ତୁମେ ହିଁ ଏକା ନିଜର
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
------------------------------ --------------------
ବାରବୁଲା ଭିକ୍ଷୁ ସିକ୍ତ ମୋର ଚକ୍ଷୁ
ଯାଯାବରଟିଏ ମୁହିଁ
ନାହିଁ ଘରଦ୍ୱାର ସର୍ବେ ଥାଇ ପର
ବଞ୍ଚିଥାଇ ଜଳେ ଜୁଇ ।
ପେଟ ପୋଡ଼ିଯାଏ ତଣ୍ଟି ଶୁଖିଯାଏ
ଧାଏଁ ଦେଖି ମୃଗତୃଷ୍ଣା
ପାଏ ନାହିଁ ନୀର ମନରେ ମୋହର
ଭରିଯାଏ ତ ବିତୃଷ୍ଣା ।
ଆତ୍ମୀୟ ସ୍ବଜନ ଦୌରାତ୍ମ୍ୟ ଭୋଜନ
କେତେ ବା ଭୁଞ୍ଜିବି ଆଉ
କି ଲାଗି ପାଷାଣ ଆହେ ଲକ୍ଷ୍ମୀପ୍ରାଣ
ଦାଉ ପରେ ସାଧ ଦାଉ ।
ଯାତନାର ଜତୁ ଜଳେ ହୁତୁହୁତୁ
ସହିବି ବା କେତେ କୁହ
ପୋଡ଼ିଯାଏ ଦେହ ନାହିଁ କା'ର ମୋହ
ଓଠ ପିଏ ଆଖି ଲୁହ ।
ଆପଣା ପଣରେ ଗଣା କେ' ସଂସାରେ
କାହାକୁ ଦେଖୁନି କାହିଁ
କେତେଦିନ କୁହ ମିଛ ଅଭିନୟ
କରି ଚାଲିଥିବି ମୁହିଁ ?
ସମାଜ ସମ୍ମୁଖେ ହସ ହସ ମୁଖେ
କରୁଥିବି ଯାତାୟତ
ଯିଏ ଦେଖୁଥିବ ସିଏ କହୁଥିବ
ସୁଖ ୟା'ର କରାୟତ ।
ସ୍ବାର୍ଥର ସଂସାର ନୁହେଁ କିଏ କା'ର
ଜାଣି ସୁଦ୍ଧା ଟାଣି ହୁଏ
ଯାହା ସ୍ବାର୍ଥ ପାଇଁ ଯିଏ ଏଠି ବାଇ
ଦୁଃଖୀକୁ ପଚାରେ କିଏ ?
ସେନେହ ମମତା ପଡ଼ିଅଛି ବନ୍ଧା
ଲୋଭ ରୂପୀ ମାୟାଜାଲେ
ସତର ସନ୍ତକ ରହିଛି ବନ୍ଧକ
ମିଛର ବନ୍ଦ କୁଟୀରେ ।
ଧରମ କାନ୍ଦଇ କଇଁ କଇଁ ହୋଇ
କଳିରାଣ ଅତ୍ୟାଚାରେ
ମାୟାର ସଂସାର ଲାଗଇ ଜହର
ଦୟା ନାହିଁ କା' ମନରେ ।
ଏତେ ପରେ ଆଉ କୁହ ମହାବାହୁ
କାହାକୁ କହିବି ଯାଇ
କିଏ ଅଛି କୁହ ପୋଛିଦେବ ଲୁହ
ନିଃସ୍ବାର୍ଥରେ ଆପଣାଇ ।
ତେଣୁ କରି ଆଶ କରିଲି ଦୀନେଶ
ଚରଣେ ଶରଣ ପାଇଁ
ତୁମ ବିନା ମୋର ଆଉ କେ' ନିଜର
ସଂସାରେ ପାଇଲି ନାହିଁ ।
ମୋର ଶେଷ ଆଶା ନ କରି ନିରାଶା
ସାଦରେ ନେବ କୋଳେଇ
ପାଇଯିବି ମୁକ୍ତି ଜଗତର ପତି
ଯନ୍ତ୍ରଣା ଯିବ ଦୂରେଇ ।
------------------------------ --------------------------
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
------------------------------ --------------------------
- Get link
- X
- Other Apps
Comments
Post a Comment