ଜୟ ଜବାନ..... ଜୟ କିଷାନ


                  କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି 
                     ସମ୍ପାଦକ - ଉଦୟ ଭାନୁ 
*****************************************
   
              "ଜୟ ଜବାନ..... ଜୟ କିଷାନ "
   
     ଏ ଉକ୍ତିଟି ଲାଲବାହାଦୁର ଶାସ୍ତ୍ରୀଙ୍କ ମୁଖ ନିଃସୃତ ସ୍ଲୋଗାନ ଅଟେ । ଦ୍ବିଲ୍ଲୀର ରାମ୍‌ଲୀଲା ମୈଦାନରେ ଏକ ଜନ ସମାବେଶରେ ପ୍ରଥମ ଥର ପାଇଁ ଶାସ୍ତ୍ରୀଜୀ ଏହି ସ୍ଲୋଗାନ ଦେଇଥିଲେ । ନେହେରୁଙ୍କ ପରେ ଶାସ୍ତ୍ରୀଜୀ ହୋଇଥିଲେ ଭାରତର ପ୍ରଧାନମନ୍ତ୍ରୀ ; ଏ ସମୟେ ଦୁରାଚ଼ାରୀ ପାକିସ୍ତାନ ଆମ ଭାରତ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲା । ଫଳତଃ ଆମ ରାଷ୍ଟ୍ରରେ ଖାଦ୍ଯ ଶସ୍ୟର ଅଭାବ ପରିଲକ୍ଷିତ ହୋଇଥିଲା । ଫଳତଃ ଆମ ରାଷ୍ଟ୍ର ଅନ୍ୟ ଦେଶ ଉପରେ ଖାଦ୍ଯ ଶସ୍ୟ ଆମଦାନୀ କରିବାକୁ ନିର୍ଭରଶୀଳ ହେଲା । ବିରାଟ ସମାବେଶର ଆୟୋଜନ କରି ଶାସ୍ତ୍ରୀଜୀ ଖାଦ୍ଯ ଓ ସୁରକ୍ଷାକୁ ସୁଦୃଢ କରିବାକୁ ଏଭଳି ଏକ ନାରା "ଜୟ ଜବାନ..... ଜୟ କିଷାନ" ପ୍ରଦାନ କରିଥିଲେ । ଏହି ସ୍ଲୋଗାନ ମାଧ୍ୟମରେ ସୈନିକ ମାନଙ୍କୁ ଦେଶରେ କଡ଼ା ସୁରକ୍ଷା ଦେବାକୁ ଏବଂ କୃଷକ ମାନଙ୍କୁ ଚ଼ାଷକାର୍ଯ୍ଯରେ ନିୟୋଜିତ ରହି ବାହାରୁ ଖାଦ୍ଯ ଶସ୍ୟ ଆମଦାନୀକୁ ହ୍ରାସ କରିବାକୁ ପରମର୍ଶ ପ୍ରଦାନ କରିଥିଲେ । ଏହି ସ୍ଲୋଗାନଟି ସେ ସମୟେ ବହୁ ଜନାଦୃତ ହୋଇପାରିଥିଲା । ଏ ଥିଲା ୧୯୬୫ ମସିହାର କଥା । ୧୯୯୮ ମସିହାରେ ପୋଖରାଣ ପରୀକ୍ଷଣ ପରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଭାରତର ପ୍ରଗତିରେ ବିଜ୍ଞାନର ମହତ୍ତ୍ବକୁ ଦର୍ଶାଇବା ପାଇଁ ଏହି ସ୍ଲୋଗାନଟିକୁ ଦୋହରାଇଥିଲେ ; ଅର୍ଥାତ୍ "ଜୟ ଜବାନ , ଜୟ କିଷାନ" ଦେବା ସହ ଏହା ସଙ୍ଗେ ଜୟ ବିଜ୍ଞାନ ଶବ୍ଦଟିକୁ ଯୋଡ଼ିଥିଲେ । ୨୦୦୯ ଡ଼ିସେମ୍ବର ୧୫ରେ ତିନ୍‌ମୂର୍ତ୍ତି ଭବନରେ ଭାରତର ରାଷ୍ଟ୍ରପତିଙ୍କ ଠାରୁ ଦଶମ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପୁରସ୍କାର ଗ୍ରହଣ କରିବା ପରେ ସୁନିଲ୍‌ ଭାରତୀ ମିତ୍ତଲ ବକ୍ତୃତା ଦେବା ବେଳେ ଦ୍ବିଲ୍ଲୀର ଲାଲବାହାଦୁର ଶାସ୍ତ୍ରୀ ଇନ୍‌ଷ୍ଟିଚ୍ଯୁଟ୍‌ ଅଫ୍‌ ମ୍ଯାନେଜମେଣ୍ଟର ନିର୍ଦ୍ଦେଶକ ଡ଼ା. କୈଳାଶ ଚ଼ନ୍ଦ୍ର ମିଶ୍ର ପୁନର୍ବାର ଏ ସ୍ଲୋଗାନରେ ଜୟ ବିଦ୍ବାନ ଯୋଡ଼ି ନାରା ଦେଇଥିଲେ । ଏତଦ୍ୱାରା ସେ ଭାରତର ଅର୍ଥନୀତିରେ ଜ୍ଞାନର ମହତ୍ତ୍ବକୁ ଦର୍ଶାଇଥିଲେ । 

      ୪୮ତମ ସହୀଦ ଦିବସରେ ସୂଚ଼ନା ଓ ପ୍ରସାରଣ ମନ୍ତ୍ରଣାଳୟ (ଭାରତ) ପକ୍ଷରୁ ଲାଲବାହାଦୁର ଶାସ୍ତ୍ରୀଙ୍କ ସ୍ମୃତିଚ଼ାରଣ କରି କୁହାଯାଇଥିଲା :- "Former Prime Minister Lal Bahadur Shastri was one of those great Indians who has left an indelible impression on our collective life. Shri Lal Bahadur Shastri's contribution to our public life were unique in that they were made in the closest proximity to the life of the common man in India. Shri Lal Bahadur Shastri was looked upon by Indians as one of their own, one who shared their ideals, hopes and aspirations. His achievements were looked upon not as the isolated achievements of an individual but of our society collectively.

   Under his leadership India faced and repulsed the Pakistani invasion of 1965. It is not only a matter of pride for the Indian Army but also for every citizen of the country. Shri Lal Bahadur Shastri's slogan Jai Jawan Jai Kisan reverberates even today through the length and breadth of the country. Underlying this is the inner-most sentiments 'Jai Hindustan'. The war of 1965 was fought and won for our self-respect and our national prestige. For using our Defence Forces with such admirable skill, the nation remains beholden to Shri Lal Bahadur Shastri. He will be remembered for all times to come for his large heartedness and public service."

    ଏହାର ଓଡ଼ିଆ ଅନୁବାଦ -"ଆମ ଜୀବନରେ ନିଜର ଅଲିଭା ଛାପ ଛାଡ଼ିଯାଇଥିବା ମହାନ ଭାରତୀୟ ମାନ‌ଙ୍କ ମଧ୍ୟରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଅନ୍ୟତମ । ଆମ ସାମାଜିକ ଜୀବନ ପ୍ରତି ଶ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଅଦ୍ୱିତୀୟ ଅବଦାନ ଭାରତର ସାଧାରଣ ଜନତାଙ୍କ ଜୀବଙ୍କୁ ସ୍ପର୍ଶ କରିଛି । ଭାରତୀୟ ମାନେ ଶ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କୁ ସେମାନଙ୍କ ପରି ଆଦର୍ଶ, ଆଶା ଓ ଅଭିଳାଷ ପୋଷଣ କରୁଥିବା ଜଣେ ନିଜ ଲୋକ ଭଳି ଦେଖନ୍ତି । ତାଙ୍କ ସଫଳତାଗୁଡ଼ିକୁ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିର ସଫଳତାଠାରୁ ଅଧିକ ଆମ ସମ୍ପୂର୍ଣ୍ଣ ସମାଜର ସଫଳତା ଭାବେ ଗଣ୍ୟ କରାଯାଏ ।

    ୧୯୬୫ ମସିହାରେ ତାଙ୍କ ନେତୃତ୍ୱ ସମୟରେ ପାକିସ୍ତାନ ଭାରତକୁ ଆକ୍ରମଣ କରି ବିତାଡ଼ିତ ହୋଇଥିଲା । ଏହା କେବଳ ଭାରତୀୟ ସୈନ୍ୟବାହିନୀଙ୍କ ନୁହେଁ ବରଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର କଥା । ଶ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ସ୍ଲୋଗାନ "ଜୟ ଜବାନ ଜୟ କିଶାନ" ଆଜି ମଧ୍ୟ ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ପ୍ରତିଫଳିତ ହୁଏ । "ଜୟ ହିନ୍ଦୁସ୍ତାନ" ହେଉଛି ଏହି ସ୍ଲୋଗାନର ମୂଳରେ ଥିବା ମନୋଭାବ । ୧୯୬୫ର ଯୁଦ୍ଧକୁ ଆମର ଆମ ଆତ୍ମସମ୍ମାନ ଓ ରାଷ୍ଟ୍ରୀୟ ମର୍ଯ୍ୟାଦା ପାଇଁ ଲଢ଼ିଥିଲୁ ଓ ଜିତିଥିଲୁ । ଆମ ସେନାବାହିନୀକୁ ଯୁଦ୍ଧ କରିବା ପାଇଁ ଏପରି ଅପୂର୍ବ ରଣନୀତି ଦେଇଥିବାରୁ ଏହି ଦେଶ ଶ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ପାଖରେ କୃତଜ୍ଞ ରହିବ । ସେ ତାଙ୍କର ବିଶାଳ ହୃଦୟ ଓ ସମାଜ ସେବା ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ ।"

    ୨୦୧୫ରେ ଶାସ୍ତ୍ରୀଙ୍କ ଜୀବନ ଉପରେ ଆଧାରିତ  ଏକ ହିନ୍ଦୀ ଚ଼ଳଚ୍ଚିତ୍ର ତାଙ୍କ ସ୍ଲୋଗାନ ଅନୁସାରେ "ଜୟ ଜବାନ ଜୟ କିଷାନ" ମୁକ୍ତିଲାଭ କରି ଦର୍ଶକଙ୍କ ପ୍ରାଣକୁ ପୁଲକିତ କରିପାରିଥିଲା । 

    ତେବେ ଏଠି କହିବାର କଥା ସମାଜରେ ପ୍ରତ୍ଯେକଙ୍କର ଚ଼ଳିବା ପାଇଁ ସବୁକିଛି ଆବଶ୍ଯକତା ଭିତରେ ଖାଦ୍ଯ ,ବସ୍ତ୍ର , ବାସଗୃହ ଏବଂ ସୁରକ୍ଷିତ ଜୀବନ ଯାପନ କରିବା ନିହାତି ଆବଶ୍ୟକ । ଏ ଖାଦ୍ଯ ,ବସ୍ତ୍ର ଓ ବାସଗୃହ ସାମଗ୍ରୀ କେବଳ ଜଣେ ଚ଼ାଷୀ ଦେଇପାରିବ ; ଅର୍ଥାତ୍ କୃଷକଟିଏ । ବାକି ରହିଲା ସୁରକ୍ଷା , ସୁରକ୍ଷାକର୍ମୀ ବା ସୈନିକ ହିଁ ରାଷ୍ଟ୍ରବାସିନ୍ଦାଙ୍କୁ ସୁରକ୍ଷା ଦେଇପାରିବେ । ଖରା ,ବର୍ଷା ,ଶୀତ ଏବଂ କେତେ ଘାତ ପ୍ରତିଘାତ ସହି ରାଷ୍ଟ୍ରର ସୁରକ୍ଷାରେ ନିଜକୁ ନିୟୋଜିତ କରିଛନ୍ତି ସେମାନେ ; ନା ଅଛି ସ୍ବାର୍ଥ ? ସେମାନେ ନିଜର ସ୍ବାର୍ଥ ବଦଳରେ ରାଷ୍ଟ୍ରର ସ୍ବାର୍ଥ ପାଇଁ ସର୍ବଦା ତତ୍ପର । ଶତ୍ରୁଙ୍କୁ ସଂହାର କରିବାକୁ ନିଜ ଜୀବନକୁ ବାଜି ଲଗେଇ ରାଷ୍ଟ୍ରର ସୁରକ୍ଷା ପାଇଁ ଦିନ-ରାତି ଏକ କରି ସେମାନେ ସର୍ବଦା ସଜାଗ ପ୍ରହରୀ । ଆମ ମାନଙ୍କର ପ୍ରକୃତ ବନ୍ଧୁ ସେମାନେ । ରାଷ୍ଟ୍ରର ସୁରକ୍ଷା କରୁ କରୁ ଶତ୍ରୁର କମାଣ ମୁନ ନିଃସୃତ ବାରୁଦରେ ଜୀବନର ଦୀପ ଲିଭିଯାଏ । ଆଘାତ ପାଇ ବି ଡ଼ରେ ନାହିଁ ; ଜୀବନ ଯାଉ କିନ୍ତୁ ଶତ୍ରୁର ସଂହାର ହେଉ । ମୋ' ଦେଶ ଜନନୀର ସୁରକ୍ଷା ପାଇଁ ମୁଁ ଜୀବନ ଦେବାକୁ ପଛାଇବି ନାହିଁ । ଏପରି ଭାବନ କେବଳ ଜଣେ ସଚ୍ଚା ଦେଶଭକ୍ତ ତଥା ଦେଶ ମାତୃକାର ପ୍ରକୃତ ସନ୍ତାନ ହିଁ ବ୍ଯକ୍ତ କରିପାରେ । ସେଲାଗି କବି କହିଛନ୍ତି :-
 
             "ପଛଘୁଞ୍ଚା ନାହିଁ ବୀରର ଜାତକେ 
               ନମରେ ସେହୁଁ ପରାଣ ଆତଙ୍କେ ।"

    ଅତୀତରେ ଘଟି ଯାଇଥିବା କାର୍‌ଗିଲ୍‌ ସମର ମନେପକାଇ ଦିଏ ଜବାନ ମାନଙ୍କ କଥା ; ତାଙ୍କର କର୍ତ୍ତବ୍ୟନିଷ୍ଠ ପାଇଁ ସୁରକ୍ଷିତ ଆମେ । ଆମେ ନିର୍ଭୟରେ ଖାଇପିଇ ବହୁତ ଆନନ୍ଦରେ ଅଛେ । ଟିକେ ଭାବନ୍ତୁ ତ ସେମାନେ କ'ଣ ଆନନ୍ଦରେ ରହିବାକୁ ଚାହାଁନ୍ତି ନାହିଁ ? ଆମର ତଥା ଏହି ରାଷ୍ଟ୍ରର ସୁରକ୍ଷା ପାଇଁ ନିଜ ସୁଖ ସ୍ବାଚ୍ଛନ୍ଦ୍ଯକୁ ବଳି ଚ଼ଢ଼ାଇ ଦେଇ ସଜାଗ ପ୍ରହରୀ ସାଜି ପ୍ରହରା ଦେଇ ଚ଼ାଲିଛନ୍ତି ରାଷ୍ଟ୍ରର ସୀମାନ୍ତ ପ୍ରଦେଶରେ । ଦିନ ପରେ ଦିନ ବିତି ଚ଼ାଲିଛି ; ଅତୀତ ହେଲେ ବି ଅପଶୋରା ହୋଇ ରହି ଯାଇଛି କାର୍‌ଗିଲ୍‌ ଯୁଦ୍ଧର ଦୃଶ୍ଯାବଳୀ । ଶତ୍ରୁ ସହିତ ମୁହାଁମୁହିଁ ଆକ୍ରମଣ ଅନେକ ପ୍ରାଣ ଉଜାଡ଼ି ଦେଲେ ବି ନିର୍ଭୀକ ଭାବରେ ଯୁଦ୍ଧ କରି ବିଜୟର ମୁକୁଟ ମଣ୍ଡନ କରାଇଛନ୍ତି ଆମ ଏ ରାଷ୍ଟ୍ରକୁ ଆମର ବନ୍ଧୁ ଜବାନମାନେ । ଅନାୟସରେ ଚ଼ାଲିଯାଇଥିବା ଅନେକ ପ୍ରାଣ ପୁଲୱାମାର ଦୃଶ୍ଯ ବି ଥରାଇ ଦେଉଛି ବୁକୁ । ନବ ବିବାହିତାର ସଂସାର ଉଜୁଡ଼ି ଯାଇଛି , ବାପ କାନ୍ଧରେ ପୁଅର ଶବ ; ସାରା ଭାରତରେ ବିଷାଦର ଛାୟା , ଶୋକସନ୍ତପ୍ତ ପୟିବାର । ତଥାପି ବି ସାଥି ଜବାନ ମାନେ ଡ଼ରି ନାହାଁନ୍ତି , ପ୍ରତିଶୋଧର କୁହୁଳା ନିଆଁ ଶତ୍ରୁର ଆଡ୍ଡାକୁ ଧ୍ବସ୍ତ ବିଧ୍ବସ୍ତ କରିପକାଇଛି । ଜାମ୍ମୁ-କାଶ୍ମିରକୁ ଛଡ଼ାଇ ନେବାର ଉଦ୍ଯମ ବିଫଳ ହୋଇଛି ଶତ୍ରୁ ପକ୍ଷର ; ଆତଙ୍କୀ ବୁକୁ ଭେଦ କରି ଛୁଟି ଯାଉଛି ଗୁଳି ଆମ ରାଷ୍ଟ୍ରର ଜବାନ ମାନଙ୍କ କମାଣରୁ । ସତରେ , ସେମାନେ ଆମର ବନ୍ଧୁ , ସେମାନେ ଆମର ସ୍ବାତ୍ମୀୟ । ଜନୈକ କବି ଜେ. ଏନ. ଅମିତ୍‌ କୁମାରଙ୍କ ଏକ ରଚ଼ନା ମନେ ପଡ଼ିଯାଉଛି :-

                 "ହେ' ମୋର ବୀର ଜବାନ
                  ଦେଶ ପାଇଁ ତୁମେ ଦେଲ ଜୀବନ
                  ତୁମେ ଭାରତର ସନ୍ତାନ
                  ତୁମ ପାଦତଳେ ଜଣାଉଛୁ ଆମ୍ଭେ
                  କୋଟି କୋଟି କୋଟି ପ୍ରଣାମ ।"

     ଜବାନଙ୍କ ପରି କୃଷକ ମାନେ ବି ଆମର ଚ଼ିର ନମସ୍ୟ ଅଟନ୍ତି । ମଣିଷର ମୁଖ୍ଯ ଆବଶ୍ଯକତା ଖାଦ୍ଯ ; ଯାହା କୃଷକ ମାନେ ହିଁ ଯୋଗାଇ ଦିଅନ୍ତି । ଚ଼ାଷ ନକଲେ ଖାଦ୍ଯ ଆସିବ କୁଆଡୁ ଯେ ? ଜବାନ ଆମର ସୁରକ୍ଷାଦାତା , କିନ୍ତୁ କୃଷକ ଅନ୍ନଦାତା । ମୁଣ୍ଡ ଝାଳ ତୁଣ୍ଡେ ମାରି , ଅଗାଧ ଅହରହ ଶ୍ରମ କରି କ୍ଷେତରେ ସୁନା ଫଳାଏ । ତା'ରି ପାଇଁ ଭରିଯାଏ ସବୁରି ଉଦର ; ତେଣୁ ସର୍ବାଦୌ କର୍ତ୍ତବ୍ୟ କୃଷକକୁ ସମ୍ମାନ । ତା'ର ମହତ୍ତ୍ବକୁ ବୁଝିବା ନିହାତି ଦରକାର । 

     କିଏ ବୁଝୁ ନାହାନ୍ତି କୃଷକର ମୂଲ୍ଯକୁ , ଅନୁଭବ କରୁନାହାନ୍ତି ସେ ଆମ ପାଇଁ କେତେ ଜରୁରୀ । ବର୍ଷକ ବାରମାସ ଆପ୍ରାଣ ଶ୍ରମ କରି ଖାଦ୍ୟ ଯୋଗାଉଥିବା ମଣିଷକୁ ସାଥ୍‌ ଦେଉଛି କିଏ ? ଲେଡ଼ି ଗୁଡ଼ କହୁଣିରେ ପହଞ୍ଚିଲା ପରେ କୃଷକ ଉପରେ ପ୍ରାଧାନ୍ୟତା କଥା ମୁଣ୍ଡରେ ପଶୁଛି । ସେ ପୁଣି ଲକ୍ଷେ ସେଣାରେ ପାଣି ଉଠିଲା ବେଳକୁ କ୍ଷେତ ପାଖରେ ପହଞ୍ଚିଲା ବେଳକୁ ଟିପେ ହେବ କି ନା । ଧର କରଜରେ ସଢ଼ୁଛି ଅନ୍ନଦାତା , ବନ୍ଯା-ବାତ୍ୟା-ମରୁଡ଼ିର ଦାଉ ଅତିଶୟ କରିପକାଉଛି ପୁଣି । ଯୋଜନା ପରେ ଯୋଜନା ; କିନ୍ତୁ କୌଣସି ଯୋଜନା ବି ଫଳବତୀ ନୁହେଁ । ଜନସଂଖ୍ୟା ବୃଦ୍ଧି ପ୍ରମୁଖ କାରଣ ସାଜିଥିବା ବେଳେ , ଶସ୍ତାରୁ ହୀନସ୍ଥା ହେବା ଭଳି "ଅନ୍ତର୍ଦ୍ବୟ ଅନ୍ନ ଯୋଜନା" କୃଷି ମାରଣର ଅନ୍ତରଙ୍ଗ ବନ୍ଧୁ । ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି ଚ଼ାଷୀ ଆତ୍ମହତ୍ଯାର ଖବର ; ଚ଼ାଷକୁ ମିଳୁଛି ପ୍ରୋତ୍ସାହନ , କିନ୍ତୁ ଚ଼ାଷୀକୁ ନୁହେଁ । ଚ଼ାଷୀ ଆନ୍ଦୋଳନ ବି ଫସର ଫାଟି ଯାଉଛି  । ପ୍ରଥମରୁ ତ ରାସାୟନିକ ସାର ପ୍ରୟୋଗରେ ମାଟି ବିଷାକ୍ତ ; ପୁଣି ଏତେସବୁ ସମସ୍ଯା ବିନାଶ ନା ବିକାଶ ଅନୁମେୟ । ସ୍ବଭାବ କବି ଗଙ୍ଗାଧର ମେହେରଙ୍କ କୃଷି ମହିମା ସମ୍ପର୍କିତ କିଛି ଧାଡ଼ି ମନେପଡ଼େ :-

         "କୃଷି ତୋର ବେଦ କୃଷି ତୋ' ପୁରାଣ
          କୃଷି ବିନା ରହି ନପାରଇ ପରାଣ ।
          କୃଷି ଘେନି ନୃପତି କୃଷି ଘେନି ସଭ୍ୟ 
           କୃଷି ବଳେ ଆୟୁ ଶ୍ରୀସମ୍ପଦ ହୁଏ ଲଭ୍ଯ ।"

     ତେଣୁ ପ୍ରତ୍ଯେକ ରାଷ୍ଟ୍ର ପାଇଁ ଜବାନ ଓ କିଷାନଙ୍କ ଭୂମିକା କେତେ ତାହା ସ୍ପଷ୍ଟ ଦୃଶ୍ଯମାନ । କୃଷକ ଓ ସୈନିକ ; ଜଣେ ବାପା (ଅନ୍ନଦାତା) ଓ ଆଉ ଜଣେ ଭାଇ (ସୁରକ୍ଷାଦାତା)। ଏମାନଙ୍କର ଜୟଗାନ ଓ ଏମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଉଚିତ୍ । ଏ ଦୁଇଜଣଙ୍କ ବିନା ଜୀବନ ଧାରଣ ଅସମ୍ଭବ କହିଲେ ଅତ୍ୟୁକ୍ତି ହେବନି ।

ଭାଟପଡ଼ା,ନିରାକାରପୁର,କଣାସ,ପୁରୀ 
ସମ୍ପର୍କ - ୮୯୧୭୪୮୦୫୩୬

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା