ନମନ କୁମାରକବି

---------------------

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 
         ସମ୍ପାଦକ - ଉଦୟ ଭାନୁ 
--------------------------------------------------------

      ଗୋଧୂଳି ସମୟ ; ରବି ବୁଡ଼ି ସାରିଲେଣି ପଶ୍ଚିମାକାଶରେ । କେବଳ ପଶ୍ଚିମ ଦିଗରେ ଲୋହିତ ଆଭା ଝାପ୍ସା ଦୃଶ୍ଯମାନ ବେଳେ ମୋ' ଗାଁର ସାହିରେ ସାଧବ ବୋହୂମାନେ ସଞ୍ଜ ସଳିତା ଧରି ଦାଣ୍ଡଦ୍ବାର ପିଣ୍ଡାରେ ଥୋଇଲେଣି ଏବଂ ମନ୍ଦିରରେ ଶୁଭିଲାଣି ଘଣ୍ଟ ଘଣ୍ଟିର ନିନାଦ । ମୁଁ ବି ଶୌଚ଼ାଦି କର୍ମ ସାରି ଠାକୁରଙ୍କୁ ମୁଣ୍ଡିଆଟେ ପକାଇ ଦେଇ ଦାଣ୍ଡଘରଟାରେ ସୌପ ବିଛାଇ ବସିପଡିଲି । ଟେବୁଲ୍‌ ଫ୍ଯାନ୍‌ର ସ୍ବିଚ୍‌ ଅନ୍‌ କରି ଦଶ ମିନିଟ୍‌ ବସି ଏଣୁତେଣୁ ଭାବିବା ପରେ ମୋ' ଆଲମାରୀ ଖୋଲି ବହି ଖଣ୍ଡେ କାଢ଼ିଲି । ବହିଟି ଥିଲା "ନିମନ୍ତ୍ରଣ ରହିଲା ଆସିବେ" ; ଏକ କବିତା ସଙ୍କଳନ । ଏହି ବହିଟିର ଲେଖକ ଥିଲେ ମୋର ନିଜର ଦଦେଇ ପୁଅ ଭାଇ ; ଗୋଟିଏ ପରିବାର ଓ ଗୋଟିଏ ରକ୍ତର ସମ୍ପର୍କ । ଗ୍ରାମରେ ଘରଦ୍ୱାର ଥିଲେ ବି ସେ ଏବେ ଭୁବନେଶ୍ବର ବାସିନ୍ଦା , କିନ୍ତୁ ମୋର ତଥା ଆମ ଘରର ପ୍ରତିଟି ସୁଖ - ଦୁଃଖରେ ସେ ସହଭାଗୀ । 

      ନିକଟ ଅତୀତରେ ସେ କୁମାରକବି ଉପାଧିର ଅଧିକାରୀ , ତା' ସହ ବିଭିନ୍ନ ଅନୁଷ୍ଠାନରୁ ଅନେକ ସମ୍ମାନ ଓ ପୁରସ୍କାର ପ୍ରାପ୍ତ କରିଛନ୍ତି ; ୧୯୭୬ ମସିହାରୁ ସେ ଆକାଶବାଣୀ କଟକ କେନ୍ଦ୍ରରୁ ସ୍ବ ରଚ଼ିତ ଗଳ୍ପ ପ୍ରସାରଣ କରି ଆସୁଥିଲେ । ପୂର୍ବରୁ ଏକ ସାହିତ୍ୟ ପତ୍ରିକା "ବନପ୍ରଭା"ର ସମ୍ପାଦକ ଥିଲେ ଏବଂ ଅଦ୍ଯପି ସେ "ପୁଣ୍ଯତୋୟା ଜାହ୍ନବୀ" ସାହିତ୍ୟ ପତ୍ରିକାର ସଭାପତି ଆସନ ଅଳଙ୍କୃତ କରିଛନ୍ତି । ଜନୈକ ବିଶିଷ୍ଟ କବି , ଗାଳ୍ପିକ ଭାବରେ ସେ ଓଡ଼ିଶାରେ ବେଶ୍‌ ଜଣାଶୁଣା ନାମ । ସେ ଜଣେ ଅବସର ପ୍ରାପ୍ତ ବ୍ଯାଙ୍କ୍‌ କର୍ମଚ଼ାରୀ ଏବଂ ତାଙ୍କର ଶିକ୍ଷାଗତ ଯୋଗ୍ଯତା ବି.ଏ. ଅନର୍ସ (ଓଡ଼ିଆ) ; ମୋର ନିଜ ଆତ୍ମୀୟ ହେତୁ ମୁଁ ଗର୍ବ କରିବା ସ୍ବାଭାବିକ । ସେ ଆଉ କେହି ନୁହଁନ୍ତି ; ସେ ହେଉଛନ୍ତି କୁମାରକବି ପ୍ରଶାନ୍ତ ବାହିନୀପତି ।

    ସାହିତ୍ଯ ପ୍ରତି ତାଙ୍କର ନିଷ୍ଠା , ଅଧ୍ଯବସାୟ ଆଜି ତାଙ୍କୁ ଏତେବଡ଼ ମହାନ ଆସନ ପ୍ରଦାନ କରିଛି । ସ୍ନେହ-ଶ୍ରଦ୍ଧା-ଭଲପାଇବା ଏବଂ ସମସ୍ତଙ୍କୁ ସ୍ବାତ୍ମୀୟ ପୂର୍ବକ ଗ୍ରହଣ କରିବା ଦେଖି ଯେ' କେହି ହତବାକ୍‌ ହୋଇଯିବ । ପୁରାଣରୁ ବିଜ୍ଞାନ , ଦର୍ଶନ ଶାସ୍ତ୍ର ଆଦିର ଅହେତୁକ ଜ୍ଞାନାଧିକାରୀ ସେ , ସାହିତ୍ଯ ଯେପରି ତାଙ୍କର ବସ୍ତ୍ରାଳଙ୍କାର ; ଏତେ ଶ୍ରଦ୍ଧା ସାହିତ୍ଯ ପ୍ରତି । ସାହିତ୍ଯରେ ଚ଼ାଲିଥିବା ଦଲାଲଗିରି ଯେମିତି ସାହିତ୍ଯକୁ ନେଇ ଜୀବିକା ନିର୍ବାହ , ଅର୍ଥ ବଦଳରେ ମାନପତ୍ର ପ୍ରଦାନ , ଅର୍ଥ ନେଇ ଲେଖା ଛାପିବା ଆଦିର ଘୋର ବିରୋଧ କରନ୍ତି ସେ । ସେ କହନ୍ତି - "ସାହିତ୍ଯ ନିଶା ହେଉ  , ପେଶା ନହେଉ ।" ପୁଣି କହନ୍ତି ସେ - "ଓଡ଼ିଆ ଭାଷା ସାହିତ୍ଯର ସମ୍ମାନ ଓ ମର୍ଯ୍ୟାଦା କ୍ଷୁର୍ଣ୍ଣ ନହେଉ  , ମାତ୍ରାକ୍ଷର , ଭାବ ଓ ଯତିପାତ ଯଥାସାଧ୍ୟ ସଠିକ୍ କରିବାକୁ ପ୍ରଚ଼େଷ୍ଟା ଜାରି ରହୁ ।" ସମସ୍ତଙ୍କୁ ସେ କହନ୍ତି - "ସାହିତ୍ଯ ଏପରି ହେଉ, ଯେପରି ସମାଜରେ ହିତ ସାଧନ କରିପାରିବ ।" ସତରେ , ତାଙ୍କର ଏ ଦିଗ୍‌ଦର୍ଶନ ଓ ଏଭଳି ଚ଼ିନ୍ତନ କ'ଣ ତାଙ୍କ ମହାନତାର ପରିଚ଼ୟ ଦେଉ ନାହିଁ କି ? ଏଭଳି ଜଣେ ବ୍ଯକ୍ତିତ୍ବ ମୋ' ଗ୍ରାମରେ ଜନ୍ମ ଆଉ ମୋ' ପରିବାରରେ ଜନ୍ମ ନେଇଛନ୍ତି , ଏଥିପାଇଁ ମୁଁ ଗର୍ବିତ । 

      ସେଦିନ ସନ୍ଧ୍ୟାରେ ବହିଟି କାଢ଼ି ପୁନର୍ବାର ପୃଷ୍ଠା ପରେ ପୃଷ୍ଠା ଓଲଟାଇ ପଠନ କାର୍ଯ୍ଯରେ ମଗ୍ନ ହେଲି । ତାଙ୍କ ଦ୍ବାରା ରଚି଼ତ ତାଙ୍କ ଆତ୍ମକଥନ ସେଥିରେ ସ୍ଥାନିତ ହୋଇଛି ; ପାଠକ ବୁଝି ପାରିବେ ସେଇ ଲେଖାରୁ ସବୁକିଛି । ସେଥିରେ ସ୍ଥାନିତ ହୋଇଥିବା ଛାନ୍ଦ , ଚ଼ଉପଦୀ , ବିଭିନ୍ନ ରାଗର ଭଜନ , ଜଣାଣ ଓ କବିତା ସବୁ ପ୍ରାୟ ପୁରାତନ ସାହିତ୍ୟର ସମ୍ଯକ ଧାରଣା ଦିଏ ଏବଂ ଅତି ମନୋହର ମନେହୁଏ । ଭଜନ ଓ ଜଣାଣରେ ସେ ତାଙ୍କର ବିଷାଦତା ଓ ସମାଜର କଳୁଷତାର ସଂହାରାର୍ଥେ ଯେଉଁ ପ୍ରାର୍ଥନା ବାଢ଼ିଛନ୍ତି , ସତରେ ପ୍ରସ୍ଫୁଟିତ ହୋଇ ଉଠୁଛି ତାଙ୍କର ବଦାନ୍ୟତା । ଅନେକ କବିତା ଭିତରୁ ଗୋଟିଏ କବିତା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଥିଲା ମୋ' ପାଇଁ , ଯାହା ଜଣେ ବନ୍ଧୁଙ୍କୁ ସେ ଲେଖିଥିଲେ ; କବିତାର ଶୀର୍ଷକ ଥିଲା "ଜଣେ ବଂଧୁଙ୍କୁ ଏଇ ଲେଖାଟି" । 

     "ହାତ ବାରିଶି ମୁଁ ନୁହଁଇ କାହାର 
                              କାହା ଇଚ୍ଛାରେ ଲେଖିବି
     ମୋ' ଲେଖା ଗାଇବ ସମସାମୟିକ 
                              ଘଟଣାର ରୂପଛବି ।
     ତବ ଅନୁରୋଧ ପାରୁନାହିଁ ରଖି
                               କ୍ଷମିବ କ୍ଷମିବ ସଖା
     ବିକୃତ ମସ୍ତିଷ୍କ ସୁସ୍ଥ ହେଉ ତବ
                               ପ୍ରତ୍ଯାହୃତ କର କଥା ।"

       ନିଜ ମନର ଭାବନାକୁ ସେ ପ୍ରକାଶ କରିବାକୁ ଭଲପା'ନ୍ତି ; କିଏ କ'ଣ କହିଲା କି କାହାର ଅନୁରୋଧ ଶୁଣି କବିତା ଲେଖିବାକୁ ନାପସନ୍ଦ କରନ୍ତି । ଏକପ୍ରକାର ଠିକ୍‌ । ସେ ଯାହା ବି ହେଉ , ଏଭଳି ଜଣେ ବ୍ଯକ୍ତିତ୍ବ ସତରେ ବିରଳ ; ତାଙ୍କର ଓଜସ୍ୱିନୀ ବକ୍ତବ୍ୟ ଓ ଓଜନଦାର ବାକ୍ଯର ଆଲେଖ୍ଯ ପାଠକ ପ୍ରାଣକୁ ପୁଲକିତ ଓ ରୋମାଞ୍ଚିତ କରେ । ଏଭଳି ଜଣେ ମହାନ ବ୍ଯକ୍ତି ମୋର ଜ୍ଯେଷ୍ଠ ଭ୍ରାତା ଯାହା ଜଗନ୍ନାଥଙ୍କର ଅପାର କରୁଣାରୁ ସମ୍ଭବ ; ତାଙ୍କ ପାଇଁ ମୁଁ ଗର୍ବିତ ଓ ଗୌରବାନ୍ୱିତ । ତାଙ୍କୁ ତଥା ତାଙ୍କ ରଚ଼ନାକୁ ଶତ ନମନ ସହ ପ୍ରଭୁ ପଦାରବିନ୍ଦରେ ତାଙ୍କ ପାଇଁ ପରାର୍ଦ୍ଧ ଆୟୁଷ କାମନା କରୁଛି । 

--------------------------------------------------------
   ଭାଟପଡ଼ା,ନିରାକାରପୁର,କଣାସ,ପୁରୀ 
                ୮୯୧୭୪୮୦୫୩୬
--------------------------------------------------------


Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା