ଉତ୍କଳର ଗଣପର୍ବ - "ରଜ"


କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି 

  ବହୁ ପର୍ବପର୍ବାଣୀର ପସରାରେ ପରିପୂର୍ଣ୍ଣ ଓଡ଼ିଶା । ଓଡ଼ିଆଙ୍କର ଚାଲିଚଳଣି ଓ ପର୍ବପର୍ବାଣୀ ବିଦେଶରେ ବି ବିସ୍ମୟର ବାତାବରଣ ସୃଷ୍ଟି କରେ । ଦୋଳ , ଦଶହରା , ହୋଲି , ରଜ , ସାବିତ୍ରୀ , ଗହ୍ମା ପୂର୍ଣ୍ଣିମା , ରଥଯାତ୍ରା , ଧନୁଯାତ୍ରା , ଚନ୍ଦନଯାତ୍ରା ପରି ଅନେକ ପର୍ବ ଏଇ ଓଡ଼ିଶାରେ ହିଁ ବିଶେଷ ପ୍ରଚଳିତ । ପ୍ରତ୍ଯେକ ପର୍ବ କୌଣସି ନା କୌଣସି କାରଣର ଉଦାହରଣ ଦେବା ସହିତ ନିଆରା ଢ଼ଙ୍ଗରେ ନାନା ଭଙ୍ଗୀରେ ପାଳନ କରାଯାଏ । ପ୍ରତ୍ଯେକ ପର୍ବର ଭିନ୍ନତା ହିଁ ଓଡ଼ିଶାର ସ୍ବତନ୍ତ୍ରତାକୁ ବଜାୟ ରଖି ପାରିଛି ଏବଂ ବାହ୍ୟ ପ୍ରଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । 

     ଏଇ ଦେଖନ୍ତୁ ଓଡ଼ିଶାର ଏକ ପାରମ୍ପରିକ ପର୍ବ 'ରଜ' ଏକ ଗଣପର୍ବ ଭାବରେ ବେଶ୍‌ ପରିଚିତ । ପଲ୍ଲୀରୁ ସଦର ଯାଏଁ ପରିବ୍ଯାପ୍ତ ଏହି ପର୍ବଟି ଚାରି ଦିନ ଧରି ପାଳନ କରାଯାଏ । ଜ୍ଯୋତିଷ ଶାସ୍ତ୍ରାନୁସାରେ ମିଥୁନ ମାସର ଦ୍ବିତୀୟ ଦିନରୁ ଆରମ୍ଭ ହୁଏ 'ରଜ' ପର୍ବ । ପ୍ରଥମଟି ପହିଲି ରଜ , ତା' ପରେ ରଜ ସଂକ୍ରାନ୍ତି ଏବଂ ତୃତୀୟ ଦିବସଟି ଭୂମିଦାହ ବା ଭୂମି ଦହନ ହୋଇଥିବା ବେଳେ ଚତୁର୍ଥ ଦିବସଟି ବସୁମତୀ ସ୍ନାନ ନାମରେ ବିଦିତ ଥାଏ । 'ରଜ' ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା । ପୃଥିବୀ ଆମର ମାଆ ରୂପେ ବିବେଚିତ । ବରଷା ଆଗମନରେ ସେ ରଜସ୍ୱଳା ହୋଇ ନୂତନ ଫସଲ ଜନ୍ମ ଦେବାର ସାଙ୍କେତିକ ଭାବ ବହନ କରିଥାଏ ; ଯେମିତି ସ୍ତ୍ରୀଟି ରଜସ୍ୱଳା ହେବା ପରେ ସନ୍ତାନ ସମ୍ଭବା ହେବାର ଭାବ ବହନ କରିଥାଏ । ଏଦିନ ଚଷାଭାଇ ବସୁମାତାର୍ଚ୍ଚନ କରିବା ସହ ହଳ ଲଙ୍ଗଳ ପୂଜା କରନ୍ତି ଓ ତିନିଦିନ ଯାଏଁ କାର୍ଯ୍ଯରୁ ବିରତ ରୁହନ୍ତି । 'ରଜ'ରେ ମାଟି ମାଆକୁ ତିନି ଦିନ ବିଶ୍ରାମ ମିଳିଥାଏ । ପହିଲି ରଜରୁ ପ୍ରସ୍ତୁତି ପର୍ବର ପ୍ରାରମ୍ଭ । ଭୂ ଖନନ କାର୍ଯ୍ଯ ତିନି ଦିନ ଧରି ବନ୍ଦ ରହେ । ରଜରେ ରଜପାନ ଏବଂ ପୋଡ଼ପିଠା ବେଶ୍‌ ଆକର୍ଷଣୀୟ ଏବଂ ରଜଦୋଳି ବେଶ୍‌ ମନୋରମଣୀୟ । ରଜଦୋଳି ଗୀତର ଝଙ୍କାରରେ ପୂରି ଉଠେ ଗାଆଁରୁ ସହର । ପୁଅ ମାନଙ୍କର କବାଡ଼ି , ବାଗୁଡ଼ି , ଲୁଡ଼ୁ , ତାସ୍‌ ଖେଳ ବେଶ୍‌ ଆକୃଷ୍ଟ କରେ ।

      କୁମାରୀ ମାନଙ୍କ ପାଇଁ ଏ ପର୍ବଟି ତାଲିମ୍‌ ପ୍ରଦାନକାରୀ ପର୍ବଟିଏ । ସେମାନେ ଏକ ନବଶିକ୍ଷା ଆହରଣ କରନ୍ତି ଯେ , ନାରୀ ଭାବେ ଆଗାମୀ ଦିନରେ କିଛି କର୍ତ୍ତବ୍ଯ ସମ୍ପାଦନ କରିବାକୁ ହେବ । ରଜ ତିନିଦିନ ଯାଏଁ ରଜସ୍ୱଳା ନାରୀ ଭାବରେ ଧରଣୀ ମାତାକୁ କଷ୍ଟ ନଦେଇ ବିଶ୍ରାମ ଦେଲା ପରି କଟାବଟା ଆଦି ଗୃହକର୍ମରୁ ବିରତ ହୋଇ ସ୍ବୟଂ ବିଶ୍ରାମ ନିଅନ୍ତି ଓ ଖେଳକୁଦରେ ମଉଜମଜଲିସ୍‌ରେ ଡୁବି ରୁହନ୍ତି । ନବ ପୋଷାକ , ଶାଢ଼ୀ ପିନ୍ଧି କୁମାରୀ ମାନେ ଏ ପର୍ବ ପାଳନ କରନ୍ତି । ଖାଲି ପାଦରେ ନଚାଲି କଦଳୀ ପଟୁକା ପିନ୍ଧି ଚାଲନ୍ତି । ସୁସ୍ବାଦୁ ବ୍ଯଞ୍ଜନ ଓ ପିଠାପଣାର ମାହାର ବେଶ୍‌ ଖୁସିର ଲହରୀ ସୃଷ୍ଟି କରେ । ଅନ୍ତିମ ଦିବସଟିରେ ବସୁମାତା ପୂଜା କରି ତାଙ୍କୁ ସ୍ନାନ କରାଯାଏ । ତିନିଦିନ ବିଶ୍ରାମ ପରେ ଚତୁର୍ଥ ଦିନ ସ୍ନାନ କରି ଶୁଦ୍ଧତା ପ୍ରାପ୍ତ କରେ ଧରଣୀରାଣୀ । ଯେମିତି ନାରୀଟିଏ ରଜସ୍ୱଳା ହେଲା ପରେ ଚତୁର୍ଥ ଦିନ ସ୍ନାନ କରି ଶୁଦ୍ଧ ହୋଇଥାଏ , ଠିକ୍‌ ସେମିତି ।

     ଅରୁଣୋଦୟ ପ୍ରେସ୍‌ - ନୂତନ ପଞ୍ଜିକା ପୃଥିବୀ ରଜସ୍ୱଳା ହେବାର ପ୍ରମାଣ ଦେଇ ବାକ୍ଯଟିଏ କୁହେ - "ବୃଷାନ୍ତେ ମିଥୁନସ୍ଯାଦୈ ତଦ୍ଦିତୀୟେ ଦିନ କ୍ରୟଂ ରଜସ୍ୱଳା ସ୍ଯାତ୍‌ ପୃଥିବୀ କୃଷିକର୍ମବିଗର୍ହିତଂ ହଳାନାଂ ବାହନଂ ଚୈବ ବୀଜାନାଂ କପନଂ ତଥା ତାବଦେବ ନ କୁର୍ବୀତ ଯାବତ୍‌ ପୃଥ୍ୱୀ ରଜସ୍ୱଳା ଯାବତ୍‌ ଖନନଂ ଛେଦନଂ ତ୍ଯଜେତ୍‌ ଅନ୍ଯ କର୍ମାଣି କୁର୍ବାତ ପୈତ୍ରଂ ଦୈବଂ ନମାନୁଷଂ ।" ବସୁଧା , ପ୍ରକୃତି ମାତାକୁ ଅର୍ଚ୍ଚନା କରିବାର ମହାର୍ଘ୍ଯ ପରମ୍ପରା ରଜପର୍ବ ଏବଂ ଏହା କୃଷି ଭିତ୍ତିକ ସାମାଜିକ ଚଳଣୀରେ ଏକ ଗୁରୁତ୍ତ୍ବପୂର୍ଣ୍ଣ ମନୋରଞ୍ଜନର ଆସର । କେହି କେହି କହନ୍ତି ରଜ ପାଞ୍ଚଦିନ । ପହିଲି ରଜର ପୂର୍ବ ଦିବସ ସଜବାଜର ଦିନ ବୋଲି ଆଖ୍ଯା ଥାଏ । ଏଦିନ ଦୋଳି ଲଗାଇବା , ପିଠାପଣା ପାଇଁ ତଥା ପର୍ବ ପାଳନ ପାଇଁ ପ୍ରସ୍ତୁତ ହେବା ହିଁ ଏକ ଦିବସର ଗଣନା ହୁଏ । ଯେକୌଣସି କାର୍ଯ୍ଯ କରିବା ପୂର୍ବରୁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼େ । କାର୍ଯ୍ଯାରମ୍ଭ ଦିନଠୁ ହିଁ ହିସାବ ହୁଏ , ତେଣୁ ସଜବାଜକୁ ଅର୍ଥାତ୍‌ ପହିଲି ରଜର ପୂର୍ବ ବିବସକୁ ପର୍ବରେ ଗଣନା ଠିକ୍‌ ନୁହେଁ । ବାସତବରେ ରଜପର୍ବ ଚାରିଦିନ । ରଜପର୍ବ ପାଇଁ କେବଳ ମଣିଷ ନୁହେଁ ପ୍ରକୃତି ବି ପ୍ରତୀକ୍ଷାରେ ଥାଏ , କାରଣ ଏହା ହେଉଛି ମିଳନର ପର୍ବ । ଏ ଦିନ  ମାଟି-ମୌସୁମୀର ମିଳନ ହୁଏ । ଶରୀରକୁ ବିଶ୍ରାମ ଓ ମନକୁ ଆନନ୍ଦ ଦେବାର ପର୍ବ ଏଇ 'ରଜ' ।

     ପ୍ରକୃତି ସୃଷ୍ଟି କରିଛି ବର୍ଷା , ବର୍ଷାକୁ ସ୍ବାଗତ କରି ଏ ରଜପର୍ବର ସୃଷ୍ଟି । ମୃଗଶିରା ନକ୍ଷତ୍ରରେ ସୂର୍ଯ୍ୟ ଅବସ୍ଥାନର ତିନି ଦିନକୁ 'ରଜ' କୁହା ଯାଉଥବା ବେଳେ ଧର୍ମଶାସ୍ତ୍ରାନୁଯାୟୀ କୌଣସି ନାରୀର ଋତୁସ୍ରାବ ପ୍ରଥମ ତିନିଦିନ ଯଥା :- ଚାଣ୍ଡାଳୀ , ବ୍ରହ୍ମଘାତିନୀ ଓ ରଜକୀ ହୋଇଥାଏ । ଚତୁର୍ଥ ଦିବସେ ଶୂଦ୍ରା ଓ ପଞ୍ଚମ ଦିବସେ ରମଣ ଯୋଗ୍ଯ ହୋଇଥାଏ  । ତେଣୁ ରଜପର୍ବ ଭାବେ ବି ପାଳିତ ହୁଏ । ଆମର ଧର୍ମୀୟ ଭାବଧାରା ଭିଡ଼ରେ ଏ ପର୍ବଟି କାହିଁ କେଉଁ କାଳରୁ ଯୋଗ ହୋଇ ସାରିଛି । ଶ୍ରୀମନ୍ଦିରରେ ସପ୍ତାବରଣ ମୂର୍ତ୍ତି ମଧ୍ୟରେ ଭୂ ଦେବୀଙ୍କ ଅବସ୍ଥାନ ହେତୁ ଏଠାରେ ଖୁବ୍‌ ରୀତିନୀତିରେ ରଜ ପାଳନ ହୁଏ । ଅନେକ ସ୍ଥାନରେ ଏଦିନ ଗୀତା-ଭାଗବତ ପାଠ , ରାମାୟଣ , ପ୍ରବଚନ ଆଦି ସହିତ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନର କାର୍ଯ୍ଯକ୍ରମ ଅନୁଷ୍ଠିତ ହୁଏ । ଚନ୍ଦ୍ରଙ୍କ ନାମ ଅନୁସାରେ ଜୁନ୍‌ ମାସର ନାମକରଣ , ଯାହା ରଜପର୍ବର ମାସ । ରୋମ୍‌ରେ ଲୋକେ ଜୁନୋଙ୍କୁ ମାତୃତ୍ୱର ଦେବୀ ଭାବେ ଅର୍ଚ୍ଚନା କରୁଥିବା ବେଳେ ତାଙ୍କରି ନାଁରେ ନାମିତ ହୋଇଥିବା ଜୁନ୍‌ ମାସରେ ରଜପର୍ବର ପରିକଳ୍ପନା ଅପୂର୍ବ ସାମଞ୍ଜସ୍ୟ ରଖିଥାଏ ।

     ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା ; ପ୍ରୀତିର ବନ୍ଧନ 'ପାନ' । ପ୍ରୀତି , ପ୍ରେମ , ବନ୍ଧୁତାର ଛ୍ ଲକ୍ଷଣ ଏ ଦେଶରେ ନିର୍ଦ୍ଧାରିତ କରାଯାଇଛି  । ଦିଏ, ନିଏ , ଖାଏ , ଖୁଆଏ , ଗୋପନ କଥା କହେ ଓ ପଚାରେ , ଏ ଛଅଟି ଆନ୍ତରିକତା ଓ ନିବିଡ଼ତାର କଥା । ଭୋଜନାନ୍ତେ ତାମ୍ବୁଳ ସେବା ଏକ ପ୍ରାଣମୟ ବ୍ଯବସ୍ଥା । ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ପାଖରେ ନୈବିଦ୍ଯ ପରେ ତାମ୍ବୁଳ ସେବା କରି ପ୍ରଭୁଙ୍କୁ ନିଦ୍ରା ଦିଆଯାଏ । ପାନ ହେଲା ମୁଖବାସ , ପରିତୋଷ । ଏଡ଼ା ବନ୍ଧୁତାର ଡ଼ୋରୀକୁ ସୁଦୃଢ଼ କରିବାର୍ଥେ ରଜପର୍ବ ସହ ପାନର ସଂଯୋଗ ହୋଇଛି । ଆୟୁର୍ବେଦ ଶାସ୍ତ୍ର ଅନୁସାରେ 'ପାନ' ଜୀର୍ଣ୍ଣଶକ୍ତି କାରକ ଏବଂ କୃମି ବିନାଶକ । ପାନରେ ଲାଗୁଥିବା ଚୂନ ଲୌହଶକ୍ତିପୂର୍ଣ୍ଣ ଅର୍ଥାତ୍‌ ଶରୀରକୁ କ୍ଯାଲ୍‌ସିୟମ୍‌ ଯୋଗାଏ ଏବଂ ଖଇର ଦାନ୍ତକୁ ମଜଭୁତ କରେ । ପାନର ଶିରାଟି ବୁଦ୍ଧି ନାଶକ ହେତୁ ପାନ ଖାଇବା ପୂର୍ବରୁ ତହିଁରୁ ସିରାକୁ ଅଲଗା କରିଦିଆଯାଏ । ରଜପର୍ବର ପାନକୁ ନେଇ ଢ଼ଗଟିଏ ବହୁ ପୂର୍ବରୁ ପ୍ରଚଳିତ ଅଛି । ତା' ହେଲା -
                       ପାନଖିଆ ରସିକ ପାଟି ,
                  ଖୋଜି ବୁଲୁଥିଲା ରାଜାଙ୍କ ହାତୀ ,
                      ଢ଼ାଳି ଦେଇଗଲା ଶିରରେ ,
                     ରାଜା ହୋଇଗଲା ରଜରେ ।

         ସର୍ବଶେଷରେ କିବି , ଏ ପର୍ବ ଜାତି , ଧର୍ମ  , ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଉତ୍କଳୀୟଙ୍କର ଏକତାର ପର୍ବ ।  ଶତ୍ରୁତା ନାହିଁ , ମିତ୍ରତା ବୃଦ୍ଧି ; ରାଗରୁଷା ଆଉ ମାନ ଅଭିମାନକୁ ପଛକୁ ଠେଲି ଏଠି ଏ ପର୍ବରେ ଏକ ହେବାର ନିଆରା ପର୍ବ 'ରଜ'। ଯେଉଁ ପର୍ବ ସମସ୍ତଙ୍କୁ ଏକ କରି ଏକ ସୁନ୍ଦର ରାମରାଜ୍ଯଟିଏ ସୃଷ୍ଟି କରିପାରୁଛି , ଯେଉଁ ପର୍ବ ମନକୁ ଶାନ୍ତି ଓ ଶରୀରକୁ ବାଧାରୁ ମୁକ୍ତି ଦେଇପାରୁଛି ସେ ପର୍ବ ସତରେ ମହାନ । ଏଠି ପର୍ବୀ ଅପେକ୍ଷା ଏହି ପର୍ବକୁ ଯଥା ସମ୍ମାନ ମିଳିବା ଉଚିତ୍‌ । ଏପରି ପର୍ବ ପାଇଁ ଆମେ ଭାରତୀୟ ସତରେ ମହାନ ଓ ଗର୍ବିତ । ଆଧୁନିକତାର ଛାପରେ ଧିରେ ଧିରେ ରଜପର୍ବର ପୂର୍ବ ପରମ୍ପରା ହୃତ ହେବାରେ ଲାଗିଛି । ଉଗ୍ର ଆଧୁନିକତାର କୁପ୍ରଭାବରେ ଉତ୍କଳୀୟ ପରମ୍ପରା ଆଉ ସଂସ୍କୃତି ଜନମାନସରୁ ବିଲୋପ ହେବାରେ ଲାଗିଛି । "ବାର ମାସରେ ତେର ପର୍ବ" - ଏ ରୁଢ଼ିଟି ରୁଢ଼ିଟି ଏବେ ଇତିହାସ ହେବାକୁ ଯାଉଛି । ଆଧୁନିକ ସଂସ୍କୃତିକୁ ଆପଣାର କରି ଆମେମାନେ ପୂର୍ବ ପରମ୍ପରାର ଅବକ୍ଷୟ କରିଚାଲିଛେ । ଏବେ ଲାଗେ ସେବେର ମହକ ଆଉ ନାହିଁ  ।

    ପଲ୍ଲୀଗୀତର ତାଳେ ତାଳେ ଝୁମି ଦୋଳିରେ ଝୁଲିବାର ମଜା ବା ଆଉ କାହିଁ ? ସହରୀ ସଭ୍ଯତାରେ ପୁରା ବିଲୁପ୍ତ କହିଲେ ଚଳେ , ଗଛ ତ ନାହିଁ ଦୋଳି ଝୁଲିବ କୋଉଠି ? ବାଗୁଡ଼ି-କବାଡ଼ି ଖେଳିବାକୁ ନାହିଁ ନଈବାଲି କି ଆମ୍ବତୋଟା । ସହରର କଂକ୍ରିଟ୍‌ ଜଙ୍ଗଲ ଭିତରେ ଗୁଡ଼ି ଧରି ଉଡ଼ାଇବା ଜଟିଳସାଧ୍ଯ । କାଠର ଜାଳେଣୀକୁ ଚୁଲି ହଜିଗଲାଣି , ଗ୍ଯାସ୍‌ ଚୁଲା ଓ ଇଲେକଟ୍ରି ଓଭେନ୍‌ରେ ପ୍ରସ୍ତୁତ ପୋଡ଼ପିଠା ପୂର୍ବର ସ୍ବାଦ ସମୂହକୁ ଜୀବନରୁ ମାରି ଦେଇଛି । ସହରର ରଜପାନ କେବଳ ଗୋଟିଏ ସଉକ ଭାବେ ଜୀବନ ଧାରଣ କରିଛି , ଧୁକୁଧୁକୁ ହେଉଛି କେତେବେଳେ ସେ ବି ଇହଧାମ ତ୍ଯାଗ କରିବ । 

      ପର୍ବ କହିଲେ ବିଷ୍ଣୁ ପୁରାଣ ଅନୁସାରେ - "ଚତୁର୍ଦ୍ଦଶ୍ଯାଷ୍ଟମୀ ଚୈବ ଅମାବାସ୍ଯାଥ ପୂର୍ଣ୍ଣିମା ପର୍ବଣ୍ଯେ-ତାନି ରାଜେନ୍ଦ୍ର ! ରବି ସଂକ୍ରାନ୍ତି ରେବଚ ।" ଚତୁର୍ଦ୍ଦଶୀ , ଅଷ୍ଟମୀ , ଅମାବାସ୍ଯା , ପୂର୍ଣ୍ଣିମା , ରବି ସଂକ୍ରମଣ ବା ସଂକ୍ରାନ୍ତି - ଏହି ପାଞ୍ଚଟି "ପଞ୍ଚପର୍ବ" ନାମରେ ପ୍ରସିଦ୍ଧ । ରଜ ଉତ୍ସବ ମିଥୁନ ସଂକ୍ରାନ୍ତିକୁ ନେଇ ଅନୁଷ୍ଠିତ ହେଉଥିବାରୁ ଏହାକୁ ପର୍ବ କୁହାଯାଏ ବୋଲି ଶାସ୍ତ୍ରୀୟ ମତ ରହିଛି । ଶାସ୍ତ୍ରରେ କୁହାଯାଇଛି - "ଯସ୍ଯାଂ ସମୁଦ୍ର ଉତ ସିନ୍ଧୁରାପୋ , ଯସ୍ଯାମନ୍ନଂ କୃଷ୍ଟୟଃ ସଂବଭୂବୁଃ । ଯସ୍ଯାମିଦଂ ଜିନ୍ବତି ପ୍ରାଣଦେବଜତ୍‌ , ସା ନୋ ଭୂମିଃ , ପୂର୍ବପେୟେ ଦଧାତୁ ।" ଅର୍ଥାତ - ଯେଉଁ ପୃଥିବୀ ଉପରେ ସମୁଦ୍ର , ନଦୀ ଓ ଜଳ ଅଛନ୍ତି , ଯେଉଁଥିରେ ଅନ୍ନ ଓ ମାନବ ସୃଷ୍ଟିର ସତ୍ତା ଅଛି , ଯେଉଁଠି ସମସ୍ତେ ଆନନ୍ଦିତ ହୁଅନ୍ତି , ଶ୍ବାସ-ପ୍ରଶ୍ବାସ ନିଅନ୍ତି , ଜୀବ ବିଚରଣ କରନ୍ତି , ସେହି ଭୂମିକୁ ଆମେ ସମ୍ମାନ ଦେବା । ପୃଥିବୀ ପ୍ରତି ଏହି ସମ୍ମାନବୋଧ , କୃତଜ୍ଞତା ଓ ଚେତନତ୍ବର ଆରୋପ ହିଁ ରଜୋତ୍ସବର ମୂଳତତ୍ତ୍ୱ ।

       ରଜର ମୁଖ୍ଯାକର୍ଷଣ ରଜଦୋଳିରେ ଝୁଲି ପଦକୁ ପଦ ଯୋଡ଼ି ଗୀତ ଜାଇବା । ଏହାକୁ କେହି କେହି "ଡ଼ାଳଭଙ୍ଗା ଗୀତ" ବୋଲି ବି କହିଥା'ନ୍ତି । ଏହି ଦୋଳି କେବଳ ଆମୋଦ ପ୍ରମୋଦ ପାଇଁ ଉଦ୍ଦିଷ୍ଟ ନୁହେଁ , ମଣିଷ ଜୀବନ ପାଇଁ ଏହାର ଉପକାରିତା ବି ରହିଛି । ବର୍ଷା ଋତୁରେ ସବୁଜ ଗଛ ଡାଳରେ ଦୋଳି ବାନ୍ଧି ଝୁଲିବା ମାନସିକ ଓ ଶାରିରୀକ ସ୍ବାସ୍ଥ୍ୟ ପାଇଁ ଖୁବ୍‌ ଲାଭପ୍ରଦ । ଦୋଳି ସବୁ ଲିମ୍ବ , ଆମ୍ବ , ବର ଆଦି ବୃକ୍ଷରେ ଝୁଲା ଯାଇଥିବାରୁ ଶରୀରକୁ ପର୍ଯ୍ଯାପ୍ତ ଅମ୍ଳଜାନ ବି ମିଳେ । ଚାରିଆଡ଼େ ଖେଳି ଯାଉଥିବା ସତେଜତାର ବାସ୍ନା ମଣିଷ ଶରୀର ପାଇଁ ଉପକାରୀ । ପୋଡ଼ପିଠା ବି ବେଶ୍‌ ପୁଷ୍ଟିକର ଶରୀର ପାଇଁ । ତେଣୁ ଏ ପର୍ବ ଉପକାରୀ । ତେଣୁ ଏହି ପର୍ବଟିକୁ ସମସ୍ତ ଓଡ଼ିଆ ଭାଇ-ଭଉଣୀ ମାନେ ଆନନ୍ଦ ଉଲ୍ଲାସର ସହିତ ପାଳନ କରି ସୁଖ-ଶାନ୍ତିରେ ସହବସ୍ଥାନ କରନ୍ତୁ , ଏହା ହିଁ କାମନା । 

ସମ୍ପାଦକ - ଉଦୟ ଭାନୁ 
ଭାଟପଡ଼ା , ନିରାକାରପୁର , କଣାସ ,ପୁରୀ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା