ଶିବ ଅର୍ଚ୍ଚନାର ମାସ ଶ୍ରାବଣ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି 

       ସମ୍ପାଦକ - ଉଦୟ ଭାନୁ 


       ଶ୍ରବଣା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ସଂଯୁକ୍ତ ମାସଟି ଶ୍ରାବଣ । ଏହା ବର୍ଷା ଋତୁର ଅନ୍ତର୍ଭୁକ୍ତ ଏବଂ ଏହା ମହାରୁଦ୍ର ଦେବଙ୍କର ଅତି ପ୍ରିୟ ମାସର ମାନ୍ୟତା ପ୍ରାପ୍ତ । ଏହି ମାସରେ ଶିବ ବ୍ରତୀ ସଂଖ୍ୟାଧିକ ଥା'ନ୍ତି । ପୂଜାର୍ଚ୍ଚନାର ମହତ୍ତ୍ୱ ଅପେକ୍ଷା ଏ ମାସରେ ପୋଷାକର ରଙ୍ଗକୁ ନେଇ ବି ସେତିକି ମହତ୍ତ୍ୱ ରହିଥାଏ । ମହାଦେବଙ୍କ ପ୍ରିୟ ରଙ୍ଗ ସବୁଜ ହେତୁ ଏ ରଙ୍ଗର ପୋଷାକ ପରିଧାନ କଲେ ଆପଣଙ୍କର ବିଗିଡ଼ା କାମ ବା ବକେୟା କାମ ପୂରା ହୁଏ ଏବଂ ସର୍ବ ମନସ୍କାମ ପୂର୍ଣ୍ଣ ହୋଇଥାଏ ; ସବୁଜ ପୋଷାକ ସହ ସବୁଜ ଚୁଡ଼ି ପିନ୍ଧିବା ଅତି ଶୁଭ । ଏ ମାସରେ ଭୁଲ୍‌ରେ ସୁଦ୍ଧା କଳା ରଙ୍ଗ ପିନ୍ଧିବା ଅନୁଚିତ । କାରଣ ଭୋଳାନାଥ କ୍ରୋଧ ଜର୍ଜରିତ ହୋଇ ଉଠନ୍ତି । 


     ଏହା ପବିତ୍ର ମାସ , ତେଣୁ ଏ ମାସରେ କଦାପି ବି ଆମିଷ ଖାଇବା ଅନୁଚିତ ଏବଂ ପିଆଜ - ରସୁଣ ବି ଖାଇବା କଥା ନୁହେଁ । ସାଗର ମନ୍ଥନ ବେଳେ ରାହୁ ମାୟା କରି ଅମୃତ ପାନ କରିଥିବାରୁ ଶ୍ରୀବିଷ୍ଣୁ ତା'ର ଗଳାକୁ ସୁଦର୍ଶନରେ ଛେଦ କଲା ବେଳେ କିଛି ଶୋଣିତ ବୁନ୍ଦା ଧରାରେ ପଡ଼ି ପିଆଜ ଓ ରସୁଣ ଭାବେ ଉତ୍ପତ୍ତି ହୋଇଥିବାରୁ ଏହା ଭକ୍ଷିବା ସମ୍ପୂର୍ଣ୍ଣ ବାରଣ ଅଟେ । ଶ୍ରାବଣ ମାସରେ ନଖ-କେଶ ଛେଦନ ପୁରା ବାରଣ ଅଟେ ଏବଂ ଏ ମାସରେ ତୈଳ ମର୍ଦ୍ଦନ ପୁରା ନିଷେଧ କରାଯାଇଛି । ଏ ମାସରେ ଦିବସରେ ନିଦ୍ରା ଯିବା ଅନୁଚିତ , କାରଣ ରୁଦ୍ର ଏ ମାସେ ସଦା ଜାଗ୍ରତ ଥା'ନ୍ତି । ତେଣୁ ଏହି ପାଞ୍ଚଟି ନିୟମ ଏ ମାସର "ପଞ୍ଚ ନିଷେଧ ନୀତି" ନାମରେ ସର୍ବଦା ପାଳନୀୟ । 


      ଶ୍ରାବଣ ମାସ "ପ୍ରେମର ମାସ" ; କାରଣ ଏ ମାସରେ ଓସାସ କରି ମାତା ପାର୍ବତୀ ଇଚ୍ଛାନୁସାରେ ଭଗବାନ ଶିବଙ୍କୁ ପାଇଥିଲେ । ତେଣୁ ଏ ମାସରେ ସୋମବାର ବ୍ରତ କଲେ ଇଚ୍ଛାନୁସାରେଣ ପତି ପ୍ରାପ୍ତି ହୁଏ । ଏ ମାସରେ ପ୍ରବଳ ବର୍ଷା ହେଉଥିବାରୁ ପଞ୍ଚାନନଙ୍କ ଗରମ ଶରୀରକୁ ଥଣ୍ଡା ମିଳେ ବୋଲି ତାଙ୍କର ଏ ମାସ ଅତି ପ୍ରିୟ । "ଶିବ ପୁରାଣ" କହେ ଏ ମାସରେ ନିୟମାନୁସାରେ ମାନସିକ କରି ପୂଜା କଲେ ମନସ୍କାମ ପୂର୍ଣ୍ଣ ହୁଏ । ସାଗର ମନ୍ଥନରୁ ଉତ୍ପନ୍ନ ଜହର ପାନ କରିଥିଲେ ରୁଦ୍ର ; ତାଙ୍କ ତାପ ଶାନ୍ତ୍ଯର୍ଥେ ଦେବଗଣ ଏ ମାସରେ ତାଙ୍କର ଜଳ ଅଭିଷେକ କରିଥିବାର କଥିତ ରହିଛି । ତେଣୁ ଏ ମାସରେ ଜଳାଭିଷେକ କଲେ ଅନେକ ସୁଫଳ ମିଳେ । ଜନବିଶ୍ବସନୁସାରେ ଶିବାଭିଷେକରେ କ୍ଷୀର ବ୍ଯବହାର କଲେ ଶାରୀରିକ ରୋଗ ଦୂର ହୁଏ ଏବଂ ଏ ମାସରେ ଯେକୌଣସି ସୋମବାରେ ଚିନି କି ଆଖୁରସ ଶିବଲିଙ୍ଗରେ ଅର୍ପଣ କଲେ ପରିବାରର ସୁଖ-ସମୃଦ୍ଧି ବୃଦ୍ଧି ହୁଏ ; ଘୃତରେ ଅଭିଷେକ କଲେ ଶକ୍ତି ବୃଦ୍ଧି ସହ ସନ୍ତାନ ସୁଖ ମିଳେ । ମଧୁରେ ମହାରୁଦ୍ରାଭିଷେକ କଲେ ଜୀବନ ସୁଖମୟ ହେବ ଏବଂ ଶିବଲିଙ୍ଗରେ ଭାଙ୍ଗ ଅର୍ପଣ କଲେ ରୁଦ୍ର ଯଥାଶୀଘ୍ର ପ୍ରସନ୍ନ ହୁଅନ୍ତି ବୋଲି କଥିତ ଅଛି , ଆଉ ଚନ୍ଦନ ଓ କେଶରରେ ଅଭିଷେକ କଲେ ସମସ୍ତ ଦୁଃଖ ଦୂରେଇ ଯାଏ । ଏ ମାସରେ ଲକ୍ଷ୍ମୀ ଓ ଗୌରୀ ଅର୍ଚ୍ଚନା କଲେ ଅନେକ ଫଳବତୀ ହୁଅନ୍ତି ବୋଲି ପୌରାଣିକ ମତବାଦ ଅଛି । 


      ଏ ମାସରେ ଶନିଶ୍ଚର ପୂଜା କରାଯାଏ ; ପୁରାଣ କହେ , ଶ୍ରାବଣରେ ଶନିଶ୍ଚର ପୂଜା କରି ଅଯୋଧ୍ୟା ନରେଶ ଦଶରଥ ଶନି କୋପଦୃଷ୍ଟିରୁ ରକ୍ଷା ପାଇଥିଲେ । ଏଣୁ ଏ ମାସରେ ଘରେ ଘରେ ଶନି ମେଳା ହୁଏ । ବାନର ରାଜା କେଶରୀ ଏକ ମାୟାବୀ ରାକ୍ଷସର ମାୟା ବୁଝି ନପାରି ରଣରେ କ୍ଷତାକ୍ତ ହୋଇ ମୃତ୍ୟୁମୁଖରେ ପଡ଼ିଥିଲେ ; ମହର୍ଷି ମାତଙ୍ଗଙ୍କ ପରାମର୍ଶରେ ପ୍ରଥମେ ନାରୀ ଭାବେ ଅଞ୍ଜନା , କାଉଡ଼ିଆ ଭାର ନେଇ ଶିବଙ୍କ ଶିରରେ ଜଳଲାଗି କରି ପତି ପ୍ରାଣ ରଖିଥିଲେ । ସେତେବେଳର କାଉଡ଼ିଆ "ବୋଲ୍‌ ବମ୍‌" ପ୍ରଥା ଅଲଗା ଥିଲା ; କାଉଡ଼ିଆମାନେ ଭାର ନେଇ ଯିବାର ବହୁ ପୂର୍ବରୁ ନୀତିନିୟମ ମଧ୍ଯରେ ରହୁଥିଲେ । ନିଃସ୍ୱାର୍ଥପରତା , ପରୋପକାରିତାର ଭାବନା ମନରେ ସଦା ଉଦ୍ରେକ ଥିଲା ; ଏହାଦ୍ବାରା ମଙ୍ଗଳ ହେଉଥିଲା । ଭାର ଭୂମିରେ ନରଖି ବୃକ୍ଷ ପଲ୍ଲବ , କାଷ୍ଠ କି ଧାତୁ ନିର୍ମିତ ଷ୍ଟାଣ୍ଡରେ ରଖୁଥିଲେ ଏବଂ ଝାଡ଼ା - ପରିସ୍ରା ଗଲେ ସ୍ନାନ-ଶୌଚ ହେଉଥିଲେ । ଏବେ ସେ ସବୁ ଥିଲେ ବି ପ୍ରାୟ ନୀତି ଅନୀତିରେ ବଦଳି ଯାଉଛି ; ତୁଚ୍ଛାକୁ ପ୍ରହସନ ପରି ମନେ ହୁଏ । ଖରା-ବର୍ଷା ସହ ତାଳ ତୋଳି ଖାଲି ପାଦରେ କାଉଡ଼ିଆମାନେ ପବିତ୍ର ନଦୀରୁ ଜଳ ତୋଳି ଆଗକୁ ଆଗେଇ ଚାଲିଥା'ନ୍ତି । କାଉଡ଼ି ଅର୍ଥ ବାଉଁଶ ବା ବତାରୀମେ ନିର୍ମିତ ବାହୁଙ୍ଗି ; ଏଥିରେ ଶିକା ବାନ୍ଧି ତହିଁରେ ପବିତ୍ର ନୀର ପୂର୍ଣ୍ଣ କଳ ରଖି କାନ୍ଧେଇ ନେଉଥିବାରୁ ତାଙ୍କ ନାମ କାଉଡ଼ିଆ । ଏଥିରେ ବାଳ - ବନିତା - ବୃଦ୍ଧ ସମସ୍ତେ ଅଂଶୀଦାର ହୋଇ ପାରିବେ । ଶିବ ନାମୋଚ୍ଚାରଣ ପୂର୍ବକ ପଥଚାରଣ କରି ପୂଜାର୍ଚ୍ଚନା ପୂର୍ବକ ଶିବଙ୍କୁ ଜଳଲାଗି ହୁଏ । କିନ୍ତୁ ଏବେ କିଛି କାଉଡ଼ିଆ ଉତ୍ସୃଙ୍ଖଳିତ ଭାବେ ଭଗବାନଙ୍କ ନାମକୁ ବିକୃତ କରି ଭାଣ୍ଡାମି କରିବା ସହ ଅଶ୍ଳୀଳତାର ଇଙ୍ଗିତ କରିବା ଲୋକ ଦେଖାଣିଆ ଭକ୍ତି କରି ପୁଣ୍ଯ ପରିବର୍ତ୍ତେ କଳୁଷାର୍ଜନ କରୁଛନ୍ତି । ମଦ , ଗଞ୍ଜେଇ ଓ ଭାଙ୍ଗ ସେବନ ତାଙ୍କୁ କୁପଥ ଦର୍ଶାଉଛି । 


       କାଉଡ଼ିଆଙ୍କ "ବୋଲ୍‌ବମ୍‌" ଶବ୍ଦ ଉଚ୍ଚାରଣରେ "ବମ୍‌" ଶବ୍ଦର ଅର୍ଥ କ'ଣ ଜାଣନ୍ତି ? 'ବମ୍‌'ର ଅର୍ଥ ଡମରୁକ ଧ୍ବନି ; ଶିବ ଡମ୍ବରୁ ବାଦନ ବେଳେ ସେଥିରୁ 'ବମ୍‌ ବମ୍‌' ଧ୍ବନି ନିର୍ଗତ ହୁଏ ଯାହା ଶଙ୍କରଙ୍କର ଅତି ପ୍ରିୟ । ତେଣୁ ଏହି କାଉଡ଼ିଆମାନେ "ବୋଲ୍‌ ବମ୍‌ , ହର ର ବମ୍‌ , ବମ୍‌ ବମ୍‌ ଭୋଲେ' ପରି ଶବ୍ଦୋଚ୍ଚାରଣ କରିଥା'ନ୍ତ । ଏହି 'ବମ୍‌' ଶବ୍ଦର କ୍ରମାଗତ ଉଚ୍ଚାରଣକୁ "ମୁଖବାଦ୍ଯ" କହନ୍ତି । ଭଗବାନ ଶଙ୍କର ଏହି ମୁଖବାଦ୍ଯରେ ସୁପ୍ରସନ୍ନ ହୁଅନ୍ତି । ଓଁକାର ବା ପ୍ରଣବର ଏକ ସରଳ ରୂପ "ବମ୍‌" ; ଯେହେତୁ ପ୍ରଣବୋଚ୍ଚାରଣ ସମସ୍ତଙ୍କ ପାଇଁ ସରଳ ନୁହେଁ ଏବଂ ଏହାର ଉଚ୍ଚାରଣାର୍ଥେ ନିୟମାବଲମ୍ବନର ଆବଶ୍ଯକତା ଅଛି , ତେଣୁ ଏହାକୁ ସରଳ ଓ ସୁଲଭାର୍ଥେ "ବମ୍‌" ଶବ୍ଦ ଉଚ୍ଚାରଣ ହୁଏ । ଏହା ଶିବଙ୍କ ପଞ୍ଚାକ୍ଷର "ଓଁ ନମଃ ଶିବାୟ" ମନ୍ତ୍ରର ଏକପ୍ରକାର ସରଳୀକୃତ ରୂପ । 'ବମ୍‌' ହେଲା ସ୍ବାଧୀଷ୍ଠାନ ଚକ୍ରର ବୀଜମନ୍ତ୍ର । ସାଧକର କି ବ୍ରତୀର ଯଦି କୁଣ୍ଡଳିନୀ ଶକ୍ତି ପୂର୍ବରୁ ଜାଗ୍ରତ ଥାଏ, ତେବେ ସ୍ବାଧିଷ୍ଠାନ ଚକ୍ର ବୀଜମନ୍ତ୍ର "ବମ୍‌" ଉଚ୍ଚାରଣ ସ୍ବାଧିଷ୍ଠାନ ଚକ୍ରକୁ ସକ୍ରିୟ କରିବାରେ ସହାୟକ ହୁଏ ଓ କୁଣ୍ଡଳିନୀ ଚକ୍ରକୁ ଉର୍ଦ୍ଧ୍ବଗାମୀ କରାଇ ଏହାର ପରବର୍ତ୍ତୀ ଲକ୍ଷ୍ଯସ୍ଥଳୀ ମାନଙ୍କରେ ପହଞ୍ଚାଇବାରେ ସାହାଯ୍ୟ କରିଥାଏ । ପୁଣି ଏ ସ୍ବାଧିଷ୍ଠାନ ଚକ୍ରର ରଙ୍ଗ ପୀତ ଓ ତତ୍ତ୍ବ ହେଉଛି ଜଳ ; ତେଣୁ କାଉଡ଼ିଆଗଣ ହଳଦୀ ପୋଷାକ ପିନ୍ଧି କାନ୍ଧରେ ଜଳଭାର ବହନ କରନ୍ତି । ଶିବ ହେଲେ ଯୋଗ ଗୁରୁ ଓ ସେ ଜଳାଭିଷେକରେ ସନ୍ତୋଷ ; ତେଣୁ ତାଙ୍କୁ ଜଳାଭିଷେକ କରିପାରିଲେ ହୁଏତ ସାଧକ/ ବ୍ରତୀର କୁଣ୍ଡଳିନୀ ଶକ୍ତି ଜାଗ୍ରତ ହେବାରେ ସହାୟକ ହୋଇଥାଇପାରେ ଯେ ପାଇଁ ଏ ଜଳାଭିଷେକ ପଦଯାତ୍ରା । ପଦଯାତ୍ରାର ଆଉ ଏକ ଉଦ୍ଦେଶ୍ଯ ହୋଇଥାଇପାରେ ବ୍ରତୀ/ସାଧକକୁ ମୂଳାଧାର ଚକ୍ରର ତତ୍ତ୍ବ ପୃଥ୍ବୀ ତତ୍ତ୍ବ ସହ ଯୋଖି ମୂଳାଧାର ଚକ୍ରକୁ ସକ୍ରିୟ କରିବା ଯଦ୍ଦ୍ବାରା କି କୁଣ୍ଡଳିନୀ ଶକ୍ତି ଉର୍ଦ୍ଧ୍ବଗାମୀ ହୋଇପାରିବ । ଏ ଯାତ୍ରା ଆମ ପାଇଁ ମହତ୍ତ୍ୱପୂର୍ଣ୍ଣ କହିଲେ ଭୁଲ୍‌ ହେବନି ।


      

    ସାଗର ମନ୍ଥନରୁ ଜାତ ହଳାହଳ ପାନରେ ଶିବଙ୍କ ଶରୀର ଜଳିବା ପରି ହେବାରୁ ଦେବଗଣଙ୍କ ଅନୁରୋଧରେ ଶିବ ଦୁଗ୍ଧପାନ କରିବାରୁ ତାଙ୍କର ଜ୍ବଳନନୁଭବରେ ଭଟ୍ଟା ପଡ଼ିଲା , ତେଣୁ କ୍ଷୀର ତାଙ୍କର ଅତି ପ୍ରିୟ ; କ୍ଷୀରାଭିଷେକ କଲେ ପଶୁପତି ପ୍ରସନ୍ନ ହୁଅନ୍ତି । ଶିବଙ୍କର ପ୍ରିୟ କୁସୁମ ମଧ୍ୟେ କନିଅର ଅନ୍ଯତମ । ଶ୍ରାବଣରେ ଏ ପୁଷ୍ପ ଅର୍ପଣ ଭକ୍ତର ସର୍ବେଚ୍ଛା ପୂରଣ ; ଏହା ବ୍ୟତୀତ ଅର୍କପୁଷ୍ପ ବି ଦେଇପାରିବେ । କୁହାଯାଏ ଶ୍ରାବଣ ମାସରେ ଘରକୁ ଗଙ୍ଗାଜଳ ଆଣିଲେ ଶୁଭ ଏବଂ ତାକୁ ରୋଷଘରେ ଯଦି ରଖାଯାଏ ତେବେ ତାହା ଅତି ଶୁଭ ସହ ସୁଖସମୃଦ୍ଧି ପ୍ରାପ୍ତି । ଲୋକମତନୁସାରେ ସୋମବାରେ ରୂପାର ତ୍ରିଶୂଳ ଘରକୁ ଆଣିଲେ ଘରର ନକରାତ୍ମକ ଶକ୍ତିର ବିନାଶ ହୁଏ । ଶିବଙ୍କୁ ଭୁଲ୍‌ରେ ସୁଦ୍ଧା ହଳଦି ଅର୍ପଣ କରନ୍ତୁ ନାହିଁ ଏବଂ କେତକୀ ଫୁଲ , ସିନ୍ଦୂର ବା ତିଳକ ଅର୍ପଣ କରନ୍ତୁନି ; କେବଳ ଚନ୍ଦନାର୍ପଣ ହୁଏ । ନଡ଼ିଆ ପାଣିରେ ଅଭିଷେକ କରିବା ଭୁଲ୍‌ ; କାରଣ ଶ୍ରୀଫଳ ଲକ୍ଷ୍ମୀ ରୂପ ଏବଂ ତୁଳସୀପତ୍ର ଶିବାର୍ପଣ ବିଧି ନିଷେଧ । କୃଷ୍ଣ ଖସା ମିଶ୍ରିତ ଜଳରେ ଅଭିଷେକ କଲେ ଶତ୍ରୁଜୟ ହୁଏ । ବୁଧ ଗ୍ରହ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତ୍ଯାର୍ଥେ ଶିବଙ୍କୁ ମୁଗ ଅର୍ପଣ କରିପାରିବେ । ଜୀବନର ଖରାପ ସମୟ ଦୂର କରିବାକୁ ଭାଙ୍ଗ ଓ ସୁଖସମୃଦ୍ଧି ବୃଦ୍ଧ୍ଯାର୍ଥେ କନ୍ଦ ବା ଗୁଡ଼ ଅର୍ପଣ ବେଶ୍‌ ଲାଭପ୍ରଦ । ଶିବଙ୍କୁ ଦଧ୍ଯାଭିଷେକ କଲେ ଜୀବନରେ ସ୍ବଭାବରେ ଗମ୍ଭୀରତା ଆସେ । 


     ଶ୍ରାବଣ ମାସ ସୋମବାରେ ଶିବ ମନ୍ଦିର ପରିଦର୍ଶନ , ଶିବ ପୂଜାରେ ଶିବ , ପାର୍ବତୀ ଓ ନନ୍ଦୀଙ୍କୁ ଗଙ୍ଗାଜଳ ଅର୍ପଣ ସହ ଶିବଲିଙ୍ଗରେ ଧୁତୁରା ପୁଷ୍ଯ , ଚନ୍ଦନ , ବିଲ୍ବଦଳ , ନିଖୁଣ ଅକ୍ଷତ , ଧଳା ରଙ୍ଗର ଭୋଗ , ତେଲ ଓ ବାର୍ଲି ଅର୍ପଣ କଲେ ଜୀବନକୃତ ପାପନାଶ ହୁଏ ବୋଲି ଅଖଣ୍ଡ ବିଶ୍ବାସ ରହିଛି । ଏ ମାସରେ ସାତ୍ତ୍ୱିକ ଧର୍ମ ପାଳନର ପରମ୍ପରା ଅଛି । ବାଇଗଣକୁ ଅଶୁଦ୍ଧ କୁହାଯାଏ , ତେଣୁ ଏ ମାସର ବ୍ରତଧାରୀ ବାଇଗଣ ଖାଇବା ନିଷେଧ । ବୈଜ୍ଞାନିକ କାରଣ ଦୃଷ୍ଟିରୁ ବର୍ଷା ପ୍ରଭାବରୁ ବାଇଗଣ ପୋକଡ଼ା ହୁଏ , ତେଣୁ ଖାଆନ୍ତି ନାହିଁ । ଧର୍ମାନୁଯାୟୀ ଏ ମାସରେ କ୍ଷୀର ଦ୍ବାରା ରୁଦ୍ର ଅଭିଷେକ ହେଉଥିବାରୁ କ୍ଷୀର ପିଇବା ଭୁଲ୍‌ । ବୈଜ୍ଞାନିକ ଦୃଷ୍ଟିକୋଣେ ଏ ମାସରେ ଗାଇ ସାଧାଣତଃ ଫାଟୁଆ ରୋଗାକ୍ରାନ୍ତ ଏବଂ ପୋକ ଲଗା ପତ୍ର ବି ଖାଇ ଥାଆନ୍ତି , ତେଣୁ ଏ ମାସରେ କ୍ଷୀରପାନ ବାରଣ ଅଟେ । ଏ ମାସରେ ସବୁଜ ରଙ୍ଗ ମହତ୍ତ୍ୱପୂର୍ଣ୍ଣ , ତେଣୁ ଏହା ବାରଣ । ସବୁଜ ପତ୍ରର ପରିବା ଖାଇଲେ ଶ୍ରାବଣରେ ବାତ ରୋଗ ବୃଦ୍ଧି । ବର୍ଷା ହେତୁ ପତ୍ରରେ ପୋକ ଲାଗେ , ତେଣୁ ଏହି ମାସରେ ସବୁଜ ପତ୍ର ଥିବା ପରିବା ଖାଇବେ ନାହିଁ ବୋଲି ବୈଜ୍ଞାନିକଙ୍କ ମତ । ଏ ମାସରେ ଜଳଲାଗି ପାଇଁ ଆମିଷ ବାରଣ , କିନ୍ତୁ ବିଜ୍ଞାନ କହେ ମାଛ ଅଣ୍ଡା ବା ମଞ୍ଜି ଦେବା ସମୟ ; ମାଛ ମଞ୍ଜି ଶରୀର ପାଇଁ ହାନିକାରକ ହୋଇପାରେ । ଧର୍ମାନୁସାରେ ଗୋଟିଏ ମାଛ ମାରିଲେ ତା'ର ଗର୍ଭସ୍ଥ ସମସ୍ତ ମଞ୍ଜି ବା ଅଣ୍ଡା ବିନିଷ୍ଟ ହେବାରୁ ପାପ ଲାଗେ , ତେଣୁ ନିଷେଧାଦେଶ ଅଛି । ଗରିଷ୍ଠତା ହେତୁ ହଜମ କ୍ରିୟା ବିଳମ୍ବ ହେତୁ ଅଧିକ ତେଲ ଓ ମସଲାଯୁକ୍ତ ଖାଦ୍ୟ ଖାଇବା ଅନୁଚିତ  । 


     ଏ ମାସକୁ ଆହୁରି ସରସ ଓ ସୁନ୍ଦର କରିଛି କୃଷ୍ଣପକ୍ଷ ପଞ୍ଚମୀ ତିଥିର "ନାଗ ପଞ୍ଚମୀ" ବା "ମନସା ପଞ୍ଚମୀ", "ଚିତାଲାଗି ଅମାବାସ୍ଯା" , ଶୁକ୍ଳପକ୍ଷ ଦଶମୀରୁ ପୂର୍ଣ୍ଣମୀ ଯାଏଁ ପାଳିତ "ଝୁଲଣ ଯାତ୍ରା" ଏବଂ ବଳଭଦ୍ରଙ୍କ ଜନମ ଦିବସ "ଗହ୍ମା ପୂର୍ଣ୍ଣିମା" ବା "ରାକ୍ଷୀ ପୂର୍ଣ୍ଣମୀ" । କହିବାକୁ ଗଲେ ଧର୍ମର ବର୍ଷ ଧରା ସ୍ପର୍ଶ କରିବାର ମାସ ଏଇ ଶ୍ରବଣ ଯାହା ଶିବ ସମର୍ପିତ ।


ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 

୮୯୧୭୪୮୦୫୩୬

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା