ଭାରତୀୟ ସମୟ ଓ ସଂଖ୍ଯା ପଦ୍ଧତି
------------------------------------------
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
------------------------------------------------
ସମୟ ଏକ ଅମୂଲ୍ୟ ସମ୍ପଦ ; କାଳର ଅନ୍ଯ ନାମ ହେଲା ସମୟ । ସମୟ କାହାକୁ ଅପେକ୍ଷା କରେନି , ଅବିରାମ ଗତିରେ ଗତି କରି ଚ଼ାଲିଥାଏ ସେ ଆଗକୁ ଆଗକୁ । ତେଣୁ ଏହାର ସଦୁପଯୋଗ କରିବା ଉଚ଼ିତ ଏବଂ ପ୍ରତ୍ଯେକ ବ୍ଯକ୍ତି ଏହାର ମୂଲ୍ଯ ବୁଝିବା ଉଚ଼ିତ । ଆମେ ସାଧାରଣତଃ ଘଟଣା ଗୁଡ଼ିକୁ କ୍ରମାନ୍ୱୟ କରିବାକୁ ସମୟ ବ୍ଯବହାର କରୁ । ବସ୍ତୁର ଗତି ବା ପରିବର୍ତ୍ତନର ହାରକୁ ସୂଚ଼ୀତ କରାଯାଇଥାଏ ସମୟରେ । ସମୟକୁ ବିଜ୍ଞାପନର ଚ଼ତୁର୍ଥ ଆୟାମ ମଧ୍ଯ କୁହାଯାଏ । କୌଣସି ବାରମ୍ବାର ପରିବର୍ତ୍ତନ ହେଉଥିବା ଘଟଣାକୁ ଆଧାର କରି ସମୟ ମାପ କରାଯାଇଥାଏ । ଉଦାହରଣ ଗୋଟିଏ ସୂର୍ଯ୍ଯାସ୍ତରୁ ପର ସୂର୍ଯ୍ଯାସ୍ତ ଯାଏଁ ଗୋଟିଏ ଦିନ ହୋଇଥାଏ । ଅତି ପ୍ରାଚ଼ୀନ କାଳରେ ମଣିଷ ପଞ୍ଜିକା ବ୍ଯବହାର କରୁଥିଲା । ଏବେ ଯୁଗ ବଦଳିବା ସହ ଆମେ ସେକେଣ୍ଡ୍ର କୋଟି ଭାଗ ବି ହିସାବ କରିପାରୁଛୁ । ବିଜ୍ଞାନର ଅନ୍ତର୍ଜାତୀୟ ମାନକ ଅନୁସାରେ ସମୟର ଏକକ ହେଉଛି ସେକେଣ୍ଡ୍ । ୧୦୦୦ ବର୍ଷରେ ଏକ ସହସ୍ରାବ୍ଦୀ , ୧୦୦ ବର୍ଷରେ ଏକ ଶତାବ୍ଦୀ , ୧୦ ବର୍ଷରେ ଏକ ଦଶକ ହୋଇଥିବା ବେଳେ ୧ ବର୍ଷ ହୁଏ ୧୨ଟି ମାସରେ ଓ ୩୦ ଦିନରେ ଏକ ମାସ ହୁଏ ; ଏକ ବର୍ଷ ୩୬୫ ଦିନ ହିସାବ ହୁଏ । କେଉଁ ମାସ ୨୮ ତ କେଉଁ ମାସ ୨୯ ଓ କେଉଁ ମାସ ୩୦ ଦିନ ହୋଇଥାଏ ; ରୋମାନ ମାସ ଅନୁସାରେ ୧୪ ଦିନରେ ଏକ ପକ୍ଷ , କିନ୍ତୁ ଓଡ଼ିଆ ମାସାନୁସାରେ ୧୫ ଦିନରେ ଗୋଟିଏ ପକ୍ଷ ହୁଏ । ସାତଦିନରେ ଏକ ସପ୍ତାହ , ୨୪ ଘଣ୍ଟାରେ ଏକ ଦିନ, ୬୦ ମିନିଟ୍ରେ ଏକ ଘଣ୍ଟା , ୬୦ ସେକେଣ୍ଡ୍ରେ ଏକ ମିନିଟ୍ ହେବା ବେଳେ ୧/୧୦୦୦ ସେକେଣ୍ଡ୍ରେ ଏକ ମିଲି ସେକେଣ୍ଡ୍ , ୧/୧,୦୦୦,୦୦୦ ସେକେଣ୍ଡ୍ରେ ଏକ ମାଇକ୍ରୋସେକେଣ୍ଡ୍ ଏବଂ ୧/୧,୦୦୦,୦୦୦,୦ ସେକେଣ୍ଡ୍ରେ ଏକ ନାନୋସେକେଣ୍ଡ୍ ହୁଏ । ଘଣ୍ଟା , ବାଲିଘଡ଼ି ଓ ସୂର୍ଯ୍ୟଘଡ଼ି ହେଉଛି ସମୟ ମାପିବାର ଯନ୍ତ୍ର ।
ପୃଥିବୀର ଘୂର୍ଣ୍ଣନ ସାମାନ୍ୟ ଧିର ଥିବାରୁ ସମୟ ଓ ଆବର୍ତ୍ତନ ସହ ସମ୍ବନ୍ଧ ବଜାୟ ରଖିବା ଉଦ୍ଦେଶ୍ଯରେ ଏକ ଅଧିସେକେଣ୍ଡ୍ ଯୋଡ଼ା ଯାଉଛି । ଏହା ଲୋକମାନେ ତାଙ୍କ ଦୈନନ୍ଦିନ ଜୀବନରେ ବ୍ଯବହାର କରୁଥିବା କୋର୍ଡ଼ିନେଟେଡ୍ ୟୁନିଭରସାଲ୍ ଟାଇମ୍ କିମ୍ବା UTC ଅନୁସାରେ ସ୍ଥିର ହୋଇଛି । ଏ UTC ହେଲା ଆଣବିକ ସମୟ , ତାହା ସେସିୟମର ଅତିଆକଳନ ବୈଦ୍ଯୁତିକ - ଚୁମ୍ବକୀୟ ଅଣୁ ପରିବର୍ତ୍ତନ ଗୁଡ଼ିକ ଅତ୍ଯନ୍ତ ଭରସାଯୋଗ୍ୟ ଯେ ସେସିୟମ ଘଡ଼ି ୧,୪୦୦,୦୦୦ ବର୍ଷର ଏକ ସେକେଣ୍ଡ୍ ସହ ଠିକ୍ ସମାନ ।
ବାସ୍ତବରେ ଏକ ଦିବସ ସମାନ ୮୬,୪୦୦ ସେକେଣ୍ଡ୍ ; ମିନ୍ ସୋଲାର୍ ଡ଼େ ଯାହା ଦିନର ହାରାହାରି ଅବଧିକୁ ବୁଝାଏ । ଏହା ପୃଥିବୀର ଏକ ଆବର୍ତ୍ତନ କାଳ ଉପରେ ନିର୍ଭର କରେ । ଏହାର ଅବଧି ପ୍ରାୟ ୮୬,୪୦୦,୦୦୨ ଦୈର୍ଘ୍ଯ ଅଟେ । ପୃଥିବୀର ଆବର୍ତ୍ତନ ସମୟକ୍ରମେ ଧିର ହେଉଥିବା କାରଣରୁ ସୂର୍ଯ୍ଯ , ଚ଼ନ୍ଦ୍ର , ପୃଥିବୀ ମଧ୍ଯେ ମାଧ୍ଯାକର୍ଷଣ ବଳ ସହ ଏକ ବାଧା ଦେଉଥିବା ବଳ କଷାକଷି ହୁଏ । ବୈଜ୍ଞାନିକ ମାନଙ୍କ ଆକଳନନୁସାରେ ମିନ୍ ସୋଲାର୍ ଡ଼େ ୧୮୨୦ ମସିହା ଓ ତା' ପରଠୁ ୮୬,୪୦୦ ସେକେଣ୍ଡ୍ ଦୀର୍ଘ ହୋଇନି । ଏ ଦୁଇ ମିଲିସେକେଣ୍ଡ୍ ବ୍ଯବଧାନ ଏକ ସେକେଣ୍ଡ୍ର ଦୁଇ ହଜାର ଭାଗରୁ ଏକ ଭାଗ ଯାହା ଏକ ଆଖି ପଲକ ପଡ଼ିବା ଠାରୁ ବହୁତ କମ୍ । ଯଦି ଏହି ଛୋଟ ଅସଙ୍ଗତି ବାରମ୍ବାର ପ୍ରତ୍ଯେକ ଦିନ ଏକ ବର୍ଷକ ପାଇଁ ହୁଏ , ଏହା ବର୍ଷ ଶେଷକୁ ଏକ ସେକେଣ୍ଡ୍ ଭାବେ ଯୋଡ଼ା ହେବ । ସାଧାରଣ ଭାବେ ଘଡ଼ିର ସମୟ ୨୩:୫୯:୫୯ରୁ ପରଦିନ ୦୦:୦୦:୦୦କୁ ପରିବର୍ତ୍ତିତ ହୋଇଥାଏ । ୧୯୭୨ରୁ ପ୍ରଥମେ ଅଧିସେକେଣ୍ଡ୍ ଯୋଡ଼ା ହେବା ଆରମ୍ଭ ହୋଇଥିଲା । ୨୦୧୫ ଜୁନ୍ ୩୦ରେ ଯୋଡ଼ା ହୋଇଥିବା ଅଧିସେକେଣ୍ଡ୍ ୨୦୦୦ ମସିହା ପରଠୁ ଚ଼ତୁର୍ଥ ଥର ପାଇଁ ସରକାରୀ ଭାବେ ଯୋଡ଼ାଯାଇ ଗଣନା କରାଯାଇଛି । କାର୍ଯ୍ଯକାରୀ ଭାବେ ଅନେକ ସମୟ ଗଣକ ଯନ୍ତ୍ର/ କମ୍ପ୍ଯୁଟର ସିଷ୍ଟମ ଏକ ସେକେଣ୍ଡ୍ ପାଇଁ ବନ୍ଦ ରଖାଯାଏ । ଏ ଘଟଣା ସମୟ ହିସାବ କିତାବରେ ଏକ ବିଷମ ପରିସ୍ଥିତି ସୃଷ୍ଟି କରୁଥିବାରୁ ବିଶ୍ବର ଅନେକ ଲୋକ ଏହାକୁ ବିରୋଧ କରନ୍ତି ।
ଚ଼ନ୍ଦ୍ର ପୃଥିବୀର ଚ଼ତୁଃପାର୍ଶ୍ବେ ଥରେ ବୁଲି ଆସିବାକୁ ଲାଗୁଥିବା ସମୟକୁ "ଚ଼ାନ୍ଦ୍ରମାସ" କହନ୍ତି । ପୃଥିବୀର ଚ଼ାରିପଟେ ଚ଼ନ୍ଦ୍ରର ବାସ୍ତବିକ୍ ପରିକ୍ରମଣ ସମୟ ହେଲା ୨୭ ଦିନ ୨୭ ଘଣ୍ଟା ୪୩ ମିନିଟ୍ ୧୧. ୬ ସେକେଣ୍ଡ୍ ; ଏ ସମୟ ମଧ୍ଯେ ଚ଼ନ୍ଦ୍ରକଳାର ହ୍ରାସ - ବୃଦ୍ଧି (ଅମାବସ୍ୟାରୁ ପୂର୍ଣ୍ଣିମା ଯାଏଁ ଆକାର ପରିବର୍ତ୍ତନ) ହୁଏ । ବୈଦିକ ଜ୍ଯୋତିଷ ଗଣନାନୁସାରେ ପୂର୍ଣ୍ଣିମାର ପରଦିନ ଠାରୁ ପରବର୍ତ୍ତୀ ପୂର୍ଣ୍ଣିମା ଯାଏଁ ସମୟର ବ୍ଯବଧାନ ୨୯. ୫ ଦିନ ; ଏହି ହିସାବରେ ଚ଼ାନ୍ଦ୍ରମାସ ଗଣନା ହୁଏ । ଜ୍ଯୋତିଷ ମତରେ ଚ଼ନ୍ଦ୍ରର ଏହି ବାସ୍ତବିକ୍ ପରିକ୍ରମଣକୁ ୨୭ କିମ୍ବା ୨୮ ନକ୍ଷତ୍ରର କଳ୍ପନା କରାଯାଇଛି । ବୈଶାଖରୁ ଚ଼ୈତ୍ର ହେଲା ୧୨ଟି ଚ଼ାନ୍ଦ୍ରମାସ । ଚ଼ାନ୍ଦ୍ରମାସ କେବେ କେବେ ୨୭,୨୮,୨୮,୩୦ ଓ ୩୧ ଦିନ ହୁଏ । ୧୨ଟି ଚ଼ାନ୍ଦ୍ରମାସର ମୋଟ ସମୟ ୩୫୪ ଦିନ । ୧୨ଟି ଚ଼ାନ୍ଦ୍ରମାସ (୧ ବର୍ଷ) ସହ ଏକ ସୌରବର୍ଷର (୩୬୫ ଦିନ) ଗଣନାରେ ପ୍ରାୟ ୧୧ ଦିନର ପ୍ରାର୍ଥକ୍ଯ ଥାଏ । ପ୍ରାୟ ତିନିବର୍ଷ ଅନ୍ତରରେ ଏ ଅଧିକ ଏକମାସ ସମୟକୁ "ମଳମାସ" ଭାବେ ଗଣନା କରାଯାଏ ।
ଯଯାତିକେଶରୀଙ୍କ ରାଜତ୍ବ କାଳରୁ ଉତ୍କଳରେ ଏକ 'ସନ' ପ୍ରଚ଼ଳିତ ହେଉଛି ; ଭାଦ୍ରମାସ ଶୁକ୍ଳପକ୍ଷ ଦ୍ବାଦଶୀ ତିଥିରୁ ଏହି 'ସନ'ର ବର୍ଷ ଆରମ୍ଭ । ସେହିଦିନଟି ସମଗ୍ର ଉତ୍କଳରେ ସୁନିଆ ନାମରେ ଖ୍ଯାତ । ଦେଶୀୟ ଅବ୍ଦ ଗଣନା ଓ ଇଂରାଜୀ ଅବ୍ଦ ଗଣନା ମତେ କୌଣସି ସଂଖ୍ଯକ ଅବ୍ଦ ପୁର୍ବେ 'ସନ' ଶବ୍ଦ ଉଲ୍ଲେଖ ହୁଏ ଏବଂ ସାଧାରଣତଃ ସମସ୍ତ ପ୍ରକାର ଅବ୍ଦ ପରେ 'ସାଲ' ଶବ୍ଦ ଓ ଇଂରାଜୀ ଅବ୍ଦ ପରେ 'ମସିହା' ଲେଖାଯାଏ । ଉଦାହରଣ - (ଦେଶୀୟ ମତରେ) ସନ ୧୯୩୩ : ସାଲ , ସନ ୧୯୨୬ :ସାଲ ବା ନ ୧୯୨୬ ମସିହା/ (ଇଂରାଜୀ) ସନ ୧୯୩୮ : ମସିହା । କାରଣ ମୋହରିରମାନେ ଏ 'ସନ' ଓ 'ସାଲ' ଶବ୍ଦକୁ ଯଥାକ୍ରମେ 'ସ୍ନ' ଓ 'ସ୍ଲା' ବୋଲି ଲେଖନ୍ତି । ଅଧୁନା ପ୍ରଚ଼ଳିତ ସବୁ 'ସନ' ମାନଙ୍କ ମଧ୍ୟେ ପୁରାତନ ହେଲା "ସଂବତ୍ ବା ବିକ୍ରମାବ୍ଦ", ଯାହା ଖ୍ରୀ.ପୂ. ୫୭ ବର୍ଷ ଠାରୁ ଆରବ୍ଧ । ଏ ଶବ୍ଦର ପ୍ରଚ଼ଳନ ପ୍ରଥମେ ମାଳବ ଦେଶରେ ପ୍ରଚ଼ଳିତ ଥିଲା । ବିକ୍ରମାଦିତ୍ୟ (ମତାନ୍ତରେ କନିଷ୍କ) ଶକ ବା ହୁନ ମାନଙ୍କୁ ପରାଜିତ କରି ଭାରତରେ ରାଜ୍ୟ ବିସ୍ତାର କରିବା ବେଳେ ଏହି ଅବ୍ଦକୁ ରାଜ୍ୟରେ ଚ଼ଳାଇ ଥିଲେ । ଏହାକୁ ମାରୱାଡ଼ୀ ପଣ୍ଡିତମାନେ ବ୍ଯବହାର କରନ୍ତି । ଏହା ପ୍ରତିବର୍ଷ ଚ଼ୈତ୍ର ଶୁକ୍ଳପକ୍ଷ ପ୍ରତିପଦରୁ ଆରବ୍ଧ ହୋଇ ଚ଼ୈତ୍ର କୃଷ୍ଣପକ୍ଷ ଅମାବାସ୍ଯାରେ ସରେ ଏବଂ ଏହି ବର୍ଷର ମାସମାନ ଗୌଣଚ଼ାନ୍ଦ୍ରମାନ ଅନୁଯାୟୀ ଗଣା ହୁଏ । ସୌରମାନ ବର୍ଷ ଗଣନା କରିବାକୁ ଏଥିରେ ମଳମାସ ଗଣତି ହୁଏ , ଏ ବର୍ଷର ଦିନ ସଂଖ୍ଯା ୩୬ ଦିନ । ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଠାରୁ ଖ୍ରୀଷ୍ଟାବ୍ଦ ଗଣନ ହେଉଛି ଯାହା ଇଂରାଜୀ ସନ ବା ଖ୍ରୀଷ୍ଟିଆନ ସନ ଭାବରେ ପରିଚ଼ିତ ଅଟେ । ପାଶ୍ଚାତ୍ୟ ସଭ୍ୟ ଜଗତରେ ଏହି ଅବ୍ଦ "ଖ୍ରୀଷ୍ଟାବ୍ଦ" ପ୍ରଚ଼ଳିତ ।
ଏହା ଜାନୁଆରୀ ପହିଲାରୁ ଆରବ୍ଧ ହୋଇ ଡ଼ିସେମ୍ବର ଶେଷଦିନ (୩୧ ତାରିଖରେ) ଶେଷ ହୁଏ । ଏକବର୍ଷ ୩୬୫ ଦିନ ହୋଇଥିବା ବେଳେ ସୌରବର୍ଷର ଦିନ ସଂଖ୍ଯା ୩୬୫ ୧\୪ ଦିନ , ସୌରବର୍ଷ ସହିତ ଏହାକୁ ସମାନ କରିବାକୁ ପ୍ରତି ଚ଼ାରି ବର୍ଷରେ ପଡୁଥିବା ଗୋଟିଏ ଲେଖାଏଁ ଲିପ୍ ଇଅର୍ ବର୍ଷରେ ଫେବୃଆରୀ ମାସଟି ୨୮ ଦିନିଆ ନହୋଇ ୨୯ ଦିନିଆ ହୁଏ । ସେହି ବର୍ଷର ଦିନ ସଂଖ୍ଯା ୩୬୬ ହୁଏ ; ଏହି ଅବ୍ଦ ଦ୍ବାରା ଦଶା ଗଣନା ହୁଏ ବୋଲି ବରାହାର୍ଯ୍ଯ କହିଛନ୍ତି । ଆକବର ବାଦଶାହା ହଜ୍ରୀ ୯୬୩ : ସାଲ = ୧୪୭୮ ଶକାବ୍ଦରେ ପ୍ରବର୍ତ୍ତନ କରିଥିିଲେ "ଦ୍ବିଲ୍ଲୀଶ୍ବରାବ୍ଦ'' ; ଏହା ତାଙ୍କ ଦ୍ବାରା ଭାରତରେ ଚ଼ଳିଥିଲା ଓ ଏବେ ହିନ୍ଦୁ ମାନଙ୍କ ଗଣନାରେ ବି ଚ଼ଳୁଛି । ହିଜିରୀ ସନ ଚ଼ାନ୍ଦ୍ରମାନ ଗଣନାକ୍ରମେ ହେଉଥିବାରୁ ତା'ର ବର୍ଷକ ୩୫୪ ଦିନ ହୁଏ ଓ ତା' ହିନ୍ଦୁ ମାନଙ୍କୁ ସୌରମାନ ବର୍ଷଠୁ ୧୧ ଦିନ କମ୍ ହୁଏ । "ଉତ୍କଳାଦ" ବା ଓଡ଼ିଆ ସନ ହେଲା "ଦ୍ବିଲ୍ଲୀଶ୍ବରାବ୍ଦ'' ଓ ଏହା କନ୍ଯା (ଆଶ୍ବିନ) ମାସରେ ଆରବ୍ଧ ହୁଏ । "ବଙ୍ଗାବ୍ଦ" ବା ବଙ୍ଗୀୟ ସନ ମଧ୍ୟ ଆକବର ବାଦଶାହାଙ୍କ ପ୍ରବର୍ତ୍ତିତ ସନ ଓ ଚ଼ଟ୍ଟ ଗ୍ରାମରେ ପ୍ରଚ଼ଳିତ "ମଗୀ" ସନ ସୌରମାନ ଗଣନାରେ ଗୃହୀତ ହୁଏ ; କିନ୍ତୁ ଏହା ମହାବିଷୁବ ସଂକ୍ରାନ୍ତିଠୁ ଆରମ୍ଭ ନହୋଇ ତହିଁରେ ପରଦିନଠୁ ବୈଶାଖ ୧ ବୋଲି ଗଣାଯାଏ । ଓଡ଼ିଶା ସନରେ ସଂକ୍ରାନ୍ତି ସୌରମାସର ୧ ଦିନ , କିନ୍ତୁ ବଙ୍ଗଳା ସନରେ ସଂକ୍ରାନ୍ତି ପୂର୍ବବର୍ତ୍ତୀ ସୌରମାସର ଶେଷଦିନ ଅଟେ ।
ଫସଲ ଆମଦାନୀ ଅନୁସାରେ ଗଣନା ହେଉଥିବା ବର୍ଷକୁ "ଫସଲୀ ସନ" ବା "ଅମଳୀ ସନ" କହନ୍ତି ; ବଙ୍ଗ ଦେଶର ମହାବିଷୁବ ସଂକ୍ରାନ୍ତି ପରଠୁ ଓଡ଼ିଶାର ଭାଦ୍ର ଶୁକ୍ଳ ଦଶମୀ (ସୁନିଆ) ଠାରୁ ଓ ଉତ୍ତର ଭାରତରେ ୧ ଚ଼ନ୍ଦ୍ର ଆଶ୍ବିନ ଠାରୁ ଏହି ସନ ଗଣନା ହୁଏ । ଯେଉଁ ଫସଲୀ ସନ ୧ ସୌର ଆଶ୍ବିନ (କନ୍ଯା)ରୁ ଆରମ୍ଭ ହୁଏ , ତାହାକୁ "ବିଲାୟତୀ ସନ" କହନ୍ତି । ଓଡ଼ିଶାରେ ଦେବପୂଜାଦି "ବିଲାୟତୀ ସନ'' ଗଣନାକ୍ରମେ ଧରାଯାଏ ଏବଂ ଏହାର ସଂଖ୍ୟା ଗଣନା ସମ୍ରାଟ ଆକବରଙ୍କ ପ୍ରବର୍ତ୍ତିତ ସନ ଅନୁସାରେ ହୋଇଥାଏ । ଉତ୍ତର ଭାରତରେ "ଫସଲୀ ସନ" ଆଶ୍ବିନ ମାସ କୃଷ୍ଣ ପ୍ରତିପଦ ଠାରୁ ଆରମ୍ଭ ହୋଇଥାଏ ।
"ହିଜିରୀ ସନ"କୁ "ମୁସଲମାନୀ ସନ" ବା "ମହମ୍ମଦୀୟ ସନ" ବି କହନ୍ତି । ମହମ୍ମଦ ଶତ୍ରୁ ମାନଙ୍କ ଅତ୍ୟାଚ଼ାରରେ ମକ୍କା ଠାରୁ ମଦିନାକୁ ଯାତ୍ରା କରିବା ଦିନ (ଖ୍ରୀ. ୬୬୨ : ଜୁଲାଇ ୧ ତାରିଖ)ରୁ ଏହି 'ସନ'ର ଗଣନା ଆରମ୍ଭ ହେଲା । ଏହାର ଚ଼ାନ୍ଦ୍ରମାନ ବର୍ଷ ୧୨ : ଚ଼ନ୍ଦ୍ରୋଦୟର ଏକ ବର୍ଷ = ୩୫୪ ଦିନ । ଅମାବାସ୍ଯା ପରେ ପ୍ରଥମେ ଯେଉଁଦିନ ସନ୍ଧ୍ୟାରେ ଦ୍ବିତୀୟା ଚ଼ନ୍ଦ୍ର ଦୃଶ୍ୟ ହୁଅନ୍ତି , ସେହି ଦିନର ପରଠୁ ମାସର ଗଣନା ଆରମ୍ଭ ହୋଇ ତା' ପରବର୍ତ୍ତୀ ଦ୍ବିତୀୟାର ଚ଼ନ୍ଦ୍ର ଦର୍ଶନ ଯାଏଁ ଏକମାସ ହୁଏ । ପୁରୀ ରାଜାମାନେ "ବୀର ଶ୍ରୀ ଗଜପତି ଗୌଡ଼େଶ୍ବର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ବର" ଥିବା କାଳରୁ ପ୍ରତି ରାଜାଙ୍କ ରାଜତ୍ବର ଆରମ୍ଭରୁ ପୁରୀ ଗଜପତି ରାଜାଙ୍କ ଅଙ୍କ ଗଣନା କରାଯାଏ । ଏହି ଅଙ୍କ ପ୍ରତି ବର୍ଷ ସୁନିଆଁ (ଭାଦ୍ର ଶୁକ୍ଳ ଦଶମୀ)ରୁ ଗଣନା କରାହୁଏ , କିନ୍ତୁ ଦିନର ଗଣନା ସୌର ଗଣନା ଅଟେ । ଉଦାହରଣ - ଚ଼ାନ୍ଦ୍ର ଭାଦ୍ର ମାସ = ସୌର ସିଂହ ମାସ , ଆଶ୍ବିନ = କନ୍ଯା , କାର୍ତ୍ତିକ = ତୁଳା । ଏହି 'ସନ'ର ବିଶେଷତ୍ୱ ସୌର କନ୍ଯା ମାସର ଯେଉଁଦିନ ସୁନିଆଁ ପଡ଼ିବ , ସେହିଦିନ ସେହି ତାରିଖ ଧରିବାକୁ ହେବ ; ତା' ପୂର୍ବଦିନ ପୂର୍ବଦିନ ପୂର୍ବବର୍ତ୍ତୀ ଅଙ୍କନ ପୂର୍ବ ତାରିଖ ଧରାଯାଏ । ନୂଆ ରାଜାଙ୍କ ରାଜତ୍ବରେ ୧ମ ବର୍ଷ ୩ ଅଙ୍କ ବୋଲି ଗଣାଯାଏ ; ତା'ପରେ ୬,୧୬,୨୬,୩୬,୪୬,୫୬ ଇତ୍ଯାଦି ସଂଖ୍ୟା ଗଣନା କରାଯାଏନି । ଅର୍ଥାତ୍ ୫ ଅଙ୍କ ପରେ ୭ ଅଙ୍କ , ୧୫ ଅଙ୍କ ପରେ ୧୭ ଅଙ୍କ , ୨୫ ଅଙ୍କ ପରେ ୨୭ ଅଙ୍କ ଗଣାଯାଏ ; ୧ ଅଙ୍କ ଗଣାଯାଏ । କିନ୍ତୁ ୨୨ : ୩,୪,୫,୧ ଆଦି ୧ ଥର ଗୁଣିତକ ଅଙ୍କ ମାନଙ୍କ ସଂଖ୍ୟା ଗଣାଯାଏନି ; ଅର୍ଥାତ୍ ୧୯ ପରେ ୨୧ , ୨୯ ପରେ ୩୧ ଅଙ୍କ ଗଣାଯାଏ ।
ସମୟର ଏକକ "ନିମିଷ" ପ୍ରଥମେ ହିନ୍ଦୁଧର୍ମ ମାନବୀୟ ଆଚ଼ରଣରୁ ଉଦ୍ଭାବନ ହୋଇଥିଲା । ଥରେ ଚ଼କ୍ଷୁର ପଲକ ପଡ଼ିବାକୁ ଏକ "ନିମିଷ" ନିର୍ଦ୍ଧାରିତ କରିଥିଲେ ବିଜ୍ଞାନୀ । ସେହି ଅନୁସାରେ ୧୮ ନିମିଷରେ ଗୋଟିଏ କାଷ୍ଟ , ୩୦ କାଷ୍ଟରେ ଏକ କଳା , ୩୦ କଳାରେ ଏକ କ୍ଷଣ ଏବଂ ୧୨ କ୍ଷଣରେ ଏକ ମୁହୂର୍ତ୍ତ ନିର୍ଦ୍ଧାରଣ କରାଯାଇଥିଲା । ପୁନରାୟ ୩୦ ମୁହୂର୍ତ୍ତରେ ଗୋଟିଏ ଦିନ ଓ ଗୋଟିଏ ରାତି ଅର୍ଥାତ୍ ୨୪ ଘଣ୍ଟା ନିର୍ଦ୍ଧାରିତ ହୋଇଥିଲା । ଏହି ଏକ ବର୍ଷରେ ଛ୍ ଋତୁ ମଧ୍ୟ ସ୍ଥିର ହୋଇଛି । ସେହି ଅନୁସାରେ ଚ଼ାରିଯୁଗ ସତ୍ଯ , ତ୍ରେତା ,ଦ୍ବାପର ଓ କଳି ସହ ସବୁ ଯୁଗ ଉପରେ ଏକ ମହାଯୁଗର ବି କଳ୍ପନା କରାଯାଇଥିଲା ।
ବର୍ତ୍ତମାନ ଆମେ ବ୍ଯବହାର କରୁଥିବା ସଂଖ୍ୟା ପ୍ରଣାଳୀ ଦଶଟି ସଂଖ୍ଯା ଉପରେ ତଥା ୧,୨,୩,୪,୫,୬,୭,୮,୦ ଆଧାରିତ । ଏହି ସଂଖ୍ଯା ପଦ୍ଧତି ପ୍ରଥମେ ଭାରତୀୟ ମାନଙ୍କ ଦ୍ୱାରା ପରିକଳ୍ପିତ ଓ ପରେ ଆରବ ଦେଶ ସମୂହରେ ପ୍ରଚ଼ଳିତ ହୋଇଥିଲା । ସେଲାଗି ଏହି ସଂଖ୍ଯା ପ୍ରଣାଳୀର ନାମ "ହିନ୍ଦୁ-ଆରବିକ ସଂଖ୍ୟା ପ୍ରଣାଳୀ" । ଦଶମିକ ପଦ୍ଧତି ସଂଖ୍ୟା ପ୍ରଣାଳୀକୁ ଅଧିକ ସହଜ ଓ ବୋଧଗମ୍ୟ କରିପାରିଛି । ଇତିହାସ କହେ ତୃତୀୟ ଶତାବ୍ଦୀର ମଧ୍ୟଭାଗରେ ଭାରତୀୟ ସଂଖ୍ୟା ପ୍ରଣାଳୀର ବ୍ଯବହାର ବ୍ରାହ୍ମୀ ଲିପିରେ ଦେଖିବାକୁ ମିଳେ । ଅବଶ୍ଯ ପରବର୍ତ୍ତୀ କାଳରେ "ସ୍ଥାନୀୟ ମାନ"ର ବିକାଶ ଓ ବ୍ଯବହାର ହୋଇଛି । ଖ୍ରୀ.ପୂ. ୪୯୮ରେ ଭାରତୀୟ ଖଗୋଳ ବିଜ୍ଞାନୀ ତଥା ଗଣିତଜ୍ଞ ଆର୍ଯ୍ୟଭଟ୍ଟ ପ୍ରକାଶ କରିଥିଲେ - "ସ୍ଥାନମ୍ ସ୍ଥାନମ୍ ଦଶ ଗୁଣମ୍" , ଅର୍ଥାତ୍ ସଂଖ୍ୟା ପଦ୍ଧତିର ପ୍ରତି ସ୍ଥାନୀୟ ମାନ ଦଶ ଗୁଣ ହିସାବରେ ବୃଦ୍ଧି/ହ୍ରାସ ହେବ । ଏହା ସତରେ ଦଶମିକ ପଦ୍ଧତିର ସୃଷ୍ଟି । ପ୍ରାଚ଼ୀନ ଭାରତରେ ଚ଼ାରି ପ୍ରକାରର ସାଂଖ୍ଯିକ ପଦ୍ଧତିର ବିକାଶ ଦୃଶ୍ୟମାନ । ତା' ହେଲା - "ଖରୋଷ୍ଟି , ବ୍ରାହ୍ମୀ , ସାଙ୍କେତିକ ଏବଂ ଆକ୍ଷରିକ ; ଉତ୍ତର - ପଶ୍ଚିମ ଭାରତରେ ବିଶେଷ ଭାବେ "ଖରୋଷ୍ଟି" ଲିପି ପ୍ରଚ଼ଳିତ ଥିଲା ।
ସଂଖ୍ଯା ପ୍ରଣାଳୀରେ ଶୂନ(୦) ସଂଖ୍ଯାକୁ ଭାରତର ଅବଦାନ କୁହାଯାଏ । ଶୂନର ପରିକଳ୍ପନା ହିଁ ସଂଖ୍ୟା ଜଗତର ଗଣନା ପଦ୍ଧତିକୁ ସହଜ କରିପାରିଛି । ଜଣାଯାଏ ଭାରତୀୟ ଗାଣିତିକ ବ୍ରହ୍ମଗୁପ୍ତ ସପ୍ତମ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଶୂନ ସଂଖ୍ୟା ସହ ଅନ୍ୟ ସଂଖ୍ୟା ମାନଙ୍କର ପ୍ରାଥମିକ ଗାଣିତିକ କ୍ରିୟା ମିଶାଣ , ଫେଡ଼ାଣ , ଗୁଣନ , ହରଣ ବିଷୟରେ ଆଲୋକପାତ କରିଥିିଲେ ; ପରବର୍ତ୍ତୀ କାଳରେ ଭାରତୀୟ ସଂଖ୍ୟା ଜଗତର ବିକାଶ ହୋଇ ସଂଖ୍ୟା ମାନଙ୍କ ବିଭାଗ ସୃଷ୍ଟି କରାଯାଇଛି । ଫଳରେ ପ୍ରକାରଭେଦରେ ପୂର୍ଣ୍ଣ ସଂଖ୍ଯା , ଭଗ୍ନାଂଶ , ପ୍ରାକୃତିକ ସଂଖ୍ୟା , ପରିମେୟ ସଂଖ୍ଯା , ଅପରିମେୟ ସଂଖ୍ଯା , ବାସ୍ତବ ସଂଖ୍ୟା , ଅବାସ୍ତବ ସଂଖ୍ୟା , ମୌଳିକ ଓ ଯୌଗିକ ସଂଖ୍ୟା ପ୍ରଭୃତିର ପରିଭାଷା ସରଳ ହୋଇପାରିଛି । ଶୂନ ସଂଖ୍ୟା ମୌଳିକ କି ଯୌଗିକ ନୁହେଁ ; ଏହାଦ୍ୱାରା ବିଭାଜନ ପ୍ରକ୍ରିୟା ଅସମ୍ଭବ ଅଥବା ଅବାସ୍ତବ । ଏହାଦ୍ୱାରା କୌଣସି ସଂଖ୍ଯାର ଗୁଣଫଳ ମଧ୍ୟ ଶୂନ ହୁଏ ।
ତେବେ ସମୟ ଓ ସଂଖ୍ଯା ହିସାବ ଆମ ଭାରତୀୟ ଜ୍ଯୋତିଷ , ବିଜ୍ଞାନ ଓ ଗଣିତ ଶାସ୍ତ୍ରକୁ ସମୃଦ୍ଧି ଓ ସରଳ କରିବା ସହ ଆମକୁ ସବୁ କ୍ଷେତ୍ରରେ ମଧ୍ୟ ସହାୟତା ପ୍ରଦାନ କରିପାରିଛି ।
%%%%%%%%%%%%%%%%%%%%%%%%%
ଭାଟପଡ଼ା, ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ୮୯୧୭୪୮୦୫୩୬
%%%%%%%%%%%%%%%%%%%%%%%%%
Comments
Post a Comment