ଅନ୍ତର୍ଜାଲ ପତ୍ରିକା

        କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

                  ସମ୍ପାଦକ - ଉଦୟ ଭାନୁ 

   ପତ୍ରିକା କହିଲେ ବିଭିନ୍ନ ପାଠ୍ଯକ୍ରମକୁ ବହି ପରି କରି (ଗୋଟିଏ ବହିରେ ସ୍ଥାନିତ କରି) ପାଠକ ପାଖରେ ପହଞ୍ଚିବାକୁ ବୁଝାଏ । ପୁରାତନ କାଳରେ ତାଳପତ୍ର ପୋଥି ଥିଲା ଏହାର ମାଧ୍ଯମ । ଏବେ ବିଜ୍ଞାନର ଅଗ୍ରଗତି ବଳରେ ତାହା କାଗଜକୁ ପରିବର୍ତ୍ତନ ହୋଇଛି । ସେତେବେଳର ଛପା ଯନ୍ତ୍ର ଏବଂ ଆଜିର ଛପା ମେସିନ୍‌ ଭିତରେ ଆକାଶ ପାତାଳ ତଫାତ । ସେତେବେଳେ ବହି ଖଣ୍ଡେ ଛପାଇବାକୁ ଯେତିକି କଷ୍ଟ ହେଉଥିଲା , ଏବେ କିନ୍ତୁ ସେଥିରେ ସୁଧାର ଆସିଛି । ଆଗ ପରି ଏତେ ପରିଶ୍ରମ ବା କଷ୍ଟ ଅନୁଭବ ହେଉନାହିଁ । ଏତେଟା ସମୟ ବି ବ୍ଯର୍ଥ ହେଉନି ; ଆଗ ଅପେକ୍ଷା ଏବେ ଖୁବ୍‌ କମ୍‌ ସମୟରେ ବହି ଛପା ସରି ଯାଉଛି । 

      କଥାଟି ହେଉଛି ଯେ , ସମସ୍ତଙ୍କ ପାଖେ ବହି ବା ପତ୍ରିକା ଛାପିବା ଅସମ୍ଭବ । ଛପା ହେଲେ ବି ସମସ୍ତଙ୍କ ପାଖରେ ପହଞ୍ଚିବା ସମ୍ଭବପର ହୋଇ ପାରୁନାହିଁ । ଏହି ଅସୁବିଧାକୁ ଏଡ଼ାଇବା ପାଇଁ ଅନ୍ତର୍ଜାଲ ପତ୍ରିକାର ସୃଷ୍ଟି । ଏହି ପତ୍ରିକା ଅନ୍ତର୍ଜାଲରେ ବିଭିନ୍ନ ସାଇଟ୍‌ରେ ଉପଲବ୍ଧ ; ବିଶେଷତଃ ଗୁଗୁଲ୍‌ ଏହାର ପ୍ରଧାନ ମାଧ୍ଯମ । ପତ୍ରିକା ହେଉଛି ଜ୍ଞାନର କୋଷ । ସେ କାଗଜ ବନ୍ଧେଇ ବହି ହେଉ ବା ଅନ୍ତର୍ଜାଲ ପତ୍ରିକା ; ଏହା ଦ୍ୱାରା ଅନେକ କିଛି ଜାଣିହୁଏ । ଇଚ୍ଛା ଥିଲେ ଯେକୌଣସି ଉପାୟରେ ଜ୍ଞାନ ଆହରଣ କରି ହେବ  । ଜ୍ଞାନ ଆହରଣର ବାଟ ପିଢ଼ି ପରେ ପିଢ଼ି ବଦଳି ଚ଼ାଲିଛି । ସେତେବେଳେ କେବଳ ଗଳ୍ପ - ଉପନ୍ୟାସ - କବିତା - ରୋଷେଇ ଆଦି ଭିତରେ ବହି ବା ପତ୍ରିକାଟି ସୀମିତ ଥିଲା । ଏବେ କିନ୍ତୁ ଅନ୍ତର୍ଜାଲର ସୁବିଧା ହେତୁ ତାହା ବିଭିନ୍ନ ବିଷୟ ଭିତ୍ତିକ ପତରିକାରେ ପରିଣତ ହୋଇ ଅନ୍ତର୍ଜାଲ ମାଧ୍ୟମରେ କୋଣେ ଅନୁକୋଣେ ପହଞ୍ଚି ପାରୁଛି । ଅର୍ଥ ବ୍ଯୟ କରି ବହି କିଣି ପଢ଼ିବା ଅପେକ୍ଷା ଅନ୍ତର୍ଜାଲରେ ମାଗଣାରେ ସହଜ ଉପାୟରେ ସମସ୍ତ ଜ୍ଞାନ ଆହରଣ କରି ହେଉଛି । ସେଥିପାଇଁ ଏହି ଅନ୍ତର୍ଜାଲ ପତ୍ରିକାଟି ସମସ୍ତଙ୍କର ଆଦରଣୀୟ ହୋଇ ସବୁରି ଉପକାରରେ ଆସି ପାରୁଛି । ଏବେ ଘରେ ଘରେ ମୋବାଇଲ , କମ୍ପ୍ଯୁଟର ସହିତ ଅନ୍ତର୍ଜାଲର ସୁବିଧା ହେତୁ କାହାରିକୁ ଆଉ ହଇରାଣ ହେବାକୁ ପଡୁନାହିଁ । ସମ୍ବାଦ , ସାହିତ୍ଯ , ବିଜ୍ଞାନ , କଳା , ବାଣିଜ୍ୟ ଓ ରୋଷେଇ ଭଳି ବିଭିନ୍ନ ଉପାଦାନ ଭିତ୍ତିକ ତଥ୍ୟ ଅନ୍ତର୍ଜାଲ ପତ୍ରିକାରେ ସ୍ଥାନିତ ହୋଇ ସମାଜ କଲ୍ଯାଣ ସାଧନରେ ବ୍ରତୀ ହୋଇ ପାରିଛନ୍ତି । ଆଶା ଠାରୁ ଅଧିକ ସଫଳତା ହାସଲ କରି ପାରିଛି ଏ ମାନବ ସମାଜ କେବଳ ଏଇ ଅନ୍ତର୍ଜାଲ ପତ୍ରିକା ପାଇଁ । 

    ଏହି ଅନ୍ତର୍ଜାଲ ପତ୍ରିକା କିଏ ଓ କେବେ ଆରମ୍ଭ କଲା , ତା'ର ସଠିକ ପ୍ରମାଣ ମିଳି ପାରିନି । ଆଜିକାଲି ବଜାରରୁ ବହି କିମ୍ବା ପତ୍ରିକା କିଣି ପଢ଼ିବାକୁ ସମୟ ନାହିଁ କାହାକୁ । ସବୁକିଛିର ପରିବର୍ତ୍ତନ ହୋଇ ସାରିଛି ଏବଂ ହୋଇ ଚ଼ାଲିଛି ବି । ସମସ୍ତେ ଆଧୁନିକ ଜ୍ଞାନ କୌଶଳର ବଶବର୍ତ୍ତୀ । ଯାହାକୁ ଦେଖ , ସମସ୍ତଙ୍କ ପାଖରେ କମ୍ପ୍ଯୁଟର , ଲ୍ଯପ୍‌ଟପ୍‌ କିମ୍ବା ମୋବାଇଲ୍‌ ଫୋନ । ଘଣ୍ଟା ଘଣ୍ଟା ଧରି ଅନ୍ତର୍ଜାଲରେ ଛନ୍ଦି ହୋଇ ରହିବେ , କିନ୍ତୁ ବହି କିଣି ପଢ଼ିବାକୁ ବେଳ ନାହିଁ  । ଆଜିକାଲି ସବୁ ପ୍ରକାର ସୁବିଧା ସୁଯୋଗ ଅନ୍ତର୍ଜାଲରେ ଉପଲବ୍ଧ ଯେକୌଣସି ବିଷୟ ପଢ଼ିବାକୁ କି ଜାଣିବାକୁ ଇଚ୍ଛା କଲେ ଅନ୍ତର୍ଜାଲର ଅନ୍ତର ଫାଡ଼ି ଅନ୍ତନାଡ଼ି ଡେଇ ସବୁକିଛି ପ୍ରାପ୍ତ ହୋଇପାରୁଛି । ତେଣୁ ଅନ୍ତର୍ଜାଲ ପୁସ୍ତକ ବା ଇ ମାଗାଜିନ ପଢ଼ିବାକୁ ପ୍ରତ୍ଯେକ ବ୍ଯକ୍ତିଙ୍କର ପସନ୍ଦ । 

   ଯାହା ତଥ୍ଯ ହସ୍ତଗତ ହୋଇଛି , ସେହି ତଥ୍ଯାନୁସାରେ ପ୍ରଥମ ଅନ୍ତର୍ଜାଲ ପତ୍ରିକା ୧୯୯୪ରେ ଆରମ୍ଭ ହୋଇଥିଲା ବ୍ଲଗ୍‌ ଜରିଆରେ । ମାଗଣା ୱେବ୍‌ ପେଜ୍‌ 'ବ୍ଲଗ୍‌'ରେ ପ୍ରଥମେ ଦେଖିବାକୁ ମିଳୁଥିଲା Hilary Rowlandଙ୍କର ଆଲେଖ୍ୟ । ଶରୀରତତ୍ତ୍ୱର ଛବି ସହିତ ବିଭିନ୍ନ ପ୍ରକାର ଚିତ୍ର ଓ କିଛି ଜାଣିବା ଲେଖା ଏଥିରେ ସ୍ଥାନିତ ହୋଇଥିଲା । "ୟାହୁ" ଦ୍ବାରା ଏହା ପରିଚ଼ାଳିତ ଥିଲା ଏବଂ ତାହା ବନ୍ଦ ହୋଇଗଲା । 

      ପୁନରାୟ ୧୯୯୫ରେ ନିଜ ନାମରେ Hilary Rowland ପ୍ରକାଶ କରିଲେ ଏବଂ ଧାରାବାହିକ ଭାବରେ ପ୍ରକାଶିତ ହେଲା । ମୁଦ୍ରିତ ପୁସ୍ତକ ପରି ସେହି ଇ ପତ୍ରିକାଟି ଦେଖିବାକୁ ମିଳିଲା । ତେବେ କହି ରଖିବାକୁ ହେବ ଯେ Hilary ପ୍ରଥମ ବ୍ଯକ୍ତି ଇ ପତ୍ରିକା ପ୍ରକାଶନର ; ଯେହେତୁ ତା'ରପୂର୍ବରୁ ଆଉ କିଛି ତଥ୍ଯ ମିଳି ପାରିନି । କିନ୍ତୁ ୧୯୯୫ରେ କାନାଡାରେ ୧୬ ବର୍ଷର ଝିଅ ବି ଏପରି ଇ ପତ୍ରିକା ପ୍ରକାଶ କରିଥିବାର ଜଣାଯାଏ । ଏହାପରେ ଧିରେ ଧିରେ ଏହା ବିଭିନ୍ନ ଭାଷାକୁ ଆସିଛି । ଏବେ ଓଡ଼ିଆ ଅନ୍ତର୍ଜାଲ ପତ୍ରିକା ଅନେକ ପ୍ରକାଶ ହେଉଛି ।

     ଓଡ଼ିଶାର ପ୍ରଥମ ଓଡ଼ିଆ ଇ ପତ୍ରିକା ହେଉଛି "ଆହ୍ୱାନ" । ଅଦ୍ଯାବଧି ବି ବିରାଜମାନ ସେ । ସେ ଯାହା ବି ହେଉ , ବହି କିଣି ପଢ଼ିବା ଅର୍ଥ ଓ ସମୟର ଅଭାବ ବୋଲି ଇ ପତ୍ରିକାର ଚାହିଦା ଏବେ ବଢ଼ି ଯାଇଛି । ଏହି ଅନ୍ତର୍ଜାଲ ପତ୍ରିକା ଲୋକ ମାନଙ୍କୁ ଆକୃଷ୍ଟ କରିବା ସହ ପାଠକ ମାନଙ୍କୁ ପ୍ରେରଣା ଓ ଉତ୍ସାହ ଯୋଗାଇ ଚାଲିଛି ; ବହୁ ଅଭାବ ପୂରଣ କରିପାରିଛି । ତେଣୁ ଏହି ଅନ୍ତର୍ଜାଲ ପତ୍ରିକା ସ୍ବାଗତ ଯୋଗ୍ଯ ନିଶ୍ଚିତ । 

 ଭାଟପଡ଼ା - ନିରାକାରପୁର - କଣାସ - ପୁରୀ

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା