ଅନ୍ତରାତ୍ମାର କୋହ
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
+++++++++++++++++++++++++
ସେଦିନର ସେ ଝଡ଼ବର୍ଷା ରାତି
ଏବେ ବି ପାଶୋରିନି ;
ମନେଅଛି ମୋର
ହେ' ମୋର ସାଥୀ !
ତୁମର କ'ଣ ମନେ ନାହିଁ ସେଦିନର କଥା !
କେଇଦିନ ହେବ ବିଦେଶ ଗ୍ରସ୍ତ କଲ ଯେ
ସବୁ ପାଶୋରି ପକେଇଲ ମନରୁ !
ଯାଇଛ ଯେ ଯାଇଛ ତମେ
ଆଉ ଫେରିନ ଯିବା ଦିନରୁ ।
ସମସ୍ତେ ଫେରୁଛନ୍ତି ନିଜ ମାତୃଭୂମିକୁ
ହେଲେ ତମେ ତ ଫେରୁନ !
କ'ଣ ଅଭିମାନ କରିଛ କି ମୋ' ଉପରେ ?
ହେଲା ହେଲା ଏବେ ମନେ ପଡ଼ିଲା
ପିଲାଦିନେ ଶୁଣିଥିଲି ଆଈମା' କାହାଣୀ
ଏ ସୃଷ୍ଟି ବାହାରେ ଅଛି ଆଉ ଏକ ଦେଶ
ସେ ଦେଶକୁ ଥରେ ଯିଏ ଯାଏ ନା
ଆଉ ଫେରେନି କଦାପି ।
ପ୍ରଥମେ ପ୍ରଥମେ ମୁଁ ଭାବୁଥିଲି
ସେଇଟା ଗୋଟେ କାହାଣୀ ମାତ୍ର
କିନ୍ତୁ ଏବେ ଅନୁମାନ କରୁଛି ସେଇଟା ସତ
ସୁଖଶାନ୍ତିରେ ପରିପୂର୍ଣ୍ଣ ସେ ଦେଶ ।
ଏତେ ସୁଖଶାନ୍ତି ଭିତରେ ଅଛ ଯେ
ଆଉ ଫେରିବାକୁ ଇଚ୍ଛା କରୁନ
ମୋ' କଥା ବି ଆଉ ମନେ ପଡୁନି ତୁମର ।
ହଁ , ଆଉ ବା କାହିଁ ମନେ ପଡ଼ିବ ?
ତୁମେ ସେଠି ନୂଆ ସାଥୀଟେ ପାଇଥିବ
ମୋତେ ବା ଆଉ ପଚାରେ କିଏ ?
ଥରେ ମନେ ପକେଇଲ ତମେ
ସେଦିନର ସେ ଝଡ଼ବର୍ଷା ରାତିର କଥା
ଅମାବାସ୍ଯାର ସେ ନିସ୍ତବ୍ଧ ଯାମିନୀ
ମନେ ପଡୁଛି କିଛି କି ତୁମର?
ଆକାଶରେ ନଥିଲା ଚନ୍ଦ୍ରମା ; କିନ୍ତୁ
ଥିଲା ତାରା ମାନଙ୍କର ଚିକ୍ମିକ୍ ଜ୍ଯୋତି
ନକ୍ଷତ୍ରାଲୋକରେ ହସି ଉଠୁଥିଲା ଧରା
ବହୁତ ସୁନ୍ଦର ଲାଗୁଥିଲା ପରିବେଶ ।
ତୁମ ନିଜ କରସ୍ପର୍ଶେ ତିଆରି ବଗିଚା
ତା' ଭିତରେ ପଡ଼ିଥିବା କଂକ୍ରିଟ୍ ବେଞ୍ଚ୍ରେ
ତମେ ଆଉ ମୁଁ ଦୁଇଜଣଙ୍କ
ଆଳାପ ବେଶ୍ ଘନେଇ ଆସିଥିଲା ।
ସମୟ ସେତେବଳେ ରାତି ଦଶଟା କେତେ
ହଠାତ କୁଆଡୁ ଘୋଟି ଆସିଥିଲା
ଖଣ୍ଡ ଖଣ୍ଡ କୃଷ୍ଣକାୟ ବାଦଲ ଆକାଶେ
ଲୁଚିଗଲେ ଉଆଁସ ଚନ୍ଦ୍ର ଗୁଡ଼ିକ ।
ହେଇ ବର୍ଷା ଆସିଲା କହୁକହୁକା
ହଠାତ୍ ବିରାଟ ଝଡ଼ର ପ୍ରାରମ୍ଭ
ବୁଢ଼ୀ ଅସୁରଣୀ ପରି ମାଡ଼ି ଆସିଥିଲା
ଅଣଚାସ ବାଆ ବଳବେଗ ନେଇ ।
ଭୟାନକ ଥିଲା ସେଦିନ ସେହି ଦୃଶ୍ଯ
ହଠାତ୍ ଅକଲ ଗୁଡୁମ୍ ଆମର
କ'ଣ କରାଯିବ ପଡ଼ିଲା ଭାଳେଣି
ବୁଦ୍ଧିବାଟ ବଣା ; କେଉଁଆଡ଼େ ଯିବା ?
ଚାଲ ଦୁହେଁ ଫେରିଯିବା ବସାକୁ
କଷ୍ଟେମଷ୍ଟେ ଯେନତେନ ପ୍ରକାରେଣ
ପହଞ୍ଚିବାର ଅଛି ଆମ ବସାରେ
ବିଧିର ନିର୍ଦ୍ଦେଶ କିନ୍ତୁ ଅନ୍ଯ କିଛି ଥିଲା ।
ହଠାତ୍ ଘୁ'ଘୁ' ଗର୍ଜନ କରି
ସଁ ସଁ ଶବ୍ଦରେ ପବନ ସାଙ୍ଗକୁ
ଆରମ୍ଭ ହୋଇଗଲା
ମୂଷଳ ବରଷାର ତାଣ୍ଡବ ଲୀଳା
ନିରୁପାୟ ଅବିକା ତମେ ଆଉ ମୁଁ ।
ବେନି ପ୍ରାଣୀ ଆମେ ବର୍ଷା ଜଳେ ସିକ୍ତ
ନିବାଡ଼ିଆ ବଟବୃକ୍ଷ ତଳେ ଛିଡ଼ା ହୋଇ
ବିଭୁଙ୍କୁ ବିନମ୍ର ପ୍ରାର୍ଥନା କରିବା ଛଡ଼ା
ଆଉ ବା ଆମର ଉପାୟ କଅଣ ?
ଏମିତି ବିତିଗଲା ସେ ବୃକ୍ଷ ମୂଳେ
ଦୀର୍ଘ ବ୍ଯବଧାନ ଦୁଇ ଘଣ୍ଟା ପ୍ରାୟ
ଥମିଲା ବତାସ କମିଲା ବରଷା
ଦୁହିଁଙ୍କର କିନ୍ତୁ ଓଦା ଜୁଡୁବୁଡୁ ଦେହ ।
ଥରି ଉଠୁଥାଏ ଦୁଇଟି ଶରୀର
ଏବେ ବି ସାକ୍ଷୀ ସେ ବଟବୃକ୍ଷ
ଅସ୍ପଷ୍ଟ କଣ୍ଠରେ ସେଦିନ ରାତ୍ରିରେ
ଥରି ଥରି କହି ନଥିଲ ମତେ ?
ସ୍ମରଣ ଆସୁଛି କି ନା ନାହିଁ ?
ଆଜି ଯେଉଁପରି ଦୁହେଁ ସାଥୀ ହୋଇ
ଝଡ଼ବର୍ଷା ରାତିରେ ଏକାଠି ଅଛେଁ
ଯେତେ ଝଡ଼ଝଞ୍ଜା ଆସିଲେ ବି ସୁଦ୍ଧା
ଖାତିର୍ ନକରି ଏକାଠି ରହିବା ।
ଯେତେ ବଡ଼ ସୁନାମୀ ଆସୁ ପଛେ
କେହି କାହାର ହାତ ଛାଡ଼ିବା ନାହିଁ
ଏକାଠି ବଞ୍ଚିବା ଆଉ ଏକାଠି ମରିବା
ସୁଖ ଦୁଃଖକୁ ଭାଗ ବାଣ୍ଟି ଚଳିବା ।
ହେଇ ଦେଖ ତ ମୁଁ ମୋର ବଚନ ରଖିଛି
ଏବେ ବି ସୁଦ୍ଧା ସାଇତି ରଖିଛି ମୁଁ
ଅତୀତର ତୁମ ବିନୟ ବଚନ ସ୍ମୃତି
ସାଇତିଛି ତୁମକୁ ମୋ' ହୃଦ ଗମ୍ଭୀରାରେ ।
ଶୟନେ ସ୍ବପନେ ଉଜା ଜାଗରଣେ
ମୋ' ଆଖି ପଲକେ ବି ତୁମେ ଅଛ ଜୀବନ୍ତ
ହେଲେ ସାଥୀ ତମେ କ'ଣ କଲ ?
ଥରେ ଭାବି ଦେଖ ତ କ'ଣ କରିଛ ତମେ ।
ଅର୍ଦ୍ଧପଥେ କରଛଡ଼ା ଦେଇ ଚାଲିଗଲ
ପୁନରାୟ ମତେ ଏକା କରିଦେଲ
ସେଦିନ ରାତିରେ ତୁମେ ଦେଇଥିବା କଥା
ତୁମେ ନିଜେ ରଖି ପାରିଛ କି ?
ସାଇତି ପାରିଛ କି ତମେ ମୋ' ସ୍ମୃତି ?
କୁହ , ଜବାବ ଦିଅ ମତେ
ଦେଇ ପାରିବ ମୋ' ପ୍ରଶ୍ନର ଉତ୍ତର ?
ନା , ମୁଁ ଜାଣିଛି ଦେଇ ପାରିବନି ।
କାହିଁକି ନା ତମେ ସାଇତି ପାରିନ
ମୋର ସ୍ମୃତି ଆଉ ମତେ କେବେ
ବୋଧହୁଏ ମୋ' ଅନୁମାନ ଠିକ୍ ଥିଲା
ତମେ ଅନ୍ତରରୁ କଦାପି ଭଲପାଇନ ।
ତୁମ ପ୍ରେମରେ ଥିଲା ଛଳନା - ପ୍ରତାରଣା
ସତରେ ତମେ ଜଣେ ସ୍ବାର୍ଥପର ମଣିଷ
ବିଶ୍ବାସର ଦ୍ବାହି ଦେଇ ଠକିଦେଲ ମତେ
ଲୋହିତାଶ୍ରୁ ନିଗାଡ଼ି ଦେଲ ମୋ' ନେତ୍ରରୁ ।
ଏବେ ବି ମୁଁ ଗୁମୁରି ଗୁମୁରି କାନ୍ଦୁଛି
ତମେ ତ ମୋ' ଠାରୁ ବହୁତ ଦୂରରେ
ତମେ କ'ଣ ଶୁଣି ପାରିବ କି ମୋର
ଅନ୍ତର ଆତ୍ମାର କ୍ରନ୍ଦନର ରୋଳ !
ଥରେ ପ୍ରତ୍ଯାବର୍ତ୍ତି ଦେଖିଦେଇ ଯାଅ
ମୁଁ କେମିତି କାନ୍ଦୁଛି ଦେଖ ନିଜ ଆଖିରେ
ଅନ୍ତତଃ ତମେ ତ ଟିକେ ଖୁସି ହେବ
ମୋ' ଦୁଃଖ ଯନ୍ତ୍ରଣାକୁ ଦେଖିଲା ପରେ ।
ମୁଁ ବି ତୁମକୁ ଆଖି ପୂରେଇ
ଭଲ ଭାବେ ଦେଖିନେବି ପୁଣି ଥରେ
ମୋ' ଅବସ୍ଥା ଦେଖି ଖୁସି ହେବ ଯଦି
ଏ ଅନ୍ତର ଆତ୍ମା ମୋର ଶାନ୍ତି ପାଇଯିବ ।
🌹🌹🌹🌹🌹🌹🌹🌹🌹🌹🌹🌹
ଭାଟପଡ଼ା , ନିରାକାରପୁର , କଣାସ ,ପୁରୀ
🌹🌹🌹🌹🌹🌹🌹🌹🌹🌹🌹🌹
Comments
Post a Comment