ଆପେ ଅର୍ଜିଲା କର୍ମମାନ..... ଆଗୁ ହୋଇବ ସାବଧାନ
----------------------------
ଶ୍ରୀ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
------------------------------ -------
ଭାଟପଡ଼ା , ନିରାକାରପୁର , କଣାସ, ପୁରୀ
ଓଡିଆରେ ଏକ ଲୋକବାଣୀ ବହୁ ପୂର୍ବରୁ ପ୍ରଚଳିତ ଅଛି । ତାହା ହେଲା :- "ଆପେ ଅର୍ଜିଲା କର୍ମମାନ..... ଆଗୁ ହୋଇବ ସାବଧାନ ।" ଏହାର ଅର୍ଥ ଏଇଆ ଯେ - ନିଜ ହାତରେ ବା ନିଜେ ଯେଉଁ କର୍ମ କରିବ ଭାବିଚିନ୍ତି ସୁବିଚାର ପୂର୍ବକ କରିଲେ ବିପଦ ବା ନାନାଦି ହଇରାଣ ହରକତରୁ ବର୍ତ୍ତିପାରିବ। ଆଗତ ଭବିଷ୍ଯତର ଚିନ୍ତା କରି କାର୍ଯ୍ୟ କରିଲେ ସମସ୍ଯା ରହିବ ନାହିଁ । ଅତୀତରେ ଅରଜି ଥିବା କର୍ମ କେତେ ମାତ୍ରାରେ ସଫଳ ବା ବିଫଳ, ତା'ର ଫଳାଫଳକୁ ସର୍ବପ୍ରଥମେ ଦୃଷ୍ଟି ନିକ୍ଷେପ କରି ବର୍ତ୍ତମାନର କର୍ମ କରିଚାଲ - ଫଳତଃ ବିପଦମୁକ୍ତ ରହିବ । ବର୍ତ୍ତମାନର କର୍ମ ଭବିଷ୍ଯତରେ କେଉଁ ରୂପ ଧରିବ ତା'ର। ବିଚାର ପୂର୍ବକ ସମସ୍ତ କର୍ମ କରିଥିଲେ ଭବିଷ୍ଯତରେ ଘଟିବାକୁ ଥିବା ବିପଦ ଆଉ ନଘଟି ସଫଳ କରେଇ ପାରିବ । ତେଣୁ ଉତ୍ତମ ବୁଦ୍ଧିମତା ହୋଇ କାର୍ଯ୍ୟ ତୁଲାଇବାରେ କ୍ଷତି କ'ଣ ? ଯେ କୌଣସି ବି କାର୍ଯ୍ୟ କର , ସର୍ବପ୍ରଥମେ ନିଜକୁ ନିଜେ ତର୍ଜମା କରି ମନ କାଗଜରେ ସୂଚୀ ପ୍ରସ୍ତୁତ କର । ତା'ପରେ କାର୍ଯ୍ୟ ପାଇଁ ମନ ବଳାଇ କାର୍ଯ୍ୟ କରିଯିବା ଯଥୋଚିତ । ନଚେତ୍ ବିପଦ ଆମନ୍ତ୍ରଣ ସୁନିଶ୍ଚିତ । ଉଦାହରଣ ସ୍ବରୂପ ଏକ ବାସ୍ତବ ଘଟଣାର କାହାଣୀଟେ କହୁଛି ; ଯାହା ଦ୍ବାରା ବୁଝି ପାରିବେ ବିନା ବିଚାରରେ କରିଥିବା କାର୍ଯ୍ୟ-କଳାପର ଫଳ କେତେ ଭୟଙ୍କର ହୋଇପାରେ ।
ଏକ ଛୋଟିଆ ଗାଁ ଭାଟପଡା । ଘର ମାତ୍ର ଶହେଟି ହେବ ; ପ୍ରାୟ ଏକ ହଜାର ଲୋକର ସମଷ୍ଟି । କିଏ ଚାଷବାସ କରି ଚଳେ ତ ଆଉ କିଏ ବେପାର ବଣିଜ ଓ କେହି କେହି ସରକାରୀ ଚାକିରିଆ ବି ଅଟନ୍ତି । ପ୍ରାୟ ଦୀନଦୁଃଖୀ ପରିବାରଙ୍କ ଗାଁ କହିଲେ କିଛି ଅତ୍ୟୁକ୍ତି ହେବନି । ସେହି ଗ୍ରାମରେ ବାସ କରୁଥିଲେ ଏମିତି ଏକ ଦୀନଦୁଃଖୀ ପରିବାର ବଂଶୀଧର ସ୍ବାଇଁ । ତାଙ୍କର ଚାରିଗୋଟି ପୁତ୍ର ସୁରେନ୍ଦ୍ର , ବ୍ରଜକିଶୋର , ରବିନ୍ଦ୍ର ଓ ରାଜକିଶୋର । ଆର୍ଥିକ ସ୍ବଚ୍ଛଳତା ସେତେ ଉନ୍ନତ ନହେଲେ ବି ଚଳନୀୟ । ସବୁଠୁ ଅନୁନ୍ନତ ଆର୍ଥିକ ସ୍ବଚ୍ଛଳ ଭିତରେ ଥିଲେ ରାଜକିଶୋର । ଚାରି ଭାଇଙ୍କର ଭିନ୍ନ ପରେ ବାପ ବଂଶୀଧର ସ୍ବାଇଁ ଏଇ ସାନ ପୁଅ ରାଜକିଶୋରଙ୍କ ସହ ରହୁଥିଲେ । ରାଜକିଶୋରଙ୍କ ପରିବାର କହିଲେ ବାପା ବଂଶୀଧର , ସ୍ତ୍ରୀ , ଦୁଇଟି ସନ୍ତାନ ଓ ସ୍ବୟଂ ରାଜକିଶୋର । ସନ୍ତାନଙ୍କ ବୟସ ବହୁତ କମ୍ ; ବାଲ୍ଯବସ୍ଥା।
ରାଜକିଶୋର ଥିଲେ ଛୋଟା । ଏକ ରେଳ ଦୁର୍ଘଟଣାର ଶୀକାର ହୋଇ ଗୋଟିଏ ଗୋଡ ହରାଇ ବସିଥିଲେ । ପ୍ଲାଷ୍ଟିକ୍ ଗୋଡ ଲଗାଇ ଓ ଆଶାବାଡି ଧରି ଚଳପ୍ରଚଳ କରୁଥିଲେ । ରୋଜଗାର ପ୍ରାୟ ନାହିଁ । ବାପ ଅର୍ଜିତ ଧନରେ ପରିବାର ଚଳେ । ମାଆ କେବେଠାରୁ ଆରପାରି ଯାତ୍ରା କରିସାରିଛନ୍ତି । ରାଜକିଶୋର କେତେବେଳେ କେମିତି ସରଳ କାମ କରି , କାହାର ମୂଲ ମଜୁରୀ କରି ଯାହା କିଛି ରୋଜଗାର କରେ , ତାହା ନିଜ ଖର୍ଚ୍ଚକୁ ନିଅଣ୍ଟ । ସବୁପ୍ରକାର ବ୍ଯବସାୟ କରି ସବୁଥିରେ ବିଫଳ ରାଜକିଶୋର ନିଜର ଅପାରଗତା ପାଇଁ । ପାନ ଦୋକାନରୁ ଆରମ୍ଭ କରି ସାଇକଲ୍ ରିପ୍ଯାରିଙ୍ଗ୍ ଦୋକାନ , ଗଞ୍ଜେଇ ଓ ମଦ୍ଯ ବେପାର ପର୍ଯ୍ଯନ୍ତ ସବୁକିଛି କରିଛି ; ସବୁଥିରେ ବିଫଳ । ମଦ୍ଯ ସେବନରେ ବି ଧୁରନ୍ଧର । ମିଥ୍ଯା କହିଲେ ତା' ପାଖରେ ଶେଷ । ମଦ୍ଯପାନ କରି କଣ୍ଟାବାଡରେ ଲୁଗା ପକେଇ କଳି କରିବା ତା'ର ଅଭ୍ଯାସ । ଛୋଟ ଛୋଟ ଚୋରୀ ବି ସେ କରିଛି ଆଗରୁ ଯାହା ମୀମାଂସା ସରିଛି ।
ଏକଦିନକର ଘଟଣା କିନ୍ତୁ ସବୁକିଛିର ପରିସମାପ୍ତି କରିଦେଲା , ସବୁ ଘଟଣାର ପୂର୍ଣ୍ଣଚ୍ଛେଦ ଟାଣିଦେଲା । ଚକିତ କରିଦେଲା ଗ୍ରାମ ବାସିନ୍ଦାଙ୍କୁ ଓ ଆଖପାଖର କିଛି ଗ୍ରାମର ତା' ଚିହ୍ନା ଜଣା ଥିବା ଜନତାଙ୍କୁ ; ନିମିଷକେ ପଡିଗଲା ଚହଳ । ଘଟଣାଟି ଘଟିଥିଲା ଅପ୍ରିଲ୍ ମାସ ଦୁଇ ହଜାର ଅଠର ମସିହା ଆଠ ତାରିଖ ଦିନ । ସେଦିନ ଖରାବେଳରେ ମୁଁ ଖାଇ ପିଇ ଶୋଇଥିଲି । ନିଦ ଭାଙ୍ଗିଲା ବେଳକୁ ଦିନ ତିନିଟା ବାଜିଲାଣି । ଆମ ଗାଁର ଜଣକୁ କହିଥିଲି ମୋ କାମକୁ ଆସିବାକୁ । ବାଡି ଦ୍ବାର ମୁଣ୍ଡରେ ଥିବା ନଡିଆ ଗଛଟି ବହୁଦିନ ହେଲା କଟା ହୋଇ ରହିଥିଲା । ନଡିଆ କାଠ ଚିରା ସରି ଜାଳ ବି ସରିଲାଣି । କିନ୍ତୁ ମାଟିରେ ଥିବା ମୂଳ ଗଣ୍ଡିଟି ତଡା ଯାଇ ନଥିଲା । ତେଣୁ ଦିନ ତିନିଟାରେ ଆସି ପହଞ୍ଚିଲା ସେହି ଲୋକ ଯାହାର ନାମ ଅନ୍ତର୍ଯାମୀ ବରାଳ । ତଡାଗଲା ନଡିଆ ମୂଳ । ଭୂଇଁ ପତନ ତଡା ସରିବା ପରେ ମୁଁ ଗଲି ଦୋକାନକୁ ଲୁଣ ପ୍ଯାକେଟ୍ ପାଇଁ । ଅବଶିଷ୍ଟାଂଶରେ ଲୁଣ ମଡେଇ ରଖିଦେଲେ ତାହା ଶିଘ୍ର ମିଳେଇଯିବ ଭାବି ଲୁଣ ପାଇଁ ଯାଇ ଯାହା ଶୁଣିଲି , ମୁଁ ଆଚମ୍ବିତ ହୋଇଗଲି । ପାଦତଳୁ ଖସିଗଲା ମାଟି ।
ଚାଲିଛି ଚର୍ଚ୍ଚା ଜୋର୍ସୋର୍ରେ , ଛୋଟା ରାଜ ସିରିୟସ୍ । ପଚାରି ବୁଝିଲି କ'ଣ ହୋଇଛି , ଉତ୍ତର ଯାହା ଆସିଲା ମୁଁ ସ୍ତବ୍ଧ । ଦେହରେ କିରୋସିନ୍ ଢ଼ାଳି ହୋଇ ନିଆଁ ଲଗେଇ ରାଜକିଶୋର ସଙ୍କଟାପନ୍ନ । ମୁଁ ଭାବିଲି ବୋଧେ ବେଶି କିଛି ହୋଇନି । ଲୁଣ ନେଇ ଘରକୁ ଫେରିଲି । ବାରି ମୁଣ୍ଡରେ ପୁଣି ଯାହା ମତେ ହତୋତ୍ସାହ କରିଦେଲା । କିଛି କହିଲେ ତା' ଅବସ୍ଥା ଯାହା ସେ ଆଉ ନୁହଁ । ଦେଖିବାକୁ ଇଚ୍ଛା ହେଲା ତାକୁ ମୋର । ଚାଲିଗଲି ଦେଖିବାକୁ । ସତକୁ ସତ କାନ ଶୁଣା କଥା ସତ୍ଯ । ତା' ଅବସ୍ଥାକୁ ମୁଁ ନିଜ ଆଖିରେ ଦେଖି ଦେହ ଥରିଗଲା ମୋର । ମୁଣ୍ଡରୁ ପାଦ ପର୍ଯ୍ଯନ୍ତ ଆଉ କିଛି ନାହିଁ କହିଲେ ଚଳେ । ଚମଡା ଉଲୁରି ଧଳା ପଡିଯାଇଛି ସିନା ଶରୀରଟା , ହେଲେ କିରୋସିନ୍ ଢ଼ଳା ନିଆଁରେ ସେ ପାଲଟିଛି ଗୋଟାଏ ଜୀବନ୍ତ ଭୂତ । କଳା ମଚମଚ ଶରୀରକୁ ସ୍ଥାନେ ସ୍ଥାନେ ଚମଡା ଉଲୁରି ଛେତା ପଡିଯାଇଛି । ଅତି ଖରାପ ଲାଗିଲା ମତେ ଏପରି ଦେଖିବା ପରେ । ଚଞ୍ଚଳେ ଚାଲି ଆସିଲି ଘରକୁ , ଆଉ କାମ କରିବାକୁ ଆସିଥିବା ଲୋକକୁ କହିଲି ବୃତ୍ତାନ୍ତ । ସେ ବି ଗଲା ଦେଖିବାକୁ । ତା'ର ବି ମୋ ପରି ଅବସ୍ଥା । ଆସି କହିଲା , ସତରେ ଭାଇନା ଯାହା କହୁଥିଲ ସତ । ମୁଁ କାହିଁକି ଗଲି ଦେଖିବାକୁ ? ଆଜି ରାତିରେ ଆଉ ନିଦ ହବନି । ମୋ ଦେହ ହାତ କ'ଣ ହୋଇଗଲା । ଆଜି ବୋଧେ କିଛି ହୋଇଯିବ ତା'ର । ଘରେ ମଦ୍ଯପାନ କରି କନ୍ଦୋଳ ଭିଆଇ ଆସବାବପତ୍ର ପୋଡିବା ସହିତ ନିଜକୁ ନିଜେ କିରୋସିନ୍ ଢ଼ାଳି ହୋଇ ନିଆଁ ଏମିତି କାଣ୍ଡ କରିଛି । ବିତିଗଲା କିଛି ସମୟ ; ଆସିଗଲା ଆମ୍ବୁଲାନ୍ସ୍ । ନେଇଗଲେ ମେଡିକାଲ ତୁରନ୍ତ । କିନ୍ତୁ ଫଳ ପରିଣତ କାଳରେ । ରାତି ପାହି ଆସିଲା ସକାଳ । ଶୁଣିବାକୁ ମିଳିଲା ମେଡିକାଲ୍ରେ ରାତି ବାରଟାରେ ରାଜକିଶୋରର ମୃତ୍ୟୁ । ସକାଳୁ ସ୍ନାନ କରି ଯିବା ବାଟରେ ଦେଖିଲି ନିଜ ଆଖିରେ ରାଜକିଶୋରର ବାରିପଟେ ଦୟନୀୟ କ୍ରନ୍ଦନର ଦୃଶ୍ଯ । ବୁଝିଗଲି ଘଟଣାଟି ସତ୍ଯ । ଅର୍ଜିତ କର୍ମର ଫଳ କେତେ ଭୟଙ୍କର ତାହା ଜଳଜଳ ଦୃଶ୍ଯମାନ । ତେଣୁ ଏପରି କର୍ମ କର ଯାହା ଭୟଙ୍କର ନହୁଏ । ଏବେ ତା' ପରିବାର ସର୍ବସ୍ବାନ୍ତ ; କର୍ମଫଳ ହେଲା କାଳ । ଜଣଙ୍କ ଦୁଷ୍କର୍ମ ପାଇଁ ପଣେ ବେସାହାରା ।
ph - 8917480536
Comments
Post a Comment