ମହନୀୟ ଶ୍ରୀକ୍ଷେତ୍ର
କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଭାରତ ଭୂଖଣ୍ଡେ ଉତ୍କଳ ପ୍ରଦେଶେ ପୁରୁଷୋତ୍ତମ କ୍ଷେତ୍ରେ ମହୋଦଧି ତୀରେ ନୀଳ ପର୍ବତସ୍ଥ ଶ୍ରୀମନ୍ଦିର ସର୍ବବିଖ୍ଯାତ । ଶ୍ରୀମନ୍ଦିରର ଆରାଧ୍ୟ ପ୍ରଭୁ ଜଗନ୍ନାଥ - ବଳଭଦ୍ର - ସୁଭଦ୍ରା ସହ ସୁଦର୍ଶନ । ପୁରୁଷୋତ୍ତମ କ୍ଷେତ୍ର କହିଲେ ପୁରୀକୁ ବୁଝାଏ । ଭାରତର ଚାରିଧାମ ମଧ୍ଯରୁ ସର୍ବଶ୍ରେଷ୍ଠ ଧାମ ଶଙ୍ଖକ୍ଷେତ୍ର ପୁରୀ ଯାହାର ୪୨ଟି ନାଁ ଅଛି ; ଏହା ଭାରତର ବିରଳ ଦୃଷ୍ଟାନ୍ତ । କୌଣସି ଧାମ - କ୍ଷେତ୍ର କି ତୀର୍ଥସ୍ଥଳର ଏତେ ନାମ ନାହିଁ । ପ୍ରାଚୀନ ଐତିହ୍ୟର ସୂଚନା ପ୍ରଦାନ କରେ ଏହା । ଅନୁଶୀଳନାନୁସାରେ ଜ୍ଞାତ ଏସବୁ ନାମ ଶାସ୍ତ୍ରୀୟ , ଐତିହାସିକ , ଦାର୍ଶନିକ ଭିତ୍ତିଭୂମି ଉପରେ ପର୍ଯ୍ଯବେଶିତ । ପ୍ରତ୍ଯେକ ନାମ ପଶ୍ଚାତ୍ ପ୍ରଚୀନ ପରମ୍ପରା ଲୁକ୍କାୟିତ । ସେହି ୪୨ଟି ନାମ ହେଉଛି - ଭଦ୍ରକ୍ଷେତ୍ର , ଉଡ୍ରପୀଠ , ଉଡ୍ଡାୟନ ପୀଠ , ଓତ୍ଯାଣ ପୀଠ , କମ୍ବୁ କଟକ , ଖେତ୍ରା , ଚରିତ୍ରପୁର , ଚେଳିଚିତଳ , ଚେଳିଟାଲୋ , ଦଶାବତାର କ୍ଷେତ୍ର , ନୀଳଚଳ , ନୀଳଗିରି , ନୀଳକନ୍ଦର ଧାମ , ନୀଳଶୈଳ , ନିଳଦ୍ରି , ନୀଳସୁନ୍ଦର ପର୍ବତ , ନୀଳସୁନ୍ଦର ଭୂମି , ନିର୍ବାଣ ଧାମ , ନୀଳାଖ୍ଯଶୈଳ , ପୁରୀ , ପୁରସ୍ତମ , ପୁରୁଷୋତ୍ତମ କ୍ଷେତ୍ର , ବୈକୁଣ୍ଠପୁରୀ , ଭୂସ୍ବର୍ଗ , ଭୌମକ୍ଷେତ୍ର , ମର୍ତ୍ତ୍ୟ ବୃନ୍ଦାବନ , ମର୍ତ୍ତ୍ୟ ବୈକୁଣ୍ଠ , ଯାମନିକ ତୀର୍ଥ , ଶଙ୍ଖକ୍ଷେତ୍ର , ଶଙ୍ଖନାଭି ମଣ୍ଡଳ , ଶ୍ରୀକ୍ଷେତ୍ର , ଶ୍ରୀ ଜଗନ୍ନାଥ ଧାମ , ଶ୍ରୀଧାମ , ଶ୍ରୀପୁରୁଷୋତ୍ତମ ଆଳୟ , ଶ୍ରୀଭୂମି , ଶ୍ରୀପୀଠ , ଶ୍ରୀପୁରୁଷୋତ୍ତମ । ଏପରି ନାମ ସମୂହ ଦେଖି ଯେ' କେହି ବି ଆଶ୍ଚର୍ଯ୍ୟାନ୍ବିତ ନ ହୋଇ ରହିପାରିବ ନାହିଁ ।
ନୀଳ ପର୍ବତ ଉପରେ ସ୍ଥିତ ଶ୍ରୀମନ୍ଦିର ସତରେ ମନୋରମ ଓ ଆଶ୍ଚର୍ଯ୍ୟର କେନ୍ଦ୍ରବିନ୍ଦୁ । ଏହି ମନ୍ଦିରକୁ ବଡ଼ଦେଉଳ କହନ୍ତି । କାରଣ ଏ ଦେଉଳ ଉଚ୍ଚତା ଓ ଆକାର ଭେଦରେ ବହୁତ ବଡ଼ ; ଏତେ ବଡ଼ ଦେଉଳ ହୁଏତ କେଉଁଠି ମଧ୍ଯ ନଥାଇପାରେ । ମନ୍ଦିର ମୂଲ୍ଯବାନ ସମ୍ପତ୍ତି ଲୁଣ୍ଠନ ଆଶା ନେଇ ଚତୁର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ଯେ ଅନେକ ହିନ୍ଦୁ ଆଉ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ଅଠର ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠୁ ଭାରତର ସ୍ବାଧିନତା ଯାଏଁ ପୁରୀ ମନ୍ଦିର ଇଂରେଜ ଅଧିନରେ ଥିଲା । ଏବେ ବି ମନ୍ଦିର ବିଧିବିଧାନ ଗଜପତି ବଂଶଜ ରାଜା ମାନଙ୍କ ଦ୍ୱାରା ପାଳନ ହେଉଅଛି । ଏ ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ବିଦ୍ଯମାନ ; କିନ୍ତୁ ଏବେ ପ୍ରଶସ୍ତିକରଣାର୍ଥେ କିଛି ମଠକୁ ସରକାରଙ୍କ ଦ୍ବାରା ବିଲୀନ କରିଦିଆଯାଇଛି । ଭାରତ ସରକାରଙ୍କର ହ୍ରିଦୟ ଯୋଜନାରେ ଚିହ୍ନିତ ହୋଇଥିବା ଦ୍ବାଦଶ ସହର ମଧ୍ଯେ ପୁରୀ ଅନ୍ଯତମ ।
ଏହାର ଇତିହାସ ହେଲା , ପ୍ରୟ ୨୦୦ ବର୍ଷ ପୂର୍ବେ ବଡ଼ଦେଉଳ ଓ ଗୁଣ୍ଡିଚାବାଡ଼ି ମଧ୍ଯେ ବାଙ୍କୀମୁହାଣ ନଦୀ ବା ମାଳିନୀ ନଦୀ ପ୍ରବାହିତ ହେଉଥିଲା ଯାହା ଏବେ ଶରଧାବାଲିରେ ପରିବର୍ତ୍ତିତ । ରଥଯାତ୍ରାରେ ଦୁଇସାରି ରଥ ପ୍ରସ୍ତୁତ ହୋଇ ସାରିଏ ଲେଖାଏଁ ଉଭୟ ତୀରରେ ରହୁଥିଲା । ଏବେ ଏ ନଦୀ ଚକ୍ରନାରାୟଣ ମନ୍ଦିର ପାଖରେ ସମୁଦ୍ରରେ ମିଶୁଛି ; ତିନି ଦିଗରୁ ତିନି ନଦୀ ବାଙ୍କୀମୁହାଣ ନଦୀ , ମିଟିଆଣି ନଦୀ ଓ ମଙ୍ଗଳା ନଦୀ ପୁରୀ ସହରକୁ ବେଢ଼ି ରହିଥିଲା ଏବଂ ଆଉ ଏକ ଦିଗରୁ ସାଗର ବେଢ଼ି ରହିଥିଲା । ତେଣୁ କ୍ଷେତ୍ରଟି ଏକ ଦ୍ବୀପ ପରି ଦିଶୁଥିଲା । ରଥଯାତ୍ରାର ବ୍ଯୟ ବହୁଳତା ଦେଖି ରାଣୀ ଶ୍ରଦ୍ଧାଦେବୀଙ୍କ ଉଦ୍ଯମରେ ପୋତା ଯାଇ ଦୁଇ ତୀରକୁ ଏକ କରାଗଲା ; ତେଣୁ ତାଙ୍କ ନାମରେ ଏ ସ୍ଥାନ "ଶରଧାବାଲି" ବୋଲି କଥିତ ହେଲା । ଏହି କ୍ଷେତ୍ରର ଆକାର ଶଙ୍ଖ ସଦୃଶ ହେତୁ ଏହା ଶଙ୍ଖକ୍ଷେତ୍ର ; ଏହାର ଆୟତନ ହେଲା ପାଞ୍ଚକୋସ ଓ ଆକାର ତ୍ରିକୋଣ ଏବଂ ପଞ୍ଚକୋଶ ଆୟତନରୁ ପ୍ରାୟ ଅଧେ ସାଗର ତୋୟାରେ ନିମଗ୍ନ ଆଉ ଉପରିଭାଗ ଆକୃତି ଶଙ୍ଖ ସମାନ। ଏ କ୍ଷେତ୍ର ମୂର୍ଦ୍ଧନୀ ପଶ୍ଚିମ ସୀମା ଏବଂ ନୀଳକଣ୍ଠ (ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ କୂଳରେ) ଏ ଶଙ୍ଖର ଅଗ୍ରଭାଗ । ଶଙ୍ଖର ନାଭିଦେଶରେ ରୋହିଣୀ କୁଣ୍ଡ , ଅକ୍ଷୟ ବଟ ଏବଂ ଜଗନ୍ନାଥଙ୍କ ଅବସ୍ଥାନ ଆଉ ଶଙ୍ଖ ମଧ୍ଯଭାଗରେ ଅର୍ଦ୍ଧାଶନୀଙ୍କ ଆବାସ ।
ଅର୍ଦ୍ଧାଶନୀ କହିଲେ "ମାଉସୀ ମା' ମନ୍ଦିର" ବୁଝାଏ । ଏ ମନ୍ଦିରର ଆରାଧ୍ଯା ଅର୍ଦ୍ଧାଶନୀ(ମାଉସୀ ମା') ଯିଏକି ଜଗନ୍ନାଥଙ୍କ ମାଉସୀ । ଏହା ବଳଗଣ୍ଡି ଛକ ପାଖରେ ଅଛି ; ପୂର୍ବେ ଏଠି ପ୍ରବାହିତ ହେଉଥିଲା "ହତୀ ଗଧୁଆ ନଦୀ" ଯାହାକୁ କି ଲୋକେ ବଳବତ୍ତର ଗଣ୍ଡି ବୋଲୁଥିଲେ ଏବଂ ଅଦ୍ଯ ସେ ବଳଗଣ୍ଡି ଭାବେ ବିଦିତ । ଆଗରୁ ଏଇଟି ତିନି ରଥ ଅଟକି କିଛି ସମୟ ବିଶ୍ରାମାନ୍ତେ ନଦୀ ପାର ହୋଇ ଆରପଟ ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଗମନ କରୁଥିଲେ ଏବଂ ପ୍ରତ୍ଯାବର୍ତ୍ତନ ବେଳେ ଏଇଠି ତାଙ୍କ ମାଉସୀ ତାଙ୍କୁ ପୋଡ଼ପିଠା ଖାଇବାକୁ ଦେବାର ପରମ୍ପରା ଏବେ ବି ଚଳମାନ । ମାଉସୀ ମା' ଦେଖିବାକୁ ଅବିକଳ ସୁଭଦ୍ରା ଦେବୀଙ୍କ ବିଗ୍ରହ ପରି ; କୃଷ୍ଣ ପ୍ରସ୍ତରରେ ନିର୍ମିତ ମୂର୍ତ୍ତି ଓ ଦ୍ବିଭୂଜା । ତାଙ୍କ ଦୁଇ ପାର୍ଶ୍ବରେ ପାର୍ଶ୍ୱଦେବୀ ଛାୟା ଆଉ ମାୟା ଏବଂ ମୂର୍ତ୍ତି କଟିଦେଶ ଉପରକୁ ଆଚ୍ଛାଦିତ କରି ସୁଭଦ୍ରାଙ୍କ ମୁଖାଟେ ଚାପି ଦିଆଯାଇଛି ।
ଶ୍ରୀମନ୍ଦିରର ଆରାଧ୍ୟ ଶ୍ରୀଜଗନ୍ନାଥ ମତବାଦନୁସାରେ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବାରମାସରୁ ଏକ ମାସ ଛଦ୍ମ ଭାବରେ ବୁଦ୍ଧ ରୂପରେ ପୂଜିତ ; ବାକି ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ପୂଜନୀୟ । ଦ୍ବାଦଶ ଶତାବ୍ଦୀରେ ଜଗନ୍ନାଥ ମହାପ୍ରଭୁ ବୁଦ୍ଧାବତାର ରୂପେ ପ୍ରପୂଜିତ ହେଉଥିଲେ । ତାଙ୍କ ପାଖରେ ଜାତି-ଧର୍ମ-ବର୍ଣ୍ଣ କିଛି ନାହିଁ । ସେଲାଗି କୁହାଯାଇଛି କି ଯେ - "ପୁରୀରେ ରତି ନାହିଁ କି ଜାତି ନାହିଁ" ; ଶ୍ରଦ୍ଧାଳୁଙ୍କ ଭିଡ଼ ଅହରହ ହେତୁ ରାତି ବି ଜଣାପଡେ ନାହିଁ । ଏହା ଏକ ପବିତ୍ର ତୀର୍ଥ ସ୍ଥଳ । ମର୍କଣ୍ଡେୟ ପୁରଣରେ "ପୁରୀ" ନାମ ଅଛି କିନ୍ତୁ ଏହାର ପୁରାତନ ନାମ "ଅନ୍ତର୍ବେଦୀ ମିତିଖ୍ଯାତମ୍" ଉଲ୍ଲେଖ ରହିଛି । ଗୀତାରେ "ପୁରୁଷୋତ୍ତମ କ୍ଷେତ୍ର" ନାମ ସହିତ ଏଠି ଅଷ୍ଟଶକ୍ତି , ଅଷ୍ଟଶମ୍ଭୁ ଓ ପଞ୍ଚତୀର୍ଥ ସ୍ଥିତ ବୋଲି ବର୍ଣ୍ଣିତ ଅଛି । ଦେବୀ ଭାଗବତ , କାଳିକା ପୁରାଣ , ନୀଳତନ୍ତ୍ର କହେ ଏଠି ସୀତାଙ୍କ ପାଦ ପାତିତ ହେତୁ ଏହ "ପଦପୀଠ" ବା "ଉଡ୍ଡୀୟାନ ପୀଠ" ଏବଂ ଅତ୍ରାଧିଷ୍ଠିତା ବିମଳାଙ୍କୁ ଭୈରବୀ ଓ ଜଗନ୍ନାଥଙ୍କୁ ଭୈରବ ବୋଲି କହିଛନ୍ତି ।
ପ୍ରାଚୀନ ଐତିହାସିକ ଶିଳାଲିପିରେ ବି ଏହାକୁ ବର୍ଣ୍ଣିତ ଅଛି "ପୁରୁଷୋତ୍ତମ କ୍ଷେତ୍ର" ; ତା' ମଧ୍ଯୁ ଚନ୍ଦ୍ରିକା ଦେବୀଙ୍କ ୧୨୭୮ ଖ୍ରୀଷ୍ଟାବ୍ଦରେ ଅନନ୍ତ ବାସୁଦେବଙ୍କ ଅବସ୍ଥିତି ସମ୍ବନ୍ଧେ ଉଲ୍ଲେଖ ହୋଇଛି । ଦାଶଗୋଦା ତାମ୍ରଶାସନରେ ରାଘବ ଦେବ ପୁରୁଷୋତ୍ତମ ନାମକୁ ପ୍ରଖ୍ଯାତ କରାଇଛନ୍ତି । ଏଟି ଅନେକ ଦର୍ଶନୀୟ ସ୍ଥାନ ଅଛି । ତନ୍ମଧ୍ୟରୁ ଚାଲ ଅଠରନଳା କଥା ଦେଖିବା ଯାହା ଅଷ୍ଟାଦଶ ପୁରାଣ ପ୍ରତୀକ । ଅଠରନଳା ଅତିକ୍ରମାନ୍ତେ ଜଗନ୍ନାଥ ମନ୍ଦିର ଦୃଶ୍ୟମାନ । ଏହି ନଳା ବନ୍ଧର ଦୈର୍ଘ୍ୟ ୨୯୦ ଫୁଟ ଏବଂ ଏଥି ସ୍ଥିତ ଖିଲାଣ ସବୁ ୧୬ରୁ ୨୭ ଫୁଟ ଯାଏଁ ; ଏହାର ମଝି ଖିଲାଣ ବଡ଼ ଏବଂ ଅନ୍ଯ ଖିଲାଣ ଗୁଡ଼ିକ ବେନି ପାର୍ଶ୍ୱକୁ ଛୋଟ କ୍ରମାନ୍ୱୟେ । କନ୍ଦା ଓ ବାଲିଆ ପଥରରେ ଏହା ପ୍ରସ୍ତୁତ । ପୁରୀ ବଙ୍ଗୋପସାଗରର ବେଳାଭୂମି ଭାରତର ପଶ୍ଚିମବଙ୍ଗ କିମ୍ବା ଉତ୍କଳ ପରିଦର୍ଶକ ପର୍ଯ୍ଯଟକଙ୍କ ମଧ୍ଯେ ଅନ୍ଯତମ ଲୋକପ୍ରିୟାର୍ଜନ ବେଳାଭୂମି ।
ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ମହାପୁଣ୍ୟଫଳଦାୟକ । ବ୍ରହ୍ମ ପୁରାଣନୁସାରେ ମାର୍କଣ୍ଡେୟ ପୁଷ୍କରିଣୀ ସ୍ନାନ , ଜଗନ୍ନାଥ ଆଉ ବଳରାମଙ୍କୁ ରତ୍ନବେଦିରେ ଦର୍ଶନ , ସମୁଦ୍ର ସ୍ନାନ ଓ ଇନ୍ଦ୍ରଦ୍ୟୁମ୍ନରେ ସ୍ନାନକୁ ପଞ୍ଚତୀର୍ଥ କହନ୍ତି । "ହଳଧର କୃତ "ସ୍ମୃତି ଦର୍ପଣ" ଅନୁସାରେ ମାର୍କଣ୍ଡେୟ , ଶ୍ବେତଗଙ୍ଗା , ସମୁଦ୍ର , ରୋହିଣୀ କୁଣ୍ଡ ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ପଞ୍ଚତୀର୍ଥ ଅଟେ । କାହା କାହା ମତେ ମାର୍କଣ୍ଡେୟ ପୁଷ୍କରିଣୀରେ ସ୍ନାନ , ମାର୍କଣ୍ଡେଶ୍ୱର ଶିବଙ୍କ ଦର୍ଶନ , ଅକ୍ଷୟବଟ ଓ ବଟମୂଳସ୍ଥ ବଟେଶ୍ବର ଦର୍ଶନ , ମନ୍ଦିରରେ ଗରୁଡ଼ ଓ ଠାକୁର ଦର୍ଶନ , ଉଗ୍ରସେନଙ୍କୁ ଦର୍ଶନ କରି ସାଗର ଓ ଇନ୍ଦ୍ରଦ୍ୟୁମ୍ନରେ ସ୍ନାନ ଓ ତଦୁପରାନ୍ତେ ନୃସିଂହ ଦେବତା ଦର୍ଶନ ହିଁ ପଞ୍ଚତୀର୍ଥ । ଜ୍ଯେଷ୍ଠ ଶୁକ୍ଳ ଦଶମୀରେ ପଞ୍ଚତୀର୍ଥ ବ୍ରତର ସଙ୍କଳ୍ପ କରି ଏହାକୁ ସ୍ନାନ ପୂର୍ଣ୍ଣମୀରେ ଉଦ୍ଯାପନ କରାଯାଏ । ପଞ୍ଚତୀର୍ଥରେ ପିଣ୍ଡଦାନ ବିଧି ଶାସ୍ତ୍ରସମ୍ମତ ।
ମାର୍କଣ୍ଡେୟ ମୁନି ତପାଚରଣ ପୂର୍ବକ ଶିବଶଙ୍କରଙ୍କୁ ସନ୍ତୋଷ କରି ମୃତ୍ଯୁଞ୍ଜୟ ହୋଇଥିବାରୁ ତାଙ୍କ ନାମାନୁସାରେ ନାମିତ ମାର୍କଣ୍ଡେୟ ପୁଷ୍କରିଣୀ ବୋଲି କିମ୍ବଦନ୍ତୀ ଅଛି । ଏହା ତୀରେ ମାର୍କଣ୍ଡେଶ୍ୱର ମନ୍ଦିର , ମୃତ୍ଯୁଞ୍ଜୟ ଲିଙ୍ଗ , ପଞ୍ଚୁପାଣ୍ଡବ ଆଉ କାଳୀୟଦଳନ ମୂର୍ତ୍ତି ରହିଛି । ଅତ୍ର ପଶ୍ଚିମ ପାର୍ଶ୍ବ ପଥର ପ୍ରାଚୀର ଓ ମାର୍କଣ୍ଡେଶ୍ୱର ମନ୍ଦିର କୋଶଳକେଶରୀ ରାଜାଙ୍କ ଦ୍ବାରା ନିର୍ମିତ ବୋଲି ମାଦଳା ପାଞ୍ଜି କହେ । ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ପବିତ୍ର ତୀର୍ଥ ; ରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରାହ୍ମଣଙ୍କୁ ଏକ ହଜାର ଗୋ ଦାନ ଦେଇ ଏ ଜମି କିଣିଥିଲେ । ଇତିହାସ କହେ ଇନ୍ଦ୍ରଦ୍ୟୁମ୍ନ ରାଜା ଅଶ୍ବମେଧ ଯଜ୍ଞ ଓ ଜଗନ୍ନାଥ ସଂସ୍କୃତିର ଜଗନ୍ନାଥ ସମେତ ଚାରି ବିଗ୍ରହ ସ୍ଥାପନ କରିଥିଲେ ।
ଆଉ ଏକ ଆକର୍ଷଣ ଗୁଣ୍ଡିଚା ମନ୍ଦିର ଯାହା ଜୀଉ ମାନଙ୍କ ଜନ୍ମସ୍ଥାନ ; ଏଇଠି ତ୍ରିମୂର୍ତ୍ତି ଜଗନ୍ନାଥ , ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି ଗଢ଼ା ଯାଇଥିଲା । ରଥଯାତ୍ରା ସମୟରେ ଠାକୁର ଏଠି ସାତଦିନର ବାସିନ୍ଦା ଅଟନ୍ତି । ତିନି ଠାକୁରଙ୍କ ବିରାଜିତ ସିଂହାସନର ଏଠାକାର ନାମ ଆଡ଼ପ ମଣ୍ଡପ , ଯାହାର ଅର୍ଥ ଆଡ଼ମ୍ବରପୂର୍ଣ୍ଣ ମଣ୍ଡପ ।ଏହାକୁ ମହାବେଦି ବା ଯଜ୍ଞବେଦି କହନ୍ତି । ଏଠି ଥିବା ବେଳେ ଠାକୁରଙ୍କୁ ଲାଗି ହେଉଥିବା ପ୍ରସାଦର ନାମ ଆଡ଼ପ ଅବଢ଼ା । ଏଠି ଠାକୁର ଗଢ଼ା ହେବା ପରେ ଶ୍ରୀମନ୍ଦିରରେ ଅବସ୍ଥାପିତ ହୋଇଥିଲେ । ସେବେଳେ ମହାପ୍ରଭୁ ରାଜାଙ୍କୁ କହିତିଲେ - "ହେ ରାଜନ ! ବର୍ଷକୁ ତରେ ଜନ୍ମଭୂମିକୁ ଆଣିବ ।" ସେଲାଗି ଏ ରଥଯାତ୍ରା । ଏହା ବ୍ୟତୀତ ଏଠାରେ ସୁନାର ଗୌରାଙ୍ଗ , ନୃସିଂହ ମନ୍ଦିର , ସିଦ୍ଧ ମହାବୀର , କପାଳ ମୋଚନ , ବେଡ଼ି ହନୁମାନ , ଶ୍ରୀ ଯମେଶ୍ୱର , ଦକ୍ଷିଣକାଳୀ , ସିଦ୍ଧ ବକୁଳ , ଶ୍ଯାମାକାଳୀ , ଅଷ୍ଟଶମ୍ଭୁ , ଶ୍ରୀ ତୋଟା ଗୋପୀନାଥ , ଲୋକନାଥ ମନ୍ଦିର ଆଦି ଦର୍ଶନୀୟ ଏବଂ ଅନେକ ମଠ ବି ଦୃଶ୍ଯମାନ କିମ୍ବଦନ୍ତୀ ବାହକ ଭାବରେ । ଜଗନ୍ନାଥ ତତ୍ତ୍ବ ଜଣାଇବା ଜଟିଳ ହେତୁ ବର୍ଣ୍ଣନା କଲେ କେତେ ଖଣ୍ଡ ଯେ ବହି ହେବ କହି ହେବନି ।
ଜଗନ୍ନାଥ ମନ୍ଦିରର ସବୁଠୁ ବଡ଼ ବିଶେଷତ୍ତ୍ୱ ହେଉଛି ଏହା ମହୋଦଦି ସନ୍ନିକଟ ହେଲେ ହେଁ ଏଠାରେ କୂପ ଖନନ କଲେ ଲୁଣି/କ୍ଷାର ଜଳ ନିର୍ଗତ ନହୋଇ ମଧୁର ଜଳ ନିର୍ଗତ ହୁଏ । ଏହି ଶ୍ରୀମ୍ଦିରକୁ ୧୯୭୫ରେ ଜାତୀର କୀର୍ତ୍ତିର ମାନ୍ୟତା ହାସଲ ହୋଇଛି । ବିଶ୍ବର ସକଳ ଧର୍ମ ଶାସ୍ତ୍ରର ସାରତତ୍ତ୍ବ ଶ୍ରୀଜଗନ୍ନାଥ ସଂସ୍କୃତିରେ ଅନୁଭବନୀୟ । ଏ ସଂସ୍କୃତି କୌଣସି ଧର୍ମଧାରାରେ ସୀମାବଦ୍ଧ ନୁହେଁ ଏବଂ ଏ ସଂସ୍କୃତିରେ କୌଣସି ପ୍ରକାରେ ଆଞ୍ଚଳିକ ସଙ୍କୀର୍ଣ୍ଣତା ନାହିଁ । ଏହା ଅତୀତ-ବର୍ତ୍ତମାନ-ଭବିଷ୍ଯ ସଂଯୋଗୀ ସେତୁ । ଏହାର ବାହ୍ୟ ରୂପ ପରିବର୍ତ୍ତିତ ହେଲେ ବି ମୂଳତତ୍ତ୍ୱ ସବୁ ଅପରିବର୍ତ୍ତିତ । ବିଶ୍ବ ସକଳ ସଂସ୍କୃତି ମଧ୍ଯେ ଏହା ସମନ୍ବୟ ରକ୍ଷକ । ଏହା ସବୁ ଜାତି-ଧର୍ମ-ପ୍ରଥା ଆଉ ପରମ୍ପରା ଓ ସଂସ୍କୃତିର ପ୍ରଶ୍ରୟକ । ନିଜେ ବଞ୍ଚି ଆନକୁ ବଞ୍ଚାଇବା ଏହାର ମୌଳିକ ନୀତି । ଏକତା , ସମାନତା , ଶାନ୍ତିପୂର୍ଣ୍ଣ ସହବସ୍ଥାନ , ଭାତୃତ୍ବ ପଣ ଅତି ସୁସ୍ପଷ୍ଟ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଚାରି ବର୍ଣ୍ଣ ସମଗ୍ର ମାନବ ଜାତିର ବିଭିନ୍ନ ରଙ୍ଗ ନିଦର୍ଶନ ; ପ୍ରମାଣ୍ଯ ଯେ ଏ ସଂସ୍କୃତିଟି ସାର୍ବଜନୀନ ସଂସ୍କୃତି । ଏ ଚାରି ରଙ୍ଗ ପ୍ରତୀକାତ୍ମକ ଯାହା ବିଶ୍ବବାସୀଙ୍କ ପାଖେ ସାମ୍ଯ-ମୈତ୍ରୀ-ଭାତୃତ୍ବର ପ୍ରତିଷ୍ଠାତା ; ଏହା ବିଶ୍ବହିତୈଷୀ ସଂସ୍କୃତି । ଏହି ସଂସ୍କୃତିର ଉଦ୍ଘୋଷଣା ହେଲା - "ଈଶ୍ବର ସକଳ ଜୀବ ମଧ୍ଯେ ପ୍ରକାଶିକ" ; ପୃଥିବୀ ସକଳ ପ୍ରାଣୀ ସମାନ ।
ନୃତ୍ଯ , ସଙ୍ଗୀତ ,ସାହିତ୍ୟ , କଳା , ସ୍ଥାପତ୍ଯ ଓ ଭାସ୍କର୍ଯ୍ୟ ହେଉଛି ସଂସ୍କୃତି ଅନ୍ତରଙ୍ଗ ବିଭବ ଏବଂ ଏସବୁ ବିଭବର ଅନ୍ତଃସ୍ବତ ପ୍ରବାହିତ ଏ ସଂସ୍କୃତିରେ ଆଉ ମାନବୀୟ ପ୍ରକାର ଉନ୍ନତ ରୁଚି ଓ ସଂସ୍କାରବୋଧ ଦ୍ବାରା ଏହା ଉଜ୍ଜଳବନ୍ତ । ଶ୍ରୀଜଗନ୍ନାଥଙ୍କ ନିତ୍ଯ ସମାହିତ ତିନି ଧୂପ ପଞ୍ଚ ଅବକାଶ ରୀତିରେ ପୂଜା , ନୈମିତ୍ତିକ ପର୍ବପର୍ବାଣି , ବାରମାସ ସଂଘଠିତ ତେର ଯାତ୍ରା ଏହି ସଂସ୍କୃତିକୁ ସୁସଙ୍ଗଠିତ କରିପାରିଛି । ସମସ୍ତଙ୍କୁ ସମାନଧିକାର ପ୍ରଦାନ କରିବାର ମହାଭିପ୍ରାୟରେ ମହାପ୍ରଭୁ ଭୁଜ ମେଲି ସଭିଏଁ ଆପଣାର ବୋଲି ସେ ପ୍ରମାଣ କରିଛନ୍ତି । ସମସ୍ତଙ୍କୁ ସେବାଧିକାର ଦେବାକୁ ଭିଆ ଯାଇଛି ଛତିଶା ନିଯୋଗ । ଏଠି ମହନୀୟତା ହେଲା ଗଜପତି ମହାରାଜଙ୍କ ଭୂମିକା । "ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ମୋର ଆପଣାର" କଥା ପ୍ରତିପାଦନ କରେ ପ୍ରତିବର୍ଷର ରଥଯାତ୍ରା । ପୁରୀ ତଥା ଓଡ଼ିଶାରେ ସ୍ଥିତ ବହୁ ପ୍ରାଚୀନ ଦେବାଦେବୀଙ୍କ ସହ ଶ୍ରୀକ୍ଷେତ୍ର ନାଥଙ୍କ ପାରିବାରିକ ସମ୍ପର୍କ ହିଁ ମାନବୀୟ ଲୀଳାକୁ ଦର୍ଶାଏ ।
ଦ୍ବାଦଶ ଶତାବ୍ଦୀରେ ଗଙ୍ଗବଂଶର ରାଜା ଚୋଡ଼ଗଙ୍ଗ ଦେବ ବର୍ତ୍ତମାନ ବଡ଼ଦାଣ୍ଡ ପତ୍ତନଠୁ ୨୧୪ ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ଶ୍ରୀମନ୍ଦିର କାର୍ଯ୍ଯାରମ୍ଭ କରିଥିଲେ ଏବଂ ଅନଙ୍ଗଭୀମ ଦେବ ଏ କାର୍ଯ୍ଯରେ ସମ୍ପୂର୍ଣ୍ଣତା ଆଣି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମନ୍ଦିରରେ ଅବସ୍ଥାପିତ କରାଇଥିଲେ । ଏହା ଦଶ ଏକର ଆୟତନର ଭିତ୍ତିଭୂମି ଉପରେ ଅବସ୍ଥିତ । ମନ୍ଦିର ଚାରିପାକେ ଥିବା ମେଘନାଦ ପ୍ରାଚୀରର ନିର୍ମାତା ଗଜପତି କପିଳେନ୍ଦ୍ର ଦେବ ; ସେ ୧୪୫୨ ଖ୍ରୀ.ଅ.ରେ ଏହା ନିର୍ମାଣିଥିଲେ । ଏହାର ଦୈର୍ଘ୍ଯ ୬୬୫ ଫୁଟ ଓ ପ୍ରସ୍ଥ ୬୪୦ ଫୁଟ ଥିବା ବେଳେ ଉଚ୍ଚତା ୨୨ ଫୁଟ ଏବଂ ଠାଏଁ ଠାଏଁ ୨୦ରୁ ୨୪ ଫୁଟ ଉଚ୍ଚତା ବି ଥିବା ଦେଖାଯାଏ । ଏ ପ୍ରାଚୀର ପରେ କୂର୍ମ ବେଢ଼ାର ଦୈର୍ଘ୍ଯ ୪୨୦ ଫୁଟ ଓ ପ୍ରସ୍ଥ ୩୫୦ ଫୁଟ ଏବଂ ଉଚ୍ଚତା ୨୦ ଫୁଟ । ଶ୍ରୀମନ୍ଦିରର ନାଭିକଟା ମଣ୍ଡପ ଆଉ ମାହାପୁରୁଙ୍କ ପାଦୁକାନଳା ମଧ୍ଯବର୍ତ୍ତୀ ସ୍ଥାନରେ ଅବସ୍ଥିତ ବୋଲି ଜ୍ଞାତ ହୁଏ । କେହି କେହି ପ୍ରତ୍ନତାତ୍ତ୍ୱିକ ପରିଦୃଶ୍ୟମାନ ଭଗ୍ନ ମନ୍ଦିରର ମୂଳଭିତ୍ତିରୁ ଅନୁମାନ କରନ୍ତି ଉକ୍ତ ମନ୍ଦିରର କଳା ଓ ଭାସ୍କର୍ଯ୍ୟ ଖ୍ରୀଷ୍ଟୀୟ ଦ୍ବିତୀୟ କି ତୃତୀୟ ଶତକର । ଏ ମନ୍ଦିରର ମୂଳଭିତ୍ତି ଉପରେ ବର୍ତ୍ତମାନ ଅମୁହିଁ ଦେଉଳ ବା ରତ୍ନଭଣ୍ଡାର ଅଛି ଏବଂ ବର୍ତ୍ତମାନ ବି ଏ ଦେଉଳର ମୁଖ ଜଗନ୍ନାଥଙ୍କ ବାହାର ଗମ୍ଭୀରା ବା ଜଗମୋହନ ଦିଗକୁ ଅଛି । ପୂର୍ବ ଦିଗର ଜୟ ବିଜୟ ଦ୍ବାର ବ୍ଯତୀତ ଉକ୍ତ ଗମ୍ଭୀରାକୁ ଗମନାଗମନର ଅପର ଦ୍ବାର ଦଣିଣାଭିମୁଖେ ଅବସ୍ଥିତ । ଶ୍ରୀମନ୍ଦିରର ଚାରିଟି ଦ୍ବାର ଅଛି । ମନ୍ଦିରର ପଶ୍ଚିମରେ ମୁକ୍ତିମଣ୍ଡପ ଓ ଉତ୍ତରରେ ସୂର୍ଯ୍ଯ ପୂଜା ମଣ୍ଡପ ବିଦ୍ଯମାନ । ଏହି ମନ୍ଦିରରେ ୨୨ଟି ପାବଚ୍ଛ ଅଛି ।
କିମ୍ବଦନ୍ତୀ ଅନୁସାରେ ଜନୈକ ନିଃସନ୍ତାନ ରାଜା ଭାନୁଦେବ ସନ୍ତାନ ପ୍ରାପ୍ତ୍ଯର୍ଥେ ଜମ୍ବେଶ୍ୱର ଆରାଧନା କରି ସୁନ୍ଦର ପୁତ୍ର ସନ୍ତାନଟିଏ ପ୍ରାପ୍ତ କଲେ । ତା' ଜାତକ ତିଆରି କଲା ବେଳେ ସେ ଜାଣିଲେ ତାଙ୍କ ପୁତ୍ର ମାତ୍ର ୨୨ ବର୍ଷ ବଞ୍ଚିବ ; ସେ ପୁଣି ଜମ୍ବେଶ୍ୱରଙ୍କୁ ଆରାଧନା କଲେ । ଜମ୍ବେଶ୍ୱର ତାଙ୍କ ପରେ ପ୍ରୀତ ପାଇ ମନ୍ଦିରରେ ୨୨ଟି ପାବଚ୍ଛ ନିର୍ମଣ କଲେ ପୁତ୍ରାୟୁଷ ବୃଦ୍ଧି ହେବ ବୋଲି କହିବାରୁ ସେ ନିର୍ମାଣ କରି ସେଇ ବାଇଶି ପାବଚ୍ଛରେ ପୁତ୍ରକୁ ଗଡ଼ାଇ ଦେଲେ । ଭକ୍ତ ମାନେ ସେଲାଗି ଆୟୁଷ ବୃଦ୍ଧି ପାଇଁ ବାଇଶି ପାବଚ୍ଛରେ ନିଜର ସନ୍ତାନ ମାନଙ୍କୁ ଗଡ଼ାଇଥା'ନ୍ତି । ଶ୍ରୀମନ୍ଦିରର ମୁଖ୍ଯ ଦେଉଳଟି ପଞ୍ଚରଥ ଶୈଳୀରେ ନିର୍ମିତ । ବିମାନ (ମୁଖ୍ଯ ମନ୍ଦିର ବା ଗର୍ଭଗୃହ), ଜଗମୋହନ ବା ମୁଖଶାଳା , ନାଟମଣ୍ଡପ ଓ ଭୋଗମଣ୍ଡପ ଭାବରେ ଚାରି ଭାଗରେ ବିଭକ୍ତ ଏହା ।
ଭୋଇ ବଂଶର ଆଦ୍ଯ ରାଜା ରାମଚନ୍ଦ୍ର ଦେବଙ୍କ କାଳେ ମନସିଂହଙ୍କ ପତ୍ନୀ ଗୌରୀ ମହାଦେବୀ ହେଉଛନ୍ତି ମୁକ୍ତିମଣ୍ଡପର ନିର୍ମାତା । ଏ ମଣ୍ଡପର ଦୈର୍ଘ୍ଯ ୩୮ ଫୁଟ ଓ ୩୮ ଫୁଟ ଓସାର ସହ ୧୬ଟି ସ୍ତମ୍ଭ ରହିଛି । ନୀଳଚକ୍ରରେ ଉଡୁଥିବା ବାନାର ଲମ୍ବ ବାର ହାତ ଅଟେ । ଜଗତୀ ଓ ରତ୍ନବେବୀ ନାମରେ ଜଣା ରତ୍ନସିଂହାସନରେ ମୋଟ ସାତଜଣ ଠାକୁରଙ୍କ ବିଜେ । ସେମାନେ ହେଲେ ଜଗନ୍ନାଥ , ବଳଭଦ୍ର , ସୁଭଦ୍ରା , ମାଧବ ଦାରୁମୂର୍ତ୍ତି , ଶ୍ରୀଦେବୀ ଓ ଭୂଦେବୀ । ଗର୍ଭଗୃହ ଆକାର ଉଭୟ ଲମ୍ବ ଓ ପ୍ରସ୍ଥରେ ୩୦ ଫୁଟ ଲେଖାଏଁ ଓ ଉଚ୍ଚତା ୪୮ ଫୁଟ । ରତ୍ନସିଂହାସନର ଦୈର୍ଘ୍ଯ ୧୬ ଫୁଟ , ପ୍ରସ୍ଥ ୧୩ ଫୁଟ ଓ ଉଚ୍ଚତା ୪ ଫୁଟ । ଜଗମୋହନର ଉଚ୍ଚତା ୧୦୦ ଫୁଟ । ଶ୍ରୀମନ୍ଦିର ଜଗମୋହନରେ ୧୦ ଫୁଟ ଉଚ୍ଚତାର ଏକ ଗରୁଡ ସ୍ତମ୍ଭ ଅଛି ଏବଂ ସିଂହଦ୍ୱାର ସମ୍ମୁଖରେ ଅରୁଣସ୍ତମ୍ଭ ୩୩ ଫୁଟ ୮ ଇଞ୍ଚ ଉଚ୍ଚତାର ଅଛି ଯାହାକୁ ଅଷ୍ଟାଦଶ ଶତାବ୍ଦୀରେ ଦ୍ବିତୀୟ ଦିବ୍ଯସିଂହଙ୍କ ରାଜତ୍ବ କାଳରେ କୋଣାର୍କ ସୂର୍ଯ୍ଯ ମନ୍ଦିରରୁ ଅଣାଯାଇ ଏଟି ସ୍ଥାପନ କରାଯାଇଥିଲା । ଏଟାର ବାଇଶି ପାହାଚ ଗୁଡ଼ିକ ବଉଳମାଳା ମାଙ୍କଡ଼ା ପଥରରେ ତିଆରି ଏବଂ ଏଗୁଡ଼ିକର ଓସାର ୬ ଫୁଟ ବେଳେ ଲମ୍ବ ୭୦ ଫୁଟ ଓ ଉଚ୍ଚତା ୬ ଇଞ୍ଚରୁ ୭ ଇଞ୍ଚ ମଧ୍ଯେ । ଏଟି ପିଣ୍ଡଦାନ କରାଯାଏ । ଏ ପାହାଚ ସମୂହର ଅଧିଷ୍ଠାତ୍ରୀଗଣ ହେଲେ ମାୟା , ଚେତନା , ବୁଦ୍ଧି , ନିଦ୍ରା , କ୍ଷୁଧା , ଛାୟା , ତୃଷ୍ଣା , କ୍ଷାନ୍ତି , ଜାତି , ଲଜ୍ଜା , ଶାନ୍ତି , କାନ୍ତି , ବୁତ୍ତି , ସ୍ମୃତି , ଦୟା , ତୁଷ୍ଟି , ବିକ୍ରୀ , ମାତୃ , ଭ୍ରାନ୍ତି ଏବଂ ପ୍ରଜ୍ଞା ।
ବିଶ୍ବସନୁସାରେ ପ୍ରତି ନର ୨୨ ପ୍ରକାର ପାପରୁ ମୋକ୍ଷ ନିମନ୍ତେ ୨୨ ପାହାଚ ଅତିକ୍ରମିବା ଆବଶ୍ଯକ । ୨୨ ପାହାଚ ଯୋଗବିଦ୍ଯା ବର୍ଣ୍ଣିତ ୨୨ଟି ସ୍ତରର ପ୍ରତୀକ । ବାଇଶି ପାହାଚ ଦ୍ବିତୀୟ ସୋପାନରେ ସ୍ଥିତ ଜମଶିଳାକୁ ଶ୍ରଦ୍ଧାଳୁଗଣ ସ୍ପର୍ଶ କରି ଜଗନ୍ନାଥଙ୍କୁ ଦର୍ଶନ କଲେ ଅକାଳ ମୃତ୍ୟୁ ହରଣ ହୁଏ ଓ ପାତକ ନାଶ ହୋଇ ବୈକୁଣ୍ଠରେ ଜାଗାଟିଏ ମିଳେ ବୋଲି ଲୋକ ବିଶ୍ବାସ ଅଛି । ସ୍ମୃତିଲିପି ମୁତାବକ ଶ୍ରୀମନ୍ଦିର ରୋଷଘରେ ୨୪୦ଟି ଚୂଲି ଅଛି ଯେଉଁଠି ନାନାଦି ବ୍ଯଞ୍ଜନ-ଭୋଗ ପାକସିଦ୍ଧ ହୁଏ । ତନ୍ମଧ୍ୟରୁ ଦୁଇଟି ପ୍ରମୁଖ ନୈବିଦ୍ଯ ହେଲା ସକାଳ ଧୂପ ଏବଂ ବଲ୍ଲଭ ଭୋଗ । ବଲ୍ଲଭ ଭୋଗରେ ପାଗ ଖଇ , ପାଚିଲା କଦଳୀ , ଦହି , ସର , ଖୁଆ , ମଣ୍ଡା , ସେଓ , ଚାଉଳିଆ , ନଡ଼ିଆ ପାତି , କମଳା , ସେପଟା , କାକୁଡ଼ି ଆଦି ନୈବିଦ୍ଯ ହୋଇଥାଏ । ସକାଳ ଭୋଗରେ ସାଦା ଅନ୍ନ , ମୁଗ ଖେଚୁଡ଼ି , ଗିଅ ଅନ୍ନ , ଡାଲି , ଡାଲମା , ଶାକ , ବେସର , ଭଜା , ମହୁର , କଟା , ବିଭିନ୍ନ ବିରି-ଅଟା ଜାତୀୟ ପିଠା ଆଦି ନୈବିଦ୍ଯ ଲାଗେ ; ସ୍ଥଳ ବିଶେଷରେ ମାଟି କୁଡୁଆ ଆଉ ପିତଳ ହାଣ୍ଡିରେ ପାକ ହୋଇ ଭୋଗ ଲାଗେ । ମନ୍ଦିର ପରମ୍ପରାନୁସାରେ ଭୋଗରେ ଖମ୍ବଆଳୁ , କଖାରୁ , କଞ୍ଚା କଦଳୀ , ପଣସ , ମୂଳା, ପୋଟଳ , ଶିମ୍ବ , କାଙ୍କଡ଼ , ଜହ୍ନି , ବାଇଗଣ , ସାରୁ , କନ୍ଦମୂଳ , ଅଦା , ଧନିଆପତ୍ର , ନଡ଼ିଆ ଆଦି ସହ କୋଶଳା , ଅଗସ୍ତି , ଲେଉଟିଆ ଶାଗ ଛଡ଼ା ଅନ୍ଯ କିଛି ଶାଗ ବ୍ଯବହୃତ ହୁଏନା । ବିଭିନ୍ନ ମସଲା ସହ ଶୁଦ୍ଧ ଘିଅ ବ୍ଯବହାର କରାଯାଏ । ଏଟି ଜାତି-ଧର୍ମ ଓ ବର୍ଣ୍ଣ ନିର୍ବିଶେଷେ ସମସ୍ତେ ଏକତ୍ର ଭୋଜନ କରନ୍ତି ।
ଏହିପରି ବିଳାସପୂର୍ଣ୍ଣ ପରିବେଶ ଓ ଆଧ୍ଯାତ୍ମିକ ପରିବେଶର ସମିଶ୍ରଣରେ ଶ୍ରୀମନ୍ଦିର ଦଣ୍ଡାୟମାନ । ପୁରାଣ ଓ କିମ୍ବଦନ୍ତୀ ଅନୁସାରେ ମାଳବର ରାଜା ଇନ୍ଦ୍ରଦ୍ୟୁମ୍ନ ସର୍ବପ୍ରଥମେ ଜଗନ୍ନାଥଙ୍କ ମନ୍ଦିରର ନିର୍ମାତା , କିନ୍ତୁ ତାଙ୍କ ସପକ୍ଷରେ ଐତିହାସିକ ପ୍ରମାଣ ନାହିଁ । ପୁରାଣକୁ ଗଲେ ଅନେକ କିଛି ଘାଣ୍ଟିବାକୁ ହେବ । ଶ୍ରୀମନ୍ଦିର ସମ୍ପର୍କରେ ଅନେକ ରହସ୍ୟମୟ ତଥ୍ଯ ଅଛି ଯାହା ବୈଜ୍ଞାନିକ ମାନଙ୍କର ବି ଟେର୍ ଖୋଜି ବୁଦ୍ଧି ହଜିଯାଇଛି , ଏଯାଏଁ ଟେର୍ ମିଳିନି । ଶ୍ରୀମନ୍ଦିରର ନୀଳଚକ୍ରର ଓଜନ ପ୍ରାୟ ଦେଢ଼ କୁଇଣ୍ଟାଲ ଏବଂ ବ୍ଯା ୭ ଫୁଟ ୭ ଇଞ୍ଚ ସହ ଉଚ୍ଚତା ୧୨ ଫୁଟ ବୋଲି ଗବେଷକ ମାନଙ୍କ ମତ ।
ଶ୍ରୀମନ୍ଦିରର ପତିତପାବନ ବାନା ପବନ ଗତିର ବିପରୀତ ଦିଗରେ ଉଡ଼େ । ଦିନ ହେଉ ବା ରାତି , ମନ୍ଦିର ଉପରେ ପକ୍ଷୀ କି ଉଡ଼ାଜାହାଜ ଉଡ଼ନ୍ତି ନାହିଁ ଏବଂ ପୁରୀର ଯେକୌଣସି ସ୍ଥାନରେ ଠିଆ ହେଲେ ବି (ନୀଳଚକ୍ର ଆଡ଼କୁ ମୁଖ କରି) ନୀଳଚକ୍ରଟି ତୁମ ସାମ୍ନାରେ ମୁହଁ କରିଥିବା ପରି ଦିଶେ । ଏତତ ବ୍ଯତୀତ ଆଉ ଏକ ରହସ୍ଯ ଅଛି । ପୃଥ୍ବୀର କୌଣସି ସମୟେ ସମୁଦ୍ର ମୁହାଣରେ ଦିନରେ ସମୁଦ୍ରରୁ ଭୂମିକୁ ଆଉ ରାତିରେ ଭୂମିରୁ ସମୁଦ୍ରକୁ ପବନ ବହେ । କିନ୍ତୁ ପୁରୀ ସମୁଦ୍ର କୂଳରେ ଏହାର ଓଲଟା ଫଳେ । ଯେକୌଣସି ଜାଗାରେ ପୁରୀର ଛିଡ଼ା ହେଲେ ସମୁଦ୍ରର ଗର୍ଜନ ଶୁଣୁଥିବା ବେଳେ ସିଂହଦ୍ୱାର ଭିତରେ ପଶିଲେ ଗର୍ଜନ ଶୁଭେନି । ବର୍ଷ ସାରା ଶ୍ରୀମନ୍ଦିରରେ ଗୋଟିଏ ପରିମାଣର ରଷେଇ ହୁଏ , ଯାହା ବଳକା କି ନିଅଣ୍ଟ ନଥାଏ । ଯେତେ ଲୋକ ଆସିଲେ ବି ପେଟପୂରା ଭୋଜନ ମିଳେ । ରୋଷଶାଳେ ସାତଟି ମାଟିପାତ୍ରକୁ ଗୋଟିଏ ପରେ ଗୋଟିଏ ରଖି ଗୋଟିଏ ଚୂଲିରେ ବସେଇ ଦିଆଯାଏ , ଅଦ୍ଭୂତ କଥା କି ଉପର ପାତ୍ର ଖାଦ୍ଯ ପ୍ରଥମେ ପ୍ରସ୍ତୁତ ହୋଇଯାଏ । ତା'ପରେ ପଛକୁ ପଛ ଉପର ଆଡୁ ପ୍ରସ୍ତୁତ ହୁଏ । ସିଂହଦ୍ୱାରସ୍ଥ ଅରୁଣସ୍ତମ୍ଭ ଛାଇ ଦିନରେ ଅଦୃଶ୍ୟ ଏବଂ ଖରା-ବର୍ଷା କି ଶୀତ ଋତୁରେ ଭୂମିରେ ଛାଇ ପଡ଼େନି ।
କିଚି ବର୍ଷ ପୂର୍ବେ ଶ୍ରୀମନ୍ଦିରରୁ ୧୦ରୁ ୧୫ ଟନ୍ ଓଜନର ଏକ ପଥର ଖସିଥିଲା , ଏହା କେଉଁ ସ୍ଥାନରୁ ଖସିଛି ତାହା ଏଯାଏଁ ଜଣାପଡୁନି । ଦକ୍ଷିଣ ଦ୍ବାରର ପୂର୍ବବେଢ଼ାକୁ ଲାଗି ପଡ଼ିଥିବା ଲମ୍ବା ପ୍ରସ୍ତରଟିକୁ ଆଘାତ କଲେ ସେଥିରୁ ସଙ୍ଗୀତର ସ୍ବର ବାହାରେ । ଶ୍ରୀମନ୍ଦିର ପରିସରର ବାମପଟେ ପୁରାତନ କାଳରୁ ଏକ ବଟବୃକ୍ଷ ଅଛି ଯାହା ଏଯାଏଁ ବି ଠିଆ ହୋଇଛି । ଏସବୁ ଆଶ୍ଚର୍ଯ୍ୟ ଖୋଜି ବାହାର କରିବା ଅସମ୍ଭବ ହୋଇପଡ଼ିଛି ।
ଶ୍ରୀକ୍ଷେତ୍ରର ମହନୀୟତା ଅନେକ । ଏ ସଂସ୍କୃତିର ଆଲୋଚକ ହେବା ଏତେଟା ସହଜ ନୁହେଁ । ପ୍ରଭୁଙ୍କ କରୁଣାବାରିର କିଞ୍ଚିତ ସ୍ପର୍ଶରେ କଲମ ମୁନ ଗଡ଼ି ଚାଲିଲା । ଅଦିକ ଲେଖି ଦୀର୍ଘ ନକରି କ୍ରମଶଃରେ ଛାଡ଼ିବାକୁ ପଡୁଛି ।
ଭାଟପଡ଼ା, ନିରାକାରପୁର , କଣାସ , ପୁରୀ
☎ - ୮୯୧୭୪୮୦୫୩୬
Comments
Post a Comment