କିଛି ରୋଚ଼କ ତଥ୍ୟ : ବ୍ରହ୍ମ - ବ୍ରହ୍ମାଣ୍ଡ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

        ସମ୍ପାଦକ - ଉଦୟ ଭାନୁ ~~~~~~~~~~~~~~~~~~~


     ପୁରାଣ ପୃଷ୍ଠା କହେ , ଏ ସୃଷ୍ଟିର ନିର୍ମାତା ବ୍ରହ୍ମା ବୋଲି । ବ୍ରହ୍ମାଙ୍କୁ ସୃଷ୍ଟିର ପ୍ରଥମ ବୈଜ୍ଞାନିକ , ବିଦ୍ବାନ ବୋଲି କହିଲେ କିଛି ଅତ୍ଯୁକ୍ତି ହେବନି । ସେ ଏଭଳି ଜ୍ଞାନ କୌଶଳ ପ୍ରୟୋଗ କରି ଏ ସୁନ୍ଦର ସୃଷ୍ଟିକୁ ନିର୍ମାଣ କରିଛନ୍ତି , ଯାହା ଆଜିର ବିଜ୍ଞାନ ଯୁଗରେ ମାନବ ଦ୍ବାରା ଅସମ୍ଭବ ; କାରଣ ମାନବ ହିଁ ନିଜେ ତାଙ୍କ ଦ୍ବାରା ସୃଷ୍ଟି । ଭଗବାନ ବ୍ଯାସଦେବ "ବ୍ରହ୍ମସୂତ୍ର" ଗ୍ରନ୍ଥରେ ପ୍ରଥମ ପ୍ରସଙ୍ଗରେ ଏକ ସୁନ୍ଦର କଥା ବଣ୍ଣନା କରିଛନ୍ତି । ବ୍ରହ୍ମର ଅର୍ଥ ବୁଝାଇବାକୁ ଯାଇ କହିଛନ୍ତି - "ଅଥତୋ ବ୍ରହ୍ମ ଜିଜ୍ଞାସା" ; 'ବ୍ରହ୍ମ'ର ଅର୍ଥ ହେଉଛି ବୃଦ୍ଧତମ , ବୃହତ୍ତମ , ଦୀର୍ଘତମ , ବିଶାଳତମ , ପ୍ରାଚୀନତମ , ସୂକ୍ଷ୍ମତମ ଆଦି ସମସ୍ତ ଚ଼ରମ ଓ ଅନ୍ତିମ ଭାବୋଦ୍ଦୀପକ ତତ୍ତ୍ବ । ସ୍କନ୍ଦ ପୁରାଣୋକ୍ତ ଉତ୍କଳଖଣ୍ଡ ଚ଼ତୁର୍ଥ ଅଧ୍ୟାୟରେ କୁହାଯାଇଛି , 'ତସ୍ମାଦ୍ଦାରୁମୟଂ ବ୍ରହ୍ମ ବେଦାନ୍ତେଷୁ ପ୍ରଗୀୟତେ' ; ବିଭିନ୍ନ ବେଦୋପନିଷଦରେ ବ୍ରହ୍ମଙ୍କ ତତ୍ତ୍ବ ବଣ୍ଣିତ । ପୁରାଣରେ କେବଳ ଲୀଳା ପାଇବେ , କିନ୍ତୁ ତାତ୍ତ୍ୱିକ ରହସ୍ୟ ସବୁ ଉପନିଷଦରୁ ମିଳି ପାରିବ । ଆତ୍ମାଟି ଶରୀର ପରିତ୍ଯାଗ କରିବା ପରେ ଶରୀରଟି ଯେଭଳି ମାଟି , ପାଣି , ପବନ , ଅଗ୍ନି , ଆକାଶ ଦେହରେ ଲୀନ ହୋଇଯାଏ , ସେହିଭଳି ବେଦାନ୍ତ ବିନା ପୁରାଣ ସମୂହର ଅବସ୍ଥା । ପ୍ରାଚୀନ କାଳରେ ସାଧୁ , ତପସ୍ବୀ ତଥା ମୁନିଋଷି ମାନଙ୍କର (ଯିଏ ବ୍ରହ୍ମ ନିର୍ବାଣ ପ୍ରାପ୍ତ) ନିଜ ନିଜର ଅନୁଭୂତିରେ ଲିପିମାଳା ଏଇ ବେଦର ଅନ୍ତିମ ଭାଗ ଜ୍ଞାନ , କାଣ୍ଡ ବା ବେଦାନ୍ତ ଅଟେ , ଯାହା କେବଳ ବ୍ରହ୍ମ ବ୍ଯାଖ୍ଯାନ । 


     ଯେତେ ବେଦ ଅଛି , ସବୁଠୁ ଶ୍ରେଷ୍ଠ ବେଦ ଭାବରେ "ଶ୍ରୀମଦ୍ଭାଗବତ"କୁ ସାର ଗ୍ରନ୍ଥ ଭାବରେ ବିବେଚ଼ନା କରାଯାଇଛି । ସେଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖନିଃସୃତ ବାଣୀ , ହିତୋପଦେଶ ସ୍ଥାନିତ ହୋଇଛି । ପ୍ରଥମ ସ୍କନ୍ଦର ତୃତୀୟ ଅଧ୍ୟାୟ ୩୦ରୁ ୩୩ ଶ୍ଳୋକ ମାନଙ୍କର ମର୍ମ ହେଲା - "ଭଗବାନ ସଦା ଅରୂପ , ତାଙ୍କର କୌଣସି ରୂପରେଖ ନାହିଁ । ଜୀବ ମାନଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଇବା ପାଇଁ ମହତ୍‌ ଆଦି ତତ୍ତ୍ବ ମାନଙ୍କ ସାହାଯ୍ଯରେ ମାୟା ଗୁଣରେ ଅବତାର ରୂପମାନ ଗ୍ରହଣ କରିଥା'ନ୍ତି । ଯେପରି ରୂପହୀନ ଆକାଶ ମେଘାଚ୍ଛନ୍ନ ହୋଇ ମେଘୁଆ ହୁଏ ବା ପବନରେ ଧୂଳିଯୁକ୍ତ ହୋଇ ଧୂଳି ସ୍ବରୂପ ଗ୍ରହଣ କରେ , ସେହିପରି ଅରୂପ ଭଗବାନ ଅଳ୍ପବୁଦ୍ଧି ଲୋକ ମାନଙ୍କ ନେତ୍ରରେ ସ୍ଥୂଳ ରୂପରେ ଦୃଶ୍ୟମାନ ହୁଅନ୍ତି । ଏହା ବ୍ଯତୀତ ଆଉ ଏକ ସୂକ୍ଷ୍ମ ରୂପ ଅଛି , ଯାହା ଦୃଶ୍ୟ ନୁହେଁ କି ଶ୍ରାବ୍ଯ ନୁହେଁ । ସେହି ଅବ୍ଯକ୍ତ ତତ୍ତ୍ବ ଯୋଗୁଁ ଜୀବ ସଂସାରରେ ବାରମ୍ୱାର ଜନ୍ମଲାଭ କରେ । ମନୁଷ୍ଯ ଯେତେବେଳେ ନିଜ ସାଧନା ଲବ୍ଧ ଜ୍ଞାନ ବଳରେ ଏ ସ୍ଥୂଳ ଓ ସୂକ୍ଷ୍ମ ରୂପର ଆତ୍ମା ସଙ୍ଗେ କିଛି ବି ସମ୍ପର୍କ ନାହିଁ ବୋଲି ଅନୁଭବ କରେ ସେତେବେଳେ ତା'ର ପ୍ରକୃତ ଜ୍ଞାନ ଲାଭ ହୁଏ । ଶ୍ବେତାଶ୍ବତର ଉପନିଷଦ କହନ୍ତି - "ନସଂଦୃଶେ ତିଷ୍ଠିତି ରୂପମସ୍ଯ ନ ଚ଼କ୍ଷୁଷା ପଶ୍ଯତି କଶ୍ଚନୈନମ ମନୀଷା ମନସାଭିକ୍ଳୃପ୍ତୋ ରେସ୍ତଦ୍‌ ବିଦୁରମୃତାସ୍ତେ ଭବନ୍ତି" । ଅର୍ଥାତ୍ , ଚ଼କ୍ଷୁରେ ଦେଖିବା ଭଳି ଏହାଙ୍କର ରୂପ ନାହିଁ , କେହି ଏହାକୁ ସ୍ବଚ଼କ୍ଷୁରେ ଦେଖି ପାରନ୍ତି ନାହିଁ । ହୃଦ , ମନ , ଚ଼ିତ୍ତ ତାଙ୍କ ଭିତରେ ଦ୍ରବୀଭୂତ ହେଲେ ସେ ପ୍ରତିଭାତ ହୁଅନ୍ତି ; ଅନୁଭବୀ ହିଁ ଅମୃତ ସ୍ବରୂପ ହୋଇଯାଏ । 


     ସମଗ୍ର ମାନବ ଜାତିର ଆଧ୍ୟାତ୍ମିକ ଚ଼େତନାକୁ ଅତିକ୍ରମ କରୁଥିବା କଥା ଉପନିଷଦରେ ନଚ଼ିକେତାଙ୍କ ପିତା ତାଙ୍କୁ ଯଜ୍ଞ ପରେ ଦାନ ସ୍ବରୂପ ଯମଙ୍କୁ ଦେଇଛନ୍ତି ବୋଲି ପିତାଙ୍କଠୁ ଶୁଣିବା ପରେ ନଚି଼କେତା ସ୍ବୟଂ ଯମପୁରରେ ପ୍ରବେଶି ଯମଙ୍କ ଅନୁପସ୍ଥିତିରେ ତିନି ଦିନ ଦ୍ବାର ପ୍ରଦେଶେ ଅଖିଆ ଅପିଆ ଦଣ୍ଡାୟମାନ ରହିଲେ । ସମସ୍ତ ବୃତ୍ତାନ୍ତ ଜାଣି ଯମ ପହଞ୍ଚି କ୍ଷମା ପ୍ରାର୍ଥନା କରି ତିନୋଟି ବର ପ୍ରଦାନ କରିବାକୁ କହି ବର ଭିକ୍ଷା କରିବାକୁ କହନ୍ତେ ନଚ଼ିକେତା ବର ଭିକ୍ଷା କଲେ । ପ୍ରଥମ ବର ଥିଲା ଯେ ପିତାଙ୍କ ଯଜ୍ଞର ସଫଳତା ଏବଂ ଦ୍ବିତୀୟ ବର ଯଜ୍ଞର ସ୍ବର୍ଗ ପ୍ରାପ୍ତି ପଦ୍ଧତି ; ତୃତୀୟ ବରଟି ବ୍ରହ୍ମଙ୍କ ପରିଚ଼ୟ ଭିକ୍ଷା । କିନ୍ତୁ ଯମ ଏହି ତୃତୀୟ ବରଟିକୁ ପ୍ରତ୍ଯାଖ୍ଯାନ କରି ନଚ଼ିକେତାଙ୍କୁ ସମଗ୍ର ବ୍ରହ୍ମାଣ୍ଡର ସମ୍ରାଟ ହୋଇ ଚ଼ିରକାଳ ରହିବାର ବର ପ୍ରଦାନ କରନ୍ତେ ନଚ଼ିକେତା ଏ ପ୍ରସ୍ତାବକୁ ଖଣ୍ଡନ କରି କେବଳ ବ୍ରହ୍ମ ଜିଜ୍ଞାସାରେ ଅଟଳ ରହିଲେ । ବ୍ରହ୍ମଜ୍ଞାନ ର ଉପଯୁକ୍ତ ପାତ୍ର ମନେକରି ଯମରାଜ ତାଙ୍କୁ ବ୍ରହ୍ମଙ୍କ ପରିଚ଼ୟ ପ୍ରଦାନ କରିଥିଲେ । କହିଥିଲେ - "ଓଁକାର ଅକ୍ଷର ହିଁ ବ୍ରହ୍ମ ଓ ପରମ । ଯିଏ ଏହି ଓଁକାରକୁ ଜାଣିପାରେ , ସେ ଯାହା ଚ଼ାହେଁ ତାହା ପ୍ରାପ୍ତ କରେ । ଶ୍ରେଷ୍ଠ ଏବଂ ପରମ ସ୍ବରୂପ ଓଁକାରଙ୍କୁ ସେ ଅବଲମ୍ବନ କରେ ଓ ତାଙ୍କ ସମ୍ପର୍କରେ ଜ୍ଞାନ ଲାଭ କରେ ; ବ୍ରହ୍ମଲୋକରେ ସେ ମହୀୟାନ ହୋଇଯାଏ ।" ଶ୍ରୀ ଜଗନ୍ନାଥ ଏବଂ ସମ୍ପୂଣ୍ଣ ମାଣ୍ଡୁକ୍ଯ ଉପନିଷଦ ହେଉଛି ଓଁକାର ତତ୍ତ୍ବର ବ୍ଯାଖ୍ଯାନ । ଦ୍ବିତୀୟ ମନ୍ତ୍ର ହେଉଛି - "ସର୍ବଂହି ଏତଦ ବ୍ରହ୍ମ ସୋୟମାତ୍ମା ଚ଼ତୁଷ୍ପାତ" - ଅର୍ଥାତ୍ , ଏ ଅଖିଳ ବ୍ରହ୍ମାଣ୍ଡ ହିଁ ବ୍ରହ୍ମ  , ଏ ଆତ୍ମା ହେଉଛି ବ୍ରହ୍ମ ଏବଂ ଆତ୍ମା ହେଉଛି ଚ଼ାରିପାଦ ବାଲା । 


      ଏହି ଉପନିଷଦର ଅଷ୍ଟମ ମନ୍ତ୍ର - "ସୋୟମାତ୍ମାଧ୍ଯକ୍ଷରମୋଙ୍କାର ଅଧିମାତ୍ର ପାଦାମାତ୍ରା ମାତ୍ରଶ୍ଚ ପାଦା 'ଅ'କାର , 'ଉ'କାର , 'ମ'କାର ଇତି  ।" ଏହାର ଅର୍ଥ - "ଓଁକାର ହେଉଛନ୍ତି ତିନି ମାତ୍ରା ଯଥା :- 'ଅ' , 'ଉ' , 'ମ' । 'ଅ' - ସମସ୍ତ ଜାଗରିତ ବିଶ୍ୱ ବ୍ରହ୍ମାଣ୍ଡ , 'ଉ' - ବିଶ୍ବ ବ୍ରହ୍ମାଣ୍ଡ ସୃଷ୍ଟି ପୂର୍ବରୁ ସ୍ବପ୍ନ ସ୍ବରୂପ ହିରଣ୍ଯ ଗର୍ଭ ରୂପ , 'ମ' - ସୁଷୁପ୍ତି ଅର୍ଥାତ ପରମ ତତ୍ତ୍ବ ମଧ୍ୟକୁ ହିରଣ୍ଯଗର୍ଭଙ୍କ ପ୍ରତ୍ଯାବର୍ତ୍ତନ ଅବସ୍ଥା । ଚ଼ାରିପାଦ ବାଲା ଆତ୍ମାଙ୍କ ଚ଼ତୁର୍ଥ ପାଦ ହେଉଛି ମାତ୍ରା ରହିତ ତୁରୀୟ ତତ୍ତ୍ବ ବ୍ରହ୍ମ ଯାହାର କି ରୂପ , କଳ୍ପ , ଆକାର ପ୍ରକାର ବା କୌଣସି ଚେତନା ବା ଜ୍ଞାନ ସମ୍ପନ୍ନତା କିଛି ନାହିଁ । ଶ୍ରୀଜଗନ୍ନାଥଙ୍କ ଦାରୁ ବିଗ୍ରହରେ ଏ ସର୍ବଲକ୍ଷଣ ରହିଛି ; ସେ ହେଲେ ବେଦାନ୍ତ ତତ୍ତ୍ବର ରୂପାୟନ । ମହୋଦଧିରୁ ଦାରୁ ଉଦ୍ଧାର କରିବା ପରେ କିଭଳି ବିଗ୍ରହ ନିର୍ମାଣ ହେବ ବୋଲି ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ନାରଦ କହିଥିଲେ - "ଭଗବାନଙ୍କ ମୂର୍ତ୍ତିର ଅନ୍ତ ନାହିଁ , ପ୍ରଚ଼େଷ୍ଟା କଲେ ବି ଅଗୋଚ଼ର  ।" ସେତେବେଳେ ଶୂନ୍ଯବାଣୀ ହେଲା - "ଶୂନ୍ଯାୟାଂ ଜଗତମୀଶ ସ୍ବେଚ୍ଛାୟାବତରିଷ୍ଯତି" - ଅର୍ଥାତ ; ସ୍ବେଚ୍ଛାକ ତ ଭାବରେ ଜଗଦୀଶ୍ବର ଶୂନ୍ଯରୁ ଅବତୀଣ୍ଣ ହେବେ । ସ୍ବୟଂ ପରମାତ୍ମା ବୃଦ୍ଧ ମହାରଣା ବେଶ ଧାରଣ ପୂର୍ବକ ଅବତୀଣ୍ଣ ହୋଇ କାର୍ଯ୍ୟରତ ହେଲେ । ତାଙ୍କର ରୂପକଳ୍ପର ଅନ୍ତ ନଥିବାରୁ ପୁରାଣ ତାଙ୍କୁ "ଅନନ୍ତ ମହାରଣା" କହେ । ପୂର୍ବରୁ କୁହାଯାଇଛି ବ୍ରହ୍ମର ଅର୍ଥ "ବୃଦ୍ଧତମ" । ଅନନ୍ତ ମହାରଣା ସେଭଳି ବୃଦ୍ଧ ଥିଲେ ଓ ଜୀଣ୍ଣଶୀଣ୍ଣ ଶରୀର ଧାରଣ କରିଥିଲେ । ମନ୍ଦିର ଗର୍ଭରେ ପନ୍ଦର ଦିନ ପରେ ନିଃଶବ୍ଦତା ଜଣା ପଡ଼ିବାରୁ ଗୁଣ୍ଡିଚ଼ା ତାଙ୍କ ମୃତ୍ୟୁ ଆଶଙ୍କା କରିଥିଲେ  । ଇନ୍ଦ୍ରଦ୍ୟୁମ୍ନଙ୍କ ନିର୍ଦ୍ଦେଶରେ ମନ୍ଦିର ଦ୍ବାର ଉନ୍ମୁକ୍ତ ହେବା ପରେ ଅନନ୍ତ ମହାରଣାଙ୍କ ଅନ୍ତର୍ଦ୍ଧାନ ହୋଇସାରିଥିବାର ଦୃଶ୍ଯ ପୁରାଣରେ ବଣ୍ଣିତ । ମାତ୍ର ବିଗ୍ରହରେ ବ୍ରହ୍ମରନ୍ଧ୍ର ଖୋଲି ତନ୍ମଧ୍ୟରେ ପ୍ରବେଶ କରିଛନ୍ତି ବୋଲି ଐତରେୟ ଉପନିଷଦରେ ମଣିଷ ଶରୀର ରଚ଼ନା ତତ୍ତ୍ବରେ ସୂଚ଼ନା ଅଛି - "ସ ଏତମେବ ସୀମାକଂ ବିଦାଯ୍ଯୈତୟ ଦ୍ବାରା ପ୍ରାପଦ୍ଯତେ ।"


    ସମସ୍ତ ଗ୍ରନ୍ଥରେ ଜଗଦୀଶ୍ବରଙ୍କୁ ଅରୂପ , ଅଣାକାର , ଅନାଦି ଅନନ୍ତ ଓ ଅଣାକାର ବୋଲି ବଣ୍ଣନା କରାଯାଇଛି । ତେବେ ରତ୍ନସିଂହାସନସ୍ଥ ଏ ଦାରୁ ବିଗ୍ରହ କିଏ ଯାହାକୁ ଅନନ୍ତ ମହାରଣା ନିର୍ମାଣ କରିଛନ୍ତି ? ଉତ୍ତରରେ ଆସିବ - "ଓଁକାର ବ୍ରହ୍ମ ସ୍ବରୂପ ; ତିନିପାଦ ମଧ୍ୟୁ ପ୍ରଥମ ପାଦ "ଅ" ଅଟେ । ଯାହା ହେଲା ଜାଗରିତ ସ୍ଥାନ ଦୃଶ୍ଯମାନ ବିଶ୍ୱ ବ୍ରହ୍ମାଣ୍ଡ । ଶ୍ରୀମଦ୍ଭାଗବତର ଅଷ୍ଟମ ସ୍କନ୍ଦରେ ଓଡ଼ିଆ ନବାକ୍ଷରୀ ଛନ୍ଦରେ ଲିଖିତ ଅଛି - "ଗଗନ ସମୀରଣ ଜ୍ଯୋତି , ଯେ' ଅବା ସଲିଳ ଧରିତ୍ରୀ / ନଦୀ ସରିତ ତରୁ ଗଣ , ପର୍ବତ ସ୍ଥାବର ଜଙ୍ଗମ ।/ କୁଣ୍ଡଳ ଶଶୀ ଦିନକର , ନକ୍ଷତ୍ର ମାଳ ହୃଦେ ହାର । / ବ୍ରହ୍ମାଣ୍ଡ ମାଳମାଳ ହୋଇ , ତୋ' ଲୋମ ମୂଳେ ବିରାଜଇ ।/ ନମସ୍ତେ ପ୍ରଭୁ ଜଗନ୍ନାଥ , ତୋର ଶରୀର ଏ ଜଗତ ।" ତେଣୁ ଏ ଦାରୁ ବିଗ୍ରହ ସମଗ୍ର ଦୃଶ୍ଯମାନ ଅନାଦି ଅନନ୍ତ ବିଶ୍ୱ ବ୍ରହ୍ମାଣ୍ଡ । କୁହାଯାଇଛି - "ଉର୍ଦ୍ଧ୍ବମୂଳଂ ଅଧଃଶାଖମଶ୍ଚତଥଂ ପ୍ରାହୁରବ୍ଯାୟମ୍‌"(ଗୀତା - ୧୫:୧) ଅର୍ଥାତ୍‌ - ପରମାତ୍ମାଙ୍କ ଦାରୁ ରୂପ ହେଉଛି ଉର୍ଦ୍ଧ୍ବକୁ ମୂଳ ଓ ନିମ୍ନକୁ ଶାଖା ପ୍ରଶାଖା ସମସ୍ତ । ଏହା ଦ୍ବିତୀୟ ପାଦ ; ତୃତୀୟ ପାଦ ହେଲା - "ମ" । ଏ ଦୁଇ ମାତ୍ରାଙ୍କର ବୋଧଗମ୍ୟତା ବଣ୍ଣନା କରିବା ଏହି ପ୍ରବନ୍ଧରେ ଦୁରୁହ ବ୍ଯାପାର । 


    ତେବେ ତତ୍ତ୍ବଜ୍ଞାନୀ ପୁରୁଷ ଶ୍ରୀ ବିଗ୍ରହଙ୍କୁ ଦର୍ଶନ ବେଳେ ଓଁକାର ସ୍ବରୂପକୁ ଜ୍ଞାନଚ଼କ୍ଷୁରେ ଦେଖି ପାରନ୍ତି । ଆଦି ଶଙ୍କରାଚାର୍ଯ୍ୟ ପ୍ରଥମ ଦର୍ଶନରେ ଗାନ କରିଥିଲେ - "ବିଜ୍ଞାନମୟ ଆତ୍ମା !" ଅର୍ଥାତ୍‌ ଆତ୍ମା (ବ୍ରହ୍ମ) ମଣିଷ ଚ଼କ୍ଷୁ ସମୀପରେ ପଞ୍ଚଭୂତୀୟ ବିଜ୍ଞପ୍ତି । ବ୍ରହ୍ମକୁ ନା ଛୁଇଁ ହେବ , ନା ଦେଖି ହେବ ! କେନ ଉପନିଷଦ କହେ - "ନତତ୍ର ଚ଼କ୍ଷୁର୍ଗଚ୍ଛତି ନ ମନୋ ନ ବିଦ୍ମୋ ନ ବିଦାକିମୋ" ।  ଶ୍ବେତାଶ୍ବତର ଉପନିଷଦରେ ଅଛି - "ତଦ୍‌ ବେଦ ଗୁହ୍ଯ ଉପନିଷତଷ୍ପୁ ଗୁଢ଼ଂ ତଦ୍‌ ବ୍ରହ୍ମା ବେଦତେ ବ୍ରହ୍ମା ଯୋନିଂ" । ବେଦ ମାନଙ୍କର ଗୋପନୀୟ ଗୁଢ଼ତମ ତତ୍ତ୍ବ ଉପନିଷଦ ମାନଙ୍କରେ ଲୁକ୍କାୟିତ । "ସଗୁଣ" ଓ "ନିର୍ଗୁଣ" - ଏ ଦୁଇ ପ୍ରକାରର ବ୍ରହ୍ମ ମଧ୍ୟରୁ "ନିର୍ଗୁଣ" ହେଲେ ନିରାକାର ଓ ଅରୂପ  । ସତ୍ତ୍ବ , ରଜ ଓ ତମ ଗୁଣ ସମାହାରରୁ ସ୍ପଷ୍ଟ ଦୃଶ୍ଯମାନ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ପଞ୍ଚଭୂତୀୟ ପଦାର୍ଥ । ଆକାଶ , ମାଟି , ପାଣି , ପବନ , ପାଷାଣ ଆଦି ସଗୁଣ ବ୍ରହ୍ମ । ଯାହା ଦୃଶ୍ଯମାନ , ସ୍ପର୍ଶଣୁକ୍ତ ସେ ସଗୁଣ । ପ୍ରାଣୀ ଭିତରେ ଆତ୍ମା ଯାହା ଜଗନ୍ନାଥଙ୍କ ମଧ୍ୟେ ବ୍ରହ୍ମ ସେଇଆ । କଳିଯୁଗର ଅଜ୍ଞ ମଣିଷ ମାନେ ବେଦାନ୍ତ ତତ୍ତ୍ବ ଗୁଡ଼ିକୁ ବୁଝି ପାରିବେନି ବୋଲି ଶ୍ବେତାଶ୍ବତର ଉପନିଷଦ ପ୍ରମାଣ ଦିଏ - "ବେଦାନ୍ତେ ପରମଂ ଗୁହ୍ଯଂ ପୁରା କଳ୍ପେ ପ୍ରଚ଼େଦିତମ୍‌ , ନାପ୍ରଶାନ୍ତାୟ ଦାତବ୍ୟଂ ନାପୁତ୍ରାୟାଶିଷ୍ୟାୟ ବା ପୁନଃ ।" ପ୍ରାଚୀନ କାଳର ବେଦାନ୍ତ ଗୋପନୀୟ ତତ୍ତ୍ବ କାମ , କ୍ରୋଧ , ଲୋଭ , ମୋହରୁ ପ୍ରଶାନ୍ତ ହୋଇଥିବା ବ୍ଯକ୍ତି ବା ଯେ' ପୁତ୍ର କି ଶିଷ୍ୟ ନୁହେଁ ତାକୁ ପ୍ରଦାନ କରିବା ଅନୁଚିତ ।


     ବେଦ ପୁରାଣ କହେ ପୃଥିବୀର ପ୍ରଥମ ମଣିଷ ସ୍ବୟମ୍ଭୁ ମନୁ ଓ ପ୍ରଥମ ସ୍ତ୍ରୀ ଥିଲେ ଶତରୂପା । ବାସ୍ତବତା କେତେ ଏଥିରେ କହିବା କଷ୍ଟ ; କିନ୍ତୁ ଏହି ତଥ୍ୟ ଧାର୍ମିକ ଗ୍ରନ୍ଥରୁ ଆଗତ । ବ୍ରହ୍ମା ଯେତେବେଳେ ଏକାଦଶ ପ୍ରଜାତି ଏବଂ ଏକାଦଶ ରୁଦ୍ରଙ୍କ ସଂରଚ଼ନା କରିଥିଲେ ପ୍ରଥମ ଭାଗ ସ୍ବୟମ୍ଭୁ ମନୁ ଓ ଦ୍ବିତୀୟ ଭାଗ ଶତରୂପା ରୂପରେ ପ୍ରକଟ ହୋଇଥିଲା । ପ୍ରଥମ ପୁରୁଷ ମନୁଙ୍କ ଠାରୁ ସୃଷ୍ଟି ହୋଇଥିବାରୁ ପୁରୁଷ ଓ ସ୍ତ୍ରୀଙ୍କୁ ମନୁଷ୍ଯ ବା ମାନବ ଜାତି କୁହାଯାଏ । କୌଣସି ଏକ କାମରେ ବ୍ଯସ୍ତ ଥିବା ବେଳେ ହଠାତ୍‌ ବ୍ରହ୍ମାଙ୍କ ସାମ୍ନାରେ ତାଙ୍କ ଭଳି ଦେଖା ଯାଉଥିବା ଜଣେ ବ୍ଯକ୍ତି ଉତ୍ପନ୍ନ ହୋଇଥିଲେ ; ବ୍ରହ୍ମା ବୁଝି ପାରିନଥିଲେ ଏହାକୁ । କିଛି ସମୟ ପରେ ଜଣା ପଡ଼ିଲା ଯେ ସେ ସଂସାରକୁ ଆସିଥିବା ପ୍ରଥମ ମାନବ । ଏ ତ ଥିଲା ହିନ୍ଦୁ ଧର୍ମ କଥା ; ସେହିପରି ବାଇବଲରୁ ଜଣାପଡ଼େ ଈଶ୍ୱରଙ୍କ ଶରୀରରୁ ଜନ୍ମ ନେଇଥିବା ପ୍ରଥମ ବ୍ୟକ୍ତି "ଆଦାମ" ଥିଲେ । ତେଣୁ ଏଥିରୁ ସ୍ପଷ୍ଟ ଅନୁମେୟ ଯେ , ମାନବ ହିଁ ପୃଥିବୀରେ ଜନ୍ମ ହୋଇଥିବା ପ୍ରଥମ ପ୍ରାଣୀ । ମନୁ ଓ ଶତରୂପା ଦିହେଁ ବ୍ରହ୍ମାଙ୍କ ନିର୍ଦ୍ଦେଶ କ୍ରମେ ପୃଥିବୀରେ ମାନବୀୟ ସଂସାର ଗଢ଼ିଥିଲେ । ଏ ବିଷୟରେ ଅନେକ କାହାଣୀ ଶୁଣିବାକୁ ମିଳେ ପୁରାଣ ଶାସ୍ତ୍ର ମାନଙ୍କରୁ । 


    ସତରେ , ଏ ସୃଷ୍ଟିର ରହସ୍ୟକୁ ଭେଦ କରିବା ସହଜସାଧ୍ୟ ନୁହେଁ । ଜୀବଜଗତ ଅୟମାରମ୍ଭ ପୂର୍ବରୁ ଏ ପୃଥିବୀ କିପରି ଥିଲା ଓ ଧରାପୃଷ୍ଠକୁ ପ୍ରଥମେ କେଉଁ ଜୀବ ଆବିର୍ଭାବ ହୋଇ ଆସୁଥିଲା , ଏପରି ଅନେକ ପ୍ରଶ୍ନ ମାନବ ମନକୁ ଆନ୍ଦୋଳିତ କରି ଆସିଛି । ବୈଜ୍ଞାନିକ ମାନେ ଏହି ତଥ୍ୟ ପାଇବାକୁ ଗବେଷଣା ଜାରି ରଖିଛନ୍ତି । ଅନେକ ରହସ୍ୟ ପଦାକୁ ଆସିଥିବା ବେଳେ ଅନେକ କିଛି ଜାଣିବାକୁ ବାକି ରହିଯାଇଛି । ବୈଜ୍ଞାନିକ ମାନେ ଅନୁସନ୍ଧାନ ଦ୍ବାରା ଜାଣି ପାରିଛନ୍ତି ଯେ , ପ୍ରଥମେ ଏକ ଶୈବାଳର ଜନ୍ମ ହୋଇଥିଲା । ଏ ତଥ୍ୟ ସନ୍ଧାନ ପାଇଥିବା ଦାବି କରିଛନ୍ତି "ଦି ଅଷ୍ଟ୍ରେଲିଆନ ନ୍ଯାସନାଲ ୟୁନିଭରସିଟି (ଏ. ଏନ. ୟୁ)"ର ବିଶେଷଜ୍ଞ ମାନେ । ଅଷ୍ଟ୍ରେଲିଆରୁ ମିଳିଥିବା ଏକ ଏକ ଅବକ୍ଷିପ୍ତ ଶିଳାରୁ ଉକ୍ତ ଶୈବାଳର ବିଲକ୍ଷଣ ସାମ୍ନାକୁ ଆସିଥିବାର ବୈଜ୍ଞାନିକ ମାନେ କହନ୍ତି  । ୬୫୦ ନିୟୁତ ବର୍ଷ ପୂର୍ବେ ଜୀବସତ୍ତାର ଆରମ୍ଭ ଏ ଶୈବାଳ ପ୍ରଜାତିର ଜୀବରୁ ସୃଷ୍ଟି । ଉକ୍ତ ବିଶ୍ବବିଦ୍ୟାଳୟର ଆସୋସିଏଟ ପ୍ରଫେସର ଜୋସେନ ବ୍ରୋକ୍ସଙ୍କ କହିବାନୁଯାୟୀ ସେ ପାଇଥିବା ଶିଳାଖଣ୍ଡକୁ ଭାଙ୍ଗି ଗୁଣ୍ଡ କରିଥିଲେ । ତହିଁରୁ ମିଳିଥିଲା ଉକ୍ତ ଶୈବାଳର ଅଣୁର (ଜୀବାଶ୍ମ) । ଏହାକୁ ନେଇ ଅଧ୍ୟୟନ କରିବା ପରେ ରୋଚ଼କ ତଥ୍ୟ ମିଳିଥିଲା । "ନେଚ଼ର" ଜଣ୍ଣାଲରେ ବିସ୍ତୃତ ବିବରଣୀ ପ୍ରକାଶ ଯେ , ଏହି ଶୈବାଳ ବିକାଶ ପଛରେ ବଡ଼ ଇକୋଲୋଜିକାଲ ବିବର୍ତ୍ତନ ପ୍ରକ୍ରିୟା ଯୋଗୁଁ ସମ୍ଭବ  । ଏହାର ଜନ୍ମ ନ ହୋଇଥିଲେ ମଣିଷ କି ପ୍ରାଣୀର ଅସ୍ତିତ୍ଵ ନଥା'ନ୍ତା । ଏହାର ସୃଷ୍ଟି ପୂର୍ବରୁ (୫୦ ନିୟୁତ ବର୍ଷ ପୂର୍ବରୁ) ପୃଥିବୀ ହିମମଣ୍ଡଳ (ସ୍ନୋ ବଲ୍‌) ସ୍ଥିତିରେ ଥିଲା । ପରେ ବିଶ୍ବତାପନ ଯୋଗୁଁ ତାପମାତ୍ରା ବଢ଼ି ଗ୍ଲେସିୟର ତଥା ହିମଖଣ୍ଡ ପର୍ବତ ସବୁ ତରଳି ସମୁଦ୍ରର ରୂପ ନେଲା ; ଏ ହିମଖଣ୍ଡର ଜଳ ପୁଷ୍ଟିକର ଥିଲା । ଏଥିସହ ସମୁଦ୍ରରେ ମଧ୍ୟ ପୁଷ୍ଟିକର ତତ୍ବ ବୃଦ୍ଧି ପାଇଥିଲା । ଉପଯୁକ୍ତ ତାପମାତ୍ରା ଆଉ ପୁଷ୍ଟିକର ତତ୍ବରୁ ଖାଦ୍ୟର ଶକ୍ତି ମିଳିବା ପରେ ଉକ୍ତ ଶୈବାଳର ବିକାଶ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ଶୈବାଳ ସୃଷ୍ଟି ଶୈବାଳ ଦୃତ ଗତିରେ ବୃଦ୍ଧି ପାଇଲେ । ଏହାର ଠିକ୍‌ ପରେ ପରେ ବ୍ଯାକ୍ଟେରିଆ ସମସ୍ତ ସକ୍ରିୟ ହୋଇ ଉଠିଲେ । ବ୍ରୋକ୍ସଙ୍କ ସାଥି ବୈଜ୍ଞାନିକ ଅମ୍ବର ଜେରଟଙ୍କ କୁହା କଥାନୁସାରେ ଏ ଚ଼ଟାଣ ଗୁଡ଼ିକ ଉପରେ ତାଙ୍କୁ ଛୋଟ ଛୋଟ ଜୀବାଶ୍ମର ସନ୍ଧାନ ମିଳିଥିଲା । 


      ପୃଥିବୀ ହେଉଛି ସୌରମଣ୍ଡଳର ତୃତୀୟ ଗ୍ରହ ; ଯାହା ମାନବ ସମେତ ଲକ୍ଷାଧିକ ଉଦ୍ଭିଦ ଓ ପ୍ରାଣୀ ପ୍ରଜାତିର ଘର । ବ୍ରହ୍ମାଣ୍ଡରେ ଏକମାତ୍ର ଜାଗା ଆମ ପୃଥିବୀ ଯେଉଁଠି ଜୀବନ ଅଛି । ପ୍ରାୟ ୪. ୫ ଅର୍ବୁଦ ବର୍ଷ ପୂର୍ବେ ସୃଷ୍ଟି ପୃଥିବୀର । ପୃଥିବୀର ଜୀବମାନେ ଗ୍ରହକୁ ଅନେକାଂଶରେ ପ୍ରଭାବିତ କରନ୍ତି । ଦୃଷ୍ଟାନ୍ତ ସ୍ବରୂପ , ପୂର୍ବରୁ ଜୀବମାନେ ବାୟୁମଣ୍ଡଳକୁ ପୁରା ପରିବର୍ତ୍ତନ କରିଦେଇଥିଲେ । ସମସ୍ତ ଜୀବର ସମାହାରରେ ଜୀବଜଗତ ଗଠିତ । ପୃଥିବୀର ପ୍ରାୟ ୭୧% ଲବଣାକ୍ତ ମହାସାଗର ; ବର୍ତ୍ତମାନ କେବଳ ଏଇ ପୃଥିବୀରେ ତରଳ ଜଳ ଅଛି ବୋଲି ଜଣା ପଡ଼ିଛି  । ବାକି ୨୯% ହେଉଛି ମହାଦେଶ ଓ ଦ୍ବୀପ । ପୃଥିବୀ ପ୍ରଭାବିତ ହୁଏ ସୂର୍ଯ୍ଯ ଓ ଚ଼ନ୍ଦ୍ର ଦ୍ବାରା । ପୃଥିବୀ ସୂର୍ଯ୍ୟକୁ ପ୍ରାୟ ୩୬୫. ୨୫ ଦିନରେ ପରିକ୍ରମା କରିଥାଏ । ପୃଥିବୀର ଗୋଟିଏ ଆବର୍ତ୍ତନକୁ ଗୋଟିଏ ଦିନ ଓ ଗୋଟିଏ ପରିକ୍ରମଣକୁ ଗୋଟିଏ ବର୍ଷ କହନ୍ତି ; ସେଲାଗି ବର୍ଷକ ୩୬୫ ଦିନ । ଏହାର ଏକମାତ୍ର ଉପଗ୍ରହ ଚ଼ନ୍ଦ୍ର । ସୂର୍ଯ୍ୟକୁ ସୃଷ୍ଟି କରିଥିବା ନିହାରିକାର ବଳକା ଗ୍ଯାସ୍‌ରୁ ପ୍ରାୟ ୪. ୬ ଅର୍ବୁଦ ବର୍ଷ ପୂର୍ବେ ଗ୍ରହ ମାନଙ୍କର ସୃଷ୍ଟି । ଚ଼ନ୍ଦ୍ର ସମ୍ଭବତଃ ପୃଥିବୀ ସହ ଅନ୍ୟ ଏକ ଛୋଟ ଗ୍ରହର ସଂଙ୍ଘର୍ଷରୁ ସୃଷ୍ଟି । ଉଭୟ ଗ୍ରହର ଭଗ୍ନାଂଶରୁ ଚ଼ନ୍ଦ୍ରର ସୃଷ୍ଟି ବୋଲି ବିଜ୍ଞାନୀ ମତ ଦିଅନ୍ତି  । ଧୂମକେତୁ , ଗ୍ରହାଣୁ ମାନଙ୍କ ଆଘାତ ଓ ଜଳ ଘନୀଭୂତ ହେତୁ ମହାସାଗର ଉତ୍ପତ୍ତି ; ପୃଥିବୀ ସୃଷ୍ଟିର ୧ ଅର୍ବୁଦ ବର୍ଷ ପରେ ଅର୍ଥାତ୍‌ ପ୍ରାୟ ୩. ୬ ଅର୍ବୁଦ ବର୍ଷ ପୂର୍ବେ ପ୍ରଥମ ଜୀବର ସୃଷ୍ଟି । କିଛି ବୀଜାଣୁ ସୂର୍ଯ୍ୟରଶ୍ମି ଓ ଜଳରୁ ଆଲୋକଶ୍ଲେଷଣ ମାଧ୍ୟମେ ଖାଦ୍ଯ ତିଆରି କଲେ ; ଏ ପ୍ରକ୍ରିୟାରେ ନିର୍ଗତ ପ୍ରଚୁର ଅମ୍ଳଜାନରୁ କିଛି ଲୌହ ଶୋଷି ନେଲା ଏବଂ ବଳକା ଅମ୍ଳଜାନ ବାୟୁମଣ୍ଡଳ ତିଆରି କରି ଜୀବଜଗତ ପାଇଁ ଉପଯୁକ୍ତ ସ୍ଥାନ ତିଆରି କଲା । ସୂର୍ଯ୍ୟର ଅତିବାଇଗଣୀ ରଶ୍ମିରୁ ରକ୍ଷା କରୁଥିବା ଓଜୋନ୍‌ ସ୍ତର ମଧ୍ୟ ଏ ଅମ୍ଳଜାନରୁ ପ୍ରସ୍ତୁତ । ଏହି ସୁରକ୍ଷା ପାଇଁ ଜୀବନ ଅତଳ ମହାସାଗରରୁ ଭୂପୃଷ୍ଠକୁ ଆସିଲା । ପୂର୍ବେ ସ୍ଥଳଭାଗ ଗୋଟିଏ ସ୍ଥାନରେ ଥିଲା , ଯାହାକୁ ବୃହତ ମହାଦେଶ କୁହାଯାଏ । ଏହି ମହାଦେଶକୁ ରୋଡ଼ିନା କହନ୍ତି । ବିଜ୍ଞାନୀଙ୍କ ବିଶ୍ବାସନୁଯାୟୀ ପୃଥିବୀ ବରଫର ମୋଟା ଆସ୍ତରଣରେ ଆଚ୍ଛାଦିତ ଥିଲା , ଏହାକୁ କହନ୍ତି ପୃଥିବୀର ବରଫ ପେଣ୍ଡୁ ତତ୍ତ୍ବ । 


       ପୃଥିବୀର ଆକୃତି କମଳା ଲେମ୍ବୁ ପରି ଆଂଶିକ ଚ଼େପଟା । ଏହାର ମଝି ଅଂଶ ସାମାନ୍ୟ ସ୍ପୀତ ଓ ଏହାର ପରିଧି ୪୦,୦୦୦ କି.ମି । ସମୁଦ୍ର ପତ୍ତନ ଠାରୁ ୮୮୪୮ ମିଟର ଉଚ୍ଚରେ ଥିବା ଏଭରେଷ୍ଟ ଗିରିଶୃଙ୍ଗ ହେଉଛି ପୃଥିବୀର ଉଚ୍ଚତମ ସ୍ଥାନ । ମାରିଆନା ଟ୍ରେଞ୍ଚର ୧୦,୯୧୧ ମିଟର ଗଭୀରତା ହେଊଛି ପୃଥିବୀର ନିମ୍ନତମ ସ୍ଥାନ । ବିଷୁବ ଅଞ୍ଚଳରେ ସ୍ପୀତ ହେତୁ ଇକ୍ବେଡ଼ର୍‌ର ଚ଼ିମ୍ବୋରାଜୋ ଶୃଙ୍ଗ ହେଲା ପୃଥିବୀର କେନ୍ଦ୍ର ଠାରୁ ଦୂରତମ ସ୍ଥାନ । ଏହାର ଆଭ୍ଯନ୍ତରୀଣ ଗଠନ ଅନ୍ୟ କଠିନ ଗ୍ରହ ପରି । ଏହାର ବାହ୍ୟ କଠିନ ସ୍ତରକୁ ଭୂତ୍ବକ କହନ୍ତି । ସମସ୍ତ ଜୀବ ଭୂତ୍ବକ ଉପରେ ବାସ କରନ୍ତି । ଏହା ତଳେ ଏକ ପତଳା ଅର୍ଦ୍ଧତରଳ ସ୍ତର ଓ ଶେଷରେ କଠିନ ଲୌହ ଆଭ୍ଯନ୍ତରୀଣ କେନ୍ଦ୍ର ଥାଏ ; ଏହାର ମୋଟେଇ ପରିବର୍ତ୍ତନଶୀଳ । ସ୍ଥଳଭାଗରେ ଏହା ୩୦ରୁ ୫୦ କି.ମି ମୋଟା ଥିବା ବେଳେ ମହାସାଗର ତଳେ କେତେକ ଜାଗାରେ ୬ କି.ମି ମୋଟା ଥାଏ । ଏହା ଏକମାତ୍ର ଗ୍ରହ ଯେଉଁଠି ସକ୍ରିୟ ଭୂଚ଼ଳନ ସ୍ତର ଥାଏ ; ଭୂତ୍ବକ ଭାସୁଥାଏ ତଳେ ଥିବା ତରଳ ଶିଳାସ୍ତର ଉପରେ । ଭୂତ୍ବକ କେତେକ ଅଂଶ ବା ସ୍ତରରେ ବିଭକ୍ତ ; ସ୍ତରମାନେ ଗତି କଲା ବେଳେ ପରସ୍ପର ପ୍ରଭାବ ହେତୁ ଭୂକମ୍ପ , ଆଗ୍ନେୟଗିରି , ପର୍ବତଶ୍ରେଣୀ ଆଦି ତିଆରି ହୋଇଥାଏ । ସ୍ତର ମାନଙ୍କର ମିଳନ ସ୍ଥଳରେ ସୀମାରେଖା "ନିର୍ମାଣ , ବିନାଶ ଓ ପରିବର୍ତ୍ତନ" ନାମରେ ତିନି ପ୍ରକାରର ଥାଏ । ଦୁଇଟି ସ୍ତର ପରସ୍ପରଠୁ ଦୂରେଇ ଫାଟ ସୃଷ୍ଟି କରିବା ଦ୍ୱାରା ଆଗ୍ନେୟଗିରି ସୃଷ୍ଟି ହୋଇ ତରଳ ମାଗ୍ମାବସ୍ଥାକୁ ଆସେ ; ଏପରି ସୀମାରେଖା ଗଭୀର ସମୁଦ୍ର , ସମୁଦ୍ରତଳ , ଆଗ୍ନେୟଗିରି ଆଦି ସୃଷ୍ଟି କରନ୍ତି । ସମୁଦ୍ର ବନ୍ଧକୁ ଉଦାହରଣରେ ନିଆଯାଇପାରେ । 


      ବିନାଶକାରୀ ସୀମାରେଖା ପରସ୍ପର ନିକଟବର୍ତ୍ତୀ ହୁଅନ୍ତି ; ଏହା ଦ୍ବୀପ , ଆଗ୍ନେୟଗିରି ଓ ଉଚ୍ଚ ପର୍ବତଶ୍ରେଣୀ ନିର୍ମାଣ କରେ । ଉଦାହରଣ ସ୍ୱରୂପ ହିମାଳୟ , ଆଣ୍ଡିସ୍‌ ଅଟେ । ପରିବର୍ତ୍ତନଶୀଳ ସୀମାରେଖା ପରସ୍ପର ସମାନ୍ତରାଳ ଭାବରେ ଗତି କରିବା ବେଳେ ଉଭୟ ସ୍ତରର ଘର୍ଷଣ ମଧ୍ୟ ହୁଏ । ଏହାଦ୍ୱାରା ସୃଷ୍ଟି ହୁଏ ଭୂକମ୍ପନ ; ଉଦାହରଣରେ ସାନ୍‌ ଆଣ୍ଡ୍ରିଆସ୍‌ ଫଲ୍‌ଟ୍‌ । ପୃଥିବୀର ୩୦% ସ୍ଥଳଭାଗ ଜଙ୍ଗଲ , ମରୁଭୂମି , ସମତଳ ପର୍ବତ ଓ ମାଳଭୂମିକୁ ନେଇ ଗଠିତ  । ମାନବ ସଭ୍ୟତା କିନ୍ତୁ ସହରୀକରଣର ମାୟାରେ ମୋହିତ । ଭୂପୃଷ୍ଠକୁ ପରିବର୍ତ୍ତନ କରିବାକୁ ଅନେକ କାରକ ମାନଙ୍କ ମଧ୍ୟେ ମୁଖ୍ୟ କାରକ ହେଲା ଭୂଚ଼ଳନ ; ଅନ୍ୟ କାରକ ପବନ , ଜଳ , ସାଗର ଦ୍ୱାରା ମୃତ୍ତିକା କ୍ଷୟ , ଗ୍ରହାଣୁ ସଂଙ୍ଘାତ ଆଦି । ଆଗ୍ନେୟ , ସ୍ତରୀଭୂତ ଓ ରୂପାନ୍ତରିତ ନାମରେ ତିନି ପ୍ରକାରର ଶିଳାକୁ ନେଇ ପୃଥିବୀ ପୃଷ୍ଠ ଗଠିତ । ଭୂଗର୍ଭର ମାଗ୍ମା ବା ଲାଭା ଭୂପୃଷ୍ଠରେ ଥଣ୍ଡା ହେଲେ ଆଗ୍ନେୟ ଶିଳା ତିଆରି ହୁଏ ; ଥଣ୍ଡା ହୋଇଗଲେ ଶିଳା ରୂପ ଧରେ । ବାଲି ଓ କ୍ଷୁଦ୍ର ଶିଳା ଚ଼ାପି ହୋଇ ସ୍ତରୀଭୂତ ଶିଳା ଗଢ଼ା ହୁଏ । ଅନ୍ଯ ଦୁଇ ପ୍ରକାରର ଶିଳା ଚ଼ାପ ଓ ତାପ ପ୍ରଭାବରେ ପରିବର୍ତ୍ତିତ ହୋଇ ରୂପାନ୍ତରିତ ଶିଳା ତିଆରି କରନ୍ତି । ପୃଥିବୀରେ ପ୍ରାୟ ୯୭.୫% ଲବଣାକ୍ତ ଜଳ । ମଧୁର ଜଳର ଅଧା ଏବେ ବରଫାକାରରେ । ମହାସାଗର ଅଙ୍ଗାରକାମ୍ଳ ଶୋଷି ନେଇ ସବୁଜ କୋଠରୀ ପ୍ରଭାବ ଓ ବିଶ୍ବତାପନରେ ସାହାଯ୍ଯ କରେ । 


     ଗ୍ରହର ଚ଼ାରିପାଖେ ଥିବା ବାୟୁକୁ ବାୟୁମଣ୍ଡଳ କହନ୍ତି  । ଏହାକୁ ମାଧ୍ୟାକର୍ଷଣ ଶକ୍ତି ଧରି ରଖେ । ଏହାର ବାୟୁମଣ୍ଡଳ ୭୮% ଯବକ୍ଷାରଜାନ , ୨୧% ଅମ୍ଳଜାନ ଓ ଅନ୍ଯ ଗ୍ଯାସ୍‌କୁ ନେଇ ଗଠିତ । ଗ୍ଯାସ୍‌ ମାନଙ୍କର ମିଶ୍ରଣ ହେଉଛି ବାୟୁ । ବାୟୁମଣ୍ଡଳର ଓଜୋନ ସ୍ତରରେ ଓଜୋନ ଗ୍ଯାସ୍‌ ରହିଛି ଯାହା ଅତିବାଇଗଣୀ ରଶ୍ମିକୁ ଶୋଷିନିଏ । ଉଲ୍କା ଓ କ୍ଷୁଦ୍ର ଗ୍ରହାଣୁ ସଂଙ୍ଘାତରୁ ମଧ୍ୟ ବାୟୁମଣ୍ଡଳ ପୃଥିବୀକୁ ରକ୍ଷା କରେ । କାରଣ ବାୟୁମଣ୍ଡଳରେ ଘଷି ହୋଇ ଏଗୁଡ଼ିକ ପୋଡ଼ି ଯାଆନ୍ତି । ପୃଥିବୀକୁ ଉଷ୍ମ ରଖେ ବାୟୁମଣ୍ଡଳ । ଏହାକୁ ବିଶ୍ବତାପନ କହନ୍ତି । ଉତ୍ତପ୍ତ ବାୟୁ ଉପରକୁ ଉଠି ଧିରେ ଧିରେ ଥଣ୍ଡା ହୋଇ ତଳକୁ ଖସେ । ଏହାକୁ ପରିଚ଼ଳନ ସ୍ରୋତ କହନ୍ତି । ଉତ୍ତପ୍ତ ଓ ଶୀତଳ ବାୟୁ ପ୍ରଭାବରେ ପାଣିପାଗର ପରିବର୍ତ୍ତନ ହୁଏ । ଜଳସ୍ତର ଉତ୍ତପ୍ତ ହୋଇ ବାଷ୍ପୀଭୂତ ହୋଇ ଜଳୀୟବାଷ୍ପରେ ପରିଣତ ହୁଏ ; ଏହା ବାୟୁମଣ୍ଡଳର ଉପରକୁ ଗତି କରେ ଓ ଉପରେ ଧିରେ ଧିରେ ଥଣ୍ଡା ହୁଏ । ଯଥେଷ୍ଟ ଥଣ୍ଡା ହେବା ପରେ ଜଳ ହୋଇ ତଳକୁ ଖସିଲେ ବର୍ଷା ହେଲା ବୋଲି କୁହାଯାଏ । 


    ସୂର୍ଯ୍ୟ ଓ ଏହା ଅନ୍ତର୍ଗତ ଆଠଟି ଗ୍ରହ , ନକ୍ଷତ୍ର , ଗ୍ରହାଣୁପୁଞ୍ଜାଦିଙ୍କୁ ଘେନି ସୌରଜଗତ ଗଠିତ । ବୁଧ , ଶୁକ୍ର , ପୃଥିବୀ , ମଙ୍ଗଳ , ବୃହସ୍ପତି , ଶନି , ୟୁରେନସ୍‌  ଓ ନେପଚୁନ୍‌ ଅଣ୍ଡାକାର ପଥରେ ସୂର୍ଯ୍ୟଙ୍କୁ ପରିକ୍ରମଣ କରନ୍ତି  । ପ୍ଲୁଟୋକୁ ଆଗରୁ ଗ୍ରହ କୁହାଯାଉଥିଲା ; ଏବେ ତାକୁ ଗ୍ରହ ତାଲିକାରୁ ବାଦ ଦେଇ ବାମନ ଗ୍ରହର ଆଖ୍ୟା ଦିଆଯାଇଛି । ସୂର୍ଯ୍ୟଙ୍କ ନିକଟତମ ବୁଧ , ଶୁକ୍ର , ପୃଥିବୀ ଓ ମଙ୍ଗଳ ଗ୍ରହ ଚ଼ାରୋଟି କଠିନ ; କିନ୍ତୁ ଦୂରବର୍ତ୍ତୀ ଚ଼ାରିଟା ଗ୍ରହ ଗ୍ଯାସୀୟ ପିଣ୍ଡ  । ବରଫ ଗ୍ରହ ଭାବରେ ୟୁରେନସ୍‌ ଓ ନେପଚୁନ୍‌ ଅଛନ୍ତି ।


           ମାନବ ଇତିହାସର ଅଧିକାଂଶ ସମୟ ପୃଥିବୀକୁ ବ୍ରହ୍ମାଣ୍ଡର କେନ୍ଦ୍ର ଭାବେ ବିବେଚ଼ିତ କରାଯାଇଛି । ପୂର୍ବେ ସାଧାରଣ ମଣିଷ ମାନେ ସୂର୍ଯ୍ୟ , ଚ଼ନ୍ଦ୍ର ଓ ତାରା ମାନଙ୍କୁ ପୃଥିବୀ ଚ଼ାରିପାଖରେ ଘୂରୁଥିବାର ଦେଖି ଏପରି ଅନୁମାନ କରିବା କିଛି ବିଚ଼ିତ୍ର ନଥିଲା । ମଧ୍ୟଯୁଗରେ ପ୍ରମାଣିତ ହେଲା ଯେ ପୃଥିବୀ ବ୍ରହ୍ମାଣ୍ଡର କେନ୍ଦ୍ରରେ ନାହିଁ ; ଅନ୍ୟ ଗ୍ରହଙ୍କ ପରି ସୂର୍ଯ୍ୟଙ୍କୁ ପରିକ୍ରମଣ କରୁଛି । ଏଥିରେ ନିକୋଲାସ , କେପ୍ଲର , ଆଇଜାକ୍ ନ୍ଯୁଟନ୍ , କୋପରନିକସ , ଗାଲେଲି , ଗାଲିଲିଓ , ୟୋହାନସ୍‌ଙ୍କ ପରି ବୈଜ୍ଞାନିକଙ୍କ ଅବଦାନ ସ୍ମରଣୀୟ । ଆମ ସୌରମଣ୍ଡଳ ଦୁଇ ଭାଗରେ ବିଭକ୍ତ - ଆଭ୍ଯନ୍ତରୀଣ ଓ ବାହ୍ଯମଣ୍ଡଳ । ଆଭ୍ଯନ୍ତରୀଣ ସୌରମଣ୍ଡଳର ଗ୍ରହ ସବୁ କଠିନ , ଅଧିକାଂଶ ଧାତବ ଏବଂ ବାୟୁମଣ୍ଡଳ ଧାରଣ କରନ୍ତି । ବାୟୁମଣ୍ଡଳର ଉପସ୍ଥିତି ଯୋଗୁଁ ପାଣିପାଗ ସୃଷ୍ଟି ହେବା ସ୍ବାଭାବିକ  । କଠିନ ଭୂତ୍ବକ ଯୋଗୁଁ ଭୂତ୍ବକ ଚ଼ଳନ ଓ ଆଗ୍ନେୟ ଉଦ୍ଗୀରଣ ଏହି ଗ୍ରହ ମାନଙ୍କର ଦେଖାଯାଏ । ଆଭ୍ଯନ୍ତରୀଣ ଗ୍ରହ ମାନଙ୍କର ବଳୟ ନାହିଁ  । 


    ସୂର୍ଯ୍ୟଙ୍କ ନିକଟତମ ଓ ସୌରମଣ୍ଡଳର କ୍ଷୁଦ୍ରତମ ଗ୍ରହ ବୁଧର କୌଣସି ପ୍ରାକୃତିକ ଉପଗ୍ରହ ନାହିଁ  । ଏହାର ବାୟୁମଣ୍ଡଳ ଅତି ପତଳା ଓ ଏହାର ବସ୍ତୁତ୍ବ ପୃଥିବୀର ୦.୦୫୫ ଭାଗ ଥିବା ବେଳେ ଦ୍ବିତୀୟ ଗ୍ରହ ଶୁକ୍ରର ବସ୍ତୁତ୍ବ ପୃଥିବୀର ୦.୮୧୫ ଭାଗ ଏବଂ ବାୟୁମଣ୍ଡଳ ପୃଥିବୀର ୯୦ ଗୁଣା ଅଟେ ; ଏହାର ବି କୌଣସି ପ୍ରାକୃତିକ ଉପଗ୍ରହ ନାହିଁ  । ଶୁକ୍ର ଗ୍ରହ ସୌରମଣ୍ଡଳର ସବୁଠୁ ଉତ୍ତପ୍ତ ଗ୍ରହ । ଏହାର ପୃଷ୍ଠ ତାପମାତ୍ରା ପ୍ରାୟ ୪୦୦° ସେଲସିୟସ । ଶୁକ୍ରର ଆଗ୍ନେୟ ଉଦ୍ଗୀରଣରୁ ନିର୍ଗତ ସବୁଜ କୋଠରୀ ଗ୍ଯାସ୍‌ ମାନଙ୍କ ଯୋଗୁଁ ଏହାର ଏପରି ସ୍ଥିତି ବୋଲି ଜଣାଯାଏ । ପୃଥିବୀର କିନ୍ତୁ ଏକମାତ୍ର ପ୍ରାକୃତିକ ଉପଗ୍ରହ ଚ଼ନ୍ଦ୍ର ଓ ସହସ୍ରାଧିକ କୃତ୍ରିମ ଉପଗ୍ରହ ଅଛନ୍ତି । ମଙ୍ଗଳ ଓ ଅନ୍ଯ ସୌରଜଗତର ଗ୍ରହଙ୍କ ଅପେକ୍ଷା ଅନେକାଂଶ ପୃଥିବୀ ପରି ; ଏହାର ବସ୍ତୁତ୍ବ କିନ୍ତୁ ପୃଥିବୀର ୦.୧୦୭ ଭାଗ ଓ ଏହାର ବାୟୁମଣ୍ଡଳ ପୃଥିବୀର ୦.୬% ଅଟେ । ମଙ୍ଗଳରେ ଥିବା ଲୌହ ଅକ୍ସାଇଡ୍ ପାଇଁ ଏହା ଲାଲ୍‌ ଦିଶେ ; ଏହାର ଦୁଇଟି ଛୋଟ ଛୋଟ ପ୍ରାକୃତିକ ଉପଗ୍ରହ ରହିଛି । ଆଭ୍ୟନ୍ତରୀଣ ସୌରମଣ୍ଡଳର ଶେଷରେ ଗ୍ରହାଣୁ ମାନେ ସୂରଙ୍କୁ ପରିକ୍ରମା କରିଥା'ନ୍ତି । 


     ଦାନବ ଗ୍ରହ ଭାବରେ ସୂର୍ଯ୍ୟଠୁ ଦୂରରେ ଥିବା ବାହ୍ଯ ସୌରମଣ୍ଡଳ ଅନ୍ତର୍ଗତ ଚ଼ାରିଟି ଗ୍ରହ ବୃହସ୍ପତି , ଶନି , ୟୁରେନସ୍‌ ଓ ନେପଚୁନ୍‌ ପରିଚି଼ତ । ବୃହସ୍ପତି ଓ ଶନି ମୁଖ୍ଯତଃ ଗ୍ଯାସୀୟ ହୋଇଥିବା ବେଳେ ୟୁରେନସ୍‌ ଓ ନେପଚୁନ୍‌ ଅତି ଥଣ୍ଡା ଓ ବରଫାବୃତ ଅଟନ୍ତି । ଏ ସମସ୍ତ ଗ୍ରହର ବଳୟ ଅଛି । ଶନିର ବଳୟ ସୁଦୃଶ୍ୟ କିନ୍ତୁ । ସୂର୍ଯ୍ୟଙ୍କୁ ପରିକ୍ରମା କରୁଥିବାରୁ ସମସ୍ତ ବସ୍ତୁତ୍ବର ୯୯% ଚ଼ାରିଟା ଗ୍ରହ ଧାରଣ କରନ୍ତି । ବୃହସ୍ପତିଟି ଉଦ୍‌ଜାନ ଓ ହିଲିୟମ୍‌ରେ ଗଠିତ ; ଏହା ସୌରଜଗତର ସବୁଠୁ ବଡ଼ ଗ୍ରହ । ଏହି ଗ୍ରହ ପୃଥିବୀର ୩୧୮ ଗୁଣା ; ଏହାର ଜଣାଥିବା ପ୍ରାକୃତିକ ଉପଗ୍ରହ ୬୭ଟି । ଏ ଗ୍ରହ ପୃଷ୍ଠରେ ଅନେକ ଝଡ଼ ଚ଼ାଲୁଥିବାର ଦେଖାଯାଏ ; ଏହାର ବିଶାଳ ଲୋହିତ ଝଡ଼ ପୃଥିବୀ ଆକାରର ପ୍ରାୟ ତିନି ଗୁଣା ବଡ଼ । 


     ଶନିର ବଳୟ ବୃହତ ଅଟେ ଓ ଏହାର ବରଫାବୃତ ପ୍ରାକୃତିକ ଉପଗ୍ରହ ସଂଖ୍ଯା ୬୨ । ତା'ଛଡ଼ା ଶନି ବଳୟ ଗଠନ କରୁଥିବା ବରଫ ଓ ପଥର ଖଣ୍ଡ ଗୁଡ଼ିକୁ ଶନିର ଅତି କ୍ଷୁଦ୍ର ଉପଗ୍ରହ କୁହାଯାଇପାରେ । ପୃଥିବୀ ବସ୍ତୁତ୍ବର ୯୫ ଗୁଣା ହେଲେ ସୁଦ୍ଧା ଶନି ଜଳ ଠାରୁ ମଧ୍ୟ କମ୍‌ ସାନ୍ଦ୍ର । ବାହ୍ଯ ଗ୍ରହ ମାନଙ୍କ ମଧ୍ୟରେ ସବୁଠୁ ଛୋଟ ଗ୍ରହ ୟୁରେନସ୍‌ ; ଏହାର ବସ୍ତୁତ୍ବ ପୃଥିବୀର ୧୪ ଗୁଣା ଅଟେ । ଗ୍ରହର ପୃଷ୍ଠତଳ ମୁଖ୍ୟତଃ ବରଫ ଆବୃତ  ଓ ଏହାର ଉପଗ୍ରହ ସଂଖ୍ଯା ୨୭ ବୋଲି ଜଣାପଡେ । ନେପଚୁନ୍‌ ଗ୍ରହ ପୃଥିବୀ ବସ୍ତୁତ୍ବର ୧୭ ଗୁଣା ଓ ଏହାର ୧୪ଟି ଉପଗ୍ରହ ଥିବାର ଜଣାଯାଏ । ସୌରଜଗତର ଧୂମକେତୁ ସମସ୍ତ ଛୋଟ ଓ ବରଫାବୃତ । ଏମାନଙ୍କ ପରିକ୍ରମଣ ପଥ ବେଶି ଚ଼େପଟା ଯେପରି ସର୍ବାଧିକ ଦୂରତା ପ୍ଲୁଟୋ ବାହାରେ , ଆଉ ସର୍ବନିମ୍ନ ଦୂରତା ଆଭ୍ଯନ୍ତରୀଣ ସୌରମଣ୍ଡଳରେ ଥାଏ । ଧୂମକେତୁ ଆଭ୍ଯନ୍ତରୀଣ ସୌରମଣ୍ଡଳରେ ପ୍ରବେଶ କଲେ ସୌରତାପ ହେତୁ ଘନୀଭୂତ ବରଫ ବାଷ୍ପ ହୋଇ ସୁଦୃଶ୍ୟ ଲାଞ୍ଜ ତିଆରି କରୁଥିବାରୁ ଏମାନଙ୍କୁ ଲଞ୍ଜାତାରା କୁହାଯାଇଥାଏ । ସୌରମଣ୍ଡଳରେ ଅତିରିକ୍ତ ତିନୋଟି ବାମନ ଗ୍ରହ ସୀରୀସ୍‌ , ପ୍ଲୁଟୋ , ଏରୀସ୍‌ ନାମରେ ରହିଛି । 


     ପ୍ରାଚ଼ୀନ ଖଗୋଲୀୟ ଶାସ୍ତ୍ରୀମାନେ ତାରା ଓ ଗ୍ରହଙ୍କ ମଧ୍ୟରେ ଏହି ପ୍ରକାର ଅନ୍ତର କରିଥିଲେ :- ରାତିରେ ଆକାଶରେ ଚ଼ମକୁଥିବା ଅଧିକତର ପିଣ୍ଡ ସର୍ବଦା ପୂର୍ବ ପାର୍ଶ୍ବରୁ ଉଦୟ ହୋଇ ପଶ୍ଚିମରେ ଅସ୍ତ ହୁଅନ୍ତି ; ଏମାନଙ୍କର ନିଜ ନିଜ ଭିତରେ ପରିବର୍ତ୍ତନ କିଛି ହୁଏନି । ତେଣୁ ଏମାନଙ୍କୁ ତାରା କହନ୍ତି । କିନ୍ତୁ ଏମିତି କିଛି ପିଣ୍ଡ ଅଛନ୍ତି ଯାହା ଯାହା ଅନ୍ଯ ପିଣ୍ଡ ମାନଙ୍କ ସାପେକ୍ଷରେ କେବେ କେବେ ଆଗକୁ ଯାଆନ୍ତି ଏବଂ କେବେ କେବେ ପଛକୁ ଯାଆନ୍ତି ; ଅର୍ଥ ଏମାନେ କେବଳ ଘୂରନ୍ତି । ଏମାନଙ୍କୁ ପ୍ଲାନେଟ୍‌(planet) କହନ୍ତି ; ଏହା ଏକ ଲାଟିନ୍‌ ଶବ୍ଦ । ଏ ଶବ୍ଦର ଅର୍ଥ ଏପଟ ସେପଟ ହୋଇ ଘୂରିବା । 


    ଏଇ ହେଉଛି ବ୍ରହ୍ମାଙ୍କ ଦ୍ବାରା ସୃଷ୍ଟି ବ୍ରହ୍ମାଣ୍ଡ । ବ୍ରହ୍ମ ଧାରଣକାରୀ ବ୍ରହ୍ମା । ବ୍ରହ୍ମର ଅର୍ଥ ଜ୍ଞାନ ; ଯିଏ ଜ୍ଞାନକୁ ଧାରଣ କରିଛି ସେ ଜ୍ଞାନୀ । ବ୍ରହ୍ମା ଏଇ ବ୍ରହ୍ମାଣ୍ଡର ପ୍ରଥମ ବିଜ୍ଞାନୀ କହିଲେ ଭୁଲ୍‌ ନାହିଁ । ଅନ୍ଯର୍ଥରେ , ଯିଏ ଜୀବନ୍ତର ପ୍ରମାଣ ଦିଏ ସେ ବ୍ରହ୍ମ । ପୂର୍ବେ ଅନେକ ଆଲୋଚକ ଓ ଗବେଷକ ଏ ସମ୍ପର୍କରେ ବହୁତ ମତ ଦେଇଛନ୍ତି । କିଏ ଶ୍ରୀକୃଷ୍ଣଙ୍କ ନାଭି କହନ୍ତି ତ ଆଉ କେହି ଅବତାରୀ ପୁରୁଷ ବୁଦ୍ଧଙ୍କର ଦାନ୍ତ କହନ୍ତି ; ଏସବୁ ଯୁକ୍ତି ପଛରେ କୌଣସି ଐତିହାସିକ ସତ୍ୟତା ମିଳିପାରୁନି । ବ୍ରଜକିଶୋର ଘୋଷ ତାଙ୍କ ପୁସ୍ତକ "ହିଷ୍ଟ୍ରି ଅଫ୍‌ ପୁରୀ"ରେ ବ୍ରହ୍ମ ପଦାର୍ଥ ପରଦାପୂଣ୍ଣ ପେଟିକା ଦର୍ଶାଇଛନ୍ତି ଯାହା ଗ୍ରହଣଯୋଗ୍ୟ ନୁହେଁ ; ପରଦା ଉପାସ୍ୟ ବସ୍ତୁ ନୁହେଁ । "ଆଣ୍ଟିକ୍ବିଟିଜ ଅଫ୍‌ ଓଡ଼ିଶା-ଭାଗ - ୨"ରେ ଦର୍ଶାଯାଇଛି ବ୍ରହ୍ମ ହେଲା ବୁଦ୍ଧଙ୍କ ଦାନ୍ତ ; ଯାହାକୁ ସମର୍ଥନ କରିଛନ୍ତି ରାଜା ରାଜେନ୍ଦ୍ରଲାଲ୍‌ ; ତାଙ୍କ ମତରେ ବୁଦ୍ଧଙ୍କର ଦାନ୍ତକୁ ପରଦା ପେଟିରେ ବନ୍ଦ କରି ରଖାଯାଇଛି । ଜାଣିବା କଥା ଯେ ବୁଦ୍ଧ ଏକ ଅବତାର , ମହାପ୍ରଭୁ ଅବତାରୀ ଅଟନ୍ତି । ତେଣୁ ଏ ଯୁକ୍ତି ଗ୍ରହଣୀୟ ନୁହେଁ । ୧୮୨୦ ମସିହାରେ ବଙ୍ଗଳାରେ ରଚ଼ିତ "ନାରଦ ସମ୍ବାଦ" ପୁସ୍ତକକୁ ଭିତ୍ତି କରି ହାମିଲ୍ଟନ୍‌ ତାଙ୍କ ହିନ୍ଦୁସ୍ଥାନ ପୁସ୍ତକରେ ଲେଖିଛନ୍ତି ଯେ ବ୍ରହ୍ମ ଶ୍ରୀକୃଷ୍ଣଙ୍କ ଶରୀରର ଅଂଶ ; ତାଙ୍କ ଦେହତ୍ୟାଗ ପରେ ସାଧୁ ମାନେ ଏହାକୁ ସଂଗ୍ରହ କରି ଏକ ପେଟି ମଧ୍ୟରେ ବନ୍ଦ କରିଦେଇଥିଲେ । ବିଷ୍ଣୁଙ୍କୁ ତପସ୍ୟାରତ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ନିର୍ଦ୍ଦେଶରେ ଜଗନ୍ନାଥଙ୍କର ଆବିର୍ଭାବ ହୋଇଥିଲା ; ମହୋଦଧିରୁ ଦାରୁ ଆଣି ଦେବବିନ୍ଧାଣୀଙ୍କ ଦ୍ବାରା ଚ଼ତୁର୍ଦ୍ଧାମୂର୍ତ୍ତି ନିର୍ମାଣ କଲେ   । ତାଙ୍କଠି ଶ୍ରୀକୃଷ୍ଣଙ୍କ ଶରୀର ଅଂଶକୁ ସ୍ଥାନିତ କରାଗଲା । ଏ କଥାକୁ ଅନେକ ଗବେଷକ ବିରୋଧ କରନ୍ତି । 


     ପୁରୀର ପୁରାତନ ସେବକଙ୍କ ଭକ୍ତିକୁ ନେଇ ଗୟା ଚ଼ରଣ ତ୍ରିପାଠୀ କିନ୍ତୁ ବ୍ରହ୍ମକୁ ଶାଳଗ୍ରାମ ବୋଲି ଦର୍ଶାଇଛନ୍ତି । ଏହାକୁ ସର୍ବସମର୍ଥନ ରହିଛି । ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ସୁରେନ୍ଦ୍ର କୁମାର ମିଶ୍ରଙ୍କ କଥାନୁସାରେ , ବ୍ରହ୍ମ ଜୀବନ୍ତ ଶାଳଗ୍ରାମ ; ଏହା ପ୍ରମାଣିତ ବୋଲି କହନ୍ତି ସେ । ୬୬୦ ଖ୍ରୀ:ଅ:ରେ ଶ୍ରୀମନ୍ଦିର ଉପରେ ହୋଇଥିବା ଆକ୍ରମଣ ବେଳେ ମହାପ୍ରଭୁଙ୍କୁ ସୁରକ୍ଷା ଦେବା ପାଇଁ ସେବକ ମାନେ ଶ୍ରୀମନ୍ଦିରରୁ ନେଇ ଦେବାନ୍ଧଘାଟରୁ ଭାର୍ଗବୀ ଓ ସେଠାରୁ ନେଇ ମହାନଦୀ ଦେଇ ସୋନପୁରରେ ରଖି ୪୯ ବର୍ଷ ଧରି ପୂଜା କରିଥିଲେ । ସେଠି ମଧ୍ୟ ବିଧର୍ମୀଙ୍କ ଭୟ ପାଇ ଚ଼ତୁର୍ଦ୍ଧାମୂର୍ତ୍ତିଙ୍କୁ ପାତାଳୀ କରାଗଲା । ୧୪୪ ବର୍ଷ ପାତାଳୀ ହେଲା ପରେ ୮୧୫ -୧୭ ବେଳକୁ ଗୋବିନ୍ଦ ଦ୍ବାଦଶୀ ବୁଡ଼ ପକାଇବାକୁ ଆଦିଶଙ୍କର ଆସିଥିବା ବେଳେ ଯଯାତି କେଶରୀ ବି ଶ୍ରୀମନ୍ଦିରକୁ ଆସିଥିଲେ । ବୁଡ଼ ସାରି ଉଭୟେ ମହାପ୍ରଭୁଙ୍କ ଦର୍ଶନାର୍ଥେ ଯାଇ ଦେଖିଲେ ସିଂହାସନ ଖାଲି । ବୟସ୍କ ସେବକଙ୍କୁ ପଚ଼ାରିବାରୁ ସେମାନେ କହିଲେ ଯେ , ବିଧର୍ମୀଙ୍କ ଭୀତରେ ମହାପ୍ରଭୁଙ୍କୁ ସୋନପୁର ନେଇ ଯାଇଛନ୍ତି । ଠାକୁରଙ୍କୁ ଫେରାଇ ଆଣିବାକୁ ଦିହେଁ ସୋନପୁର ଯାଇ ଦିଅଁ ଖୋଜି ପାଇଲେ ନାହିଁ । ଜଣେ ବୃଦ୍ଧା ଏକ ବରଗଛ ମୂଳେ ପାଣି ଦେଉଥିବାର ଦେଖି ରହସ୍ୟ ପଚ଼ାରିଲେ ତାଙ୍କୁ ; ଉତ୍ତର ମିଳିଲା - "ଆମ ପୂର୍ବଜ କହିଛନ୍ତି ଏହା ଦିଅଁ ବର ବୋଲି । ସେଲାଗି ପ୍ରତ୍ଯହ ପାଣି ଦେଉଛୁ ।" ଆଦିଶଙ୍କର ସେଠି ତପାଚ଼ରଣ କରି ତାଙ୍କ ଦିବ୍ଯଦୃଷ୍ଟିରେ ଜାଣିଲେ ବରଗଛ ତଳେ ମହାପ୍ରଭୁ ବିଜେ କରିଅଛନ୍ତି ; ମାଟି ଖୋଳି ଦିଅଁଙ୍କୁ ଠାବ କଲେ । ୧୪୪ ବର୍ଷ ଧରି ପାତାଳୀ ହୋଇଥିବାରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଜୀଣ୍ଣ ହୋଇ ଯାଇଥିଲା । ସେଥିରୁ ବ୍ରହ୍ମକୁ ଉଦ୍ଧାର କରି ପୁରୀରୁ ଏଗାର ଜଣ ଦଇତାଙ୍କୁ ଡ଼କାଇ ବ୍ରହ୍ମକୁ ଆଣି ଯାଜପୁର ଆସିଲେ । ସେଠି ଦେଖିଲେ ଦୁଇ ବ୍ରହ୍ମ ଜୀଣ୍ଣ ହୋଇଛନ୍ତି ; ଆଦିଶଙ୍କର ରାଜା ଯଯାତି କେଶରୀଙ୍କୁ କହି ନେପାଳ ରାଜାଙ୍କ ପକ୍ଷରୁ ଚ଼ିଟାଉରେ ଗଣ୍ଡୁକୀ ନଦୀର ଜୀବନ୍ତ ଶାଳଗ୍ରାମ ଦେବାକୁ ଲେଖି ପଠାଇଲେ । ରାଜାଙ୍କ ଚ଼ିଟାଉ ନେଇ ସ୍ବତନ୍ତ୍ର ଦୂତ ନେପାଳ ଯାଇ ରାଜାଙ୍କ ଠାରୁ ଦୁଇଟି ଜୀବନ୍ତ ଶାଳଗ୍ରାମ ଆଣି ଆସିବାରୁ ବ୍ରହ୍ମ ଭାବରେ ସ୍ଥାପନ କରାଗଲା ଶ୍ରୀଅଙ୍ଗରେ । 


     ମହାପ୍ରଭୁଙ୍କ ନବକଳେବରରେ ବ୍ରହ୍ମଙ୍କୁ ଘଟ ପରିବର୍ତ୍ତନ କରୁଥିବା ସେବକଙ୍କ ମତ ବି ସମାନ । ସେମାନଙ୍କ ମତରେ ଅପସାରଣ ଓ ସଂସ୍ଥାପନ କଲା ବେଳେ ତାହା ଅତ୍ଯନ୍ତ ଜୀବନ୍ତ ବୋଲି ଅନୁଭବ ହୁଏ । ବ୍ରହ୍ମଙ୍କ ଠାରୁ ସର୍ବଦା ଜ୍ଯୋତି ପ୍ରକାଶିତ , ତାହାଙ୍କୁ ମହାସ୍ନାନ କରାଇ ପ୍ରସାଦ ଲାଗି କରାଇବା ପରେ ପୁଣି ସଂସ୍ଥାପନ କରାଯାଏ । ତେଣୁ ବ୍ରହ୍ମ ଜୀବନ୍ତ ଶାଳଗ୍ରାମ ବୋଲି ଏକପ୍ରକାର ପ୍ରମାଣିତ । 


      'ବ୍ରହ୍ମ' ଶବ୍ଦଟି ସଂସ୍କୃତ ମୂଳଶବ୍ଦ 'ବ୍ରଃ' ଧାତୁରୁ ଆଗତ ; ଯାହାର ଅର୍ଥ ପ୍ରବାହିତ ହେବା । ଯାହା ଅସୀମ ଓ ଅମାପ ତାହା ବ୍ରହ୍ମ । ସର୍ବଶକ୍ତିର ଉତ୍ସ ଏ ବ୍ରହ୍ମ ସର୍ବତ୍ର ବିଦ୍ଯମାନ । ସବୁଠୁ ଉଚ୍ଚ ଭାବେ ଚ଼ିନ୍ତା କରିବାର କ୍ରିୟା 'ବ୍ରହ୍ମ' । ବେଦର ମନ୍ତ୍ରକୁ ବି 'ବ୍ରହ୍ମ' କୁହାଯାଏ । ଏହା ସାକାର ଓ ନିରାକାର ବି ; ଗଭୀର ଜ୍ଞାନର ପରିଚ଼ାୟକ । ଏହା ସତ୍ୟ , ସନାତନ , ନିତ୍ଯ , ନିର୍ମଳ ଓ ନିର୍ବିକାର ବି । ପ୍ରଖର ଜ୍ଯୋତି ବିକୀଣ୍ଣ କରୁଥିବା ସତ୍ତା ହିଁ 'ବ୍ରହ୍ମ' ବୋଲି ବ୍ରହ୍ମ ସଂହିତାରେ ବଣ୍ଣିତ । ଆଦିଶଙ୍କରାଚ଼ାର୍ଯ୍ଯଙ୍କ ମତରେ ବ୍ରହ୍ମ ସତ୍ୟ ଓ ଜଗତ ମିଥ୍ଯା । ତୈତ୍ତିରୀୟ ଉପନିଷଦନୁସାରେଣ - "ଭାଷା ଓ ମନ ଯେଉଁଠୁ ପ୍ରତ୍ଯାବର୍ତ୍ତିତ ହୁଏ ତଥା ଇନ୍ଦ୍ରିୟ ଯାହାକୁ ସ୍ପର୍ଶ କରି ପାରେନି , ତାହା ହିଁ 'ବ୍ରହ୍ମ' । ବେଦବ୍ୟାସ କହନ୍ତି - "ଏ ଜଗତରେ ସୃଷ୍ଟି , ସ୍ଥିତି , ଲୟ ଯାହାଙ୍କ ଦ୍ବାରା ସମ୍ଭବ , ସେ ହେଉଛନ୍ତି ବ୍ରହ୍ମ ।" କିନ୍ତୁ ଅଥର୍ବ ବେଦ ଅନୁସାରେ ବ୍ରହ୍ମ ଓ ଆତ୍ମା ଏକ । ଭଗବତ୍‌ ଗୀତା କହେ - "ବ୍ରହ୍ମ ବା ଆତ୍ମା ନିତ୍ଯ ଅବିନାଶ ଅଟେ ।" ସନ୍ଥ ତୁଳସୀ ଦାସ କହନ୍ତି -

            ବିନୁ ପଦ ଚ଼ଲି ସୁନି ବିନୁ କାନା 

          କର ବିନୁ କରାଇ କରମ ବିଧି ନାନା । "

ଏହାର ଅର୍ଥ - ଯେ' ପାଦ ବିନା ଚ଼ାଲିପାରେ , କାନ ବିନା ଶୁଣି ପାରେ , ହାତ ବିନା ବିଭିନ୍ନ କାମ କରିପାରେ ସେ ହିଁ  'ବ୍ରହ୍ମ' । ମୁଣ୍ଡକୋପନିଷଦ କହେ - "ବ୍ରହ୍ମ ଜ୍ଯୋତିର୍ମୟ ଓ ଅଣୁ ଠାରୁ ମଧ୍ୟ ସୂକ୍ଷ୍ମ । ତାହା ଅକ୍ଷର , ମନ , ପ୍ରାଣ , ବାକ୍‌ ସବୁକିଛି ।" 


     ଏମିତି ବ୍ରହ୍ମ ଉପରେ ବହୁକିଛି ମତ ମିଳେ । ଈଶୋବାସ୍ଯା ଉପନିଷଦର ୧୫ତମ ଶ୍ଳୋକରେ ଅଛି :- 

   "ହିରଣମୟେନ ପାତ୍ରୀଣ ସତ୍ଯ ସ୍ଯାପହିତଂ ମୁଖମ୍‌ । 

    ତତ୍ତ୍ବଂ ପୁଷନ୍ନ ପାବୃଣୁ ସତ୍ୟ ଧର୍ମାୟ ଦୃଷୟେ ।।"

ଅର୍ଥ - ବ୍ରହ୍ମ ଆଦିତ୍ୟ ମଣ୍ଡଳରେ ଏକ ଜ୍ଯୋତିର୍ମୟ ପାତ୍ରରେ ଆବରଣ ହୋଇଛନ୍ତି । ଏହାକୁ ଦେଖିବାକୁ ସେ ଜ୍ଯୋତିର୍ମୟ ପାତ୍ରଟିକୁ ଦୂର କରିଦିଅନ୍ତୁ । ଏଠି ସାକାର ବ୍ରହ୍ମର ସୂଚ଼ନା ମିଳେ । ବୃହଦାରଣ୍ଯକୋପନିଷଦ୍‌ର ୫ମ ଅଧ୍ଯାୟ / ୧ ବ୍ରାହ୍ମଣ /୧ ମନ୍ତ୍ରାନୁସାରେ :-

   "ଓଁ ପୂଣ୍ଣମଦଃ ପୂଣ୍ଣ ମିଦଂ ପୂଣ୍ଣାତ୍‌ ପୂଣ୍ଣମୁଦଚ଼୍ଯତେ ।

    ପୂଣ୍ଣସ୍ଯ ପୂଣ୍ଣମାଦାୟ ପୂଣ୍ଣମେବାବଶିଷ୍ଯତେ ।"

ଏ ଶ୍ଲୋକରୁ ସୂଚ଼ୀତ ହୁଏ - ବ୍ରହ୍ମ ପୂଣ୍ଣ ଅଟନ୍ତି । ସେ ପୂଣ୍ଣବ୍ରହ୍ମରୁ କିଛି ବାହାରି ଗଲେ ଅବଶିଷ୍ଟାଂଶ ବି ପୂଣ୍ଣ ଅଟେ । ବ୍ହ୍ମ ସମ୍ପୂଣ୍ଣ  , ବ୍ଯାପକ ଓ ବିସ୍ତୀଣ୍ଣ ; ସେ ସର୍ବବ୍ଯାପକ । ସେ ସାକାର ହୋଇ ତେତିଶି କୋଟି ଦେବ-ଦେବୀଙ୍କ ରୂପ ଧାରଣ କରନ୍ତି ଏବଂ ନିରାକାର ହୋଇ ଇନ୍ଦ୍ରିୟଠୁ ବି ଉର୍ଦ୍ଧ୍ବରେ ରୁହନ୍ତି । ଜଗନ୍ନାଥ ଦାସଙ୍କ "ତୁଳାଭିଣା"ରେ ବି ଉଲ୍ଲେଖ ଅଛି :- 

     ମହାଶୂନ୍ୟ ଜ୍ଯୋତିରୂପ , ଜ୍ଯୋତିରୁ ଜାତ ଠୁଳ ରୂପ ।

ଠରୁ ଅର୍ଦ୍ଧମାତ୍ରା କଲା , ମାତ୍ରାରୁ ଓଁକାର ଜନ୍ମିଲା ।

ଓଁକାର ବ୍ରହ୍ମ ଏ ଜଗତ , ଶୁଣ ପାର୍ବତୀ ଦେଇ ଚ଼ିତ୍ତ ।।"

ମହାଶୂନ୍ୟରୁ ଜ୍ଯୋତି , ଜ୍ଯୋତିରୁ ଠୁଳ ରୂପ , ଠୁଳ ରୂପରୁ ବିନ୍ଦୁ , ବିନ୍ଦୁର ଅର୍ଦ୍ଧମାତ୍ରାରୁ ଓଁକାରର ସୃଷ୍ଟି ; ଓଁକାର ବ୍ରହ୍ମଙ୍କର ଅନ୍ୟ ଏକ ନାମ । ଶୂନ୍ଯ , ଶାନ୍ତ , ଅବ୍ଯକ୍ତ ; ତହିଁରୁ ପ୍ରକାଶ ପାଇଁ ତପ ଆବଶ୍ଯକ ଓ ସେଥିରୁ ବ୍ରହ୍ମ ।


    ତେବେ ଏ ପ୍ରବନ୍ଧରେ ବ୍ରହ୍ମ , ବ୍ରହ୍ମାଣ୍ଡ ବିଷୟରେ କିଛି ରୋଚ଼କ ତଥ୍ୟ ଲୋକଲୋଚନକୁ ଆଣିବାକୁ ପ୍ରଚେଷ୍ଟା କରିଛି । ବ୍ରହ୍ମ ଓ ବ୍ରହ୍ମାଣ୍ଡକୁ ଠିକ୍‌ ଭାବରେ ଜାଣିଥିବା ଆଉ ବୁଝିଥିବା ବ୍ଯକ୍ତି ପ୍ରକୃତ ବିଦ୍ବାନ ; ତେଣୁ କିଛି ତଥ୍ୟ ପୁରାଣ ପୃଷ୍ଠା ଓ ବିଜ୍ଞାନ ଗବେଷଣାରୁ ସଂଗ୍ରହ କରି ପ୍ରକାଶିତ କଲି । ଯଦି କିଛି ତ୍ରୁଟି ଥାଏ , ମାର୍ଜନା କରିବା ହେବେ ।


       ଭାଟପଡ଼ା ,ନିରାକାରପୁର ,କଣାସ , ପୁରୀ 

              

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା