କେଜାଣି କ'ଣ ହେବ
- Get link
- X
- Other Apps
କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
କ'ଣ କହୁଛୁ ? ଏଡ଼େ ଏଡ଼େ ଆଖିରେ ଚାହିଁଛୁ ଯେ.....!! କ'ଣ ମତେ ମାରିବୁ ? ମାର୍ , ମାର୍ ମତେ ; ମାରି ମାରି ମାରିଦେ' ମତେ । ତୋ' ଆତ୍ମା ଶାନ୍ତି ପାଇଯିବ । ବହୁତ ଭଲ ହେବ ମୁଁ ଶିଘ୍ର ଚାଲିଯିବି ଏ ଦୁନିଆରୁ ; ମିଛମାୟା ଜାଲରେ ଆଉ ଛନ୍ଦି ହେବାକୁ ଚାହୁଁନି । ଗଲେ ବି କୁଆଡ଼େ ଯିବି ଯେ.....? ତୋରି ପାଖକୁ ଯିବି , ପୁଣି ତୁ ମତେ କୋଳେଇ ନବୁ । ଧୋ'ରେ ବାଇଆ ଧୋ' କରି ମତେ ଶୁଆଇ ଦେବୁ । ସବୁ ଦୁଃଖ , ବୁ କଷ୍ଟ ମୋର ନିମିଷେ ଉଭାନ ହୋଇଯିବ ତୋ' ହାତର ସ୍ପର୍ଶ ପାଇବା ମାତ୍ରେ । ଅବୁଝାବଣା ମଣିଷଟାକୁ ବୁଝେଇବାକୁ ଯାଇ କେତେ ଜହ୍ନ ତାରାଙ୍କ ମେଳରେ ମତେ ଛିଡ଼ା କରେଇ ଦେବୁ । ନବୁଝିଲେ ମମତାର ମୂଲ ରୂପେ ଶକ୍ତ ଚାପୁଡ଼ାଟାଏ ବସେଇ ଦେବୁ ମୋ' ଗାଲରେ ଆଉ ମୁଁ କଇଁ କଇଁ ହୋଇ କାନ୍ଦିବି ; ପୁଣି ତୁତେ କୋଳେଇ ନେଇ ଗେଲ କରିବୁ । ନେଇ ଯାଆ ମତେ ତୋ' ପାଖକୁ ତୁ । ମୁଁ ତତେ ଚାହେଁ , କେବଳ ତତେ ।
କ'ଣ ହେଲା ? ନିରବ କାହିଁକି ? ଓହୋ ! ଭୋକ ଲାଗୁଛି କି ? ଖାଇବୁ ? କିଏ ଦେବ ଯେ ଖାଇବାକୁ ? ମୁଁ ତ ଏକୁଟିଆ ମଣିଷଟେ , କେତେ କୁଆଡ଼େ ହେବି ? ଘରଠୁ ବାହାର ସବୁଆଡ଼କୁ ହେଲା ବେଳକୁ ମୋର ତ ହାଲିଆ ଟାଇଟ୍ । ମରଦ ଲୋକଟେ ହେଲେ ବି ମାଇପି କାମ - ମରଦ କାମ ସବୁ ତୁଲେଇବି କେମିତି ? ତୁ ତ କେବେ ଏମିତି ମାଗୁନା , ଆଜି କାହିଁକି ଏମିତି ଭୋକିଲା ଆଖିରେ ଚାହିଁଛୁ ? କ'ଣ ହୋଇଛି ତୋର ?
ନିଃଶବ୍ଦ ନିବୁଜ କୋଠରୀରେ ଫୁଲମାଳ ପଡ଼ି କାନ୍ଥରେ ଏକାଠି ଟଙ୍ଗା ଯାଇଥିବା ଫଟୋ ପାଖରେ ଏମିତି କିଛି ଗପି ଚାଲିଥିଲା ଲୁଟୁନା , ବହାଇ ଚାଲିଥିଲା ଧାର ଧାର ଲୁହ ଆଖି ଦୁଇଟିରୁ । ବିଚରା ଆଉ କ'ଣ ବା କରିବ ଯେ.....? ଭାଗ୍ଯ ଯେତେବେଳେ ବଇରୀ ସାଜେ , ମଣିଷ ବା ଆଉ କ'ଣ କରିବ ? ରାତି ପାହିଲେ କାମ, ତୁଲେଇବାକୁ କେହି ନାହିଁ । ଜନ୍ମରୁ କେବଳ ଯନ୍ତ୍ରଣା ହିଁ ସାର , ସମସ୍ତେ ସାତପର ପରି ଯାହା ବାଟରେ ଯିଏ ଚାଲିଗଲେ । ବାପଟା ଗଲା ବାପ ବାଟରେ ଆଉ ଭଉଣୀମାନେ ବି ଯାହା ସଂସାର ଯିଏ ଧରି ଚଳିଲେ । ସାନ ଭଉଣୀର ବାହାଘରର ଛଅ ଦିନଠି ମାଆଟା ବି ପର କରି ଚାଲିଗଲା । ଗଲା ଯେ ଗଲା , ଆଉ ଫେରିଲାନି । ସାହି-ଭାଇ କିଏ ବା ନିଜର ? ଛଅ ମାସ ପରେ ନିଜର ବାହାଘର ଯେ , ସେ ବାହାଘରର ମୂଲ୍ଯ କ'ଣ ? ସମସ୍ତେ ପାଲଟି ଗଲେ ସ୍ବାର୍ଥବାଦୀ । ପୂର୍ବ ପରି ଏକୁଟିଆ ।
ରାତି ପାହିଲେ ମାଆଟାର ଶ୍ରାଦ୍ଧ ଦିବସ ; ପାଖରେ କେହି ନାହିଁ ଟିକେ ହାତ ମାରିଦେବାକୁ । ଉକ୍ତ କଥାର ବଥାରେ ଅଶ୍ରୁପାତ ଲୁଟୁନାର । ସବୁକିଛି ବଖାଣି ବସୁଛି ବାପା-ମାଆଙ୍କ ଫଟୋ ପାଖରେ । ବୋହୂ ଯେ , ଜାଣି ପାରୁନି ଶାଶୁର ଶ୍ରାଦ୍ଧ ବୋଲି । ଝିଅ ପରଗୋତ୍ରୀ ହେଲା ପରେ କୋଉଟା ତା'ର ନିଜ ଘର ବୁଝି ପାରୁନି । ସ୍ବାର୍ଥ ହାସଲ ହୋଇପାରିଲାନି ବୋଲି ଦାଉ ସାଜୁଛନ୍ତି ପରିବାର ତା'ର । ବୋଉ କ'ଣ ମୋର ନିପାଣିଆ ହୋଇ ରହିଯିବ ? ଘରକୁ ବୋହୂଟେ ଆସେ ପିତୃପୁରୁଷଙ୍କୁ ପାଣି ଦେବ ଆଉ କୁଳ ଉଜ୍ଜ୍ୱଳ କରିବ ଓ ବଂଶ ରକ୍ଷା କରିବ । ତେବେ ଏଇ କ'ଣ ତା'ର କର୍ତ୍ତବ୍ଯ !! ତଥାପି ଚେଷ୍ଟା ଜାରି ଶ୍ରାଦ୍ଧ ଦେବ ଯେନତେନ ପ୍ରକାରେଣ । ସାଇ-ଭାଇ ସମସ୍ତେ ତାକୁ ପଚାରୁଛନ୍ତି ବୋହୂ କାଇଁ ? ଶ୍ରାଦ୍ଧ ଦିଆଯିବ କିନ୍ତୁ ବୋହୂ ନାହିଁ ! କି ପ୍ରକାର ଉତ୍ତର ଦେବ ଇଏ ।
ବିଷାଦର ବଳୟରେ ବାନ୍ଧି ହୋଇ ଲୁଟୁନା ଇତଃସ୍ତତ ପ୍ରାୟ ।କ'ଣ କରିବ ଭାବ୍ ପାରୁନି । ଖାଲି ଏ ଶ୍ରାଦ୍ଧଟା ସରୁ , କିଛି ଗୋଟେ ନିଷ୍ପତ୍ତି ସ୍ଥିର କରିବ ବୋଲି ପାଞ୍ଚି ସାରିଛି । କିନ୍ତୁ ମାଆର ଏ ଶ୍ରାଦ୍ଧ କର୍ମ କିପରି ହେବ ଆଉ ପୁତ୍ର କର୍ତ୍ତବ୍ଯ କିପରି ପାଳିବ , କାନ୍ଦି କାନ୍ଦି ଜଣାଇବା ଛଡ଼ା ଆଉ ବା ସେ କ'ଣ କରି ପାରିବ ? ୟା'କୁ ହିଁ କହନ୍ତି ବଧୂ ଆଉ ବନ୍ଧୁ , ଯିଏ ସ୍ବାର୍ଥର ସହରରେ ନବର ତୋଳିଛି । ଯେଉଁପରି ଅବସ୍ଥାରେ ଲୁଟୁନା ଅଛି , ହୁଏତ କିଛି ବି ଘଟି ଯାଇପାରେ ; ଭଗବାନ କରନ୍ତୁ , ଲୁଟୁନା ମନରେ ଭରିଦିଅନ୍ତୁ ଅଦମ୍ଯ ସାହସ । ନଚେତ ବିଷାଦିତ ମାନସରେ ଲୁଟୁନା ବହୁତ କିଛି ମଧ୍ୟ କରିଦେଇପାରେ ।
ବିଷାଦର ବିଷ ବଳୟରେ ଲୁଟୁନାର ପରିଭ୍ରମଣ ବହୁତ କିଛି ଚିନ୍ତା କରିବାକୁ ସମସ୍ତଙ୍କୁ ବାଧ୍ଯ କରିଥାଏ । କେଜାଣି କ'ଣ ହେବ , ଶ୍ରାଦ୍ଧ ପରେ ସମୟ କହିବ ।
ଭାଟପଡ଼ା , ନିରାକାରପୁର , କଣାସ (ପୁରୀ)
୮୯୧୭୪୦୪୩୯୬
- Get link
- X
- Other Apps
Comments
Post a Comment