ରୁଦ୍ରାକ୍ଷ ମହାତ୍ମ୍ୟ



          ଶିବ ପ୍ରସାଦ ବାହିନୀପତି 


     ରୁଦ୍ରାକ୍ଷକୁ କିଏ ନ ଜାଣେ ? ରୁଦ୍ରାକ୍ଷ ଫଳ ସହ ସମସ୍ତେ ପ୍ରାୟ ପରିଚିତ । ବିଶେଷ କରି ବ୍ରାହ୍ମଣ , ପୂଜକ ,ବୈଷ୍ଣବ ଧର୍ମୀମାନେ ଏହା ସହ ଭଲ ଭାବରେ ପରିଚିତ । ଦୁଇଟି ଶବ୍ଦର ସମିଶ୍ରଣରେ ସୃଷ୍ଟି ଏହି ଶବ୍ଦ "ରୁଦ୍ରାକ୍ଷ" । ରୁଦ୍ର + ଅକ୍ଷ = ରୁଦ୍ରାକ୍ଷ । ଅର୍ଥ :- ରୁ - ରୁତମ (ଦୁଃଖମ୍‌) ଏବଂ ଦ୍ର - ଦ୍ରବୟତି (ନାଶୟତି) ; ଇତି ରୁଦ୍ରଃ । "ଅକ୍ଷ" ବା "ଅକ୍ସା"ର ଅର୍ଥ ଅଶ୍ରୁବୁନ୍ଦା । ଯେ ଦୁଃଖର ବିନାଶକ - ସେ ରୁଦ୍ର । ରୁଦ୍ରଙ୍କ ନେତ୍ର ନୀରରୁ ଜାତ ହେତୁ "ରୁଦ୍ରାକ୍ଷ"ର ନାମକରଣ । ଶିବ ପୁରାଣ କହେ ରୁଦ୍ରାକ୍ଷ ଉତ୍ପନ୍ନର ବିଶଦ କାହାଣୀ । ତ୍ରିପୁରାସୁରର ବଧ ପରେ ସ୍ବୟଂ ଶିବ ଦୀର୍ଘବର୍ଷ ଧରି ସମାଧିସ୍ଥ ହେଲେ । ସମାଧିରୁ ନିବୃତ ହେବା ପରେ ତାଙ୍କ ଆଖିରୁ ନିର୍ଗତ ହେଲା ଅଶ୍ରୁ । ସେହି ଅଶ୍ରୁ ଜଳ କାଶୀ , ଅଯୋଧ୍ୟା , ମଥୁରା , ନେପାଳ , ମଳୟ ପ୍ରଦେଶ ଆଦି କିଛି ସ୍ଥାନରେ ପତିତ ହେଲା । ସେହି ଅଶ୍ରୁ ଜଳରୁ ଜନ୍ମ ନେଲା ରୁଦ୍ରାକ୍ଷ ବୃକ୍ଷ । ସ୍କନ୍ଦ ପୁରାଣର ହିମାଦ୍ରି ଖଣ୍ଡରେ ବର୍ଣ୍ଣନା ଅଛି ଏହାର ମହାତ୍ମ୍ୟ । ପାର୍ବତୀଙ୍କ ପ୍ରଶ୍ନର ଉତ୍ତର ଦେଇ ଶିବ କହିଲେ - "ରୁଦ୍ରାକ୍ଷ ବୃକ୍ଷ ମୋର ସାକ୍ଷାତ ସ୍ବରୂପ ଅଟେ । କଳି କାଳରେ ଏହି ବୃକ୍ଷରେ ହିଁ ମୋର ନିବାସ ହେବ । ଏହି ବୃକ୍ଷ ରୋପଣ କରୁଥିବା ପ୍ରତ୍ଯେକ ବ୍ଯକ୍ତି ଶିବାଶିଷ ପ୍ରାପ୍ତ କରିବେ ଏବଂ ଏହାର ମୂଳରେ ଜଳଦାନ କଲେ ଶିବଲୋକ ପ୍ରାପ୍ତ କରିବେ । ମୁଁ ତାକୁ ପ୍ରୀତେ ମୋକ୍ଷ ଦେବି ।" ଶୈବାଗମ ତନ୍ତ୍ର , ସ୍କନ୍ଦ ପୁରାଣ , ଶିବ ମହାପୁରାଣ , ଶ୍ରୀମଦ୍‌ ଦେବୀ ଭାଗବତ , ଲିଙ୍ଗ ପୁରାଣ , ପଦ୍ମ ପୁରାଣ , ରୁଦ୍ରାକ୍ଷ ବାଲୋପନିଷଦ ଆଦି ଗ୍ରନ୍ଥରେ ଏହାର ବର୍ଣ୍ଣନା ବିସ୍ତୃତ । ପୁନରୟ ଶିବ କହିଛନ୍ତି ପାର୍ବତୀଙ୍କୁ - "ହେ ମହାଦେବୀ ! ଯଦି କୌଣସି କାରଣରୁ ଦେହତ୍ୟାଗ ସମୟରେ ଏକ ଶ୍ବାନର ଗଳାରେ ରୁଦ୍ରାକ୍ଷ ମାଳା ପଡ଼ିଯାଏ , ତେବେ ସେ ଶିବଲୋକ ପ୍ରାପ୍ତ କରିବ । ମନୁଷ୍ଯ ଯଦି ବିଧିବଦ୍ଧ ରୁଦ୍ରାକ୍ଷ ଧାରଣ କରେ , ତେବେ ସେ ସାକ୍ଷାତ ଶିବଙ୍କ ସ୍ବରୂପ ବିବେଚିତ ହୁଏ ଏବଂ ସାଲୋକ୍ଯ (ଶିବଲୋକ ) ଓ ସାୟୁଜ୍ଯ (ଶିବଙ୍କ ସମାନ ପଦ) ପ୍ରାପ୍ତ ହୁଏ ।" ରୁଦ୍ରାକ୍ଷର ଶାସ୍ତ୍ର ନାମ ବି "ଅକ୍ଷମାଳା" । ଏଠି "ଅ"ରୁ "କ୍ଷ" ଯାଏଁ ସ୍ବର ଓ ବ୍ଯଞ୍ଜନ ବର୍ଣ୍ଣର ଅର୍ଥ 'ଅକ୍ଷ' ଶବ୍ଦର ଦ୍ଯୋତକ । ଗୁରୁଙ୍କ ଠାରୁ ପ୍ରାପ୍ତ ମନ୍ତ୍ରର ଜପ ଅକ୍ଷ (ରୁଦ୍ରାକ୍ଷ) ମାଳାରେ ବିଧାନ ପୂର୍ବକ କଲେ ଜୀବ(ମନୁଷ୍ଯ)କୁ ଅକ୍ଷୟ ପୁଣ୍ୟ ପ୍ରାପ୍ତ ହୋଇଥାଏ । ଶିବ ବି କହିଛନ୍ତି ପାର୍ବତୀଙ୍କୁ - "ନାରୀମାନେ ବି ନିଜ ଋତୁକାଳ ବ୍ଯତିତ ଅନ୍ଯ ସମୟେ ରୁଦ୍ରାକ୍ଷ ଧାରଣ କରି ପାରିବେ । ଏହି ରୁଦ୍ରାକ୍ଷ ସ୍ମୃତିଶକ୍ତି ବର୍ଦ୍ଧକ ହେବ ।" ଆୟୁର୍ବେଦ ଶାସ୍ତ୍ରରେ ଏହାର ପ୍ୟାମାଣିକ ଚିତ୍ର ମିଳେ । 


      ଶିବ ମହାପୁରାଣ ସୂଚୀତ କରେ - କୈଳାସ, ହିମାଳୟ ପାଦଦେଶ, ଉତ୍ତର ଭାରତ, ନେପାଳରେ ଯେଉଁ ଫଳ ହୁଏ ତାହା ରୁଦ୍ରାକ୍ଷ ଏବଂ ଦକ୍ଷିଣ ଭାରତରେ ଯେଉଁ ଚନ୍ଦ୍ରାକୃତି ଫଳ ହୁଏ ତାହା ଭଦ୍ରାକ୍ଷ । ଇଣ୍ଡୋନେସିଆ ଓ ମାଲେସିଆରେ ଯେଉଁ ଫଳ ହୁଏ ତାହା ନିଲାକ୍ଷ ନାମରେ ଜଣାଶୁଣା । "ରୁଦ୍ରାକ୍ଷ ସ୍ଯୋନ୍ନତଂ ପ୍ରୋକ୍ତମ୍‌ ମୁଖଂ ପୃଚ୍ଛମ୍‌ ତୁ ନିର୍ମଳମ୍‌" - (ସ୍ବଚ୍ଛନ୍ଦ ମାହେଶ୍ୱର ତନ୍ତ୍ର)। ଅର୍ଥାତ୍‌ ରୁଦ୍ରାକ୍ଷର ଉନ୍ନତ ଭାଗ ମୁଖ ଓ ପୃଚ୍ଛ (ପଛ) ନିର୍ମଳ ବା ସମାନ ହୋଇଥାଏ । ରୁଦ୍ରାକ୍ଷର ଉପରୁ ତଳ ପର୍ଯ୍ୟନ୍ତ ଲମ୍ବିତ ରେଖାକୁ ମୁଖ କୁହାଯାଏ । ଶିବ ମହାପୁରାଣ ଓ ବାଲୋପନିଷଦ ଅନୁସାରେ ୧ ରୁ ୩୮ ମୁଖ ପର୍ଯ୍ୟନ୍ତ ରୁଦ୍ରାକ୍ଷ ଅଛି । ବର୍ତ୍ତମାନ ୧ ରୁ ୧୪ ମୁଖ ପର୍ଯ୍ୟନ୍ତ ରୁଦ୍ରାକ୍ଷ ଉପଲବ୍ଧ । 


     ରୁଦ୍ରାକ୍ଷକୁ ଏକ ଅମୂଲ୍ୟ ପଦାର୍ଥ କହିଲେ ଅତ୍ଯୁକ୍ତି ହେବନି । ଏହାର ମହାତ୍ମ୍ୟ କହିଲେ ଅସୁମାରି । ଏହା ଏକ ଗଛର ମଞ୍ଜି ; କିନ୍ତୁ ଏହାର ମହାତ୍ମ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ପକାଏ । ବୈଜ୍ଞାନିକ ମାନଙ୍କ ମତରେ ଏହି ରୁଦ୍ରାକ୍ଷରେ ଏକ ପ୍ରକାର ଚୁମ୍ବକୀୟ ଶକ୍ତି ରହିଛି । ତାହା ଏହି ଅଦ୍ଭୁତ ବିସ୍ମୟକର ଗୁଣ ଓ ତା'ର ପବିତ୍ରତା ହେତୁ ଏହା ପୃଥ୍ବୀରେ ପୂଜନୀୟ । ଏହାର ଧାରଣରେ ମନୁଷ୍ଯ ଶାରୀରିକ ଓ ମାନସିକ ପାଇଁ ଅଦ୍ଭୁତ ପ୍ରକାର ଗୁଣ ପ୍ରାପ୍ତ କରେ । ଶାସ୍ତ୍ରାନୁସାରେ ରୁଦ୍ରାକ୍ଷ ପ୍ରଥମେ ହିମାଳୟ ପର୍ବତର ମୃତ୍ତିକା ଥିବା ସ୍ଥାନରେ ଉତ୍ପତ୍ତି ହୋଇଥିଲା ; କାଳକ୍ରମେ ତାହା ଅନ୍ଯତ୍ର ପରିବ୍ଯାପ୍ତହେଲା । ପରେ ପରେ ନେପାଳ , ଜାଭା , ସୁମାତ୍ରା , ଇଣ୍ଡୋନେସିଆ , ଥାଇରାଣ୍ଡ ଆଦି ସ୍ଥାନରେ ପ୍ରବଳତା ପ୍ରକାଶ ପାଇଲା । ଧିରେ ଧିରେ ଡ଼େରାଡୁନ୍‌ , ହରିଦ୍ୱାର , ମହୀଶୁର , ମହାରାଷ୍ଟ୍ର , ଆସାମ , ବଙ୍ଗଳା ଜଙ୍ଗଲରେ ରୁଦ୍ରାକ୍ଷ ବୃକ୍ଷର ପ୍ରବଳତା ଦୃଶ୍ୟମାନ ହେଲା । ଦକ୍ଷିଣ ଭାରତର ନୀଳଗିରି , ମହୀଶୁର ଆଦି ସ୍ଥାନ ବିଶେଷରେ ଦୁଇମୁଖୀଠୁ ଏଗାର ମୁଖୀ ରୁଦ୍ରାକ୍ଷ ଫଳ ଦୃଶ୍ଯମାନ । ଆଉ ମଧ୍ଯ ଦକ୍ଷିଣ ଭାରତରେ ଅର୍ଦ୍ଧଚନ୍ଦ୍ରାକୃତି ଏକମୁଖୀ ରୁଦ୍ରାକ୍ଷ ଖୁବ୍‌ କମ୍‌ ମାତ୍ରାରେ ଉପଲବ୍ଧି ହୋଇଥାଏ । ଏହା ବ୍ଯତିତ କେବଳ ନେପାଳ ଠାରେ ଗୋଲାକାର ଏକମୁଖୀ ରୁଦ୍ରାକ୍ଷ ବିଶେଷ ଭାବରେ ଦେଖାଯାଏ । ଜାଭା , ସୁମାତ୍ରା , ଇଣ୍ଡୋନେସିଆ ଆଦି ସ୍ଥାନରେ ଛୋଟ ଛୋଟ ଦାନା ବିଶିଷ୍ଟ ରୁଦ୍ରାକ୍ଷ ଦେଖାଯାଏ । ବର୍ତ୍ତମାନ ଯେଉଁ ମାଳା ସମସ୍ତ ଦେଖାଯାଏ ସେସବୁ ପ୍ରାୟତଃ ପଞ୍ଚମୁଖୀ ରୁଦ୍ରାକ୍ଷ । 


     ପଞ୍ଚମୁଖୀ ରୁଦ୍ରାକ୍ଷର ଗଛ ସବୁ ପ୍ରାୟତଃ ଆମ ଦେଶରେ ଆମ୍ରତରୁ ସଦୃଶ । ଏହାର ପତ୍ର ବି ଆମ୍ବପତ୍ର ପରି ; ଏହାର ଫୁଲ ଗୁଡ଼ିକ ଧଳା ରଙ୍ଗର ଅଟେ । ରୁଦ୍ରାକ୍ଷ ଫଳ ପାଚି ଗରେ ଖଟା ଲାଗେ । ସେଠାକାର ଅଧିବାସୀମାନେ ଏ ଫଳର ଶସତକ ଖାଇଦେଇ ମଞ୍ଜି ଗୁଡ଼ିକ ଫିଙ୍ଗି ଦିଅନ୍ତି । ଅଧିକାଂଶ ପକ୍ଷୀମାନେ ମଧ୍ଯ ଫଳର ଶସ ଖାଇ ମଞ୍ଜିତକ ଫିଙ୍ଗି ଦିଅନ୍ତି । ନେପାଳରେ ଅନେକ ପରିମାଣରେ ଏହି ରୁଦ୍ରାକ୍ଷ ବୃକ୍ଷ ଦେଖାଯାଏ ; ସେଠାରେ ଯେଉଁ ଏକମୁଖୀ ରୁଦ୍ରାକ୍ଷ ଉପଲବ୍ଧି ହୋଇଥାଏ ତାହା କୌଣସି ବୃକ୍ଷରୁ ଅଧିକ ପରିମାଣରେ ମିଳି ନଥାଏ । ଗଛ ଗୋଟାକରେ ଗୋଟିଏ ଯୋଡ଼ିଏ ; କୌଣସି କୌଣସି ବୃକ୍ଷରେ ବି ତିନୋଟି ମଞ୍ଜି ଉପଲବ୍ଧି ହୋଇଥାଏ । କଥିତ ଅଛି ଯେ ଯେଉଁ ବୃକ୍ଷରେ ତିନୋଟି ରୁଦ୍ରାକ୍ଷ ହୁଏ ସେଥିମଧ୍ୟରୁ ଗୋଟିଏ ମଞ୍ଜି ସ୍ବର୍ଗକୁ , ଗୋଟିଏ ପାତାଳକୁ ଆଉ ଗୋଟିଏ ମାତ୍ର ଦାନା ପୃଥିବୀରେ ରହେ । ସେଲାଗି ଅସଲି ଏକମୁଖୀ ରୁଦ୍ରାକ୍ଷ ଦାନା ମିଳିବା ଅତ୍ଯନ୍ତ ଜଟିଳସାଧ୍ଯ । ରୁଦ୍ରାକ୍ଷର ଫୁଲ ଫୁଟି ଫଳ ଫଳି ତାହା ତୋଳା ହେବା ଯାଏଁ ପ୍ରାୟ ନଅ ମାସ ଲାଗି ଯାଇଥାଏ । ତାହା ଯେତେବେଳେ ପାଚି ଶୁଖିଯାଏ ବଳେ ବଳେ ବୃକ୍ଷରୁ ଖସି ଭୂମିରେ ପତିତ ହୁଏ । ଫଳ ଉପରୁ ଶୁଖିଲା ଚ଼ୋପାକୁ ଛଡ଼ାଇ ଦେଲେ ପ୍ରକୃତ ରୁଦ୍ରାକ୍ଷର ରଙ୍ଗ ଓ କେତେ ମୁଖ ଜଣାପଡେ । ଶାସ୍ତ୍ର କହେ ରୁଦ୍ରାକ୍ଷ ଧାରଣ କଲେ କେବେ ବି ଗରିବ ହେବେନି । ଶ୍ରାବଣ ନାସ ପହିଲି ସୋମବାରରେ ରୁଦ୍ରାକ୍ଷ ଘରକୁ ଆଣିଲେ ଶିବ କୃପା ପ୍ରାପ୍ତ ହୁଏ ବୋଲି ଶାସ୍ତ୍ରବିତ୍‌ଙ୍କ ମତ ମିଳେ ।


      ଶାସ୍ତ୍ରାନୁସାରେ ରୁଦ୍ରାକ୍ଷ ସ୍ବୟଂ ଶିବଙ୍କ ପ୍ରତୀକ । ରୁଦ୍ରାକ୍ଷ ମାଳାଧାରୀଙ୍କୁ ସାଧାରଣ ମନୁଷ୍ଯ ତ ପଛ କଥା ଭୂତପ୍ରେତ ପିଶାଚ ମାନଙ୍କର ମଧ୍ଯ ଖୁବ୍‌ ଭୟ ଥାଏ । ଯିଏ ରୁଦ୍ରାକ୍ଷ ମାଳା ଧାରଣ କରିଥା'ନ୍ତି , ସେମାନଙ୍କ ଉପରେ ସର୍ବଦେବତା ପ୍ରସନ୍ନ । ସେଲାଗି ଧାରଣକର୍ତ୍ତା ରୁଦ୍ରାକ୍ଷକୁ ବିଧିବିଧାନରେ ପ୍ରାଣପ୍ରତିଷ୍ଠା ପୂର୍ବକ ଧାରଯ କରିଥା'ନ୍ତି  । ଯଦି ରୁଦ୍ରାକ୍ଷକୁ କୌଣସି ରତ୍ନ ପଥରରେ ମାଳା କରି ଧାରଣ କରାଯାଏ ତେବେ ତାହା ମନୁଷ୍ୟକୁ ଅଧିକ ଭାବରେ ଶୁଭ ଫଳ ପ୍ରଦାନ କରେ । ଏହି ରୁଦ୍ରାକ୍ଷ ମାଳା ଧାରଣକାରୀ ଚତୁର୍ବର୍ଗ ଫଳ - ଧର୍ମ, ଅର୍ଥ, କାମ, ମୋକ୍ଷ ପ୍ରାପ୍ତ କରିଥାଏ । ଯେଉଁମାନେ ଅଖାଦ୍ୟ ଭକ୍ଷଣ କରନ୍ତି , ମଦ୍ଯପାନ କରନ୍ତି , ନାନା ନିଶାଦ୍ରବ୍ୟ ସେବନ କରନ୍ତି ସେମାନେ ରୁଦ୍ରାକ୍ଷ ପ୍ରାଣପ୍ରତିଷ୍ଠା କରି ଧାରଣ କରିବା ଦ୍ୱାରା ସେଥିରୁ ରକ୍ଷା ପାଇଯା'ନ୍ତି ଓ ଉତ୍ତମ ଫଳ ପ୍ରାପ୍ତି କରନ୍ତି । ତା'ଛଡ଼ା ଶାସ୍ତ୍ର ସମ୍ମତ ଯେ ରୁଦ୍ରାକ୍ଷ ମାଳା ଧାରଣକାରୀ ଅକାଳ ମୃତ୍ୟୁ ରୁ ବର୍ତ୍ତି ଥାଏ ଏବଂ ତା'ର ଆୟୁ ବର୍ଦ୍ଧିତ ହୋଇଥାଏ । ଗୃହସ୍ଥ ବ୍ଯକ୍ତିମାନେ ତଥା ମହିଳା ମାନେ ରୁଦ୍ରାକ୍ଷ ଧାରଣ କରି ଗାୟତ୍ରୀ ଜପିଲେ ଉତ୍ତମ ସନ୍ତାନର ଜନକ ଜନନୀ ହୁଅନ୍ତି ; ଧନ ସମ୍ପତ୍ତିର ଅଭାବ ପରିଲକ୍ଷିତ ହୁଏ ନାହିଁ । ଯଦି ସପ୍ତମୁଖୀ ରୁଦ୍ରାକ୍ଷକୁ ଗୃହୀମାନେ ଘରେ ରଖି ପୂଜନ୍ତି ତେବେ ସେ ଘରେ ଲକ୍ଷ୍ମୀ ନିବାସ କରନ୍ତି । ସମସ୍ତ ଆବଶ୍ଯକତା ଅଚିରେ ପୂରଣ ହେଇଥାଏ । ଭୂତପ୍ରେତ ପିଶାଚର ପ୍ରାଦୁର୍ଭାବ ରହେ ନାହିଁ । ଯଦି କେହି ନିଜ ପର୍ସ୍‌ରେ ରୁଦ୍ରାକ୍ଷ ରଖେ ; ସେ ପର୍ସ୍‌ରେ ସର୍ବଦା ପଇସା ଭରି ରହିଥାଏ ବୋଲି ବିଶ୍ବାସ କରାଯାଏ । 


      ରାମାୟଣର ରାବଣ ଚରିତ୍ରଟି ସମସ୍ତ ବ୍ଯକ୍ତି ଭଲ ଭାବରେ ଜାଣନ୍ତି । ରାବଣ ଠାରୁ ଜ୍ଞାନୀ ଏ ପର୍ଯ୍ଯନ୍ତ ସଂସାରରେ ଜନ୍ମ ନେଇନାହାନ୍ତି । ରାବଣ ସଂହିତା ପୁସ୍ତକରେ ରୁଦ୍ରାକ୍ଷକୁ ନେଇ ବି ବର୍ଣ୍ଣନା କରାଯାଇଛି । କୁହାଯାଇଛି - କୌଣସି ବି ସୁଭ ଦିନରେ ପ୍ରାତଃ କାଳରେ ଯଥାଶିଘ୍ର ତଳ୍ପ ପରିତ୍ଯାଗ କରି ନିତ୍ଯକର୍ମ ସମାପନ କରି ନଦୀ ବା ଜଳାଶୟ ନିକଟକୁ ଯାଇ ନଦୀ ନିକଟସ୍ଥ ଏକ ବଟ ତରୁ ମୂଳରେ ଚମଡ଼ା ଆସନରେ ବସି ଧନ ପ୍ରାପ୍ତି ନିମନ୍ତେ "ଓଁ ହ୍ରୀଂ ଶ୍ରୀଂ କ୍ଲୀଂ ନମଃ ଧ୍ବ ଧ୍ବ ସ୍ବାହା" ମନ୍ତ୍ରଟିକୁ ରୁଦ୍ରାକ୍ଷ ମାଳାରେ ଜପନ୍ତୁ । ଏହିପରି ଏକବିଂଶ ଦିବସ କରିଲେ ଧନପ୍ରାପ୍ତି ହେବାକୁ ଲାଗିବ । ଯଦି ଧନପ୍ରାପ୍ତିରେ ବାଧକ ଆସେ ତେବେ ଅନ୍ଯ ଏକ ମନ୍ତ୍ରକୁ ଚ଼ାଳିଶି ଦିବସ ପର୍ଯ୍ଯନ୍ତ ନିଜ ଘରେ ହିଁ ଜପି ପାରିବେ । ପ୍ରତିଦିନ ୧୦୮ ଥର ଜପ କରିଲେ ଆର୍ଥିକ ସମସ୍ଯା ଦୂର ହେବ । ମନ୍ତ୍ରଟି ହେଲା - "ଓଁ ସରସ୍ୱତୀ ଈଶ୍ବରୀ ଭଗବତୀ ମାତା କ୍ରାଂ କ୍ଲୀଂ ଶ୍ରୀଂ ଶ୍ରୀଂ ମମ ଧନଂ ଦେହି ଫଟ୍‌ ସ୍ବାହା ।" ପୁନରାୟ କୁହାଯାଇଛି ଯେ - ଶୁଭ ମୁହୂର୍ତ୍ତ ଯେମିତି ଦୀପାବଳି , ଅକ୍ଷୟ ତୃତୀୟା , ହୋଲି ଇତ୍ୟାଦି ରାତ୍ରରେ ରୁଦ୍ରାକ୍ଷମାଳା ଜପ କରି ମହାଲକ୍ଷ୍ମୀଙ୍କ କୃପାରୁ ଧନପ୍ରାପ୍ତି କରିପାରିବେ । ଦୀପାବଳୀ ରାତ୍ରିରେ କୁଙ୍କୁମ କିମ୍ବା ଅଷ୍ଟଗନ୍ଧରେ ଏକ ସ୍ବଚ୍ଛ ଥାଳି ଉପରେ "ଓଁ ହ୍ରୀଂ ଶ୍ରୀଂ କ୍ଲୀଂ ମହାଲକ୍ଷ୍ମୀ ମହାସରସ୍ୱତୀ ମମ ଗୃହେ ଆଗଚ୍ଛ ଆଗଚ୍ଛ ହ୍ରୀଂ ନମଃ" ମନ୍ତ୍ରଟିକୁ ଉଲ୍ଲେଖ କରିବେ । ଏହି ମନ୍ତ୍ରକୁ କୌଣସି ସଫା ସ୍ବଚ୍ଛ ଆସନରେ ବସି ରୁଦ୍ରାକ୍ଷ ମାଳା ବା ପଦ୍ମମଞ୍ଜି ମାଳାରେ ୧୦୮ ଜପ କରିବେ । ରୁଦ୍ରାକ୍ଷକୁ ଜହ୍ନର କାରକ ରତ୍ନ ମାନନ୍ତି । ଏହାକୁ ଏକାଗ୍ରତା ପାଇଁ ବି ପିନ୍ଧନ୍ତି । ରୁଦ୍ରାକ୍ଷକୁ ଦୁନିଆ ସାର ଅଲଗା ଅଲଗା ନାମରେ ଜାଣନ୍ତି । ଯଥା :- ପାବନ , ଶିବାକ୍ଷ , ରୁଦ୍ରାକ୍ଷ , ଭୂତନାଶକ , ନୀଳକଣ୍ଠାକ୍ଷା , ହରାକ୍ଷ , ଶିବପ୍ରିୟ , ତୃଣମେରୁ , ଅମର , ପୁଷ୍ପଚ଼ାମର , ରୁଦ୍ରାକ , ରୁଦ୍ରାକ୍ଯ , ରୁଦ୍ରଚ଼ଳୁ ଇତ୍ୟାଦି ଇତ୍ୟାଦି । 


     ଆୟୁର୍ବେଦ ଶାସ୍ତ୍ରାନୁସାରେ ଏଥିରେ ଲୌହ , ନିକେଲ୍‌,ମାଙ୍ଗାନିଜ,ଆଲୁମିନିୟମ , ଫସ୍‌ଫରସ୍‌ ,  କ୍ଯାଲ୍‌ସିୟମ୍‌,ପୋଟାସିୟମ୍‌,ସୋଡ଼ିୟମ୍‌, ସିଲିକା, ଗନ୍ଧକ ଆଦି ଖଣିଜ ଅଛି । ଏହା କାଠ ହେଲେ ବି ନିଜ ଭିତର ଧନତ୍ବ କାରଣରୁ ପାଣିରେ ବୁଡ଼ି ଯାଏ । ରୁଦ୍ରାକ୍ଷ ଦାନାରେ ଗ୍ଯାସୀୟ ତତ୍ତ୍ବ ମଧ୍ୟ ଅଛି ; ଏଥିରେ ଚୁମ୍ବକୀୟ ଓ ବିଦ୍ଯୁତ୍‌ ଉର୍ଜା ରହିଛି ଓ ଶରୀରକୁ ଅଲଗା ଅଲଗା ଲାଭ ଦେଇଥାଏ । ରୁଦ୍ରାକ୍ଷକୁ ଶୁଦ୍ଧ ଜଳରେ ତିନି ଘଣ୍ଟା ରଖିକି ସେହି ପାଣିକୁ ଅନ୍ଯ ପାତ୍ରରେ କାଢ଼ି ଦିଅନ୍ତୁ । ପ୍ରଥମେ କାଢ଼ି ଥିବା ପାଣିକୁ ପାନ କଲେ ଛାନିଆ , ଡ଼ର ଓ ଆଖି ପୋଡ଼ିବା ବନ୍ଦ ହୋଇଯାଏ । ଦୁଇ ଟୋପା ପାଣିକୁ ଦୁଇ କାନରେ ପକାଇଲେ ମୁଣ୍ଡବିନ୍ଧାରୁ ରକ୍ଷା ମିଳିଥାଏ । ରୁଦ୍ରାକ୍ଷ ଜଳ ହୃଦ୍‌ରୋଗ ନିବାରକ । ଚ଼ରଣାମୃତ ପରି ସେ ଜଳ ପାନ କଲେ ସ୍ବାସ୍ଥ୍ୟ ପାଇଁ ଉପକାର ବୋଲି ଆୟୁର୍ବେଦ ଶାସ୍ତ୍ର କହେ । ରୁଦ୍ରାକ୍ଷରେ ରହିଥାଏ ଇଲେକ୍ଟ୍ରୋମ୍ଯାଗ୍ନେଟିକ୍‌ ଗୁଣ ; ତେଣୁ ଏହା ଅଦ୍ଭୁତ ଶକ୍ତିବନ୍‌ । ଏହାକୁ ଡ଼ାଇଇଲେକ୍ଟ୍ରିକ୍‌ ପ୍ରପର୍ଟି ବୋଲି ବି କହନ୍ତି । ଫ୍ଲୋରିଡ଼ା ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ କହନ୍ତି ଏହି ଗୁଣ ଯୋଗୁଁ ରୁଦ୍ରାକ୍ଷ ମସ୍ତିଷ୍କରେ କେତେକ ରାସାୟନିକଡ଼ୁ ପ୍ରୋତ୍ସାହିତ କରି ତା'ର କାର୍ଯ୍ଯ ଦକ୍ଷତା ବୃଦ୍ଧି କରିଥାଏ । ପଞ୍ଚମୁଖୀ ରୁଦ୍ରାକ୍ଷ ମହିଳା ଓ ପୁରୁଷ ଉଭୟଙ୍କ ପାଇଁ ଉପକାରୀ । ଏହା ଉଚ୍ଚରକ୍ତଚ଼ାପର ନିୟନ୍ତ୍ରକ । 


     ପ୍ରତ୍ଯେକ ବ୍ଯକ୍ତିକୁ ନିଜ ରାଶି ଅନୁଯାୟୀ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ବିଶେଷ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ମେଷ ରାଶିର ବ୍ଯକ୍ତି ମାନେ ତ୍ରିମୁଖୀ ରୁଦ୍ରାକ୍ଷ ଧାରଣ କରିବା ଉଚିତ୍‌ । କାରଣ ମେଷ ରାଶିରେ ଜନ୍ମିତ ବ୍ଯକ୍ତି ମାନେ ପିତୃଦୋଷରେ ଥା'ନ୍ତି । ସେହି କାରଣରୁ ଅନିଦ୍ରା ଜନିତ ରୋଗ , ମୁଣ୍ଡବ୍ଯଥା , ନେତ୍ରରୋଗ , ନାନା ପ୍ରକାର ଜ୍ବରର ଉତ୍ପତ୍ତି , ରକ୍ତବିକାର ଆଦି ରୋଗଗ୍ରସ୍ତ ହୁଅନ୍ତି । ଏ ସମସ୍ତ ଦୋଷରୁ ମୁକ୍ତି ପାଇବାକୁ ତ୍ରିମୁଖୀ ରୁଦ୍ରାକ୍ଷ ଧାରଣ ବିଧେୟ ବୋଲି ଜ୍ଯୋତିଷ ମାନଙ୍କର ମତ ଅଛି । ବିଧାନ ଅଛି ଏହି ରୁଦ୍ରାକ୍ଷ ଧାରଣ ଯେକୌଣସି ମଙ୍ଗଳବାର ଦିନ ବ୍ରତ ପାଳନ କରି କରିବେ । ସେହିଦିନ ଗାୟତ୍ରୀ ମନ୍ତ୍ର "ଓଁ ଭୂର୍ଭୁବଃ ସ୍ବଃ ତତ୍ସର୍ବିତୁ ର୍ବରେଣ୍ଯଂ ଭର୍ଗୋଦେବସ୍ଯ ଧିମହୀ ଧିୟୋୟୋନଃ ପ୍ରଚ଼ୋଦୟାତ୍‌"କୁ ୧୮ ବାର ଜପ କରିବେ । କିମ୍ବା ନିମ୍ନୋକ୍ତ ମନ୍ତ୍ର ୧୦୮ ଜପ କରିବେ । 

                              ମନ୍ତ୍ର:-

                             ~~~

    "ଶରଣାଗତ ଦୀନାର୍ତ୍ତ ପରିତ୍ରାଣ ପରାୟଣେ

  ସର୍ବସ୍ଯାର୍ତ୍ତି ହରେ ଦେବୀ ନାରାୟଣୀ ନମୋଽସ୍ତୁତେ ।"

ପୁନଶ୍ଚ ରବିବାର ଦିନ ଯଜ୍ଞ କରିବେ ଓ କନ୍ୟା ମାନଙ୍କୁ ଭୋଜନ ଦେବେ । ନିଜର ଶକ୍ତ୍ଯାନୁସାରେଣ ସୁପାତ୍ରରେ ଦାନ ଦେବେ । ଏହାଦ୍ବାରା ପିତୃଦୋଷ ଖଣ୍ଡନ ହୋଇ ଶରୀର ଆରୋଗ୍ୟ ହୁଏ ।


      ବୃଷ ରାଶିରେ ଜନ୍ମ ହୋଇଥିବା ସ୍ତ୍ରୀ-ପୁରୁଷଙ୍କୁ ବିଶେଷତଃ ବାତ ,କଫ , ଚକ୍ଷୁରୋଗ , କର୍ଣ୍ଣପୀଡ଼ା , ଡ଼ାଇବେଟିସ୍‌ , କଫ ଦୋଷ ଜନିତ ନାନାଦି ରୋଗ , ବ୍ଲଡ୍‌ପ୍ରେସର ଆଦି ଆକ୍ରାନ୍ତ କରି ଥାଏ । ଏସବୁର ମୂଳ ନାଶାର୍ଥେ ଭକ୍ତି ଓ ଶ୍ରଦ୍ଧାର ସହିତ ଯେକୌଣସି ରୁଦ୍ରାକ୍ଷକୁ ଧାରଣ କରାଯାଏ । କିଛି ଜ୍ଯୋତିର୍ବିଦ୍‌ କହନ୍ତି ଏହି ରାଶି ପାଇଁ ଷଡ଼ମୁଖୀ ରୁଦ୍ରାକ୍ଷ ବେଶ୍‌ ଉପଯୋଗୀ ହୁଏ । ଏହାର ଧାରଣ ବିଧାନ - ପ୍ରତି ଶୁକ୍ରବାର ଦିନ ଭକ୍ତି ଓ ଶ୍ରଦ୍ଧାର ସହ ବ୍ରତ ରଖିବେ । ବ୍ରତ ଦିନ ଦୁର୍ଗା ସପ୍ତସତୀ ପାଠ କରିବେ ଅଥବା ଜଗତ ଜନନୀ ଦୁର୍ଗା ମାଆଙ୍କର ଗାୟତ୍ରୀ ମନ୍ତ୍ର "ଓଁ ଗିରିଜାୟୈ ବିଦ୍ମହେ , ଶିବପ୍ରିୟାୟୈ ଧିମହୀ ତନ୍ନୋ ଦୁର୍ଗା ପ୍ରଚ଼ୋଦୟାତ୍‌"କୁ ୧୦୮ ପଠନ କରିବେ । ଯେଉଁ ଦିନ ନଅଦିନ ହେବ ସେ ଦିନ ଲଘୁ ଗାୟତ୍ରୀ ପାଠ କରିବେ । ଦୁର୍ଗା ଗାୟତ୍ରୀ ପାଠ କରି ନ ପାରିଲେ ନିମ୍ନୋକ୍ତ ମନ୍ତ୍ର ୧୦୮ ପାଠ କରିବେ ।


                                ମନ୍ତ୍ର :~

       "ସର୍ବସ୍ୱରୂପେ ସର୍ବେଶେ ସର୍ବଶକ୍ତି ସମନ୍ବିତେ             

   ଭୟୋ ଭ୍ଯୋସ୍ତ୍ରାହିନୋ ଦେବୀ ଦୁର୍ଗେ ଦେବୀ ନମୋଽସ୍ତୁତେ ।"

ନଅଦିନ କନ୍ୟା ମାନଙ୍କୁ ଭୋଜନ ଦେଇ ବ୍ରତ ପାଳନ ପୂର୍ବକ ଉପଯୁକ୍ତ ପାତ୍ରରେ ଦାନ ଓ ଦକ୍ଷିଣା ପ୍ରଦାନ କରିବେ । 


    ମିଥୁନ ରାଶିରେ ଜନ୍ମିତ ବ୍ଯକ୍ତିଙ୍କୁ ସାଧାରଣତଃ ଗୋଡ଼-ହାତ-ପାଦର ଗଣ୍ଠି ଜନିତ ରୋଗ , ଅଣ୍ଟା ଦରଜ ଆଦି ଆକ୍ରାନ୍ତ କରି ଅସ୍ତବ୍ୟସ୍ତ କରିପକାଏ । ଏଥିରୁ ମୁକ୍ତି ପାଇବାର ଉପାୟ ପଞ୍ଚମୁଖୀ ରୁଦ୍ରାକ୍ଷ ଧାରଣ । ଏହା ବ୍ଯତୀତ ଅନ୍ଯ ସମସ୍ତ ରୁଦ୍ରାକ୍ଷ ବି ଧାରଣ କରାଯାଇ ପାରିବ । ଏଥିଲାଗି ପ୍ରତି ସୋମବାର ବ୍ରତ ବିଧାନର ଆବଶ୍ଯକତା ରହିଛି । ଶିବ ପଞ୍ଚାକ୍ଷରୀ ମନ୍ତ୍ର "ଓଁ ନମଃ ଶିବାୟ" କିମ୍ବା ମହାମୃତ୍ୟୁଞ୍ଜୟ ମନ୍ତ୍ର - "ଓଁ ତ୍ର୍ଯମ୍ବକଂ ଯଜାମହେ ସୁଗନ୍ଧିମ୍‌ ପୁଷ୍ଟିବର୍ଦ୍ଧନମ୍‌ , ଉର୍ବାରୁକ ମିବ ବନ୍ଧନାତ୍‌ ମୃତ୍ଯୋର୍ମୁକ୍ଷୀୟ ମାମୃତାତ୍‌" ଏକ ହଜାର ଆଠ ବାର ଜପ କରିବା ବିଧେୟ । ନତୁବା ଶହେ ଆଠ ଜପିବା ପାଇଁ ହେବ । ଶୈବାଳୟରେ ମନ୍ଦାର , ରକ୍ତ ଦୁଦୁରା , ବିଲ୍ୱଦଳ ଗୋ ଦୁଗ୍ଧ ସହିତ ଶିବଲିଙ୍ଗରେ ସମର୍ପଣ କରି ଶିବ ଚରଣୋଦକ ଦୈନିକ ପାନ କରିବେ । ଏହା ଦ୍ୱାରା ଦୈବୀ ଅଭିସମ୍ପାତର ବିନାଶ ହୁଏ । ପ୍ରତି ସୋମବାର ଦାନ ଯଜ୍ଞ କରାଇ ପିଲାମାନଙ୍କୁ ଭୋଜନ ଦେବେ । ତେବେ ଶୁଭ ଫଳ ପାଇ ପାରିବେ । 


      କର୍କଟ ରାଶିରେ ଜନ୍ମିତ ବ୍ଯକ୍ତି ଅଗ୍ନିମାନ୍ଦ୍ୟ , ହୃଦ୍‌ରୋଗ , ମୁଣ୍ଡବ୍ଯଥା ଏବଂ ଡ଼ାଇବେଟିସ୍‌ ଆଦି ରୋଗୀ ଅଟନ୍ତି । ପୁନରାୟ ନାନାଦି ଜ୍ବର , କ୍ଷୟ ରୋଗାକ୍ରାନ୍ତ । ଏହିରୁ ରକ୍ଷାର୍ଥେ ଯେକୌଣସି ରୁଦ୍ରାକ୍ଷଧାରୀ ବନିବା ଉଚିତ୍ ; ବିଶେଷ କରି ଦୁଇ ମୁଖ ବିଶିଷ୍ଟ ରୁଦ୍ରାକ୍ଷ ବିଶେଷ ଫଳ ଦାୟକ । କିନ୍ତୁ ରୁଦ୍ରାକ୍ଷକୁ ପ୍ରାଣପ୍ରତିଷ୍ଠା କରିବାକୁ ହେବ । ପ୍ରତି ସୋମବାର ବ୍ରତ ପାଳନ ଓ ୧୦୮ ଗାୟତ୍ରୀ ଜପ ସହ ପ୍ରତି ପୂର୍ଣ୍ଣିମା ଦିବସରେ ଯଜ୍ଞ କରି ଶକ୍ତ୍ଯାନୁସାରେଣ ସୁପାତ୍ରରେ କନକ ଓ ବସ୍ତ୍ରଦାନ କରିବାକୁ ହେବ । ଅଧିକ ସମୟ ପାଇଲେ ଆଉ ଏକ ମନ୍ତ୍ର "ଓଁ ହିରଣ୍ଯ ଭର୍ଗାୟ ଅବ୍ଯକ୍ତରାପ୍ରିୟ ନମଃ" ଜପିବାକୁ ପାଶୋରି ନ ଯା'ନ୍ତି ଯେପରି । 


     ସିଂହ ରାଶିରେ ଜନ୍ମିତ ବ୍ଯକ୍ତି ସେମାନଙ୍କ ପିତୃ କାରକ ଦୋଷ ହେତୁ ଜୀବନ ମଧ୍ଯରେ ଡ଼ାଇବେଟିସ୍‌ , ଅଶାନ୍ତି , ମାନସିକ ବା ସ୍ମୃତି ବିଭ୍ରମ , ଉଦର ରୋଗ ବା ଉଦର ବଥାଦି ରୋଗ ପ୍ରପୀଡ଼ିତ ହୋଇ ଯନ୍ତ୍ରଣାସିକ୍ତ ହୋଇ ପଡ଼ନ୍ତି । ତେଣୁ ଏ ସମସ୍ତ ରୋଗର ଉପଶମାର୍ଥେ ତ୍ରିମୁଖି ରୁଦ୍ରାକ୍ଷକୁ ବାଦ୍‌ ଦେଇ ଯେକୌଣସି ରୁଦ୍ରାକ୍ଷ ଧାରଣ କରିପାରିବେ । କିନ୍ତୁ ଦ୍ବାଦଶ ମୁଖ ବିଶିଷ୍ଟ ରୁଦ୍ରାକ୍ଷ ହୋଇପାରିଲେ ବିଶେଷ ଫଳପ୍ରଦ ହୋଇ ପାରନ୍ତା । ପ୍ରତି ରବିବାର ଦିନ ବ୍ରତ କରି ସବିତା ଦେବତାଙ୍କୁ ଧ୍ଯାନ କରି ପ୍ରତ୍ଯହ ୧୦୮ ଗାୟତ୍ରୀ ଜପ କରିବେ ଏବଂ ପ୍ରତ୍ଯେକ ମାସରେ ଥରେ ହୋମଯଜ୍ଞ କରି କନ୍ୟା ମାନଙ୍କୁ ଭୋଜନରେ ଆପ୍ଯାୟିତ କରିବା ହେବେ । ସମୟ ପାଇଲେ ସୂର୍ଯ୍ୟ ଗାୟତ୍ରୀ "ଓଁ ଦିବାକରାୟ ବିଦ୍ମହେ , ପ୍ରଭାକରାୟ ଧିମହୀ , ତନ୍ନୋ ସୂର୍ଯ୍ୟଂ ପ୍ରଚ଼ୋଦୟାତ୍‌" ୧୦୮ ଜପିବାକୁ ବିଧେୟ । ଏତଦ୍ବାରା ଉତ୍ତମ ଫଳପ୍ରାପ୍ତି ହୁଏ । କିମ୍ବା "ଓଁ କ୍ଳୀଂ ବ୍ରହ୍ମଣେ ଜଗଧାରାୟ ନମଃ" କିମ୍ବା "ଓଁ ଘୃଣି ସୂର୍ଯ୍ୟ ଆଦିତ୍ୟଃ" ମନ୍ତ୍ର ଜପିବେ । 


     କନ୍ୟା ରାଶିରେ ଜନ୍ମିତ ବ୍ଯକ୍ତି ବିଶେଷ ଖାଦ୍ୟପେୟରେ ସଂଯମତାହୀନ । ଏଥିଯୋଗୁଁ ପ୍ରସବରେ ଯୌନଶୂଳ ,ପ୍ରସବ ଜ୍ଜ୍ବାଳା , ନାନା ପ୍ରକାର ପେଟରୋଗ , କାମଳ ରୋଗ , ବହୁମୂତ୍ର ରୋଗ , ଉନ୍ମାଦ, ମାନସିକ ଦୁଶ୍ଚିନ୍ତା , ସ୍ମୃତି ବିଭ୍ରମ ଆଦି ରୋଗ ଆକ୍ରାନ୍ତ । ଏସବୁରୁ ରକ୍ଷାର୍ଥେ ବୁଧବାର ବ୍ରତ ପାଳନ ଓ ୧୦୮ ଥର ଲେଖାଏଁ ତିନିଦିନ ଗାୟତ୍ରୀ ଜପ କରିବେ ଏବଂ ସୁଖ-ଶାନ୍ତି ପ୍ରାପ୍ତ୍ଯର୍ଥେ ପ୍ରତ୍ଯହ ଶ୍ରୀରାମଚନ୍ଦ୍ର ଠାକୁରଙ୍କର ବନ୍ଦନା ପଠନ କରିବେ । ନିମ୍ନୋକ୍ତ ବନ୍ଦନା ପଠନ କରି ଚ଼ାରିମୁଖି ରୁଦ୍ରାକ୍ଷକୁ ପ୍ରାଣପ୍ରତିଷ୍ଠା ଓ ପୁରଶ୍ଚରଣ ପୂର୍ବକ ହୋମାଦି କର୍ମ କରି ସାରି କୃଷ୍ଣନୀଳ ବର୍ଣ୍ଣର ଡ଼ୋରରେ କଣ୍ଠ କିମ୍ବା ବାହୁରେ ଧାରଣ କରିବେ । 


              ଶ୍ରୀରାମଚନ୍ଦ୍ର ଠାକୁରଙ୍କ ବନ୍ଦନା 


     "ଆପଦ୍ଦାମ ପହର୍ତାରଂ ଦାତାରଂ ସର୍ବସମ୍ପଦାମ୍‌

     ଲୋକାଭିରାମଂ ଭୂୟୋ ଭୂୟୋ ନମାମ୍ଯହମ୍‌

   ରଘୁନାଥାୟ ନାଥାୟ ସୀତାୟାଃ ପତୟେ ନମଃ

    ନୀଳାମ୍ବୁଜ ଶ୍ଯାମଳ କୋମଳାଙ୍ଗ ସୀତା ସମାରୋପିତ ବାସଭାଗମ୍‌

ପୀତୋମହାସାୟକ ଚ଼ାରୁଚ଼ାପ ନମାମି ରାମଂ ରଘୁବଂଶ ନାଥମ୍‌ ।"


      ତୁଳା ରାଶିରେ ଜନ୍ମିତ ବ୍ଯକ୍ତିଙ୍କର ନାନାଦି ରୋଗ ହୁଏ ; ସବୁଠୁ ବ୍ଯୟ ବହୁଳ ଓ ଯନ୍ତ୍ରଣାସିକ୍ତ ବେମାରୀ ଡ଼ାଇବେଟିସ୍‌ , ଚର୍ମରୋଗ , କୁଷ୍ଠ , ଦଦ୍ରୁ , ଏକଜିମା , ମାନସିକ ଅଶାନ୍ତି , ସ୍ମୃତି ବିଭ୍ରମ । ଏହି ରାଶିର ବ୍ଯକ୍ତିଙ୍କର ବ୍ଯବସାୟ ମଧ୍ଯ ବାରମ୍ବାର ପରିବର୍ତ୍ତନ ହୁଏ ଏବଂ ନାନା ପ୍ରକାର କାର୍ଯ୍ଯରେ ଅସ୍ଥିରତା ପ୍ରକାଶ ପାଏ । ଏ ବୁରୁ ରକ୍ଷାର୍ଥେ ଯେକୌଣସି ରୁଦ୍ରାକ୍ଷ ଧାରଣ କଲେ ଚଳିବ ; ତଥାପି ଜ୍ଯୋତିଷ ବିଦ୍ଯା ଏ ରାଶି ପାଇଁ ଷଡ଼ମୁଖୀ ରୁଦ୍ରାକ୍ଷ ଧାରଣ ପାଇଁ ବି କହିଛି । ଏହି ରାଶିର ବ୍ଯକ୍ତି ଶ୍ବେତ ପୋଖରାଜ ରତ୍ନକୁ କାଞ୍ଚନ ମୁଦ୍ରିକାରେ ଅନାମିକାଙ୍ଗୁଷ୍ଠିରେ ଧାରଣ କରିପାରିବେ । ପ୍ରତି ଶୁକ୍ରବାର ବ୍ରତ ଉପବାସାଦି ସହିତ ଭୈରବ ପୂଜା କରି ୧୦୮ ଗାୟତ୍ରୀ ଜପି କିମ୍ବା "ଓଁ ତତ୍ତ୍ବ ନିରଞ୍ଜନାୟ ତାରକ ରାମାୟ ନମଃ" ମନ୍ତ୍ରକୁ ୧୦୮ କିମ୍ବା ଏକଲକ୍ଷ ବତିଶି ହଜାର ଜପ କରିବେ । ମାସର ଶୁକ୍ଳ ଏକାଦଶୀରେ ଯଜ୍ଞ - ହବନ କରି କନ୍ଯାରତ୍ନଙ୍କୁ ଭୋଜନ ଦେବା ସହିତ ବିପ୍ରଙ୍କୁ ଶ୍ବେତ ବସ୍ତ୍ର , ଶ୍ବେତ ପୁଷ୍ପ ଆଦି ଦାନ ସୂତ୍ରରେ ଦେଇ ରୁଦ୍ରାକ୍ଷ ଧାରଣ କରିଲେ ଅତ୍ଯୁତ୍ତମ ଫଳପ୍ରାପ୍ତି । 


      

      ବିଛା ରାଶିର ବ୍ଯକ୍ତି ଖୁବ୍‌ ସାହସୀ କିନ୍ତୁ ନିରୋଗ ନୁହନ୍ତି । ଏହି ରାଶିର ସ୍ତ୍ରୀ ମାନଙ୍କୁ ସର୍ଦ୍ଦି ଜ୍ବର , ମୁଣ୍ଡବିନ୍ଧା ,ଡ଼ାଇବେଟିସ୍‌ ଆଦି ରୋଗ ହୁଏ । ଏଥିରୁ ଉପଶମ ପାଇଁ ତ୍ରିମୁଖି ରୁଦ୍ରାକ୍ଷକୁ ଛାଡ଼ି ଦେଲେ ଯେ କୌଣସି ରୁଦ୍ରାକ୍ଷ ଧାରଣ କରିବେ । କିଛି ଜ୍ଯୋତିର୍ବିଦ୍‌ଙ୍କ ମତରେ ତିନିମୁଖୀ ରୁଦ୍ରାକ୍ଷ ଧାରଣ କରିବାକୁ କୁହାଯାଇଛି । ଏତତ୍ ବ୍ଯତୀତ ଉତ୍ତମ ରୂପରେ ପ୍ରାଣପ୍ରତିଷ୍ଠା କରି ରକ୍ତପ୍ରବାଳ ରତ୍ନକୁ ସ୍ବର୍ଣ୍ଣମୁଦିରେ ଧାରଣ କରିବାକୁ ଜ୍ଯୋତିଷ ଶାସ୍ତ୍ର ପରାମର୍ଶ ପ୍ରଦାନ କରେ ; ତା' ପୁଣି ଅନାମିକାଙ୍ଗୁଳିରେ । ରୁଦ୍ରାକ୍ଷ ଧାରଣ କରିବାକୁ ମଙ୍ଗଳବାର ଦିନ ବ୍ରତ ଆଚରି ୧୦୮ ଗାୟତ୍ରୀ କିମ୍ବା ଏହି ମନ୍ତ୍ର "ଓଁ ଅଗ୍ନିମୁର୍ଦ୍ଧା ଦିବଃ କକୁତ୍ପତିଃ ପୃଥିବ୍ଯାଂ ଅୟମ୍‌ ଅପାଙ୍ଗୁ ରେତାଗୁଁସି ଜିନ୍ବତି" ଅଥବା "ନାରାୟଣାୟ ସୁର ସିଂହାସନାୟ ନମଃ" ମନ୍ତ୍ର ଜପ କରିବେ । ରବିବାର ଦିନ ବିପଦ ନିବାରଣାର୍ଥେ ଗଣପତି ଅଥବା ଦେବୀଙ୍କ ଉପାସନା କରିବେ । 


    ଧନୁ ରାଶିର ବ୍ଯକ୍ତି ପ୍ରାୟତଃ ମସ୍ତିଷ୍କ ବିକୃତି , ମାନସିକ ରୋଗୀ ,ଚକ୍ଷୁରୋଗୀ , ରକ୍ତବିକାର ରୋଗୀ ଆଦି ହୋଇଥା'ନ୍ତି । ଏଥିରୁ ମୁକ୍ତି ପାଇଁ ତ୍ରିମୁଖୀ ରୁଦ୍ରାକ୍ଷକୁ ବାଦ୍‌ ଦେଇ ଯେ କୌଣସି ରୁଦ୍ରାକ୍ଷ ଧାରଣ କରିପାରିବେ । ପଞ୍ଚମୁଖୀ ରୁଦ୍ରାକ୍ଷ କିନ୍ତୁ ବିଶେଷ ଫଳପ୍ରଦ ହୋଇଥାଏ । ଶନିବାର ଦିନ ବ୍ରତ ପୂର୍ବକ ୧୦୮ ଗାୟତ୍ରୀ ଜପ କିମ୍ବା "ଓଁ ଶନ୍ନୋଦେବୀର ଭୀଷ୍ଟୟ ଆପୋଭବନ୍ତୁ ପ୍ରୀତୟେ ସଂଯୋରଭି ସ୍ରବନ୍ତୁନଃ" ଅଥବା "ଶଂ ଶନିଶ୍ଚରାୟ ନମଃ" ମନ୍ତ୍ରପାଠ ୧୦୮ କରି ହୋମ କରି ଗୃହରେ  କନ୍ଯା ମାନଙ୍କୁ ଭୋଜନ ଓ ବିପ୍ରଙ୍କୁ ଦାନ ଦେଇ ଉକ୍ତ ରୁଦ୍ରାକ୍ଷ ଧାରଣ କରିବା ହେବେ । ଗ୍ରହ ଶାନ୍ତି ଅର୍ଥେ ନଅମୁଖୀ ରୁଦ୍ରାକ୍ଷ ଧାରଣ ପାଇଁ ଜ୍ଯୋତିର୍ବିଦ୍‌ କୁହନ୍ତି  । 


     ମକର ରାଶିସ୍ଥ ବ୍ଯକ୍ତି ବିଶେଷ ଖାଦ୍ଯର ସଂଯମତା ରଖି ନପାରି ଉଦର ରୋଗ , ନାନା କାରଣରୁ ପେଟବ୍ୟଥା ଓ ଚର୍ମରୋଗ ଯତା ଦଦ୍ରୁ , ବିଇଞ୍ଚି , କୁଷ୍ଠାଦି ରୋଗଗ୍ରସ୍ତ । ଏଥିରୁ ମୁକ୍ତି ପାଇଁ ପଞ୍ଚମୁଖୀ ବ୍ଯତୀତ ଯେକୌଣସି ରୁଦ୍ରାକ୍ଷର ଧାରଣ ବିଧେୟ । ଯଦି ସାତମୁଖୀ କି ଚଉଦମୁଖୀ ରୁଦ୍ରାକ୍ଷ ମିଳିଗଲା ତ ତେବେ ସର୍ବୋତ୍ତମ ହେବ । ଶନିବାର ଦିନ ବ୍ରତ କରି ୧୦୮ ମୃତ୍ଯୁଞ୍ଜୟ ମନ୍ତ୍ର କିମ୍ବା ଗାୟତ୍ରୀ ପଠନ ୧୦୮ କରି ଦେବ ସ୍ଥାପନ ପୂର୍ବକ ତମ୍ବା ଢ଼ାଳର ଜଳକୁ ସୂର୍ଯ୍ୟଙ୍କ ପଟକୁ ମୁଖ କରି ନିମ୍ନୋକ୍ତ ମନ୍ତ୍ରପାଠ ପୂର୍ବକ ତୁଳସୀ ମୂଳରେ ସମର୍ପଣ କରିବେ ଏବଂ ପ୍ରତି ମାସରେ ଥରେ ହୋମ କରିବେ ରୁଦ୍ରାଳୟରେ । କନ୍ଯା ମାନଙ୍କୁ ଭୋଜନ ଓ ବିପ୍ରଙ୍କୁ ନୀଳବସ୍ତ୍ର ଦାନ ବିଧେୟ । 


                           ସୂର୍ଯ୍ୟାର୍ଘ୍ଯ


   "ଓଁ ଏହି ସୂର୍ଯ୍ୟୋ ସହସ୍ରାଂଶୁ ତେଜୋରାଶି ଜଗତ୍ପତେ

   ଅନୁକମ୍ପୟାଂ ମାଂ ଭକ୍ତ୍ଯା ଗୃହାଣାର୍ଘ୍ଯଂ ନମୋଽସ୍ତୁତେ ।।"


     କୁମ୍ଭ ରାଶିର ବ୍ଯକ୍ତି ଇହ ଓ ପୂର୍ବାର୍ଜିତ କୁକର୍ମ ଦୋଷରୁ ହୃଦ୍‌ରୋଗ , ହିଷ୍ଟ୍ରିୟା, ବ୍ଲଡ୍‌ପ୍ରେସର୍‌ , ମୁଣ୍ଡବଥା , ସନ୍ଧିବାତ ଆଦି ରୋଗରେ ଆକ୍ରାନ୍ତ ହୁଅନ୍ତି । ଏହି ରାଶିର ରକ୍ଷକ ଓ ଭକ୍ଷକ ଶନିଗ୍ରହ ; ସେ ଲାଗି ଶନିବାର ଦିନ ବ୍ରତ ଆଚରି ଗୃହେ କିମ୍ବା ଶିବାଳୟେ ହୋମ ବିଧାନ ପୂର୍ବକ ବିକଳାଙ୍ଗଙ୍କୁ ଏବଂ କନ୍ଯାଙ୍କୁ ଭୋଜନ ଦେଇ ବ୍ରାହ୍ମଣଙ୍କୁ କୃଷ୍ଣ ପାଟବସ୍ତ୍ର , ଲୌହ , ରାଶିତେଲ , କୃଷ୍ଣ ଫଳ ଓ କୃଷ୍ଣ ଫୁଲ ,କୃଷ୍ଣ ଚ଼ନ୍ଦନ ଆଦି ଦେଇ ଆଶିର୍ବାଦ ଭିକ୍ଷା କରିବେ । ପ୍ରତିଦିନ ଗାୟତ୍ରୀ ଓ ମହାମୃତ୍ୟୁଞ୍ଜୟ ମନ୍ତ୍ର ସହିତ ଶନିଙ୍କ ବୀଜମନ୍ତ୍ରଟି "ଓଁ ଶନ୍ନୋଦେବୀର ଭୀଷ୍ଟୟ ..................... " ୧୦୮ ପାଠ କରିବେ । ଦାରିଦ୍ର୍ୟତା ବିନାଶ ଓ ସଫଳ ଜୀବନ ଧାରଣାର୍ଥେ ପ୍ରାର୍ଥନା ପୂର୍ବକ ସଭକ୍ତି ସପ୍ତମୁଖୀ ରୁଦ୍ରାକ୍ଷ ଧାରଣ କରିବା ପାଇଁ ପଡ଼ିବ ; ନତୁବା ଚଉଦମୁଖୀ ରୁଦ୍ରାକ୍ଷ ହେଲେ ମଧ୍ୟ ଚ଼ଳିବ । ରୁଦ୍ରାକ୍ଷକୁ ପ୍ରାଣପ୍ରତିଷ୍ଠା ଓ ପୁରଶ୍ଚରଣ କରିବାକୁ ହେବ । ଏହାଦ୍ବାରା ଶୁଭଫଳ ପ୍ରାପ୍ତି ହୁଏ ।


    ମୀନ ରାଶିର ବ୍ଯକ୍ତି ଖାଦ୍ୟର ଅସଂଯମତା ହେତୁ ନାନା ପ୍ରକାର ଉଦର ରୋଗ , କର୍ଣ୍ଣରୋଗ , ଉଦର ବ୍ଯଥା ,ପାଦାଦିରେ ବ୍ଯଥା ଓ ରୋଗ , ବ୍ରଣ ରୋଗ , ମାନସିକ ଦୁଶ୍ଚିନ୍ତା ,ସ୍ମୃତି ହାନୀ ଆଦିରେ ସଂକ୍ରମିତ  । ଏମାନେ ଯେକୌଣସି ମୁଖ ବିଶିଷ୍ଟ ରୁଦ୍ରାକ୍ଷ ପିନ୍ଧି ପାରିବେ । କିନ୍ତୁ ପଞ୍ଚମୁଖୀ ରୁଦ୍ରାକ୍ଷ ବେଶ୍‌ ଲାଭଦାୟକ । ରୁଦ୍ରାକ୍ଷର ପ୍ରାଣପ୍ରତିଷ୍ଠା ହେବା ଜରୁରୀ । ବିଶେଷ ଦ୍ରଷ୍ଟବ୍ୟ :- ଅସଲି ଚନ୍ଦ୍ରାକୃତି ଏକମୁଖୀ ରୁଦ୍ରାକ୍ଷ ଜୀବନର ସମସ୍ତ ଦୁଃଖ କଷ୍ଟ ଲାଘବ କରେ ଏବଂ ବିପୁଳାର୍ଥ ସମ୍ପଦ ପ୍ରଦାନ କରେ । ବୈବାହିକ ଜୀବନକୁ ସରସ ସୁନ୍ଦର କରିଥାଏ ଏହା । ପ୍ରତି ଗୁରୁବାର ବ୍ରତ କରି ଶହେ ଆଠ ଗାୟତ୍ରୀ ମନ୍ତ୍ର ପାଠ କରିବା ହେବେ । ପ୍ରତି ପୂର୍ଣ୍ଣିମାରେ ଯଜ୍ଞ କରି କନ୍ଯାଙ୍କୁ ଭୋଜନ ଦେବେ । ସମୟ ମିଳିପାରିଲେ ଏହି ମନ୍ତ୍ରକୁ "ଓଁ କ୍ଳୀଂ ଉଦ୍‌ଘୃତାୟ ଉପଦ୍ବାରିତୋ ନମଃ" ଜପ କରିବେ । 


     ରୁଦ୍ରାକ୍ଷ ଧାରଣ ପୂର୍ବରୁ କିଛି ବିଶେଷ ନିୟମ ଉପରେ ଦୃଷ୍ଟି ନିକ୍ଷେପ କରିବାକୁ ପଡ଼ିବ । ଯେ କୌଣସି ପବିତ୍ର ଦିନରେ ରୁଦ୍ରାକ୍ଷ ଧାରଣ କଲେ ଅତ୍ଯନ୍ତ ଶୁଭ ଫଳ ମିଳେ । ରାତ୍ରିରେ ଶୋଇବା ପୂର୍ବରୁ ରୁଦ୍ରାକ୍ଷକୁ କାଢ଼ି ରୁଦ୍ରାକ୍ଷ ଧାରଣ ମନ୍ତ୍ର ନଅ ଥର ଜପି ପବିତ୍ର ସ୍ଥାନରେ ରଖନ୍ତୁ ଏବଂ ପରଦିନ ପ୍ରାତଃ କାଳରେ ଏକାଦଶ ଥର ମନ୍ତ୍ର ପଢ଼ି ରୁଦ୍ରାକ୍ଷ ଧାରଣ କରନ୍ତୁ । ରୁଦ୍ରାକ୍ଷଧାରୀ ନିରାମିଷାଶୀ ହେବା ଉଚିତ୍ ଏବଂ ମଦ୍ୟାଦି ନିଶାଦ୍ରବ୍ୟରୁ ଦୂରେଇ ରହିବା ଉଚିତ୍‌ । ଶବଯାତ୍ରା କିମ୍ବା ଶ୍ମଶାନକୁ ରୁଦ୍ରାକ୍ଷ ପିନ୍ଧି ଯିବା ଅନୁଚିତ୍‌ । ଛୁତିକିଆ ଓ ମଲାମୃତିକିଆରେ ରୁଦ୍ରାକ୍ଷ ଧାରଣ ନିଷେଧ । ମହିଳାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ ଏବଂ ମାସିକ ଋତୁସ୍ରାବ ବେଳେ ରୁଦ୍ରାକ୍ଷ ଧାରଣ ନିଷେଧ  । ରୁଦ୍ରାକ୍ଷକୁ ସର୍ବଦା ସଫା ରଖିବା ଉଚିତ୍‌ । ରବିବାରରେ ଜନ୍ମିତ ବ୍ଯକ୍ତି ଦ୍ବାଦଶ ମୁଖୀ ରୁଦ୍ରାକ୍ଷ ପରିଧାନ କଲେ ଶ୍ରୀବୃଦ୍ଧି ହୁଏ ଏବଂ ରୋଗ -ଶୋକ - ଚିନ୍ତା-ଭୟ ଦୂର ହୁଏ । ଶତ୍ରୁନାଶ ହେବା ସହ ଜ୍ଞାନ , ଧନ , ବୈଭବ ବୃଦ୍ଧି ପାଏ ବୋଲି ଶାସ୍ତ୍ର ମତ । ଶ୍ରୀମଦ୍‌ ଦେବୀ ଭାଗବତରେ କୁହା ଯାଇଛି ୫୦ଟି ରୁଦ୍ରାକ୍ଷ ବିଶିଷ୍ଟ ମାଳା ମସ୍ତକରେ ଧାରଣ କରିବା ଉଚିତ୍‌ । ସେହିପରି ୧୨ଟି ରୁଦ୍ରାକ୍ଷ ବିଶିଷ୍ଟ ମାଳା ମଣିବନ୍ଧରେ , ୧୦୮ଟି ରୁଦ୍ରାକ୍ଷରେ ଗୁନ୍ଥା ମାଳ କଣ୍ଠରେ ପକାଇବା ଉଚିତ୍ । ୧୦୮ ରୁଦ୍ରାକ୍ଷ ମାଳା ଜପିଲେ ଅଶ୍ବମେଧ ଯଜ୍ଞର ଫଳ ପ୍ରାପ୍ତି ହୁଏ ଏବଂ ୧୦୮ ବିଶିଷ୍ଟ  ରୁଦ୍ରାକ୍ଷ ମାଳା ଧାରଣ କରି ଶିବ ପୂଜନ କଲେ ଦଶ ଗୁଣ ଫଳ ପ୍ରାପ୍ତି ହୋଇଥାଏ । ରୁଦ୍ରାକ୍ଷ ମାଳାର ଜପରୁ ପ୍ରାପ୍ତ ପୁଣ୍ଯ ଅନ୍ଯ କେଉଁ ମାଳାରେ ନଥାଏ । ଜ୍ଯୋତିଷ ଶାସ୍ତ୍ର କହେ - ବୈବାହିକ ଜୀବନରେ ହସଖୁସି , ଭଲ ଆଚରଣ , ଚ଼ାକିରୀ ସମସ୍ଯା ବା ଚ଼ାକିରୀ ପ୍ରତି ବିପଦର ନିବାରଣ , ରାଜନୀତିରେ ସଫଳତା ଓ ମାନସମ୍ମାନ ବୃଦ୍ଧି ଆଦି ଏକମୁଖୀ ରୁଦ୍ରାକ୍ଷ ଧାରଣରୁ ହୋଇଥାଏ । ଏକ ପିତ୍ତଳ ପାତ୍ରରେ ପଞ୍ଚାମୃତ ପ୍ରସ୍ତୁତ କରି ତହିଁରେ ଗୋଲାପ ପତ୍ର ପକାଇ ସେଥିରେ ଏକମୁଖୀ ରୁଦ୍ରାକ୍ଷ ବା ତା'ର ମାଳା ପକାଇ ସ୍ନାନ କରି ସାରିବା ପରେ ପୁନରାୟ ଗଙ୍ଗାଜଳରେ ସ୍ନାନ ବା ଧୌତ କରିବାକୁ ହେବ । ଏହାପରେ ସେହି ଏକମୁଖୀ ରୁଦ୍ରାକ୍ଷ ବା ତା'ର ମାଳାକୁ ଏକ ଲାଲ୍‌ ସଫା କପଡ଼ାରେ ରଖି ସେଥିରେ ବିଲ୍ୱପର୍ଣ୍ଣ , ଚନ୍ଦନ , ଶ୍ବେତପୁଷ୍ପ , ଧୂପ-ଦୀପ ଦେଇ ପୂଜା କରି ଗାୟତ୍ରୀ ମନ୍ତ୍ରରେ ଅଭିମନ୍ତ୍ରିତ କରି ୧୦୮ଥର ଶିବ  ଗାୟତ୍ରୀ ଜପ କରି ଧାରଣ କରିବା ବିଧେୟ । ଏକମୁଖୀ ରୁଦ୍ରାକ୍ଷକୁ ଶିବଙ୍କର ପ୍ରକୃତ ସ୍ବରୂପ ଭାବୟେ ବର୍ଣ୍ଣନା କରାଯାଇଛି । କିଛି ବିଦ୍ବାନ କହନ୍ତି ରୁଦ୍ରାକ୍ଷ ଏକମୁଖୀ ଧାରଣ ପୂର୍ବରୁ ୧୦୮ ଥର "ଓଁ ହଂ ଔଂ ଐଂ ଓଁ" ମନ୍ତ୍ର ଜପ କରି ପରିଧାନ  କରିବେ । 


       ରୁଦ୍ରାକ୍ଷମାଳାରେ ଜୀବାଣୁ ନାଶକ ଗୁଣ ସହିତ ବୈଦ୍ଯୁତିକ ଓ ଚୁମ୍ବକୀୟ ଶକ୍ତି ନିହିତ ଅଛି । ରୁଦ୍ରାକ୍ଷ ମାଳାରେ ୧୦୮ ମାଳି କାହିଁକି ଥାଏ ଜାଣିବା ଆସନ୍ତୁ । ଚୁଡ଼ାମଣି ଉପନିଷଦରେ ଉଲ୍ଲେଖ ଅଛି ଯେ , ମଣିଷର ନିଃଶ୍ବାସ ସଂଖ୍ଯା ସହ ୧୦୮ ମାଳିର ସାମଞ୍ଜସ୍ୟ ଅଛି । ଜଣେ ବ୍ଯକ୍ତି ୨୪ ଘଣ୍ଟାରେ ୨୧ ହଜାର ୬୦୦ ଥର ନିଃଶ୍ବାସ ନିଏ । ଏ ଅନୁସାରେ ପ୍ରତ୍ଯେକ ମନୁଷ୍ୟର ୧୨ ଘଣ୍ଟା ଦିନ ଚର୍ଯ୍ଯାରେ ବିତିବା ସହ ୧୨ ଘଣ୍ଟା ଦେବାରଧନାରେ ବିତିବା ଉଚିତ୍ । ଅର୍ଥାତ୍ ଏହି ବଳକା ୧୨ ଘଣ୍ଟାରେ ୧୦ ହଜାର ୮୦୦ ନିଃଶ୍ବାସ ନିଏ ମାନବ ; ଯେଉଁଥିରେ ଜଣେ ତା'ର ଇଷ୍ଟ ଦେବତାଙ୍କୁ ସ୍ମରଣ କରିବା କଥା । କିନ୍ତୁ କୌଣସି ଜଞ୍ଜାଳୀ ବ୍ଯକ୍ତି ଏତେ ସମୟ ଦେଦା ଅସମ୍ଭବ । ସେ ଲାଗି ଏ ସଂଖ୍ଯାରୁ ଅନ୍ତିମ ଦୁଇଟି ଶୂନ ହଟାଇ ୧୦୮ଟି ନିଃଶ୍ବାସକୁ ପ୍ରଭୁଙ୍କ ସ୍ମରଣାର୍ଥେ ସମର୍ପଣ ହୋଇଛି । ସେହିପରି ଦ୍ବିତୀୟ ମାନ୍ୟତାକୁ ସୂର୍ଯ୍ୟ ଉପାସନା ସହ ସଂଯୋଗ କରାଯାଇଛି । ଏକବର୍ଷ ମଧ୍ଯରେ ସୂର୍ଯ୍ୟ ଦୁଇ ଲକ୍ଷ ଷୋଳ ହଜାର ଥର ନିଜର କଳା ପରିବର୍ତ୍ତନ କରିଥା'ନ୍ତି । ପ୍ରତି ୬ ମାସରେ ସୂର୍ଯ୍ୟଙ୍କ କଳା ଏକଲକ୍ଷ ଆଠ ହଜାର ହୋଇଥାଏ । ଏ ଲାଗି ଜପାମାଳା ୧୦୮ ମାଳି ସୂର୍ଯ୍ୟଙ୍କର ଗୋଟିଏ ଗୋଟିଏ କଳାର ପ୍ରତୀକ ଭାବେ ହିନ୍ଦୁ ଧର୍ମରେ ଗ୍ରହଣ କରାଯାଇଛି । ସିଦ୍ଧପୁରୁଷ ମାନଙ୍କ ମତରେ - ରୁଦ୍ରାକ୍ଷ କିଛି କରୁ ବା ନକରୁ , ଆଧ୍ଯାତ୍ମିକ ଶିକ୍ଷା ଆଡ଼କୁ ଅବଶ୍ଯ ଭିଡ଼ି ନେଇଥାଏ । ଅନେକ ପ୍ରକାର ରୁଦ୍ରାକ୍ଷ ମଧ୍ଯରୁ ଶ୍ରେଷ୍ଠ ରୁଦ୍ରାକ୍ଷର ମାନ୍ୟତା ପ୍ରାପ୍ତ କରିଛି ଗୌରୀ ଶଙ୍କର ରୁଦ୍ରାକ୍ଷ ; ଯାହା ଧାରଣ କଲେ ଶତଗୁଣ ଫଳ ମିଳେ ବୋଲି ବିଶ୍ବାସ କରାଯାଏ । କିଛି ବୃକ୍ଷରେ ପ୍ରାକୃତିକ ରୂପେ ଏକତ୍ର ଦୁଇଟି ଫଳ ଯୋଡ଼ି ହୋଇ ଫଳିଥାଏ , ଯା'ର ନାମ ଗୌରୀ ଶଙ୍କର ରୁଦ୍ରାକ୍ଷ ; ଯହିଁରେ ଶିବ ଓ ଶକ୍ତି ଉଭୟଙ୍କର ଶକ୍ତି ନିହିତ । ଏହା ଧାରଣ କଲେ ମନୋକାମନା ପୂରେ ଓ ବିପଦ ଦୂର ହୋଇଥାଏ । ପଣ୍ଡିତ ମାନଙ୍କ ମତରେ କୌଣସି ସୌଭାଗ୍ୟଶାଳୀ ବ୍ଯକ୍ତିକୁ ଏ ରୁଦ୍ରାକ୍ଷ ମାଳି ଶାସ୍ତ୍ରୀୟ ବିଧି ପୂର୍ବକ ପୂଜନ କରି ଗଳାରେ ପିନ୍ଧାଇ ଦିଆଯାଏ , ତା'ର ସମସ୍ତ ବିଷାଦ ଦୂର ହୋଇ ପ୍ରଚୁର ସମ୍ପତ୍ତି ଓ ଜ୍ଞାନ ପ୍ରାପ୍ତ ହୋଇଥାଏ । ଏଥିରେ ପ୍ରାକୃତିକ ଭାବେ ସାତଟି କିମ୍ବା ଆଠଟି ଗାର ରହିଥାଏ , ଯାହା ଅସମାନ ଅର୍ଥାତ୍ ଛୋଟ-ବଡ଼ ହୋଇଥାଏ । ଏହା ଏତେ ସହଜରେ ଭାଙ୍ଗେନି ; ଯଦି କେବେ ଫାଳ ହୁଏ ତାହା ସମାନ ଭାବରେ ଫାଳ ନ ହୋଇ ପଥର ଭାଙ୍ଗିଲା ପରି ଅସମାନ ହୋଇଥାଏ । ଏହା ଧାରଣ କଲେ ଯେତିକି ସାଂସାରିକ ବସ୍ତୁ ମିଳେ , ତା'ଠୁ ଅଧିକ ଆଧ୍ଯାତ୍ମିକ ଜ୍ଞାନ ପ୍ରାପ୍ତ ହୁଏ । 


      ଦ୍ବିମୁଖୀ ରୁଦ୍ରାକ୍ଷକୁ ଦେବୀ ଓ ଦେବତା ସ୍ବରୂପ ମନେ କରାଯାଏ ।ଦୁଇମୁଖୀ ରୁଦ୍ରାକ୍ଷକୁ ପ୍ରାଣପ୍ରତିଷ୍ଠା ପୂର୍ବକ ଧାରଣ କଲେ ଗୋ-ହତ୍ଯା ପରି ପାପରୁ ମୁକ୍ତି ମିଳିବାର ଅଦ୍ଭୁତ ଗୁଣ ନିହିତ ଅଛି । ଏହି ରୁଦ୍ରାକ୍ଷର ଅନ୍ଯ ନାମ ଅର୍ଦ୍ଧନାରୀଶ୍ୱର ; ଏହାର ଧାରଣରେ ପ୍ରଚୁର ପ୍ରମାଣେ ଧନ ପ୍ରାପ୍ତି ହେବା ସହ ମନ ସର୍ବଦା ଧର୍ମୀୟ ଭାବନାରେ ମଗ୍ନ ରହେ ଏବଂ ମହିଳା ମାନେ ପିନ୍ଧିଲେ ତାଙ୍କର ଗର୍ଭରକ୍ଷା ହେବା ସହିତ ସ୍ବାସ୍ଥ୍ୟର ଉନ୍ନତି ଘଟେ । ଗୃହସ୍ଥ ଜୀବନ ସୁଖମୟ ହୁଏ ଏ ରୁଦ୍ରାକ୍ଷ ଧାରଣରେ ଏବଂ ଲୋକ ସମ୍ପର୍କ ବୃଦ୍ଧି ପାଏ । ମାନସିକ ଶାନ୍ତି ପ୍ରାପ୍ତି , ପଙ୍ଗୁ ଗିରି ଲଂଘିବା ପରି କାର୍ଯ୍ଯ , ପାପୀ ଦୂରାଚ଼ାରୀଙ୍କର ସତ୍‌ଜ୍ଞାନ ପ୍ରାପ୍ତି , ବୃତ୍ତି - ବ୍ଯବସାୟରେ ଅର୍ଥ - ମାନ -ଯଶ ପ୍ରାପ୍ତି ପାଇଁ ଦୁଇମୁଖୀ ରୁଦ୍ରାକ୍ଷ ପ୍ରଜୁଯ୍ୟ  । ଏହା ଦୁଇ ପ୍ରକାରର - ଗୋଲାକାର ଓ ଚେପଟା ଆକାର । ଏହା ଧାରଣ କରି "ଓଁ ନମଃ ଶିବାୟ" ଜପ କଲେ ଅଶେଷ ପ୍ରକାର ଫଳ ମିଳେ ବୋଲି ବିଶ୍ବାସ । ଜପ ବେଳେ ଓଁ କ୍ଷୀଂ ଦ୍ରୀଂ କ୍ଷୌଂ ବ୍ରାଂ ଓଁ ଲଗେଇ ଜପ କରିବାକୁ ଭୁଲି ଯିବେନି ଯେମିତି । 


      ତିନିମୁଖୀ ରୁଦ୍ରାକ୍ଷକୁ ସାକ୍ଷାତ ଅଗ୍ନି ବିବେଚନା କରାଯାଏ । ସ୍ତ୍ରୀ ହତ୍ଯା ପାପ , ବାତ-ପିତ୍ତ-କଫାଦି ଦୋଷ , କୁପ୍ରବୃତ୍ତିର ବିନାଶ , ପର ସ୍ତ୍ରୀ ଗମନ ପାତକ ଆଦି ନିବାରଣ କରେ ଏ ରୁଦ୍ରାକ୍ଷ । ଏହାକୁ ବ୍ରହ୍ମା-ବିଷ୍ଣୁ -ମହେଶ୍ୱର ଭାବରେ ଆରାଧନା କରାଯାଏ । ଏଥିରେ ସତ୍ତ୍ବ-ରଜ-ତମ ଗୁଣ ନିହିତ ଏବଂ ଆକାଶ-ପାତାଳ-ପୃଥିବୀରେ ଏହି ଶକ୍ତି ଅଛି । ଜ୍ଞାନୀଙ୍କ ମତେ ଏ ରୁଦ୍ରାକ୍ଷ ଦୁର୍ଲଭ ବୋଲି ବିଦିତ ଅଟେ । ଚତୁଃମୁଖୀ ରୁଦ୍ରାକ୍ଷ ସ୍ବୟଂ ବ୍ରହ୍ମା ବୋଲି ଶାସ୍ତ୍ର କହେ । ଏହି ରୁଦ୍ରାକ୍ଷକ ଚ଼ାରି ବେଦର ମାନ୍ୟତା ମିଳିଛି ; ଋଗ୍‌ , ଯଜୁଃ , ସାମ , ଅଥର୍ବ ଏହି ରୁଦ୍ରାକ୍ଷର ସ୍ବରୂପ । ଏହା ଧର୍ମ - ଅର୍ଥ  - କାମ - ମୋକ୍ଷ ପ୍ରଦାନ କରେ । ଚତୁଃମୁଖ ରୁଦ୍ରାକ୍ଷ ଧାରଣ କଲେ ଚ଼ାରିବର୍ଣ୍ଣ ଚ଼ାରି ଆଶ୍ରମରେ ବାସ କରୁଥିବା ମନୁଷ୍ଯମାନେ ନିଜର ସ୍ମୃତିହାନୀ , ମାନସିକ କଷ୍ଟକୁ ଦୂର କରିଦେଇ ପାରିବେ । ଏହା ଧାରଣ କଲେ ବିଦ୍ଯାବୁଦ୍ଧିରେ ଆଗୁସାର ହୋଇପାରେ । ଧନପ୍ରାପ୍ତି , ନରହତ୍ୟା ପାତକରୁ ମୁକ୍ତି ଦିଏ ଏ ରୁଦ୍ରାକ୍ଷ । ଏହାର ଧାରଣ ଓ ଦର୍ଶନରେ ମଣିଷ ସୁସ୍ଥସବଳ ଓ ଧନବାନ ହୋଇଥାଏ । "ଓଁ ବାଂ କ୍ରାଂ ତଂ ଈଂ" ମନ୍ତ୍ରୋଚ୍ଚାରଣ କରି ଏହାକୁ ଧାରଣ କରିବାକୁ ଶାସ୍ତ୍ର କହେ ।


      ପଞ୍ଚମୁଖୀ ରୁଦ୍ରାକ୍ଷ ସ୍ବୟଂ କାଳାଗ୍ନି ରୁଦ୍ର ; ଏ ରୁଦ୍ରାକ୍ଷ ମୋକ୍ଷ ପ୍ରଦାୟକ । ଏ ରୁଦ୍ରାକ୍ଷ ଧାରଣ କଲେ ପଞ୍ଚାନନ ଶିବଙ୍କ କରୁଣା ଲାଭ କରିବେ । ଏଥିରେ ପଞ୍ଚତତ୍ତ୍ୱ - ପୃଥିବୀ , ଆକାଶ , ଜଳ , ବାୟୁ ଓ ଅଗ୍ନି ନିବଦ୍ଧ । ସେହିପରି ଶରୀରରେ ଅନ୍ନମୟ , ପ୍ରାଣମୟ , ମନୋମୟ , ବିଜ୍ଞାନମୟ , ଆନନ୍ଦମୟ ନାମ୍ନୀ ପାଞ୍ଚଟି କୋଷ ଅଛି ଓ ଏହି ପଞ୍ଚକୋଷରେ ଆତ୍ମା ଆବଦ୍ଧ ଅଛନ୍ତି । ଯେତେବେଳେ ସାଧନା ମାର୍ଗ ଅନୁସରଣ କରି ପଞ୍ଚକୋଷ ଶୁଦ୍ଧି କରାଯାଏ ; ତେବେ ଶରୀରରେ ମୂଳାଧାର ଜାଗ୍ରତ ହୁଏ ଓ ତାହା ସହସ୍ରାରରେ ଯୁକ୍ତ ହୋଇଗଲେ ସମାଧି ଅବସ୍ଥା ଆସେ । ଏତେବେଳେ ଯାଇ ମନୁଷ୍ଯ ନିଜର ଆତ୍ମା ସମ୍ପର୍କରେ ଅବଗତ ହୋଇପାରେ । ସେମିତି ପଞ୍ଚମୁଖୀ ରୁଦ୍ରାକ୍ଷରେ ଶିବଙ୍କର ପଞ୍ଚାକ୍ଷର ମନ୍ତ୍ର "ଓଁ ନମଃ ଶିବାୟ" ଯୋଗ ହୋଇଥିବାରୁ ଧାର୍ମିକ ମାନବ ଏ ରୁଦ୍ରାକ୍ଷ ଧାରଣ ଦ୍ବାରା ମଣିଷର ଅଭକ୍ଷ ଭକ୍ଷଣ ଦୂର ହୋଇଯାଏ ଏବଂ ପର ସ୍ତ୍ରୀ ଗମନକାରୀ ସେ ମାର୍ଗରୁ ଦୂରେଇ ରହେ ; କାରଣ ଏ ରୁଦ୍ରାକ୍ଷ ପାପର ବିନାଶକ । ମହାପାପ ନାଶି ମାନସେ ଆଧ୍ଯାତ୍ମିକ ଭାବନା ଜାଗ୍ରତ କରାଇବାରେ ପଞ୍ଚମୁଖୀ ରୁଦ୍ରାକ୍ଷର ଭୂମିକା ସର୍ବାଦୌ ପ୍ରଶଂସନୀୟ । ଭୂତପ୍ରେତାଦିର ଭୟକୁ ନାଶ କରେ ଏ ରୁଦ୍ରାକ୍ଷ । ଏହାକୁ ଗୋଟିଏ ମାତ୍ର ଧାରଣ ନକରି ତିନୋଟି , ପାଞ୍ଚୋଟି ,ସାତୋଟି , ଏଗାର ଗୋଟି , ଚଉଦଟି ନତୁବା ଶହେ ଆଠ ଗୋଟି ଦାନାର ରୁଦ୍ରାକ୍ଷ ମାଳା "ଓଁ ହ୍ରାଂ ଆଂ କ୍ଷ୍ମୌଂ ସ୍ବାହା" ମନ୍ତ୍ର ପଠନ ପୂର୍ବକ ଧାରଣ କଲେ ଉତ୍ତମ ଫଳପ୍ରାପ୍ତି । 


      ଷଡ଼ମୁଖୀ ରୁଦ୍ରାକ୍ଷ ସାକ୍ଷାତ କାର୍ତ୍ତିକେୟଙ୍କ ସ୍ବରୂପ । ଏହାକୁ ସମସ୍ତେ ଦକ୍ଷିଣ ବାହୁରେ ଧାରଣ କରିବାକୁ କୁହା ଯାଇଛି । ଏହାଦ୍ବାରା ବ୍ରହ୍ମହତ୍ୟାର ପାତକ ପ୍ରଶମନ ହୁଏ । ତା'ଛଡ଼ା ବିଦ୍ଯାବୁଦ୍ଧି ବର୍ଦ୍ଧିତ ହୋଇ ମହାଜ୍ଞାନୀ ହେବାରେ ଏହା ସହାୟକ । ଏହା ଧାରଣ କଲେ ସଂସାରର ଦୁ଼ଃଖ କଷ୍ଟ ଯନ୍ତ୍ରଣା ଭୋଗ ନକରି ସହଜରେ ମୁକ୍ତି ପାଇଯାଏ ମାନବ ଏବଂ ଷଡ଼ରିପୁ ଯଥା - କାମ , କ୍ରୋଧ , ଲୋଭ , ମୋହ , ଗର୍ବ , ଅହଙ୍କାରର ଦମନ ହୁଏ । ଏହାର ଧାରଣରେ ବକ୍ରତୁଣ୍ଡ ଓ ଷଡ଼ାନନଙ୍କ ଆଶିର୍ବାଦ ପ୍ରାପ୍ତ ହୁଏ । ଛାତ୍ର-ଛାତ୍ରୀଙ୍କର ସ୍ମୃତିଶକ୍ତି ବଢ଼ି ଅଧ୍ୟୟନ କ୍ଷେତ୍ରରେ ଉନ୍ନତି ସାଧନରେ ଏହି ଷଡ଼ମୁଖୀ  କିମ୍ବା ଚତୁଃମୁଖୀ ରୁଦ୍ରାକ୍ଷ ସହାୟକ ହୁଏ । ପୁନରାୟ ଏହା କୁଷ୍ଠାଦି ଚର୍ମରୋଗ ନିବାରକ ଏବଂ ନେତ୍ରରୋଗ , ଦୁର୍ବଳ ହୃଦୟର ବିନାଶ ହୁଏ । "ଓଁ ହ୍ରୀଂ ଶ୍ରୀଂ କ୍ଳୀଂ ସ୍ରୌଂ ଐଂ" ମନ୍ତ୍ର ଜପ କରି ଧାରଣ କରିବାକୁ ହେବ ଏହାକୁ । ପାପାଦି କର୍ମ ଜାଲରେ ଛନ୍ଦି ହୋଇ ଚୌରବୃତ୍ତି କରି ଅର୍ଜିଥିବା ପାତକ ନାଶ କରେ ସପ୍ତମୁଖୀ ରୁଦ୍ରାକ୍ଷ । ଏହାର ଅଶେଷ ମହିମା । ଏହା ସପ୍ତମାତୃକାର କେନ୍ଦ୍ର ଓ ଏହାର ଦେବତା ସପ୍ତଋଷି ଆଉ ସବିତା । ଏହାର ଧାରଣରେ ମହାଲକ୍ଷ୍ମୀ ପ୍ରୀତ ହୁଅନ୍ତି ; ଫଳତଃ ଧନବାନ୍ ହେବାର ସୌଭାଗ୍ୟ ଆସେ । ଏହି ରୁଦ୍ରାକ୍ଷକୁ ସପ୍ତମାତୃକା ବ୍ରାହ୍ମଣୀ, ମାହେଶ୍ବରୀ ବୈଷ୍ଣବୀ, ବାରାହୀ, ଇନ୍ଦ୍ରାଣୀ, ଚ଼ାମୁଣ୍ଡା ଭାବରେ ଗ୍ରହଣ କରି ଅଛନ୍ତି । ଏହି ରୁଦ୍ରାକ୍ଷ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରେ ଅଶେଷ ଲାଭ ଫଳ ଦେଇଥାଏ । ଏହା ପରିବାରର ସୁଖ ସମୃଦ୍ଧି ବୃଦ୍ଧି କରେ ; ଯଶକୀର୍ତ୍ତି ପ୍ରଦାନ କରେ ଏବଂ ସବୁରି କ୍ଷେତ୍ରେ ବିଜୟ କରାଏ । ସୁଯୋଗ୍ୟ ପୁତ୍ର ପ୍ରାପ୍ତି ପାଇଁ ଏହି ରୁଦ୍ରାକ୍ଷ ଧାରଣ କରିବା ଉଚିତ୍‌ । ଏହାକୁ "ଓଁ ହଂ କ୍ରୀଂ ହ୍ରୀଂ ସୌଂ ମନ୍ତ୍ରରେ ମନ୍ତ୍ରିତ ଓ ଜପ କରି ଧାରଣ କରିବା ଉଚିତ୍‌ । 


     ଶାସ୍ତ୍ରାନୁସାରେ ଅଷ୍ଟମୁଖୀ ରୁଦ୍ରାକ୍ଷ ସାକ୍ଷାତ ଗଜାନନଙ୍କ ରୂପ । କୌଣସି ଭାଗ୍ୟବାନ ଲୋକ ଧାରଣ କଲେ ଦୁଃସ୍ବପ୍ନ , ତୁଳାଦୋଷ , ଅନ୍ନଦୋଷ  ଆଦି ସବୁ ଦୋଷରୁ ମୁକ୍ତ ହେବା ସହ ପୃଥ୍ବୀର ସବୁଠୁ ମହାପାତକ ଗୁରୁପତ୍ନୀ ସ୍ପର୍ଶ ଦୋଷରୁ ମୁକ୍ତି ମିଳେ । ଏହାର ଧାରଣରେ ଶତ ଚେଷ୍ଟା ସତ୍ତ୍ୱେ ଅପ୍ରାପ୍ତ ଥିବା ପରମପଦ ପ୍ରାପ୍ତ କରିବାର ସୌଭାଗ୍ଯର୍ଜନ ହୁଏ । ନାନଦି ଅସୁବିଧାର ନାଶନ ଏ ରୁଦ୍ରାକ୍ଷ । କୋର୍ଟ୍‌ କଚେରୀରେ ଅର୍ଥ ବ୍ଯୟ , ପ୍ରାଣ ପୀଡ଼ା ସହିତ ଆକସ୍ମିକ ଦୁର୍ଘଟଣା ଟାଳେ ଏ ରୁଦ୍ରାକ୍ଷ ଏବଂ ଶତ୍ରୁ ଦମନ ବି କରେ । ଅଷ୍ଟଧାତୁ ଖୋଳପାରେ ଏହି ରୁଦ୍ରାକ୍ଷ ଧାରଣ କଲେ ଦୁଃଖ - ଦାରିଦ୍ର୍ୟର ବିନାଶ ହୁଏ ଓ ଧନ ପ୍ରାପ୍ତି ହୁଏ । ଏହା ଦ୍ୱାରା ବିଦ୍ଯାବୁଦ୍ଧି ପ୍ରାପ୍ତ ହୁଏ । ଏହାକୁ ଭଲଭାବେ ପରୀକ୍ଷା କରିବା ପରେ "ଓଁ ହ୍ରୀଂ ଗ୍ରୀଂ ଲଂ ଧାଂ ଶ୍ରୀଂ" ମନ୍ତ୍ରପାଠ କରି ଧାରଣ କରିବେ । ଏହାର କୌଣସି ବି କୋଣ ଯଦି ଖଣ୍ଡିତ ବା ଛିଦ୍ର ଯୁକ୍ତ ହୋଇଥାଏ , ତେବେ କୌଣସି ଫଳ ମିଳେନା । ଭ୍ରୁଣହତ୍ଯା ଓ ବ୍ରହ୍ମହତ୍ୟା ପରି ମହାପାତକରୁ ମୁକ୍ତି ଦିଏ ନବମୁଖୀ ରୁଦ୍ରାକ୍ଷ । ଏହା ସାକ୍ଷତ ଭୈରବ ଦେବତାଙ୍କ ଅନୁରୂପ ଏବଂ ନବଗ୍ରହ ଓ ନବଦୁର୍ଗାଙ୍କର ପ୍ରତୀକ ଭାବରେ ଗ୍ରହଣୀୟ । ଏହା ଅତି ପ୍ରଭାବଶାଳୀ ; ଯଦି ବିଧାନାନୁସାରେଣ ପ୍ରାଣ ପ୍ରତିଷ୍ଠା ଓ ପୁରଶ୍ଚରଣ ପୂର୍ବକ ଧାରଣ କରାଯାଏ ତେବେ ନବରାତ୍ର ବ୍ରତର ଫଳ ମିଳେ ଏବଂ ଅକାଳ ମୃତ୍ୟୁରୁ ବର୍ତ୍ତିପାରେ । ଶତ୍ରୁ , ଅଗ୍ନି , ହିଂସ୍ରଜନ୍ତୁଙ୍କ ଆକ୍ରମଣ , ଯୋଗ୍ନି-ଭୂତପ୍ରେତ ବାଧା , ନାନାଦି କଷ୍ଟ ପ୍ରଶମିତ ହୁଏ ଏହାର ଧାରଣ ଦ୍ବାରା । "ଓଁ ହ୍ରୀଂ ବଂ ଯଂ ରଂ ଲଂ" - ଏ ମନ୍ତ୍ର ଜପ ପରେ ଏହା ପିନ୍ଧିବାକୁ ହେବ । ଦଶାବତାର - ମତ୍ସ୍ଯ , କଚ୍ଛପ , ବରାହ , ନୃସିଂହ , ବାମନ , ପର୍ଶୁରାମ , ରାମ , କୃଷ୍ଣ , ବୁଦ୍ଧ ଓ କଳ୍‌କୀ ଅବତାର ଭାବରେ ଦଶମୁଖୀ ରୁଦ୍ରାକ୍ଷ ମାନ୍ୟତା ପ୍ରାପ୍ତ । ଏହାକୁ "ଓଁ ହ୍ରୀଂ କ୍ଳୀଂ ବ୍ରୀଂ ଓଁ" ମନ୍ତ୍ରୋଚ୍ଚାରଣ ପୂର୍ବକ ଧାରଣ କଲେ ସର୍ବାପଦ ବିପଦରୁ ତ୍ରାହି , ରୋଗ-ଶୋକରୁ ନିସ୍ତାର , ପଞ୍ଚ କର୍ମେନ୍ଦ୍ରିୟ ଓ ପଞ୍ଚ ଜ୍ଞାନେନ୍ଦ୍ରିୟ ସରଳେ ସଂଯତ , ସର୍ବ ପାପର ବିନାଶ ହୋଇ ଯଶକୀର୍ତ୍ତି ପ୍ରାପ୍ତ ଏବଂ ପରିଶେଷରେ ମୃତ୍ଯୁ ପରେ ବିଷ୍ଣୁଲୋକ ପ୍ରାପ୍ତ ହୁଏ । ସମାଜସେବକ/ସେବିକା , ରାଜନେତା/ନେତ୍ରୀ , ବ୍ଯବସାୟୀ , କଳାକାର ଓ ବୈଦ୍ୟମାନେ ଏ ରୁଦ୍ରାକ୍ଷ ଧାରଣ କରିବା ଯଥୋଚିତ । ଏହା ମଣିଷର ତ୍ରାଣକର୍ତ୍ତା ଅଟେ । 


     ଏକାଦଶ ମୁଖୀ ରୁଦ୍ରାକ୍ଷକୁ ଶାସ୍ତ୍ର ଏକାଦଶ ରୁଦ୍ରଙ୍କ ଅବତାର କହେ । ଭାଗ୍ଯରେ ଥିଲେ ପ୍ରାପ୍ତ ହୁଏ ; ଏହାର ଧାରଣରେ ଅଶ୍ୱମେଧ ଯଜ୍ଞ ଫଳ ପ୍ରାପ୍ତି ହୁଏ ଏବଂ ଲକ୍ଷେ ଗୋ ଦାନର ଫଳ ମିଳେ । ଏହାକୁ ଧାରଣ କରିଲେ ଦୁ଼ଃଖ -କଷ୍ଟରୁ ବଞ୍ଚିତ ରହେ ମଣିଷ ଏବଂ ସ୍ବୟଂ ଭଗବାନ ପ୍ରୀତ ହୁଅନ୍ତି । ଅନେକ ଶାସ୍ତ୍ର କହେ ଏକାଦଶ ରୁଦ୍ରାକ୍ଷର ସ୍ବାମୀ ଇନ୍ଦ୍ର । ଦାନପୁଣ୍ଯ କରିବାର କଳ୍ପନାର ମାନସିକ କରି ପୂରଣ ନ ହେଲେ ଯଦି ବିପଦ ଆପଦାଦି ମନ୍ଦ କର୍ମ ଭୋଗୀ ହୋଇଥାଏ , ତେବେ ମଣିଷ ଏ ରୁଦ୍ରାକ୍ଷକୁ ଧାରଣ କରିଲେ ଭଲ ଫଳ ପାଆନ୍ତି । "ଓଁ ରୁଂ କ୍ଷୂଂ ମୂଂ ୟୁଂ ଔଂ" ମନ୍ତ୍ର ପଢ଼ି ସ୍ତ୍ରୀ ମାନେ ଏକାଦଶ ରୁଦ୍ରାକ୍ଷକୁ ସୁନା ତାରରେ ଗୁନ୍ଥି ପିନ୍ଧିଲେ ସୌଭାଗ୍ୟବନ୍ତ ପୁତ୍ରର ଜନୟିତ୍ରୀ ହୋଇଥା'ନ୍ତି । ଶାସ୍ତ୍ରକର୍ତ୍ତା ମାନେ ଦ୍ବାଦଶ ମୁଖୀ ରୁଦ୍ରାକ୍ଷକୁ ସୂର୍ଯ୍ୟଙ୍କର ସକଳ ରଶ୍ମି ଭାବରେ ବିବେଚନା କରିଛନ୍ତି । ଏହାର ଧାରଣକାରୀ ଉପରେ ସ୍ବୟଂ ବିଷ୍ଣୁ ପ୍ରସନ୍ନ ହେତୁ ଶାରୀରିକ ଓ ମାନସିକ କଷ୍ଟରୁ ମୁକ୍ତି ମିଳେ ଏବଂ ଏହା ଧାରଣ ଓଜଃ ତେଜର ଶକ୍ତି ବଳବାନ ହେବା ସହିତ ମନୁଷ୍ୟ ଧନବାନ , ସ୍ତ୍ରୀ ସୁଖ ଓ ସନ୍ତାନ ସୁଖ ପ୍ରାପ୍ତି ହୁଏ । "ଓଁ ହ୍ରୀଂ କ୍ଷୌଂ ଘୃଣିଃ ଶ୍ରୀଂ" ମନ୍ତ୍ର ପଠନ ଓ ଜପ କରି ଦ୍ବାଦଶ ମୁଖୀ ରୁଦ୍ରାକ୍ଷ ପରିଧାନ କଲେ ଅନ୍ତେ ଅମରପୁରବାସୀ ହେବା ସହ ମନୁଷ୍ୟର ପୁନର୍ଜନ୍ମ ହୁଏ ନାହିଁ । ଶ୍ରୀ ବିଷ୍ଣୁଙ୍କ ଦ୍ବାଦଶାକ୍ଷର ମନ୍ତ୍ର "ଓଁ ନମୋ ଭଗବତେ ବାସୁଦେବାୟ"ର ଅଖଣ୍ଡ ଗୁଣ ନିହିତ ଏଥିରେ । ସମସ୍ତ କାମନା ପୂରଣାର୍ଥେ ତେର ମୁଖୀ ରୁଦ୍ରାକ୍ଷ ଉତ୍ତମ । ଏହା ଭାଗ୍ଯରେ ଥିଲେ ମିଳେ ; ଯଦି ଏହା ପ୍ରାପ୍ତି  ହୋଇଗଲା ତେବେ ଏହାକୁ ବିଧିବିଧାନାନୁସାରେ ହବନ - ପୁରଶ୍ଚରଣ - ପ୍ରାଣପ୍ରତିଷ୍ଠା କରି "ଓଁ ଇଁ ଯାଁ ଆପା ଔଂ" ମନ୍ତ୍ର ଜପ ପୂର୍ବକ ଧାରଣ କଲେ ଜ୍ଞାନ , ଧନ ପ୍ରାପ୍ତି ହେବା ସହ ମନୁଷ୍ୟ ଭୌତିକ ଓ ଆଧ୍ଯାତ୍ମିକ ଶକ୍ତିରେ ଶ୍ରେଷ୍ଠ ହୁଏ ଏବଂ ପିତା-ମାତା , ଭାଇ-ବନ୍ଧୁ ଆତ୍ମୀୟଙ୍କୁ ବିନା କାରଣରେ ହତ୍ଯା କରି ଅର୍ଜିତ ପାପରୁ ମୁକ୍ତି ପାଏ ; ମାନ - ଯଶକୀର୍ତ୍ତି ବଢ଼େ । 


    ଅତ୍ଯନ୍ତ ସୌଭାଗ୍ୟଶାଳୀ ରୁଦ୍ରାକ୍ଷ ଚଉଦମୁଖୀ ଯାହା ଭୁବନେଶ୍ବରୀଙ୍କର ଅସଲ ରୂପ କହିଲେ ଅତ୍ଯୁକ୍ତି ହେବନି । ବିଧିବିଧାନାନୁସାରେ "ଓଁ ଔଂ ହ ସ୍ବୈଂ ଖ ବୈଂ ହସ୍ରୌଂ ହସବୈଂ" ଜପ କରି ଧାରଣ କଲେ ଧାରଣକର୍ତ୍ତା ଶିବ ସ୍ବରୂପ ଦିଶନ୍ତି । ଏହାର ଧାରଣରେ ମାନବ ବେଦାନ୍ତିକ , ଦାର୍ଶନିକ ,ବିଜ୍ଞାନୀ ଏବଂ ବ୍ରହ୍ମତେଜମୟ ହୁଏ ଏବଂ ଚତୁଃବର୍ଗ ଫଳ ପ୍ରାପ୍ତି କରେ । ବହୁ ଧନ ଅଧିକାରୀ ହୋଇଥାଏ । ତିନୋଟି ରୁଦ୍ରାକ୍ଷ ଏକତ୍ର ଯୋଗ ହୋଇ ଫଳିଥିବାବସ୍ଥାକୁ ତ୍ରିଯୁଗ ରୁଦ୍ରାକ୍ଷ ନାମରେ ଅଭିହିତ କରା ଯାଇଛି । ସେତିକି ସୌଭାଗ୍ୟ ନ ହେଲେ ଏହାର ପ୍ରାପ୍ତି ଅସମ୍ଭବ । ଏହାକୁ ବିଧିବିଧାନାନୁସାରେ ପ୍ରାଣପ୍ରତିଷ୍ଠା ପୂର୍ବକ ଧାରଣ କଲେ ସମସ୍ତ ଦୁଃଖ ଦୁର୍ଦ୍ଦଶାରୁ ମୁକ୍ତି , ଧନଧାନ୍ୟର ବିପୁଳତା ଆଦି ହୁଏ ଏବଂ ଭୂତପ୍ରେତର ଭୟ ଦୂର ହେବା ସହିତ ଆଧ୍ଯାତ୍ମିକ ବିଜ୍ଞାନୀ ବନିଯାଏ ମନବ । ଧ୍ରୁବଙ୍କ ତପ ବଳେ ଯେପରି ହିଂସ୍ରଜନ୍ତୁଙ୍କ ଅବସ୍ଥା ହୋଇଥିଲା , ସେପରି ଏ ରୁଦ୍ରାକ୍ଷ ଧାରଣକାରୀକୁ ଦେଖିଲେ ହିଂସ୍ରଜନ୍ତୁ ମାନେ ଆପଣାଛାଏଁ ଭଗବାନଙ୍କ ଦର୍ଶନ କରି ଚ଼ାଲିଯିବା ପରି ଆଡ଼େଇ ହୋଇ ଚ଼ାଲି ଯା'ନ୍ତି । ଯେକୌଣସି ରୁଦ୍ରାକ୍ଷକୁ ଶିବଙ୍କ ଉଦ୍ଦେଶ୍ଯରେ ପ୍ରଣାମ ଜଣାଇ ପବିତ୍ର ପଥରରେ ଘଷି ଅଞ୍ଜନ ପରି ଲଗାଇଲେ ଖୁବ୍‌ କମ୍‌ ଦିନରେ ସମସ୍ତ ପ୍ରକାର ଚକ୍ଷୁରୋଗରୁ ଉପଶମ ମିଳେ । ତ୍ରିମୁଖୀ ରୁଦ୍ରାକ୍ଷର ପ୍ରାଣପ୍ରତିଷ୍ଠା କରି ଜ୍ବର ଆକ୍ରାନ୍ତ ରୋଗୀ ଗଳାରେ ପିନ୍ଧାଇ ଦେଲେ ଯେକୌଣସି ଜ୍ବର ହେଲେ ବି ଖୁବ୍‌ କମ୍‌ ସମୟ ମଧ୍ୟରେ  ଭଲ ହୋଇଯାଇ ଥାଏ ; ଏହା ଇନ୍ଦ୍ରଜାଲ ପରି କାର୍ଯ୍ଯ କରେ । 


    ଶୁଦ୍ଧ ନଡ଼ିଆ ତେଲକୁ ପ୍ରଥମେ ଘଣ୍ଟାଏ ଯାଏଁ ପୋଡ଼ା ଘା'ରେ ଘଷିବେ । ତା'ପରେ ସେ ତୈଳକୁ ଉଷୁମ କରି ସାମାନ୍ୟ ଗରମ ଥିବାବସ୍ଥାରେ ପୋଡ଼ା ଘା'ରେ ଲେପିବେ । ସେଥିରେ ରୁଦ୍ରାକ୍ଷ ଚୂର୍ଣ୍ଣ ପଡ଼ିଥିବା ଉଚିତ୍‌ । ସାତ-ଆଠ ଥର ଲେପ ଦେଲେ ପୋଡ଼ା ଘା' ଭଲ ହୋଇ ଦାଗ ବି ମିଳେଇ ଯାଏ । ରୁଦ୍ରାକ୍ଷ ଏକ ଆୟୁର୍ବେଦୀୟ ଚ଼ିଜ ଅଟେ । ଭାଗମାପ ଅନୁସାରେ ରୁଦ୍ରାକ୍ଷକୁ ବ୍ଯବହାର କଲେ ହୃଦ୍‌ରୋଗ , ଚର୍ମରୋଗ , କୁଷ୍ଠ , ଅର୍ଶ , କାଶ , ଶ୍ବାସ ଉପଶମ ହେବା ସହିତ ସ୍ତ୍ରୀରୋଗ ଦୂର ହୁଏ ଏବଂ ପୁରୁଷତ୍ବ ପ୍ରାପ୍ତ୍ଯର୍ଥେ ଏହା ଅମୋଘ ଔଷଧ । ଭୁତପ୍ରେତ ବାଧାରୁ ରକ୍ଷା କରେ ରୁଦ୍ରାକ୍ଷ ଏବଂ ସ୍ମରଣଶକ୍ତି ବଢ଼ାଏ । ଅଜୀର୍ଣ୍ଣ , ମାନସିକ ରୋଗ , ବ୍ରଣ ବା ଘା' ରୋଗ , ଅସାଧ୍ୟ ଚର୍ମରୋଗ , ଆଣ୍ଠୁ - ଗଣ୍ଠି ରୋଗରେ ଭାଗ ମାପନୁସାରେ ଜଡ଼ିବୁଟି ପ୍ରସ୍ତୁତ କରି ବ୍ଯବହାର କଲେ ରୁଦ୍ରାକ୍ଷ ଉତ୍ତମ ଫଳଦାୟକ ହୁଏ । ତନ୍ତ୍ର ଶାସ୍ତ୍ରାନୁସାରେ ରୁଦ୍ରାକ୍ଷ ଅର୍ଥ - ମାନ -ଯଶ ବୃଦ୍ଧି କରେ ଏବଂ ଦରିଦ୍ର ନାଶ କରେ । ଏଣୁ ରୁଦ୍ରାକ୍ଷକୁ ଆୟୁର୍ବେଦର ମହୌଷଧିର ଆଖ୍ୟା ପ୍ରଦାନ କରାଯାଇଛି । ରୁଦ୍ରାକ୍ଷ ଉଷ୍ଣ ଓ ଅମ୍ଳଯୁକ୍ତ ; ତେଣୁ ଏହା ବାତ ଓ କଫ ଜନିତ ରୋଗର ଉପଶମକ ଅଟେ । ଡ଼ାକ୍ତର ମାନଙ୍କ ମତରେ ଏଥିରେ ଭିଟାମିନ୍‌ 'ସି' ଅଛି ; ଏ ରକ୍ତ ବର୍ଦ୍ଧକର ସହାୟକ । ରକ୍ତ ଶୋଧନ ବି କରିପାରେ ଏବଂ ରକ୍ତବିକାରକୁ ଦୂର କରେ । ଜ୍ବର ହେତୁ ଉତ୍ତେଜନା , ଅନିଦ୍ରା ଦୋଷ , ରକ୍ତଚ଼ାପ , ମୃଗୀ ଦୁଃସ୍ବପ୍ନ ବିନାଶକ ରୁଦ୍ରାକ୍ଷ । ଗୋଲମରିଚ ସହିତ ରୁଦ୍ରାକ୍ଷକୁ ବାଟି ମିଶାଇ ପିଇଲେ ବସନ୍ତ ରୋଗାକ୍ରମଣର ଭୟ ରହେ ନାହିଁ  । ବୈଦିକ ମତରେ ଏହା ଶୀତଳ , ବଳକର , କୃମିନାଶକ ଓ ପ୍ରସୂତିର ହିତକର । 


  ଏକ ଅଧ୍ୟୟନରୁ ଜଣା ପଡ଼ିଛି ଯେ , ବଜାରରେ ନକଲି ରୁଦ୍ରାକ୍ଷକୁ ଅସଲିକହି ବେପାରୀ ମାନେ ଗ୍ରାହକଙ୍କୁ ଠକିବାରେ ଲାଗିଛନ୍ତି । ଭାରତରେ ୩୩ ପ୍ରଜାତିର ରୁଦ୍ରାକ୍ଷ ରହିଛି । ବଜାରରେ ବିକ୍ରି ହେଉଥିବା ରୁଦ୍ରାକ୍ଷ ତିନିମୁଖୀରୁ କମ୍‌ ଏବଂ ସାତମୁଖରୁ ଅଧିକ ଥିବା ରୁଦ୍ରାକ୍ଷ ନକଲି ଅଟେ । ଜ୍ଯୋତିଷ ମାନଙ୍କ ମତ ଅନୁସାରେ ଇଲେଇଆର୍କୋପର୍ସ ଲେକୁନସସ୍‌କୁ ନକଲି ବୋଲି ବିବେଚନା କରାଯାଏ । ଏକ ଗବେଷଣାରୁ ଉପଲବ୍ଧ ଯେ , ଭାଙ୍ଗି ଯାଇଥିବା ରୁଦ୍ରାକ୍ଷକୁ ଯୋଡ଼ି ନୂଆ ରୁଦ୍ରାକ୍ଷ ତିଆରି ହେଉଛି । ଅସଲି ରୁଦ୍ରାକ୍ଷ ମାନଙ୍କରେ କୃତ୍ରିମ ରୂପେ କଣା କରାଯାଏ । ଅସଲି ରୁଦ୍ରାକ୍ଷକୁ ସୋରିଷ ତେଲରେ ବୁଡ଼ାଇ ରଖିଲେ ତାହାର ରଙ୍ଗ ଗାଢ଼ ହୋଇଯାଏ ; ତେଲରୁ କାଢ଼ି ରୁଦ୍ରାକ୍ଷକୁ ଧଳା କାଗଜ ବା ତୁଳା ଉପରେ ରଖିଲେ ତେଲ ସଫା ହୋଇଯାଇଥାଏ । ତା'ପରେ ରୁଦ୍ରାକ୍ଷ ଦାନାକୁ ଗଙ୍ଗାପାଣିରେ ଧୋଇ ବିଧିବିଧାନ ଅନୁସାରେ ପୂଜା କରି ଧାରଣ କରାଯାଏ । ଅସଲି ରୁଦ୍ରାକ୍ଷକୁ ପାଣିରେ ବୁଡ଼ାଇବା ଦ୍ବାରା ସେ ବୁଡ଼ି ଯାଏ , କିନ୍ତୁ ନକଲି ରୁଦ୍ରାକ୍ଷ ପାଣିରେ ଭାସେ । କୌଣସି ଏକ ମୁନିଆ ଜିନିଷରେ ରୁଦ୍ରାକ୍ଷରୁ ରସ କାଢ଼ି କଣା କରାଯାଏ , ତାହା ଅସଲି ହୁଏ । 


    ରୁଦ୍ରାକ୍ଷର ଗୁଣ ପରୀକ୍ଷା ପାଇଁ ଏହାକୁ ଜଳ ଉପରେ ରଖିଲେ ଏହା ଘଣ୍ଟା କଣ୍ଟା ଦିଗରେ ଘୁରେ । ଯଦି ଏହା ପୂର୍ବ ପରି ରହେ ଜାଣିବେ ଏ ନକଲି । ଉତ୍ତରରୁ ଦକ୍ଷିଣ ଦିଗକୁ ଘୁରିବା ଉତ୍ତମ ହୋଇ ଥାଏ । ମହାକାଳ ରୁଦ୍ରାକ୍ଷ ବହୁ ମହାନ ଅଟେ । ଏହା ସମସ୍ତ ମାନବ ଜୀବନ ପାଇଁ ଏକ ମୂଲ୍ଯବାନ ରତ୍ନ ସ୍ବରୂପ ବିଚ଼ାର କରାଯାଏ । ଏହାର ମହାନତା ବୁଝିବା ଜଟିଳସାଧ୍ଯ ଅଟେ । ମହାକାଳ ଭୈରବରେ ରୁଦ୍ର ହୃଦୟୋପନିଷଦରେ ଲେଖା ଯାଇଛି :-


 

    "ରୁଦ୍ରୋନର ଉମାନାରୀ ତସ୍ମୈ ତସ୍ଯୈ ନମୋନମଃ 

   ରୁଦ୍ରୋବ୍ରହ୍ମା ଉମାବାଣୀ ତସ୍ମୈ ତସ୍ଯୈ ନମୋନମଃ 

   ରୁଦ୍ରୋବୃକ୍ଷ ଉମାବଲ୍ଲୀ ତସ୍ମୈ ତସ୍ଯୈ ନମୋନମଃ 

 ରୁଦ୍ରଃପୁଷ୍ପ ଉମାଗନ୍ଧ ତସ୍ମୈ ତସ୍ଯୈ ନମୋନମଃ 

ରୁଦ୍ରୌ ଅର୍ଥ ଅକ୍ଷରା ସୋମା ତସ୍ମୈ ତସ୍ଯୈ ନମୋନମଃ ।"


ସେହିପରି ରୁଦ୍ରାକ୍ଷ ମହାତ୍ମ୍ୟରେ ଉଲ୍ଲେଖ ଅଛି :-


     "ରୁଦ୍ରାକ୍ଷ ଧାରଣ ଦେବ ରୁଦ୍ରୋ ରୁଦ୍ରତ୍‌ ମାପ୍ନୁୟାତ୍‌

    ମୁନୟଃ ସତ୍ଯ ସଙ୍କଳ୍ପ ବ୍ରହ୍ମା ବ୍ରହ୍ମାତ୍ଯ ମାଗତଃ ।"


ଯେଉଁ ରୁଦ୍ରାକ୍ଷ ଶିବଙ୍କ ଠାରୁ ଉତ୍ପତ୍ତି ସେ ରୁଦ୍ରାକ୍ଷକୁ ଧାରଣ କରିବା ଦ୍ୱାରା ସ୍ବୟଂ ରୁଦ୍ର ମଧ୍ୟ ରୁଦ୍ରତ୍ବ ପ୍ରାପ୍ତ ହେଲେ । ଏଥିରୁ ପ୍ରତୀୟମାନ ଯେ ରୁଦ୍ରାକ୍ଷ ଠାରୁ ଶ୍ରେଷ୍ଠ ଅନ୍ଯ କୌଣସି ବିକଳ୍ପ ନାହିଁ । କାରଣ ସ୍ବୟଂ ଶିବ ଏଥିରେ ବିରାଜିତ । ବିଶ୍ବର ସମସ୍ତ ବସ୍ତୁ ମଧ୍ୟରେ ଶ୍ରେଷ୍ଠ ଏହି ରୁଦ୍ରାକ୍ଷ  । ଶିବ ପୁରାଣ ପ୍ରମାଣ ଦିଏ ଯେ :-


"ଯଥାଚ଼ ଦୃଶ୍ୟତେ ଲୋକେ ରୁଦ୍ରାକ୍ଷଃ ଫଳଦେ ଗୁରେଃ

ନତଥା ଦୃଶ୍ଯତେ ଅନ୍ଯାଚ଼ ମାଳିକା ପରମେଶ୍ବରୀ ।"


ଅର୍ଥାତ  : - ବିଶ୍ବରେ ଯେତେ ପ୍ରକାର ମାଳା କାର୍ଯ୍ଯରେ ବ୍ଯବହୃତ ହୁଏ , ତନ୍ମଧ୍ୟରୁ ସବୁଠୁ ମୂଲ୍ଯବାନ ମାନ୍ଯ ପ୍ରାପ୍ତ କରେ ରୁଦ୍ରାକ୍ଷ । ଦେବୀ ଭାଗବତ କହେ : -


  "ନା ଅତଃ ପରସ୍ତୋତ୍ର ନା ଅତଃ ପରତରଂ ବ୍ରତଂ

ଅକ୍ଷୟ୍ଯେଷୁଚ଼ ଦାନେକ୍ଷୁ ରୁଦ୍ରାକ୍ଷେସ୍ତୁ ବିଶିଷ୍ଯତେ


ମହାକାଳ ସଂହିତାନୁସାରେ :-


  "ଜଗନ୍‌ ତ୍ରୟେ ଅପୀ ନ୍ଯାସୋ ଅନ୍ଯୋ

                           ନାସ୍ତ ଯୋ ଅତ୍ର ସୁରେଶ୍ବରୀ 

   ଯୋଗଚ୍ଚେ ଦସ୍ଯ ସମତାଂ

                            ଫଳାଧିକ୍ଯ ପ୍ରଦାନତଃ ।।"


     ଏହି ରୁଦ୍ରାକ୍ଷ ଧାରଣ ପାଇଁ ପ୍ରଥମେ ଜ୍ଯୋତିଷ ଶାସ୍ତ୍ରର ଆଶ୍ରୟ ଦରକାର ; କିନ୍ତୁ ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଧାରଣକାରୀ କୌଣସି ଜ୍ଯୋତିଷ ଶାସ୍ତ୍ରର ଆଶ୍ରୟ କରିବା ଅନୁଚିତ । ବୈଜ୍ଞାନିକ ମାନେ ପରୀକ୍ଷା କରି ସିଦ୍ଧ କରି ସାରିଛନ୍ତି ଯେ - ରୁଦ୍ରାକ୍ଷ ମହାଶକ୍ତିଶାଳୀ ଯଦ୍ଦ୍ବାରା ମାନସିକ ଉତ୍ତେଜକ ରୋଗ ନିବାରଣ ହୋଇଥାଏ  ; ଏହାର କ୍ଷମତା ଏତେ ଯେ ଧାରଣକାରୀ ସର୍ବଦା ସୁଖୀ , ନିରୋଗ , ପ୍ରସନ୍ନ ଓ ଆଳସ୍ୟ ପରାୟଣ ହୋଇଥାଏ । ଏଥିରୁ ପ୍ରମାଣ ମିଳେ ରୁଦ୍ରାକ୍ଷର ମୁଖ୍ଯ କାର୍ଯ୍ଯ ମନୁଷ୍ୟକୁ ଜୀବନର ପୂର୍ଣ୍ଣତା ପ୍ରାପ୍ତି ସହ ଉଜ୍ଜ୍ୱଳତମ ଜୀବନ ଭୋଗର ସୁଯୋଗ ଆଗତ କରାଇବା । ପ୍ରାୟତଃ ଚଉଦମୁଖୀ ପର୍ଯ୍ଯନ୍ତ ରୁଦ୍ରାକ୍ଷ ମିଳେ । ଏହା ଏକ ବିଚିତ୍ର ସଂଯୋଗ ବାସ୍ତବରେ । ରୁଦ୍ରାକ୍ଷର ସଂଖ୍ୟା ଚଉଦ ପରି ପ୍ରତ୍ଯାହାର ସଂଖ୍ୟା ବି ଚଉଦ । ଶିବଙ୍କ ଡ଼ମ୍ବରୁ ଏହି ପ୍ରତ୍ଯାହାର ଚଉଦମୁଖୀ ରୁଦ୍ରାକ୍ଷ ଚଉଦ ପ୍ରତ୍ଯାହାର ସହ ସମ୍ପର୍କ ରଖିଛି । ସେପରି ଚଉଦ ଭୁବନ ଚଉଦ ଲୋକସଂଖ୍ୟା ବି ଚଉଦ ଅଟେ ଏବଂ ସ୍ବରୂପ ବି ଚଉଦ ଅଟେ । ଯଥା - 'ଅ'ରୁ ଆବୃତି ଅଂ ଓ ଅଃ ପରିତ୍ଯାଗ କରି ସାଗର ମନ୍ଥନ ବେଳେ ଚଉଦ ଗୋଟି ରତ୍ନ ମିଳିପାରିଥିଲା । ଏହି ଚଉଦ ମଧ୍ଯରେ ବୈଜ୍ଞାନିକ ଓ ଆଧ୍ଯାତ୍ମିକ ସମ୍ପର୍କ ନିହିତ ଅଛି  । ସ୍ତମ୍ଭନ , ମୋହନ , ବଶ୍ଯ , ଉଚ୍ଚାଟନ , ମାରଣ , ଯାରଣ , ବାଧିକରଣ ଆଦି ତନ୍ତ୍ର କର୍ମରେ ରୁଦ୍ରାକ୍ଷର ଭୂମିକା ମହତ୍ତ୍ୱପୂର୍ଣ୍ଣ ମନେ ହୁଏ । ରୁଦ୍ରାକ୍ଷ ବି ଦୂର କରିପାରେ ଭୟାନକ କାଳସର୍ପ ଯୋଗ । ଏଣୁ ସମସ୍ତେ ରୁଦ୍ରାକ୍ଷ ଧାରଣ କରିବା ବିଧେୟ ।


ସମ୍ପାଦକ - ଉଦୟ ଭାନୁ (ସାହିତ୍ୟ ଓ ସମାଜସେବା ସଙ୍ଗଠନ)

ଭାଟପଡ଼ା-ନିରାକାରପୁର - କଣାସ - କାଦୁଆ -ପୁରୀ

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା