ଯୋଗ- ଯୋଗୀ-ଯୋଗାଚାରୀ
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ପ୍ରାଚୀନ ଭାରତରେ ପ୍ରାୟ ୭୦୦୦ ବର୍ଷ ପୂର୍ବେ ବିକଶିତ ହୋଇଥିବା ଶରୀର-ମନ-ଆତ୍ମା ସଂଯମର ଏକ ଆଧ୍ଯାତ୍ମିକ ପଦ୍ଧତି ହେଲା "ଯୋଗ" । ଯୋଗର ବହୁ ଶାଖା ମଧ୍ଯରେ ରାଜଯୋଗ ଏବଂ ହଠଯୋଗ ବେଶ୍ ପ୍ରସିଦ୍ଧ । ପ୍ରାକ୍ ବୈଦିକ ଯୁଗରୁ ଯୋଗର ଉତ୍ପତ୍ତି । ସିନ୍ଧୁ ଉପତ୍ୟକା ସଭ୍ଯତାରୁ ପ୍ରାପ୍ତ ମୁଦ୍ରାରେ ଯୋଗାସନ ସଂସ୍ଥିତ ପଶୁପତିଙ୍କ ଛବି ଯୋଗର ପ୍ରାଚୀନତା ପ୍ରତିପାଦନ କରେ । ଋକ୍ବେଦରେ ବି ଯୋଗର ଉଲ୍ଲେଖ ଅଛି । ବିଭିନ୍ନ ଉପନିଷଦରୁ ଯୋଗ ବହୁ ପ୍ରାଚୀନ ବୋଲି ଜଣାପଡେ ଏବଂ ବୌଦ୍ଧସୂତ୍ର ମାନଙ୍କରେ ବି ଯୋଗ ବିଷୟରେ ଉଲ୍ଲେଖ ଅଛି । ପତଞ୍ଜଳୀଙ୍କ ଯୋଗସୂତ୍ର ଯୋଗର ପ୍ରଥମ ଗ୍ରନ୍ଥ ; ଏଥିରେ ଯୋଗର ମାନସିକ-ଦାର୍ଶନିକ ବ୍ଯାଖ୍ଯା ଭରପୂର ରହିଛି । ଭଗବତ ଗୀତାରେ ବି ଯୋଗର ବିସ୍ତୃତ ବର୍ଣ୍ଣନା ରହିଛି । ସାଧନାର ଅନ୍ତର୍ଚେତନାର ବିକାଶ ଏବଂ ମହଚେତନା ସଙ୍ଗତେ ମିଳନ ପ୍ରକ୍ରିୟା "ଯୋଗ" । ଏ ଶବ୍ଦ ସଂସ୍କୃତର "ଯୁଜ୍" ଧାତୁରୁ ଆନୀତ , ଯା'ର ଅର୍ଥ "ଯୁକ୍ତାବସ୍ଥା" ; ଅର୍ଥାତ୍ ଯୁକ୍ତ କରିବା ବା ଏକତ୍ର କରିବା । ଆଧ୍ୟତ୍ମିକ ଅର୍ଥରେ ଏହା ଜୀବାତ୍ମା ଆଉ ପରମାତ୍ମାଙ୍କ ମିଳନ । ଯୋଗ ହେଲା ପାରମ୍ପରିକ ବୈଦିକ ଷଡ଼ ଦର୍ଶନ ମାଧ୍ଯମରେ ଅନ୍ଯତମ । ରାଜଯୋଗ , ହଠଯୋଗ , ଲୟଯୋଗ , କୁଣ୍ଡଳିନୀ ଯୋଗ , କର୍ମଯୋଗ , ଜ୍ଞାନଯୋଗ , ଭକ୍ତିଯୋଗ ଆଦି ଅନେକ ଶାଖା ଯୋଗର । ଯଦି ଏହା ଏକ ବିଜ୍ଞାନ ହୁଏ ତେବେ ଏହା ବଳରେ ଭାରତକୁ କେବଳ ଏକ ସୁନାର ଚଢ଼େଇ କୁହାଯାଉଥଲା । ଭଗବାନ ଶିବଶଙ୍କରଙ୍କ ପରେ ବୈଦିକ ଋଷି ମୁନୀଙ୍କ ଦ୍ବାରା ହିଁ ଯୋଗାରମ୍ଭ ବୋଲି ଆମେ ମାନୁ । ପରେ ପରେ କୃଷ୍ଣ-ବୁଦ୍ଧ-ମହାବୀର ଆଦି ଯୋଗୀ ବୋଲି ପ୍ରସାରିତ । ପରବର୍ତ୍ତୀ ସମୟେ ପତଞ୍ଜଳୀଙ୍କ ଆଗତ । ଯୋଗ ଏକ ବିଜ୍ଞାନ ଯାହା କେବଳ ବାହ୍ୟ ପ୍ରକୃତି ସହିତ ଯୋଡ଼େନି ବରଂ ଆମ ମଧ୍ଯେ ଲୁକ୍କାୟିତ ଅଜ୍ଞାତ ଶକ୍ତିର ଏକତ୍ରୀକାରକ ଓ ବିକାଶକ । ଏହାର ଅର୍ଥ ଯୋଡ଼ , ସନ୍ଧି , ଏକାତ୍ମତା । ପ୍ରାମାଣ୍ଯ "ଯୋଗଶ୍ଚିତ ବୃତ୍ତନିରୋଧଃ" ; ଅର୍ଥାତ , ଚିତ୍ତବୃତ୍ତିର ନିରୋଧକ ହିଁ ଯୋଗ । ଗୀତାରେ ଅଛି - "ଯୋଗ ହେଲା ନିଜକୁ ନିଜ ମାଧ୍ଯମେ ନିଜ ଯାଏଁ ଉପନୀତ କରାଇବାର ଯାତ୍ରା ।"
ଭାଷ୍ୟକାରଗଣ "ଯୋଗ"କୁ ବିୟୋଗ , ଉଦ୍ଯୋଗ ଓ ସଂଯୋଗ ଅର୍ଥେ ବି ନିଅନ୍ତି । ଯୋଗରେ ପ୍ରତିଷ୍ଟ ହେବାକୁ ଆବଶ୍ୟକ ଅଛି ଦେହ ସୁଦ୍ଧା ଏବଂ ସୁସ୍ଥ - ଭୋଜନ ସୁଦ୍ଧା ଆଉ ସାତ୍ତ୍ୱିକ । କୁହାଯାଇଛି - "ହିରଣ୍ଯଗର୍ଭ ଯୋଗସ୍ଯ ବକ୍ତା ନାନ୍ଯଃ ପୁରାତନଃ" (ଯାଜ୍ଞବଳ୍କ୍ଯ) । ମହାଭାରତରେ ଅଛି - "ସାଂଖ୍ଯ ବକ୍ତା କପିଳ ପରମଷଃ ସ ଉଚ୍ଯତେ / ହିରଣ୍ଯଗର୍ଭୋ ଯୋଗସ୍ଯ ବକ୍ତା ନାନ୍ଯଃ ପୁରାତନଃ ।" ହିରଣ୍ଯଗର୍ଭଙ୍କଠୁ ଯୋଗର ଉତ୍ପତ୍ତି । ଋକ୍ବେଦରେ ବର୍ଣ୍ଣିତ ଅଛି ଏ ହିରଣ୍ଯଗର୍ଭ ପ୍ରଥମ ସୃଷ୍ଟି । କେହି କେହି ବେଦର ସ୍ତୁତି ଗାୟକ ଓ କେହି କେହି ଏକ ପୌରାଣିକ ନାମ ବୋଲି ହିରଣ୍ଯଗର୍ଭଙ୍କୁ କହୁଥିବା ବେଳେ କିଛି ସାଂଖ୍ଯ ସ୍ରଷ୍ଟା କପିଳଙ୍କୁ ହିରଣ୍ଯଗର୍ଭ କହିଥା'ନ୍ତି । ତାତ୍ତ୍ୱିକ ବିଚାରରେ ଦେଖିଲେ ହିରଣ୍ଯଗର୍ଭ ହେଲେ ବ୍ରହ୍ମା , ଯିଏ ଜଗତର ଆଦି ସୃଷ୍ଟି ଅଟନ୍ତି । ବ୍ରହ୍ମା ସୃଷ୍ଟି ପରେ ଯୋଗାସନରେ ବସି ସୃଷ୍ଟି ସର୍ଜନା କଲେ ; ତେଣୁ ବ୍ରହ୍ମା ହେଲେ ଯୋଗର ସୃଷ୍ଟିକର୍ତ୍ତା ଏବଂ ପରେ ଅନ୍ଯତ୍ର ଯୋଗ ପ୍ରସାରିତ । ଅନ୍ଯର୍ଥେ ଯାହା ଗର୍ଭ (ଆଭ୍ଯନ୍ତର) ହିରଣ୍ଯମୟ ରୂପେ ପ୍ରତିଭାତ , ସେ ହେଲେ ସୂର୍ଯ୍ୟ । ସେ ସୌର ଜଗତର ଆଦି ସୃଷ୍ଟି ଅଟନ୍ତି । ସେ ପୃଥ୍ବୀର ଜନକ ; ତାଙ୍କ ଯୋଗବଳେ ଯମ , ନିୟମାଦି ଅଷ୍ଟ ସାଦନ ମାର୍ଗ ଦେଇ କ୍ରମଶଃ ଧରଣୀ ସରସ ଆଉ ସୁନ୍ଦର । ଆଦିମ ମାନବର ଜୀବନଚର୍ଯ୍ୟାର ଶିକ୍ଷକ ସୂର୍ଯ୍ୟ , ତେଣୁ ଯୋଗାଦି ସ୍ରଷ୍ଟା ସୂର୍ଯ୍ଯ । ଆର୍ଯ୍ୟମାନେ କିନ୍ତୁ ବ୍ରାତ୍ଯ ମାନଙ୍କ ଆଦି ଦେବତା ଶିବଙ୍କୁ ମହାଯୋଗୀ ରୂପରେ ଦେଖିଛନ୍ତି । ତାଙ୍କଠୁ ସମ୍ଭୂତ ଯେ' ଯୋଗ ମାର୍ଗର ଆଶ୍ରୀତ ସେମାନେ ଆଦିନାଥ ଯୋଗୀ ସମ୍ପ୍ରଦାୟ ନାମ୍ନୀ ବୋଲାଇ ବିଦିତ । ଭାରତ ଓ ଭାରତ ବାହାରେ ଏମାନେ ନାଥ ସାଜ୍ଞାଧାରୀ । ନାଥ ହେଲେ ଜାତିରେ ଯୋଗୀ ଓ ତାଙ୍କ ଗୋତ୍ର ନିରଞ୍ଜନ । ଯୋଗୀ ଆଉ ନିରଞ୍ଜନ , ଉଭୟ ଅର୍ଥ ଶିବ ଯେହେତୁ ସେ ଯୋଗାଚାରୀ । ଏମାନେ କୋଉ ଋଷି ବଂଶଜ ନୁହଁନ୍ତି ବରଂ ଏହା ଏକ ଧର୍ମୀୟ ପନ୍ଥା । ଖ୍ରୀ.ପୂ. ପ୍ରଥମ ଶତାବ୍ଦୀରେ ମହାତ୍ମା ମତ୍ସେନ୍ଦ୍ରନାଥ ଓ ମହାଯୋଗୀ ଗୋରଖନାଥ ଏ ନାଥ ଧର୍ମର ବହୁଳ ପ୍ରଚାର-ପ୍ରସାର କରିଥିଲେ । ତାଙ୍କନ୍ତର୍ଭୁକ୍ତ ଥିଲେ ତାଙ୍କ ଶିଷ୍ଯ ଭର୍ତ୍ତୃହରି , ଜୀମୁତବାହନ , ଶାଳିବାହନ , ଚୌରାଙ୍ଗୀ , ଜଳନ୍ଧରୀ ଆଦି ନାଥ ସିଦ୍ଧମାନେ । ସେବେଳେ ଲୋକେ ଗୋରଖନାଥଙ୍କୁ ମାନ୍ଯତା ଦେଇ ପ୍ରଚ୍ଛନ୍ନ ଶିବ ବୋଲି କହୁଥିଲେ । ନାଥ ସମ୍ପ୍ରଦାୟର ଯୋଗରେ ପଞ୍ଚମହାଭୂତ ତତ୍ତ୍ବ , ପଚିଶି ପ୍ରକୃତି , ନବଚକ୍ର , ଷୋଡ଼ଶଧାର , ତିନିଲକ୍ଷ୍ଯ , ପଞ୍ଚାକାଶ ଆଦି ବିବରଣ ଅଛି । ଏହା ବିନା ଯୋଗ ଅସିଦ୍ଧି ।
ନାଥଧର୍ମ ପ୍ରଚାରାର୍ଥେ ଅମରକୋଷ ଗୀତା , ଗୋରେଖାଗୀତା , ମତ୍ସେନ୍ଦ୍ରଗୀତା ଆଦି ପୁସ୍ତକ ରଚନା କରା ଯାଇଥିଲା । ନାଥ ଯୁଗୀୟ କବିମାନେ ଆତ୍ମ ପରିଚୟକୁ ଗୋପନ ରଖିବାର୍ଥେ "ଜନ୍ମରୁ ମୂରୁଖ ମୁଁ ଅଟଇ କ୍ଷୁଦ୍ରବୁଦ୍ଧି" ଧାଡ଼ିର ବହୁଳତା ସୃଷ୍ଟି କରୁଥିଲେ । ନାଥ ଯୁଗରେ ଦୋହା ଓ ଚୌପଦୀ ସାହିତ୍ଯ ଲୋକପ୍ରିୟତା ହେଉଥିଲା । ଶିବଙ୍କ ପରି ଜୈନଧର୍ମର ପ୍ରଥମ ତୀର୍ଥକର ଋଷଭଦେବଙ୍କୁ ବି ଆଦିନାଥ କହନ୍ତି ଯାହାଙ୍କ ଜନ୍ମସ୍ଥଳୀ ଅଯୋଧ୍ୟା ।
ଯୋଗୀ କହିଲେ ଯୋଗ ସାଧକକୁ ବୁଜାଏ, ଅର୍ଥାତ୍ ସନ୍ନ୍ୟାସୀ । ଅନ୍ଯର୍ଥେ ଯେ ଫଳାଶା ନ ସଞ୍ଚରି ଧର୍ମ କରେ , ଅର୍ଥାତ୍ ବ୍ରହ୍ମବିଦ୍ । ସର୍ବତ୍ର ସମଦର୍ଶନ ଓ ସୁଖ-ଦୁଃଖ , ସ୍ବର୍ଣ୍ଣଲୋଷ୍ଟ୍ର , ଶତ୍ରୁ-ମିତ୍ର , ଗୃହାରଣ୍ଯ , ଶୀତୋଷ୍ଣ , ମାନାପମାନ ଆଦିରେ ସମଜ୍ଞାନବିଶିଷ୍ଟ ବ୍ଯକ୍ତି ଯୋଗୀ ପଦବାଚ୍ୟ ବୋଲି ଶ୍ରୀମଦ୍ଭଗବତ ଗୀତା କହୁଛି । ଗୀତା ବର୍ଣ୍ଣନାନୁଯାୟୀ -
"ତପସ୍ବୀଭ୍ଯୋଽଧିକୋ ଯୋଗୀ ଜ୍ଞାନୀଭ୍ଯୋଽପି ମତୋଽଧିକଃ
କର୍ମିଭ୍ଯଶ୍ଚାଧିକୋ ଯୋଗୀ ତସ୍ମାଦ୍ଯୋଗୀ ଭବାର୍ଜୁନ ।।"
ଅର୍ଥାତ୍ , ଜଣେ ଯୋଗୀ ଜଣେ ତପସ୍ବୀଙ୍କଠୁ ଶ୍ରେଷ୍ଠ , ଜଣେ ଜ୍ଞାନୀଙ୍କଠୁ ଶ୍ରେଷ୍ଠ ଓ ଏପରିକି ଜଣେ କର୍ମୀଙ୍କଠୁ ବି ଶ୍ରେଷ୍ଠ ; ତେଣୁ ହେ ଅର୍ଜୁନ ! ଜଣେ ଯୋଗୀ ହେବାର ପ୍ରଚେଷ୍ଟା କରନ୍ତୁ । ଜଣେ ଯୋଗୀଙ୍କ ଲକ୍ଷ୍ୟ ସଂସାର ନୁହେଁ , ଭଗବାନ ଅଟନ୍ତି । ଅତଏବ ଜଣେ ଯୋଗୀ ଆଧ୍ଯାତ୍ମିକସ୍ତରୀ , ତେଣୁ ସେ ସର୍ବଶ୍ରେଷ୍ଠ ।
ପୂର୍ବେ ଅନେକ ଯୋଗୀ ଥିଲେ ଯେଉଁମାନେ ଯୋଗବଳେ ଅସାଧ୍ୟ ସାଧୁଥିଲେ । ଯୋଗଶାସ୍ତ୍ର ସମ୍ବନ୍ଧେ ବର୍ତ୍ତମାନ ଯୁଗେ ଇଭାନ୍ସ ସାହେବ ରଚିତ ଇଂରାଜୀ ପୁସ୍ତକରେ ଅଛି କି, ଭାରତୀୟ ଯୋଗଶାସ୍ତ୍ର ପ୍ରକୃତ ସତ୍ଯ ଶାସ୍ତ୍ର ; ଏପରି ଶାସ୍ତ୍ର ଇଉରୋପରେ ନାହିଁ । ସେ ଏଥିରେ ଆକୃଷ୍ଟ ହୋଇ ଯୋଗ ସାଧନା କରୁଛନ୍ତି । ତାଙ୍କ ଏ ଗ୍ରନ୍ଥରେ ଯୋଗଶାସ୍ତ୍ରର ମହାତ୍ମ୍ୟ ଓ ଯୋଗୀର ଅଦ୍ଭୁତ କ୍ଷମତାର ଅନେକ ବ୍ଯାଖ୍ଯା ଅଛି । ଯୋଗ ସଂହିତା , ଶିବ ଗୀତା , ହଟପ୍ରଦପିକା , ଘେରଣ୍ଡ ସଂହିତା , ଦତ୍ତାତ୍ରୟ ଯୋଗ , ଷଟ୍ଚକ୍ର ଯୋଗାର୍ଣ୍ଣବ , ଜ୍ଞାନସାର , ସଂମ୍ମୋହନ , ତାରା ରହସ୍ୟ , ନିର୍ବାଣତନ୍ତ୍ର , ଯାମଳ , ପାତଞ୍ଜଳ ଦର୍ଶନ , ସାଂଖ୍ଯ ଦର୍ଶନ , ଅଷ୍ଟବକ୍ର ସଂହିତା , ଯୋଗ ପ୍ରଦୀପିକା , ଜ୍ଞାନ ସଙ୍କଳନ , ବ୍ଯାସ , ଚଣ୍ଡ କପାଳିକ , ଆଦିନାଥ , ପୂର୍ଣ୍ଣାନନ୍ଦ ଆଦି ଅନେକ ଯୋଗଶାସ୍ତ୍ର ରହିଛି । ଯମ - ନିୟମ - ଆସନ - ପ୍ରାଣାୟାମ ଆଦି ଯୋଗର ଏକ ଏକ ଅଙ୍ଗ ।
ଯୋଗର ଅନ୍ଯ ନାମ ଜାଗରଣ ; ଏହା ପ୍ରାମାଣ୍ଯ ଯେ , ଯୋଗ ଦ୍ବାରା ମନୁଷ୍ଯ ନିଶ୍ଚିତ ଉପକୃତ । ଯାହା ଦ୍ବାରା ମାନବ ଆତ୍ମବିଶ୍ୱାସୀ , ନିର୍ଭୀକ , ସ୍ଥିରମନା ହୁଏ ଓ ସ୍ବଭାବରେ ପରିବର୍ତ୍ତନ ହୋଇ ଆଧ୍ୟାତ୍ମିକ ଭାବ ଜାଗ୍ରତ ହୁଏ ଆଉ ଈଶ୍ବରାଭିମୁଖୀ ହୁଏ ତାହାକୁ ଯୋଗ କହନ୍ତି । ଯୋଗ ସାଧନାର ମାର୍ଗ , ବିନା ସାଧନାରେ ଯୋଗ ଅସମ୍ଭବ । ଏଥିପାଇଁ ସଙ୍କଳ୍ପ , ଶ୍ରଦ୍ଧା ଓ ଧୈର୍ଯ୍ୟ ଲୋଡ଼ା । ପ୍ରତ୍ଯେକ ମଣିଷ ଅଭ୍ଯାସ ପୂର୍ବକ ପ୍ରତ୍ଯହ ଯୋଗ ସାଦିବା ଉଚିତ ।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
📞 - ୮୯୧୭୪୦୪୩୯୬
Comments
Post a Comment