ତୁମେ ହିଁ ଏକା ନିଜର

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

       ସମ୍ପାଦକ - ଉଦୟ ଭାନୁ 
--------------------------------------------------

ବାରବୁଲା ଭିକ୍ଷୁ     ସିକ୍ତ ମୋର ଚକ୍ଷୁ
          ଯାଯାବରଟିଏ ମୁହିଁ 
ନାହିଁ ଘରଦ୍ୱାର      ସର୍ବେ ଥାଇ ପର
         ବଞ୍ଚିଥାଇ ଜଳେ ଜୁଇ ।
ପେଟ ପୋଡ଼ିଯାଏ     ତଣ୍ଟି ଶୁଖିଯାଏ 
         ଧାଏଁ ଦେଖି ମୃଗତୃଷ୍ଣା 
ପାଏ ନାହିଁ ନୀର     ମନରେ ମୋହର
          ଭରିଯାଏ ତ ବିତୃଷ୍ଣା ।
ଆତ୍ମୀୟ ସ୍ବଜନ     ଦୌରାତ୍ମ୍ୟ ଭୋଜନ
         କେତେ ବା ଭୁଞ୍ଜିବି ଆଉ
କି ଲାଗି ପାଷାଣ     ଆହେ ଲକ୍ଷ୍ମୀପ୍ରାଣ 
        ଦାଉ ପରେ ସାଧ ଦାଉ ।
ଯାତନାର ଜତୁ     ଜଳେ ହୁତୁହୁତୁ
      ସହିବି ବା କେତେ କୁହ
ପୋଡ଼ିଯାଏ ଦେହ     ନାହିଁ କା'ର ମୋହ
           ଓଠ ପିଏ ଆଖି ଲୁହ ।
ଆପଣା ପଣରେ     ଗଣା କେ' ସଂସାରେ
          କାହାକୁ ଦେଖୁନି କାହିଁ 
କେତେଦିନ କୁହ     ମିଛ ଅଭିନୟ
         କରି ଚାଲିଥିବି ମୁହିଁ ?
ସମାଜ ସମ୍ମୁଖେ     ହସ ହସ ମୁଖେ
         କରୁଥିବି ଯାତାୟତ
ଯିଏ ଦେଖୁଥିବ     ସିଏ କହୁଥିବ
      ସୁଖ ୟା'ର କରାୟତ ।
ସ୍ବାର୍ଥର ସଂସାର     ନୁହେଁ କିଏ କା'ର 
         ଜାଣି ସୁଦ୍ଧା ଟାଣି ହୁଏ
ଯାହା ସ୍ବାର୍ଥ ପାଇଁ      ଯିଏ ଏଠି ବାଇ
       ଦୁଃଖୀକୁ ପଚାରେ କିଏ ?
ସେନେହ ମମତା     ପଡ଼ିଅଛି ବନ୍ଧା
      ଲୋଭ ରୂପୀ ମାୟାଜାଲେ
ସତର ସନ୍ତକ     ରହିଛି ବନ୍ଧକ
     ମିଛର ବନ୍ଦ କୁଟୀରେ ।
ଧରମ କାନ୍ଦଇ      କଇଁ କଇଁ ହୋଇ 
       କଳିରାଣ ଅତ୍ୟାଚାରେ
ମାୟାର ସଂସାର      ଲାଗଇ ଜହର 
       ଦୟା ନାହିଁ କା' ମନରେ ।
ଏତେ ପରେ ଆଉ      କୁହ ମହାବାହୁ
           କାହାକୁ କହିବି ଯାଇ
କିଏ ଅଛି କୁହ      ପୋଛିଦେବ ଲୁହ
       ନିଃସ୍ବାର୍ଥରେ ଆପଣାଇ ।
ତେଣୁ କରି ଆଶ     କରିଲି ଦୀନେଶ 
        ଚରଣେ ଶରଣ ପାଇଁ
ତୁମ ବିନା ମୋର      ଆଉ କେ' ନିଜର
        ସଂସାରେ ପାଇଲି ନାହିଁ ।
ମୋର ଶେଷ ଆଶା     ନ କରି ନିରାଶା
       ସାଦରେ ନେବ କୋଳେଇ
ପାଇଯିବି ମୁକ୍ତି      ଜଗତର ପତି
       ଯନ୍ତ୍ରଣା ଯିବ ଦୂରେଇ ।

--------------------------------------------------------
   ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
--------------------------------------------------------

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା