ଟୁଙ୍ଗୁରୁ ଉପାଖ୍ୟାନ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

        ସମ୍ପାଦକ - ଉଦୟ ଭାନୁ 


       ଭାଇରେ , କି ଯୁଗ ହେଲାରେ ! କି ନଦେଖିଲା ଆଜି ନେତ୍ର ! ମରଣ କାଳେ ବିପରୀତ ବୁଦ୍ଧି ! ଏତେ ଅଲଜ୍ଜ୍ଯା ହେଲେ କ'ଣ ହେବ ? ଟିକେ ତ ସରମ ରଖରେ ଭାଇ । ଧର୍ମକୁ ତ ଟିକେ ଡର ; ଏତେ ଅଧର୍ମ କ'ଣ ପାଇଁ ? ନିଜକୁ ପ୍ରତିଷ୍ଠିତ କରିବାକୁ ଆଉ ନିଜର ପ୍ରସଂସା ଗୋଟେଇବାକୁ ଯେଉଁ ପ୍ରହସନ କରୁଛ , ଛିଃ ! ଛିଃ ! ଛିଃ ! ଆ.....ଥୁ଼ ! ଜାଣିଛ ? ସେଥିରେ ପ୍ରତିଷ୍ଠିତ ହେଉନ ଯେ କଳୁଷିତ ହେଉଛ ଆଉ ପ୍ରସଂସା ବଦଳରେ ନିନ୍ଦା ହିଂ ସାଉଁଟୁଛ । କଥାରେ ଅଛି କି - "ଆପଣ ହସ୍ତେ ଜିହ୍ୱା ଚ୍ଛେଦି , କେ' ଅଛି ତା'ର ପ୍ରତିବାଦୀ" । ନିଜର ନିନ୍ଦା , ଅପବାଦ ଓ ଅସୁବିଧାକୁ ନିଜେ ହିଁ ସଂଗ୍ରହ କରୁଛ । କହିଲେ କୁଳ କୁଟୁମ୍ବକୁ ଲାଜ , ନକହିଲେ କୁଳ ଭାସି ଯାଉଛି । ସମାଜକୁ ତମେମାନେ କି ଶିକ୍ଷା ଦେଉଛ ? ଏସବୁ କାଣ୍ଡ କାରନାମା ସମାଜରେ କି ପ୍ରଭାବ ପକାଉଛି ଥରେ ଭାବିଛ କି ? 


      ରୀତି ପାହିଲେ କିଛି ନା କିଛି ଘଟଣା ଭାଇରାଲ ହେବାରେ ଲାଗିଛି । କିଛି କିଛି କଥା ଚର୍ଚ୍ଚା ପରିସର ଅନ୍ତର୍ଭୁକ୍ତ ହେଉଛି । ଖବରକାଗଜର ପ୍ରତିଟି ପୃଷ୍ଠାରେ ଏବେ ରେଫ୍‌ , ମର୍ଡ଼ର୍‌ , ସୁଇସାଇଟ୍‌ , ଚୋରୀ , ହିଂସା ଆଦି ସବୁ ଦେଖି ପଢ଼ି ସମାଜ ପ୍ରତି ବିତୃଷ୍ଣା ଆସିଗଲାଣି । କ"ଣ ଚାଲିଚି ଏସବୁ ? ଏଠି ରାମଙ୍କ ଘୋର ଅଭାବ ଥିବା ବେଳେ ରାବଣ , ମନ୍ଥରା , ସୁପଣଖା ମାନଙ୍କର ପ୍ରବଳ ଭିଡ଼ ଜମିଛି । କୃଷ୍ଣଙ୍କ ଅଭାବ ତିବା ବେଳେ ଦୁର୍ଯ୍ୟୋଧନ , ଦୁଃଶାସନ , ଶକୁନି ଆଉ ଧୃତରାଷ୍ଟ୍ର ପରି ନିରବ ଅନ୍ଯାୟ ଦ୍ରଷ୍ଟା ଓ ଜାଣି ନଜାଣିଲା ପରି ରହୁଥିବା ଅନ୍ଧପୁଟୁଳି ଭିଡ଼ା ଗାନ୍ଧାରୀ ମାନଙ୍କର ଗହଳ ଚହଳ ଚାଲିଛି । କ'ଣ ଥିଲା ଆଉ ଏବେ କ'ଣ ହେଲା ଏ ସମାଜ ? 


       ସୋସିଆଲ ମିଡିଆରୁ ଆରମ୍ଭ କରି ଗଣମାଧ୍ୟମ ଯାଏଁ ପରତ୍ଯ କିଚି ନା କିଛି ଘଟଣା ଭାଇରାଲ ହୋଇ ଚାଲିଛି । ଆଉ ତାକୁ ହାଇଲାଇଟ୍‌ କରିବାକୁ ମଧ୍ଯ କିଛି ଲୋକ ଅନେଇ ବସିଛନ୍ତି । ଏଇ ଯେମିତି ଟୁଙ୍ଗୁରୁ ଭୋଳ ଓରଫ ଆଲୋକ ଭୋଳ ଓ ବର୍ଷାର ପ୍ରେମ କାହାଣୀ ଦାଣ୍ଡରେ ପଡ଼ି ହଟରେ ଗଡୁଛି । ଜଣେ ବେହିଆକୁ ଆଉ ଜଣେ ବେହିଆଣୀ ; ଜଣେ ଲମ୍ପଟ ଆଉ ଜଣେ କଳଙ୍କିନୀ । ବାଃ ! ବାଃ! ବାଃ ! କ'ଣ ଟ୍ରେଣ୍ଡ୍‌ ଚାଲିଛିରେ ବାବା !! କଥାରେ ଅଛି - "ବାଟରେ ହଗିଲେ ନାଁ , ମନ୍ଦିର ତୋଳିଲେ ନାଁ ।" ମନ୍ଦିର ତୋଳି ନାଁ କମେଇବା ପ୍ରଶଂସାଯୋଗ୍ଯ , କିନ୍ତୁ ବାଟରେ ଛେରି ନାଁ କମେଇବା କି ପ୍ରକାର ପ୍ରଶଂସାର ଚିହ୍ନ ? 


    ଏଠି କିଏ ସତ କହୁଚି ଆଉ କିଏ ମିଛ କହୁଚି ତାହା ଇନ୍‌ଭେଷ୍ଟିକେସନ ରିପୋର୍ଟ କହିବ । ସେମାନଙ୍କର କଥାବାର୍ତ୍ତା , ଚାଲିଚଳନ ଓ ହାବଭାବରୁ ସମସ୍ତେ ଜାଣି ସାରିଥିବେ ଏଟି ସତିଆ କିଏ ଆଉ ମିଛୁଆ କିଏ । ଜଣେ ଅବିବାହିତ ଯୁବକ ଆଉ ଜଣେ ବିବାହିତା ମହିଳାକୁ ପ୍ରେମ କରିବା ଓ ତା' ସହ ଶାରୀରିକ ସମ୍ପର୍କ ରଖିବା ଘଟଣା କେତେଦୂର ଯୁକ୍ତିଯୁକ୍ତ ? ପୁଣି ସେ ମହିଳା ଜଣକ ଦୁଇଟି ସନ୍ତାନର ମାଆ ; ସମାଜ ପ୍ରତି ଏ ଘଟଣା କି ପ୍ରଭାବ ସୃଷ୍ଟି କରୁଛି ବୁଦ୍ଧିଜୀବୀ ଏହାର ମତ ରଖିବେ । ଏଭଳି ଘଟଣାକୁ ବିରୋଧ କରାଯାଉନି କାହିଁକି ? ଥାନାରେ ମାମଲା ରୁଜୁ ପରେ ପୋଲିସ୍‌ କି ପ୍ରକାର କାର୍ଯ୍ଯାନୁଷ୍ଠାନ ନେଲା ? ଥାନାରେ ଲେଖାପଢ଼ି କରିଦେଲେ କେହି କାହା ସହିତ ସମ୍ପର୍କ ରଖିବେନି ; ଏପଟେ ପୁଣି କୁହାଗଲା କି ସେ ପୁଅଟି ସେ ଝିଅ ସହ ଫୋନ୍‌ରେ କଥା ହେଉ । ନହେଲେ ଯଦି କିଛି ହୋଇଯାଏ ତ ପୁଅଟି ଫସିବ । ତେବେ ଏଟି କି ପ୍ରକାର ନ୍ଯାୟ ଚାଲିଛି ବୁଝି ହେଉନି । ଗୋଟିଏ ହାତରେ ତାଳି ବାଜେନି , ସେଥିପାଇଁ ଦୁଇଟା ହାତର ସଂଯୋଗ ଦରକାର । ଭୁଲ୍‌ଟା ଜଣଙ୍କ ଆଡୁ ହୁଏନି , ଉଭୟଙ୍କ ଆଡୁ ହୁଏ । ଏକଥା କ'ଣ କେହି ବି ଜଣେ ବୁଝିପାରୁ ନାହାନ୍ତି କି ? କି ପ୍ରହସନ ଚାଲିଛି ଏଠି ? ଫେସ୍‌ବୁକ୍‌ , ହ୍ବାଟ୍ସ୍‌ଆପ୍‌ , ଇନ୍‌ଷ୍ଟାଗ୍ରାମ୍‌ , ଟ୍ବିଟର ଯାହା ବି ଖୋଲିଲେ ସେଇ ଚର୍ଚ୍ଚା ଦୃଶ୍ୟମାନ ; ଖବରକାଗଜର ପୃଷ୍ଠାରେ ତାଙ୍କରି ନାଁର ଆଲେଖ୍ୟ । 


           ଶସ୍ତା ଲୋକପ୍ରିୟତାର୍ଜନର ଏ ରାସ୍ତା ସମାଜରେ କୁପ୍ରଭାବ ପକାଉଚି କି ନା ଟିକେ କୁହନ୍ତୁ ତ । ଉଭୟଙ୍କ ବୟାନ କି ପ୍ରମାଣ ଦେଉଚି ବୁଝନ୍ତୁ । ଟୁଙ୍ଗୁରୁର ବୟାନନୁସାରେ ସେ କିଛି କରିନି , ସେ ତାକୁ ଭଲପାଇନି । ବର୍ଷା ନାମ୍ନୀ ମହିଳାଟି ତା' ଆଡୁ ତାକୁ ପ୍ରେମ ନିବେଦନ କରିଛି । ସେ କେବଳ ଯାତ୍ରୀ ଥିଲା ଆଉ ତିନିଶହ ଟଙ୍କାରେ ତା'ର ଅଟୋରେ ଭଡ଼ାରେ ଯାଉଥିଲା । ତେବେ ସେ ଯଦି ପ୍ରେମ ନିବେଦନ କଲା ତ ଇଏ କେମିତି ତା' ପ୍ରେମକୁ ସ୍ବୀକାର କରିନେଲା ? ତା' ମଥାର ସିନ୍ଦୂର ଆଉ ହାତର ଶଙ୍ଖା କ'ଣ ତାକୁ ବିବାହିତା ବୋଲି ପ୍ରମାଣିତ କରୁ ନଥିଲା କି ? ଜଣେ ବିବାହିତା ନାରୀର ପ୍ରେମ ନିବେଦନକୁ ଗ୍ରହଣ କରିବା ଟୁଙ୍ଗୁରୁ ଓରଫ ଆଲୋକର କେତେ ଯଥାର୍ଥ କହିଲେ ? ସେ ବି ଜାଣିବା କଥା ଯେ , ସେ ବିବାହିତା ଆଉ ତା'ର ସ୍ବାମୀ ଓ ଛୁଆ ଅଛନ୍ତି  । ପତିବ୍ରତା ନାରୀର ପତି ବ୍ରତ ଭାଙ୍ଗି ପରପୁରୁଷ ସହ ସମ୍ପର୍କ ସ୍ଥାପନ କରି ସେ କୋଉ ମହନୀୟ କାର୍ଯ୍ଯ କରିଛନ୍ତି କି ? "ଟୁଙ୍ଗୁରୁ ମୋ' ସହ ଶାରୀରିକ ସମ୍ପର୍କ ରଖି ଏବେ ବାହା ହେବାକୁ ମନା କରୁଛି"- ଏକଥା କହିବା ପୂର୍ବରୁ ନିଜେ ଶହେ ଥର ଭାବିବା ଉଚିତ କି ଶାରୀରିକ ସମ୍ପର୍କ ପାଇଁ ପ୍ରଶ୍ରୟ ଦେଲା କିଏ ? ତାକୁ ଘରକୁ ଡାକି ଖାଇବାକୁ ଦେଇ ସେଲ୍ଫି ନେଇ ପୁଣି ଆଠ ଦିନ କାଳ ଦ୍ବାର ବନ୍ଦ କରି ରଖିବା କେତେ ଠିକ୍‌ କରିଛନ୍ତି ବର୍ଷା ? "ନିଆଁ-ଘିଅ ଏକାଟି ହେଲେ ରୁଦ୍ରାଗ୍ନି ଜାତ" , ଏକଥା ଭୁଲିଗଲେ କେମିତି ? ଏ କାଣ୍ଡ କାରନାମାର ସୂତ୍ରଧର କିଏ ? 


    ଲଜ୍ଜ୍ଯା ! ଘୋର ଲଜ୍ଜ୍ଯା ! ଏ ଟୁଙ୍ଗୁରୁ ଲମ୍ପଟ ହେଲେ ବର୍ଷା ହେଉଚି ନାରୀ ଜାତିର କଳଙ୍କ  । ମିଡ଼ିଆରେ ବାଇଟ୍‌ ଦେବା ପୂର୍ବରୁ ନିଜର ସଂଯମତା ବିଷୟରେ ଚିନ୍ତା କରିବା କଥା । କହୁଛି ମତେ ଯୋଉଟି ଦେକିଲେ ଗୋଲାପ ଫୁଲ ଦେଲେ ଆଉ ହଜାରେ ତର "ଆଇ ଲଭ୍‌ ୟୁ" କହିଲେ । ସେ କହୁଚି ମତେ ଖାଇବାକୁ ମିଳୁନି ମୁଁ ଗୋଲାପ ଫୁଲ କୋଉଠୁ ଦେବି ଆଉ ସେ ମତେ ଆଗ "ଆଇ ଲଭ୍‌ ୟୁ" କହିଲା । କି ପାଲାରେ ଇଏ ବାବା ! କାହା କଥା ସତ ଏଟି ? ସିଏ ଗୋଲାପ ଦେଲା ଆଉ ଇଏ ସାଦରେ କୋଳେଇ ନେଲା ; ସେ ଭଲପାଏ କହିଲା ଆଉ ଇଏ ବି ଭଲପାଇବାର ପ୍ରତିଶ୍ରୁତି ବି ଦେଇଦେଲା । ଧନ୍ଯ ! ଧନ୍ଯ ତୁମ ପ୍ରେମ କାହାଣୀ  ! ଲୈଲା-ମଝୁନୁ ବି ହାର୍‌ ମାନିଯିବେରେ ବାପା ! 


       ବର୍ଷାର ବାଇଟ୍‌ ଅନୁସାରେ ଟୁଙ୍ଗୁରୁ ତାକୁ ଏତେ ଭଲପାଇବା ଦେଲା ଯେ ସେ ତା' ସ୍ବାମୀକୁ ଛାଡ଼ିବାକୁ ବାଧ୍ଯ ହେଲା । କି ଅଲାଜୁକିଆ କଥା ! ପରପୁରୁଷ ପାଇଁ ପତିକୁ ବି ପ୍ରତ୍ଯାଖ୍ଯାନ ! ନିଜର ଜନ୍ମିତ ସନ୍ତାନ ବି ପର ହୋଇଗଲେ ! କି ପ୍ରେମ ନିଶା ! ଫୁଲମାଳ ଧରି ଥାନା ଆଗରେ ଛିଡ଼ା ହେବେ ଶଙ୍ଖା ସିନ୍ଦୂର ସହିତ ; "ମୁଁ ବାହା ହେବି" କହି ! "ସେ ରାଜି ହେଉ ନହେଉ , ମୁଁ କିନ୍ତୁ ଟୁଙ୍ଗୁରୁକୁ ବାହା ହେବି" ବୋଲି କହିବା କେତେ ଲଜ୍ଜ୍ଯାକର ଘଟଣା , ସେକଥା କ'ଣ ଜାଣି ପାରୁନି ସେ ! 


      ମିଛ କହିବାର ଗୋଟେ ସୀମା ତାଏ । ୨୧ ବର୍ଷ ବୋଲି ଟୁଙ୍ଗୁରୁ କହୁଥିବା ବେଳେ ବର୍ଷା ନିଜର ବୟସ ୨୮ ବର୍ଷ ବୋଲି କହୁଛି ; ପୁଣି ଟୁଙ୍ଗୁରୁକୁ ୨୪ ବର୍ଷ ବୋଲି କହୁଛି ସେ । ଉଭୟଙ୍କର ସ୍କୁଲ୍‌ ସାର୍ଟିଫିକେଟ୍‌ କି ଆଧାର କାର୍ଡ୍‌ କିମ୍ବା ଭୋଟ ପରିଚୟପତ୍ର ଆଉ ନହେଲେ ଜାତକ ଦେଖାଯାଉ । ଜଣା ପଡ଼ିଯିବ ସତ୍ଯତା । ଦୁଇଟା ଛୁଆର ମାଆ ଯଦି କହେ ମତେ ଅଠେଇଶି ବର୍ଷ , ତେବେ ତା'ର ବିବାହ କେତେ ବର୍ଷରେ ହୋଇଥିଲା ? ବର୍ଷାର ବାଇଟ୍‌ ଥିଲା "ଯଦି ଗୋଟେ ବୟସ୍କ ପୁଅ ତା' ଟାରୁ କମ୍‌ ବୟସର ଝିଅକୁ ବାହା ହୋଇ ପାରୁଛି ତେବେ ମୁଁ କାହିଁକି ହେବିନି ?" ସେ ଜାଣିବା କଥା ସେ ବିବାହିତା ଆଉ ତା'ର ସ୍ବାମୀ ଓ ଛୁଆର ସଂସାର ଅଛି । ସମାଜକୁ କଳୁଷିତ କରିବାକୁ ଟିକେ ସରମ ଲାଗୁନି କେମିତି ଯେ ? ଟିକେ ତ ଲଜ୍ଜ୍ଯା ରଖ । 


     ଏ ମିଡ଼ିଆବାଲା ବି କମ୍‌ ନୁହଁ । ସୋରିଷ ଫୁଟିଲେ ବମ୍‌ ଫୁଟିବାର ଶବ୍ଦ ଶୁଭିଲା ବୋଲି ପ୍ରଚାର କରି ପକାଉଛନ୍ତି । ବର୍ଷାକୁ ଭାଉଜ ବନେଇ ରାସଲୀଳା କରୁତିବା ଟୁଙ୍ଗୁରୁର ହାଇଲାଇଟ୍‌ କରିବାକୁ ପ୍ରାଣପଣେ ଚେଷ୍ଟା ଜାରି । ପ୍ରଶ୍ନ ପଚରା ଯାଉଛି - "ଭାଉଜ ପ୍ରେମ ମିଠା ନା ଖଟା ଲାଗିଲା", ଏଭଳି ପ୍ରଶ୍ନ ଶୁଣି ମାଆ ରାଣ ଖାଇ କହୁଛି , ଅଧଘଣ୍ଟା ହସିଛି । ଉତ୍ତରରେ ଟୁଙ୍ଗୁରୁ କହୁଛି - "ଯେତିକି ମିଟା ଲାଗିଲା , ସେତିକି ଖଟା ଲାଗିଲା" - ତରେ ଇଏ ହାସ୍ଯାସ୍ପଦ । 


     ଏଥିରୁ କ'ଣ ପ୍ରମାଣିତ ହେଉଛି ? ଟୁଙ୍ଗୁରୁ ସତରେ ବର୍ଷା ପ୍ରେମରେ ପଡ଼ିଥିଲା କି ନା ? ପୁଣି ପ୍ରଶ୍ନ ଆସୁଛି କି , "ଏବେ କିଭଳି ସମ୍ପର୍କ ରହିବ ? ମାଆ-ପୁଅର ନା ଦିଅର-ଭାଉଜର ?" ଉତ୍ତର ଆସୁଛି "ମାଆ-ପୁଅର ସମ୍ପର୍କ ।" ଏଟି ପବିତ୍ର ସମ୍ପର୍କରେ କଳଙ୍କ ଲାଗୁନି କି ? ପ୍ରଥମେ ଦୈହିକ ସମ୍ପର୍କ ପରେ କାହାକୁ ମାଆ ଆଉ ପୁଅ ରୂପରେ ସ୍ବୀକାର କରିବାଟା ପବିତ୍ର ସମ୍ପର୍କରେ କଳଙ୍କ ବୋଳୁନାହିଁ କି ? ଏପଟେ ମିଡ଼ିଆ ଆଗରେ ଗୋଟେ କଥା ପୁଣି ସେପଟେ ଲୁଚାଛପାରେ ଫୋନ୍‌ରେ ଆଉଗୋଟେ କଥା ; ଏପଟେ ତାକୁ ରଖିବାକୁ ଅସ୍ବୀକାର କରିବା ସେପଟେ ଫୋନ୍‌ରେ ବିବାହ ପ୍ରତିଶ୍ରୁତି ଦେବା ଏକ ଅଜବ ଘଟଣା । 


       

     ଏ ଘଟଣାକୁ ବନ୍ଦ କରିବା ପରିବର୍ତ୍ତେ ତାକୁ ନେଇ ଗୀତ , କବିତା , ନାଟକ ପୁଣି ସିନେମା କରି ସମାଜରେ କଳୁଷିତତାର ବୀଜ ବପନ କରିବା କେତେ ଯୁକ୍ତିଯୁକ୍ତ ? ଏମାନଙ୍କୁ ସଂଳାପ କି ଷ୍ଟୋରୀ ମିଳୁନି ବୋଲି ବୋଧହୁଏ ଏଭଳି  । ମିଡ଼ିଆବାଲାଙ୍କୁ ବି ଆଉ ନିଉଜ୍‌ ମିଳୁନି , ସେଲାଗି ଏ ଫାଲ୍‌ତୁ ଘଟଣାକୁ ନେଇ ରୋଜ୍‌ ଚାଲିଚି ଜୋର୍‌ସୋର୍‌ରେ ପ୍ରଚାର । ସେପଟେ ଟୁଙ୍ଗୁରୁକୁ ଷ୍ଟାର୍‌ ବନେଇବାକୁ ଯୋଜନା ବେଳେ ଏପଟେ ବର୍ଷା ବି ଷ୍ଟାର୍‌ ବନିବାକୁ ପ୍ରୟା । ଊଭୟେ ହସି ହସି କହୁଛନ୍ତି କି , " ମୁଁ ଷ୍ଟାର୍‌ ହେଲି , ମୁଁ ଷ୍ଟାର୍‌ ହେଲି" ; ଏମିତିଆ ଅଲାଜୁକ - ଅଲାଜୁକୀଙ୍କୁ ନେଇ ଏ ସମାଜ କି ଶିକ୍ଷା ପ୍ରାପ୍ତ କରିବ କେଜାଣି । 


    ୟୁଟ୍ଯୁବ୍‌ରେ ଅଶ୍ଳୀଳ କମେଡ଼ିରେ ସେମାନଙ୍କୁ ନେଇ ଗାଳିଗୁଲଜ ଓ ବ୍ଯଙ୍ଗାତ୍ମକ ପରିବେଷଣ ସମାଜରେ କିଭଳି ବାର୍ତ୍ତା ଆବଣ୍ଟନ କରୁଛି ? ଯିଏ ଏଭଳି ଭିଡ଼ିଓ ବନେଇକି ପରିବେଷଣ କରୁଛନ୍ତି , ତାଙ୍କ ବିରୋଧରେ କାର୍ଯ୍ଯାନୁଷଟାନ ନିଆ ଯାଉନି କାହିଁକି ? ୟୁଟ୍ଯୁବ୍‌ରେ ଏଭଳି ଅଶ୍ଳୀଳତାକୁ ପ୍ରଶ୍ରୟ ଦେବା କେତେ ଯୁକ୍ତିସଙ୍ଗତ ? ସେହି ଅଶ୍ଳୀଳ ଚ୍ଯାନେଲ ଗୁଡ଼ିକ ଉପରେ ରୋକ୍‌ ଲଗାଯାଉନି କାହିଁକି ? ଆଇନ୍‌ର ରକ୍ଷକମାନେ କରୁଛନ୍ତି କ'ଣ ? ଅଭିଯୋଗ ହେଲେ ଯାଇ କାର୍ଯ୍ଯାନୁଷ୍ଠାନ ନହେଲେ ହାତ ବାନ୍ଧି ବସିବା ? ବ୍ଯକ୍ତିଗତ ମାମଲା ହେଲେ ବି ସମାଜରେ କ୍ଷତି ଘଟାଉଥିବା ଘଟଣା ପ୍ରତି ଛାଏଁ ଆଗଭର ହୋଇ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ଆଇନ୍‌ଜୀବୀ - ଆଇନ୍‌ରକ୍ଷକଙ୍କର ପ୍ରତମ କାର୍ଯ୍ଯ ହେବା ଉଚିତ ନା ନାହିଁ ? କାହିଁକି ତେବେ ତାଙ୍କୁ ଆଇନ୍‌ରକ୍ଷକ କରି କାକି ଡ୍ରେସ୍‌ ପିନ୍ଧା ଯାଇଛି ? କାହିଁକି ସରକାର ତାଙ୍କୁ ଗଣି ଦେଉଛନ୍ତି ମାସ ଶେଷକୁ ଦରମା ? ଜଣେ ଟି.ଭି ଚ୍ଯାନେଲ୍‌ରେ ବାଇଟ୍‌ ଦେଉଥିଲେ ଯାହା ମତେ ହସେଇ ପାରିଲା ଓ କ୍ରୋଧ ବି ଉପୁଜେଇଲା । କହୁତିଲେ - "ଲୋକ ନଦେଖିଲେ ଆମେ କାହିଁକି ପ୍ରସାରଣ କରନ୍ତୁ ।" ଲୋକଙ୍କୁ ଦେକେଇଲା କିଏ ? ତମେ ପ୍ରସାରଣ କରିବାରୁ ତ ଦର୍ଶକଙ୍କ ନଜର ପରିସରଭୁକ୍ତ ହେଲା ; ନା ଆଗ ଦର୍ଶକ ଦେକିଲେ ପରେ ତମେ ଦେଖେଇଲ ? ଅସମ୍ଭବ କଥାକୁ ସମ୍ଭବ ଆଉ ସମ୍ଭବ କଥାକୁ ଅସମ୍ଭବ କରୁଚ କାହିଁକି ? ତମର କିଛି ବୋଧେ କାମଧନ୍ଦା ନାହିଁ , ଏସବୁ କରି ବାଃ ବାଃ ନେଉଛ । 


    ଏ ଘଟଣାର ସ୍ତମ୍ଭନ ନିହାତି ଆବଶ୍ଯକ ଆଉ ଯଥାଶିଘ୍ର ବି । ଉତ୍ତମ ବ୍ଯକ୍ତିକୁ ହାଇଲାଇଟ୍‌ କର କି ଷ୍ଟାର୍‌ ବନାଓ ; ଏଭଳି ଥୋବରା-ବେହିଆ-ଲମ୍ପଟ ଆଉ ନାରୀ ଜାତିର କଳଙ୍କକୁ ହାଇଲାଇଟ୍‌ କରି କି ଯଶ ଅର୍ଜନ କରିବ ? ବିହିତ କାର୍ଯ୍ଯାନୁଷ୍ଠାନ ଗ୍ରହଣ ପୂର୍ବକ ଉଭୟଙ୍କୁ ଉଚିତ ସଜ୍ଜା ଦେବା ଦରକାର । ଯେମିତିକି ଏଭଳି କଦର୍ଥନ ସମାଜରେ ପୁନରାୟ ମଥା ନଟେକୁ । ଏଭଳି କାର୍ଯ୍ଯ କରିବାକୁ କେହି ଯେମିତି ଶହେ ଥର ନୁହେଁ ସହସ୍ର ବାର ଭାବୁ । ଆଇନ୍‌ର ସମ୍ମାନ ରହୁ , ନାରୀ ଜାତିର ସମ୍ମାନ ରହୁ ଆଉ ଏ ପୁରୁଷ ସମାଜ ବି ହେଜୁଥାଉ । ସମାଜରେ ସନ୍ତୁଳନ ବଜାୟ ରହୁ । ଆମ ଉତ୍ତରପିଢ଼ି ଆମ ଠାରୁ ଭଲ ହିଁ ଶିଖନ୍ତୁ ; ଏଭଳି କଦର୍ଯ୍ଯ କାର୍ଯ୍ଯ ସିକ୍ଷା କରି ହିନ୍ଦୁଧର୍ମ ତଥା ଧର୍ମୀୟ ଭାବନାର ଅପମିଶ୍ରଣ ସୃଷ୍ଟି ନକରୁ । ସମସ୍ତଙ୍କୁ ମୋର ଅନୁରୋଧ , ଏହା ଉପରେ ରୋକ୍‌ ଲଗାଯାଉ । ସେଭଳି ସିନେମା , ଗୀତ ସବୁକୁ ଲୋକଲୋଚନକୁ ଆସିବାକୁ ଦିଆ ନଯାଉ । ନହେଲେ ସମସ୍ତେ ହିଁ ସେହି ରାସ୍ତା ଆପଣେଇ ନେବେ ଯାହା ଟୁଙ୍ଗୁରୁ ଓ ବର୍ଷାର ପ୍ରେମ କାହାଣୀର ରାସ୍ତା ଥିଲା । ଏ ଘଟଣାର ସତ୍ଯାସତ୍ଯ ପରଖି ଉଭୟଙ୍କୁ ଆଇନତଃ ସଜଝା ମିଳିଲେ ସମାଜର ଉପକାର ହୋଇପାରିବ ବୋଲି ଆଶା ଓ ବିଶ୍ବାସ ।


ଭାଟପଡ଼ା , ନିରାକାରପୁର , କଣାସ , ପୁରୀ

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା