ଦୁହିତା ଦୁଇ କୁଳକୁ ହିତା



   କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି 

       ଦୁହିତା କହିଲେ ସମସ୍ତେ ଜାଣନ୍ତି - ଦୁଇ କୁଳର ହୀତା । ଦୁଇ କୁଳ କ'ଣ ? ପ୍ରଥମଟି ବାପଘର ; ଜନ୍ମମାଟି  ଓ ଦ୍ବିତୀୟଟି ଶାଶୁଘର । ଜୀବନର ଶେଷ ସ୍ଥାନ ଯେଉଁଠି ଲୀଳା ଖେଳାର ପରିସମାପ୍ତି ଘଟେ। ଏ ଦୁଇ ସ୍ଥାନର ହୀତାକାଂକ୍ଷୀ ନାରୀକୁ ଦୁହିତା ବୋଲାଯାଏ। ସଂସାରରେ ସର୍ବଶ୍ରେଷ୍ଠ ଭାବେ ବିବେଚିତା ଦୁହିତା ବା ନାରୀ। ନାରୀ ବିନା ଏ ସୃଷ୍ଟି ଅସମ୍ଭବ ଏ କଥା ସର୍ବଜ୍ଞାତ। କାହିଁ କେଉଁ ଆଦିମ ଯୁଗରୁ ଏମିତି କି ସୃଷ୍ଟି ସଂରଚନା ସମୟରୁ ନାରୀକୁ ସର୍ବାଦ୍ଯ ଓ ସର୍ବଶ୍ରେଷ୍ଠ ବିବେଚନାରେ ରଖାଯାଇଛି। ପୁରାଣ ଶାସ୍ତ୍ର ଅଧ୍ଯୟନ କଲେ ଏହି ଗୀର ସ୍ପଷ୍ଟ ଭାବେ ବୁଝା ଯାଇପାରିବ। ଇତିହାସର ପୃଷ୍ଠା ଓଲଟାଇ ଦେଖନ୍ତୁ ଜାଣିପାରିବେ ନାରୀ ସର୍ବଶ୍ରେଷ୍ଠ ମାନ୍ଯତାର ଅଧିକାରିଣୀ ।

      ଲିଙ୍ଗ ଭେଦରେ ନରର ବିପରୀତ ନାରୀ । ଯଦି ପ୍ରଶ୍ନ କରାଯାଏ ଯେ ପ୍ରଥମେ କିଏ ସୃଷ୍ଟି , ତେବେ ଏହାର ଉତ୍ତର ଟିକେ ଜଟିଳ ବୋଧ ହେଲେ ବି ସୁବିଚାର ଧାରାରେ ବିଚାରକୁ ନେଲେ ଉତ୍ତର ଆସିବ -"ନାରୀ"। ଆପଣ ପଚାରି ପାରନ୍ତି -"କେମିତି"? ନାରୀ କେମିତି ଆଗେ ସୃଷ୍ଟି , ପୁରୁଷ ନୁହେଁ ? ମନରେ ପ୍ରଶ୍ନ ଉଠିବ ଯେ ପୁରୁଷ ନଥାଇ ନାରୀ କେମିତି ଆସିଲା ? ପୁଣି ବିପରୀତ ପ୍ରଶ୍ନ ଉଠିବ ଯେ ନାରୀ ନଥାଇ ପୁରୁଷ କେମିତି ସମ୍ଭବ? ବଡ ଅଡୁଆ ପରିସ୍ଥିତି ନୁହେଁ କି ଇଏ? ନାରୀର ଗର୍ଭଧାରଣ ଗୁଣ ଅଛି ; କିନ୍ତୁ ପୁରୁଷର ନାହିଁ । ତେବେ ଯଦି ପୁରୁଷ ଆଗ ସୃଷ୍ଟି  ; ସେ ଜନ୍ମ ନେଲା କେଉଁଠୁ? ଆଉ ତାକୁ ଜନ୍ମ ଦେଲା କିଏ? ପୁଣି ସେଇ ମୂଳକୁ ଫେରିବାକୁ ବାଧ୍ଯ ଯାହାକି ଉତ୍ତର ପାଇବା ପରିବର୍ତ୍ତେ ଆହୁରି ବେଶି ବୁଢ଼ିଆଣୀ ଜାଲ ଭିତରେ ଛନ୍ଦି ହୋଇଯିବ । ଯଦି ମନକୁ ଆସେ ଯେ ନାରୀ ଆଗ ସୃଷ୍ଟି ; ତାକୁ ଜନ୍ମ ଦେଲା କିଏ?  କ'ଣ ଏଇ ପୁରୁଷ ? ପୁରୁଷର ତ ଗର୍ଭଧାରଣ କ୍ଷମତା ନାହିଁ ; ସେ କେମିତି ଜନ୍ମ ଦେଇପାରିବ ? ଏଇଠି ଚିନ୍ତା କରନ୍ତୁ ସେଇ ନାରୀ ହିଁ ଜନ୍ମ ଦେଇଛି। ତେବେ ଏବେ କୁହନ୍ତୁ ତ ବିଦ୍ବାନ ମଣ୍ଡଳୀ, କେଉଁ ଜାତି ଆଗ ସୃଷ୍ଟି ? ନାରୀ ନା ପୁରୁଷ ?

       ଏଥିରୁ ଜଣାଯାଉଛି ଯେ ଆଦ୍ଯେ ନାରୀର ସୃଷ୍ଟି । ତେବେ ଆଉ ଏକ ପ୍ରଶ୍ନ ବିନା ପୁରୁଷରେ ନାରୀର ଗର୍ଭୋଦୟ କିପରି ହେଲା? ପୁଣି ସେଇ ଅଡୁଆ ସୂତାର ଖିଅ ; ବଡ ଜଟିଳ ସମସ୍ଯା। ନୁହଁ କି? କାହା ପାଖରୁ ମିଳିପାରିବ ଉତ୍ତର ? ଟିକେ ଗଭୀର ଭାବରେ ଚିନ୍ତା କରନ୍ତୁ  ଉତ୍ତର ମିଳିଯିବ । ସୃଷ୍ଟି ସଂରଚନା ପୂର୍ବରୁ ପ୍ରଥମେ ଏ ଧରାର ସୃଷ୍ଟି । ଧରିତ୍ରୀ  ନଥିଲେ ସୃଷ୍ଟି କେମିତି ହୋଇଥା'ନ୍ତା? ଧରିତ୍ରୀକୁ ମାଆ ସମ୍ବୋଧନ କରୁଛେ, ତେଣୁ ସେ ନାରୀ। ଏଥିରୁ ଜଣାଯାଏ ନାରୀ ହିଁ ଆଦ୍ଯ ସମ୍ଭବା ଅଟେ । 

        କନ୍ଯା ଶିଶୁଟି ଜନ୍ମ ଦିଏ ମାଆ ; ଛୋଟରୁ ବଡ କରେ ମୁଣ୍ଡ ଝାଳକୁ ତୁଣ୍ଡରେ ମାରି । ପାଠଶାଠ ପଢ଼ାଇ ମଣିଷ କରେ । ଧୀରେ ଧୀରେ ବଢ଼ିଚାଲେ ବୟସ । ବାପା ମାଆ ଭାଇ ଭଉଣୀଙ୍କ ସହ ହସଖୁସିରେ ବିତିଯାଏ ଦିନ । ପରିବାରଙ୍କ ସୁଖରେ ସୁଖୀ ଓ ତାଙ୍କ ଦୁଃଖରେ ଦୁଃଖୀ ହୋଇ କିଛିଦିନ କାଟିଦିଏ କୁମାରୀ କନ୍ଯାଟି । ବାପା ମାଆଙ୍କର ସେବା ଶୁଶ୍ରୁଷା କରେ, ଭାଇ ଭଉଣୀର ମଙ୍ଗଳ ମନାସେ । ପରିବାରର ମଙ୍ଗଳ ପାଇଁ ବି ବାରମାସେ ତେର ଓଷା ବ୍ରତ କରେ । ପରିବାରର ହିତ ସାଧନ କରେ । ତା'ପରେ ଚାଲିଆସେ ବିବାହ କରିବାର ବେଳ । ସାତ ଦୀପ ଆଠ କଳଶକୁ ସାକ୍ଷ୍ଯ ମାନିନେଇ ସ୍ବଜନଙ୍କୁ ପର କରି ଅଜଣା ଅଚିହ୍ନା ଲୋକର ହାତ ଧରି ସ୍ବ-ପରମେଶ୍ବର ବୋଲି ମାନି ନେଇ ତା' ଘରକୁ ଚାଲିଯାଏ ବାକି ସମୟ କାଟିବା ଲାଗି ଆଉ ତା' ଘରର ମଙ୍ଗଳାର୍ଥେ । ବାପା ମାଆ ରୂପରେ ଶାଶୁ ଶ୍ବଶୁର , ବଡ ଭାଇ ଭାବରେ ଦେଢ଼ଶୁର , ସାନ ଭାଇ ଭାବରେ ଦିଅର , ବଡ ଭଉଣୀ ଭାବେ ଯା' , ସାନ ଭଉଣୀ ଭାବରେ ନଣନ୍ଦଙ୍କ ହିତ କାମନା କରେ ଓ ତାଙ୍କ ସେବାରେ ବିତିଯାଏ  ତ୍ରିସନ୍ଧ୍ଯା ଯାମିନୀ । ଇଷ୍ଟଦେବ ଭାବରେ ପତି ପରମେଶ୍ବରଙ୍କ ସେବା ସହିତ ପୂର୍ବ ପରି ବାରମାସରେ ତେର ପର୍ବ ପାଳନ । ଏ କୁଳର ହିତ ସାଧନ ପରେ ସେ କୁଳର ହିତ ସାଧନ କରେ । ବାପଘରେ ଜଳେ ଇନ୍ତୁଡି ଆଉ ଶ୍ବଶୁରଘରେ ମହାପ୍ରୟାଣାନ୍ତେ ଜୁଇ ଅଗ୍ନି । ସେଲାଗି ଏ ପ୍ରବାଦ "ଦୁହିତା, ଦୁଇ କୁଳକୁ ହୀତା "।

ସମ୍ପାଦକ -  ଉଦୟ ଭାନୁ 
ଭାଟପଡ଼ା,ନିରାକାରପୁର,କଣାସ (ପୁରୀ)
ଯୋଗାଯୋଗ - ୮୯୧୭୪୮୦୫୩୬ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା