମବୈବର୍ତ୍ତ ପୁରାଣ , ବୃହତ ଧର୍ମ ପୁରାଣ ଆଦିରେ ଏହାଙ୍କର ଉପାସନା ପରିଲକ୍ଷିତ ଏବଂ ବାଲ୍ମିକୀ , ବିଶ୍ବାମିତ୍ର , ବ୍ଯାସ , ବଶିଷ୍ଠ , ଶୌନକ ଆଦି ଅନେକ ଉପାସକ ବି ପୁରାଣରେ ଅଛନ୍ତି । ସରସ୍ୱତୀଙ୍କ କୃପାରୁ ବିଶ୍ବାମିତ୍ର ଶାସ୍ତ୍ର ଜ୍ଞାନ ପ୍ରାପ୍ତ କଲେ ଏବଂ ମାଆ ସ୍ବୟଂ ତାଙ୍କୁ ଗାୟତ୍ରୀ ମନ୍ତ୍ରରେ ଋଷିତ୍ବ ପ୍ରଦାନ କଲେ । ସେ ପ୍ରଭାଯୁକ୍ତ ହେତୁ ତାଙ୍କର ଅନ୍ଯ ନାମ "ସୁପ୍ରଭା" । ସେ ହାର - ଚନ୍ଦ୍ରମା ଆଦିରେ ବିଭୂଷିତା । ମହାକବି କାଳିଦାସ ସରସ୍ୱତୀ ଆରାଧନା କରି ବିଶାଳ ପାଣ୍ଡିତ୍ୟର ଅଧିକାରୀ ହୋଇଥିଲେ । ତାଙ୍କ ରଚିତ ସରସ୍ୱତୀ ବନ୍ଦନା ପ୍ରତ୍ଯେକ ବିଦ୍ଯାର୍ଥୀ ମାନେ ଗାନ କରନ୍ତି :-

         "ଅଇଲେ ମା' ସରସ୍ୱତୀ ନିର୍ମଳ ବର୍ଣ୍ଣେ

          ରତ୍ନ ବିଭୂଷିତ କୁଣ୍ଡଳ କର୍ଣ୍ଣେ

          ଗଳାରେ ଗଜମୋତି ମୁକୁତାର ହାର

          ଦିଅ ମା' ସରସ୍ୱତୀ ବିଦ୍ଯାଭଣ୍ଡାର ।"


      ସରସ୍ୱତୀଙ୍କ ରୂପ ବର୍ଣ୍ଣନା ପୂର୍ବକ ସଂସ୍କୃତ ଧ୍ଯାନ ମନ୍ତ୍ର ଯାହା ବ୍ରାହ୍ମଣ ମାନଙ୍କ ଦ୍ୱାରା ଅର୍ଚ୍ଚନା ବେଳେ ପଠନ କରାଯାଏ , ତାହା ହେଲା :-

 "ଯା କୁନ୍ଦେନ୍ଦୁ ତୁଷାରହାର ଧବଳା ଯା ଶ୍ବେତ ପଦ୍ମାସନା 

   ଯା ବୀଣା ବରଦଣ୍ଡ ମଣ୍ଡିତକରା , ଯା ଶୁଭ୍ର ବସ୍ତ୍ରାବୃତା

  ଯା ବ୍ରହ୍ମାଚ୍ଯୁତ ଶଙ୍କର ପ୍ରଭୃତିଭି ମୁନିଭିଃ ସଦା ବନ୍ଦିତା

  ସା ମାଂ ପାତୁ ସରସ୍ୱତୀ ଭଗବତୀ ନିଃଶେଷ ଜାଡ଼୍ଯାପହା ।"


     

         ପଶ୍ଚିମ ଓ ମଧ୍ଯ ଭାରତରେ ଜୈନ ଓ ବୌଦ୍ଧ ଧର୍ମ ଅବଲମ୍ବୀମାନେ ବି ସରସ୍ୱତୀ ପୂଜା କରିଥା'ନ୍ତି । ଓଡ଼ିଆ ଭାଷାରେ ତାଙ୍କୁ "ବାଣୀ" କୁହାଯାଏ ଏବଂ ସେ ଉପାସକ ମାନଙ୍କୁ ବରଦାନ କରୁଥିବାରୁ ତାଙ୍କୁ "ବରଦା" ମଧ୍ଯ କହନ୍ତି । "ସରସ୍ୱତୀ" ଏହାର ମୂଳାର୍ଥ ହେଉଛି ସ୍ବତଃ+ବତୀ ; ଅର୍ଥାତ୍ ପ୍ରସରଣ ଯାହାଙ୍କର ଅଛି । ଅଜ୍ଞାନାନ୍ଧକାର ଦୂରୀଭୂତ କରି ଜ୍ଞାନାଲୋକ ଦର୍ଶନ କରାଉଥିବା ଦେବୀ "ସରସ୍ୱତୀ"। ଏ ଶବ୍ଦ ସରସ (ଗତି , ପ୍ରବାହ) ଓ ବତୀ (ଅଛି , ମାନା) ଶବ୍ଦରୁ ଆନୀତ ; ଅର୍ଥ :- ଗତିଶୀଳା ଯାହା ପ୍ରଗତିର ସୂଚକ । କିଛି ପୁରାଣ କହେ ସେ ଯୋଗମାୟା ଆଦ୍ଯାଶକ୍ତିଙ୍କ କଣ୍ଠରୁ ଉତ୍ପନ୍ନା ହୋଇ ମହାସରସ୍ୱତୀ ରୂପେ ବିଦିତ । ପୁରାଣ କହେ - ସରସ୍ୱତୀ ନିଷ୍କାମ , କାମନାହୀନ ; କିନ୍ତୁ ବ୍ରହ୍ମା ତାଙ୍କ ରୂପଲାବଣ୍ଯରେ ମୋହିତ ହୋଇ ତାଙ୍କୁ ଇଚ୍ଛା କରିବାରୁ ବ୍ରହ୍ମାଙ୍କ ମରୀଚି ଆଦି ସୁତଗଣ ବ୍ରହ୍ମାଙ୍କୁ ନିନ୍ଦା କରିବାରୁ ସରସ୍ୱତୀ ଶରୀର ତ୍ଯାଗ କଲେ । "ବ୍ରହ୍ମବୈବର୍ତ୍ତ ପୁରାଣ" କହେ - ସୃଷ୍ଟିକାଳେ ଈଶ୍ବରଙ୍କ ଇଚ୍ଛାରୁ ଆଦ୍ଯାଶକ୍ତି ନିଜକୁ ପାଞ୍ଚ ଭାଗରେ ବିଭକ୍ତ କରି ନେଇଥିଲେ । ସେ ରାଧା , ପଦ୍ମା , ସାବିତ୍ରୀ , ଦୁର୍ଗା ଓ ସରସ୍ୱତୀ ରୂପରେ କୃଷ୍ଣଙ୍କ ବିଭିନ୍ନ ଅଙ୍ଗରୁ ସୃଷ୍ଟି ହୋଇଥିଲେ ଓ କୃଷ୍ଣଙ୍କ କଣ୍ଠରୁ ଦେବୀ ସରସ୍ୱତୀ ।


     "ଋକ୍‌ବେଦ" ମତେ ସରସ୍ୱତୀ ମହାଶକ୍ତିଙ୍କ ଉତ୍ସ ; ସେ ନିର୍ଗୁଣ , ନିରାକାର , ନିର୍ମାୟା । ତାଙ୍କୁ ମାତା ଓ ନଦୀ ରୂପେ ସ୍ତୁତିବାଦନ କରି ଉଲ୍ଲେଖ ହୋଇଛି -


"ଅମ୍ବି ତମେ ନଦୀ ତମେ / ଦେବୀ ତମେ ସରସ୍ୱତୀ

ଅପ୍ରଶସ୍ତ ଇବ ସ୍ବାମି / କ୍ରଶସ୍ତି ମମ ନିସ୍କୃତି ।" 


ଭାରତ ବାହାରେ ତିବ୍ବତ ,ଚୀନ୍‌ ଓ ଜାପାନରେ ମାଆ ସରସ୍ୱତୀ ବୌଦ୍ଧ ଦେବୀ ଭାବେ ଲୋକାଦୃତ । ମାନ୍ଯତାନୁଯାୟୀ ସେ ବୁଦ୍ଧଙ୍କ ଶିକ୍ଷାର ରକ୍ଷାକର୍ତ୍ତ୍ରୀ ଓ ବୌଦ୍ଧ ଭିକ୍ଷୁଙ୍କର ରକ୍ଷାକର୍ତ୍ତ୍ରୀ । "ବୃହଦ୍‌ ଦେବତା ଗ୍ରନ୍ଥ" ଅନୁସାରେଣ ବାକ୍‌ ଓ ପ୍ରାଣ ମାତା-ପୁତ୍ରର ସମ୍ବନ୍ଧ । ପ୍ରସାରଣଶୀଳ ପ୍ରାଣ (ନିଃଶ୍ବାସ)ର ନାମ "ସରସୂତ୍‌" ଓ ଭାଷାର ନାମ "ସରସ୍ୱତୀ" । 


"ମାତା ପୁତ୍ରୌ ତୁ ବାକ୍‌ ପ୍ରାଣୌ /ମାତା ବା ପିତରଃ ସୁତଃ ।

ସରସ୍ବନ୍ତମିତ ପ୍ରାଣୋ ବାଚଂ / ପ୍ରାଦୁଃ ସରସ୍ୱତୀମ୍‌ ।।"


     ପବିତ୍ର ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ମାଆ ସରସ୍ୱତୀଙ୍କ ପାଦପଦ୍ମ ଯୁଗଳେ ବିଶ୍ବ ପାଇଁ ଏତିକି ପ୍ରାର୍ଥନା , ମାଆ ସମସ୍ତ ଧରାବାସୀଙ୍କୁ ସଦୟ ହୁଅନ୍ତୁ ଏବଂ ସମସ୍ତଙ୍କୁ ଅଜ୍ଞାନ ଭେଳାରୁ ଅବତରଣ କରାଇ ଜ୍ଞାନ ଯାନରେ ଅବସ୍ଥାପିତ କରନ୍ତୁ  । ସମସ୍ତଙ୍କୁ ସଦବୁଦ୍ଧି ପ୍ରଦାନ କରନ୍ତୁ ଓ ସ୍ବ ଜ୍ଞାନ ବ୍ଯୟ ପୂର୍ବକ ସମସ୍ତଙ୍କ ଭିତରେ ଆତ୍ମୀୟତାର ପରିବୃଦ୍ଧି ଘଟୁ ଯଦ୍ଦ୍ବାରା କି କଳିର କରାଳ ଛାୟା ଆପେ ଅପସରି ଯାଉ ଆଉ ମାଳିକାର କଥା ବାସ୍ତବ ରୂପ ନେବାରୁ ବଞ୍ଚିତ ରହୁ ।


    "ମାତୃ କୃପା ହି କେବଳମ୍‌ ।"


ଭାଟପଡ଼ା,ନିରାକାରପୁର,କଣାସ,ପୁରୀ 

୮୯୧୭୪୮୦୫୩୬

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା