ବିନାଶ ପଥେ ବିକାଶ

                 ଶିବ ପ୍ରସାଦ ବାହିନୀପତି 


ଏକ ନିଛାଟିଆ ସ୍ଥାନ ।  କେହି କୁଆଡେ ନାହାନ୍ତି। ଶୂନ୍‌ଶାନ ପରିବେଶ ଭିତରେ ଭାବନାରେ ମଜି ଯାଇଥିଲେ ମହାକାଶ ବିଜ୍ଞାନୀ ୟୁରି ଗାଗାରିନ୍‌ । ତାଙ୍କ ମୁଖମଣ୍ଡଳରେ ଦୃଶ୍ଯମାନ ହେଉଥିଲା କେତେବେଳେ ଆନନ୍ଦ ତ କେତେବେଳେ ମଳିନତା ; ପୁଣି ବିସ୍ମୟ ଭାବ ପ୍ରକାଶ । ଅଚାନକ ଆସି ପହଞ୍ଚି ଗଲେ ଆଉ ଜଣେ ମହାକାଶ ବିଜ୍ଞାନୀ ନିଲ୍‌ ଆର୍ମ୍‌ଷ୍ଟ୍ରଙ୍ଗ୍‌। ୟୁରିଙ୍କ ପାଖରେ ପହଞ୍ଚି ଏତାଦୃଶ ଭାବ ପ୍ରକଟକୁ ଲକ୍ଷ୍ଯ କରି ବିସ୍ମିତ ହୋଇ ପଚାରିଲେ - "ଭାଇ ! ଏକା ଏକା ବସି ଏଠି କ'ଣ କରୁଛନ୍ତି ?" ଭାବନାରୁ ବାସ୍ତବତାକୁ ଫେରି ଆସି ନିଲ୍‌ଙ୍କୁ ଦେଖି ଆଶ୍ଚର୍ଯ୍ୟରେ କହିଲେ - ଆରେ ଭାଇ ତମେ ! ହଠାତ୍ ମୋ ପାଖକୁ ? କେତେବେଳୁ ଆସିଲେଣି ?

ନିଲ୍‌ - ଏଇ ଟିକେ ହେଲା । ଆସି ଦେଖେ ତ ତୁମେ ଚିନ୍ତା ଗ୍ରସ୍ତ । କ'ଣ ହୋଇଛି ? 

ୟୁରି - ନା, ଭାଇ ; କିଛି ହୋଇନି। ଏଇ ଅତୀତକୁ ଟିକେ ମନେ ପକାଉଥିଲି।

ନିଲ୍‌ - ଅତୀତ ତ ଅତୀତ ; ତାକୁ ମନେ ପକାଇ ଲାଭ କ'ଣ ? ବର୍ତ୍ତମାନକୁ ଦେଖନ୍ତୁ ଭାଇ।

ୟୁରି - ବର୍ତ୍ତମାନ କଥା କୁହନ୍ତୁନି ଭାଇ। ବର୍ତ୍ତମାନ ବି ସମସ୍ୟା ଘେରରେ ।

ନିଲ୍‌ - ମାନେ ? ବୁଝି ହେଲାନି, କି ପ୍ରକାର ସମସ୍ୟା ?

ୟୁରି - ଆଉ କି ସମସ୍ୟା ? ଏଇ ମହାକାଶ ବିଜ୍ଞାନ କଥା କହୁଛି।

ନିଲ୍‌ - ଆମେ ଥିଲାବେଳେ ଅଭିଯାନ ଆରମ୍ଭ କରିଥିଲେ, ଏବେ ତ ସେ ଆହୁରି ସଫଳତାର ଶୀର୍ଷରେ । ଯାହାହେଉ ଆମେ ପକେଇଥିବା ମୂଳଦୁଆ ଏବେ ବିରାଟ ନଅରରେ ରୂପାନ୍ତରିତ ।

ୟୁରି - ହଁ ଯେ ଭାଇ ; ଯେତିକି ଖୁସି ଲାଗୁଛି ସେତିକି ଚିନ୍ତା ବି ଘାରୁଛି।

ନିଲ୍‌ - ଚିନ୍ତା ପୁଣି କ'ଣ ? ଇଏ ତ ଆନନ୍ଦର କଥା। ଆମେ ମହାକାଶରେ ପହଞ୍ଚି ପରୀକ୍ଷା ନିରୀକ୍ଷା କରି ତଥ୍ଯ ନେଇ ଫେରି ଆସିଥିଲେ ସିନା, ଏବେ ଆମ ଅପେକ୍ଷା ସେମାନେ ନୂତନ ତଥ୍ଯ ପ୍ରାପ୍ତ କରି ସାରିଲେଣି। ଚନ୍ଦ୍ର ପୃଷ୍ଠରେ ଜାଗା କିଣି ରହିବାର ବ୍ଯବସ୍ଥା ତ ଚମତ୍କାର । ଅନ୍ଯ ଗ୍ରହରେ ବି ଜୀବନ ଅଛି ବୋଲି ପ୍ରମାଣ ମିଳି ସାରିଲାଣି। ଆଉ ଏ ସଫଳତାରେ ତମେ କ'ଣ ଖୁସି ନୁହଁ କି ? 

ୟୁରି - ମୁଁ ତ ବହୁତ ଖୁସି , କିନ୍ତୁ.....

ନିଲ୍‌ - କିନ୍ତୁ ପୁଣି କ'ଣ ? ଆମ ମହାକାଶ ବିଜ୍ଞାନ ଏବେ ଶୀର୍ଷ ପାବଚ୍ଛ ସ୍ପର୍ଶ କରିବାକୁ ଯାଉଛି  । ମଙ୍ଗଳ ଗ୍ରହରେ ଜନ ବସତି ସ୍ଥାପନ କରିବାର ପ୍ରସ୍ତୁତିରେ ଏବେ ସେ ।

ୟୁରି - ସେ କଥା ତ ଏଯାବତ୍ ସଫଳ ହୋଇନି ; ହେଲେ ଦେଖାଯିବ । ଆଉ ଗୋଟେ ବଡ କଥା କ'ଣ ଜାଣିଛ ଭାଇ ?

ନିଲ୍‌ - କ'ଣ ?

ୟୁରି - ଆମେ ଯେତେ ସୁବିଧା ଆପଣଉଛେ ସେତେ ଅସୁବିଧାର ସମ୍ମୁଖୀନ ହେଉଛେ । ଆମ ଗବେଷଣାରେ ସଫଳତା ମିଳିଲେ କ'ଣ ହେବ, କୋଉଠି ନା କୋଉଠି ଅସଫଳ ହେବାକୁ ପଡୁଛି । 

ନିଲ୍‌ - ବାରମ୍ବାର ଚେଷ୍ଟା ହିଁ ସଫଳତାର ଚାବି ନେନ୍ଥା ।

ୟୁରି - ନା, ଭାଇ। ଆମେ ଅନ୍ଯ ଗ୍ରହରେ ଜୀବନ ଖୋଜିଲା ବେଳକୁ ଆମ ପୃଥ୍ବୀ ଗ୍ରହଟା ଜୀବନ ବିହୀନ ହୋଇପଡୁଛି । ଓଜୋନ ସ୍ତରରେ ଗର୍ତ୍ତ ହୋଇ ସାରିଲାଣି । ପରିବେଶ ବିଗିଡି ଗଲାଣି । ଯଦି ଗବେଷଣା ବନ୍ଦ୍‌ କରି ଦିଆଯାଉଛି ତେବେ ସଫଳତା ହରେଇବାକୁ ପଡୁଛି । ନୂତନ ତଥ୍ଯ ସବୁ ଅଜ୍ଞାତ ଭିତରେ ଆବଦ୍ଧ। ଯଦି ଗବେଷଣା ଜାରି ରହୁଛି  ତେବେ ଆମର ବିଶାଳ ପୃଥିବୀର ଅବକ୍ଷୟ । 

ନିଲ୍‌ - ସତେ ତ ଭାଇ। ଏକଥା ମୁଁ ଜାଣି ମଧ୍ଯ ଧ୍ଯାନ ଦେଇନି । ଏହାର ଉପାୟ କ'ଣ ?

ୟୁରି - ଆମ ବେଳ କାଳ ତ ସରି ଯାଇଛି । ଆମେ ଆଉ କ'ଣ କରିବା ? ଏବେ ସେଇମାନଙ୍କ ଉପରେ ନ୍ଯସ୍ତ । ଆମେ ଖାଲି ସାମୂହିକ ସଫଳତାରେ ଖୁସି ଆଉ ଅନ୍ଯ ପଟେ ଅବକ୍ଷୟ ପାଇଁ ମନସ୍ତାପ କରିବା କଥା। 

ନିଲ୍‌ - ହଁ ଭାଇ, ଯାହା କହିଲେ ସେଇଆ। ଏବେ କେବଳ ଭଗବାନ୍ ଭରସା। ଆମେ ପ୍ରଥମେ ମହାକାଶରେ ପାଦ ଦେଇ ତାଙ୍କୁ ଆଗକୁ ବଢିବାର ସୂଚନା ଦେଇ ଆସିଥିଲେ  । ଏବେ ସେମାନେ କେମିତି ସଫଳତା ବିନା କିଛି କ୍ଷତିରେ ହାସଲ କରୁଛନ୍ତି ଦେଖିବାର କଥା।

ୟୁରି - କ'ଣ ଆଉ ଦେଖିବା ? ବର୍ତ୍ତମାନ ପୃଥ୍ବୀ ଧ୍ବଂସାଭିମୁଖୀ। ହଉ,ଛାଡ । ଆସ ଯିବା ଭାଇ, ଟିକେ ଇନ୍ଦ୍ରଙ୍କ ନନ୍ଦନ ବନ ଆଡୁ ବୁଲି ଆସିବା । ମନଟା ଟିକେ ଆଶ୍ବସ୍ତି ଲାଗିବ । 

ନିଲ୍‌ - ହଁ ଭାଇ, ଚାଲ ଯିବା । ବିନାଶ ପଥେ ବିକାଶ ଚାଲିଛି । ହଉ।


ଦୁହେଁ ସେ ଜାଗା ପରିତ୍ଯାଗ କରି ନନ୍ଦନ ବନ ଅଭିମୁଖେ  ଯାତ୍ରା କଲେ ।।


ଭାଟପଡା,ନିରାକାରପୁର, କଣାସ (ପୁରୀ )

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା