ରଥଯାତ୍ରା : ଏକ ସମ୍ଯକ ଅବଧାରଣା
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଆଶାଢ଼ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥି , ଜନାକୀର୍ଣ୍ଣ ପୁରୀ ସହର । ଦୂରଦୂରାନ୍ତରୁ ଛୁଟି ଆସିଛନ୍ତି ଅଗଣିତ ଭକ୍ତ ; ସୋରିଷ ବୁଣିବାକୁ ଜାଗା ନାହିଁ । ଶାନ୍ତିଲତା ବାରିକଙ୍କ କଣ୍ଠ ନିଃସୃତ ଏକ ଭଜନ ମନେ ପଡ଼ିଯାଏ ଏଇ ମୁହୂର୍ତ୍ତରେ :- "ବାବା କି ଭିଡ଼ ବଡ଼ଦାଣ୍ଡରେ / ସୋରିଷ ବୁଣିଲେ ତଳେ ପଡ଼ିବନି /ପଡ଼ିବ ଭକତ ମୁଣ୍ଡରେ , ମୁଣ୍ଡରେ , ମୁଣ୍ଡରେ / ବାବା କି ଭିଡ଼ ବଡ଼ଦାଣ୍ଡରେ ।" ସତରେ ଏଦିନ ପାପମୋଚନର ଦିନ , ଭକ୍ତ - ଭଗବାନଙ୍କର ଏକତ୍ରୀକରଣର ଦିନ , ରାଜା - ପ୍ରଜାଙ୍କ ସମ୍ମିଳନର ଦିନ , ନେତା - ଜନତାଙ୍କ ମହାମିଳନ ; ପବିତ୍ର ଘୋଷଯାତ୍ରା ଯାହା ସାରା ବିଶ୍ବରେ ପ୍ରସିଦ୍ଧ । ଅନ୍ଯର୍ଥରେ ରଥଯାତ୍ରା । ସଂସାରରେ ଏମିତି ଜଣେ କେହି ନାହିଁ ଯିଏ ପାପ କରିନାହିଁ । ମଶା-ମାଛିଟିଏ ମାରିଲେ ବି ପାପ ; ତେଣୁ ସମସ୍ତେ ପାପୀ । ଜାଣତେ ହେଉ କି ଅଜାଣତେ ସମସ୍ତେ ପାପର ଆବର । ନିଜ ପାପର ପ୍ରାୟଶ୍ଚିତ କରିବା ପାଇଁ ସାରା ଜଗତର ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଓ ସ୍ପର୍ଶନ ପାଇଁ ବ୍ଯାକୁଳିତ ହୃଦୟ ଧାଇଁ ଆସିଛି ଦୂରଦୂରାନ୍ତରୁ । ଭକ୍ତ ଆଉ ଭଗବାନଙ୍କ ମିଳନରେ ପୂରି ଉଠିଛି ବଡ଼ଦାଣ୍ଡ । ଏଠି ଜଗତର ନାଥ ଜଗନ୍ନାଥ ସ୍ବୟଂ ବ୍ରହ୍ମାଣ୍ଡ ରାଜନ , ବ୍ରହ୍ମାଣ୍ଡଯାକର ଲୋକ ପ୍ରଜା ତୁଲ୍ଯ । ସାରା ବ୍ରହ୍ମାଣ୍ଡକୁ ଯିଏ ପାଳନ କରୁଛି , ସେ ତ ପୁଣି ପ୍ରଜାଙ୍କ ଦୁଃଖ - ସୁଖକୁ ନିଜ ଆଖିରେ ଦେଖିବା ଦରକାର । "ମୋ' ପ୍ରଜା କେମିତି ଅଛନ୍ତି , କ'ଣ ଅଭାବ ରହିଛି" - ଏସବୁ ଜାଣିବାକୁ ସତେ ଯେମିତି ରାଜନବରରୁ ବାହାରି ଆସିଛନ୍ତି ମହାରାଜ ।
"ଭକ୍ତି - ଗରିଷ୍ଠ ବା ଗରୀୟାନ - ବାହକ - ନମ୍ର" - ଏ ଚାରି ଶବ୍ଦର ସମାହାର "ଭଗବାନ" । "ଭଦ୍ରତା - କରୁଣା - ତରୁଣ" - ଏ ତିନି ଶବ୍ଦର ସମାହାର "ଭକତ" ବା "ଭକ୍ତ" । ମଣିଷ ଯେ ଭଗବାନଙ୍କୁ ଭକ୍ତି କରେ ତା' ନୁହେଁ , ଭଗବାନ ବି ନରଙ୍କୁ ଭକ୍ତି କରନ୍ତି । ନହେଲେ ଶ୍ରୀବତ୍ସ ବ୍ରାହ୍ମଣର ପଦାଘାତରେ ବିଚଳିତ ନହୋଇ ସେ କିପରି ତାଙ୍କର ପାଦକୁ ଆଉଁସି ଦେଇ ପଚାରିଥିଲେ - "ଆପଣଙ୍କ ପାଦକୁ କଷ୍ଟ ଲାଗିନି ତ ?" ଭଗବାନଙ୍କର ନରଙ୍କ ପ୍ରତି ଓ ନରଙ୍କର ଭଗବାନଙ୍କ ପ୍ରତି ଜାତ ଭକ୍ତିର ସଂଯୋଗରେ ଜାତ ଶକ୍ତି "ଦୈବୀଶକ୍ତି" । ଯିଏ ସମସ୍ତଙ୍କ ଠାରୁ ଉର୍ଦ୍ଧ୍ବରେ ; ଯାହାକୁ ବ୍ରହ୍ମା - ଶଙ୍କର ବି ଧ୍ଯାନ କରନ୍ତି , ସେ ତ ଗରିଷ୍ଠ ବା ଗରୀୟାନରେ ଗଣା । ସମଗ୍ର ବ୍ରହ୍ମାଣ୍ଡର ଯିଏ ପାଳନକର୍ତ୍ତା ; ବ୍ରହ୍ମାଣ୍ଡ ନାବର ନାବିକ ଯିଏ ଏବଂ ଯିଏ ବିଶ୍ବବ୍ରହ୍ମାଣ୍ଡର ଭାରକୁ ବହନ କରେ ଏବଂ ନମ୍ରତା ଯାହାର ସ୍ବଭାବ ସେ ହିଁ ଭଗବାନ । ଏତତ ବ୍ଯତୀତ ଯାହାର ସ୍ବଭାବ ଭଦ୍ର ଆଉ ଯାହାର ହୃଦୟରେ କାରୁଣ୍ୟ ତରଙ୍ଗ ଦୋଳାୟମାନ ଏବଂ ଯାହାର ମନ ସଦା ତରୁଣ ଅର୍ଥାତ୍ କୋମଳ ସେ ହିଁ ତ ଭକ୍ତ । ଇଏ ତ ସେହି ଭକ୍ତ - ଭଗବାନର ମିଳନ । ଏଠି ନେତା ସ୍ବୟଂ ଜଗନ୍ନାଥ । ସଚରାଚର ଜୀବଜଗତର ପରିପାଳକ ସେ ଆଉ ଆମେ ସମସ୍ତେ ପ୍ରଜା । ଉତ୍କଳ ରାଜ୍ଯର ନେତା ଭାବରେ ସେ ବିଶେଷ ସୁପ୍ରସିଦ୍ଧ । "ଉତ୍କଳେ ନେତାଙ୍କ ନାହିଁ ପ୍ରୟୋଜନ , ଉତ୍କଳର ନେତା ସ୍ବୟଂ ନାରାୟଣ" - ବୋଲି କଥିତ ଅଛି ।
ରଥ-ପଥ-ଜଗନ୍ନାଥ ସମସ୍ତେ ଏକାଗ୍ରଚିତ୍ତରେ ଅଛନ୍ତି । ବଡ଼ଦାଣ୍ଡରେ ତିନି ରଥ ଅପେକ୍ଷା କରିଛନ୍ତି କେତେବେଳେ ତିନି ଠାକୁରଙ୍କୁ ଆମେ କୋଳେଇ ନବୁ । ପଥ ବି ଅପେକ୍ଷାରତ କେତେବେଳେ ମୋ' ଉପରେ ଚଢ଼ିବ ତିନି ରଥର ଚକ ଆଉ ଜଗନ୍ନାଥ ବି ଅପେକ୍ଷା କରିଛନ୍ତି କେତେବେଳେ ମୋର ସେବକ ମତେ ପହଣ୍ଡି କରି ନେଇଯିବେ ନନ୍ଦିଘୋଷ ଉପରକୁ । ଯିଏ ମହାପ୍ରଭୁଙ୍କର ଦର୍ଶନ ପାଇନି , ଏଦିନ ସେ ଖୁଲମଖୁଲା ଦର୍ଶନ କରିବ ଆଉ ଟିକେ କୋଳେଇ ନେବ ଭକ୍ତିରେ । ଏହି ସବୁ କାରଣ ପାଇଁ ଏ ଘୋଷଯାତ୍ରା କରଣୀୟ । ଏହାର ଅନ୍ଯ ନାମ "ପତିତପାବନ ଯାତ୍ରା", ପତିତ ଜନଙ୍କୁ ପାବନ କରିବାକୁ ଏ ଯାତ୍ରା ; ବିନା ଭକ୍ତରେ ଏ ଯାତ୍ରାର ମହତ୍ତ୍ୱ ବା କ'ଣ ? ତେଣୁ ଦୂରଦୂରାନ୍ତରୁ ଜନ ସମାଗମ । ଆଜି ପୁରୀ ସାଜିଛି ପ୍ରେମମୟ , ଭକ୍ତିମୟ , ଭାବମୟ । ବାସୁଦେବ ଦିନେ ଅର୍ଜୁନଙ୍କୁ ବୁଝାଇଥିଲେ - "ଅହଂ ବୈଶ୍ବାନରୋ ଭୂତ୍ବା ପ୍ରାଣୀନାଂ ଦେହମାଶ୍ରିତଃ" । ଅର୍ଥାତ୍ - ସକଳ ପ୍ରାଣୀଙ୍କର ମୁଁ ହେଉଛି ପ୍ରାଣପିଣ୍ଡ । ପୁଣି ପ୍ରଭୁ କହିଛନ୍ତି - "ଦ୍ବାବିମୌ ପୁରୁଷୌ ଲୋକେ କ୍ଷରଶ୍ଚାକ୍ଷର ଏବ ଚ , କ୍ଷରଃ ସର୍ବାଣି ଭୂତାନି କୁଟସ୍ଥୋଽକ୍ଷର ଉଚ୍ଯତେ ।" ଅର୍ଥାତ୍ - ଏହି ସଂସାରରେ "ନାଶବାନ୍" (ଶରୀର) ଓ "ଅବିନାଶୀ"(ଜୀବାତ୍ମା) ନାମରେ ଦୁଇ ପ୍ରକାରର ପୁରୁଷ ଅଛନ୍ତି । ଶରୀରର ବିନାଶ ଅଛି କିନ୍ତୁ ଈଶ୍ବର ବିଶ୍ବାସ ହେତୁ ଆତ୍ମାର ବିନାଶ ନାହିଁ । ସେ ଯାହା ବି ହେଉ ଏ ପବିତ୍ର ନବଦିନାତ୍ମକ ଯାତ୍ରାର ମହନୀୟତା ମହଣ ମହଣ । ଆଧ୍ୟାତ୍ମିକତାର ଗନ୍ଧରେ ଗନ୍ଧାନୁଯୁକ୍ତ ଶ୍ରୀକ୍ଷେତ୍ର ।
ଶାସ୍ତ୍ରରେ ଅଛି - "ଦୋଳେ ଚ ଦୋଳଗୋବିନ୍ଦଂ ଚାପେଶ୍ଚ ମଧୁସୁଦନଂ , ରଥେ ତୁ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମ ନବିଦ୍ଯତେ ।" ଜଗନ୍ନାଥଙ୍କର ଏକ ରୂପ ବାମନ(ବିଷ୍ଣୁଙ୍କର ପଞ୍ଚମାବତାର) ; ରଥରେ ଜଗନ୍ନାଥ ଦର୍ଶନ କଲେ ପୁନର୍ଜନ୍ମ ହୁଏନାହିଁ । ଏହି ପୁରାତନ ପ୍ରଚଳିତ ବିଶ୍ବାସଟି ସସ୍ର ସସ୍ର ଭକ୍ତ ସମାଗମ କରେ ପବିତ୍ର ଶ୍ରୀକ୍ଷେତ୍ର ମାଟିରେ । ମନରେ ପ୍ରଶ୍ନ ଉଠେ ସତରେ କ'ଣ ଏ ଉକ୍ତିଟି ଠିକ୍ ? ଶରୀର ରୂପୀ ରଥରେ ବାମନ ରୂପୀ କ୍ଷୁଦ୍ର ଆତ୍ମାର ଉପସ୍ଥିତିର ଅନୁଭବ ଏ ଧାଡ଼ିର ଅର୍ଥ । ଅନ୍ଯର୍ଥରେ 'ବାମି' ଧାତୁ ଅର୍ଥ "ବିରୋଧାଭାସ" ; ଏହା ବାମନ ଶବ୍ଦର ମୂଳ ଉତ୍ସ । ଅର୍ଥାତ୍ ଯେ' ଅନ୍ଯ ପ୍ରାଣୀଙ୍କ ଠାରୁ ଭିନ୍ନ । ସଂସାରର ସମସ୍ତ ପ୍ରାଣୀ ପାର୍ଥକ୍ଯର ମାୟା ଘେନି ବଞ୍ଚନ୍ତି ଓ ସବୁକିଛି ଭିତରେ ପାର୍ଥକ୍ଯ ହିଁ ଦେଖନ୍ତି । ଏହା ଠାରୁ ଅଲଗା ବା ଏହାର ବିରୁଦ୍ଧ ତତ୍ତ୍ବ ଦର୍ଶନ ହେଲା ବାମନଙ୍କ ଅନୁଭବ । ରଥରେ ବିଗ୍ରହ ଦର୍ଶନ ହେଉ ବା ଶରୀରରେ ଆତ୍ମାନୁଭବ , ଭଲଭାବେ ଚିନ୍ତା କଲେ ବୁଝି ହେବ - ଏହା ବି ପାର୍ଥକ୍ଯ ଦର୍ଶନ । ଏହାର ବିପରୀତନୁଭବ "ଏକାତ୍ମତା" । ଏ ରଥଯାତ୍ରା ଏକ ଲୀଳା ଅଟେ । "ରମ୍" ଧାତୁରୁ ଆନୀତ "ରଥ" ଶବ୍ଦ ଯାହା କରଣ ଅର୍ଥରେ "ଥ" ଯୋଗରେ ସୃଷ୍ଟି । "ରମ୍"ର ଅର୍ଥ କ୍ରୀଡ଼ା କରିବା , ଏ ଦୃଷ୍ଟିରୁ ଏହା ଏକ କ୍ରୀଡ଼ା ବା ଖେଳ ; ଯାହାର ଆଧ୍ୟାତ୍ମିକ ପରିଭାଷା "ଲୀଳା" । "ଲୀ" ଧାତୁ ଆଲିଙ୍ଗନ କରିବାକୁ ଓ "ଲା" ଧାତୁ ଗ୍ରହଣ କରିବାକୁ ବୁଝାଏ ଯାହା ସାଧାରଣତଃ ଶୃଙ୍ଗାରଜନିତ କ୍ରିୟା । ଏହା ହିଁ କ୍ରୀଡ଼ା । ଆଧ୍ୟ୍ୟତ୍ମିକତା ଦୃଷ୍ଟିକୋଣରୁ ଏହି ଯାତ୍ରା ଭାବବନ୍ଧନ ବା ଆତ୍ମା ଓ ପରମାତ୍ମାଙ୍କ ମିଳନର ଯାତ୍ରା ।
ଅନ୍ଯର୍ଥରେ ବିଚାରକୁ ନେଲେ "ରଥ"ର ଅର୍ଥ ଶକଟ ଆଦି ଚକ୍ରଯାନ ଅର୍ଥାତ ଚକଯୁକ୍ତ ଯାନ । ଏହାର ସଂସ୍କୃତ ପ୍ରତିଶବ୍ଦ "ସ୍ଯନ୍ଦନ" ଯା'ର ଅର୍ଥ ଗତିଶୀଳ ଯାନ । ଚକଯୁକ୍ତ ଯାନରେ ବସି ଯାତ୍ରା କରିବା ହେଉଛି ରଥଯାତ୍ରା । ହରିହର କାନୁନ୍ଗୋଙ୍କ ମତରେ ଜଗନ୍ନାଥଙ୍କ ରଥଯାତ୍ରା ଏକ ବୌଦ୍ଧ ଅନୁଷ୍ଠାନ ଅଟେ । ସିଂହଳରେ ପାଳିତ ରଥଯାତ୍ରାରେ ବୁଦ୍ଧଙ୍କ ଦନ୍ତକୁ ବୈଶାଖ ଶୁକ୍ଳ ତ୍ରୟୋଦଶୀ ଦିନ ବାହାର କରି ହାତୀ ଉପରେ ଥୋଇ ମହାସମାରୋହରେ ଶୋଭାଯାତ୍ରାରେ ନେଇ ନଗର ରାଜମାର୍ଗମାନ ବୁଲାଇ ଶେଷରେ ଏକ ମଣ୍ଡପରେ ସ୍ଥାପନ କରାଯାଏ ; ସେଠାରେ ଷଡ଼ଦିନ ରହଣି ପରେ ମନ୍ଦିରକୁ ଆନୟନ କରାଯାଏ । ତତ୍ତ୍ବବିତ ରାଜେନ୍ଦ୍ର ଲାଲ ମିତ୍ରଙ୍କ ମତନୁସାରେ ପୁରୀର ରଥଯାତ୍ରା ବୁଦ୍ଧଦେବଙ୍କ ଜନ୍ମୋତ୍ସବ ପାଳନର ସ୍ମୃତି ମାତ୍ର ।
ମାଦଳା ପାଞ୍ଜିରେ ବି ପୁରୀ ରଥଯାତ୍ରା ସମ୍ବନ୍ଧେ ଉଲ୍ଲେଖ ଅଛି ଯେ , ବୀର ନରସିଂହଦେବ ରାଜ୍ଯ ଜୟ କରିବା ପରେ ବାଙ୍କୀ ମୁହାଣ ପୋତାଇଲେ । ଛଅ ରଥ ହେଉଥିଲା , ରାଜା ତାକୁ ତିନି ରଥରେ ପରିଣତ କଲେ । ଗୁଣ୍ଡିଚାଘର ଦେଉଳ କାଠ ମଣ୍ଡପକୁ ଭାଙ୍ଗି ପଥର ମଣ୍ଡପ କଲେ ଓ ଦୁଇ ପାଖେ ବଳଗଣ୍ଡି କଲେ । କେହି ଜଣେ ଗବେଷକ ଲାଙ୍ଗୁଳା ନରସିଂହ ଦେବଙ୍କ ପରବର୍ତ୍ତୀ ରାଜା ଭାନୁଦେବଙ୍କ ସମୟରେ ଛଅ ପରିବର୍ତ୍ତେ ତିନି ରଥ ହେବାର ବ୍ଯବସ୍ଥା ହୋଇଥିଲା ବୋଲି ଉଲ୍ଲେଖ କରିଛନ୍ତି । ମାଦଳା ପାଞ୍ଜିରେ ଏ ଛଅ ରଥ କେବେଠୁ ପ୍ରଚଳିତ ହେଲା ବୋଲି ଉଲ୍ଲେଖ ନାହିଁ । ପ୍ରମାଣ ଅଛି ତ୍ରୟୋଦଶ ଶତାଦ୍ଦୀରୁ ପୁରୀରେ ରଥଯାତ୍ରାଟି ଅନୁଷ୍ଠିତ ହୋଇଥିଲା । ତ୍ରୟୋଦଶ ଶତାଦ୍ଦୀ ପୂର୍ବରୁ ରଚିତ "ସ୍କନ୍ଦ ପୁରାଣ" ଉତ୍କଳ ଖଣ୍ଡର ପୁରୁଷୋତ୍ତମ ମାହାତ୍ମରେ ରଥଯାତ୍ରାର ସବିଶେଷ ବିବରଣୀ ବର୍ଣ୍ଣନା ଅଛି ।
କବି ମୁରାରୀ ମିଶ୍ରଙ୍କ ରଚନାନୁସାରେ - "ଭାଗବତଃ ପୁରୁଷୋତ୍ତମସ୍ଯ ଯାତ୍ରାୟା ମୁପସ୍ଥାନୀୟା ସଭାସଦଃ" । ଏଠି ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥଙ୍କ ଯେଉଁ ଯାତ୍ରାର ନାମ ଉଲ୍ଲେଖ ସେ କରିଛନ୍ତି , ତାହା ଆଲୋଚକ ମାନଙ୍କ ଦ୍ୱାରା "ରଥଯାତ୍ରା" ରୂପେ ଗୃହୀତ ହୋଇଛି । ବର୍ଣ୍ଣିତ ଯାତ୍ରାର କାଳ ନିରୂପିତ ନହେବା ହେତୁ ଏହାକୁ "ରଥଯାତ୍ରା" ରୂପେ ଗ୍ରହଣ କରିବାରେ ମତଦ୍ବୈଧ ଦେଖାଯାଏ । ବିଶିଷ୍ଟ ଐତିହାସିକ ଡକ୍ଟର ସତ୍ଯନାରାୟଣ ରାଜଗୁରୁ ଊଲ୍ଲେଖ କରିଛନ୍ତି ଯେ , ୧୨୨୩ ଖ୍ରୀଷ୍ଟାବ୍ଦ ପରେ କୌଣସି ସମୟରେ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ଦାରୁ ନିର୍ମିତ ହେବାରେ ଓ ଆଦିବାସୀ ଦଇତାମାନେ ତାଙ୍କ ସେବକ ରୂପେ ନିଯୁକ୍ତି ହେବାରେ ରଥଯାତ୍ରାର ସୃଷ୍ଟି । ଏହାର ପୌରାଣିକ କିମ୍ବଦନ୍ତୀ (ଜଗନ୍ନାଥ ମୂର୍ତ୍ତି ଗଢ଼ା) ବିଷୟରେ ପ୍ରାୟ ସମସ୍ତେ ଅବଗତ ; ତେଣୁ ଏସବୁ ବର୍ଣ୍ଣନା କରି ପ୍ରବନ୍ଧକୁ ଦୀର୍ଘ କରିବାକୁ ଅନିଚ୍ଛୁକ । ବ୍ରହ୍ମ ପୁରାଣ , ନାରଦ ପୁରାଣ , ନିଳାଦ୍ରି ମହୋଦୟ , କପିଳ ସଂହିତା , ଜଗନ୍ନାଥ ପୁରାଣ , ପଦ୍ମ ପୁରାଣ , ଯାତ୍ରା ଭାଗବତ , ଚୈତନ୍ୟ ଚରିତାମୃତ , ବାମଦେବ ସଂହିତା , ଶାରଦା ପୁରାଣ ଆଦିରେ ଶ୍ରୀକ୍ଷେତ୍ରର ରଥଯାତ୍ରା ବିଷୟରେ ଉଲ୍ଲେଖ ରହିଛି । ପ୍ରଭୁଙ୍କର ଦ୍ବାଦଶ ଯାତ୍ରା ମଧ୍ଯରେ ଏହା ଅନ୍ଯତମ । କୁହାଯାଇଛି :-
"ମଞ୍ଚସ୍ନାନଂ ରଥବରଗତିଃ ଶାୟନଂ ଚାୟନେ ଦ୍ବେ
ପାର୍ଶ୍ୱ ବୃତ୍ତିଃଶୟନ ନିବୃତ୍ତି ପାବୃତ୍ତୈ ପୁଷ୍ଯପୂଜା
ଦୋଳଯାତ୍ରା ଦମନକମହୋତାକ୍ଷ ପୂଜା ତୃତୀୟା
ଚୈକଂ ଯାତ୍ରା ନିଧନିଗଦିତା ଦ୍ବାଦଶୈତା ନରେନ୍ଦ୍ର ।"
ସ୍କନ୍ଦ ପୁରାଣ (ପୁରୁଷୋତ୍ତମ ମାହାତ୍ମ୍ୟ)
ବିଶ୍ବାସ ଅଛି ଏ ଯାତ୍ରାରେ ସାମିଲ୍ ହେଲେ ସହସ୍ର ଅଶ୍ବମେଧ ଯଜ୍ଞର ଫଳପ୍ରାପ୍ତି ; ପୁରାଣ ପୃଷ୍ଠା ପରଷେ କି , ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ ଗୁଣ୍ଡିଚା ମନ୍ଦିରରେ ଏକଦିନ ଦର୍ଶନରେ ସମଫଳ ମିଳେ । ସ୍କନ୍ଦ ପୁରାଣ କହେ ଯେ , ଷୋହଳ ଚକ ବିଶିଷ୍ଟ ଜଗନ୍ନାଥଙ୍କ ରଥର ଉଚ୍ଚତା ବେଦି ଉପରୁ ୨୩ ହାତ ଓ ଚାରୋଟି ତୋରଣ ସହିତ ରକ୍ତଚନ୍ଦନ କାଠରେ ଗରୁଡ଼ଧ୍ୱଜ ହେବ ଆଉ ଚଉଦ ଚକ ବିଶିଷ୍ଟ ବଳଭଦ୍ରଙ୍କ ରଥର ଉଚ୍ଚତା ବେଦି ଉପରୁ ୨୨ ହାତ ଏବଂ ୧୨ ଚକ ବିଶିଷ୍ଟ ସୁଭଦ୍ରାଙ୍କ ରଥର ଉଚ୍ଚତା ବେଦି ଉପରୁ ୨୧ ହାତ । କଥା ଅଛି କି , ଠାକୁରଗଣ ଗୁଣ୍ଡିଚା ମଣ୍ଡପରେ ଥିବା ବେଳେ ବନ ଜାଗରଣ ବ୍ରତ ପାଳନ , ଶୁକ୍ଳ ଦ୍ବିତୀୟା ଦିନ ଇନ୍ଦ୍ରଦ୍ୟୁମ୍ନ ସରୋବରରେ ସ୍ନାନ କରି ନୃସିଂହଙ୍କ ଠାରେ ସଙ୍କଳ୍ପ ବ୍ରତାରମ୍ଭ କଲେ ମହାପୁଣ୍ୟ ଯାହାକୁ ମହାବେଦି ମହୋତ୍ସବ କହନ୍ତି । କବିରାଜ କୃଷ୍ଣଦାସ ତାଙ୍କ ରଚିତ ଗ୍ରନ୍ଥ "ଚୈତନ୍ଯ ଚରିତାମୃତ"ରେ ରଥଯାତ୍ରା ବିଷୟରେ ବି ଉଲ୍ଲେଖ କରିଛନ୍ତି । ସେଥିରେ ଅଛି ଚୈତନ୍ୟଙ୍କ ଶିଷ୍ଯ ରଘୁନାଥ ଦାସ ଗୋସ୍ୱମୀ । ଚୈତନ୍ୟ ତାଙ୍କ ପାର୍ଷଦ ମାନଙ୍କ ସହ ରଥଯାତ୍ରା ବେଳେ ଗୁଣ୍ଡିଚା ମନ୍ଦିର ମାର୍ଜନା କରୁଥିଲେ । ସେମାନେ ଛୋଟ-ବଡ଼ ମନ୍ଦିର ମାର୍ଜନା ଓ ଶୋଧନ ତଥା ଶେଷରେ ଜଗମୋହନ ପରିଷ୍କାର କରୁଥିଲେ । ଉଲ୍ଲେଖ ଅଛି ଉକ୍ତ ଗ୍ରନ୍ଥରେ :-
"ଗୁଣ୍ଡିଚା ମନ୍ଦିରରେ ଗେଲ କରିତେ ମାର୍ଜନ ।
ପ୍ରଥମେ ମାର୍ଜନୀ ଲୱା କରିଲ ଶୋଧନ ।
ଛୋଟ-ବଡ଼ ମନ୍ଦିର କୈଲ ମାର୍ଜନା ଶୋଧନ ।
ପାଛେ ତୈଛେ ଶୋଧିଲ ଶ୍ରୀଜଗମୋହନ ।"
"ନିଳାଦ୍ରି ମହୋଦୟ" କହେ ଜଗନ୍ନାଥଙ୍କ ଆବିର୍ଭାବ ପରେ ରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ନିର୍ମାଣ କରି ପ୍ରତିଷ୍ଠା କରିବାକୁ ସେ ବ୍ରହ୍ମାଙ୍କ ନିକଟକୁ ବ୍ରହ୍ମଲୋକ ଯାଇ ତାଙ୍କୁ ନିମନ୍ତ୍ରଣ କରି ଆଣିଥିଲେ । ବ୍ରହ୍ମା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହ ଶଙ୍ଖନିଧି ଏବଂ ପଦ୍ମନିଧିଙ୍କୁ ପଠାଇଥିଲେ ; ନାରଦ ଓ ଅନ୍ଯ ଦୁଇ ଦେବଦୂତଙ୍କ ସହ ରାଜା ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ମହାପ୍ରଭୁଙ୍କର ରଥ ନିର୍ମାଣ ହୋଇଥିଲା ନାରଦଙ୍କ ନିର୍ଦ୍ଦେଶରେ ଏବଂ ଶଙ୍ଖନିଧି ଓ ପଦ୍ମନିଧି ରଥ ନିର୍ମାଣ ଆରମ୍ଭ କରିଥିଲେ । ସେଲାଗି ମନ୍ଦିର ପଶ୍ଚିମ ଦିଗରେ ଯେଉଁଠି ପ୍ରଭୁ ଲୋକନାଥ ବିରାଜିତ , ସେଠି ଏକ ସ୍ବର୍ଣ୍ଣପୁରୀ ନିର୍ମାଣ କରିଥିଲେ ଶଙ୍ଖନିଧି ଓ ପଦ୍ମନିଧି ; ସେଇଠି ସେ ଦେବଦୂତଦ୍ବୟ ରଥ ନିର୍ମାଣ କରିଥିଲେ । ପଞ୍ଚମ ଅଧ୍ଯାୟରେ ପ୍ରମାଣ ଅଛି -
"ସମ୍ଭାରାନ ରୁଚିରାନ କୃତ୍ବା ରଥତ୍ରୟମତଃ ପରମ୍ ।
ନାନାଳଙ୍କାର ସଂଯୁକ୍ତଂ ଦିବ୍ଯାମ୍ବର ସୁମଣ୍ଡିତମ୍ ।"
ଏଥିରୁ ପ୍ରମାଣିତ ଯେ , ଦେବଦୂତଦ୍ବୟ ନାନା ରୁଚିରଳଂକାରମାନ ସଂଯୁକ୍ତ କରି ତ୍ରିରଥ ନିର୍ମାଣ କରିଥିଲେ ଓ ନାରଦ କହିବାନୁସାରେ ସୁନ୍ଦର ଓ ନରମ ବସ୍ତ୍ର ଦ୍ବାରା ସଜାଇଥିଲେ ଆଉ ନାନା ରତ୍ନ ଓ ସ୍ବର୍ଣ୍ଣାଳଙ୍କାର ଲଗାଇଥିଲେ । ପ୍ରାମାଣ୍ଯ ଯେ :-
"ନିର୍ମମେ ନାରଦୋକ୍ତୋ ତଚ୍ଚକ୍ରୈଃ ସଂଯୁକ୍ତମାୟସୈଃ ।
ନାନାରତ୍ନସମୁଲ୍ଲାସଂ ହୈମଂ ଚାରୁତରଂ ଦ୍ବିଜାଃ ।"
ରଥର ଚକ ଲୌହ , ଅର ଗୁଡ଼ିକ ସ୍ବର୍ଣ୍ଣ ଏବଂ ରଥ ଚାରିପଟ ନାନାବତାର ମାନଙ୍କରେ ପ୍ରକଟିତ ବିଭୁ ଲୀଳା ଚିତ୍ରିତ କରାଇ ଚଳନ୍ତି ପ୍ରତିମା ତିଆରି ହୋଇଥିଲା ; ସେଗୁଡିକୁ ପାର୍ଶ୍ୱ ଦେବାଦେବୀ ଭାବେ ସଂଯୋଗ କରି ସାରଥି ବସାଯାଇଥିଲା ଏବଂ ସୁନାର ଘୋଡ଼ା ଯୋଚା ଯାଇଥିଲା ।
ଏହି ତିନି ରଥର ନାମ ବି ସେକାଳୁ ଘୋଷିତ ଥିଲା - ଜଗନ୍ନାଥଙ୍କର "ଗରୁଡ଼ଧ୍ୱଜ", ସୁଭଦ୍ରାଙ୍କର "ପଦ୍ମଧ୍ୱଜ" ଓ ବଳଭଦ୍ରଙ୍କର "ତାଳଧ୍ୱଜ" । ତ୍ରିରଥକୁ ବିଧିବଦ୍ଧ ଭାବରେ ପ୍ରତିଷ୍ଠା କରାଯାଇ ରଥଯାତ୍ରା ଆରମ୍ଭ କରାଯାଇଥିଲା । ପରମ୍ପରାନୁସାରେ ପ୍ରତିସନ ପୁରୀରେ ରଥ ନୂଆ କାଠରେ ତିଆରି କରାଯାଏ ଏବଂ ରଥଯାତ୍ରା ପରେ ରଥ ଭଙ୍ଗାଯାଇ କାଠ ସବୁକୁ ମନ୍ଦିର ରୋଷଘରେ ବ୍ଯବହାର ହେଉଥିଲା ;୨୦୧୨ ମସିହା ପରଠୁ ରଥର କିଛି ଅଂଶକୁ ନିଲାମ ବା ବିକ୍ରି କରାଯାଉଛି । ଏହା କିନ୍ତୁ ନିୟମ ବିରୁଦ୍ଧ ବୋଲି ମୋର ମତ । ଏବେ ସାମାଜିକ ଗଣମାଧ୍ୟମରେ ଏକ ବାଧିତ ଦୃଶ୍ୟ ଭାଇରାଲ ହୋଇଥିଲା । ରଥ ପାଇଁ ଆନୀତ କାଠଗଡ଼ିକୁ ଜଣେ ମାଂସ ବିକାଳୀ ନେଇ ଦୋକାନ ଘରେ ମାଂସ କାଟିବାକୁ ରଖିଥିଲା । ବିଧିମତ ପୂଜାର୍ଚ୍ଚନା ପୂର୍ବକ ଆସିଥିବା କାଠ ନେଇ ମାଂସ କାଟିବା କେତେ ଠିକ୍ ? ପ୍ରଶାସନ କରୁଛି କ'ଣ ? ଓଡ଼ିଆଙ୍କ ଭାବାବେଗକୁ କୁଠାରଘାତ !!! "ରଥ ସଂହିତା" ଅନୁସାରେ ତିନୋଟି ରଥ ନିର୍ମାଣ ପାଇଁ ୧୧୩୯ଟି କାଠ ଆସିଥାଏ । ଉଲ୍ଲେଖଯୋଗ୍ୟ ଯେ , ୧୯୯୯ ମସିହା ପରଠୁ ରଥଟଣା ବେଳେ ତିନୋଟି ରଥର ବ୍ରେକକୁ ପକା-ଉଠା ପାଇଁ ମନ୍ଦିର ପ୍ରଶାସନ ତରଫରୁ ପୁଲି ବ୍ଯବସ୍ଥା ପ୍ରଚଳନ କରାଯାଇଛି । ରଥ ନିର୍ମାଣରେ ବଢ଼େଇ ମହାରଣା , ଓଝା ମହାରଣା , ରଥ ଭୋଇ , ଦରଜୀ ସେବକ , ତାମରା ବିଶୋଇ , କରତିଆ , ରୂପକାର ଓ ଚିତ୍ରକାର ନାମ୍ନୀ ସେବକମାନେ ନିୟୋଜିତ ଥା'ନ୍ତି । ଶାସ୍ତ୍ରାନୁସାରେ ନନ୍ଦିଘୋଷ ରଥ ଦର୍ଶନରେ ସାଯୁର୍ଯ୍ଯ ମୁକ୍ତି ମିଳେ ।
ରଥଯାତ୍ରା ଦିନ ଗଜପତି ସୁନା ଖଡ଼ିକାରେ ରଥ ଓ ବଡ଼ଦାଣ୍ଡ ଓଳାନ୍ତି ଯାହାକୁ ଛେରାପହଁରା କହନ୍ତି । ଏଥିରୁ ପ୍ରମାଣ ମିଳେ କି , ପ୍ରଭୁ ଯେହେତୁ ସମସ୍ତଙ୍କ ଠାରେ ବିଦ୍ଯମାନ ତେଣୁ ସମସ୍ତଙ୍କ ସେବା କର ଓ ସମସ୍ତଙ୍କୁ ପ୍ରେମ କର । ତେଣୁ ଏହା କୁହାଯାଇଛି :-
"ସେବା କର ନିରନ୍ତର ।
ଅନିଷ୍ଟ ନକର କାହାର ।।"
ଓଡ଼ିଶାର ଐତିହ୍ୟରେ ଜଗନ୍ନାଥ ଚେତନାର ମାହାତ୍ମ୍ୟ ଅତ୍ଯନ୍ତ ଗୁରୁତ୍ତ୍ବପୂର୍ଣ୍ଣ ; ଜଗନ୍ନାଥ ତତ୍ତ୍ବ ଛୋଟିଆ ନୁହେଁ ବିରାଟ । ଏହା ବର୍ଣ୍ଣନା ବାହାରେ । ରଥଯାତ୍ରା ଉପରେ ସମ୍ଯକ ସୂଚନା ବା ଅବଧାରଣା ମାତ୍ର କରିଛି । ସବୁକିଛି ବର୍ଣ୍ଣନା କରିବା ଗୋଟିଏ ପ୍ରବନ୍ଧରେ ଅସମ୍ଭବ । ବର୍ଣ୍ଣିଲେ ତ ବିଶାଳ ହେବ , ସାଧାରଣ ଅବଧାରଣା ମାତ୍ର ପ୍ରକାଶ କରିଛି । ପରବର୍ତ୍ତୀ ରଚନାରେ ଆଉ କିଛି ଜଗନ୍ନାଥ ତତ୍ତ୍ବ ଦେବାର ମନସ୍ଥ କରିଛି । ଆଶା କରେ ସୁଧୀବୃନ୍ଦ ଅଜଣା ତ୍ରୁଟି ମାର୍ଜନା ପୂର୍ବକ ନୂତନତ୍ବର ସନ୍ଧାନ ଦେବେ ।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
📲 - ୮୯୧୭୪୮୦୫୩୬
Comments
Post a Comment