ଦେବୀ ମାଆ ଷୋଡ଼ଶୀ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଦିବ୍ଯ ଅପରୂପା ଦେବୀ ହେଲେ ଷୋଡ଼ଶୀ , ଯାହାକୁ ତନ୍ତ୍ରଶାସ୍ତ୍ର ତ୍ରିପୁରା ସୁନ୍ଦରୀ ଓ ଶ୍ରୀବିଦ୍ଯା ନାମକରଣ କରିଛି । ଦଶ ମହାବିଦ୍ୟାଙ୍କ ମଧ୍ଯେ ତୃତୀୟ ସ୍ଥାନର ଅଧିଷ୍ଠାତ୍ରୀ ମାତା । ଏପରିକି ସେ ପରାଭଟ୍ଟାରିକା , ରାଜରାଜେଶ୍ୱରୀ , ଲଳିତା ଆଦି ନାମରେ ପରିଚିତ । ସେ ଅରୁଣବର୍ଣ୍ଣୀ ଓ ଚତୁର୍ଭୁଜା ; ପରମ ଶିବଙ୍କ ଉପରେ ଆସୀନା । ସେ କରରେ ତୀର , ଅଙ୍କୁଶ ଓ ଧନୁ ଧାରଣ କରିଛନ୍ତି । ଏହାଙ୍କ ପୂଜା ମୁଖ୍ଯତଃ ଶଙ୍କରାଚାର୍ଯ୍ୟଙ୍କ ପୀଠରେ ହୋଇଥାଏ ; ଏ ଦେବୀ ସିଦ୍ଧି ଓ ଜ୍ଞାନଦାୟିନୀ ଆଉ ସକଳାଭିଷ୍ଟ ପୂରଣ କାରିଣୀ । ବଶୀଭୁତ କରିବାରେ ସେ ଶକ୍ତିଶାଳିନୀ । ତ୍ରିପୁରା ସୁନ୍ଦରୀଙ୍କ ସହ ଶିବ , କାମେଶ୍ବର ରୂପେ ଅର୍ଚ୍ଚିତ । କଟକର ଆଠଗଡ଼ର ଦେବୀ ମାତା ଭଟ୍ଟାରିକାଙ୍କୁ ଷୋଡ଼ଶୀ ଭାବେ କଳ୍ପନା କରାଯାଇଛି ଏବଂ ତନ୍ତ୍ରରେ ସୁଦର୍ଶନ ଷୋଡ଼ଶୀ ଭାବେ ସ୍ବୀକାର୍ଯ୍ଯ ।
ତିନି ପୁରରେ ଦେବୀ ଷୋଡ଼ଶୀଙ୍କ ଦିବ୍ଯ ରୂପ ସହ କେହି ବି ତୁଳନୀୟ ନୁହଁନ୍ତି । ସ୍ଥୂଳ , ସୂକ୍ଷ୍ମ ଆଉ ପାରା ରୂପେ ସେ ସର୍ବତ୍ର ବିଦ୍ଯମାନ । ଶାସ୍ତ୍ରରେ ଅନ୍ଯର୍ଥରେ ସେ ଚାରି ହାତରେ ଆଖୁ , ପୁଷ୍ପଗୁଚ୍ଛ , ଫାଶ ଓ ଅଙ୍କୁଶ ଧାରଣ କରିଛନ୍ତି ବୋଲି ବି ବୋଲାଯାଏ । ଲଳିତା ସହସ୍ରନାମ , ଶଙ୍କରାଚାର୍ଯ୍ୟଙ୍କ ସୌନ୍ଦର୍ଯ୍ୟ ଲହରୀ , ଲଳିତା ଉପାଖ୍ୟାନ , ତ୍ରିପୁର ସୁନ୍ଦରୀ ଅଷ୍ଟକମ୍ରେ ଷୋଡ଼ଶୀଙ୍କ ସମ୍ବନ୍ଧ ବର୍ଣ୍ଣିତ । ଏ ବିଦ୍ଯାରେ ରୁଦ୍ର ହେଲେ ଶ୍ରୀବିଦ୍ଯେଷୀ(ତ୍ରିପୁର ସୁନ୍ଦର) ଓ ଭୈରବୀ ହେଲେ ତ୍ରିପୁର ସୁନ୍ଦରୀ ଶ୍ରୀବିଦ୍ଯେଶ୍ବରୀ । ଦଶ ମହାବିଦ୍ୟାଙ୍କର ଦଶ ଭୈରବ କଳ୍ପନା ହୋଇଛି । କାଳୀଙ୍କର ଭୈରବ ମହାକାଳ , ତାରାଙ୍କର ଅକ୍ଷୋଭ୍ଯ , ଛିନ୍ନମସ୍ତାଙ୍କର ବିକରାଳ , ଭୁବନେଶ୍ବରୀଙ୍କର ମହାଦେବ , ବଗଳାଙ୍କର ମୃତ୍ୟୁଞ୍ଜୟ , ଧୂମାବତୀଙ୍କର କାଳଭୈରବ , ତ୍ରିପୁରା ସୁନ୍ଦରୀଙ୍କର ଭୈରବ ଲଳିତେଶ୍ବର , ମାତଙ୍ଗୀଙ୍କର ମାତଙ୍ଗ , ଷୋଡ଼ଶୀଙ୍କର ନାରାୟଣ , ଭୈରବୀଙ୍କର ବଟୁକନାଥ ଅଟନ୍ତି ।
ତ୍ରିପୁରା ସୁନ୍ଦରୀ ଷୋଡ଼ଶୀ ହେଉଛନ୍ତି ଅଭେଦ୍ଯା ; ତାଙ୍କ ପ୍ରଭାବକୁ କେହି ଭେଦ କରିପାରିବେନି । ଏହି ଦେବୀ ସମସ୍ତ ପ୍ରକାର କାମଭାବକୁ ବୃଦ୍ଧି ଏବଂ ହ୍ରାସ କରିପାରନ୍ତି । "ରୁଦ୍ରଯାମଳ ତନ୍ତ୍ର"ର ତ୍ରିପୁରା ସ୍ତବରାଜମ୍ରେ କୁହାଯାଇଛି :-
"ଯା ନିତ୍ଯା ପରମା ଶକ୍ତିର୍ଜଗଚ୍ଚୈତନ୍ଯରୂପିଣୀ
ତାଂ ନମାମି ମହାଦେବୀଂ ପଞ୍ଚମୀଂ ମାତୃରୂପିଣୀମ୍ ।
ଯସ୍ଯାଃ ସର୍ୱଂ ସମୁତ୍ପନ୍ନଂ ଯସ୍ଯାମଦ୍ଯାପି ତିଷ୍ଠତି
ଲୟମେଷ୍ଯତି ଯସ୍ଯା ତାଂ ପଞ୍ଚମୀଂ ପ୍ରଣମାମ୍ଯହମ୍ ।"
ଏହାର ଅର୍ଥ ଯିଏ ଅବିନାଶୀ ତଥା ସମଗ୍ର ସଂସାରର ପରମ ଚୈତନ୍ୟକ୍ରିୟା ଶକ୍ତି ସ୍ବରୂପିଣୀ ସେହି ପରମା ମାତୃରୂପା ପଞ୍ଚମୀ ତିଥି ପ୍ରିୟା ମହାଦେବୀ ମୋ' ପ୍ରଣମ୍ଯ । ଯାହାଙ୍କ ପ୍ରଭାବେ ଏ ବିଶ୍ବରେ ସବୁକିଛି ତିଷ୍ଠି ରହିଛି ଏବଂ ସବୁକିଛି ବିଲୟ ହୁଏ ସେହି ପଞ୍ଚମୀ ତିଥି ପ୍ରିୟା ମୋର ପ୍ରଣମ୍ଯ ।
କାମ ଓ ସମ୍ଭୋଗର ଦେବତା କାମଦଦେବ ଓ ରତି ହେଉଛନ୍ତି ଷୋଡ଼ଶୀଙ୍କ ଉପାସକ । ଷୋଡ଼ଶୀ ମାତା ଶାନ୍ତିକର୍ମ , ମୋହନ , ବଶ୍ଯ , ଉଚ୍ଚାଟନ , ଆକର୍ଷଣ ଆଦି ବିଦ୍ଯାରେ ପାରଙ୍ଗମ ; ଏହାଙ୍କ ଉପାସନାରେ ପୁରୁଷଙ୍କର , ଓଜ , ବଳ , ତେଜ , ବୀର୍ଯ୍ୟ ପରିବର୍ଦ୍ଧିତ ହୁଏ । ଇନ୍ଦ୍ର , ସୂର୍ଯ୍ଯ , କୃଷ୍ଣ , ମହର୍ଷି ମାତଙ୍ଗ ମଧ୍ଯ ଏହି ଦେବୀଙ୍କର ପରମ ସାଧକ । ବିହାରରେ ଥିବା ରାଜରାଜେଶ୍ୱରୀ ତ୍ରିପୁରା ସୁନ୍ଦରୀ ମନ୍ଦିର ତନ୍ତ୍ର ସାଧନା ପାଇଁ ପ୍ରସିଦ୍ଧ , ଯେଉଁଠି ଏକ ରହସ୍ୟମୟ ଗୀର ଲୁକ୍କାୟିତ । କୁହାଯାଏ କି , ରାତ୍ରାର୍ଦ୍ଧରେ ମନ୍ଦିର ଭିତରୁ କଥାବାର୍ତ୍ତା ଶୁଭେ ; ଅନେକ ଲୋକ ଓ ପୂଜକ ରହସ୍ୟ ଭେଦି ପାରିନାହାନ୍ତି ଅନେକ ଚେଷ୍ଟା ସତ୍ତ୍ୱେ । ବୈଜ୍ଞାନିକମାନେ ଗବେଷଣା କରି ବି କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନାହାନ୍ତି । ଏହି ମନ୍ଦିରଟି ବିହାରର ବକ୍ସରରେ ଅବସ୍ଥିତ । ଜଣେ ତାନ୍ତ୍ରିକ ଭବାନୀ ମିଶ୍ର ଏହି ମନ୍ଦିରର ସ୍ଥାପନା କରିଥିଲେ ବୋଲି କୁହାଯାଏ । ଏ ମନ୍ଦିରକୁ ପ୍ରବେଶ କଲେ ଆପଣଙ୍କୁ ଏକ ସ୍ବତନ୍ତ୍ର ଶକ୍ତି ପ୍ରବାହିତ ହେଉଥିବାର ଆଭାସ ମିଳିବ ।
ନବଗ୍ରହ ମଧ୍ଯରୁ ବୁଧ ଗ୍ରହଙ୍କର ପ୍ରଭାବ ଓ ଶରୀରର ସମସ୍ତ ଆଧ୍ଯାତ୍ମ ଚକ୍ର ଷୋଡ଼ଶୀ ଦେବୀଙ୍କ ନିୟନ୍ତ୍ରଣାଧିନ । ଜ୍ଯୋତିଷଶାସ୍ତ୍ର , ଗଣିତ , ହିସାବ ରକ୍ଷଣ , ବୈଦ୍ଯୁତିକ ଯନ୍ତ୍ରପାତି , ଟେଲିକମ୍ଯୁନିକେସନ, ମୋବାଇଲ୍ ଫୋନ୍ , ଇଣ୍ଟର୍ନେଟ୍ , ଗଣମାଧ୍ୟମ , ପ୍ରିଣ୍ଟିଂ ଓ ପବ୍ଲିସିଙ୍ଗ , ପୁସ୍ତକ ରଚନା , ଭ୍ରମଣ , ଗବେଷଣା ଓ ବିକାଶ , ସର୍ବ ଲେଖନ ଦ୍ରବ୍ଯ , କାଗଜ କାରଖାନା , ଚିକିତ୍ସକ , ନୃତ୍ଯ , ସଙ୍ଗୀତ , ପ୍ରେମ , ପ୍ରଣୟ ଆଦି କ୍ଷେତ୍ର ଷୋଡ଼ଶୀଙ୍କ ନିୟନ୍ତ୍ରଣାଧିନ ଏବଂ ନର ଦେହେ ବୁଦ୍ଧି , ବାକ୍ଯନ୍ତ୍ର, ଥାଇରଏଡ୍ ଗ୍ଲାଣ୍ଡ୍ ଏହି ଦୈବୀଶକ୍ତି ନିୟନ୍ତ୍ରଣାଧିନ ଅଟେ ; ଏ କ୍ଷେତ୍ରର ଉନ୍ନତି ନିମନ୍ତେ ଷୋଡ଼ଶୀ ଉପାସନା କରାଯାଏ ।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment