ପଥ ପ୍ରଦର୍ଶକ ପୁରାଣ
**********************************
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
****************************** ****
ପୁରୁଣା କଥା ହିଁ ପୁରାଣ , ଅର୍ଥାତ୍ ପୁରାଣ କହିଲେ ପୁରୁଣା , ଅତି ପ୍ରାଚ଼ୀନ ପୁରାତନ ଗାଥା , କ୍ଷୟପ୍ରାପ୍ତ ଜୀର୍ଣ୍ଣ , ଅତି ପ୍ରାଚ଼ୀନ ବିବରଣ ; ଆଶା କରେ ବୁଝି ପାରୁଥିବେ । ଅନ୍ଯର୍ଥରେ କହିଲେ ବେଦର ସଂହିତା ଓ ବ୍ରାହ୍ମଣ ନାମକ ଭାଗରେ ରାଜା ଓ ଅପରାପର ବ୍ଯକ୍ତି ମାନଙ୍କ ସମ୍ବନ୍ଧରେ ଦୃଶ୍ଯମାନ ଆଖ୍ଯାୟିକକୁ ପୁରାଣ କହନ୍ତି । ଅର୍ଥାତ୍ ଅତି ପ୍ରାଚ଼ୀନ କାଳରେ ପ୍ରସିଦ୍ଧ ବ୍ଯକ୍ତି , ସମାଜ , ଧର୍ମ , ଦେବାଦେବୀ ଆଦିଙ୍କ ଜନ୍ମ ଓ କ୍ରିୟାକଳାପ ଆଦି ଅବଲମ୍ବନରେ ରଚ଼ିତ ଆଖ୍ଯାୟିକା ହେଉଛି ପୁରାଣ । ଏହି ପୁରାଣକୁ ତିନି ଭାଗରେ ବିଭକ୍ତ କରାଯାଇଛି । ତାହା ହେଲା ମହାପୁରାଣ , ଉପପୁରାଣ , ଅତିରିକ୍ତ ପୁରାଣ । ମହାପୁରାଣ ଗୁଡ଼ିକ ହେଲେ "ବ୍ରହ୍ମ , ପଦ୍ମ , ବିଷ୍ଣୁ , ଶିବ (ମତାନ୍ତରେ ବାୟୁ) , ଭାଗବତ , ନାରଦୀୟ , ମାର୍କଣ୍ଡେୟ , ଭବିଷ୍ଯ , ଅଗ୍ନି , ବ୍ରହ୍ମବୈବର୍ତ୍ତ , ଲିଙ୍ଗ , ବରାହ , ସ୍କନ୍ଦ , ବାମନ , କୂର୍ମ , ମତ୍ସ୍ଯ , ଗରୁଡ଼ ଓ ବ୍ରହ୍ମାଣ୍ଡ ପୁରାଣ" । ଅତିରିକ୍ତ ପୁରାଣ ଗୁଡ଼ିକ ହେଲେ "ନନ୍ଦିକେଶ୍ବର , ଶୁକ୍ର , ବଶିଷ୍ଠ , ଭାଗୁରି , ମନୁ , ବାୟୁ , ମାହେଶ , କଳ୍କୀ , ଶୈବ , ଆଦିତ୍ୟ , ଆଦି , ଶମ୍ଭୁ , ବିଶିଷ୍ଟକୃତ ଲିଙ୍ଗ , ବିଷ୍ଣୁ ଧର୍ମୋତ୍ତର , ବୃହଦ୍ଧର୍ମ , ଧର୍ମ , ଗୌରୀ , ନୀଳ , ଆତ୍ମ , ଗଣେଶ , ବିଷ୍ଣକେଶରୀ , ଭାଗବତଭୂଷଣ , ଭାଗବତାମୃତ , ଭାଗବତାମୃତସାର , ମହାଭାଗବତ , କାଳୀ , ଦେବୀ , ଭାସ୍ବର , ପୁରୁଷୋତ୍ତମପ୍ରସାଦ" । ଉପପୁରାଣ ଗୁଡ଼ିକ ହେଲେ "ସନତ କୁମାର , ନରସିଂହ , ନାରଦ , ଶୈବଧର୍ମ , ଦୁର୍ବାସା , ନାରଦୀୟ , କପିଳ , ମାନବ , ଔଶନସ , ବ୍ରହ୍ମାଣ୍ଡ , ବାରୁଣ , କାଳିକା , ମାହେଶ୍ୱର , ସାମ୍ବ , ସୌର , ପରାଶର , ମାରୀଚ଼ ଏବଂ ଭାର୍ଗବ (ପ୍ରକାରାନ୍ତରେ ଦେବୀ ଭାଗବତ) ପୁରାଣ" । ଅଷ୍ଟାଦଶ ପୁରାଣର ନାମ ଉଲ୍ଲେଖ କରିବା ପାଇଁ ବିଦ୍ବାନମାନେ ପଢ଼ୁଥିବା ଶ୍ଳୋକଟି ହେଉଛି - " 'ମ' ଦ୍ବୟଂ 'ର' ଦ୍ବୟଂ ଚୈବ 'ବ୍ର' କ୍ରୟଂ 'ବ' ଚ଼ତୁଷ୍ଟାୟଂ 'ଅ' 'ନା' 'କୃ' 'ସ୍କା' 'ପ' 'ଲି' 'ଗ୍ର' 'ନି' ପୁରାଣାନି ବୁହୁର୍ବଧାଃ ।" ଖ୍ରୀଷ୍ଟ ୫ମ ଶତାବ୍ଦୀରେ ଭାରତୀୟ ହିନ୍ଦୁମାନେ ଜାଭା ଓ ବାଲି ଦ୍ବୀପରେ ଉପନିବେଶ ସ୍ଥାପନ କରିଥିଲେ , ସେଠାରେ ବ୍ରହ୍ମାଣ୍ଡ ପୁରାଣ ଗ୍ରନ୍ଥ ମିଳିଛି ।
ହିନ୍ଦୁ ମାନଙ୍କ ଅନୁକରଣରେ ଜୈନମାନେ ବି ବହୁ ପୁରାଣ ରଚ଼ନା କରିଥିଲେ ; ଜୈନତୀର୍ଥଙ୍କରଙ୍କର ରଚ଼ିତ ୨୪ଟି ଜୈନ ପୁରାଣ ମିଳୁଛି । ବୌଦ୍ଧ ଗ୍ରନ୍ଥ ମାନଙ୍କରେ ପୁରାଣର ଉଲ୍ଲେଖ ନାହିଁ , କିନ୍ତୁ ତିବ୍ବତ ଓ ନେପାଳର ବୌଦ୍ଧମାନେ ୯ଟି ପୁରାଣ ବା ନବଗ୍ରନ୍ଥ ଯଥା - "ପ୍ରଜ୍ଞାପାରମିତା , ଗଣ୍ଡୁବ୍ଯୁହ , ସମାଧିରାଜ ଲଙ୍କାବତାର , ତଥାଗତଗୁହ୍ଯକ , ସଦ୍ଧଧର୍ମ ପୁଣ୍ଡରୀକ , ଲଳିତବିସ୍ତର ,ସୁବର୍ଣ୍ଣପ୍ରଭା , ଦଶଭୂମୀଶ୍ବର (ହିନ୍ଦୀ)"କୁ ସ୍ବୀକାର କରନ୍ତି । ସମସ୍ତ ପୁରାଣ ମଧ୍ୟେ ସବୁଠୁ ବଡ଼ ପୁରାଣଟି ହେଉଛି "ସ୍କନ୍ଦ ପୁରାଣ" , ଯାହାର ଶ୍ଳୋକ ସଂଖ୍ଯା ହେଉଛି ୮୮୧୦୦ ;ଏହି ପୁରାଣକୁ ସ୍କନ୍ଦ ଓ ଶିବ କହିଥିବାରୁ ଏହାର ଏପରି ନାମକରଣ । ଏହା ସାତ ଖଣ୍ଡରେ ବିଭକ୍ତ , ଯଥା - "ମହେଶ୍ୱର , ବୈଷ୍ଣବ , ବ୍ରହ୍ମା , କାଶୀ , ଅବନ୍ତି , ନଗର ଓ ପ୍ରଭାସ" । କାର୍ତ୍ତିକ ଦେବସେନାର ନିୟନ୍ତ୍ରଣକାରୀ ଓ ତାଡ଼କାସୁରର ହତ୍ଯାକାୟୀ । ସଂସ୍କୃତ ପୁରାଣ ମାନଙ୍କ ମଧ୍ୟରୁ କେବଳ ଏହି "ସ୍କନ୍ଦ ପୁରାଣ"ର "ଉତ୍କଳ ଖଣ୍ଡ" (ବା ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ)ରେ ପୁରୁଷୋତ୍ତମ କ୍ଷେତ୍ରର ବିଷୟବସ୍ତୁ ଓ ପ୍ରଭୁ ଜଗନ୍ନାଥ ଚ଼ରିତ୍ରର ତୁଳନାତ୍ମକ ଭାବରେ ବିସ୍ତୃତ ବର୍ଣ୍ଣନା ରହିଛି । ଏହି ପୁରାଣର ପ୍ରଣେତା ମହର୍ଷି ବ୍ଯାସଦେବ ହେଲେ ହେଁ ପରବର୍ତ୍ତୀ କାଳରେ "ଉତ୍କଳ ଖଣ୍ଡ" ରଚ଼ିତ ବୋଲି ଜଣାଯାଏ । ବିଦ୍ବାନ ରେଖକ ତଥା ଗବେଷକ ମାନଙ୍କ ମତକୁ ବିଚ଼ାର କରି ଏ ଖଣ୍ଡର ରଚ଼ନାକାଳ ଖ୍ରୀଷ୍ଟାବ୍ଦ ୮୦୦ରୁ ୧୩୦୦ ମଧ୍ୟରେ ସ୍ଥିର କରା ଯାଇପାରେ । ଏ ପୁରାଣର ପାଣ୍ଡୁଲିପି ନେପାଳ , ତାମିଲ୍ନାଡୁ , ଭାରତର ଅନ୍ଯ କେତେକ ସ୍ଥାନରୁ ମିଳିଛି । ୧୯୧୦ ମସିହାରେ ସାତଟି ଖଣ୍ଡ ବିଶିଷ୍ଟ ଏହାର ଏକ ସଂସ୍କରଣ ମୁଦ୍ରିତ ହୋଇଥିଲା । ୧୯୯୯ରୁ ୨୦୦୩ ମସିହା ମଧ୍ୟରେ ନୂଆଦିଲ୍ଲୀର ମୋତିଲାଲ ବନାରସୀ ଦାସଙ୍କ ଦ୍ବାରା ୨୦ଟି ଭାଗରେ ୭ ଖଣ୍ଡ ବିଶିଷ୍ଟ ଏ ପୁରାଣ ଗ୍ରନ୍ଥ ମୁଦ୍ରିତ ହୋଇଥିଲା ।
ଜନ୍ମ - ମୃତ୍ୟୁ ଚ଼ିରନ୍ତନ ସତ୍ଯ । ମୃତ୍ୟୁ ପରର ଘଟଣା , ମୃତ୍ୟୁ ପରେ ଆତ୍ମା ପରଲୋକ ଗମନ କରେ କି ନା , ମଣିଷର ପୁନର୍ଜନ୍ମ ବାସ୍ତବ ନା ନୁହେଁ ଏସବୁ ପ୍ରଶ୍ନ ଆଜିଯାଏଁ ବିଜ୍ଞାନ ବି ଖୋଜି ପାଇନି ; ଗରୁଡ଼ ପୁରାଣରେ କିନ୍ତୁ ଏସବୁ ଉପରେ କିଛି କଥା ମିଳେ । ୧୮ଟି ମହାପୁରାଣ ମଧ୍ୟରେ ଏହି ପୁରାଣଟି ଅଛି ; ଏଥିରେ ଗରୁଡ଼ ପକ୍ଷୀ ଓ ଭଗବାନ ବିଷ୍ଣୁଙ୍କ ମଧ୍ୟେ କଥା ଆଦାନ ପ୍ରଦାନକୁ ନେଇ ମଣିଷ ଜୀବନ ଉପରେ କିଛି କୁହାଯାଇଛି । ଏଥିୟେ ବିସ୍ତୃତ ବର୍ଣ୍ଣନା ରହିଛି , ସେଲାଗି ଜୀବିତାବସ୍ଥାରେ ଏହି ପୁରାଣ ପଠନକୁ ବାରଣ ବୋଲି କୁହାଯାଏ । ଏହା ଏକ ଭ୍ରାନ୍ତ ଧାରଣା ; ଜୀବିତାବସ୍ଥାରେ ପ୍ରବନ୍ଧ ତ ମଲା ପରେ କେମିତି ପଢ଼ିବ ? ନିସ୍ତେଜ ଶରୀର କେବେ ପ୍ରାଣ ପଢ଼ି ପାରିବ ନା ଆତ୍ମା ଆସି ପଢ଼ିବ ? ପ୍ରବନ୍ଧ ତ ଜାଣିବ କ'ଣ ? ତେବେ ଏ ପୁରାଣ ଲେଖାଯାଇଛି କାହିଁକି ? ଏଥିରୁ ଅନେକ କିଛି ଜାଣିବାକୁ ମିଳେ । ଆତ୍ମା ବିଷୟରେ ଅନେକ କିଛି ମିଳେ , ଯାହା ରୋଚ଼କପୂର୍ଣ୍ଣ । ପରେ କେବେ ଆଲୋଚ଼ନା କରିବା ଏହା ଉପରେ । ଏହି ପୁରାଣ ବ୍ଯାସଦେବଙ୍କ ଦ୍ବାରା ରଚି଼ତ ଏବଂ ୨୭୯ଟି ଅଧ୍ୟାୟରେ ୧୮୦୦୦ଟି ଶ୍ଳୋକ ରହିଛି ।
ଆଉ ଏକ ପୁରାଣ ହେଲା "ଭବିଷ୍ଯ ପୁରାଣ" , ଯାହା ଏକ ରହସ୍ୟମୟ ପୁରାଣ ; କିଛି ଲୋକଙ୍କ ମତରେ ଏହାର ନାମ "ଆଧୁନିକ ପୁରାଣ" ଅଟେ । ବାସ୍ତବର ଏହା ସେୟା ନୁହେଁ । ଏହି ପୁରାଣ ଚ଼ାରିଟି ଯଥା - ବ୍ରହ୍ମ , ମଧ୍ୟମ , ପ୍ରତିସର୍ଗ ଓ ଉତ୍ତରା ପର୍ବରେ ବିଭକ୍ତ ଏବଂ ଏହାୟ ଶ୍ଳୋକ ସଂଖ୍ଯା ମୋଟ ୫୦,୦୦୦ ; ଏବେ ମାତ୍ର ୨୮୦୦୦ ଶ୍ଳୋକ ଅଛି । ଅର୍ଥାତ୍ ଏଥିରୁ ୨୨୦୦୦ ଶ୍ଲୋକ କେଉଁଆଡ଼େ ଗାଏବ । ବ୍ରହ୍ମ ପର୍ବଟି ମହର୍ଷି ବେଦବ୍ୟାସ , ଶିଷ୍ଯ ସୁମନ୍ତୁ ଓ ରାଜା ସନାତନୀଙ୍କ ବାର୍ତ୍ତାଳାପ ଉପରେ ପର୍ଯ୍ଯବେଶିତ ହୋଇଥିବା ବେଳେ ଏଥିରେ କାଳର ଗଣନା , କଳିଯୁଗ ସୃଷ୍ଟିର ବର୍ଣ୍ଣନା , ସ୍ୱଚ୍ଛ ଓ ଦୁରାଚ଼ାର ସମ୍ବନ୍ଧରେ ଆଲୋଚ଼ନା କରାଯାଇଛି । ଏହା ସହ ପଞ୍ଚ ତୀର୍ଥ ଓ ଯଜ୍ଞ ସମ୍ପର୍କରେ ଲେଖା ଅଛି । ସେହିପରି ମଧ୍ୟମ ପର୍ବରେ ଗ୍ରହ-ନକ୍ଷତ୍ର ମାନଙ୍କ ବିଷୟରେ ଲେଖା ହେବା ସହିତ ସମୁଦ୍ର ଶାସ୍ତ୍ର ଆଉ ସ୍ତ୍ରୀ-ପୁରୁଷଙ୍କ ଶାରୀରିକ ସମ୍ପର୍କ ବିଷୟରେ ଲେଖା ଅଛି । ଏହାର ପ୍ରତିସର୍ଗ ପର୍ବ ରହସ୍ୟମୟ ପର୍ବ ବା ଅଧ୍ୟାୟ ; ଏଥିରେ ସତ୍ୟ ଯୁଗର ରାଜାଙ୍କ ସମ୍ପର୍କରେ ଓ ସୂର୍ଯ୍ୟବଂଶୀ ରାଜା ମାନଙ୍କ ସମ୍ପର୍କରେ ଲେଖା ଅଛି । ଯେତେବଳେ ବାବର ଭାରତକୁ ଆସି ଏହି ପୁରାଣଟି ବିଷୟରେ ଜାଣିଲା , ସେ ଏହାକୁ ଲାଭ କରି ଏଥିର ଶ୍ଳୋକ ଗୁଡ଼ିକର ଅନୁବାଦ କରାଇଥିଲା ଓ ତାକୁ ବୁଝିଥିଲା । ତା'ପରେ ସେ ସ୍ତବ୍ଧ ହୋଇଗଲା , କାରଣ ଏଥିରେ ବାବରର ଭାରତ ପ୍ରବେଶ ବିଷୟରେ ବର୍ଣ୍ଣନା ଥିଲା ; ଏହା ସହ ବ୍ଯର୍ଥ ନେଇ ଏଭଳି ଏକ ତଥ୍ୟ ଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଏଥିରେ ବାବରର ଅବନତି ବିଷୟରେ ଲେଖା ଥିବା ଦେଖି ସେ କ୍ରୋଧ ସମ୍ବରଣ କରି ନପାରି ପ୍ରାନ୍ତରୁ ପୋଡ଼ି ଦେଇଥିଲା । ଏହାକୁ କୌଣସିମତେ ଉଦ୍ଧାର କରାଗଲା ସତ , ମାତ୍ର ଏହା ପୂର୍ବରୁ ପୁରାଣର କିଛି ଭାଗ ପୂରାପୂରି ଜଳି ଯାଇଥିଲା । ତେଣୁ ଭବିଷ୍ଯ ପୁରାଣ ଅଧା ।
ସୃଷ୍ଟିର ଆରମ୍ଭରେ ବ୍ରହ୍ମା କେବଳ ଗୋଟିଏ ପୁରାଣ ରଚ଼ନା କରିଥିଲେ , ଯାହାର ୧୦୦ କୋଟି ଶ୍ଲୋକ ଥିଲା ; ଏହା ବିଶାଳାକାର ଓ ପଢ଼ିବା କଠିନ ଥିଲା । ଦ୍ବାପର ଯୁଗରେ ଭଗବାନ ବେଦବ୍ୟାସ ଏହାକୁ ୪ ଲକ୍ଷ ଶ୍ଳୋକରେ ୧୮ଟି ପୁରାଣରେ ବିଭକ୍ତ କରିଦେଲେ , ଯାହା ୧୮ଟି ମହାପୁରାଣ ରୂପେ ବିଦିତ । ମାର୍କଣ୍ଡେୟ ପୁରାଣ କହେ ତ୍ରିସନ୍ଧ୍ଯାରେ ଏହି ୧୮ଟି ପୁରାଣର ନାମ ଉଚ୍ଚାରଣ କଲେ ଅଶ୍ବମେଧ ଯଜ୍ଞର ଫଳ ମିଳେ ।
ପୁରାଣରେ ଏମିତି କିଛି କଥା ଅଛି ଯାହା ଅନ୍ଧବିଶ୍ୱାସ ନା ସତ ଏଯାବତ ସନ୍ଦେହ । ନାୟଦ ଓ ବରାହ ପୁରାଣରେ ଶକୁନ ଅପଶକୁନ ଅଧ୍ୟାୟରେ ବିଲେଇକୁ ନେଇ ବ୍ଯାଖ୍ଯା ହୋଇଛି - "ବିରାଡ଼ି ଦେଖିବା ଦ୍ବାରା , ରାସ୍ତାରେ ଅତିକ୍ରମ କରିବା ଦ୍ୱାରା , କାନ୍ଦିବା ଦ୍ବାରା ଏବଂ ଘରେ ଯିବା ଆସିବା କରିବା ଦ୍ୱାରା ଅଶୁଭ ହୋଇଥାଏ । ବିଲେଇ ଦ୍ବାରା ଗୃହରେ ନକରାତ୍ମକ ଶକ୍ତିର ପ୍ରଭାବ ପଡ଼େ , ବ୍ହ୍ମ ଗୃହରେ ଅଶୁଭ ।" କେବଳ ଭାରତରେ ନୁହେଁ ବିଦେଶରେ ବି ଅଶୁଭ କୁହାଯାଏ ; ଜର୍ମାନୀରେ ବାମରୁ ଡାହାଣକୁ ବିଲେଇ ଅତିକ୍ରମ କରିବା ଅଶୁଭ । ମଧ୍ୟଯୁଗରେ ବିଲେଇକୁ ଡ଼ାହାଣୀର ଆଖ୍ଯା ମିଳୁଥିଲା ; ୟୁରୋପ୍ରେ ବିଲେଇକୁ ଅଶୁଭ ମନ୍ତ୍ର । ବିଲେଇ ରାସ୍ତାତିକ୍ରମ କରିବା ପରେ ଅଶୁଭ ଘଟଣାରୁ ବର୍ତ୍ତିବା ପାଇଁ ଇଷ୍ଟଦେବ ବା ମହାବୀର ହନୁମାନଙ୍କୁ ସ୍ମରଣ ପୂର୍ବକ ପ୍ରଣାମ କରି ଗନ୍ତବ୍ୟ ସ୍ଥଳର ପଥିକ ହେବାକୁ କୁହାଯାଇଛି ।" "ଲାଲ କିତାବ" କହେ - "ବିଲେଇ ରାହୁର ବାହନ । ତେଣୁ ଦିଲେଇ ଅତିକ୍ରମ କରିବା ପରେ ଆମେ "ରାଂ ରାହବେ ନମଃ" ମନ୍ତ୍ରୋଚ୍ଚାରଣ କରି ଆମ ପଥରେ ଯିବା । ତେବେ ଏହା କେତେଦୂର ଠିକ୍ ? ନାନା ମୁନିଙ୍କ ନାନା ମତ , ତେବେ ସଠିକ କ'ଣ ? ଏହା ଏକ ସନ୍ଦେହ ଜନକ ତଥ୍ଯ ।
ଏହି ଭଳି ଅନେକ କିଛି ରହିଛି । ପୁରାଣରୁ ବି ବହୁ କଥା ଶିକ୍ଷା ମିଳେ ; କେବଳ ପୌରାଣିକ ନୁହେଁ , ନାରୀ ଶିକ୍ଷା , ଦୟା , ଧର୍ମ , ବିନୟ ଆଦି ସହିତ ସ୍ୱର ତତ୍ତ୍ବ ଓ ରୋଗ ବ୍ଯାଧି ନିରାକରଣ ବି ଶିଖିବାକୁ ମିଳେ । ଜ୍ଞାନ, ବିଜ୍ଞାନ ସବୁକିଛିର ଗନ୍ତାଘର ବି ପୁରାଣ । ପୁରାତନ କାଳରେ ଆୟୁର୍ବେଦ ଦ୍ବାରା ରୋଗ ବ୍ଯାଧି ନିରାକରଣ ହେଉଥିଲା । ରୋଗ ବ୍ଯାଧିରୁ ବର୍ତ୍ତିବା ପାଇଁ ନିୟମ ଅବଲମ୍ବନ ବି ଶିକ୍ଷା ମିଳେ ଓ ରାଜନୀତି ବି ଶିକ୍ଷା ମିଳେ । ବିଭିନ୍ନ କଳା କୌଶଳ ଆଦି ପୁରାଣରେ ସୂକ୍ଷ୍ମ ରୂପରେ ବିରାଜିତ । ରାମାୟଣରୁ ଜୀବନ ଜିଇଁବାର ସର୍ବୋତ୍ତମ ଶିକ୍ଷା ମିଳେ ଏବଂ ଭୋଗ ନୁହେଁ ତ୍ୟାଗର କଥା ଦୃଶ୍ୟମାନ ହୁଏ । ରାଜନୀତି ବି ବେଶ୍ ଭଲ ଶିକ୍ଷାଟିଏ ଯାହା ଦ୍ବନ୍ଦ ପ୍ରଦାନ କରିଥିଲା ସୌମିତ୍ରୀଙ୍କୁ । ସ୍ନେହ , ପ୍ରେମ , ଭଲପାଇବା ବି ଏହି ରାମାୟଣରୁ ସୁନ୍ଦର ଭାବରେ ଶିଖିବାକୁ ମିଳେ ଏବଂ ଭକ୍ତି ଭାବ ବି ବେଶ୍ ସୁନ୍ଦର ଭାବରେ ବର୍ଣ୍ଣିତ ଅଛି । ରାମାୟଣ ଆମକୁ ଆମ ସଂସ୍କୃତି ଓ ପରମ୍ପରାର ଶିକ୍ଷା ଦିଏ । ପୁରାଣ ବି ଆମର ଶିକ୍ଷକ କହିଲେ ଅତ୍ୟୁକ୍ତି ନାହିଁ ।
ପୂର୍ଣ୍ଣ ବାରଣ କରାଯାଇଥିବା କିଛି କଥାକୁ ବିଜ୍ଞାନ ବି ସମର୍ଥନ କରିଛି । ଯେମିତିକି ରାତ୍ରିରେ ପୋଷାକପତ୍ର ସଫା କରିବାକୁ ପୁରାଣ ମନା କରିଛି , ବିଜ୍ଞାନ ବି ସମର୍ଥନ ଜଣାଇଛି ଏକଥାକୁ । ପୁରାଣ ଏହାକୁ ନୀତି ବିହୀନ କାର୍ଯ୍ୟ ବୋଲି କହେ ; କିନ୍ତୁ ବୈଜ୍ଞାନିକ ମାନଙ୍କ ମତ ହେଲା ପୋଷାକ ଧୁଆ ହେଲା ପରେ ସୂର୍ଯ୍ଯ କିରଣରେ ଶୁଖିବା ନିହାତି ଦରକାର । ରାତିରେ ପୋଷାକ ସଫା କଲେ ତାହା ଦୀର୍ଘ ସମୟ ଯାଏଁ ସୂର୍ଯ୍ଯ କିରଣରେ ଆସେନା । ତ୍ବଚ଼ା ପାଇଁ ଠିକ୍ ହୋଇନଥାଏ ତାହା । ରାତିରେ ପୋଷାକ ଧୋଇଲେ ଶର୍ଦ୍ଦି ହେବାର ଆଶଙ୍କା ଥାଏ । ସେହିପରି ପୁରାଣ କହେ ରାତ୍ରିରେ ଘର ଝାଡ଼ିବା ଦ୍ବାରା ଲକ୍ଷ୍ମୀ ତୁଟି ଯା'ନ୍ତି । ବିଜ୍ଞାନ ସମର୍ଥନର ମତ ଦିଏ ଯେ , ଘର ଝାଡ଼ିବାର ଅନେକ ସମୟ ଯାଏଁ ଧୂଳି କଣିକା ସବୁ ସେ ଘୟେ ଉଡ଼ି ବୁଲନ୍ତି । ଆମର ଶୋଇବା ଅବସ୍ଥାରେ ନାକ , କାନରେ ପଶି ସଂକ୍ରାମକ ରୋଗ ସୃଷ୍ଟି କରନ୍ତି । ହିନ୍ଦୁ ଧର୍ମ ଶାସ୍ତ୍ରରେ ରାତିରେ ଦହି ଖାଇବାକୁ ବାରଣ ଅଛି ; ବିଜ୍ଞାନ ମଧ୍ଯ ଏହାକୁ ମାନିଛି । ବିଜ୍ଞାନ ମତରେ ରାତିରେ ଅଧିକ ଥଣ୍ଡା ଅନୁଭୂତ ହୁଏ ; ଦହି ଖାଇଲେ ଶରୀର ଅଧିକ ଥଣ୍ଡା ହୋଇଯାଏ । ଫଳତଃ ହଜମ ଶକ୍ତି ହ୍ରାସ , ଫୁସ୍ଫୁସ୍ରେ ଇନ୍ଫେକ୍ସନ , ନିଃଶ୍ୱାସ ପ୍ରଶ୍ବାସରେ ବାଧା ଆଦି ଅନେକ ପ୍ରକାର ରୋଗ ହୁଏ । ତେବେ ପୁରାଣ ବି ବିଜ୍ଞାନର ଶିକ୍ଷା ଦେଇଥାଏ ଆମକୁ ।
ପୁରାଣରେ କିଛି କାଳ୍ପନିକ ମନେହେଲେ ହେଁ ଆମେ ତହିଁରୁ ମିଳୁଥିବା ଭଲ ଜିନିଷ ବା ସାରତତ୍ତ୍ବ ସଂଗ୍ରହ କରିବା ଉଚିତ , ଯାହା ଆମକୁ ଉତ୍ତମ ପଥର ପଥିକ କରାଇପାରିବ । ରାମାୟଣରେ ଏକ ଶ୍ଳୋକ ଅଛି -
"ଆଦୌରାମ ତପୋବନାଦି ଗମନଂ ହସ୍ତ୍ଯା ମୃଗଂ କାଞ୍ଚନଂ
ବୈଦେହୀ ହରଣଂ ଜଟାୟୁ ମରଣଂ ସୁଗ୍ରୀବ ସମ୍ଭାଷଣମ୍ ।।
ବାଳି ନିଗ୍ରହଣମ୍ ସମୁଦ୍ରତରଣଂ ସୁଗ୍ରୀବ ସମ୍ଭାଷଣମ୍
ପଶ୍ଚାଦ୍ ରାବଣ କୁମ୍ଭକର୍ଣ୍ଣ ନିଧନଂ ଏତଦ୍ଭି ରାମାୟଣଂ ।।"
ଚ଼ାରି ଧାଡ଼ିରେ ସବୁକିଛି ରାମାୟଣର ରହିଗଲା । ରାମାୟଣ ଗ୍ରନ୍ଥ ପଢ଼ି ଖାଲି ରାମ ବନବାସ ଗଲେ , ମାୟାମୃଗ ବଧିଲେ , ସୀତା ହରଣ ହେଲା , କୁମ୍ଭକର୍ଣ୍ଣ ଓ ରାବଣ ମଲେ ଏବଂ ଲଙ୍କାପୁରୀ ଦହନ ହେଲା କଥା ମନେ ରଖିଦେଲେ ହେବନି , ସେଥିରେ ଥିବା ଜ୍ଞାନ ତତ୍ତ୍ବକୁ ହାସଲ କରିବାକୁ ହେବ । ସମସ୍ତେ ତ ଏତିକି କହିବେ ; ରାବଣ ସୀତା ହୟଣ କରିଥିଲା ଆମେ ବି କଳି ଯୁଗରେ କରିବୁ ନ୍ଯାୟରେ ଏମିତି ବି ଚ଼ାରିଛି ଏବେ । ହେରେ କ'ଣ ପାଇଁ ନେଇଥିଲା ଓ ତାକୁ କୋଉ ଉଦ୍ଦେଶ୍ୟରେ ନେଇ ତାଙ୍କ ସହ କ'ଣ କରୁଥିଲା ସେକଥା ତ ଆଗ ଜାଣ । ଖାଲି ସୀତା ହରଣ ଓ ରାବଣ ମରଣ କଥା ଜଣା , କେହି ତ କାହିଁ ରାବଣ ମୃତ୍ୟୁ ପୂର୍ବରୁ ଲକ୍ଷ୍ମଣଙ୍କୁ ଦେଇଥିବା ଶିକ୍ଷା "ରାଜନୀତି ଶିକ୍ଷା" ବିଷୟରେ କହୁନ !! ଏଥିରୁ କ'ଣ କିଛି ଶିଖିବାର ନାହିଁ କି ?
ସମସ୍ତେ ମହାଭାରତର ବିଷୟବସ୍ତୁ ଓ ଯୁଦ୍ଧ କଥା କହି ଆମେ ପୂରା ମହାଭାରତକୁ ଘାଣ୍ଟି ଚ଼କଟି ଆୟତ କରିଦେଇଛୁ ବୋଲି କହିବେ ; କିନ୍ତୁ ଏଥିରୁ ପ୍ରାପ୍ତ କିଛି ଶିକ୍ଷାର ଆହରଣ କେତେଜଣ କରିଛନ୍ତି ? ସମସ୍ତେ ଜାଣନ୍ତି ଦୁର୍ଯ୍ୟୋଧନ ଅନ୍ଯାୟୀ ହେତୁ ଏପରି ଭାବରେ ମଲା ଏବଂ ଶହେ ପୁତ୍ରର ଜନନୀ ଥିଲେ ଗାନ୍ଧାରୀ ; କୌରବ - ପାଣ୍ଡବ ଯୁଦ୍ଧ ସମସ୍ତେ ବର୍ଣ୍ଣନା କରିଦେବେ । ଗାନ୍ଧାରୀ ତାଙ୍କ ପୁତ୍ର ଦୁର୍ଯ୍ୟୋଧନକୁ କହିଥିବା କଥା - "ଅକ୍ଷୟ ହେଉ ପୁଣ୍ଯ ଜଗତେ ଧର୍ମର ହେଉ ଜୟ" , ଏହି କଥାରୁ କ'ଣ ଶିକ୍ଷା କଲେ କେହି କହିବେ କି ?
ଆମକୁ ପୁରାଣରୁ ସାରତତ୍ତ୍ବ ସଂଗ୍ରହ କରି ସାରଶ୍ରେଷ୍ଠ ତଥ୍ଯ ସବୁ ବାଛି ଆହରଣ କରିବାକୁ ପଡ଼ିବ । ନଚ଼େତ "ବାରବର୍ଷର ତପ ଶୁଖୁଆ ପୋଡ଼ାରେ ଗଲା" ଭଳି ଅନୁଭବ ହେବ । ହଜାରେ ପୁରାଣ ହଜାରେ ଲକ୍ଷ ଥର ପଠନ କଲେ ବି ତା'ର ମୂଲ୍ୟ ନାହିଁ ଯଦି ଆମେ ସେଥିରୁ କିଛି ଭଲ କଥାବସ୍ତୁକୁ ଆହରଣ ନକଲେ । ପୁରାଣ ମଣିଷକୁ ସତ୍ପଥର ପଥିକ କରାଏ , ଏ ଜ୍ଞାନ ଧ୍ଯାନ ସହକାରେ ପଢ଼ୁଥିବା ପୁରାଣ ପାଠକ ଉପଲବ୍ଧି କରେ । ସମସ୍ତେ ପୁରାଣ ଗ୍ରନ୍ଥ ପଠନ କରିବା ନିତାନ୍ତ ପକ୍ଷେ ଆବଶ୍ଯକ ଅଟେ ।
℅℅℅℅℅℅℅℅℅℅℅℅℅℅℅℅℅℅℅℅℅℅
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୯୧୭୪୮୦୫୩୬
℅℅℅℅℅℅℅℅℅℅℅℅℅℅℅℅℅℅℅℅℅℅
Comments
Post a Comment