ପାର୍ଥ ବିଳାପ
- Get link
- X
- Other Apps
ପାର୍ଥ ବିଳାପ
**************
ଶିବ ପ୍ରସାଦ ବାହିନୀପତି
ମୋ' କୋଳର ରତନ ସୁଭଦ୍ରାର ନନ୍ଦନ
ଫେରିଆସ ମୋର କୋଳେ
ଶୂନ୍ଯ ପଡ଼ିଛି ତୋ' ମାଆର ପଣତରେ
ନୟନୁ ମୋ' ଅଶ୍ରୁ ଝରେ ।
ତୁ ମୋର ଗଳାର ହାର
ଝୁରେ ତୋତେ ମହାବୀରରେ ।୧।
ତୁ ଅତି ଛୋଟ ଥିଲୁ ପଦାଘାତେ ତୋହର
ଫଟାଉଥିଲୁ ମୋ' ବକ୍ଷ
ଦୁଷ୍ଟ ତୁ ହେଲେ ଧନ କରୁଥିଲି ଶାସନ
ଏବେ ହେଲି ଅଭିଶପ୍ତ ।
ତୁ ମୋର ରଙ୍କରତନ
ଡ଼ାକୁଛି ଏ ଅରଜୁନରେ ।୨।
ଆଦ୍ୟରୁ ବାରଣ ମୁଁ କରୁଅଛି ତୋତେରେ
ଯାଅନାହିଁ ରଣକ୍ଷେତ୍ର
ମୋ' ବାଳୁତ ନନ୍ଦନ କରିବୁ ତୁ କି ରଣ
ମାନିଲୁ ନାହିଁ ମୋ' ଗୀର ।
ଆରେ ସୁନା ପସରା
ତୋ' ବିନା ପ୍ରାଣ ଅସରାରେ ।୩।
କାପୁରୁଷଙ୍କ ପରି ହତ୍ଯା କରିଲେ ତୋତେ
ଭଙ୍ଗ କଲେ ରଣନୀତି
ଏକ ଯୋଦ୍ଧା ସଙ୍ଗତ ମହାରଥୀ ସପତ
ଯୁଝିଲେ ଏକତ୍ର ମାତି ।
ଆରେ ମୋ' ଜୀବ ଜୀବନ
ତୋ' ବିନା ମୁଁ ମ୍ରିୟମାଣରେ ।୪।
ଚ଼କ୍ରବ୍ଯୁହରେ ସିନା ପଶିବା ତୋତେ ଜଣା
ପ୍ରସ୍ଥାନ ପଥ ଅଜଣା
ଅପେକ୍ଷା ନକରିଲୁ ତୁ ଅନଳେ ଡ଼େଇଁଲୁ
ହୋଇଗଲୁ ବାଟବଣା ।
ତୁ ମୋର ହୃଦ ଚ଼ନ୍ଦନ
କାନ୍ଦେ ଆଜି ଏ ଅରଜୁନରେ ।୫।
କହିବି ମୁଁ କିପରି ମା'ଙ୍କୁ ଯାଇ ତୋହରି
କୁମର ତୁମର ନାହିଁ
ରଣଭୂମି ନିରେଖ ପଡ଼ିଅଛି ତା' ଶବ
ବୀରଗତି ପ୍ରାପ୍ତ ହୋଇ ।
କଷଣ ଦେଲୁ ତୁ କାହିଁ
କି ଦୋଷ କରିଲି ମୁହିଁରେ ।୬।
ଆଜି ତୁ ଫେରିଆସ ବିଷାଦ ମୋ' ବିନାଶ
ମୋ' ଅଙ୍କ କର ମଣ୍ଡନ
ମୁଁ ପାଣ୍ଡବ ତୃତୀୟ କରେ ଅନୁନୟ
ଦିଅନା ମତେ କଷଣ ।
ତୁ ମୋ' ପିଣ୍ଡର ପ୍ରାଣ
ସ୍ମରେ ଏ କୁନ୍ତୀ ନନ୍ଦନରେ ।୭।
ଖୋଜୁଛି ମୋର ମନ କାହିଁକି ତୁ ମଉନ
କଥା କୁହ କଥା କୁହ
ନିଦ୍ରା ବରଜି ଉଠ ଏହିକ୍ଷଣି ତୁରିତ
ପୋଛି ପକାଅ ମୋ' ଲୁହ ।
ତୁ ମୋର ମୋତିର ହାର
ବିଳାପେ ପିତା ତୋହରରେ ।୮।
କେସନେ ଗଲୁ ଛାଡ଼ି ମତେ ତୁ ଏକା କରି
ମନେ କି ପଡୁନି ତୋର !
ପାର୍ଥର ନିବେଦନ ରଖନ୍ତୁ ଜନ୍ତୁରାଣ
ଜୀବନ ପାଉ କୁମର ।
ତନ୍ଦ୍ରା ତ୍ଯାଗି ଉଠ ବୀର
ତୋ' ସାହସକୁ ଜୁହାରରେ ।୯।
ଧନ୍ଯ ତୋର ବୀରତ୍ୱ ଦେଖି ମୁଁ ହେଲି ପ୍ରୀତ
ଗରବେ ପାର୍ଥ ଭାଷିଲା
ଇତିହାସ ଫର୍ଦ୍ଦରେ ତା' ନାମ ସ୍ବର୍ଣ୍ଣାକ୍ଷରେ
ଲିପିବଦ୍ଧ ହୋଇଗଲା ।
କୁଳଚ଼ନ୍ଦ୍ରମାକୁ ଚ଼ାହିଁ
ପ୍ରଣମେ ସୁଭଦ୍ରା ସାଇଁରେ ।୧୦।
ଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽ
ସମ୍ପାଦକ - ଉଦୟ ଭାନୁ
ଭାଟପଡ଼ା , ନିରାକାରପୁର , କଣାସ ,ପୁରୀ
ଯୋଗାଯୋଗ - ୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment